spot_img
Home Blog Page 2171

ମୁମ୍ବାଇରେ ବରିଷ୍ଠ କଂଗ୍ରେସ ନେତା ରାହୁଲଙ୍କ ମେଗାରାଲି, ୬୩ ଦିନର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମ୍ପନ୍ନ

ମୁମ୍ବାଇ: ମୁମ୍ବାଇରେ କଂଗ୍ରେସ ବରିଷ୍ଠ ନେତା ରାହୁଲଙ୍କ ମେଗା ରାଲି। କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟର ନେତା ଏହି ମେଗା ରାଲିରେ ସାମିଲ ହୋଇଥିଲେ। ରାହୁଲଙ୍କ ୬୩ ଦିନିଆ ଭାରତ ଯୋଡୋ ନ୍ଯାୟ ଯାତ୍ରା ଏହି ମେଗା ରାଲି ସହ ସମାପନ ହୋଇଛି। ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜିତ ହୋଇଥିଲା ଏ ରାଲି। ଏଥିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଶିବସେନା ୟୁବିଟି ସଭାପତି ଉଦ୍ଧବ ଥାକରେ, ଏନସିପି ନେତା ଶରଦ ପାୱାର, ଆରଜେଡି ନେତା ତଥା ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ମେଗା ରାଲିରେ ସାମିଲ ହୋଇଥିଲେ।

ଏହି ମେଗା ରାଲିରେ ଆମ ଆଦମି ପାର୍ଟି ନେତା ସୌରଭ ଭାରଦ୍ଵାଜ, ଏନସି ନେତା ଫାରୁକ ଅବଦୁଲ୍ଲା ସିପିଆଇ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସହ ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ପତ୍ନୀ କଳ୍ପନା ସୋରେନ ଯୋଗ ଦେଇଥିଲେ। ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣାର ଦିନକ ପରେ ଇଣ୍ଡିଆ ମେଣ୍ଟ ଏହି ମେଗା ରାଲି କରିଥିଲା। ଏହି ଅବସରରେ ମୁମ୍ବାଇର ମଣି ଭବନରୁ ଅଗଷ୍ଟ କ୍ରାନ୍ତି ମୈଦାନ ପର୍ଯ୍ୟନ୍ତ ନ୍ୟାୟ ସଂକଳ୍ପ ଯାତ୍ରା କରିଥିଲେ ରାହୁଲ। ଆସନ୍ତା ଏପ୍ରିଲ ୧୯ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣର ଏକାଧିକ ପର୍ଯ୍ୟାୟ। ଜୁନ ୪ ତାରିଖରେ ଭୋଟ ଗଣତି ହେବ।

 

ଋଷରେ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ: ଭ୍ଲାଦିମିର ପୁଟିନ ଋଷ ରାଷ୍ଟ୍ରପତି ଭେବେ ନିର୍ବାଚିତ। ୨୦୦ ବର୍ଷ ଇତିହାସରେ ହୋଇଛନ୍ତି ସର୍ବାଧିକ କାଳ କ୍ଷମତାସୀନ ରାଷ୍ଟ୍ରପତି। ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ପ୍ରାୟ  ୮୮ ପ୍ରତିଶତ ଭୋଟ ହାସଲ କରିଛନ୍ତି ପୁଟିନ। କମ୍ଯୁନିଷ୍ଟ ଦଳ ପ୍ରାର୍ଥୀ ସମେତ ୩ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ହୋଇଛି। ବିଭିନ୍ନ ରାଷ୍ଟ୍ରରେ ହୋଇଥିବା ନିର୍ବାଚନରେ ଭାଗ ନେଇଥିଲେ ଅଧିକାଂଶ ଋଷ ନାଗରିକ। ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲା ଋଷ।

