spot_img
Home Blog Page 2153

ରାଜଧାନୀରେ ପୁଣି ମାତିଲେ ଝରକା ତଡ଼ା ଗ୍ୟାଙ୍ଗ, ସିସିଟିଭିରେ କଏଦ ହେଲା ପ୍ରଥମ ଦୃଶ୍ୟ

ଭୁବନେଶ୍ବର: ପୋଲିସ ଡାଳେ ଡାଳେ ଗଲେ, ଚୋର ପତରେ ପତରେ ଯାଉଛନ୍ତି । ଆଇନ ବ୍ୟବସ୍ଥା ଯେତେ ସୁଦୃଢ଼ କଲେ ବି ଲୁଟର ବାଟ ବାହାର କରି କଳାକନା ବୁଲାଉଛନ୍ତି ଲୁଟେରା । ରାଜଧାନୀ ଭୁବନେଶ୍ବରରେ ପୁଣି ମାତିଛନ୍ତି ଝରକା ତଡ଼ା ଲୁଟେରା ଗ୍ୟାଙ୍ଗ । ଘରେ ପଶି ଲୁଟି ନେଲେ ସୁନା ଗହଣା ଓ ଟଙ୍କା । ମଞ୍ଚେଶ୍ବର ଥାନା ଜଗନ୍ନାଥ ନଗରରୁ ଦୁଇଟି ଘରୁ ହୋଇଛି ଲୁଟ୍ । ସିସିଟିଭିରେ ପ୍ରଥମ ଥର ପାଇଁ କଏଦ ହେଲା ଝରକା ତଡ଼ା ଗ୍ୟାଙ୍ଗର ସଦସ୍ୟଙ୍କ ଦୃଶ୍ୟ ।

ଗତକାଲି ବିଳମ୍ବିତ ରାତିରେ ପରେଶ ଚରଣ ପାଣିଗ୍ରାହୀ ଏବଂ ଅଶୋକ କୁମାର ନାଗଙ୍କ ଘରର ଝରକା ତାଡି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଝରକା ତଡ଼ା ଗ୍ୟାଙ୍ଗର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପ୍ରଥମ ଥର ପାଇଁ ଝରକା ତଡ଼ା ଗ୍ୟାଙ୍ଗର ଦୃଶ୍ୟ ଦେଖିବାକୁ ମିଳିଛି । ଚୋରି ସମ୍ପର୍କରେ ଘର ମାଲିକ ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାପୂର୍ବରୁ ମଧ୍ୟ ରାଜଧାନୀରେ ଝରକା ତଡା ଗ୍ୟାଙ୍ଗର ଦୌରାତ୍ମ ଦେଖିବାକୁ ମିଳିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ଏମାନେ ଝରକା ତାଡି ଘରକୁ ପଶନ୍ତି ଓ ଟଙ୍କା, ପଇସା, ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଆନ୍ତି । ଝରକାତଡା ଗ୍ୟାଙ୍ଗର ଏଭଳି ଉତ୍ପାତ ଦେଖି ରାଜଧାନୀବାସୀଙ୍କୁ ଭୟ ଘାରିଛି ।

ଶିବରାତ୍ରୀରେ ଅଘଟଣ: ମହାଦେବଙ୍କ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୧୪ ଶିଶୁ ଗୁରୁତର

