spot_img
Home Blog Page 2194

୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା, ଟ୍ବିନ ସିଟିରେ ୪୦ ପାର୍ କରିପାରେ ପାରଦ

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ତାତି। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅସମ୍ଭାଳ। ଆସନ୍ତା କାଲି ଯାଏଁ ମିଳିବନି ତାତିରୁ ନିସ୍ତାର। ଆଜି ଉପକୂଳ ଓଡ଼ିଶାରେ ବି ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି।

ଆଗକୁ ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ରାଜ୍ୟର କିଛି ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁପାରେ। ବିଶେଷ କରି ଟୁଇନ୍ ସିଟି କଟକ ଭୁବନେଶ୍ବର ସମେତ କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ। କାଲି ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ୧୪ ତାରିଖ ବେଳକୁ ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବ।

ଏହା ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି।

ରାଜନୈତିକ ଦଳଙ୍କୁ ଇଲେକ୍ଟୋରାଲ ବଣ୍ଡରେ ଅର୍ଥ ଦାନ ପ୍ରସଙ୍ଗ, ଆଜି ସୁଦ୍ଧା ତଥ୍ୟ ଦେବ SBI

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ତଥ୍ୟ ରଖିବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କର୍ତ୍ତୃପକ୍ଷ। ଆଜି ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦେଶର ବିଭିନ୍ନ ରାଜନୈତିକ ଦଳକୁ ମିଳିଥିବା ଅର୍ଥର ସବିଶେଷ ତଥ୍ୟ ରଖିବାକୁ ଷ୍ଟେଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଆସନ୍ତା ୧୫ ତାରିଖ ସୁଦ୍ଧା ଅଫିସିଆଲ ୱେବସାଇଟରେ ତଥ୍ୟ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତଥ୍ୟ ପ୍ରଦାନ ଲାଗି ଆସନ୍ତା ୩୦ ତାରିଖ ଯାଏଁ ସମୟ ଦେବାକୁ ଆବେଦନ କରିଥିଲା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ତେବେ ଏହି ଅବଧି ବୃଦ୍ଧି କରିବାକୁ ରୋକଠୋକ୍ ଭାବେ ମନା କରିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ। ଗତ ୨୬ ଦିନ ଧରି କଣ କରୁଥିଲ ବୋଲି ଷ୍ଟେଟବ୍ଯାଙ୍କକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ଵ ଗଠିତ ବେଂଚ୍ ଏହି ମାମଲାର ଶୁଣାଣି କରିଛନ୍ତି। ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ତଥ୍ୟ ପ୍ରଦାନ କରିନଥିବା ନେଇ ସୁପ୍ରିମକୋର୍ଟରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ନାଁରେ ଅଦାଲତ ଅବମାନନା ମାମଲା କରିଥିଲା ଏଡିଆର।

ପୂର୍ବରୁ ଗତ ଫେବୃଆରୀ ୧୫ରେ ଗତ ୬ ତାରିଖ ସୁଦ୍ଧା ରାଜନୈତିକ ଦଳଙ୍କୁ ମିଳିଥିବା ଅର୍ଥର ସମସ୍ତ ତଥ୍ୟ ପ୍ରଦାନ ସହ ମାର୍ଚ୍ଚ ୧୩ ସୁଦ୍ଧା ଅଫିସିଆଲ ୱେବସାଇଟରେ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଗତ ୪ ତାରିଖରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଆସନ୍ତା ଜୁନ ୩୦କୁ ତଥ୍ୟ ଦାଖଲ ସମୟ ବୃଦ୍ଧି କରିବାକୁ ଆବେଦନ କରିଥିଲା

