ନୂଆଦିଲ୍ଲୀ: ଲୋକସଭା ନର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଗତକାଲି ୧୨ ରାଜ୍ୟର ୪୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ତାଲିକାରେ ବରିଷ୍ଠ ନେତା ଦିଗବିଜୟ ସିଂ ଓ ହରିସ ରାୱତ ଅଛନ୍ତି । ମଧ୍ୟପ୍ରଦେଶର ଗାଜଗଡରୁ ଲଢିବେ ଦିଗବିଜୟ ସିଂ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବାରଣାସୀରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଅଜୟ ରାୟ । ତେବେ ବିଏସପିର ପୂର୍ବତନ ନେତା ଡାନିଶ ଅଲ୍ଲୀଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାକୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ଚତୁର୍ଥ ତାଲିକାରେ ଆସାମ, ଆଣ୍ଡାମାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଚତୁର୍ଥ ପର୍ଯ୍ୟାୟ ତାଲିକାରେ ଓଡ଼ିଶାର ନାଁ ନାହିଁ।
ସୁଧୁରୁନି ବାଏଜୁ ଆର୍ଥିକ ସ୍ଥିତି: ଅଫିସ ପରେ ବନ୍ଦ ହେଲା ୩୦ ଟ୍ୟୁସନ୍ ସେଣ୍ଟର
ନୂଆଦିଲ୍ଲୀ: ବାଏଜୁର ଆର୍ଥିକ ସ୍ଥିତିରେ ସୁଧାର ଆସିବାର ନାଁ ନେଉନାହିଁ । ଆର୍ଥିକ ସଙ୍କଟରେ ଗତି କରୁଥିବା କମ୍ବାନୀ ପ୍ରଥମେ ଆଞ୍ଚଳିକ କାର୍ଯ୍ୟାଳୟ ବନ୍ଦ କରିଥିବା ବେଳେ ଏବେ ଟ୍ୟୁସନ୍ ସେଣ୍ଟର ବନ୍ଦ କରିବା ଆରମ୍ଭ କରିଦେଇଛି । ଖର୍ଚ୍ଚ କାଟ କରିବାକୁ ବାଏଜୁ ୩୦ ସେଣ୍ଟର ବନ୍ଦ କରି ଦେଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ୨୬୨ ହାଇବ୍ରିଡ ମଡେଲରେ କମ୍ପାନୀ ଚାଲିବ । ଏହାସହ ଅଧିକାଂଶ ସେଣ୍ଟରକୁ ଲାଭ ଦାୟକ କରିବାକୁ ଟାର୍ଗେଟ ରଖାଯାଇଛି ।
ବାଏଜୁ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ଆମ ଶିକ୍ଷକଙ୍କ ସମର୍ପଣ ଓ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ନେଇ ଆମେ ଗର୍ବିତ । ବାଏଜୁ ଦକ୍ଷତାର ସହ ଗୁଣବତ୍ତା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଦ୍ବାରା ଅଧିକାଂଶ ସେଣ୍ଟରକୁ ଲାଭ ମିଳିବାରେ ଲାଗିଛି । ଆଗାମୀ ଦିନରେ ୯୦ ପ୍ରତିଶତ ଟ୍ୟୁସନ ସେଣ୍ଟର ନୂଆ ଟେକ୍ନୋଲଜି ସହ ହାଇବ୍ରିଡ ମଡେଲରେ କାମ କରିବ ।
