spot_img
Home Blog Page 2170

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ, ଜଣେ ମୃତ

ବାରିପଦା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଣେ ମୃତ ଜଣେ ଆହତ । ମୃତ ଯୁବକ ହେଲେ ରାମ ମୁଖୀ । ସାମାନ୍ୟ ବଚସାରୁ ଭୁଜାଲିରେ ହାଣି ଯୁବକକୁ ହତ୍ୟା । ବାରିପଦା ଥାନା ଶୁନଗଡିଆ ମହୁଲି ଭାଟିରେ ଘଟିଛି ହତ୍ୟାକାଣ୍ଡ । ମୃତ ଯୁବକଙ୍କ ପରିବାର ପୋଲିସକୁ ଦାୟୀ କରୁଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲା । ଆହତ ଦୀପୁ ମୁଖୀଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା। ଦୀପୁ ମୁଖୀ ହସ୍ପିଟାଲ ନିକଟରେ ଥିବା ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ନିଜର ପର୍ସଟିକୁ ଛାଡି ପଳାଇଥିଲେ । ପର୍ସଟିକୁ ଅନ୍ୟ ଗୋଷ୍ଠୀର କେହି ପାଇଥିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ଏ ସମ୍ପର୍କରେ ଟାଉନଥାନା ରେ ଦୁଇଟି ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ସେଖ ସମସେଦକୁ ଟାଉନ ପୋଲିସ ଅଟକ ରଖି ତଦନ୍ତ କରୁଛି। ମୃତକ ସମ୍ପର୍କୀୟ ମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାରୁ କିଛି ସମୟ ପାଇଁ ଟାଉନଥାନା ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

 

ଗୋଟିଏ ଦିନରେ ୩ ହଜାର ୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜଳସେଚନ କ୍ଷେତ୍ରରେ ସୁବର୍ଣ୍ଣ ଅଧ୍ୟାୟ । ଗୋଟିଏ ଦିନରେ ୩ ହଜାର ୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ନୟାଗଡର କୁସୁମି ବ୍ୟାରେଜ ଉଦ୍ଘାଟିତ ହୋଇଛି। ୭୦.୮୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁମୀ ବ୍ୟାରେଜରୁ ଜଳ ଯୋଗାଣ ନିମନ୍ତେ  ୧୪୮.୧୭ କୋଟି ଟଙ୍କା ବ୍ୟୟରେ ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଦ୍ୱାରା ୯୨୫୪ ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇ ପାରିବ ଏବଂ ୩ଟି ବ୍ଲକର ୪୯ଟି ଗ୍ରାମର ୧.୫ଲକ୍ଷ ଲୋକ ଉପକୃତ ହେବେ । ଏହା ସହିତ ୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳକୁ ଭୂତଳ ପାଇପଲାଇନ ଦ୍ୱାରା ବଣ୍ଟନ ବ୍ୟବସ୍ଥାର ଲୋକାର୍ପଣ ମଧ୍ୟ କରାଯାଇଛି।

ହାଡୁଆ ଡ୍ୟାମ ଓ ତା’ର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏହାଦ୍ବାରା କଟକ ଜିଲ୍ଲାର ୮୬ ଗ୍ରାମର ୮୯୯୭ ଏକର ଚାଷ ଜମିକୁ ଜଳସେଚନ ଯୋଗାଇବା ସହିତ ୨୯୩ ଗ୍ରାମକୁ ପାନୀୟ ଜଳ ଯୋଗାଣ ହେବ । ଏଥିରୁ ୧ ମେଗାୱାଟର ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଅଛି । ହାଡୁଆ ଡ୍ୟାମ ଓ ତା’ର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ବ୍ୟୟ ଅଟକଳ ଯଥାକ୍ରମେ ୨୬୫.୨୪ କୋଟି ଓ ୧୯୫.୮୯ କୋଟି ଟଙ୍କା ରହିଛି । କଟକ ଡିମିରିଆ-ରାଉତପଡା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ବୈଦେଶ୍ୱର-ଗୋପିନାଥପୁର ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଓ ନବରଙ୍ଗପୁର ଫଟକି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ । ଏହିପରି ୩ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହିତ ୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ ଓ ଅନାନ୍ୟ ପ୍ରକଳ୍ପର  ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଚାଷୀର କଲ୍ୟାଣ ଓ କୃଷିର ବିକାଶ ପାଇଁ ସରକାର ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି ।

ଚାଷୀଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଖୁବ୍ ଭଲ କାମ କରୁଛି ବୋଲି ସେ ଜାଣିପାରିଛନ୍ତି । ଗତ କିଛି ଦିନ ଧରି ଓଡିଶାର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଅନେକ ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ ହୋଇ ଆସୁଛି। ଏହା ସହିତ ନୂଆ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ରଖାଯାଉଛି। ଏହି ସବୁ ପ୍ରକଳ୍ପଗୁଡିକରେ  5T ଉପକ୍ରମ ଅଧିନରେ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରାଯାଉଛି। ଭୂତଳ ପାଇପଲାଇନ ଜରିଆରେ ଜଳସେଚନ ଯୋଗୁଁ ବିସ୍ଥାପନ ସମସ୍ୟା ଦୂର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚାଷୀ ଅର୍ଥନୀତିର ସାରଥି। ସେମାନଙ୍କୁ ସାଥିରେ ଧରି ସରକାର ସବୁବେଳେ ଚାଲିଛନ୍ତି  । ସେମାନଙ୍କ ପାଇଁ ସରକାର କାମ କରୁଛନ୍ତି ଓ କରୁଥିବେ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ । ଏହି ଅବସରରେ ଉପସ୍ଥିତ ରହି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରିଥାନ୍ତି । ଜିଲ୍ଲା ଗସ୍ତ ସମୟରେ ଜଳସେଚନ ଉପରେ ଯେଉଁ ସବୁ ପ୍ରସ୍ତାବ ଆସିଥିଲା  ସେଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ସମାଧାନ ହୋଇ ସାରିଛି ।

 

ବରମୁଣ୍ଡା ବସ୍ ଟର୍ମିନାଲ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ଼

ଭୁବନେଶ୍ବର: ବାସ୍ତବ ରୂପ ନେଇଛି ରାଜ୍ଯବାସୀଙ୍କ ସ୍ବପ୍ନ । ନବୀନ ଓଡିଶାର ନୂଆ ପ୍ରତୀକ ଭାବରେ ବରମୁଣ୍ଡା ବାବାସାହେବ ଭୀମ ରାଓ ଆମ୍ବେଦକର ଆନ୍ତାରାଜ୍ଯ ବସ ଟର୍ମିନାଲ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ଯ ତଥା ରାଜ୍ଯ ବାହାରକୁ ଗମାନଗମାନରେ ଏହା ଏକ ନୂତନ ମାଇଲଖୁଣ୍ଟ ହୋଇଛି । ଲୋକାର୍ପଣ ପରେ ବିଶ୍ବସ୍ତରୀୟ ବସ ଟର୍ମିନାଲକୁ ଦେଖିବାକୁ ଲାଗିଛି ଭିଡ଼ । ବୁଲି ଦେଖିବା ସହ ମୋବାଇଲରେ ଫଟୋ ଉଠାଉଛନ୍ତି ଲୋକେ ।