ଆମ ଭୂମି ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଡିଏର ଆମ ଭୂମି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍କରପୁରଠାରେ ଆନନ୍ଦବନ ଉଦଘାଟନ ଅବସରରେ ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ ସହ ଏହାରର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । 5T ଉପକ୍ରମରେ ଏହାକୁ ବିକଶିତ କରାଯାଇଛି । ଆମ ଭୂମି ହେଉଛି ରାଜଧାନୀର କଲ୍ୟାଣ, ସ୍ଥାୟୀତା ଓ ଏକ ସୁଦୃଢ଼ ସହରାଞ୍ଚଳ ପରିବେଶକୁ ପ୍ରୋତ୍ସାହିତ କରୁଥିବା ଖୋଲା ସ୍ଥାନ ସୃଷ୍ଟି ଏବଂ ରକ୍ଷଣାବେକ୍ଷଣ ।  ଯାହା ଏକ ଶୀତଳ ଏବଂ ଅଧିକ ଜଳବାୟୁ ସହନଶୀଳ ସହରୀ ପରିବେଶକୁ ପ୍ରୋତ୍ସାହିତ କରେ । ଏହା ଭୁବନେଶ୍ୱର ପାଇଁ ଏକ ପରିବର୍ତ୍ତନଶୀଳ ଯୁଗ, କଲ୍ୟାଣ, ସ୍ଥାୟୀତା ଓ ଏକ ସୁଦୃଢ଼ ସହରାଞ୍ଚଳକୁ ପ୍ରୋତ୍ସାହିତ କରୁଛି ।

ରାଜଧାନୀରେ ଖୋଲା ସ୍ଥାନର ବଢ଼ୁଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ପାର୍କ, ଖେଳ ପଡିଆ, ବହୁମୁଖୀ ଖେଳ ପଡିଆ, ଜଳାଶୟ, ଓ ଗ୍ରୀନ୍ ୱେ ଭଳି ପାଞ୍ଚଟି ସ୍ବତନ୍ତ୍ର ସମ୍ପତ୍ତି ଚିହ୍ନଟ କରାଯିବ । ଏହି ନୀତି ଅଧୀନରେ ଉନ୍ନୟନ ମଡେଲ ମାଧ୍ୟମରେ ଜମିକୁ ଖୋଲା ସ୍ଥାନ ଭାବରେ ବିକଶିତ କରାଯିବ, ଏକ ସ୍ୱତନ୍ତ୍ର ପାଣ୍ଠି ପ୍ରତିଷ୍ଠା କରାଯିବ ଏବଂ ଖୋଲା ସ୍ଥାନ ବ୍ୟବସ୍ଥା ପାଇଁ ବର୍ତ୍ତମାନର ବ୍ୟବସ୍ଥାରେ ଆହ୍ୱାନର ମୁକାବିଲା ପାଇଁ ଏକ ସଂସ୍ଥାଗତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ବିଡିଏ ପକ୍ଷରୁ ସହରସ୍ତରରେ ‘ଆମ ଭୂମି’ କୁ ସର୍ବୋଚ୍ଚ ପ୍ରାଥମିକତା ମୂଳକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି । ଏହି ପଦକ୍ଷେପର ସଫଳ ରୂପାୟନ ପାଇଁ ବିଡିଏ ଏହାର ଆଭିମୁଖ୍ୟକୁ ଦୁଇଟି ପ୍ରମୁଖ ଉପାଦାନରେ ୟଥା ହାର୍ଡୱେର ଓ ସଫ୍ଟୱେୟାରରେ ବିଭକ୍ତ କରିଛି ।

ଆନନ୍ଦବନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗ ନଗରରେ ଆନନ୍ଦବନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏହି ଆନନ୍ଦବନକୁ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆନନ୍ଦବନରେ କିଛି ମୁହୂର୍ତ୍ତ ବିତାଇବା ସହ ବୁଲି ଦେଖିଥିବା ସହ ଏହାର ସୌନ୍ଦର୍ଯ୍ୟକୁ କରିଛନ୍ତି ପ୍ରଶଂସା । ସବୁଜ ବନାନୀକୁ ସଂରକ୍ଷିତ କରିବା ସହ ଏକ ସୁସ୍ଥ ସହରୀ ବାତାବରଣରେ ପ୍ରାକୃତିକ ପରିବେଶ ହେଉଛି ଆନନ୍ଦବନ । ଏ ଅବସରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । 5T ଉପକ୍ରମରେ ଏହି ଆନନ୍ଦବନର ବିକଶିତ କରାଯାଇଛି ।

