spot_img
Home Blog Page 2187

ନୂଆ ବର୍ଷରୁ ପ୍ରଥମ ମହାକାଶ ଅଭିଯାନ :‘ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ : ପୁଣି ଇତିହାସ ରଚିଲା ଇସ୍ରୋ ।  ନୂଆବର୍ଷରୁ ପ୍ରଥମ ମହାକାଶ ଅଭିଯାନ । ‘ଏକ୍ସପୋସାଟ୍’ର ହେଲା ସଫଳ ଉତକ୍ଷେପଣ । ଲଞ୍ଚ ହେଲା ଏକ୍ସରେ ପୋଲାରିମିଟର ସାଟେଲାଇଟ୍ ଏକ୍ସପୋସାଟ୍ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ସକାଳ ୯ ଟା ୧୦ ମିନିଟରେ ଉତକ୍ଷେପଣ ହୋଇଛି । ପିଏସଏଲଭି-ସି୫୮ ରକେଟ ଜରିଆରେ ଏକ୍ସପୋସାଟକୁ ଉତକ୍ଷେପଣ କରାଯାଇଛି।

ଏହି ଅଭିଯାନ ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟି । ବିଶ୍ବବ୍ରହ୍ମାଣ୍ଡର ୫୦ଟି ଉଜ୍ବଳତମ ମହାଜାଗତିକ ଉତ୍ସ ନେଇ ଗବେଷଣା କରିବ । ବ୍ଲାକ ହୋଲ ଏକ୍ସରେ ବାଇନାରି, ନନଥର୍ମାଲ ସୁପରନୋଭା ରେମାଣ୍ଟ, ନ୍ୟୁରନ ଷ୍ଟାର, ଆକ୍ଟିଭ ଗାଲାକ୍ଟିକ ନ୍ୟୁକ୍ଲି, ପଲସାର ଆଦି ସମ୍ପର୍କରେ ଗବେଷଣା କରିବ ଏକ୍ସପୋସାଟ୍ । ପୃଥିବୀର କକ୍ଷ ପଥର ୫୦୦ରୁ ୭୦୦ କିଲୋମିଟର ଦୂରରେ ଏହାକୁ କରାଯିବା ଅବସ୍ଥାନ । ଏହାର ଅବଧି ରହିବ ୫ ବର୍ଷ । ଏଥିରେ ୧୦ଟି ପେଲୋଡ ପଠାଯାଇଛି । ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା ଏକ୍ସ-ରେ ପୋଲାରିମେଟ୍ରି ଏକ୍ସପ୍ଲୋରର ପ୍ରେରଣ କରିଛି ।

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି, ରଥ କାଠ ନିମନ୍ତେ ହେବ ଗଛକଟା ଅନୁକୂଳ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ଼ ଅଭିମୁଖେ ଯାତ୍ରା କରିବ ସ୍ବତନ୍ତ୍ର ଟିମ । ଟିମରେ ଶ୍ରୀମନ୍ଦିର ରଥ ତତ୍ତ୍ବାବଧାରକ, ରଥ ଅମିନ ଓ ଭୋଇ ସର୍ଦ୍ଦାର ଯିବାକୁ ଥିବାବେଳେ ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ୍ଦ, ଖଣ୍ଡୁଆ, ଧୂପଦୀପ, ନଡ଼ିଆ ପ୍ରଭୃତି ନିଆଯିବ ।

ପରମ୍ପରା ଅନୁଯାୟୀ ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚି଼ହ୍ନଟ ହୋଇ ଗଣିଆର ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହୋଇ ଗଛକଟା ଅନୁକୂଳ କରାଯିବ । ପରେ ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇବ । ତେବେ ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି । ଆବଶ୍ୟକୀୟ ମୋଟ ୮୧୨ ଖଣ୍ଡ କାଠ ଚି଼ହ୍ନଟ କରିବ ଟିମ । ଯାହାକୁ ପର୍ଯ୍ୟାୟ କ୍ରମେ ବନବିଭାଗ ପକ୍ଷରୁ ଶ୍ରୀମନ୍ଦିର ନିକଟକୁ କଟାଯାଇ ପଠାଯିବ ।