ନିର୍ବାଚନରେ କମ୍ଯୁନିଷ୍ଟ ପାର୍ଟିର ନିକୋଲାଇ କାରିତୋନୋଭ, ଲିବରାଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆର ଲିଓନିଦ ସ୍ଲଟସ୍କି, ନ୍ଯୁ ପିପୁଲ ପଲିଟିକାଲ ପାର୍ଟିର ଭ୍ଲାଦିସ୍ଲାଭ ଦାଭାନକୋଭଙ୍କ ପରାଜୟ ଘଟିଛି। ନିର୍ବାଚନକୁ ଜାତିସଂଘ ନିରାପତ୍ତା ପରିଷଦର ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଭ୍ଲାଦିମିର ପୁଟିନ ବଞ୍ଚିଥିବା ଯାଏ ରାଷ୍ଟ୍ରପତି ରହିବାକୁ ଚାହାଁନ୍ତି ବୋଲି କହିଥିଲେ ବିଭିନ୍ନ ସାମାଜିକ ଅଧିକାର ଓ ଦୁର୍ନୀତି ବିରୋଧୀ ସଂଗଠନ। ୨୦୦୦ ମସିହାରୁ ଋଷର ରାଷ୍ଟ୍ରପତି ଭାବେ କ୍ଷମତା ଦଖଲ କରିଆସୁଛନ୍ତି ପୂର୍ବତନ କେଜିବି ଏଜେଣ୍ଟ। ୟୁକ୍ରେନର ଯେଉଁ ଯେଉଁ ଅଞ୍ଚଳ ଋଷ କବଜାରେ ରହିଛି ସେଠାରେ ବି ଏହି ନିର୍ବାଚନ ହୋଇଥିଲା।

୭୧ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହୋଇଛନ୍ତି। ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି କିମ୍ବା ନିର୍ବାସନରେ ଅଛନ୍ତି। ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି। ଭାରତ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରରେ ବାସ କରୁଥିବା ଋଷ ନାଗରିକମାନେ ବି ଦେଇଥିଲେ ଭୋଟ। ପୁଟିନ ହୋଇଛନ୍ତି ଋଷର ୨୦୦ ବର୍ଷର ଇତିହାସରେ ସର୍ବାଧିକ କାଳ ରହିଥିବା ରାଷ୍ଟ୍ରପତି।

WPL ଚାମ୍ପିୟନ ହେଲା ବାଙ୍ଗାଲୋର

ନନ୍ଦିଘୋଷ ବ୍ୟୁରୋ: ନୂଆଦିଲ୍ଲୀରେ ବାଙ୍ଗାଲୋର ରାଜ୍ । ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ଆରସିବିର ରୋମାଞ୍ଚକର ବିଜୟ । ଦିଲ୍ଲୀ କ୍ଯାପିଟାଲ୍ସକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ WPL ଚାମ୍ପିଅନ ହୋଇଛି ଆରସିବି । ଏହା ସହିତ ଦିଲ୍ଲୀ କ୍ଯାପାଟାଲ୍ସର ପ୍ରଥମ ଟାଇଟଲ ଆଶା ଧୂଳିସାତ ହୋଇଯାଇଛି । ପ୍ରଥମେ ଟସ୍ ଜିତି ବ୍ଯାଟିଂ କରିଥିଲା ଦିଲ୍ଲୀ କ୍ଯାପିଟାଲ୍ସ । ୧୮ ଦଶମିକ ୩ ଓଭରରେ ଦଳ ୧୧୩ ରନ କରି ଅଲଆଉଟ୍ ହୋଇଯାଇଥିଲା । ଆରମ୍ଭରୁ କ୍ଯାପଟେନ୍ ଲାନିଙ୍ଗ ଓ ଶେଫାଳୀ ବର୍ମା ଭଲ ଆରମ୍ଭ କରିଥିଲେ । ୭ ଓଭରରେ ଦଳୀୟ ସ୍କୋର ୬୪ ଥିବାବେଳେ ୨୭ ବଲରେ ୪୪ ରନ କରି ଆଉଟ୍ ହୋଇଥିଲେ ଶେଫାଳୀ । ଏହାପରେ କ୍ରମାଗତଭାବେ ଦଳ ୱିକେଟ୍ ହରାଇଥିଲା । ସେହି ୬୪ ରନରେ ହିଁ ୩ ୱିକେଟ ହରାଇ ଦିଲ୍ଲୀର ପ୍ରାରମ୍ଭିକ ବ୍ଯାଟିଂ ବିପର୍ଯ୍ୟସ୍ତ ହୋଇଯାଇଥିଲା ।