ବସ ଟର୍ମିନାଲ ଦେଉଛି ବିମାନବନ୍ଦରର ଭ୍ରମ । ଦେଖିବାକୁ ଲାଗିଛି ଭିଡ । ସକାଳ ହେଉକି ରାତି ବୁଲିବାର ଲ୍ଯାଣ୍ଡମାର୍କ ସାଜିଛି ବରମୁଣ୍ଡା । କିଏ ଭିଡିଓ କଲ କରି ଦେଖାଉଛି ତ ଆଉ କିଏ ମୋବାଇଲ ଫଟୋ ଉଠାଉଛି । ଇଏ ହେଉଛି ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ଗ୍ଯାଲେରୀ । ଦେଶ ପାଇଁ ତାଙ୍କର ଅବଦାନକୁ ସମ୍ମାନ, ତାଙ୍କର ଜୀବନ ଓ ଆଦର୍ଶ ଆଧାରରେ ତିଆରି ହୋଇଛି ଗ୍ଯାଲେରୀ । ସେହିପରି ବସକୁ ଅପେକ୍ଷା କରିବା ସମୟରେ ଆପଣଙ୍କୁ ଆଉ ବୋର ହେବାକୁ ପଡିବ ନାହିଁ । ଟର୍ମିନାଲରେ କାହାଣୀ ଓ ଗଳ୍ପ ପଢିବା ପାଇଁ ରହିଛି ବୁକ ଷ୍ଟଲ୍ । ଛୋଟ ପିଲାଙ୍କ ପାଇଁ ଶିଶୁ କ୍ରୀଡାଙ୍ଗନା ଜୋନ । ଯେଉଁଠି ଖେଳୁଛନ୍ତି ପିଲାଏ । ଯେ କେହି ବି ବୁଲି ଦେଖିଲା ପରେ କହୁଛନ୍ତି, ସତରେ ବିମାନବନ୍ଦର ପରି ହୋଇଛି ବସ ଟର୍ମିନାଲ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପ୍ରଂଶାସ କରୁଛନ୍ତି ସଭିଏଁ ।

ରାଜ୍ୟର ବରମୁଣ୍ଡା ବସ ଟର୍ମିନାଲରେ ଆହାର ପ୍ଳସ କେନ୍ଦ୍ରରେ ବି ଲାଗିଛି ଭିଡ଼ । ଚକାଚକ୍ ଡାଇନିଂ ଟେବୁଲ ସାଙ୍ଗକୁ ଆଲୋକୀକରଣ । ଯିଏ ବି ବୁଲିବାକୁ ଆସୁଛନ୍ତି ଆହର କେନ୍ଦ୍ର ଦେଖି ତାଜୁବ ହେଉଛନ୍ତି । ୫ ଟଙ୍କା ପେଟ ପୁରା ଖାଇବା ସାଙ୍ଗକୁ ଷ୍ଟାର ହୋଟେଲର ଅନୁଭୂତି ମିଳୁଛି । ଯେଉଁଠି ଲାଗିଛି ଲମ୍ବା ଲାଇନ । ଯାତ୍ରୀମାନେ ପ୍ରଥମେ ଟିକେଟ୍ କାଉଣ୍ଟରରୁ ଟିକେଟ୍ କାଟିବା ପରେ ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ଖାଉଛନ୍ତି । ୫ ଟଙ୍କାରେ ଭାତ, ଡାଲେମା ଓ ଆଚାର । ସୁଲଭ ମୂଲ୍ୟରେ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦେବାକୁ ସରକାର ଆହାର ପ୍ଲସ୍ ପ୍ଲସ୍ କେନ୍ଦ୍ର ଖୋଲିଛନ୍ତି । ପ୍ରତ୍ୟେକ ଦିନ ସକାଳ ୧୧ ଟାରୁ ଅପରାହ୍ନ ୩ଟା ଏବଂ ରାତି ୭ଟାରୁ ୯ ପର୍ଯ୍ଯନ୍ତ ଏଠାରେ ମିଳିବ ଆହାର । ସେହିଭଳି ମିଶନ ଶକ୍ତି, ମିଲେଟ୍, ଓଟିଡିସି ଓ ଓରମାସ୍ କାଫେରେ ମଧ୍ଯ ଭିଡ଼ ଜମୁଛି । ବିଶେଷକରି ମାଣ୍ଡିଆ ଲଡୁ, ବିସ୍କୁଟ୍ ଓ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ କିଣୁଛନ୍ତି ଲୋକେ । ଏହାସହ ଓଟିଡିସି ଆଉଟଲେଟରେ କାକରା ପିଠା ଓ ବିଭିନ୍ନ ପ୍ରକାର ଗାଉଁଲି ଖାଦ୍ୟ ପାଇଁ ଭିଡ଼ ଜମିଥିଲା ।