ମାଇଲଖୁଣ୍ଟ ଅତିକ୍ରମ କଲା ମାନବଜାତି ; ବିଶ୍ବ ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮୦୦ କୋଟି ଅତିକ୍ରମ

ନନ୍ଦିଘୋଷ ବ୍ୟୁରୋ : ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ମାନବଜାତି । ଆଜି ବିଶ୍ବର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ ବା ୮୦୦ କୋଟି ଅତିକ୍ରମ କରିଛି । ଏନେଇ ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଏହି ସଂଖ୍ୟା ମାତ୍ର ଗୋଟିଏ ବର୍ଷରେ ୭୫ ନିୟୁତରୁ ଅଧିକ ଲୋକଙ୍କ ବୃଦ୍ଧିକୁ ଦର୍ଶାଉଛି । ବିଶ୍ବରେ ପ୍ରତି ସେକେଣ୍ଡରେ ପ୍ରାୟ ୪ ଦଶମିକ ୩ଟି ଜନ୍ମ ଏବଂ ୨ ଜଣଙ୍କ ମୃତ୍ୟୁ ହେଉଛି। ବିଗତ ବର୍ଷ ତୁଳନାରେ ବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇ ମାତ୍ର ୧ ପ୍ରତିଶତରୁ କମ୍ ରହିଛି ।

ଆଜି ପହିଲାରେ ବିଶ୍ୱର ଆନୁମାନିକ ଜନସଂଖ୍ୟା ୮୦୦ କୋଟି ରହିଛି । ଯାହା କି ୨୦୨୩ ନବବର୍ଷ ତୁଳନାରେ ଢେର ଅଧିକ। ଫୋର୍ବସ୍ର ଏକ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୨ରେ ଜାତିସଂଘ ଆକଳନ କରିଥିଲା ଯେ ୭ ବିଲିୟନରେ ପହଞ୍ଚିବାର ୧୧ ବର୍ଷ ପରେ ବିଶ୍ୱ ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିବ । ପ୍ରଜନନ ହାର ହ୍ରାସ ଏବଂ ଯୁବକଙ୍କ ସଂଖ୍ୟା କମ୍ ହେବା ଭଳି କାରଣରୁ ଜନଗଣନା ବ୍ୟୁରୋ ଆକଳନ କରିଛି ଯେ ୯ ବିଲିୟନ ଜନସଂଖ୍ୟା ହାସଲ କରିବା ପାଇଁ ୧୪ ବର୍ଷରୁ ଅଧିକ ସମୟ ଲାଗିବ । ଏହାବ୍ୟତୀତ ୧୦ ବିଲିୟନ ଛୁଇଁବା ପାଇଁ ଅତିରିକ୍ତ ୧୬ ଦଶମିକ ୪ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି।

ହାଇକୋର୍ଟରେ ନୂଆ ନିୟମ; ଆଜିଠୁ ଦାଖଲ ମାମଲାର ଯାଞ୍ଚ ପରେ ମିଳିବ ନମ୍ବର

କଟକ : ଆଜିଠୁ ହାଇକୋର୍ଟରେ ନୂଆ ନିୟମ । ଦାଖଲ ମାମଲାର ଯାଞ୍ଚ ପରେ ମିଳିବ ନମ୍ବର । ହାଇକୋର୍ଟରେ ଜାମିନ ଆବେଦନ ବିଭାଗ ହେବ ପେପରଲେସ୍ । ସିଆରପିସିର ଧାରା ୪୩୮ ଓ ୪୩୯ରେ ରୁଜୁ ଜାମିନ ଆବେଦନ ଗୁଡିକର ରେକର୍ଡ ପେପରଲେସ୍ ବ୍ୟବସ୍ଥାରେ ବିଭିନ୍ନ ସଂଯୁକ୍ତ ବିଭାଗ ଯଥା ଷ୍ଟାମ୍ପ ରିପୋର୍ଟିଂ ବିଭାଗ, ଜାମିନ ବିଭାଗ, ଲିଷ୍ଟ ବିଭାଗ ମଧ୍ୟରେ ଆଦାନପ୍ରଦାନ ହେବ ।