କୋଟା: ମହାଶିବରାତ୍ରୀ ଅବସରରେ ରାଜସ୍ଥାନର କୋଟାରେ ବଡ଼ ଅଘଟଣ । ମହାଦେବଙ୍କ ଶୋଭାଯାତ୍ରା ଯାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୪ ଜଣ ପିଲା ଆହତ ହୋଇଛନ୍ତି । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଲୋକମାନେ ପିଲାମାନଙ୍କୁ ଧରି ମେଡିକାଲ ଦୌଡୁଥିବା ଦେଖିବାକୁ ମିଳିଥିଲା । ଆହତ ପିଲାମାନଙ୍କୁ ଏମବିଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୋଟା ଏସପି ଅମୃତ ଧଓ୍ବନ କହିଛନ୍ତି, ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଘଟଣା ଘଟିଛି । ୨୦ରୁ ୨୫ ମହିଳା, ପୁରୁଷ ଓ ପିଲା ମହାଦେବଙ୍କ କଳସ ଯାତ୍ରା ପାଇଁ ଏକାଠି ହୋଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ ପିଲା ହାତରେ ୨୦ରୁ ୨୨ ଫୁଟ ଲମ୍ବାର ଏକ ଲୁହା ପାଇପ୍ ଥିଲା । ଯାହା ଉପରେ ଯାଇଥିବା ହାଇ ଭୋଲଟେଜ୍ ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା । ଫଳରେ ସେଠାରେ ଥିବା ଅନ୍ୟ ପିଲାମାନଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା ଓ ସେମାନେ ବି ଆହତ ହୋଇଛନ୍ତି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ପିଲାମାନଙ୍କ ଚିକିତ୍ସା କରାଯାଉଛି । ଆହତଙ୍କ ମଧ୍ୟରେ ଗୋଟିଏ ପିଲାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ପ୍ରାୟ ଶତ ପ୍ରତିଶତ ପୋଡି ଯାଇଛି । ଅନ୍ୟ ଏକ ପିଲାର ଶରୀର ପ୍ରାୟ ୫୦ ପ୍ରତିଶତ ପୋଡିଯାଇଛି ।

ଖବର ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଶକ୍ତିମନ୍ତ୍ରୀ ହୀରାଲାଲ ନାଗର ହସ୍ପିଟାଲରେ ପହଞ୍ଚି ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମହିଳା ଦିବସ ଅବସରରେ ଜାତୀୟ କ୍ରିଏଟର୍ସ ଆୱାର୍ଡରେ ସମ୍ମାନିତ ହେଲେ କାମିଆ ଜାନି

ନନ୍ଦିଘୋଷ ବ୍ୟୁରା : ସୋସିଆଲ ମିଡିଆ ଇନଫ୍ଲୁଏନସର ତଥା ପ୍ରସିଦ୍ଧ ଟ୍ରାଭେଲ ଆଣ୍ଡ ଫୁଡ ବ୍ଲଗର ଏବଂ କର୍ଲି ଟେଲସ ୟୁଟ୍ଯୁବ ଚାନେଲର ପ୍ରତିଷ୍ଠାତା କାମିଆ ଜାନି ସମ୍ମାନିତ । ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜାତୀୟ କ୍ରିଏଟର୍ସ ଆୱାର୍ଡରେ ସମ୍ମାନିତ କରିଛନ୍ତି । ତାଙ୍କୁ ସର୍ବଶ୍ରେଷ୍ଠ ଟ୍ରାଭେଲ କ୍ରିଏଟର ଭାବେ ସମ୍ମାନ ମିଳିଛି ।

ନିକଟରେ ସେ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଯାହାକି ଖୁବ ପ୍ରଶଂସା ସାଉଁଟିଥିଲା । ସାରାଦେଶ ବୁଲି ସେ ବିଭିନ୍ନ ମନ୍ଦିରର କାହାଣୀ କହିବା ସହ ଦେଶର ବିଭିନ୍ନ ମନ୍ଦିରର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ଯବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀର ଭାରତ ମଣ୍ଡପରେ ସର୍ବପ୍ରଥମ ନ୍ୟାସନାଲ କ୍ରିଏଟିଭ୍ ଆୱାର୍ଡ ପ୍ରଦାନ କରିଛନ୍ତି। ଶୁକ୍ରବାର ଦିନ ରଣଭୀର ଆଲ୍ଲାବାଦିଆ, କାମିଆ ଜାନି, ଶ୍ରଦ୍ଧା ଜୈନ , ଆରଜେ ରାଉନାକ, ଅଙ୍କିତ ବାୟାନପୁରିଆଙ୍କ ସମେତ କେତେକ ଲୋକପ୍ରିୟ ଡିଜିଟାଲ ନିର୍ମାତାଙ୍କୁ ପୁରସ୍କୃତ କରାଯାଇଛି । ଏହି ସବୁ ଆୱାର୍ଡ ପାଇଁ ଦେଢ ଲକ୍ଷରୁ ଅଧିକ ନାମାଙ୍କନ ହୋଇଥିଲା ଏବଂ ୧୦ ଲକ୍ଷ ଭୋଟ ପଡିଥିଲା ।

