ନନ୍ଦିଘୋଷ ବ୍ୟୁରୋ: ବଢିଲା ସାହାସ, ମିଳିଲା ଶକ୍ତି। ଯୁକ୍ତ ୩ ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି ନୂଆ-ଓ ସ୍କଲାରସିପ। ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଆଜି ଧର୍ମଗଡ଼, ଟିଟିଲାଗଡ଼ ଓ ବରଗଡ଼ରେ ଉଛାତ୍ରଛାତ୍ରୀଙ୍କ ନୂଆ-ଓ ସ୍କଲାରସିପ୍ ସାର୍ଟିଫିକେଟ୍ ପ୍ରଦାନ କରିବେ 5T ଅଧ୍ୟକ୍ଷ। ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କ ଲାଗି ଆଉ ପାଠ ପଢାରେ ରହିବନି ଅର୍ଥର ଅଭାବ। ବାପାମାଆଙ୍କ ଉପରେ ଯାହା ବୋଝ ପଡୁଥିଲା ସେଇଟାକୁ କିଛିମାତ୍ରାରେ କମ କରିବା ଲାଗି ମୁଖ୍ୟମନ୍ତ୍ରୀ ଏହି ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ଯୁକ୍ତ ୩ ଏବଂ ପିଜିର ୬ ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ଵାରା ଉପକୃତ ହେବେ। ଏହି ଯୋଜନା ନୂଆ ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ। ୨୦୩୬ ସୁଦ୍ଧା ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ଯ ରଖିଛନ୍ତି ସରକାର। ଏଥିଲାଗି ରାଜ୍ୟ ପ୍ରଶାସନକୁ ୨୦୩୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟାର୍ଗେଟ ଦେଇଛନ୍ତି। ୧୦ ବର୍ଷରେ ଓଡ଼ିଶାକୁ ସବୁ ଦିଗରୁ ସଶକ୍ତ କରିବାକୁ ଲକ୍ଷ୍ଯ ରହିଛି। ଲକ୍ଷ୍ୟ ହାସଲରେ ଯୁବକଙ୍କ ଭୂମିକା ହେବ ଗୁରୁତ୍ବପୂର୍ଣ୍ଣ। ରାଜ୍ଯ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ। ଯୁବକଙ୍କ ସବୁ ସ୍ବପ୍ନକୁ ସାକାର କରିବେ ରାଜ୍ୟ ସରକାର। ଯୁବ ଶକ୍ତିକୁ ସାମର୍ଥ୍ୟ ଯୋଗାଇବାକୁ ଏବେଠୁ କାମ ଆରମ୍ଭ ହୋଇଛି। ରାଜ୍ୟର ୬ହଜାର ୮୫୦ ହାଇସ୍କୁଲର ହୋଇଛି ରୂପାନ୍ତରୀକରଣ। ଯୁବକ ଯାହା ସ୍ଵପ୍ନ ଦେଖିବ, ତାକୁ ସାକାର କରିପାରିବ ।
ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଚାଷୀ
ବୌଦ୍ଧ: ଚାକିରି ନଥିଲେ ବି ଚାଷ କରି ମଧ୍ୟ ଭଲ ଅର୍ଥ ଉପାର୍ଜନ କରିହେବ । ଏଭଳି ଏକ ବାର୍ତ୍ତା ଦେଇ ବୌଦ୍ଧ ବଲଣ୍ଡା ଗାଁର ସଂଗ୍ରାମ ପ୍ରଧାନ କରୁଛନ୍ତି ଚାଷ। ୧୫ ଏକର ଜମିରେ ଲାଗିଛି ଆମ୍ବ ସପୁରୀ ସହ କୋଳି। ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷ କରିବା ସହ ଚାରା ଉତ୍ପାଦନ କରି ବିକ୍ରି କରୁଛନ୍ତି । ଚାଷରୁ ବର୍ଷକୁ ରୋଜଗାର ୧୦ ରୁ ୧୫ ଲକ୍ଷ ଟଙ୍କା।