ଶଙ୍କରପୁର ମୌଜାରେ ପ୍ରାୟ ୯୦ ଏକର ଅଂଚଳରେ ବିକଶିତ ହୋଇଛି ଏହି ଆନନ୍ଦବନ । ଭୁବନେଶ୍ବରରେ ସହର ଭିତରେ ଜଙ୍ଗଲର ମଜା ହେଉଛି ଆନନ୍ଦବନ । ବିଶୁଦ୍ଧ ଅମ୍ଳଜାନର ଭଣ୍ଡାର ପାଲଟିଛି ଆନନ୍ଦବନ । ବୃକ୍ଷଲତାରେ ପରିପୂର୍ଣ୍ଣ ଏହି ଜଙ୍ଗଲରେ ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ମନକୁ ଟାଣି ଆଣୁଛି । ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲଗଛର ସମ୍ଭାର । ଏହାର ଗୋଟିଏ ପାର୍ଶ୍ବରେ ୬୦ ଏକର ଓ ରାସ୍ତାର ଅନ୍ଯ ପାର୍ଶ୍ବରେ ୩୦ ଏକର ଜଙ୍ଗଲ । ଉଭୟ ପାର୍ଶ୍ବକୁ ଯୋଡିବା ପାଇଁ ନିର୍ମାଣ ହୋଇଛି ଫୁଟ ଓଭର ବ୍ରିଜ। କୃତ୍ରିମ ଉପାୟରେ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ଯକରଣ କରାଯାଇଛି । ଏହାରି ଭିତରେ ସାଇକେଲ ପଥ, ରଙ୍ଗଭୂମି, ଜଳାଶୟ, ଗଜିବୋ, କାଠ ପୋଲ, ଶୌଚାଳୟ, ଖୁସିର ଆଧାର, ବର୍ଷା ଆଶ୍ରୟ ସ୍ଥଳ, କଙ୍କର ପଥ, ବାଖ୍ଯାନ କେନ୍ଦ୍ର, ମିୟା ୱକ ବୃକ୍ଷରୋପଣ, ସୁଗନ୍ଧଭରା ପଥ, ହିଲ ପ୍ଳେ ମଣ୍ଡପ, ଯୋଗ ମଣ୍ଡପ, ଫୁଡଜୋନ, ପାର୍କିଂ, ମାଟି ପଥ, ସାଇକେଲ ଟ୍ରାକ ରହିଛି । ଜଳାଶୟ ଓ ପୁଷ୍କରଣୀରେ ହଂସ ଖେଳୁଥିବା ଦୃଶ୍ଯ ସଭିଙ୍କ ମନମୋହୁଛି । ଏହାସହ ଜଙ୍ଗଲ ଭିତରେ ମୟୂର, ଠେକୁଆ ଓ ସାପ ଆଦି ଜୀବଜନ୍ତୁଙ୍କୁ ବି ଦେଖିବାକୁ ମିଳିବ । ଆନନ୍ଦବନରେ ୫ଟି ଗେଟ ରହିଛି । ଜଙ୍ଗଲର ସୁରକ୍ଷା ଲାଗି ବ୍ଯାପକ ପରମାଣର ସିସିଟିଭି ଲାଗିବା ସହତି ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ୨୦୧୧-୧୨ ମସିହାରେ ଏଠାରେ ବୃକ୍ଷରୋପଣ କରିଥିଲା ନଗର ବନଖଣ୍ଡ । ସକାଳ ୫ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ଯା ୬ ପର୍ଯ୍ଯନ୍ତ ଲୋକଙ୍କ ପାଇଁ ଖୋଲା ରହିବ ।

ଦେଶରେ ଚାଲିବ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟିର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଦେଶରେ ଚାଲିବ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ । ଓଡିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଇଷ୍ଟ କୋଷ୍ଟ ରେଳବାଇର ୪୧ଟି ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ ଉଦଘାଟନ ହେବ । ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବ । ଏହାସହ ୧୬୨ଟି ଇଲୋକ୍ଟ୍ରୋନିକ୍ସ ଇଣ୍ଟର ଲକିଙ୍ଗ ସିଷ୍ଟମ ୮୫ଟି ସୋଲାର ପାୱାର ଷ୍ଟେସନ, ୮ଟି ଗୁଡସ ସେଡ, ୮ଟି ଅଟୋ ସିଜିଓନାଲ ସିଷ୍ଟମ, ୯ଟି ନୂଆ ଲାଇନର ଦୋହରୀକରଣ କରାଯିବ ।

ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଗୋଟିଏ ଜନ ଔଷଧି କେନ୍ଦ୍ର ଖୋଲିବ । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଖୋର୍ଦ୍ଧା ବାଲୁଗାଁ, ବ୍ରହ୍ମପୁର, ଦେଇ ବିଶାଖାପାଟଣା ଯିବ । ଶନିବାର ବ୍ୟତୀତ ଅନ୍ୟାଦିନ ଗୁଡିକରେ ଯାତାୟାତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଳବାଇର ଅତିରିକ୍ତ ମହା ପ୍ରବନ୍ଧକ ମହେଶ କୁମାର ବେହେରା

CAAକୁ ଆସାମରେ ବିରୋଧ

ଗୌହାଟୀ: ଦେଶରେ ଲାଗୁ ହେଲା CAA । କେନ୍ଦ୍ର ସରକାର ଏହାକୁ ଲାଗୁ କରିଛନ୍ତି । ତେବେ ଏହା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବିରୋଧ । ଆସାମ ରାଜଧାନୀ ଗୌହାଟୀରେ ଅଲ ଆସାମ ଷ୍ଟୁଡେଣ୍ଟସ ଫେଡେରେସନ ବିରୋଧ କରିଛି ।

ଏହି ନିୟମ ଲାଗୁ ହେଲେ ଆସାମରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯିବ ବୋଲି ପୂର୍ବରୁ କହିଥିଲା ଅଲ ଆସାମ ଷ୍ଟୁଡେଣ୍ଟସ ଫେଡେରେସନ । ଆସନ୍ତାକାଲିଠାରୁ ଶାନ୍ତିପୂର୍ଣ୍ଣ ଭାବେ ଏହି ନିୟମକୁ ବିରୋଧ ପ୍ରଦର୍ଶନ କରାଯିବ । ସେହିପରି ଅଲ ନର୍ଥ ଇଷ୍ଟ ଷ୍ଟୁଡେଣ୍ଟସ ଫେଡେରେସନ ପକ୍ଷରୁ ଆଇନଗତ ଲଢେଇ ଲଢିବାକୁ ଚେତାବନୀ ଦେଇଛି ସଂଗଠନ । ଏହା ପୂର୍ବରୁ ମଧ୍ୟ CAA ନିୟମକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ଗତ ୭ ତାରିଖରେ ଆସାମରେ ୩୦ଟି ଅନୁସୂଚିତ ଜନଜାତି CAAକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ ।

ଜାମୁଝରୀରେ ହେବ ବିଶ୍ବସ୍ତରୀୟ ସବୁଜ ବଳୟ ମଡେଲ କାରାଗାର, କାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଡେଲ କାରାଗାରର କରିବେ ଭିତ୍ତିପ୍ରସ୍ତର ସ୍ଥାପନ । ଜାମୁଝରୀଠାରେ ନିର୍ମାଣ ହେବ ଏହି ବିଶ୍ବସ୍ତରୀୟ କାରାଗାର । ଏହା ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜବଳୟ ମଡେଲ କାରାଗାର ହେବ । ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କାରାଗାରରେ ବିଶ୍ବସ୍ତରୀୟ ଭିତ୍ତିଭୂମୀ ରହିବ ।