ସୂଚନାଯୋଗ୍ୟ, ଖର୍ଚ୍ଚପାଟ ପାଇଁ ପୂର୍ବରୁ କମ୍ପାନୀ ନିଜର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ବନ୍ଦ କରିସାରିଛି । ଏଥିରେ କାମ କରୁଥିବା ପ୍ରାୟ ୧୫ ହଜାର କର୍ମଚାରୀଙ୍କୁ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ଓ୍ବାର୍କ ଫ୍ରମ ହୋମ ଦିଆଯାଇଛି । ଏବେ କମ୍ପାନୀ ମାତ୍ରା ଗୋଟିଏ କର୍ପୋରେଟ୍ ଅଫିସ ରହିଛି । ବାଏଜୁ ୨୦ରୁ ଅଧିକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିଥିଲା ।
ସୂଚନାଯୋଗ୍ୟ, ବାଏଜୁ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସ୍ଥିତି ଏମିତି କର୍ମଚାରୀ ଠିକ ସମୟରେ ଦରମା ବି ପାଉ ନାହାନ୍ତି । କର୍ମଚାରୀଙ୍କୁ ଦରମା ଦେବାକୁ କମ୍ପାନୀର ଫାଉଣ୍ଡର ତଥା ସିଇଓ ରବୀନ୍ଦ୍ରନଙ୍କୁ ନିଜ ଘରକୁ ବି ବନ୍ଧକ ରଖିବାକୁ ପଡିଥିଲା ।
ଭାରସାମ୍ୟ ହରାଇ ପୋଲକୁ ପିଟିଲା ବାଇକ, ଜଣେ ମୃତ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଗାଡିଆ ଗାଁ ଛକରେ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ । ମୃତ ଯୁବକ ଜଣକ ହେଲେ ଗାଡିଆ ଗାଁର ଉମେଶ ଧାରୁଆ ।
ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
IPL ୨୦୨୪: ଆଜି ଆରଆର- ଲକ୍ଷ୍ନୌ, ଜିଟି-ଏମଆଇ ଟକ୍କର
ଭୁବନେଶ୍ବର: ଆରମ୍ଭ ହୋଇ ସାରିଛି IPLର ୨୦୨୪ ସଂସ୍କରଣ । ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଟକ୍କର ହେବ ।
ଗତକାଲି ଆଇପିଏଲର ଦ୍ବିତୀୟ ଦିନରେ ପଞ୍ଜାବ କିଙ୍ଗସ ସଂଘର୍ଷ ପୂର୍ଣ୍ଣ ବିଜୟ ଲାଭ କରିଥିଲା । ଦୁଇଟି ମ୍ଯାଚ ଖେଳାଯାଇଥିବାବେଳେ ପ୍ରଥମ ମ୍ଯାଚରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ ଓ ଦିଲ୍ଲୀ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । ୧୭୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ପଞ୍ଜାବ ୧୯.୨ ଓଭରରେ ୬ ୱିକେଟ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା ।
ସେହିପରି ଇଡେନ ଗାର୍ଡେନରେ ଦ୍ବିତୀୟ ମ୍ଯାଚରେ ପରସ୍ପରକୁ ଭେଟିଥିଲେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ନାଇଟ ରାଇଡର୍ସର ଆନ୍ଦ୍ରେ ଆଗାସିଙ୍କ ଦମଦାର ବ୍ଯାଟିଂ ଫଳରେ ହାଇଦ୍ରାବାଦ ଆଗରେ ୨୦୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାଇଦ୍ରାବାଦ ଶେଷ ଓଭରରେ ଜିତୁ ଜିତୁ ହାରି ଯାଇଥିଲା ।
କାରଗିଲ ଅନଶନ ସମର୍ଥନରେ ଆଜି ଲଦାଖ ବୁଦ୍ଧ ବିହାରରେ ବିକ୍ଷୋଭ