ଅଦାଲତରେ ପେପରଲେସ୍ ବ୍ୟବସ୍ଥା କାର୍ଯ୍ୟକାରିତାକୁ ଗୁରୁତ୍ବ ଦିଆଯିବା ପ୍ରକ୍ରିୟାରେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ମାମଲା ଦାୟର ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଥିଲେ । ପୂର୍ବରୁ ହାଇକୋର୍ଟରେ ନୂଆ ମାମଲା ଦାଖଲ ହେବା ପରେ ସିଧାସଳଖ ପଞ୍ଜୀକରଣ କରାଯାଉଥିଲା। ମାମଲାର ନମ୍ବର ବି ମିଳି ଯାଉଥିଲା। ଏବେ ହାଇକୋର୍ଟରେ ଦାଖଲ ନୂଆ ମାମଲାକୁ ପ୍ରଥମେ ଡାଏରି ନମ୍ବର ଦିଆଯିବ। ମାମଲାର ଯାଞ୍ଚ ପରେ ଯଦି ସବୁ ଠିକ ଥିବ ତେବେ ଏହାକୁ ପଞ୍ଜୀକରଣ କରାଯିବ ।

ଆଜିଠୁ ଯେଉଁ ସବୁ ମାମଲା ଦାଖଲ ହେବ, ତାହାକୁ ପ୍ରଥମେ ଡାଏରୀ ନମ୍ବର ଦିଆଯିବ। ତା ପରେ ଷ୍ଟାମ୍ପ ରିପୋର୍ଟରଙ୍କ ଦ୍ବାରା ମାମଲାର ଯାଞ୍ଚ କରାଯିବ। ଯଦି ମାମଲାରେ କିଛି ତ୍ରୁଟି ନଥିବ ତେବେ ଫାଇଲିଂ ସେକ୍ସନ୍ ଏହାକୁ ପଞ୍ଜୀକରଣ କରିବ । ମାମଲାର ପଞ୍ଜୀକରଣ ପରେ ଆବେଦନକାରୀଙ୍କୁ ଏକ ବୈଧ ମାମଲା ନମ୍ବର ପ୍ରଦାନ କରାଯିବ। ଡାଏରି ନମ୍ବର ଠାରୁ ମାମଲା ନମ୍ବର ଭିନ୍ନ ରହିବ । ଯଦି ଦାଖଲ ମାମଲାରେ କିଛି ତ୍ରୁଟି ଥିବ ତେବେ ଏନେଇ ହାଇକୋର୍ଟଙ୍କ ଓ୍ବେବସାଇଟରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ।

ଆଇନଜୀବୀ ଓ ପକ୍ଷଙ୍କ ଦ୍ବାରା ଏପରି ମାମଲାର ତ୍ରୁଟି ଦୂର ପାଇଁ ଦାଖଲ ଠାରୁ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ହୁଏ ତେବେ ଫାଇଲିଂ ସେକ୍ସନ୍ ଦ୍ବାରା ଏହାର ପଞ୍ଜୀକରଣ କରାଯାଇ ନମ୍ବର ପ୍ରଦାନ କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ନ କରାଯାଏ ତେବେ ମାମଲାକୁ ଖାରଜ କରି ଦିଆଯିବ। ବିଭିନ୍ନ କାର୍ଯ୍ୟର ସମୟ ନିର୍ଘଣ୍ଟ ନେଇ ମଧ୍ୟ ହାଇକୋର୍ଟଙ୍କ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଆଜିଠୁ ଶ୍ରୀମନ୍ଦିରରେ ନୂଆ ନିୟମ, ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିନଥିଲେ ଶ୍ରୀମନ୍ଦିର ମନା

ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ନୂଆ ନିୟମ । ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିନଥିଲେ ଶ୍ରୀମନ୍ଦିର ମନା । ମହାପ୍ରଭୁଙ୍କ ବିଜେସ୍ଥଳୀ ଶ୍ରୀମନ୍ଦିର ଏକ ପବିତ୍ର ସ୍ଥାନ । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଶାଳୀନତାପୂର୍ଣ୍ଣ ପୋଷାକ ଆବଶ୍ୟକ । ଏହାଦ୍ବାରା ମନରେ ଓ ପରିବେଶରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହେବ । ପୁରୁଷମାନେ ପାରମ୍ପରିକ ପଞ୍ଜାବୀ, ଧୋତି ଏବଂ କୁର୍ତ୍ତା ସହିତ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଆସିବାସହ ମହିଳା ମାନେ ଶାଢ଼ୀ, ସାଲଓ୍ବାର ଓ କମିଜ୍ ତଥା ଶରୀର ସମ୍ପୂର୍ଣ୍ଣ ଢାଙ୍କି ହେବା ଭଳି ପୋଷାକ ପିନ୍ଧିବାକୁ କୁହାଯାଇଛି । ପୂର୍ବରୁ ଏନେଇ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଇଥିଲା । ବିଭିନ୍ନ ହୋଟେଲ ମାନଙ୍କରେ ମଧ୍ୟ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଛି ।

ପାରମ୍ପରିକ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ଆସିବାକୁ ନିୟମ କରାଯାଇଥିବାରୁ ଏହାକୁ ସବୁ ମହଲରୁ ସ୍ବାଗତ କରାଯାଇଛି । ଭାରତର ଅନେକ ପ୍ରସିଦ୍ଧ ମନ୍ଦିରରେ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ ଲାଗୁ ହୋଇଛି । ଏପଟେ ନୂଆବର୍ଷରେ ଜଗାଦର୍ଶନ ପାଇଁ ପାଇଁ ପୁରୀରେ ଲାଗିଛି ଖଚାଖଚ ଭିଡ଼ । ଶୀତତାପ ନିୟନ୍ତ୍ରିତ ଚଲାପଥରେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ତା ମଧ୍ୟରେ ପାନୀୟଜଳ, ଆଲୋକ ସମେତ ବସିବାର ବ୍ୟବସ୍ଥା ରହିଛି । ଶୀତତାପ ନିୟନ୍ତ୍ରିତ ଚଲାପଥ ଦେଇ ସିଧାସଳଖ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ବାସ୍ତବତାର ଯାତ୍ରା ଭରିବ ମେଟ୍ରୋ ସ୍ବପ୍ନ; ଆଜି କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆଜି ନୂଆ ବର୍ଷରେ ଲେଖାହେବ ନୂଆ ଅଧ୍ୟାୟ । କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଐତିହାସିକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ହେବ ଶିଳାନ୍ୟାସ ଉତ୍ସବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୬ହଜାର ୨୫୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର ମେଟ୍ରୋ ଚଳାଚଳ ପାଇଁ ତ୍ରିଶୂଳିଆ ଛକ ହେବ ପରିବହନର ମୁଖ୍ୟ କେନ୍ଦ୍ରସ୍ଥଳୀ ।

ବାରଙ୍ଗ ମୌଜାରେ ମେଟ୍ରୋ ଟ୍ରେନ ପ୍ରକଳ୍ପର କେନ୍ଦ୍ରୀୟ ଓ୍ବାର୍କସପ୍ କରାଯିବ । ବାରଙ୍ଗ ରତାଗଡ଼ ଅଞ୍ଚଳରେ ୨୦ ଏକର ଜମିରେ ସର୍ଭେ କାମ ବି ଶେଷ ହୋଇଛି । ୪ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମେଟ୍ରୋ ଟ୍ରେନ ଶିଳ୍ୟାନ୍ୟାସ ଉତ୍ସବ ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ବାରଙ୍ଗ ଛକ, ବାରଙ୍ଗରୁ ରତାଗଡ଼-ଲେଙ୍କାସାହି ଶିଳାନ୍ୟାସ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ସବୁଠି ଜୋରଦାର ପ୍ରସ୍ତୁତି କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ପରେ ଆରମ୍ଭ ହେବ ବିଶାଳ ରୋଡ଼ ସୋ । ସବୁ ପ୍ରମୁଖ ଛକରେ ସମ୍ବର୍ଦ୍ଧନା ଓ କୃତଜ୍ଞତା ପାଇଁ ହଜାର ହଜାର ଲୋକ ଏକାଠି ହେବେ । ବାରଙ୍ଗ ଯିବା ବେଳେ ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । କ୍ୟାପିଟାଲ ହସ୍ପିଟାଲ, ଶାସ୍ତ୍ରୀନଗର, କଳିଙ୍ଗ ଷ୍ଟାଡ଼ିୟମ, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଚନ୍ଦ୍ରଶେଖରପୁର, ପଟିଆ, କିଟ୍ ଛକ, ନନ୍ଦନବିହାର, ରଘୁନାଥପୁର, ବାରଙ୍ଗ, ଫୁଲପୋଖରୀରେ ସମ୍ବର୍ଦ୍ଧନା ପର୍ବର ଆୟୋଜନ ହୋଇଛି ।

ବିଦାୟ ନେଲା ୨୦୨୩, ନୂଆ ଆଶା ନୂଆ ଉତ୍ସାହ ନେଇ ଆସିଲା ୨୦୨୪

ଭୁବନେଶ୍ୱର : ବିଦାୟ ନେଲା ୨୦୨୩, ପାଦ ଥାପିଲା ୨୦୨୪ । ନୂଆବର୍ଷକୁ ସ୍ବାଗତ କଲେ ବିଶ୍ବବାସୀ । ମଧ୍ୟରାତ୍ରୀରେ ଆକାଶରେ ଝଲସି ଉଠିଥିଲା ଖୁସିର ରଙ୍ଗ ବେରଙ୍ଗ ଦୃଶ୍ୟ । ମଧୁମୟ ସ୍ମୃତିକୁ ମନେ ପକାଇ ଓ କିଛି ତିକ୍ତ ଅନୁଭୂତି ଭୁଲିଯାଇ ସ୍ବାଗତ ହେଲା ନୂଆବର୍ଷ । ନୂଆ କିଛି କରିବା ପାଇଁ ସଂକଳ୍ପ ନେଇ ଆରମ୍ଭ ହୋଇଛି ୨୦୨୪ । ଜିରୋ ନାଇଟ୍ ସେଲିବ୍ରେସନ ସହ ହୋଟେଲ୍ ଓ ବାରରେ ହେଲା ବ୍ୟାପକ କାର୍ଯ୍ୟକ୍ରମ ।

ସିନ୍ଦୁରା ଫାଟି ପୃଥିବୀକୁ ସଜେଇ ଦେଇଛି ନୂଆ ସକାଳର ସୁନେଲି ସୂର୍ଯ୍ୟ । ସବୁଠି ପ୍ରକମ୍ପିତ ହେଉଛି ହାପି ନ୍ୟୁ ଇୟର । ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଗହଳି । ନୂଆବର୍ଷକୁ ବେଶ ଆଡମ୍ବରରେ ପାଳନ କରିଛନ୍ତି ଲୋକେ । ପାର୍କ, କ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ସହ ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଖାଲି ଓଡ଼ିଶାରେ ନୁହେଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଏକାଠି ହୋଇଛନ୍ତି ଲୋକେ । ସବୁଠି ନବବର୍ଷକୁ ଜୋରଦାର ସ୍ବାଗତ କରିଛନ୍ତି ।

ବାଲୁକାକଳାରେ ନୂଆବର୍ଷକୁ ସ୍ବାଗତ

ପୁରୀ: ନୂଆବର୍ଷ ପାଇଁ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ । ଶୁଭକାମନା ଜଣାଇ ଏହାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର କଳାକୃତି ନିର୍ମାଣ କରି ନୂଆବର୍ଷ ୨୦୨୪ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଦେବାକୁ ନିବେଦନ କରିଛନ୍ତି । ସେହିପରି ପଲ୍ଲୀରୁ ଦିଲ୍ଲୀ ଯାଏଁ ନାଚ ଗୀତର ଆସର ଜମିଥିବା ବେଳେ ଏହି ପରିପ୍ରେକ୍ଷୀରେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ନୂଆବର୍ଷର ବାର୍ତ୍ତା ଦେଇଛନ୍ତି  ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାସହ ସମସ୍ତଙ୍କ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

୨୦୨୩ର ଶେଷ ସୂର୍ଯ୍ୟାସ୍ତ

ଭୁବନେଶ୍ବର: ସରିଗଲା ସ୍ମୃତି , ଅନୁଭୂତିର ଆଉ ଏକ ଅଧ୍ୟାୟ । ପଛକୁ ରହିଗଲା ମାନ ଅଭିମାନ । ସୁଖଦୁଃଖ ଆଉ କୋହର କାହାଣୀକୁ କୋଳେଇ ନେଇ ପାହାଡ ସେପଟେ ଚୁପ କରି ଅସ୍ତଗଲେ ସୂର୍ଯ୍ୟ । ଲାଲ ମୁହଁରେ ସାରା ପଶ୍ଚିମ ଆକାଶକୁ ନାଲି କରି ଫେରିଗଲା ୨୦୨୩  । କିଛି କ୍ଷଣ ପାଇଁ ଚୁପ ହୋଇ କୋଳାହଳପୂର୍ଣ୍ଣ ଜଗତକୁ ନିସ୍ତବ୍ଧ କରିଦେଇ ଧିରେ ଧିରେ ହଜିଯାଇଛି କେଉଁ ଅପହଞ୍ଚ ଦିଗବଳୟରେ ।  ଆଉ ପ୍ରତିଶ୍ରୁତି  ଦେଇଯାଇଛି ଆସନ୍ତା କାଲି ଆସିବ ଏକ ନୂଆ ସମ୍ଭାବନା, ନୂଆ ଆକାଂକ୍ଷା ନେଇ, ନୂଆ ଏକ ସଂଖ୍ୟାକୁ ସାଥି କରି  । ବର୍ଷର ଶେଷ ମାସ, ଶେଷ ସପ୍ତାହ ଓ ଶେଷ ଦିନରେ ୨୦୨୩କୁ ବିଦାୟ ଦେଇଛି ସାରା ଦୁନିଆ । ପକ୍ଷୀଙ୍କ କଳରବ ସାଙ୍ଗକୁ ରବିଙ୍କ ଶେଷ କିରଣ ସତେ ଯେମିତି କହିଦେଇଗଲା, ମୁଁ ଫେରିବି କିଛି ନୂଆ ଆଶା ଏବଂ ନୂଆ ଉଦ୍ଦୀପନା ନେଇ । କିଏ ବର୍ଷର ଶେଷ ମୁହୂର୍ତ୍ତର ଶେଷ ସୂର୍ଯ୍ୟାସ୍ତକୁ ନିଜ ମୋବାଲରେ କଏଦ କରିଛି ତ ଆଉ କିଏ ସୂର୍ଯ୍ୟାସ୍ତକୁ ଦେଖି କେତେ କଣ ଭାବି ଦେଇଛି । ପୁରୀଠୁ କୋଣାର୍କ ଓ ବାଲେଶ୍ବର ବେଳାଭୂମୀରେ ୨୦୨୩ର ଶେଷ ସୂର୍ଯ୍ୟାସ୍ତ ଦେଖିବାକୁ ଭିଡ଼ ଜମିଥିଲା । ଏ ସୂର୍ଯ୍ୟ ଆଗାମୀ କାଲି ନୂଆ ଏକ ଅଧ୍ୟାୟ ନେଇଆସିବ । ୨୦୨୪ର ସମ୍ଭାବନାକୁ ସାଥିରେ ନେଇ ପୁଣି ଉଇଁବ ଆଉ ସାରା ଜଗତକୁ ଆଲୁଅର ପର୍ବରେ ଭିଜାଇଦେବ।

 