ଆଉ ରକ୍ତ ପାଇଁ ଯାଉନି କାହାରି ଜୀବନ, ରାଜ୍ୟରୁ ଦୂର ହେଉଛି ରକ୍ତ ଅଭାବ ସମସ୍ୟା

କଟକ: ରାଜ୍ୟରୁ ଦୂର ହେଉଛି ରକ୍ତ ଅଭାବ ସମସ୍ୟା । ରାଜ୍ଯ ସରକାରଙ୍କ ଉଦ୍ଯମରୁ ଏବେ ରକ୍ତ ଭଣ୍ଡାରରେ ସହଜରେ ମିଳିଯାଉଛି ରକ୍ତ । ଆଉ ଆଗ ଭଳି ରକ୍ତ ଅଭାବ ପାଇଁ ଯାଉନି ଜୀବନ । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମଧ୍ୟରେ ସବୁ ବର୍ଗର ଲୋକେ ସ୍ଵଚ୍ଛାକୃତ ଭାବେ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଇବାକୁ ଆଗେଇ ଆସୁଛନ୍ତି । ଏଥିପାଇଁ ରାଜ୍ୟ ସରକାର  ଓ ଓଡ଼ିଶା ମୋ ପାରିବାରର ସଦସ୍ୟଙ୍କୁ କୃତଜ୍ଞତା ଜଣାଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।

ଦୂର ହୋଇଛି ରାଜ୍ଯର ରକ୍ତ ସମସ୍ଯା । ଆଉ ରକ୍ତ ପାଇଁ ଯାଉନି କାହାରି ଜୀବନ । ରକ୍ତ ଭଣ୍ଡାରରେ ମହଜୁଦ ରହିଛି ରକ୍ତ । ବର୍ଷକୁ ପାଖାପାଖି କଟକ ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ ବ୍ୟାଙ୍କ ପାଇଁ ଏକ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ଆବଶ୍ୟକ ରହୁଛି । ଏହି ବ୍ଲଡ ବ୍ୟାଙ୍କ୍ ଉପରେ କଟକ ବଡ ମେଡିକାଲ୍, କ୍ୟାନ୍ସସର୍ ମେଡିକାଲ , ଶିଶୁ ଭବନ ସହ କଟକ ଭୁବନେଶ୍ବର ଢେଙ୍କାନାଳ, ଭଦ୍ରକ, ଯାଜପୁରର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ ନିର୍ଭର କରନ୍ତି । ରାଜ୍ୟର ସବୁ ଜିଲ୍ଲାରେ ଥିବା ଥାଲାସେମିଆ ରୋଗୀ ମଧ୍ଯ କଟକ ରେଡକ୍ରସ ବ୍ଲଡ ବ୍ୟାଙ୍କ ଉପରେ ନିର୍ଭର କରନ୍ତି । ୨ ହଜାରରୁ ଉର୍ଦ୍ଧ୍ବ ଥାଲାସେମିଆ ରୋଗୀ ଏଠାରେ ପଞ୍ଜୀକୃତ ଅଛନ୍ତି । ଦିନଥିଲା ରକ୍ତର ଅଭାବ ସମସ୍ତଙ୍କ ପାଇଁ ସମସ୍ଯା ସୃଷ୍ଟି କରିଥିଲା । ହେଲେ ଏବେ ମୁଖ୍ଯମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସ୍ବଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି ଲୋକ । ୭୦ ପ୍ରତିଶତ ରୋଗୀ ବିନା ଡୋନରରେ ରକ୍ତ ପାଉଛନ୍ତି । ଏଥିପାଇଁ ରାଜ୍ଯ ସରକାର ଓ ଓଡ଼ିଶା ମୋ ପରିବାରକୁ ଧନ୍ଯବାଦ ଜଣାଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।