ବାଡ଼ିରେ ଲାଗିଛି ଆମ୍ବ । ଆଖି ପାଇଲା ପଯ୍ୟନ୍ତ ସପୁରୀ ଗଛ । ବାଡ଼ି ମଝିରେ କୋବି, ଧନି। ବାଇଗଣ ଭଳି ପନିପରିବା ସାଙ୍ଗକୁ ବରକୋଳି । ଏକ୍ସପେରିମେଣ୍ଟ ଭାବେ ଲଗେଇଛନ୍ତି ଡ୍ରାଗନ ଫୁଡ଼ , ୱାଟର ଆପୁଲ ଓ ପିଜୁଳି । ଥରେ ବାଡ଼ିକୁ ଗଲେ ଆଉ ଫେରିବାକୁ ଇଚ୍ଛା ହେବନି। ବୌଦ୍ଧ ବଲଣ୍ଡା ଗାଁର ଶିକ୍ଷିତ ଯୁବକ ସଂଗ୍ରାମ ପ୍ରଧାନ । ୨୦୦୮ ମସିହାରେ ମୁମ୍ବାଇରେ ଏକ ଘରୋଇ ସଂସ୍ଥାରୁ କାମ ଛାଡି ଗାଁକୁ ଆସି ଆରମ୍ଭ କରିଥିଲେ ପନିପରିବା ଚାଷ। ନିଜର ଜ୍ଞାନ କୌଶଳ ଲଗାଇ ୩ ଏକର ଜମିରେ ପ୍ରଥମେ ଆମ୍ବ ଚାଷ କରିଥିଲେ । କିନ୍ତୁ ତାଙ୍କ ପାଇଁ ଏହା ପଯ୍ୟାପ୍ତ ନଥିଲା । ପରେ ଧିରେ ଧିରେ ଅଧିକରୁ ଅଧିକ ଚାଷ କରିବା ଲକ୍ଷ୍ଯ ନେଇ ଆଉ ୧୨ ଏକର ଜମି କିଣି ପରୀକ୍ଷା ମୂଳକ ଭାବେ ଆମ୍ବ ଚାଷ ଭିତରେ ସପୁରୀ ଚାଷ ମଧ୍ୟ ଆରମ୍ଭ କରିଥିଲେ । ଆଉ ଏବେ ବାର୍ଷିକ ୧୦ ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ।
ଅଦ୍ୟାବଧି ୧୫ ବର୍ଷର ଚାଷ କାର୍ଯ୍ୟ ମଧ୍ୟରେ ଚାଷ କ୍ଷେତ୍ରରେ ଅଭିଜ୍ଞତା ତାଙ୍କୁ ଶୀର୍ଷରେ ପହଞ୍ଚାଇଛି । ସେ ସଫଳ ଚାଷୀ ଭାବରେ ଜିଲ୍ଲା ସ୍ତରରେ , ରାଜ୍ୟ ସ୍ତରରେ ଓ ରାଷ୍ଟ୍ରୀୟ ସ୍ତରରେ ଉନ୍ନତ ଜ୍ଞାନ କୌଶଳ ତଥା ସଫଳ ଚାଷୀ ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି । କେବଳ ସରକାରୀ ସ୍ତରରେ ନୁହେଁ ବେସରକାରୀ ସ୍ତରରେ ମଧ୍ୟ ସମ୍ବର୍ଦ୍ଧିତ ହୋଇ ନିଜ ମାଟି ପାଇଁ ଆଣିଛନ୍ତି ଗୌରବ । ଚାଷ କରି ଅନ୍ଯକୁ ଦେଉଛନ୍ତି ରୋଜଗାର। ଚାଷ କାମରେ ସେ ୧୦ ଜଣଙ୍କୁ ନିୟୋଜିତ କରି ଦେଇଛନ୍ତି ରୋଜଗାର।
ମିଶନ ଶକ୍ତି ଜରିଆରେ ସଶକ୍ତ ମହିଳା
କଳାହାଣ୍ଡି: ମିଶନ ଶକ୍ତି କାଫେ ଜରିଆରେ ସଶକ୍ତ ମହିଳା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବସୁନ୍ଧରା ମିଶନ ଶକ୍ତି ମହିଳା ରୋଷେଇ କରି କରୁଛନ୍ତି ରୋଜଗାର। ୧୮ ଜଣ ମହିଳା ମିଶି ଖୋଲିଛନ୍ତି କାଫେ। ମାସକୁ କରୁଛନ୍ତି ୪ଲକ୍ଷରୁ ଅଧିକ ଟଙ୍କା ରୋଜଗାର । ଅନ୍ଯ ମହିଳାଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।
ମିଶନ ଶକ୍ତି ଜରିଆରେ ସଶକ୍ତ ମହିଳା। ମିଶନ ଶକ୍ତି କାଫେରୁ ହେଉଛି ଭଲ ରୋଜଗାର। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବସୁନ୍ଧରା ମିଶନ ଶକ୍ତିର ମହିଳା ରୋଷେଇ କରି କରୁଛନ୍ତି ରୋଜଗାର। ଏଠାରେ ୧୮ଜଣ ମହିଳା ଖାଦ୍ଯ ପ୍ରସ୍ତୁତ କରୁଛନ୍ତି। ମାଣ୍ଡିଆ ଯାଉ, ଆରିସା ପିଠା, ମଣ୍ଡା ପିଠା, ମାଣ୍ଡିଆ ପକୁଡ଼ି, ମାଣ୍ଡିଆ ଆଲୁଚପ ପରି ଭଳିକି ଭଳି ଖାଦ୍ଯ ପ୍ରସ୍ତୁତ ହେଉଛି। କାଫେରୁ ମାସକୁ ୪ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେଉଛି ରୋଜଗାର।
କେବଳ ଭବାନୀପାଟଣା ସହର ନୁହେଁ ଜିଲ୍ଲାର ୧୩ଟି ବ୍ଲକରେ ମିଶନ ଶକ୍ତି ପକ୍ଷରୁ କ୍ୟାଫେ ନିର୍ମାଣ କରାଯାଇ ମହିଳା ଗୋଷ୍ଠୀ ମାନଙ୍କୁ ହସ୍ତାନ୍ତର କରାଯାଇଛି। ଯେଉଁଠି ମହିଳା ମାନେ ମିଲେଟ୍ ଓ ଘରୋଇ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ମିଶନ ଶକ୍ତି ଆଉଟଲେଟ ଖୋଲାଯାଇଛି । ସେହିପରି ସ୍ଵାଦିଷ୍ଟ ଖାଦ୍ଯ ବିକ୍ରି କରି ରୋଜଗାରକ୍ଷମ ହୋଇଛନ୍ତି କଲ୍ଯାଣୀ ମହାସଂଘର ୧୦ ମହିଳା । ଏଥିସହ ଅନ୍ଯ ମହିଳା ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା।
ଷ୍ଟ୍ରବେରୀ ଚାଷ କରିଛି ସ୍ବାବଲମ୍ବୀ
ରାୟଗଡ଼ା: ଦିନେ ପେଟ ପାଟଣା ପାଇଁ ଦୁର୍ଗମ ଅଂଚଳର ମହିଳାଙ୍କୁ ମୂଲ ଲାଗିବା ସହ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ପଡୁଥିଲା । ଏବେ ରାଜ୍ଯ ସରକାରଙ୍କ ପାଇଁ ବଦଳିଛି ମହିଳାଙ୍କ ପରିଚୟ। ଦିନ ମଜୁରିଆରୁ ଷ୍ଟ୍ରବେରୀ ଚାଷୀ ହେବାର ନୂଆ ପରିଚୟ। ସହଯୋଗର ହାତ ବଢାଇଛି ପ୍ରଶାସନ। ଲାଲ ଟହ ଟହ ଷ୍ଟ୍ରବେରୀ । ଛୋଟ ଛୋଟ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ଷ୍ଟ୍ରବେରୀ ଚାଷ କରି ରାୟଗଡା ରାମାନାଗୁଡ଼ାର ମହିଳା ସ୍ବାବଲମ୍ବୀ। ପାଲୁପାଇ ,ଟାସକୀ ଓ ଜିନଜିରବାଡ଼ି ଗାଁର ମହିଳା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସହ ମୂଲ ଲାଗି ଜୀବିକା ନିର୍ବାହ କରୁଥିଲେ। ଏବେ ଗାଁ ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଆରମ୍ଭ କରିଛନ୍ତି ଷ୍ଟ୍ରାବେରୀ ଚାଷ ।
ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ କୃଷି ବିଭାଗ ପ୍ରୟାସରେ ଏହି ଚାଷ ଆରମ୍ଭ ହୋଇଛି। ଷ୍ଟ୍ରାବେରୀ ଚାଷ ନିମନ୍ତେ ପ୍ରଥମେ ମହିଳାଙ୍କୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ପ୍ରଶିକ୍ଷଣ ଦିଆଯାଇଥିଲା। ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳସେଚନ ମାଧ୍ୟମରେ ଷ୍ଟ୍ରାବେରୀ ଚାଷ କରିବା ନେଇ ତାଲିମ ପ୍ରଦାନ କରାଯାଇଥିଲା। ଉତ୍ପାଦୀତ ଷ୍ଟ୍ରାବେରୀକୁ କିଲୋ ପିଛା ୫୦୦ ଟଙ୍କାରେ ବିକ୍ରି କରାଯାଉଛି।
ଉପାନ୍ତ ଅଂଚଳର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଷ୍ଟ୍ରାବେରୀ ଚାଷ କରି ସ୍ଵାବଲମ୍ବୀ ହେବା ପ୍ରସଙ୍ଗରେ ରାମାନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ କରିଛନ୍ତି, ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଚାଷ ଆରମ୍ଭ କରାଯାଇଥିଲା। ଏବେ ଏଥିରୁ ଭଲ ରୋଜଗାର ହେଉଛି। ଉତ୍ପାଦିତ ଷ୍ଟ୍ରାବେରୀ ପାଇଁ ଅଧିକ ବଜାରିକରଣ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଅମ୍ବାନିଙ୍କ ପୁଅ ବାହାଘରରେ ୭୦ କୋଟିର ଗାୟିକା
ନନ୍ଦିଘୋଷ ବ୍ୟୁରୋ: ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ପ୍ରି ୱେଡିଂ । ଦେଶର ସବୁଠାରୁ ବଡ଼ ପ୍ରି ୱେଡିଂକୁ ନେଇ ଖୁବ୍ ଚର୍ଚ୍ଚା ଜୋର ଧରିଛି । ଗୁଜରାଟର ଜାମନଗରରେ ତିନି ଦିନି ଧରି ବଡ଼ କାର୍ଯ୍ୟକ୍ରମ । ଅନନ୍ତ ଅମ୍ବାନିଙ୍କ ପ୍ରି ୱେଡିଂ ଇଭେଣ୍ଟରେ ଯୋଗଦେଲେ ବହୁ ତାରକା । ପ୍ରି ୱେଡିଂରେ ଯୋଗଦେଲେ ଆମେରିକାର ପ୍ରସିଦ୍ଧ ଗାୟିକା ରିହାନା ।ରିହାନା ଏ କାର୍ଯ୍ୟକ୍ରମ ପାଇଁ ୭୦ କୋଟି ଟଙ୍କା ନେଇଥିବା ଚର୍ଚ୍ଚା । ବିଲ୍ ଗେଟ୍ସଙ୍କ ଠାରୁ ଇଭାଙ୍କା ଟ୍ରମ୍ପ ଯାଏଁ ସମସ୍ତେ ଯୋଗ ଦେଇଛନ୍ତି । ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇଥିଲା ପ୍ରି ୱେଡିଂ ପ୍ରୋଗ୍ରାମ୍ । ଜୁଲାଇ ୧୨ ତାରିଖରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ ଅନନ୍ତ । ବଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ବିଦେଶରୁ ବଡ଼ ବଡ଼ ସେଲିବ୍ରେଟୀ ଏବଂ ବିଜନେସମ୍ୟାନ ମଧ୍ୟ ଅମ୍ବାନୀଙ୍କ ପୁଅ ବାହାଘରରେ ଯୋଗଦେବାକୁ ପହଞ୍ଚିଛନ୍ତି ।
ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ
ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କରେ ଗୁରୁତ୍ବୁପୂର୍ଣ୍ଣ କାମ ଥିଲେ ତୁରନ୍ତ ସାରିଦେବାକୁ ପରାମର୍ଶ । ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ହୋଲି ଡେ, ସଟର ଡେ’କୁ ମିଶାଇ ୧୪ ଦିନଦ ଛୁଟି ରହୁଛି । ମାର୍ଚ୍ଚରେ ଶିବରାତ୍ରି ସହ ହୋଲି ଛୁଟି ମଧ୍ୟ ରହିଛି । ତେବେ ବିଭିନ୍ନ ରାଜ୍ୟରେ ମଧ୍ୟ ସ୍ଥାନୀୟ ଛୁଟି ରହିଛି । ତେବେ ଆସନ୍ତୁ ନଜର ପକାଇବା ଛୁଟିଗୁଡ଼ିକ ଉପରେ ।
ମାର୍ଚ୍ଚ ୧ରେ ମିଜୋରାମରେ ବ୍ୟାଙ୍କ ବନ୍ଦ ରହିଥିଲା
ମାର୍ଚ୍ଚ ୩ ରବିବାର
ମାର୍ଚ୍ଚ ୮ ମହାଶିବରାତ୍ରି ପାଇଁ ଛୁଟି
ମାର୍ଚ୍ଚ ୯ ଦ୍ବିତୀୟ ଶନିବାର
ମାର୍ଚ୍ଚ ୧୭ ରବିବାର
ମାର୍ଚ୍ଚ ୨୨ ବିହାରରେ ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୨୩ ଚତୁର୍ଥ ଶନିବାର