ପରେ ୧୧୩ ରନ କରିବାକୁ ସକ୍ଷମ ହୋଇଥିଲା ଦଳ । ଶ୍ରେୟଙ୍କା ପାଟିଲ ୪ ୱିକେଟ ନେଇ ଦିଲ୍ଲୀକୁ ଦୁର୍ବଳ କରିଦେଇଥିଲେ । ମୋଲିନେକ୍ସ ୩ଟି ଓ ଆଶା ଶୋଭନା ୨ଟି ୱିକେଟ ନେଇଥିଲେ । ଦିଲ୍ଲୀ ତରଫରୁ ଶେଫାଳୀ ସର୍ବାଧିକ ୪୪ ରନ କରିଥିବାବେଳେ ଲାନିଙ୍ଗ ୨୩ ରନ କରିଥିଲେ । ୧୧୪ ରନର ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଂଲାଲୋର । ସ୍ମୃତି ମନ୍ଦାନା ଓ ସୋଫିଆ ଦେବୀନା ଦଳକୁ ଭଲ ଆରମ୍ଭ ଦେଇଥିଲେ । ପରେ ଏଲିସ ପେରୀ ଓ ରିଚା ଘୋଷ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଆରସିବିର ଭଲ ପ୍ରଦର୍ଶନ ସତ୍ତ୍ବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଥିଲା ମ୍ଯାଚ୍ । ହେଲେ ଏଲିସ ପେରୀ ଓ ରିଚାଙ୍କ ଲଢୁଆ ବ୍ଯାଟିଂ ଦଳକୁ ବିଜୟ ଦ୍ବାରଦେଶକୁ ନେଇଯାଇଥିଲା । ଶେଷ ଓଭରରେ ୩ଟି ବଲ ବାକିଥାଇ ଟାର୍ଗେଟ ୧୧୪ ରନକୁ ହାସଲ କରିଥିଲା ଆରସିବି । ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ ଦଳ ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ଚାମ୍ପିଅନ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଏଲିସ ସର୍ବାଧିକ ୩୫, ସୋଫିଆ ୩୨, ସ୍ମୃତି ମନ୍ଦାନା ୩୧ ଓ ରିଚା ୧୭ ରନ କରିଥିଲେ ।

ନିଖୋଜ ନାବାଳିକାଙ୍କ ମୃତଦେହ ଠାବ

ରାୟଗଡ଼ା: ନିଖୋଜ ନାବାଳିକାଙ୍କ ମୃତଦେହ ଠାବ। ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ନାବାଳିକାଙ୍କ ମୃତଦେହ ଠାବ ହୋଇଛି। ଛାତ୍ରୀ ଜଣକ ଗତ ୧୨ଦିନ ତଳେ ରାତିରୁ ନିଖୋଜ ହୋଇଯାଇଥିଲେ । ପରିବାରଲୋକେ ଆଖପାଖ ଗାଁରେ ଖୋଜାଖୋଜି କରିବା ପରେ ନାବାଳିକାଙ୍କ ସନ୍ଧାନ ନପାଇ ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଦେଖି ଗାଁରେ ଖବର ଦେଇଥିଲେ କିଛି ଛେଳି ଚରାଳି। ଖବରପାଇବା ପରେ  ପରିବାର ଲୋକେ ମୃତଦେହର ପୋଷାକ ଦେଖି ନିଜଝିଅ ବୋଲି ଚିହ୍ନଟ କରିଥିଲେ। ହତ୍ୟା ନେଇ ପୁଣି ପରିବାର ଲୋକାଙ୍କ ଅଭିଯୋଗ ପରେ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସନ୍ଦେହଘେରରେ ଛାତ୍ରୀଙ୍କ ମୃତ୍ୟୁ