ନୂଆଦିଲ୍ଲୀ: କାରଗିଲ ଡେମୋକ୍ରାଟିକ ଆଲାଏନ୍ସ ବା କେଡିଏ ପକ୍ଷରୁ କାରଗିଲରେ ଚାଲିଥିବା ଅନଶନକୁ ସମର୍ଥନ କରି ଦିଲ୍ଲୀ ସ୍ଥିତ ଲଦାଖ ବୁଦ୍ଧ ବିହାରରେ ଆଜି ହେବ ବିକ୍ଷୋଭ । ଦିଲ୍ଲୀରେ ରହୁଥିବା ଲଦାଖ ଛାତ୍ରଛାତ୍ରୀଙ୍କ ପକ୍ଷରୁ କରାଯିବ ବିକ୍ଷୋଭ । ଲଦାଖକୁ ରାଜ୍ଯପାହ୍ୟା ମାନ୍ଯତା ସମେତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭାରତୀୟ ସମ୍ବିଧାନରର ଷଷ୍ଠ ଅନୁଚ୍ଛେଦରେ ସ୍ଥାନୀତ ଦାବିରେ କରାଯାଉଛି ଆନ୍ଦୋଳନ ।
ଲେହ, କାରଗିଲ, ଜାମ୍ମୁ, ଦିଲ୍ଲୀ ଆଦି ସ୍ଥାନରେ ଏହି ଦାବିକୁ ନେଇ ଜୋରଦାର ଆନ୍ଦୋଳନ ଜାରି ରହିଛି । କାରଗିଲ ଡେମୋକ୍ରାଟିକ ଆଲାଏନ୍ସ ଓ ଲେହ ଆପେକ୍ସ ବଡି ବା ଏଲଏବି ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି ।
ସେପଟେ ଲଦାଖକୁ ରାଜ୍ଯ ପାହ୍ଯା ମାନ୍ଯତା ଦାବିରେ ୨୧ ଦିନିଆ ଅନଶନରେ ବସିଥିବା ମାଗାସେସେ ପୁରସ୍କାର ବିଜେତା ସୋନମ ୱାଙ୍ଗଚୁକଙ୍କ ଅନଶନ ୧୮ତମ ଦିନରେ ପହଞ୍ଚିଛି । ଗତ ୧୮ ତାରିଖରୁ ଏହି ସବୁ ଦାବିରେ ସୋନମ ୱାଙ୍ଗଚୁକ୍ ଶୂନ୍ଯ ଡିଗ୍ରୀ ତାପମାତ୍ରାରେ ଅନଶନରେ ବସିଛନ୍ତି । ତାଙ୍କ ଦାବିକୁ ସମର୍ଥନ କରିଆସୁଛନ୍ତି ବହୁ ନାଗରିକ, ରାଜନୀତିଜ୍ଞ, ସାମାଜିକ ଓ ପରିବେଶ କର୍ମୀ । ସୋନମ ୟାଙ୍ଗଚୁକଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିଲା ପ୍ରସିଦ୍ଧ ଚଳଚ୍ଚିତ୍ର ଥ୍ରୀ ଇଡିଅଟସ୍ ।
ଦିଲ୍ଲୀ ମଦ ନୀତି ମାମଲା: ଆଜି ବି କେଜ୍ରିଓ୍ବାଲଙ୍କୁ ଜେରା କରିବ ଇଡି
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଆଜି ଦ୍ବିତୀୟ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ୨୧ ତାରିଖରେ ଦିଲ୍ଲୀ ବାସଭବନରୁ କେଜରିୱାଲଙ୍କୁ ଗିରଫ କରିବା ପରେ ଆସନ୍ତା ୨୮ ତାରିଖ ଯାଏଁ ହେପାଜତକୁ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ । ଜେରା ବେଳେ ଇଡିକୁ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ଯ କେଜରିୱାଲ ଦେଇଥିବା ସୂଚନା ମିଳିଛି ।