ଆଗାମୀ ୫୦ ବର୍ଷର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଜେଲରେ ପରିକଳ୍ପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଜେଲଟି ସଂପୂର୍ଣ୍ଣ ଆଶ୍ରମ ଢାଞ୍ଚାରେ ନିର୍ମାଣ କରାଯିବ । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ଅନେକ ରିସର୍ଚ ଓ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ବେଙ୍ଗାଲୁରୁ, ହାଇଦ୍ରାବାଦ୍, ଗୁରଗାଓଁ, ରୋହତକ, ପାନିପଥ, ଅମ୍ରିତସର, ଦିଲ୍ଲୀର ତିହାର, ମଡେଲ ଜେଲ୍ ଓ ହରିଆନାର ନୁହ୍ ଜେଲ ପରିଦର୍ଶନ ପରେ ଜମୁଝରୀ ସବୁଜ ବଳୟ ମଡେଲ କାରାଗାରର ଡିଜାଇନ୍ ପ୍ରସ୍ତୁତ କରାଯାଇଛି । 5T ଉପକ୍ରମରେ ନିର୍ମାଣ କରାଯିବ ଏହି କାରାଗାର । ଏଥିରେ ଟେକ୍ନୋଲୋଜି ମାଧ୍ୟମରେ ସ୍ବଚ୍ଛତା, ଡିଜିଟାଲ୍ ପେମେଣ୍ଟ, ବାୟୋମେଟ୍ରିକ୍ ବେସ୍ଡ୍ କ୍ୟାଣ୍ଟିନ୍, ଇ-କୋର୍ଟ ରୁମ୍, ଆଡଭାନ୍ସ ଟିଆଇ ରୁମ୍, ଏକାଧିକ ଭିଡିଓ୍ କନଫ୍ରେନ୍ସ ସୁବିଧା, କଏଦୀକୁ ପୁରା ପରିବାର ଦେଖା କରିବା ସୁବିଧା ରହିବ ।

ଜେଲରେ କଏଦୀମାନଙ୍କ ପୃଥକୀକରଣ କରାଯିବ। ବିଚାରଧିନ କଏଦୀ, ଦୋଷୀ, ଗ୍ୟାଙ୍ଗଷ୍ଟାର ଓ କୁଖ୍ୟାତ ଅପରାଧୀ, ଯୁବ ଓ ପ୍ରଥମ ଥରର ଅଭିଯୁକ୍ତ, ମହିଳା କଏଦୀ, କିନ୍ନର, ମାନସିକ ବିକୃତ କଏଦୀ ସମସ୍ତଙ୍କୁ ଅଲଗା ଅଲଗା ରଖାଯିବାର ବ୍ୟବସ୍ଥା କରାଯିବ । ଜେଲରେ ସଂସ୍କାର ଓ ପୁନର୍ବାସ ବ୍ୟବସ୍ଥା କରାଯିବ । ଏଥିପାଇଁ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍ ପ୍ରଦାନ କରାଯିବ । କଏଦୀମାନଙ୍କ ପାଇଁ ଶାରୀରୀକ ବ୍ୟାୟାମ୍, ଖେଳ ଓ ଜିମର ବ୍ୟବସ୍ଥା କରାଯିବ । ଯୋଗ, ଧ୍ଯାନ ରୁମ ରହିବ । ଜେଲ କମ୍ୟୁନିଟି ରେଡିଓ, ବ୍ୟବହାରରେ ପରିବର୍ତ୍ତନ ପାଇଁ ତାଲିମ୍ ଏବଂ କାଉନ୍ସେଲିଂ ରୁମ୍ ନିର୍ମାଣ କରାଯିବ । ଏହାସହ ୧୨୫ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୧୦ଟି ଆଇସିୟୁ ବେଡ୍, ମାନସିକ ରୋଗୀ ଓ୍ବାର୍ଡ, ଡେଣ୍ଟାଲ କେୟାର, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ୍ ସେଣ୍ଟର ରହିବ । ଏହି ମଡେଲ ଜେଲରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୫ ଶହ କଏଦୀ ଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ ହଜାର ୫ ଶହ କଏଦୀ ରହିବାର କ୍ଷମତା ରହିବ ।

ଟୀକାକରଣରେ ଓଡ଼ିଶା ଆଗରେ, ରାଜ୍ୟରେ ୫୦ ପ୍ରତିଶତ କମିଛି ଶିଶୁ ମୃତ୍ୟୁହାର

ଭୁବନେଶ୍ବର: ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର । ଏସଆରଏସ୍ ରିପୋର୍ଟରୁ ଓଡ଼ିଶାର ସ୍ବାସ୍ଥ୍ୟ କ୍ଷେତ୍ରରେ ଏହି ସଫଳତା ପ୍ରକାଶ ପାଇଛି । ୨୦୦୮ ତୁଳନାରେ ୫୦ ପଏଣ୍ଟ କମିଛି ଶିଶୁ ମୃତ୍ୟୁହାର । ଆଗକୁ ଆସୁଥିବା ଇନଫାଣ୍ଟ ମୋର୍ଟାଲିଟି ରେଟ୍ ରିପୋର୍ଟରେ ଏହି ସଂଖ୍ୟା ଆହୁରି କମିଥିବା ନେଇ ଆଶା କରାଯାଇଛି। ଉଭୟ ଗର୍ଭବତୀ ମାଆ ଓ ଶିଶୁର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଯେଉଁଥିରେ ଟୀକାକରଣ ବଡ଼ ଭୂମିକା ନେଇଛି ।

ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଚାଲିଛନ୍ତ ରାଜ୍ୟ ସରକାର । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାର ଲକ୍ଷ୍ୟ ହାସଲ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ । ଏହାକୁ ମିଶନ ମୋଡରେ କାର୍ଯ୍ୟକ୍ଷମ କରାଯାଉଥିବାରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି । ପାଞ୍ଚ ବର୍ଷରୁ କମ ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ କରିବାରେ ଟୀକାକରଣର ଉଲ୍ଲେଖନୀୟ ଅବଦାନ ରହିଛି । ଏସଆରଏସ୍ ତଥ୍ୟ ଅନୁସାରେ ୫ ବର୍ଷରୁ କମ ଶିଶୁ ମୃତ୍ୟୁହାର ୨୦୦୮ରୁ ୨୦୨୦ ମଧ୍ୟରେ ୫୦ ପଏଣ୍ଟ ହ୍ରାସ ପାଇଛି ।  ୨୦୦୮ରେ ଏହା ୮୯ ଥିବାବେଳେ ୨୦୨୦ରେ ୩୯ ପଏଣ୍ଟକୁ ଖସିଛି । ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ସହ ଠିକ୍ ସମୟରେ ଟୀକାକରଣ କରାଯାଉଛି । ମମତା ଯୋଜନାରେ ଗର୍ଭବତୀ ମାଆମାନେ ଏବେଠାରୁ ୫ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ପାଇବେ । ରାଜ୍ୟରେ ପ୍ରତି ଶିଶୁର ଶତ ପ୍ରତିଶତ ଟୀକାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ସରକାର। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଅନୁଯାୟୀ ଓଡିଶାର ସମ୍ପୂର୍ଣ ଟୀକାକରଣ ହାର ୯୦.୫ ପ୍ରତିଶତ ଅଟେ । ଯାହା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ।

ମମତା ପରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କ ଯତ୍ନ ନେବାରେ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । ଶିଶୁଙ୍କୁ ଅଣ୍ଡା ଦିଆଯାଉଛି । ଘର ଘର ବୁଲି ଅଙ୍ଗନଓ୍ବାଡି, ଆଶାକର୍ମୀମାନେ ଟୀକାକରଣ ଯୋଜନାକୁ ସଫଳ କରୁଛନ୍ତି । ଠିକ୍ ସମୟରେ ଦିଆଯାଉଛି ପୋଲିଓ ଟୀକା । ଚଳିତବର୍ଷ ମଧ୍ୟ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ଇନଫାଣ୍ଟ ମୋର୍ଟାଲିଟି ରେଟ୍ ରିପୋର୍ଟ । ଏଥିରେ ୩୯ ପଏଣ୍ଟରୁ ମଧ୍ୟ ଆହୁରି ତଳକୁ ଶିଶୁ ମୃତ୍ୟୁହାର ଖସିଥିବା ନେଇ ଆକଳନ କରାଯାଇଛି ।

ମାନବ ସମ୍ବଳ ସହିତ ଓଡିଶାର କୋଲଡ ଚେନ ଓ ଭ୍ୟାକ୍ସିନ୍ ମେନେଜମେଣ୍ଟ ବ୍ୟବସ୍ଥା ବହୁତ ସୁଦୃଢ । ଭ୍ୟାକ୍ସିନ୍ ଓ ଲଜିଷ୍ଟିକ୍ ଉପଲବ୍ଧ ହେବା ସ୍ଥିତି ତଥା କୋଲଡ ଚେନ ଉପକରଣର ତାପମାତ୍ରା ଇଭିନ୍ ମାଧ୍ୟମରେ ନିରୀକ୍ଷଣ କରାଯାଉଛି । ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ରାଜ୍ୟ ତଥା ଜିଲ୍ଲା କର୍ତ୍ତୃପକ୍ଷଙ୍କ ତତ୍ତ୍ବାବଧାନରେ ନିରବଚ୍ଛିନ୍ନ ଭାବେ ଉପଯୁକ୍ତ ତାପମାତ୍ରାରେ ଯୋଗାଣ ନିଶ୍ଚିତ କରାଯାଇଛି ।