ମାଲକାନଗିରି: ସନ୍ଦେହ ଜନକ ଅବସ୍ଥାରେ ଘରୋଇ ହଷ୍ଟେଲରେ ନାବାଳିକା ଛାତ୍ରୀର ମୃତ୍ୟୁ । ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ୍ଭି-୭ ଗାଁରେ ଥିବା ଗଣେଶ ହଷ୍ଟେଲରେ ଏମ୍ପିଭି-୧୩୦ ଗାଁର ବିଶ୍ଵଜିତ ମଣ୍ଡଳଙ୍କ ଝିଅର ସନ୍ଧେହ ଜନକ ଅବସ୍ତାରେ ମୃତ୍ୟୁ ହୋଇଛି ।  ବିଶ୍ଵଜିତଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଏହି ଘରୋଇ ହଷ୍ଟେଲରେ ରହି ଆସୁଥିଲା । ହଟାତ ଆଜି ଝିଅଟିର ଦେହ ଗୁରୁତ୍ତର ଥିବା ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ହଷ୍ଟେଲ ପରିଚାଳକ ଖବର ଦେଇଥିଲେ । ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅଟି ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଥିଲେ ।  ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରି ଏହାର ଉଚିତ ତଦନ୍ତ କରିବାକୁ ଦାବି କରିଥିଲେ । ସେପଟେ  ଝିଅଟି ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି ହଷ୍ଟେଲ କର୍ତ୍ତୁପକ୍ଷ  । ତେବେ ଏନେଇ ଖବର ପାଇ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାସ୍ତା ପାର ହେଉଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା କାର

ସୁନ୍ଦରଗଡ଼: ରାସ୍ତା ପାର ହେଉଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା କାର । ସୁନ୍ଦରଗଡ଼ ସଦର ଥାନା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଯୁବକଙ୍କର ମୃତ୍ଯୁ ହୋଇଛି । ଯୁବକଙ୍କ ମୃତ୍ଯୁ ପରେ ଉତ୍ତ୍ଯକ୍ତ ଲୋକମାନେ କାରଟିକୁ ଜାଳିଦେଇଛନ୍ତି । ମୃତକ ମୁଣ୍ଡାପଡ଼ାର ଗୁରୁ ମୁଣ୍ଡା ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

୨ଟି ସ୍ଥାନରେ ଠାବ ହେଲା ସେକ୍ସ ରାକେଟ୍

ନନ୍ଦିଘୋଷ ବ୍ୟୁରୋ: ନୀଳଗିରି ଥାନା ମର୍ଦ୍ଦରାଜପୁର ଅଞ୍ଚଳରେ ସେକ୍ସ ରାକେଟ ଠାବ କଲେ ଗ୍ରାମବାସୀ । ୨ ଯୁବତୀଙ୍କ ଉଦ୍ଧାର ସହ ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ପୋଲିସର ଜିମା ଦେଲେ ଜନସାଧାରଣ । ଗାଁ ପାଖ ଏକ ଘରେ ଦେହ ବ୍ଯବସାୟ ଚାଲିଥିବାବେଳେ ଗାଁ ଲୋକ ସେଠାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି । ଉଦ୍ଧାର ଯୁବତୀ ବାରିପଦା ଓ ଭୁବନେଶ୍ବର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୩ଟି ବାଇକ ଓ ଗୋଟିଏ କାର ଜବତ ହୋଇଛି ।

ବଲାଙ୍ଗୀର ଜିଲ୍ଲା ଖର୍ସେଲପଡାରେ ସେକ୍ସ ରକେଟ ଠାବ ହୋଇଛି । ଟାଉନ୍ ଥାନା ପୋଲିସ  ରେଡ୍ କରି ୪ରୁ ୫ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଯୁବକଙ୍କୁ ଅଟକ ରଖିଛି । ଘରକୁ ଚାରିପଟୁ ଘେରି ସେକ୍ସ ରାକେଟ ଠାବ କରିଛି ପୋଲିସ । ଭଡ଼ାଘରେ ଦୀର୍ଘଦିନ ଧରି ଦେହବ୍ଯବସାୟ ଚାଲିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅନେକ ଆପତ୍ତିଜନକ ସାମଗ୍ରୀ ସହ ମଦ ଜବତ ହୋଇଛି ।