ଗତକାଲି ମନ୍ତ୍ରୀ ଆତିଶି ମାର୍ଲେନା ସିଂ କହିଥିଲେ- ଜେଲରେ ରହି କେଜ୍ରିଓ୍ବାଲ ସରକାର ପରିଚାଳନା କରିବେ । ମଦ ନୀତି ମାମଲାରେ ବିଜେପି ନିକଟକୁ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଟଙ୍କା ଯାଇଛି ବୋଲି ଅଭିଯୋଗ କରିଥିଲା ଆପ୍ । ତେଣେ ଗିରଫଦାରୀ ବିରୋଧରେ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ପକ୍ଷରୁ କରାଯାଇଥିଲା ବିକ୍ଷୋଭ । ଆଜି ଏହି ମାମଲାରେ ବିଆରଏସ ନେତ୍ରୀ କବିତାଙ୍କୁ ପୁଣି ଜେରା କରିବ ଇଡି । ଗତକାଲି ତାଙ୍କୁ ଆଉ ୩ ଦିନ ଲାଗି ଇଡି ହେପାଜତକୁ ପଠାଇଥିଲେ କୋର୍ଟ । ଆସନ୍ତା ୨୬ ପର୍ଯ୍ୟନ୍ତ ସେ ଇଡି କବଜାରେ ରହିବେ । ଗତ ୧୫ ତାରିଖରେ ତାଙ୍କୁ ହାଇଦ୍ରାବାଦରୁ କରାଯାଇଥିଲା ଗିରଫ ।
କୋଲକାତା ନାଇଟ ରାଇଡର୍ସର ରୋମାଞ୍ଚକ ବିଜୟ
ନନ୍ଦିଘୋଷ ବ୍ୟୁରୋ: ବିଜୟରୁ ଅଭିଯାନ ଆରମ୍ଭ କଲା କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୪ ରନରେ ପରାସ୍ତ କଲା କେକେଆର । ୨୦୯ ରନର ବିଜୟ ଲକ୍ଷ ରହିଥିବାବେଳେ ୨୦୪ ରନ କରିବାକୁ ସକ୍ଷମ ହେଲା ହାଇଦ୍ରାବାଦ । କେକେଆରର ରସେଲ ଏବଂ ସଲ୍ଟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।
ଚିକିତ୍ସା କ୍ଷେତ୍ରରେ ସଫଳତା, ଜୀବିତ ମଣିଷ ଶରୀରରେ ଲାଗିଲା ଘୁଷୁରିର କିଡନୀ
ନୂଆଦିଲ୍ଲୀ: କିଡନୀ ରୋଗୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଜଣେ ଆମେରିକୀୟ ଡାକ୍ତର ତାସୋ କାୱାଇ। ମାସାଚୁସେଟସ ଜେନେରାଲ ହସ୍ପିଟାଲରେ ସେ ଜଣେ ୬୨ ବର୍ଷୀୟ କିଡନୀ ରୋଗୀ ରିଚାର୍ଡ ସ୍ଲେମ୍ୟାନଙ୍କଠାରେ ସଫଳତାର ସହ ଘୁଷୁରିର କିଡନୀ ପ୍ରତିରୋପଣ କରିଛନ୍ତି।
ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ଘୁଷୁରି ଜିନ୍ ପରିବର୍ତ୍ତନ ଦ୍ବାରା ସୃଷ୍ଟି । ପୂର୍ବରୁ କୌଣସି ଅଙ୍ଗଦାତା କିମ୍ବା ମସ୍ତିଷ୍କ ମୃତ ବ୍ୟକ୍ତିଙ୍କ ଶରୀରରୁ କିଡନୀ ଆଣି ପ୍ରତିରୋପଣ କରାଯାଉ ଥିବାବେଳେ ଘୁଷୁରୀ କିଡନୀ ମଣିଷଙ୍କଠାରେ ପ୍ରତିରୋପଣ ହେବା ପ୍ରଥମ ଘଟଣା। ଦ୍ବିତୀୟତଃ ପଶୁଙ୍କ ଅଙ୍ଗ ମଣିଷଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ ହେବା ମଧ୍ୟ ଏକ ଚମତ୍କାରିତା। କାରଣ ମଣିଷ ଶରୀରକୁ ଲକ୍ଷ୍ୟରଖି ସମ୍ପୃକ୍ତ ଘୁଷୁରିର ଜିନ୍ ପରିବର୍ତ୍ତନ କରାଯାଇଥିଲା। ସମ୍ପ୍ରତି ରୋଗୀ ଜଣକ ସୁସ୍ଥ ଥିବା ଡାକ୍ତର ତାସୋ କାୱାଇଙ୍କ ସୂତ୍ରରୁ ପ୍ରକାଶ।