ଶିବରାତ୍ରିରେ ଚମତ୍କାର; ଶହେରୁ ଅଧିକ ତମ୍ବା ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ବୃଷଭ ମୂର୍ତ୍ତି ଉଦ୍ଧାର

କଟକ : ଶହେରୁ ଅଧିକ ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ବୃଷଭ ମୂର୍ତ୍ତି ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ନିକଟ ମହାନଦୀର ସୁବର୍ଣ୍ଣପୁର ଘାଟରୁ ଶହେରୁ ଅଧିକ ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ଦୁଇଟି ବୃଷଭ ମୂର୍ତ୍ତି ଉଦ୍ଧାର କରାଯାଇଛି। ବାଙ୍କୀ ମହାନଦୀ ପଠାର ସୁବର୍ଣ୍ଣପୁର ଘାଟରେ କିଛି ପିଲା ଗାଧୋଉଥିବା ବେଳେ ପାଣିରେ ମୂର୍ତ୍ତି ପଡ଼ିଥିବା ଜାଣିବାକୁ ପାଇଥିଲେ। ପରେ ମତ୍ସ୍ୟଜୀବୀଙ୍କ ସହାୟତାରେ ଏହି ନାଗମୂର୍ତ୍ତି ଗୁଡିକ ଉଦ୍ଧାର କରାଯାଇଥିଲା। ଏସବୁ ପ୍ରାଚୀନ ମୂର୍ତ୍ତି ହୋଇଥିବା ଅନୁମାନ କରାଯାଉଛି ।

ଉଦ୍ଧାର ପରେମୂର୍ତ୍ତିଗୁଡିକୁ ସ୍ଥାନୀୟ ପଞ୍ଚାୟତ ଅଫିସରେ ରଖାଯାଇଛି। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଆଜି ପବିତ୍ର ଜାଗର ଅବସରରେ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ଦୁଇଟି ବୃଷଭ ମୂର୍ତ୍ତି ମିଳିଥିବାରୁ ଦେଖିବାକୁ ମହାନଦୀ ପଠାରେ ଲୋକମାନେ ଭିଡ଼ ଲଗାଇଛନ୍ତି । ଲୋକମାନେ କ୍ଷୀର ଢାଳି ପୂଜା ଆରମ୍ଭ କରିଦେଇଛନ୍ତି। ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୋଲିସ ପହଞ୍ଚିଥିବା ବେଳେ ଗାଁରେ ଥିବା ମଠରେ ମୂର୍ତ୍ତିସବୁ ରଖିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି । ଏସବୁ ମୂର୍ତ୍ତି କେଉଁଠାରୁ ଆସିଲା ତାହା ଜଣାପଡ଼ିନାହିଁ ।

ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ରାଜ୍ୟସଭା ପାଇଁ ମନୋନିତ, ପ୍ରଧାନମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ : ଇନଫୋସିସି ଫାଉଣ୍ଡେସନ ଅଧ୍ୟକ୍ଷ ତଥା ସହ ପ୍ରତିଷ୍ଠାତା ସୁଧା ମୂର୍ତ୍ତି ରାଜ୍ୟସଭାକୁ ମନୋନୀତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୂଧାମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାକୁ ମନୋନୀତ ହେବା ପରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହା ଏକ ବହୁତ ବଡ଼ ଉପହାର ବୋଲି ଖୁସି ପ୍ରକାଶ କରି ପ୍ରତିକ୍ରିୟା ରଖିଛନ୍ତି ସୁଧାମୂର୍ତ୍ତି।

ଦେଶ ପାଇଁ କାମ କରିବାକୁ ଏକ ନୂଆ ଦାୟିତ୍ଵ ମିଳିଛି। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ସୁଧା ମୂର୍ତ୍ତି। ସମାଜସେବା ସହ ଶିକ୍ଷାର ଉନ୍ନତି କ୍ଷେତ୍ରରେ ସୁଧାମୂର୍ତ୍ତିଙ୍କ ଅତୁଳନୀୟ ଏବଂ ପ୍ରେରଣାଦାୟୀ ଅବଦାନ ରହିଛି। ରାଜ୍ୟସଭାରେ ସୁଧାମୂର୍ତ୍ତିଙ୍କ ଉପସ୍ଥିତି ନାରୀଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶରେ ମହିଳାଙ୍କୁ ସଶକ୍ତ ଏବଂ କ୍ଷମତା ପ୍ରଦାନ କରିବାରେ ସେ ଉଦାହରଣ ସାଜିଛନ୍ତି।