ପ୍ରତିଦିନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତ ସଂଗ୍ରହ ହେଉଛି । ଏଥିପାଇଁ ଓଡ଼ିଶା ମୋ ପାରିବାର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ମଧ୍ଯ ହୋଇଛି । ଏବେ ଆମ ରାଜ୍ୟରୁ କୋଲକାତା, ଝାଡ଼ଖଣ୍ଡ, ବିହାରକୁ ରକ୍ତ ପଠାଯାଇ ପାରୁଛି । ଖାଲି ରକ୍ତ ନୁହେଁ ରକ୍ତ ପ୍ୟାଟିଲେଟ ମଧ୍ଯ ରୋଗୀଙ୍କୁ ଉପଲବଧ ହେଉଛି । ଏଥିପାଇଁ ବଞ୍ଚି ଯାଉଛି ଅନେକ ଅମୂଲ୍ଯ ଜୀବନ ।

5T ଅଧ୍ୟକ୍ଷଙ୍କୁ ଭେଟିଲେ ୨ଟି ନବ ଗଠିତ ମ୍ୟୁନିସିପାଲିଟି, ୮ଟି ବିଜ୍ଞପିତ ଅଞ୍ଚଳ ପରିଷଦ ଓ ୪ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଜନସାଧାରଣ

ଭୁବନେଶ୍ବର: ରାଜ୍ୟର ୨ଟି ନବଗଠିତ ମ୍ୟୁନିସିପାଲିଟି, ୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣ ଓ ୪ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନବୀନ ନିବାସଠାରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ସେମାନେ କୃତଜ୍ଞତା ପ୍ରକାଶ କରିଛନ୍ତି । 5T ଅଧ୍ୟକ୍ଷ ସେମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ସମସ୍ତଙ୍କୁ ସେ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ସମସ୍ତେ ମିଳି ମିଶି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡିଶା ଗଠନ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ଗତ ୨୪ ତାରିଖରେ ରାଜ୍ୟରେ ୩୫ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ୩ଟି ବିଜ୍ଞପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ନବଗଠିତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ମ୍ୟୁନିସିପାଲିଟିର ଜନସାଧାରଣ ନବୀନ ନିବାସଠାରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ। ସେମାନଙ୍କ ସହିତ କୃଷକସାଥୀ ସଂଘ, ଓମଫେଡ ରିଟେଲର ସଂଘ, ନିଖିଳ ଓଡିଶା ଲେଫ୍ଟ ଆଉଟ ଗଣ ଶିକ୍ଷକ ମହାସଂଘ ଏବଂ ଓଡିଶା ପ୍ରଦେଶ ଲକ୍ଷେ ଘର ଦଳିତ ଜାତି ସମାଜ ମହାସଂଘର କର୍ମକର୍ତ୍ତାମାନେ ମଧ୍ୟ 5T ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ସ୍ପେନ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ସ୍ପେନ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଝାଡ଼ଖଣ୍ଡର ଡୁମକା ଜିଲ୍ଲା ହଂସଡିହ ଅଞ୍ଚଳରେ ଗଣଦୁଷ୍କର୍ମ ଅଭିଯୋଗ । ସ୍ପେନ ଦମ୍ପତି ବାଇକ ଟୁରରେ ବାହାରିଥିଲେ।। ରାତ୍ରିଯାପନ ପାଇଁ ହଂସଡିହ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଅସ୍ଥାୟୀ ତମ୍ବୁ ଟାଣିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୀଡ଼ିତାଙ୍କୁ ଡୁମକାର ଫୁଲଝାନୋ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।  ଡୁମକା ଦେଇ ବିହାରର ଭାଗଲପୁର ଅଭିମୁଖେ ଯାଉଥିଲେ ସ୍ପେନ ଦମ୍ପତି। ହଂସଡିହ ମାର୍କେଟରେ ରାତ୍ରିଯାପନ ପାଇଁ ରହିଥିଲେ ଏହି ଦମ୍ପତି। ବାଂଲାଦେଶରୁ ବାଇକରେ ଡୁମକା ଆସିଥିଲେ। ଡୁମକାରୁ ବିହାର ରାସ୍ତା ଦେଇ ନେପାଳ ଯାଇଥାନ୍ତେ।

ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି

ଭୁବନେଶ୍ବର: ନିର୍ବାଚନ ଘୋଷଣା ପୂର୍ବରୁ ଫଳାଫଳ ଆକଳନ ନେଇ ରାଜ୍ୟ ରାଜନୀତି ପାରଦ ଉପରମୁହାଁ । ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି । ସବୁ କ୍ଷେତ୍ରର ରୂପାନ୍ତରଣରେ ଦେଶ ପାଇଁ ରୋଲ୍ ମଡେଲ୍ ସାଜିଛ ଓଡ଼ିଶା। ଯାହା ବିଜେଡିକୁ ବଡ଼ ସଫଳତା ଦେବ ବୋଲି ଦଳୀୟ ନେତା ଯୁକ୍ତି ବାଢୁଛନ୍ତି।  ସର୍ଭେ ରିପୋର୍ଟ ଏହି ଆକଳନକୁ ଅଧିକ ଶକ୍ତିଶାଳୀ କରିଛି । ସେପଟେ ବିଜେଡିରୁ ପ୍ରତ୍ୟାଖ୍ଯାତ ନେତାଙ୍କୁ ବିରୋଧୀ ଆପଣାଇ ନିଜ ଅସ୍ତିତ୍ବ ରକ୍ଷା କରିବାକୁ ଅପଚେଷ୍ଟା କରୁଛନ୍ତି । ବିଜେଡି କଷିଛି ୨୪ ଫଳାଫଳ ଗଣିତ। ଦଖଲ କରିବ ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ। ରୂପାନ୍ତରଣ ସାଜିବ ବଡ଼ଅସ୍ତ୍ର । ନବୀନଙ୍କ ହାତରେ ରହିବ ଶାସନ ଡୋରୀ। ଲଗାତର ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ କରିବେ ରେକର୍ଡ।

୨୦୨୪ରେ ପୁଣି ରାଜ୍ୟରେ ନବୀନ ସରକାର। ଓଡ଼ିଶା ନିର୍ବାଚନ ଇତିହାସର ସବୁ ରେକର୍ଡ ଭାଙ୍ଗି ନବୀନ ରଚିବେ ନୂଆ ଅଧ୍ୟାୟ । 5T ସଂସ୍କାର, ରୂପାନ୍ତରିତ ଓଡ଼ିଶା ନବୀନଙ୍କ ବିକଶିତ ଓଡ଼ିଶାକୁ ଦେଇଛି ନୂଆରୂପ । ନିର୍ବାଚନ ପ୍ରସ୍ତୁତି ସହ ଗାଁଠାରୁ ସହର ଯାଏ ଚାଲିଛି ରୂପାନ୍ତରଣ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନଠାରୁ ଆରମ୍ଭ କରି ଶିଳ୍ପସମୃଦ୍ଧ ଓଡ଼ିଶା ଯାଏ ନୂଆଯୁଗ ଆରମ୍ଭ ହୋଇଛି । ସବୁଥିରେ ଆସିଛି ବୈପ୍ଲବିକ ପରିବତ୍ତର୍ନ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଞ୍ଜୀବନୀ ସାଜିଥିବା ବେଳେ କାଳିଆ, ମେକ୍ ଇନ୍ ଓଡ଼ିଶା, ମିଶନ ଶକ୍ତି ପରି ବିଭିନ୍ନ ଜନ କଲ୍ୟାଣ ଯୋଜନା ଓଡ଼ିଶାବାସୀଙ୍କ ଜୀବନ ଜୀବିକାର ବିକାଶ କରିଛି । କଥା କମ୍, କାମ ଅଧିକ ଜରିଆରେ ନବୀନ ସାଢ଼େ  ୪ କୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବି ସେବା  କରୁଛନ୍ତି । ତେଣୁ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି ଓଡ଼ିଶାବାସୀ । ଦେଶର ରାଜନୀତିରେ ନବୀନ ରେକର୍ଡ କରିବେ ବୋଲି ଦଳ ଦୋହରାଇଛି।