 

 

ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହେବ ଉତ୍ତର ପୁରୁଷ ନାଟକ ଉତ୍ସବ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହେବ ଉତ୍ତର ପୁରୁଷ ନାଟକ ଉତ୍ସବ।୩ ଦିନ ଧରି ରବୀନ୍ଦ୍ର ମଣ୍ଡପ ରେ ମଞ୍ଚସ୍ଥ ହେବ ନାଟକ।  ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖ ଦିନ ବିଶ୍ୱଜିତ୍ ଦାସ ଙ୍କ ରଚିତ ନାଟକ ମୃଗୟା ମଞ୍ଚସ୍ଥ ହେବ। ସେହିଭଳି ମାର୍ଚ୍ଚ ୨୧ ତାରିଖ ରେ ଅଧ୍ୟାପକ ନାରାୟଣ ସାହୁ ଙ୍କ ରଚିତ ନାଟକ ଯାହା କହି ହୁଏନା ପରିବେଷଣ ହେବା ସହ ୨୨ ତାରିଖରେ ପରିବେଷିତ ହେବ ନାଟକ ସରଳାର ଚିଠି। ଏଥିସହ ଚଳିତବର୍ଷ ପ୍ରଥମ ଥର ପାଇଁ ଉତରପୁରୁଷ ପକ୍ଷରୁ ୪ ଟି ପୁରସ୍କାର ଓ ୩ ଜଣ ନାଟ୍ୟ ବ୍ୟକ୍ତିତ୍ଵ ଙ୍କୁ ସମ୍ବୋର୍ଦ୍ଧିତ କରାଯିବ।ଦର୍ଶକ ସଦସ୍ୟ ସମ୍ମାନ ରେ ସମ୍ମାନିତ ହେବେ ଶଶିପ୍ରଭା ଦାସ ।ସେହିଭଳି ଗୌରଶ୍ୟାମ  ମହାପାତ୍ର ସମ୍ମାନ ରେ ସମ୍ମାନୀତ ହେବେ ପ୍ରଶାନ୍ତ କୁମାର ସ୍ବାଇଁ , ଉତ୍ତର ପୁରୁଷ ସମ୍ମାନ ରେ ସମ୍ମାନୀତ ହେବେ ରମେଶ ମହାନ୍ତି ଓ ଅସୀମ ବସୁ ସମ୍ମାନ ରେ ସମ୍ମାନୀତ ହେବେ ଧୀରେନ୍ଦ୍ର ନାଥ ମଲ୍ଲିକ । ନାଟକ ପ୍ରତି ଲୋକଙ୍କର ରୁଚି ବଢାଇବା ପାଇଁ ଉତ୍ତର ପୁରୁଷ ପକ୍ଷରୁ ଦର୍ଶକ ସମ୍ମାନ ପ୍ରଦାନ କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।

ମାନବ ବିକାଶ ସୂଚକାଙ୍କରେ ଭାରତ ତଳଆଡ଼ୁ ୧୩୪ ତମ ସ୍ଥାନରେ..

ଭୁବନେଶ୍ବର: ଲୋକଙ୍କ ଆର୍ଥିକ ବିକାଶ ହେଉଛି। ଦେଶ ପ୍ରଗତି କରୁଛି। ତଥାପି ମାନବ ବିକାଶ ସୂଚକାଙ୍କ ରିପୋର୍ଟରେ ତଳକୁ ଖସୁଛି ଭାରତ। ଯୁଏନ୍‌ଡିପି ରିପୋର୍ଟ ଅନୁଯାୟୀ ୧୯୩ ଦେଶ ଭିତରେ ଭାରତର ସ୍ଥାନ ୧୩୪ ତମ ସ୍ଥାନରେ। ଏପରିକି ଶ୍ରୀଲଙ୍କା, ବାଂଲାଦେଶ ଓ ଭୁଟାନ ଭଳି ଛୋଟ ଦେଶଠାରୁ ବି ତଳେ ରହିଛି ଭାରତ । ସମୀକ୍ଷକଙ୍କ ମତ, ଲୋକଙ୍କ ଆବଶ୍ୟକତା ଦେଖି ଯୋଜନା ହୋଇପାରୁନି କିମ୍ବା ସବୁ ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚିପାରୁନି।