ଇନଫୋସିସ ଫାଉଣ୍ଡେସନ ଅଧ୍ୟକ୍ଷ ପଦରେ ରହିବା ସହ ସୁଧାମୂର୍ତ୍ତି ଶିଶୁ ଏବଂ ମହିଳାଙ୍କ ଲାଗି ଲଗାତାର କାମ କରି ଆସୁଛନ୍ତି। ସେ ଜଣେ ସୁଦକ୍ଷ ଲେଖିକା। ଅନେକ ପ୍ରେରଣାଦାୟୀ ପୁସ୍ତକ ଲେଖିଛନ୍ତି। ୧୯୮୧ ମସିହାରେ ଇନଫୋସିସ କମ୍ପାନୀ ପ୍ରତିଷ୍ଠା ସମୟରେ ପତି ନାରାୟଣ ସ୍ଵାମୀଙ୍କୁ ସେ ୧୦ ହଜାର ଟଙ୍କା ଋଣ ଦେଇଥିଲେ। ସେହି ସମୟରେ ଉଭୟ ଏକ ଭଡ଼ା ଘରେ ରହୁଥିଲେ ଏବଂ ଅଭାବ ଅନଟନରେ ଦିନ କାଟୁଥିଲେ। ସୁଧାମୂର୍ତ୍ତିଙ୍କ ଦୁଇ ସନ୍ତାନ ରହିଛନ୍ତି। ଝିଅ ଅକ୍ଷତା ମୂର୍ତ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନଙ୍କ ପତ୍ନୀ। ଅକ୍ଷତା ମଧ୍ୟ ଜଣେ ଫ୍ଯାସନ ଡିଜାଇନର। ପୁଅ ରୋହନ ମୂର୍ତ୍ତି ଆମେରିକାରେ ଏକ ସଫ୍ଟୱେଆର ଫାର୍ମର ପ୍ରତିଷ୍ଠାତ।

ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଡକ୍ଟର ଅଗ୍ରୱାଲ୍ସ ଆଇ ହସପିଟାଲ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଭାରତର ସର୍ବବୃହତ ଚକ୍ଷୁ ଚିକିତ୍ସାଳୟ ଡକ୍ଟର ଅଗ୍ରୱାଲ୍ସ ଆଇ ହସ୍ପିଟାଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଛି । ଯାହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଶାଖାରେ ସମସ୍ତ ବୟସବର୍ଗର ମହିଳାଙ୍କ ପାଇଁ ଉପଲବ୍ଧ ହେବ।

ଗର୍ଭାବସ୍ଥା ଜନିତ ଉଚ୍ଚ ରକ୍ତଚାପ, ମେନୋପୋଜ୍ ଏବଂ ପେରିମେନୋପୋଜ ଜନିତ ଦୃଷ୍ଟି ସମସ୍ୟା ତଥା ଅନ୍ୟ ସାଧାରଣ ଚକ୍ଷୁ ରୋଗ ଏବଂ ଆଇ ସ୍କ୍ରିନିଂ ପାଇଁ ଡାକ୍ତରଖାନା ପକ୍ଷରୁ ସ୍ୱତନ୍ତ୍ରବ୍ୟବସ୍ଥା କରାଯାଇଛି । ମାଗଣା ଚକ୍ଷୁ ପରୀକ୍ଷା ପାଇଁ ମହିଳା ମାନେ ୯୫୯୪୯୨୪୧୦୨ ନଂରେ ଆଗୁଆ ପଞ୍ଜୀକରଣ ମଧ୍ୟ କରିପାରିବେ ।