ଅନ୍ୟପଟେ ବିଜେଡିରୁ ପ୍ରତ୍ୟାଖ୍ୟାତ ଜନବିରୋଧୀ ନେତାଙ୍କୁ ମୁଖ୍ୟ ବିରୋଧୀ ବିଜେପି ଗ୍ରହଣ କରିବା ପରେ କଡ଼ା ସମାଲୋଚନା କରିଛି କଂଗ୍ରେସ । ଦଳର ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେପି ସଫା ହୋଇଯିବ। ସେହିପରି ବିଜେପିକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ବିଜେପିକୁ ହିସାବ ମାଗିଛି କଂଗ୍ରେସ । ରାଜନୈତିକ ସମୀକ୍ଷକଙ୍କ ମତରେ ବିରୋଧୀ ଯେତେ ଯାହା କଲେ ବି ଓଡ଼ିଶାରେ ବିଜେଡି ସବୁଠାରୁ ଶକ୍ତିଶାଳୀ ଦଳ । ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ କରିବା ସହ ବିଜେଡି ଭୋଟହାର ବୃଦ୍ଧି ପାଇଛି । ଏହି ଧାରା ଜାରି ରହିବ ବୋଲି ଶାସକ ଦଳ ଦମ୍ଭୋକ୍ତି ପ୍ରକାଶ କରିବା ପରେ ବିରୋଧୀ ଛାନିଆ ହୋଇପଡ଼ିଛନ୍ତି। ଟିକେଟ ପାଇଁ ୧୦ ହଜାର ଆବେଦନ, ବିଜେଡିର ଲୋକପ୍ରିୟତାର ବଡ଼ ସଙ୍କେତ ବୋଲି ଚର୍ଚ୍ଚା ହେଉଛି।

 

ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନନ୍ଦିଘୋଷ ବ୍ୟୁରୋ:ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ବାରଣାସୀରୁ ତୃତୀୟଥର ଲାଗି ନିର୍ବାଚନ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ତାଲିକାଲେ ମୋଟ ୧୯୫ ପ୍ରାର୍ଥୀଙ୍କ ତାଲିକା ରହିଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମହାସଚିବ ବିନୋଜ ତାଓ୍ବଡେଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ସେହିପରି ପ୍ରଥମ ଦଫା ତାଲିକାରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁ ରହିଛି । ତେବେ ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା  କରାଯାଇ ନାହିଁ ।

ମଧ୍ଯପ୍ରଦେଶ ବିଦିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ଗୁନାରୁ ଜ୍ଯୋତିରାଜ ସିନ୍ଧିଆ, ମଣ୍ଡଲାରୁ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ନିର୍ବାଚନ ଲଢିବେ। ଉତ୍ତରପ୍ରଦେଶ ଲକ୍ଷ୍ମୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମଥୁରାରୁ ହେମାମାଳିନୀ, ଆମେଥିରୁ ସ୍ମୃତି ଇରାନୀ, ଫତେପୁରରୁ ସାଧ୍ବୀ ନିରଞ୍ଜନ ଜ୍ଯୋତି, ଖେରିରୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ବିଜେପି ତାଲିକାରେ ସ୍ଥାନ ପାଇଛନ୍ତି।
ଗୁଜରାଟ ଗାନ୍ଧୀନଗରରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୋରବନ୍ଦର ଇଷ୍ଟରୁ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ ପାଇଛନ୍ତି ଦଳୀୟ ଟିକେଟ। ରାଜସ୍ଥାନ କୋଟାରୁ ଲୋକସଭା ବାଚସ୍ପତି ଓମ ବିରଲା, ଅଲୱାରରୁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ବିକାନିରରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ ନିର୍ବାଚନ ଲଢିବେ। ଝାଡ଼ଖଣ୍ଡ ଖୁଣ୍ଟିରୁ ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜାମ୍ମୁ ଓ କାଶ୍ମୀର ଉଦ୍ଧମପୁରରୁ ଜିତେନ୍ଦ୍ର ସିଂ, ନର୍ଥ ଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀ, ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନୂଆଦିଲ୍ଲୀରୁ ବାଂସୁରୀ ସ୍ବରାଜଙ୍କୁ ମିଳିଛି ଟିକେଟ। ଛତିଶଗଡ଼ ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଅରୁଣାଚଳ ୱେଷ୍ଟରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଆସାମ ଦିବ୍ରୁଗଡ଼ରୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ,
କେରଳ ଥିରୁବନନ୍ତପୁରମରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ତ୍ରିପୁରା ୱେଷ୍ଟରୁ ବିପ୍ଳବ ଦେବ, ତେଲଙ୍ଗାନା ସିକନ୍ଦରାବାଦରୁ କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡୀଙ୍କୁ ଦଳ ଦେଇଛି ଟିକେଟ। ପ୍ରଥମ ପର୍ଯ୍ୟାୟରେ ୩୪କେନ୍ଦ୍ରମନ୍ତ୍ରୀଙ୍କୁ ଏବଂ ୪୭ଯୁବକ, ୨୮ମହିଳାଙ୍କୁ ମିଳିଛି ଟିକେଟ୍ ।