ମାନବ ବିକାଶ ସୂଚକାଙ୍କରେ ଭାରତ ତଳଆଡ଼ୁ ୧୩୪ ତମ ସ୍ଥାନରେ। ୟୁଏନ୍‌ଡିପିରେ ପ୍ରକାଶ ପାଇଛି ଏ ରିପୋର୍ଟ। ଏପରିକି ବାଂଲାଦେଶ, ଶ୍ରୀଲଙ୍କା ଭୁଟାନ ଭଳି ଦେଶଠାରୁ ତଳେ ରହିଛି ଭାରତ। ରିପୋର୍ଟ କହୁଛି, ଦେଶରେ ଲୋକଙ୍କ ମୁଣ୍ଡ ପିଛା ଆୟ ବଢ଼ିଛି । ଜୀବନଧାରଣ ମାନରେ ଉନ୍ନତି ଆସିଛି ।

ସୁଦୃଢ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଲୋକଙ୍କ ଆୟୁ ବୃଦ୍ଧି ପାଇପାରିଛି। ସ୍କୁଲ ଡ୍ରପ୍‌ ଆଉଟ ହାର କମୁଛି, ହେଲେ ଲୋକଙ୍କ ସାମଗ୍ରୀକ ବିକାଶ କ୍ଷେତ୍ରରେ ସେତେଟା ଉପଲବ୍ଧି ହୋଇପାରିନି। ତେବେ କାହିଁକି ଓ କଣ ପାଇଁ ଦେଶର ଏ ସ୍ଥିତି ?। ବିଶେଷଜ୍ଞଙ୍କ ମତ ଶ୍ରୀଲଙ୍କା ଓ ବାଂଲାଦେଶକୁ ଭାରତ ସହିତ ତୁଳନା କରିବା ଠିକ୍‌ ହେବନି । ଭାରତର ଜନସଂଖ୍ୟା ୧୪୦ କୋଟି ଥିବାବେଳେ ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶର ଜନସଂଖ୍ୟା ଭାରତର ଗୋଟିଏ ଲେଖାଏଁ ରାଜ୍ୟର ଜନସଂଖ୍ୟା ସହିତ ସମାନ । ଦେଶର ଲୋକଙ୍କ ଆବଶ୍ୟକତାକୁ ଦେଖି ଯଦି ଯୋଜନା ପ୍ରଣୟନ ହେଉନି କିମ୍ବା ସବୁ ଯୋଜନା ଲୋକଙ୍କ ପାଖରେ ସଠିକ୍‌ ଭାବେ ପହଞ୍ଚିପାରୁନି ତାହେଲେ ମାନବ ବିକାଶ ଗତି ମନ୍ଥର ହେବ ।

ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ବଢ଼ି ଚାଲିଛି। ଏଥିପାଇଁ ୟୁଏନ୍‌ଡିପି ତାର ରିପୋର୍ଟରେ ଏହି ତାରତମ୍ୟକୁ ହ୍ରାସ କରିବା ପାଇଁ ପରାମର୍ଶ ଦେଇଛି ।ଶିକ୍ଷା, ସ୍ବାସ୍ଥ୍ୟ, ମୁଣ୍ଡ ପିଛା ଆୟ ପରି ୩ଟି ମାନଦଣ୍ଡକୁ ଅନୁଧ୍ୟାନ କରାଯାଇଛି । ଏ କ୍ଷେତ୍ରରେ ରାଜ୍ୟ ଲୋକଙ୍କ ଜୀବନଧାରଣ ମାନ ବୃଦ୍ଧି କରିବାରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଯେତିକି ଫୋକସ୍‌ କରିବା କଥା ସେପରି କରିପାରିନାହାନ୍ତି । ୟୁଏନ୍‌ଡିପି ରିପୋର୍ଟ ସରକାରଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟକୁ ଆଧାର କରି ଜାତିସଂଘକୁ ରିପୋର୍ଟ କରିଥାନ୍ତି।