ପୁରୁଷ ଏବଂ ମହିଳାଙ୍କ ଆଖିରେ ଗଠନ ଠାରୁ ଆରମ୍ଭ କରି ଜିନ୍ ଅଭିବ୍ୟକ୍ତି ଏବଂ ଅନ୍ୟାନ୍ୟ ଅଭିପ୍ରାୟରେ ପାର୍ଥକ୍ୟ ଥାଏ ।ବାୟୋଲୋଜି, ହରମୋନ୍ ଏବଂ ଜୀବନର ପର୍ଯ୍ୟାୟ ବା ଘଟଣା ଭଳି ବିଭିନ୍ନ କାରଣ ପ୍ରଭାବିତ କରିପାରେ ଏବଂ କେତେକ କ୍ଷେତ୍ରରେ ମହିଳାମାନେ କେତେକ ଦୃଷ୍ଟି ସମସ୍ୟା ପାଇଁ ଅଧିକ ସମ୍ବେଦନଶୀଳ ହୋଇପାରନ୍ତି । ଉଦାହରଣସ୍ୱରୁପ, କେତେକ କ୍ଷେତ୍ରରେ, ଗର୍ଭାବସ୍ଥା ଜନିତ ଉଚ୍ଚ ରକ୍ତଚାପରେ ପୀଡ଼ିତ ମହିଳାମାନଙ୍କର ଦୃଷ୍ଟି ଶକ୍ତି ଅସ୍ପଷ୍ଟ ହେବା, କ୍ରମାଗତ ଦୃଷ୍ଟି ଶକ୍ତି ହ୍ରାସ, ଡବଲ ଭିଜନ୍, ଆଂଶିକ ଦୃଷ୍ଟି ଶକ୍ତି ହ୍ରାସ ଏବଂ ଅନ୍ୟକୌଣସି ସାଧାରଣ ଦୃଶ୍ୟ କ୍ଷେତ୍ରରେ ବ୍ଲାଇଣ୍ଡ ସ୍ପଟ୍ ସମସ୍ୟା ଦେଖା ଦେଖାଦେଇଥାଏ ।

ଡକ୍ଟର ଅଗ୍ରୱାଲ୍ସ ଆଇ ହସ୍ପିଟାଲ୍ ପକ୍ଷରୁ ଏହି ଶିବିରରେ ଚକ୍ଷୁ ରୋଗର ବିପଦକୁ କମ୍ କରିବା ପାଇଁ ମହିଳାମାନେ କ’ଣ ପଦକ୍ଷେପ ନେଇପାରିବେ ସେ ସମ୍ପର୍କରେ ଅଧିକ ସଚେତନତା କରାଯିବ । ସମଗ୍ର ଓଡ଼ିଶାରେ ଏହି ହସ୍ପିଟାଲର ମାଗଣା ଚକ୍ଷୁ ପରୀକ୍ଷା ଏବଂ ସଚେତନତା ଅଭିଯାନ ମହିଳାମାନଙ୍କୁ ବିପଦ ବିଷୟରେ ସଚେତନ କରାଇବ ସହ ଶୀଘ୍ର ରୋଗ ନିରୂପଣ ଏବଂ ଏହାର ପ୍ରତିକାର ସମ୍ପର୍କରେ ଲୋକଙ୍କୁ ବୁଝାଯିବ ।

ମହିଳା ସଶକ୍ତ ହେଲେ ଦେଶ ଆଗେଇବ : 5T ଅଧ୍ୟକ୍ଷ

ଭୁବନେଶ୍ୱର : ମହିଳା ସଶକ୍ତ ହେଲେ ଦେଶ ଆଗେଇବ । ଅଧା ମହିଳା ସଶକ୍ତ ହେଲେ ଦେଶ ହେବ ସଶକ୍ତ  । ବିଜେଡିର ମହିଳା ଦିବସ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି 5Tଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । କହିଛନ୍ତି, ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମା’ମାନଙ୍କୁ କ୍ଷମତା ଦେଲେ ସେମାନେ ଭଲ ଭାବେ ତୁଲାଇବେ ବୋଲି ବୁଝିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜନସଂଖ୍ୟାର ୫୦ପ୍ରତିଶତ ହେଉଛନ୍ତି ମହିଳା । ୫୦ ପ୍ରତିଶତ ମହିଳା ସଶକ୍ତ ହେଲେ ରାଜ୍ଯ ଓ ଦେଶକୁ ଆହୁରି ଆଗକୁ ନେବେ ବୋଲି କହିଛନ୍ତି 5Tଅଧ୍ଯକ୍ଷ । ୨୦୨୦ର ଓଡ଼ିଶା ଓ ଆଜିର ଓଡ଼ିଶାରେ ବହୁ ଫରକ । ମହିଳାମାନେ ହେଉଛନ୍ତି ନୂଆ ଓଡ଼ିଶାର ପରିଚୟ । ଲୋକସଭା ନିର୍ବାଚନରେ ଏଥର ବି ଅଧିକ ମହିଳାଙ୍କୁ ଟିକେଟ ମିଳିବ ।