ଆଗକୁ ୭୫ ହଜାର ଛୁଇଁବ ସୁନା ଦର, ସପ୍ତାହକ ମଧ୍ୟରେ ବଢ଼ିଲାଣି ୪ ହଜାର

ଭୁବନେଶ୍ବର: ହୁ ହୁ ବଢୁ ଚାଲିଛି ସୁନାଦର । ସପ୍ତାହକ ଭିତରେ ବଢ଼ିଲାଣି ୪ ହଜାର ଟଙ୍କା । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍ ପିଛା ୬୭ ହଜାର ୪୧୪ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍‌ ସୁନାଦର ଅଛି ୬୦ ହଜାର ୭୫୦ । ଆଗକୁ ୭୫ ହଜାର ଛୁଇଁବ ବୋଲି ଆକଳନ କରାଯାଉଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ, ସୁନାରେ ନିବେଶ ଓ ବିଶ୍ବ ବଜାରରେ ଅସ୍ଥିରତା, ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାଦର ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି ।

ସପ୍ତାହକ ତଳେ ୨୨ କ୍ୟାରେଟ୍ ସୁନା ଦର ଥିଲା ୫୭ ହଜାର ୫୦୦ ଟଙ୍କା । ଆଜି ୬୦ ହଜାର ୭୫୦ । ସେହିପରି ସପ୍ତାହକ ତଳେ ୧୦ ଗ୍ରାମ୍‌ ୨୪ କ୍ୟାରେଟ୍‌ ସୁନା ଥିଲା ୬୨ ହଜାର ୫୦୦ । ଆଜି ବଢ଼ି ହୋଇଛି ୬୭ ହଜାର ୪୧୪ ଟଙ୍କା । ଶୀଘ୍ର ୭୦ ହଜାର ପାର୍ କରିବ ବୋଲି ସୁନା ବ୍ଯବସାୟୀ ଆକଳନ କରିଛନ୍ତି । ବିଶ୍ବ ବଜାରରେ ଅସ୍ଥିରତା ଯୋଗୁଁ ଲୋକେ ଷ୍ଟକ୍‌ ମାର୍କେଟ୍‌ରେ ପୁଞ୍ଜି ନଲଗାଇ ସୁନାରେ ନିବେଶ କରିବାକୁ ଆଗ୍ରହ ଦେଖାଉଛନ୍ତି । ଏହା ସହିତ ଇସ୍ରାଏଲ-ହମାସ୍‌ ଓ ଋଷ-ୟୁକ୍ରେନ୍‌ ଯୁଦ୍ଧ ବିଶ୍ବ ବଜାରରେ ଅସ୍ଥିରତାର କାରଣ ପାଲଟିଛି । ଫଳରେ ବଢ଼ି ଚାଲିଛି ସୁନାଦର । ଆଗକୁ ସୁନାଦର ୭୫ ହଜାର ଛୁଇଁବ ବୋଲି ଆକଳନ କରାଯାଉଛି । ସୁନା ଦର ଦେଖି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଗ୍ରାହକ ତାଜୁବ । ବଢୁଥିବା ଦର ଯୋଗୁଁ ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମ ପାଇଁ ଅଧିକ ସୁନା କିଣିବା ସମ୍ଭବ ହେଉନି ।