ଏହି ସଫଳତା ପରେ ବହୁ କିଡନୀ ତଥା ଅନ୍ୟ ରୋଗୀଙ୍କ ଶରୀରରେ ପଶୁଙ୍କ ଅଙ୍ଗ ପ୍ରତିରୋପଣର ରାସ୍ତା ସଫା ହେବା ସହ ନୂଆ ଆଶା ସଞ୍ଚାର ହୋଇଛି। ରିଚାର୍ଡ ଗତ ୭ ବର୍ଷ ହେଲା ଡାଏଲିସିସ୍ ଦ୍ବାରା ବଞ୍ଚିଥିଲେ। ୨୦୧୮ରେ ମଧ୍ୟ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା କିନ୍ତୁ ବିଶେଷ ସଫଳତା ମିଳିନଥିଲା।ଅପରପକ୍ଷରେ କିଡନୀ ଅଣାଯାଇଥିବା ଘୁଷୁରୀର ୧୦ଟି ବିଭିନ୍ନ ଜିନ୍ ପରିବର୍ତ୍ତନ କରାଯାଇଥିଲା। ଯାଦ୍ବାରା ଏହା ମଣିଷ ଶରୀରକୁ ଖାପ୍ ଖୁଆଇପାରିବ। ତେବେ ୨୦୨୨ରେ ମ୍ୟାରୀଲ୍ୟାଣ୍ଡର ଜଣେ ଡାକ୍ତର ଏକ ଘୁଷୁରିର ହୃଦ୍ଯନ୍ତ୍ରକୁ ଜଣେ ମଣିଷଠାରେ ସଫଳତାର ସହ ପ୍ରତିରୋପଣ କରିଥିଲେ କିନ୍ତୁ ଏହା ସଫଳ ହୋଇନଥିଲା।
ବ୍ରେନ୍ ହାମରେଜର କ’ଣ ରହିଛି କାରଣ, ଏହା କେତେ କ୍ଷତିକାରକ
ନନ୍ଦିଘୋଷ ବ୍ୟୁରୋ: ବ୍ରେନ୍ ହାମରେଜ୍ ଜୀବନ ପ୍ରତି ବିପଦ। ଯେଉଁଥିରେ ମସ୍ତିଷ୍କରେ ଶିରା ଫାଟିଯାଏ ଏବଂ ରକ୍ତ ପ୍ରବାହିତ ହୁଏ। ଏହି ପରିସ୍ଥିତିରେ ତୁରନ୍ତ ଚିକିତ୍ସା ସହାୟତା ଆବଶ୍ୟକ। ନଚେତ୍ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ମୃତ୍ୟୁ ମଧ୍ୟ ହୋଇପାରେ। ବ୍ରେନ୍ ହାମରେଜରେ ମସ୍ତିଷ୍କ ଭିତରେ ରକ୍ତସ୍ରାବ ହୁଏ। ମସ୍ତିଷ୍କ ଭିତରେ ଶିରା ଫାଟିଯିବା କାରଣରୁ ମସ୍ତିଷ୍କରେ ରକ୍ତସ୍ରାବ ହୁଏ। ଯେକୌଣସି ବୟସରେ ମସ୍ତିଷ୍କ ରକ୍ତସ୍ରାବ ହୋଇପାରେ କିନ୍ତୁ ଏହା ୫୦ ବର୍ଷରୁ ଅଧିକ ଲୋକଙ୍କଠାରେ ଅଧିକ ଦେଖାଯାଏ। କିନ୍ତୁ ବ୍ରେନ୍ ହାମରେଜ୍ ଘଟିବାକୁ ଯାଉଛି କି ନାହିଁ ଆପଣ କିପରି ଜାଣିବେ? ତେବେ ଏହାର ଲକ୍ଷଣଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା…
ବ୍ରେନ୍ ହାମରେଜର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଏକ ଭୟଙ୍କର ମୁଣ୍ଡବିନ୍ଧା, ଯାହା ପ୍ରାୟତଃ ହଠାତ୍ ଏବଂ ଭୟଙ୍କର ହୋଇଥାଏ । ବ୍ରେନ୍ ହାମରେଜ୍ ହେତୁ ବାନ୍ତି ମଧ୍ୟ ହୋଇପାରେ। ବାନ୍ତି ମଧ୍ୟ ବ୍ରେନ୍ ହାମରେଜର ଲକ୍ଷଣ ହୋଇପାରେ। ମୁହଁ, ହାତ କିମ୍ବା ଗୋଡରେ ଅସ୍ଥିରତା କିମ୍ବା ଦୁର୍ବଳତା ମସ୍ତିଷ୍କର ଏକ ଅଂଶର କ୍ଷତି ହେବାର ସଙ୍କେତ ହୋଇପାରେ। ଦୃଷ୍ଟି ଶକ୍ତିରେ ସମସ୍ୟା ଆସିବା ମଧ୍ୟ ବ୍ରେନ୍ ହାମରେଜର ଲକ୍ଷଣ। ମୁଣ୍ଡ ବୁଲାଇବା କିମ୍ବା ସନ୍ତୁଳନ ହରାଇବା ମଧ୍ୟ ବ୍ରେନ୍ ହାମରେଜର ଲକ୍ଷଣ ହୋଇପାରେ। ଶବ୍ଦ କହିବା କିମ୍ବା ବୁଝିବାରେ ଅସୁବିଧା ମଧ୍ୟ ଏହାର ଲକ୍ଷଣ। ମୁହଁର ଗୋଟିଏ ପାର୍ଶ୍ୱରେ ପକ୍ଷାଘାତ ମଧ୍ୟ ବ୍ରେନ୍ ହାମରେଜର ଲକ୍ଷଣ ହୋଇପାରେ।
ବ୍ରେନ୍ ହାମରେଜର ମୁଖ୍ୟ କାରଣ…
ଉଚ୍ଚ ରକ୍ତଚାପ, ଧୂମପାନ, ମଧୁମେହ, ହାଇ କୋଲେଷ୍ଟ୍ରଲ, ମୋଟାପଣ, ଅତ୍ୟଧିକ ମଦ୍ୟପାନ