ବିଜୁ ବାବଙ୍କ ସ୍ବପ୍ନ ପୂରଣ କରିଛନ୍ତି ମୁଖ୍ଯମନ୍ତ୍ରୀ । ୩୩ ପ୍ରତିଶତରୁ ପଞ୍ଚାୟତରେ ୫୦ ପ୍ରତିଶତ ସଂରକ୍ଷଣ ସହ ଜିଲ୍ଲା ପରିଷଦରେ ୭୦ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ସେହିପରି SHG ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଓଡ଼ିଶା ଯୋଜନାକୁ ଦେଖି କେନ୍ଦ୍ର କରୁଛି ଯୋଜନା । ଓଡ଼ିଶା ଯାହା କରୁଛି ତାକୁ ଅନ୍ୟ ରାଜ୍ୟମାନେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ମାନ-ସମ୍ମାନ ଆଗରେ ତୁଚ୍ଛ ହେଲା ସମ୍ପର୍କ; ଝିଅକୁ ମାରି ପୋଡି ଦେଲା ବାପା

ନନ୍ଦିଘୋଷ ବ୍ୟୁରୋ : ସମ୍ମାନ ପାଇଁ ନୃଶଂସ ବାପାର ଉନ୍ମତ୍ତକାଣ୍ଡ । ଝିଅକୁ ମାରି ଶବ ଜାଳିଦେଲା ବାପା । ୩୩ ଦିନ ପରେ ସାମ୍ନାକୁ ଆସିଲା ଘଟଣା ।ହରିୟାଣାର ଗୁରୁଗ୍ରାମରେ ଘଟିଛି ଏପରି ଅନର କିଲିଙ୍ଗ । ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଗୁରୁଗ୍ରାମର ସୋହନା ଗାଁରେ ଘଟିଛି ଏହି ଘଟଣା । ମିଛ ଗାରିମା ପାଇଁ ନିଜର ୧୮ ବର୍ଷିୟା ଝିଅକୁ ମାରି ପୋଡିଛି ବାପା । ଘଟଣାରେ ମାନସୀର ବାପା,ଭାଇ ଏବଂ ବଡ଼ବାପାଙ୍କୁ ଗିରଫ କରିଛି ପୋଲିସ । ଆହୁରି ୨ ଅଭିଯୁକ୍ତ ଏବେ ଯାଏଁ ଫେରାର ଅଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଜାନୁଆରୀ ୩୧ରେ ମାନସୀ କମ୍ପ୍ୟୁଟର କ୍ଲାସ ପାଇଁ ଘରୁ ଯାଇଥିଲେ ଏବଂ ଆଉ ଫେରିନଥିଲେ  । ଯାହା ପରେ ମାନସୀ ନିଖୋଜ ଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକ  । କିନ୍ତୁ ୩୩ ଦିନ ପରେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡିଛି ଯେ, ମାନସୀ ଜାନୁଆରୀ ୩୧ରେ ନିଜ ପୁରୁଷ ବନ୍ଧୁଙ୍କ ସହ କେଉଁଆଡେ ପଳାଇଥିଲେ । ଫେବୃଆରୀ ୨ରେ ଯୁବକଙ୍କ ପରିବାର ଲୋକ ଦୁହଁଙ୍କୁ ବୁଝାସୁଝା କରି ଫେରାଇଆଣିଥିଲେ ଏବଂ ମାନସୀକୁ ତା ଘରକୁ ପଠାଇ ଦେଇଥିଲେ । କିନ୍ତୁ ମାନସୀ ଏପରି କରି ପରିବାରର ସମ୍ମାନ, ଇଜ୍ଜତ ମାଟିରେ ମିଶେଇ ଦେଇଥିବା ଭାବି ତାକୁ ବାପା, ଭାଇ ଏବଂ ବଡ଼ବାପା ମିଶି ହତ୍ୟା କରିଥିଲେ ବୋଲି ପୋଲିସ କହିଛି ।

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ; ଭାଇ ଆଖି ଆଗରେ ଭାଇକୁ ଝାମ୍ପି ନେଲା

କେନ୍ଦ୍ରାପଡ଼ା : ଭାଇ ଆଖି ଆଗରେ ଭାଇକୁ ଝାମ୍ପି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବ୍ରାହ୍ମଣୀ ନଦୀରେ ଏହି ଅଘଟଣ ଘଟିଛି। ଦକ୍ଷିଣଭେଡ଼ା ଗାଁର ବାଇଧର ମଲ୍ଲିକ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଛି । ଗ୍ରାମବାସୀମାନେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବାଇଧରଙ୍କର କୌଣସି ପତ୍ତା ମିଳିନାହିଁ। ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି । ଗତବର୍ଷ କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଚଳିତବର୍ଷ ଏହା ପ୍ରଥମ ଘଟଣା ।

ଠକେଇ ଅଭିଯୋଗରେ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣା ଗିରଫ

ପିପିଲି : ପିପିଲି ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ। ୩ କୋଟି ୭୦ ଲକ୍ଷ ଠକେଇ ମାମଲାରେ ଗିରଫ ହୋଇଛନ୍ତି ଆସିଷ୍ଟାଣ୍ଟ ମ୍ୟାନେଜର। ଛତିଶଗଡ଼ର ରାଇପୁରରୁ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା EOW ।

ଠକେଇ ଘଟଣାରେ ପିପିଲି ଆଇଡିବିଆଇ ବ୍ୟାଙ୍କ୍‌ର ପୂର୍ବତନ ଆସେଟ୍ ଅଫିସର ତଥା ବର୍ତ୍ତମାନର ଆସିଷ୍ଟାଣ୍ଟ ବ୍ୟାଙ୍କ୍ ମ୍ୟାନେଜର ଅଛନ୍ତି ତନ୍ମୟ କୁମାର ମହାରଣା। ଇଓଡବ୍ଲ୍ୟୁର ଏକ ଟିମ୍ ଛତିଶଗଡ଼ର ରାୟପୁରରୁ ତାଙ୍କୁ ଗିରଫ କରି ଭୁବନେଶ୍ଵର ଆଣିଛି। ପିପିଲି ବ୍ଲକ କାର୍ଯ୍ୟାଳୟର ୨ଟି ଆକାଉଣ୍ଟ ସେହି ବ୍ରାଞ୍ଚରେ ଥିଲା।

୨୦୧୮ ମସିହାରେ ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ୩ କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ୭ଟି ଚେକ୍ ବ୍ୟାଙ୍କ୍‌କୁ ଦିଆଯାଇଥିଲା। ୨୦୨୨ ମସିହାରେ ଟଙ୍କା ଉଠାଇବା ସମୟରେ ଏଫ୍ଏଫ୍‌ଡି ନଥିବା କଥା ନଜରକୁ ଆସିଥିଲା। ଏନେଇ ଆଇଡିବିଆଇ ବ୍ୟାଙ୍କ୍ ଜିଏମଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ। ବ୍ୟାଙ୍କ୍ ପକ୍ଷରୁ ତଦନ୍ତ ବେଳେ ତନ୍ମୟ ଓ ତାର ସହଯୋଗୀଙ୍କ ମହାଘୋଟାଲା ପଦାକୁ ଆସିଥିଲା।

ତେବେ ଏନେଇ ଜିଏମ୍ ଗତ ଫେବ୍ରୁଆରୀ ୨୯ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଛତିଶଗଡ଼ର ରାୟପୁରରୁ ତନ୍ମୟଙ୍କୁ ଗିରଫ କରିଛି । ତେବେ ଏଥିରେ ବ୍ୟାଙ୍କର ଅନ୍ୟ କିଛି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ନା ନାହିଁ ତାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।