ମାନବ ବିକାଶ ସୂଚକାଙ୍କ ଉପରକୁ ଉଠିବାକୁ ହେଲେ ଭାରତକୁ ଆହୁରି ଅଧିକ ପଥ ଅତିକ୍ରମ କରିବାକୁ ପଡ଼ିବ। ଏତେବଡ଼ ଗଣତନ୍ତ୍ରରେ ବିବିଧତା ଭିତରେ ସମସ୍ତଙ୍କ ଖାଦ୍ୟାଭ୍ୟାସ, ଜୀବନଶୈଳୀ ଅଲଗା। ସେସବୁକୁ ଅନୁଧ୍ୟାନ କରି ନୀତି ନିର୍ଦ୍ଧାରଣ କଲେ ମାନବ ବିକାଶ ସୂଚକାଙ୍କରେ ଦେଶ ଆହୁରି ଉନ୍ନୀତ ହୋଇପାରିବ।

ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ବଦଳିଲା ମତଗଣନା ତାରିଖ

ନନ୍ଦିଘୋଷ ବ୍ୟୁରୋ: ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ବଦଳିଲା ମତଗଣନା ତାରିଖ । ବିଧାନସଭା ଭୋଟ ଗଣତି ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଅନୁଷ୍ଠିତ ହେବ ଭୋଟ ଗଣତି । ପୂର୍ବରୁ ଏହି ତାରିଖ ଜୁନ ୪ ତାରିଖ ଥିଲା। ରାଜ୍ୟରେ ସରକାରଙ୍କ କାର୍ଯ୍ୟକାଳ ଜୁନ୍ ୨ ତାରିଖରେ ଶେଷ ହେଉଥିବାରୁ ଭୋଟ ଗଣତି ତାରିଖରେ ପରିବର୍ତ୍ତନ କରାଯାଇଛି। ଯାହା ଫଳରେ ନୂତନ ସରକାର ଗଠନ ପାଇଁ ଠିକ ସମୟରେ ଫଳାଫଳ ଆସି ପାରିବ ଏବଂ ପୂର୍ବ ସରକାରଙ୍କ କାର୍ଯ୍ୟକାଳ ଶେଷ ହୋଇଥିବ। ସିକ୍କିମ ଏବଂ ଅରୁଣାଞ୍ଚଳରେ ଏପ୍ରିଲ ୧୯ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଉଭଯ ରାଜ୍ଯରେ ଲୋକସଭା ଆସନ ପାଇଁ ମଧ୍ଯ ଏପ୍ରିଲ ୧୯ ରୁ ମତଦାନ ହେବାକୁ ଯାଉଛି। ସାତୋଟି ପର୍ଯ୍ୟାୟରେ ହେବ ଭୋଟ୍ । ପ୍ରଥମ ପର୍ୟ୍ୟାୟରେ ଅରୁଣାଚଳର ଦୁଇଟି ଲୋକସଭା ଆସନ ଏବଂ ସିକିମରେ ଗୋଟିଏ ଆସନ ପାଇଁ ଏପ୍ରିଲ୍ ୧୯ ରେ ଭୋଟ୍ ଗ୍ରହଣ ହେବ। ଏକାସାଙ୍ଗରେ ସେମାନେ ନିଜ ରାଜ୍ୟ ସରକାର ଚୟନ କରିବାକୁ ଭୋଟ୍ ଦେବେ। ଲୋକସଭା ଫଳାଫଳ ଜୁନ୪ରେ ଆସିବ।