ମାର୍ଚ୍ଚ ୨୪ ରବିବାର
ମାର୍ଚ୍ଚ ୨୫ ହୋଲି ଛୁଟି
ମାର୍ଚ୍ଚ ୨୬ ଦୋଳ ପୂର୍ଣ୍ଣିମା
ମାର୍ଚ୍ଚ ୨୭ ବିହାରରେ ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୨୯ ଗୁଡ୍ ଫ୍ରାଇଡେ
ମାର୍ଚ୍ଚ ୩୧ ରବିବାର ବ୍ୟାଙ୍କ ଛୁଟି
ରାଜ୍ୟରେ ଆଗକୁ ଆହୁରି ବଢିବ ତାତି
ଭୁବନେଶ୍ବର: ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ । ଆଗକୁ ଆହୁରି ବଢିବ ତାତି । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ତାତି । ଆଜି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ । ତେବେ ଦ୍ବିତୀୟ ସପ୍ତାହ ଶେଷ ବେଳକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରାଯାଇଛି । ଆଇଏମ୍ଡିର ସିଜିନାଲ ଫୋରକାଷ୍ଟ ଅନୁସାରେ ଚଳିତବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ କରି ମେ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୁତ ହେବ । ଏଲନିନୋ ପ୍ରଭାବ ଅଧିକ ରହୁଥିବାରୁ ଅଧିକ ତାତି ଅନୁଭୁତ ହେବ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମାର୍ଚ୍ଚ ମାସରେ ପଶ୍ଚିମା ଝଡର ଅଧିକ ପ୍ରଭାବ ରହିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଗତକାଲି ୩୬ ଡିଗ୍ରୀ ଅତିକ୍ରମ କରିଥିଲା ଭୁବନେଶ୍ବର ତାପମାତ୍ରା। ଭୁବନେଶ୍ବରରେ ୩୬.୮ ଡଗ୍ରୀ ତାମପ୍ରାତ୍ରା ରେକର୍ଡ ହୋଇଥିଲା ।
ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ନିର୍ବାଚନ
ନନ୍ଦିଘୋଷ ବ୍ୟୁରୋ: ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ନିର୍ବାଚନ । ଗତକାଲି ପ୍ରାର୍ଥୀପତ୍ର ଯାଞ୍ଚ ସରିବା ପରେ ଆଜି ହେବ ନିର୍ବାଚନ । ପ୍ରଧାନମନ୍ତ୍ରୀ ପଦବୀ ଲାଗି ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ ଦଳ ପକ୍ଷରୁ ଶେହବାଜ ସରିଫଙ୍କ ନାମ ଘୋଷଣା କରାଯାଇଛି । ୭୨ ବର୍ଷ ବୟସ୍କ ଶେହବାଜ ଜିତିବା ଏକରକମ ନିଶ୍ଚିତ ହୋଇଛି । ତେଣେ ପାକିସ୍ତାନ ତେହରିକ ଇ ଇନସାଫ ସମର୍ଥିତ ସୁନ୍ନି ଇତିହାଦ କାଉନସିଲ ପକ୍ଷରୁ ଓମର ଆୟୁବ ଖାଁଙ୍କ ବି ପ୍ରାର୍ଥୀ କରାଯାଇଛି । ପିଏମଏଲ-ଏନ ପ୍ରାର୍ଥୀଙ୍କୁ ସମର୍ଥନ କରୁଛି ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀ ନେତୃତ୍ବାଧୀନ ପାକିସ୍ତାନ ପିପୁଲସ ପାର୍ଟି । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩ । ପିଏମଏଲ-ଏନ ୭୫ ଓ ପିପିପି ୫୪ ଆସନ ହାସଲ କରିଛନ୍ତି । ପିଟିଆଇ 93 ଆସନ ଓ ମୁତାହିଦା କ୍ବାମି ମୁଭମେଣ୍ଟ ୧୭ ଆସନ ହାସଲ କରିଛନ୍ତି । ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି ।