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆହୁରି ବଢିବ ତାତି

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ହଟ୍ ଓ୍ବେଦର କଣ୍ଡିସନ୍ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆହୁରି ବଢିବ ତାତି । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ତାତି । ଆଜି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଆଦି ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ତାପମାତ୍ରା ବୃଦ୍ଧି ପାଇଛି ।  ସେପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମା ଝଡର ସକ୍ରିୟତା ପାଇଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । କାଲି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ । ତେବେ ଦ୍ବିତୀୟ ସପ୍ତାହ ଶେଷ ବେଳକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରାଯାଇଛି । ଆଇଏମ୍ଡିର ସିଜିନାଲ ଫୋରକାଷ୍ଟ ଅନୁସାରେ ଚଳିତବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ କରି ମେ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୁତ ହେବ । ଏଲନିନୋ ପ୍ରଭାବ ଅଧିକ ରହୁଥିବାରୁ ଅଧିକ ତାତି ଅନୁଭୁତ ହେବ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମାର୍ଚ୍ଚ ମାସରେ ପଶ୍ଚିମା ଝଡର ଅଧିକ ପ୍ରଭାବ ରହିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଗତକାଲି ରାଜ୍ୟରେ ଅଧିକାଂଶ ସ୍ଥାନରେ ୩୫ ଡିଗ୍ରୀରୁ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ମଧ୍ୟ ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହେବ ବୋଲି ଆକଳନ କରାଯାଇଛି ।

 

ବେକରେ ରଶି ଲଗାଇ ଝୁଲିପଡ଼ିଲେ ଭାଇ ଭଉଣୀ

ଭଦ୍ରକ: ଜମିଜମା ବିବାଦରୁ କରୁଣ ପରିଣତି। ଗୋଟିଏ ପରିବାରର ୨ ଜଣଙ୍କ ଆତ୍ମହତ୍ୟା। ପ୍ରଥମେ ଭାଇ ଓ ପରେ ଭଉଣୀ ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମର ସନାତନ ବେହେରା ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ । ସନାତନ ଅନ୍ଯ ରାଜ୍ଯରେ ରହି କାମ କରୁଥିଲେ । କିଛି ଦିନ ତଳେ ଘରକୁ ଆସିଥିଲେ। ତାଙ୍କ ଘରେ ଛପର ଚାଲିଥିବା ବେଳେ ବଡ଼ ବାପାଙ୍କ ଘର ସହିତ  ଜମିଜମା ଭାଗବଣ୍ଟାକୁ ନେଇ ଝଗଡା ହୋଇଥିଲା । ଏହାକୁ ନେଇ ସନାତନ ଘର ଭିତରେ ବେକରେ ରଶି ଲଗାଇ ଝୁଲିପଡିଥିଲେ । ତାହାର କିଛି ଘଣ୍ଟା ପରେ ବଡ ବାପା କାଳନ୍ଦୀ ବେହେରାଙ୍କ ଝିଅ ନିରୁପମା ବେହେରା ବି ରଶି ଲଗାଇ  ଆତ୍ମହତ୍ୟା କରିଥିଲେ । ଭାଇର ମୃତ୍ୟକୁ ସହିନପାରି ଭଉଣୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉଭୟ ମୃତଦେହକୁ ଧୁଷୁରୀ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି।