spot_img
Home Blog Page 2195

ଜେଲ ଗଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ନନ୍ଦିଘୋଷ ବ୍ୟୁରୋ: ବିଚାର ବିଭାଗୀୟ ଜେଲକୁ ଗଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନ । ଜମି ଦୁର୍ନୀତି ମାମଲାରେ ଇଡି ବୁଧବାର ତାଙ୍କୁ ଗିରଫ କରିଥିବାବେଳେ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ସେପଟେ ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି । ଗତକାଲି ଦୀର୍ଘ ସମୟର ପଚରା ଉଚରା ପରେ ଗିରଫ କରିଥିଲା ଇଡି । ଏବେ ହେମନ୍ତଙ୍କୁ ବଡ଼ ଝଟକା ଲାଗିଥିବାବେଳେ ଜରୁରୀ କାଳିନ ଶୁଣାଣିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ । ଏଥିପାଇଁ ଆସନ୍ତାକାଲି ଶୁଣାଣି ହେବ । ଗିରଫଦାରି ବିରୋଧରେ ସୁପ୍ରିମକୋର୍ଟରେ ମଧ୍ୟ ଆବଦନ ହୋଇଛି । ଆସନ୍ତାକାଲି ସୁପ୍ରିମକୋର୍ଟରେ ବି ଶୁଣାଣି ହୋଇପାରେ ।

ପୁଣି ରାଜଧାନୀରେ ମାତିଲେ ଲୁଟେରା, ଆପାର୍ଟମେଣ୍ଟରେ ପଶି ବୁଲାଇଲେ କଳାକନା

ଭୁବନେଶ୍ବର: ପୁଣି ଚକମା ଦେଲେ ଲୁଟେରା । ଆପାର୍ଟମେଣ୍ଟରେ ପଶି ବୁଲାଇଲେ କଳାକନା । ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିରେ । ୨ ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି । ଫ୍ଲାଟ ନମ୍ବର ୧୦୪ ଓ ୨୦୧ ରୁ ଲୁଟପାଟ କରିଛନ୍ତି ଲୁଟେରା । ଦୁଇଟି ଯାକ ଫ୍ଲାଟରେ କେହି ନଥିବାର ସୁଯୋଗରେ କଳାକନା ବୁଲାଇଛନ୍ତି ଲୁଟେରା । ଗୋଟିଏ ଫ୍ଲାଟର ମାଲିକ ରାଉରକେଲା ଯାଇଥିବା ବେଳେ ଅନ୍ୟ ଫ୍ଲାଟ ମାଲିକ ନିଜ ଝିଅ ପାଖକୁ ବାଙ୍ଗାଲୋର ଯାଇଥିଲେ । ଗୋଟିଏ ଫ୍ଲାଟର ଚାବି ସିକ୍ୟୁରିଟି ଗାର୍ଡ ପାଖରେ ଥିଲା । ତେବେ ତାଲା କାଟି ଲୁଟି ନେଇଛନ୍ତି ଲୁଟେରା। ନନ୍ଦିଘୋଷ ଟିଭି ହାତରେ ଲାଗିଥିବା ଏହି ସିସିଟିଭିରେ ଲୁଟେରା ମୁଖା ପିନ୍ଧି କିଭଳି ଏପଟ ସେପଟ ହେଉଛି । ଗତକାଲି ରାତିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଫ୍ଲାଟରୁ ଲୁଟ କରାଯାଇଛି । ସେପଟେ ପୋଲିସ ପେଟ୍ରୋଲି କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ । ସୋସାଇଟିରେ ସିକ୍ୟୁରିଟି ଓ ସିସିଟିଭି କାମ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ପାଇଁ ମଧ୍ୟ ଏହି ଲୁଟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତକାଲି ପାହାଳ ଓ ପଟିଆ ଅଞ୍ଚଳରୁ ସିରିଜ ଲୁଟ ପରେ ଆଜିର ଏହି ଘଟଣା କମିଶନରେଟ ପୋଲିସର ନିଦ ହଜାଇ ଦେଇଛି ।

ଅନଲାଇନରେ ସମସ୍ତ ତଥ୍ୟ ଦେଇ ଟିକେଟ୍ ପାଇଁ ଆବେଦନ କରିବେ କଂଗ୍ରେସ ଟିକେଟରେ ଲଢ଼ିବାକୁ ଥିବା ଆଶାୟୀ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ କଂଗ୍ରେସର ଟିକେଟ କସରତ । ଅନଲାଇନରେ ସମସ୍ତ ତଥ୍ୟ ଦେଇ ଟିକେଟ୍ ପାଇଁ ଆବେଦନ କରିବେ କଂଗ୍ରେସ ଟିକେଟରେ ଲଢ଼ିବାକୁ ଥିବା ଆଶାୟୀ । ଖୁବଶୀଘ୍ର ଟିକେଟ ଆବେଦନ କରିବାର ଇ-ଫର୍ମ ଉପଲବ୍ଧ କରାଯିବ । ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀ ନେଇ ତର୍ଜମା କରିବ ପ୍ରଦେଶ ଇଲେକ୍ସନ କମିଟି । ଏହାପରେ ପ୍ରାର୍ଥୀଙ୍କ ତାଲିକାକୁ ସ୍କ୍ରିନିଂ କମିଟିକୁ ପଠାଯିବ । ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ମିଳିବ। ଆଗୁଆ ଟିକେଟ ବାଣ୍ଟିବା ପାଇଁ କଂଗ୍ରେସ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟ ଅତିଥି ଭବନରେ ଆଜି ଏ ନେଇ ଏକ ରୁଦ୍ଧ ଦ୍ୱାର ବୈଠକ ବସିଥିଲା । ଏଥିରେ ଏଆଇସିସି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ସହ ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତି ଥିଲେ । କଂଗ୍ରେସ ଟିକେଟ ପାଇଁ କାମ କରିବନି ନେତାଙ୍କ ଲବି । ଟିକେଟ ବାଣ୍ଟିବାରେ ସ୍ୱଛତା ଆଣିବାକୁ ପ୍ରବୀଣ କୁମାରକୁ ଓଡିଶା ଦାୟିତ୍ୱ ଦେଇଛି ଏ ଆଇସିସି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଭୁବନେଶ୍ଵର ସାଂସଦ ପ୍ରାଥି ହେବା ପାଇଁ ହାଇକମାଣ୍ଡ ପ୍ରସ୍ତାବ ଦେଇଛନ୍ତି l ହେଲେ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ଘୋଷଣାକୁ ପୁଣି ଦୋହରାଇଛନ୍ତି ସୁର ।

ବଜେଟ୍ ୨୦୨୪: କଣ ଶସ୍ତା, କଣ ମହଙ୍ଗା । ନଜର ପକାନ୍ତୁ ୨୦ଟି ବଡ଼ ଅପଡେଟ୍ ଉପରେ..

ନନ୍ଦିଘୋଷ ବ୍ୟୁରୋ: ଚଳିତ ସରକାରଙ୍କ ଶେଷ ବଜେଟ ଉପସ୍ଥାପନ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିବାବେଳେ ଶସ୍ତା, ମହଙ୍ଗାକୁ ନେଇ ସବୁଠି ଆରମ୍ଭ ହୋଇଚି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ବଜେଟ୍ ଯୁବକ, ମହିଳା, କୃଷକ ଏବଂ ଗରୀବ ଲୋକଙ୍କ ପାଇଁ । ଏହି ବଜେଟରେ ଏମାନେ ଉପକୃତ ହେବେ । ସେପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ଏଥରର ବଜେଟ ସବକା ସାଥ ସବକା ବିକାଶ ଉପରେ ଧ୍ୟାନ ଦିଆଯାଇଛି । ତେବେ ଏହି ବଜେଟ କାହା ପାଇଁ କଣ ଆସନ୍ତୁ ଜାଣିବା ୨୦ଟି ମୁଖ୍ୟ କାରଣ ।

୧- ଇନକମ ଟାକ୍ସ ଦେଉଥିବା ବ୍ୟକ୍ତିଙ୍କୁ କୌଣସି ଆରାମ ମିଳିନାହିଁ । ଟ୍ୟାଟ୍ସଦାତାମାନେ ପୂର୍ବଭଳି ଏଥରକ ମଧ୍ୟ ଟ୍ୟାକ୍ସ ଦେବେ । ଏଥର ଆୟକରରେ ସରକାର ସାଧାରଣ ଲୋକଙ୍କୁ କୌଣସି ଆଶ୍ୱସ୍ତି ଦେଇନାହାନ୍ତି। ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

୨- ମଧ୍ୟବିତ୍ତଙ୍କ ପାଇଁ ନୂଆ ଆବାସିକ ଯୋଜନା କରାଯାଇଛି । ଯେଉଁଥିରେ ଘର କିଣୁଥିବା ଏବଂ ଘର ତିଆରି କରୁଥିବା ଲୋକଙ୍କୁ ଫାଇଦା ମିଳିବ ।

୩- ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଦେଶର ୪୦ ହଜାର ସେମି ହାଇସ୍ପିଡ୍ ଯଥା ବନ୍ଦେ ଭାରତ ବଗିକୁ ସାଧାରଣ ଏବଂ ସୁପରଫାଷ୍ଟ ଟ୍ରେନରେ ଲଗାଯିବ ।

୪- ବିମାନଯାତ୍ରୀଙ୍କ ପାଇଁ ମଧ୍ୟ ଏହି ବଜେଟରେ ଖୁସି ଖବର ରହିଛି । ବିମାନ ଇନ୍ଧନ ଫୁଏଲର ଦାମ ହ୍ରାସ କରାଯାଇଛି । ଫଳରେ ବିମାନଯାତ୍ରାର ଟିକେଟ କମ ପଡ଼ିବ ।

୫- ବଜେଟ ପୂର୍ବରୁ ମହଙ୍ଗା ହୋଇଛି କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ । ଯାହାଦ୍ବାରା ସାଧାରଣ ଲୋକେ ଅଧିକ ପ୍ରଭାବିତ ହେବେ ନାହିଁ ।

୬- ପିଏମ ଆବାସ ଯୋଜନା (ଗ୍ରାମୀଣ)ରେ ୫ ବର୍ଷରେ ୨ କୋଟି ଘର ନିର୍ମାଣ କରାଯିବ ।

୭- କୃଷକଙ୍କୁ ପୂର୍ବଭଳି ପିଏମ ଫସଲ ଯୋଜନାର ଲାଭ ଏବେ ମଧ୍ୟ ମିଳିବ ।

୮- କୃଷକଙ୍କୁ ଫସଲରେ ନେନୋ ଡିଏପିର ପ୍ରୟୋଗ ସହଜ ହୋଇଯିବ ।

୯- ସୋଲର ରୁଫଟପ ଯୋଜାନାରେ ପ୍ରତି ମାସରେ ୩୦୦ ୟୁନିଟ୍ ବିଜୁଳି ଫ୍ରିରେ ମିଳିବ ।

୧୦- ରେଳବାଇର ତିନୋଟି କରିଡର ଆରମ୍ଭ ହେବ ।

୧୧- ଦେଶକୁ ୧ହଜାର ନୂଆ ବିମାନ ଆସୁଥିବାବେଳେ ବିମାନ ଯାତ୍ରା ପାଇଁ ଟିକେଟ ଦର କମିବ ।

୧୨- ଗର୍ଭାଶୟରେ କର୍କଟ ରୋଗ ରୋକିପା ପାଇଁ ୯-୧୪ ବର୍ଷର ନାବାଳିକାଙ୍କୁ ଟୀକାକରଣ ଆରମ୍ଭ ହେବ ।

୧୩- ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀମାନେ କେନ୍ଦ୍ର ଆୟୂସ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।

୧୪- ଇ-ବାହାନ ନୀତି ଦ୍ବାରା ସାର୍ବଜନିନ ପରିବହନ ନେଟଓ୍ବର୍କକୁ ଯୋଡ଼ାଯିବ ।

୧୫- ଯୁବକମାନଙ୍କୁ ଶୂନ ସୁଧହାରରେ ୫୦ ବର୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ ।

୧୬- ଯୁବକଙ୍କୁ ଯୋଗ୍ୟ ଡାକ୍ତର ବନାଇବା ପାଇଁ ଦେଶରେ ବହୁ ମେଡିକାଲ କଲେଜ ଖୋଲାଯିବ ।

୧୭- ଦୁଗ୍ଧ ଚାଷୀଙ୍କ ପାଇଁ ନୂଆ କାର୍ଯ୍ୟକ୍ରମ କରାଯିବ ।

୧୮- ମତ୍ସ୍ୟଚାଷକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ । ଏହା ବ୍ୟତୀତ ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି କରାଯିବ।

୧୯- ୩ କୋଟି ମହିଳାଙ୍କ ଲକ୍ଷପତି ଦିଦି ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଛି

୨୦- ସ୍କିଲ ଇଣ୍ଡିଆ ମିଶନ ଦ୍ବାରା ଅଧିକ ପ୍ରଶିକ୍ଷଣ ଦିଆଯିବ

 

ହେମନ୍ତ ସୋରେନଙ୍କ ପରେ ଏହି ନେତାଙ୍କ ବଢ଼ିଲାଣି ଚିନ୍ତା!

ନନ୍ଦିଘୋଷ ବ୍ୟୁରୋ: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ରାଜେନୖତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ଇଡି ରାଧାରରେ ଥିବା ନେତାଙ୍କ ମଧ୍ୟରେ ଚିନ୍ତା ଆରମ୍ଭ ହୋଇଥିବାବେଳେ ଏଥରକ କାହା ପାଳି ପଡ଼ିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପଞ୍ଚମଥର ପାଇଁ ଇଡିର ନୋଟିସ ହୋଇଥିବାବେଳେ ସେ ପୂର୍ବରୁ ୪ଥର ମଧ୍ୟ ହାଜର ହୋଇନଥିଲେ । ଏଣୁ ପଞ୍ଚମଥର ହାଜର ହେବାକୁ ନୋଟିସ କରାଯାଉଛି । ଏଣୁ ସେ ମଧ୍ୟ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ହେମନ୍ତ ସୋରେନଙ୍କୁ ଇଡି ୧୦ଥର ନୋଟିସ କରିଥିଲା । ସେପଟେ କେଜ୍ରିଓ୍ବାଲ ହେମନ୍ତ ସୋରେନଙ୍କ ଭଳି ଦେଶର ଏଭଳି ଆଉ ୩ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତାରେ ରହିଥିବା ଚର୍ଚ୍ଚାହୁଏ ।

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେକନ୍ତ ରେଡ୍ଡି, କେରଳର ମୁଖ୍ୟମନ୍ତ୍ରୀ ପି.ବିଜୟ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ପାଇଁ ଅଡୁଆ ବଢ଼ିପାରେ । କେବଳ ଏହି ମୁଖ୍ୟମନ୍ତ୍ରୀମାନେ ନୁହେଁ, କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର ଉଠାଉଥିବା ବହୁ ନେତାଙ୍କୁ ମଧ୍ୟ ଇଡି ବିଭିନ୍ନ ମାମଲାରେ ନୋଟିଓ କରିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡା,ଏନସିପି ନେତା ଶରଦ ପାଓ୍ବାର ଏବଂ ବିଏସପି ନେତ୍ରୀ ମାୟାବତୀ । ଏମାନଙ୍କୁ କିଛି ସମୟ ଧରି ଇଡି ମଧ୍ୟ ପଚରା ଉଚରା କରିଛି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଖଣି ଦୁର୍ନିତୀ ମାମଲାରେ ଇଡି ସ୍କାନରରେ ରହିଛନ୍ତି । ନିର୍ବାଚନ ପାଖଉଥିବାବେଳେ ଏମାନଙ୍କୁ ଇଡି ଅଡୁଆରେ ପକାଇପାରେ ଏବଂ ଆଗକୁ କାହା ପାଳି ପଡ଼ିବ ତାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।

 

ଦ୍ବିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ପ୍ଲେଇଙ୍ଗ ୧୧ରେ କାହାକୁ ମିଳିବ ସ୍ଥାନ?

ବିଶାଖାପାଟଣାମ୍: ଶୁକ୍ରବାରଠାରୁ ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ । ହାଇଦ୍ରାବାଦରେ ପ୍ରଥମ ଟେଷ୍ଟରେ ଭାରତ ୨୮ ରନରେ ପରାସ୍ତ ହୋଇଥିବାବେଳେ ବିଶାଖାପାଟଣାମରେ ବିଜୟ ହେବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ତେବେ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦଳରେ ପରିବର୍ତ୍ତନ ହେବାକୁ ଯାଉଛି । ଦୁଇଜଣ ନୂଆ ଖେଳାଳିଙ୍କ ମଧ୍ୟରୁ ଜଣେ ଡେବ୍ୟୁ କରିବାର ସମ୍ଭାବନା ଅଧିକ ରହିଛି । ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ. ରାହୁଲ ଆହତ ହେବା ପରେ ସେମାନଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିପାରେ । ରଜତ ପଟିଦାର ଏବଂ ସର୍ଫରାଜ ଖାନଙ୍କ ମଧ୍ୟରୁ ଜଣେ ଡେବ୍ୟୁ କରିବାର ସମ୍ଭାବନା ଅଧିକ ରହିଛି ।

ଉଭୟ ରଜତ ପଟିଦାର ଏବଂ ସର୍ଫରାଜ ଦମଦାର ଫର୍ମରେ ରହିଛନ୍ତି । ରଣଜୀରେ ଭଲ ପ୍ରଦର୍ଶନ କରିଥିବାବେଳେ ଆଇପିଏଲରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଏଣୁ ଏମାନଙ୍କ ମଧ୍ୟରୁ କାହାକୁ ସ୍ଥାନ ଦିଆଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଟିମ ଇଣ୍ଡିଆର ବ୍ୟାଟିଂ କୋଚ କହିଛନ୍ତି ପ୍ଲେଇଙ୍ଗ ୧୧ରେ କାହାକୁ ସ୍ଥାନ ମିଳିବ ତାହା ଶେଷ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ । ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା ଏହି ନିଷ୍ପତ୍ତି ନେବେ । ଶୁଭମନ ଗିଲ ଏବଂ ଶ୍ରେୟସ ଆୟାର ଖରାପ ଫର୍ମରେ ପ୍ରଥମ ଟେଷ୍ଟରେ ପ୍ରଦର୍ଶନ କରିଥିଲେ । ଏଣୁ ଏମାନଙ୍କ ମଧ୍ୟରୁ କେହି ଦ୍ବିତୀୟ ଟେଷ୍ଟରେ ମଧ୍ୟ ସ୍ଥାନ ନପାଇପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଇଂଲଣ୍ଡ ୫ଜଣ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ବୋଲି ନିକଟରେ କୋଚ ବ୍ରେଣ୍ଡମ ମ୍ୟାକୁଲମ କହିଥିଲେ । ମାତ୍ର ଏଯାବତ ଇଂଲଣ୍ଡର ପ୍ଲେଇଙ୍ଗ ୧୧ ମଧ୍ୟ ଘୋଷଣା କରାଯାଇନାହିଁ ।

 

5T ଅଧ୍ୟକ୍ଷଙ୍କ ଗଜପତି ଜିରାଙ୍ଗ ଗସ୍ତ ; ଭଗବାନ ବୁଦ୍ଧଙ୍କୁ କଲେ ଆରାଧନା

ଗଜପତି : ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିରାଙ୍ଗ ସ୍ଥିତ ବୌଦ୍ଧ ବିହାର ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ଆଶିଷ ଗ୍ରହଣ କରିଛନ୍ତି 5T ଅଧ୍ଯକ୍ଷ। ପ୍ରାକୃତିକ ସୌନ୍ଦର୍ଯ୍ଯରେ ଭରପୁର ଜିରାଙ୍ଗର ଏହି ବୌଦ୍ଧ ବିହାରରେ ମାନବ ସମାଜର ମଙ୍ଗଳକାମନା କରି ଚାଲିଥିଲା ଅଭିଷେକ ଆରାଧନା। ଏହି ଅବସରରେ ସାମିଲ ହୋଇଥିଲେ ଫାଇଭ ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ।

ଜିରାଙ୍ଗରେ ଭଗବାନ ବୁଦ୍ଧଙ୍କ ମନ୍ଦିର ଦର୍ଶନ କରିବା ସହ ବୌଦ୍ଧ ମନ୍ଦିରରେ ଚାଲିଥିବା ସ୍ବତନ୍ତ୍ର ଆରାଧନାରେ ସାମିଲ ହୋଇଥିଲେ। ଭଗବାନ ବୁଦ୍ଧଙ୍କ ପ୍ରତିମା ସମ୍ମୁଖରେ ଧ୍ଯାନ କରିବା ସହ ପୂଜକଙ୍କ ଆଶୀର୍ବାଦ ନେଇଥିଲେ। ଦୀର୍ଘ ୮ ଦିନ ଧରି ଚାଲିଥିବା ଅଭିଷେକ ଉତ୍ସବର ଆଜି ଥିଲା ଶେଷ ଦିନ। ଏହି ଅବସରରେ ଯୋଗ ଦେଇଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଅଭିଷେକ ପୂଜାର୍ଚ୍ଚନାରେ ଦେଶ ବିଦେଶରୁ ୨ ହଜାରରୁ ଅଧିକ ଉପାସକ ସାମିଲ ହୋଇଥିଲେ। ଏଠାରେ ରହୁଥିବା ତୀବତୀୟଙ୍କ ଲାଗି ରାସନ କାର୍ଡ, ଭୋଟର କାର୍ଡ ସହ ଭତ୍ତା ପ୍ରଦାନ ସୁବିଧା କରିଛନ୍ତି ସରକାର। ଏଥିଲାଗି ମୁଖ୍ଯମନ୍ତ୍ରୀ ଓ ଫାଇଭ ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ଯବାଦ ଜଣାଇଛନ୍ତି ବୌଦ୍ଧ ବିହାର କର୍ତ୍ତୃପକ୍ଷ।

ବଜେଟ୍ ୨୦୨୪ : କରଦାତ୍ତାଙ୍କୁ କେବଳ ‘ଥ୍ୟାଙ୍କ୍ ୟୁ’ ,ମିଳିଲାନି କୌଣସି ରିହାତି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ତାଙ୍କର ଏହି ବଜେଟ୍ ଉପସ୍ଥାପନା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ​​| ଅର୍ଥମନ୍ତ୍ରୀ ସରକାରୀ ଯୋଜନା ସହିତ ବଜେଟ୍ ଆରମ୍ଭ କରି ମଧ୍ୟବିତ୍ତଙ୍କ ଯୋଜନାରେ ଶେଷ କରିଥିଲେ। ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁଏକ ବଡ଼ ଝଟକା, କାରଣ ପ୍ରତ୍ୟେକ ଥର ସେମାନେ ସ୍ଲାବରେ ଆଶ୍ୱସ୍ତିର ଆଶା ନେଇ ବଜେଟକୁ ଅପେକ୍ଷା କରିଥାନ୍ତି |

କରଦାତ୍ତା ଆଶା କରିଥିଲେ ଭୋଟ୍ ବର୍ଷ ହୋଇଥିବାରୁ ଅର୍ଥମନ୍ତ୍ରୀ କରଦାତ୍ତାଙ୍କୁ କିଛି ଆଶ୍ୱାସ୍ତି ଦେବେ , କିନ୍ତୁ ସେମିତି କିଛି ବଡ଼ ପରିବର୍ତ୍ତନ ଘଟିଲାନାହିଁ। ଅର୍ଥମନ୍ତ୍ରୀ କରଦାତ୍ତାଙ୍କୁ କେବଳ ‘ଥ୍ଯାଙ୍କ ୟୁ ’ ଧରେଇ ଦେଇ ଯାଇଛନ୍ତି । ଟ୍ୟାକ୍ସ ବ୍ରାକେଟ ହ୍ରାସ କିମ୍ବା ଅନ୍ୟକିଛି ରିହାତି କଥା କହିନାହନ୍ତି । ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ ଗତ ୧୦ ବର୍ଷରେ ଆୟକର ଦାତ୍ତାଙ୍କ ସଂଖ୍ୟା ୨.୪୦ ଗୁଣ ବଢିଛି ବୋଲି କହିଥିଲେ । ଏହି ଆୟକରଦାତ୍ତାଙ୍କ କର ଟଙ୍କାର ସଠିକ ଉପଯୋଗ ହେଉଛି ବୋଲି ମଧ୍ୟ ସେ କହିଥିଲେ । ଆୟକର ଦେଉଥିବା ନାଗରିକଙ୍କୁ ଦେଶର ବିକାଶରେ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ କୌଣସି ରିହାତି ଘୋଷଣା କରିନଥିଲେ । ପୂର୍ବଭଳି ଟ୍ୟାକ୍ସ ବ୍ରାକେଟ୍ ଜାରି ରହିବ ବୋଲି କହିଥିଲେ ।ସୂଚନାଯୋଗ୍ୟ ଯେ, ଆଜିର ବଜେଟରେ ପ୍ରତ୍ୟକ୍ଷ କିମ୍ବା ଅପ୍ରତ୍ୟକ୍ଷ କର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଆୟକର ସୀମା ଅପରିବର୍ତ୍ତିତ

ଅପରିବର୍ତ୍ତିତ ରହିଲା ଆୟକର ସୀମା । ଆୟକର ସ୍ଲାବରେ ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି । ଡାଇରେକ୍ଟ ଓ ଇନଡାଇରେକ୍ଟ ଟ୍ୟାକ୍ ଅପରିବର୍ତ୍ତିତ ରଖାଯାଇଛି । ଅର୍ଥାତ ପୂର୍ବରୁ ଥିବା ଟ୍ୟାକ୍ସ ସ୍ଲାବ ପ୍ରଯୁଜ୍ୟ ରହିବ ।

ବନ୍ଦେ ଭାରତ ସହିତ ୪୦ହଜାର ବଗି ସଂଯୋଗ ହେବ

ରେଳବାଇ ପାଇଁ ଘୋଷଣା କରିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଏବଂ ଆରାମ ପାଇଁ ୪୦ହଜାର ସାଧାରଣ ରେଳ ବଗିକୁ ବନ୍ଦେ ଭାରତ ବଗି ଭଳି କରାଯିବ ।

ସ୍କିଲ ଇଣ୍ଡିଆ ୧.୪ କୋଟି ଲୋକଙ୍କୁ ତାଲିମ ଦେଇଛି

ନିର୍ମଳା ସୀତାରମଣ କହିଛନ୍ତି ଯେ ସ୍କିଲ ଇଣ୍ଡିଆ ମିଶନ ୧.୪ କୋଟି ଯୁବକଙ୍କୁ ତାଲିମ ଦେଇଛି । ୫୪ ଲକ୍ଷ ଯୁବକଙ୍କୁ ମଗଣା ତାଲିମ ଦିଆଯାଇଛି ଏବଂ ଏବଂ ୩ ହଜାର ନୂଆ ଆଇଟିଆଇ ଅନୁଷ୍ଠାନ ସ୍ଥାପନ  ହୋଇଛି | ଏଥିସହିତ ବହୁ ସଂଖ୍ୟକ ଅନୁଷ୍ଠାନ ଉଚ୍ଚଶିକ୍ଷା କେନ୍ଦ୍ର, ୭ଟି ଆଇଆଇଟି(IIT) , ୧୬ଟି ଆଇଆଇଆଇଟି(IIIT),୭ଟି ଆଇଆଇଏମ୍ (IIM), ୧୫ଟି ଏଆଇଏମ୍ଏସ୍ ଏବଂ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।

୩ କୋଟି ମହିଳା ହେବେ ଲକ୍ଷପତି ଦିଦି

୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ। ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ଏହି ଘୋଷଣା କରି ମହିଳା ଭୋଟବ୍ୟାଙ୍କୁ ଆକର୍ଷିତ କରିଛନ୍ତି। ସେ କହିଛନ୍ତି ଏଯାବତ୍‌ ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ତିଆରି କରାଯାଇଛି। ଏହି ଲକ୍ଷ୍ୟକୁ ୨ କୋଟିରୁ ବୃଦ୍ଧି କରି ୩ କୋଟି କରାଯିବ। ଅର୍ଥାତ ସରକାର ଆଉ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଘୋଷଣା କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ କାର୍ଯ୍ୟକାରୀ ହେବ ଲକ୍ଷପତି ଦିଦି ଯୋଜନା।  ସ୍ବୟଂସହାୟକ ଗୋଷ୍ଠୀ ମାଙ୍କୁ ମିଳିବ ଡ୍ରୋନ। ଏମାନଙ୍କୁ ଡ୍ରୋନ ଚଳାଇବା ଏବଂ ମରାମତି ପ୍ରଶିକ୍ଷଣ ଦିଆଯିବ। ଡ୍ରୋନ ପାଇଲଟ ମହିଳାଙ୍କୁ ମିଳିବ ମାସିକ ୧୫ ହଜାର ଟଙ୍କା।  ସେହିଭଳି ମହିଳାଙ୍କ ଭିତରେ ବଢୁଥିବା ସର୍ଭାଇକାଲ ସରଭାଇକାଲ କ୍ୟାନସର ପାଇଁ ଟିକାକରଣ ବୃଦ୍ଧି କରାଯିବ। ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ଦିଗରେ କାମ କରାଯିବ। ଏଥିପାଇଁ ୯ରୁ ୧୪ ବର୍ଷର ଝିଅମାନଙ୍କୁ ବିନାମୂଲ୍ୟରେ ଟିକା ଦିଆଯିବ। ମାତୃଶକ୍ତି ଓ ଶିଶୁକନ୍ୟାମାନଙ୍କ ପାଇଁ ନୂଆ କାର୍ଯ୍ୟକ୍ରମ ଅଣାଯିବ। ଏବଂ ସେମାନଙ୍କୁ ତାହାର ଲାଭ ପ୍ରଦାନ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି।  ସରକାରଙ୍କ ଫୋକସରେ ମହିଳା, ଯୁବପିଢି, ଗରିବ ଓ ଚାଷୀ ରହିଥିବା ଦର୍ଶାଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୭୦ ପ୍ରତିଶତ ମହିଳାଙ୍କ ନାଁରେ ଘର ତିଆରି ହୋଇଛି। ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ଯ ସରକାର ବଡ଼ ପରିବର୍ତ୍ତନ କରୁଥିବା ବେଳେ  ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାର ଏଥିରେ ସାମିଲ କରିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

୨କୋଟି ଘର ଏବଂ ମାଗଣା ବିଦ୍ୟୁତ୍

ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ବଜେଟ୍ ଆତ୍ମୀୟତା ନୁହେଁ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ। ଦେଶରେ ଯୁବକମାନଙ୍କ ଉପରେ ବହୁତ ବିଶ୍ୱାସ ରହିଛି | ଆମେ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଉଛୁ | ଆମର ଅର୍ଥନୀତି ବହୁତ ଭଲ କାମ କରୁଛି | ଲୋକଙ୍କ ଆଶା ବହୁତ ବଢିଛି | ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ମଧ୍ୟ ବିକାଶ ପାଇଁ ରାଜ୍ୟମାନଙ୍କୁ ସାହାଯ୍ୟ କରିବେ। ଆସନ୍ତା ୫ ବର୍ଷରେ ୨ କୋଟି ଅଧିକ ଘର ନିର୍ମାଣ କରାଯିବ | ଏଥିସହିତ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି |

୮୦ କୋଟି ଲୋକଙ୍କୁ ଦିଆଯାଇଛି ମାଗଣା ଖାଦ୍ୟ

ଅର୍ଥନୀତିରେ ସକରାତ୍ମକ ପରିବର୍ତ୍ତନ ଦେଖାଯାଉଛି ବୋଲି ସୀତାରମଣ କହିଛନ୍ତି | ସେ କହିଛନ୍ତି ଯେ ଆମ ସରକାର ପ୍ରତ୍ୟେକ ପରିବାରକୁ ଜଳ, ବିଦ୍ୟୁତ, ଗ୍ୟାସ, ଆର୍ଥିକ ସେବା ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ କାର୍ଯ୍ୟ କରିଛନ୍ତି।  ଖାଦ୍ୟଶସ୍ୟର ଚିନ୍ତା ଦୂର ହୋଇଛି,ଏଥିସହିତ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଛି। ସଭିଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇଛି, ଯେଉଁଥିପାଇଁ ଗ୍ରାମାଞ୍ଚଳର ଲୋକଙ୍କ ଆୟ ବୃଦ୍ଧି ପାଇଛି | ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ।

 

୩0 ବର୍ଷ ପରେ ଜ୍ଞାନବ୍ୟାପୀ ପୂଜାର୍ଚ୍ଚନା, କୋର୍ଟ ଅନୁମତି ପରେ ପୂଜା ଆରମ୍ଭ

ନୂଆଦିଲ୍ଲୀ : ୩0 ବର୍ଷ ପରେ ଜ୍ଞାନବ୍ୟାପୀ ମସଜିଦରେ ମଙ୍ଗଳା ଗୌରୀଙ୍କ ଭବ୍ୟ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ଭୋରରୁ ପୂଜାର୍ଚ୍ଚନା କରିଛନ୍ତି ପୂଜକ । ଯାହା ପାଇଁ ରାତି ୧.୩୦ରୁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି । ଏହି ପୂଜାରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଭକ୍ତ ମଧ୍ୟ ଏକାଠି ହୋଇଥିଲେ  । କିନ୍ତୁ କିଛି ପ୍ରମୁଖ ଲୋକଙ୍କ କେବଳ ଏହି ପୂଜାରେ ସାମିଲ ହୋଇଥିଲେ ଏବଂ ଅନ୍ୟ ସଭିଙ୍କୁ ବ୍ୟାରିକେଟ୍ ଲଗାଇ ଅଟକାଇ ଦେଇଥିଲେ  । ସୂଚନା ରହିଛି ଯେ, ଆସନ୍ତା ୨-୩ ଦିନ ଭିତରେ ଏଠାକୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲାଯିବ ।

ସୂଚନା ଅନୁସାରେ ଆଜି ରାତି ୩ଟାରୁ କାଶୀ ବିଶ୍ୱନାଥ ମନ୍ଦିରର ପୂଜକ ମାନଙ୍କ ଦ୍ୱାରା ‘ବ୍ୟାସ୍ କା ତହଖାନା’ରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ୩୦ବର୍ଷ ପରେ ପୁଣିଥରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସପ୍ତାହକ ମଧ୍ୟରେ ଏହା ପରିସରରୁ ବ୍ୟାରିକେଡ ହଟାଇବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

 

ବଜେଟ୍ ଦିନ ମହଙ୍ଗା ଝଟକା , ମହଙ୍ଗା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ : ବଜେଟ୍ ଦିନ ମହଙ୍ଗା ଝଟକା । ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର । ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି ହୋଇଛି । ଏହାପରେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦର ୧୭୬୯. ୫୦ ଟଙ୍କାରେ ପହଞ୍ଚିଛି ।

ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ଆଗତ କରିବେ । କିନ୍ତୁ ଏହା ପୂର୍ବରୁ ଦେଶରେ ଏଲପିଜି ଦର ବୃଦ୍ଧି ଘଟିଛି । ଦର ବୃଦ୍ଧି ପରେ ଦିଲ୍ଲୀରେ ୧୯ କେଜି ଏଲପିଜି ସିଲିଣ୍ଡର ଦର ୧୭୫୫.୫୦ ଟଙ୍କାରୁ ବୃଦ୍ଧି ହୋଇ ୧୭୬୯.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ସିଲିଣ୍ଡର ୧୮୬୯,୦୦ ଟଙ୍କାରୁ ବୃଦ୍ଧି ପାଇ ୧୮୮୭ ଟଙ୍କାରେ ପହଞ୍ଚିଛି , ମୁମ୍ବାଇରେ ୧୯ କେଜି ସିଲିଣ୍ଡର ଦର ୧୭୦୮ରୁ ବଢି ୧୭୨୩ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦର ୧୯୨୪. ୫୦ଟଙ୍କାରୁ ବଢି ୧୯୩୭ ଟଙ୍କାରେ ପହଞ୍ଚିଛି ।