ଆଜି ଚାଷୀ ଘୋଷଣା କରିବେ ପରବର୍ତ୍ତୀ ଆନ୍ଦୋଳନ ପନ୍ଥା
ନନ୍ଦିଘୋଷ ବ୍ୟୁରୋ: ଦାବି ଶୁଣୁନାହାନ୍ତି କେନ୍ଦ୍ର ସରକାର । ଜିଦରେ ଅଟଳ ଅନ୍ନଦାତା ରବିବାର ଘୋଷଣା କରିବେ ପରବର୍ତ୍ତୀ ଆନ୍ଦୋଳନ ପନ୍ଥା । ଶମ୍ଭୁ ଓ ଖାନାଉରି ସୀମାରୁ ସେମାନେ ହଟିବେ ନାହିଁ ଏବଂ ଅଧିକ ଚାଷୀଙ୍କୁ ଆନ୍ଦୋଳନରେ ସାମିଲ କରିବାକୁ ଯୋଜନା ହୋଇଛି ବୋଲି ସୂଚନା ମିଳିଛି । ଦାବାଓ୍ବାଲିରେ ଚାଷୀମାନେ ବି ଧାରଣାରେ ବସିବେ । ପଞ୍ଜାବର ଭଟିଣ୍ଡାସ୍ଥିତ ବାଲୋ ଗ୍ରାମରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଶୁଭକରଣ ସିଂଙ୍କ ସ୍ମୃତିସଭା ପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯିବ ବୋଲି କହିଛନ୍ତି ଚାଷୀ ନେତା ମନଜିତ ସିଂ ରାୟ ଓ ଯଶବିନ୍ଦର ସିଂ ଲଙ୍ଗଓ୍ବାଲ । ଗତ ଫେବୃଆରୀ 21 ତାରିଖରେ ପଞ୍ଜାବ-ହରିଆଣା ସୀମା ଅନ୍ତର୍ଗତ ଖାନାଉରିରେ ଚାଷୀ-ପୋଲିସ ସଂଘର୍ଷରେ ଶୁଭକରଣଙ୍କ ମୃତ୍ଯୁ ଘଟିଥିବାବେଳେ 12 ପୋଲିସ ଆହତ ହୋଇଥିଲେ । ସେପଟେ ଦିଲ୍ଲୀ ଚଲୋ ସ୍ଲୋଗାନରୁ ଚାଷୀମାନେ ହଟିବେ ନାହିଁ ବୋଲି ନେତାମାନେ ସୂଚନା ଦେଇଛନ୍ତି । ଏମଏସପି ସମେତ ଅନ୍ଯାନ୍ୟ ଦାବିରେ ଚାଲିଛି କୃଷକ ଆନ୍ଦୋଳନ ।
ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ
ଢ଼େଙ୍କାନାଳ: ବାପାକୁ ହତ୍ୟା କଲା ପୁଅ । ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ଚାଦରରେ ଘୋଡେ଼ଇ ଫେରାର । ହତ୍ୟାର ପ୍ରାୟ ୧୨ ଘଣ୍ଟା ପରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁରେ । ନୂଆଁଭୁଇଁ ଗାଁର ବଳରାମ ଭୋଇ ଓ ତାଙ୍କ ବାପା ବିପ୍ରବର ଭୋଇ ରହୁଥିଲେ । ଅନେକ ସମୟରେ ଉଭୟଙ୍କ ମଧ୍ଯରେ ଗଣ୍ଡଗୋଳ ହେଉଥିଲା । ଗତକାଲି ସନ୍ଧ୍ୟାରେ ମଧ୍ୟ ବଳରାମ ତାଙ୍କ ବାପାଙ୍କ ସହିତ ଝଗଡ଼ା କରିବା ସହ ମାଡ଼ପିଟି କରିଥିଲେ । ତେବେ ସକାଳୁ ବଳରାମଙ୍କର ଦେଖା ନଥିବା ବେଳେ ବିପ୍ରବରଙ୍କ ମୃତଦେହ ଘର ଭିତରେ ପଡିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ପୁଅ ବଳରାମ ଫେରାର ଥିବାରୁ ପୋଲିସ ତାକୁ ଧରିବାକୁ ପ୍ରୟାସ କରୁଛି ।