ନୃଶଂସ ପୁଅର ଜଘନ୍ୟ କାଣ୍ଡ , ସଫା କରିଦେଲା ବାପା, ମାଆ ଓ ଭଉଣୀକୁ

ରାଜସ୍ଥାନ: ସୈତାନ ସାଜିଲା ପୁଅ । ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ କରିଥିବା ମାଆକୁ ବି ମାରିବାକୁ ପଛାଇଲା ନାହିଁ  । ଯେଉଁ ବାପା ଦିନେ  ପୁଅ ଜନ୍ମ କରି ଛାତି ଫୁଲାଇ ଚାଲୁଥିଲା ସେହି ବାପାଙ୍କୁ ମାରିବାକୁ ବି ପଛାଇଲାନି ପୁଅ । ରାକ୍ଷୀର ପାଉଣା ଦେବାକୁ ଯାଇ ସାନ ଭଉଣୀକୁ ହତ୍ୟା କରିବାକୁ ପଛାଇଲା ନାହିଁ ଜହ୍ଲାଦ ଭାଇ । ଏଭଳି କିଛି ବୀଭତ୍ସ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ନାଗାଉରରେ । ୨୫ ବର୍ଷ ବୟସ୍କ ଯୁବକ ନିଜ ପିତାମାତା ଏବଂ ୧୫ ବର୍ଷର ଭଉଣୀକୁ ଗୋଟିଏ ଧାରୁଆ ଅସ୍ତ୍ର ରେ ହାଣି ହତ୍ୟା କରିଛି । ଶନିବାର ରାତିରେ  ଦିଲ୍ଲୀପ ସିଂହ , ଦିଲ୍ଲୀପ୍ ସିଂହଙ୍କ ପତ୍ନୀ ଏବଂ ତାଙ୍କ ଝିଅ ଏକ ରୁମ୍ ରେ ଶୋଇଥିଲେ । ବିଳମ୍ବିତ ରାତିରେ ଦିଲ୍ଲୀପ୍ ଙ୍କର ପୁଅ ମୋହିତ୍ ଘରକୁ ଫେରିଥିଲା । ଫେରିବା ପରେ ମୋହିତ୍ ଏକ ଧାରୁଆ ଅସ୍ତ୍ରରେ ନିଜ ବାପା, ମାଆ, ଏବଂ ଭଉଣୀ ଉପରେ ନୃଶଂସ  ଭାବେ ହାଣି ହତ୍ୟା କରିଥିଲା । ଫଳରେ  କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ହତ୍ୟା କରିବା ପରେ ମୋହିତ୍ ଥାନାରେ ପହଞ୍ଚି ହତ୍ୟା କରିଥିବା କଥା ପୋଲିସ୍ କୁ ଜଣାଇଥିଲେ। ଏହି ମାମଲାରେ ପୋଲିସ କହିଛି ଯେ ପାଦୁକାଲା ପୋଲିସ ଷ୍ଟେସନ ଅଞ୍ଚଳରେ ଯୁବକ ତାଙ୍କ ପିତା, ମା ଏବଂ ଭଉଣୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଛି ବୋଲି କହିଥିଲା। ସେ କନଷ୍ଟେବଳଙ୍କୁ ପଚାରିଥିଲେ ପୋଲିସ ଷ୍ଟେସନ ଅଧିକାରୀ କେଉଁଠାରେ ଅଛନ୍ତି।  ଅଭିଯୁକ୍ତ ବର୍ତ୍ତମାନ ପୋଲିସ ଷ୍ଟେସନରେ ଥିବା ବେଳେ ପଚରାଉଚରା ଜାରି ରହିଛି । ମାରିବା ପରେ ମଧ୍ୟ ଅଭିଯୁକ୍ତଙ୍କର ଆଚରଣ ସମାନ ରହିଛି  | ତେବେ ତିନି ଜଣଙ୍କ ମୃତ ଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି, ଅଭିଯୁକ୍ତ କାହିଁକି ଏହି ଅପରାଧ କରିଛନ୍ତି ତାହାର  ଅନୁସନ୍ଧାନ ଜାରି ରହିଛି।