ଭାରତରେ ସୁନାଦର ବୃଦ୍ଧିର କାରଣ ରହିଛି । ଭାରତ ବିଦେଶରୁ ସୁନା ଆମଦାନୀ କରିଥାଏ । ଲଗାତାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଘଟୁଥିବାରୁ ସୁନା ଆମଦାନୀ ଉପରେ ବୈଦେଶିକ ମୁଦ୍ରା ବାବଦରେ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି । ସୁନାଦର ବୃଦ୍ଧି ଯୋଗୁଁ ଲୋକେ ସୁନାରେ ନିଜର ସଞ୍ଚିତ ଅର୍ଥ ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଚାହିଦା ଅଧିକ ରହୁଥିବାରୁ ଦର ବୃଦ୍ଧି ଘଟାଉଛି । ବିବାହ, ବ୍ରତ, ଯାନିଯାତ ଓ ପର୍ବପର୍ବାଣୀରେ ଉପହାର ଦେବା ପାଇଁ ସୁନାକୁ ଅଧିକ ମହତ୍ତ୍ବ ଦିଆଯାଏ । ଫଳରେ ବଜାରରେ ସୁନାର ଚାହିଦା ମଧ୍ଯ ହୁ ହୁ ହୋଇ ବଢୁଛି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଯୋଗୁଁ ଲୋକଙ୍କ କ୍ରୟଶକ୍ତି ବଢିଛି । ସୁନାରେ ନିବେଶ କରି ଭଲ ରିଟର୍ଣ୍ଣ ପାଇବା ଆଶାରେ ଲୋକେ ଅଧିକ ସୁନା କିଣୁଛନ୍ତ । ଚାହିଦା ବୃଦ୍ଧି ଯୋଗୁଁ ସୁନାଦର ବଢୁଥିବା ବିଶେଷଜ୍ଞ ମତ ରଖିଛନ୍ତି ।

୪୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ସହାୟତା

ଭୁବନେଶ୍ବର: ଖରିଫ ଚାଷ ପାଇଁ ଚାଷୀଙ୍କୁ ମିଳିଲା ବଳ । ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ସହାୟତା । ୯୩୩.୭ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀ ଭାଇଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ସହାୟତା ବାବଦରେ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ୪୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ସେହିପରି ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କୁ କୃଷି ସମ୍ବନ୍ଧୀୟ ବୈଷୟିକ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାରେ କାଳିଆ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି ।

ସବୁ ଭୂମିହୀନ ଚାଷୀ ପରିବାରକୁ ଚଳିତ ଖରିଫ ଋତୁ ପାଇଁ ଅତିରିକ୍ତ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପୂର୍ବରୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏବେ ଅତିରିକ୍ତ ସହାୟତା ପାଇବା ଦ୍ବାରା ରାଜ୍ୟର ୧୮ ଲକ୍ଷରୁ ଊର୍ଦ୍ଧ୍ବ ଭୂମିହୀନ ଚାଷୀ ପରିବାର ଉପକୃତ ହେବେ । ଏଥିପାଇଁ ସମୁଦାୟ ୩୬୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଓ ଓଡିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ । କାଳିଆ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୬ ହଜାର ୩୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସେହିପରି କାଳିଆ ହିତାଧିକାରୀ ପିଲାମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରୁ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବେ । ଏହାଦ୍ବାରା NIT, IIT, IIM,  AIIMS, ICAR ପରି ସମ୍ମାନଜନକ ଶିକ୍ଷାନୁଷ୍ଠାନ ସହ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଘରୋଇ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ଚାଷୀ ପରିବାରର ପିଲାଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ ।

କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ, ୨୦୧୯ ମସିହାରେ ଏହି ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଇତିମଧ୍ୟରେ ୬୪ ଲକ୍ଷ ଚାଷୀ ଭାଇ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ୧୩ ହଜାର ୭୯୩ କୋଟି ଟଙ୍କାର ସହାୟତା ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଛି । ଭାରତ ବର୍ଷରେ ଓଡିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ପାଣ୍ଡିଆନ କହିଥିଲେ ।

କୃଷି ଓ କୃଷକ ସଶକ୍ତିରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ୫ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ କାଳିଆ ଯୋଜନା ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିଲା । ଏହି ଯୋଜନା ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେବା ସହିତ ଓଡିଶାର ଚାଷୀ ଭାଇଭଉଣୀଙ୍କ ପାଇଁ ସହାୟକ ହୋଇପାରିଛି । ରାଜ୍ୟରେ ଚାଷୀ ଭାଇଙ୍କ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଏହାର ଆକାର ଓ ପରିମାଣକୁ କ୍ରମାଗତ ଭାବେ ସଂପ୍ରସାରଣ କରୁଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପି.କେ. ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ସ୍ବାଗତ ଭାଷଣ ଦେଇଥିବା ବେଳେ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।