spot_img
Home Blog Page 2195

ଲାଗୁ ହେବ CAA, କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି, ୬ ଧର୍ମର ଲୋକଙ୍କୁ ମିଳିବ ନାଗରିକତା

ନୂଆଦିଲ୍ଲୀ: ଲାଗୁ ହେବ ସିଏଏ । ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର । ଅଣମୁସଲମାନ ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତା । ୬ଟି ଧର୍ମର ଶରଣାର୍ଥୀଙ୍କୁ ନାଗରିକତା ଦିଆଯିବ । ଏହି କ୍ରମରେ ସଂଖ୍ୟାଲଘୁ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ପାର୍ସୀ ଓ ଜୈନ ଶରଣାର୍ଥୀ ପାଇବେ ଭାରତର ନାଗରିକତା ।

ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତରେ ରହିଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି । ଏଥିଲାଗି ଅନଲାଇନ ପୋର୍ଟାଲ ପ୍ରସ୍ତୁତ ହୋଇସାରଛି । ସମ୍ପୂର୍ଣ୍ଣ ଅନଲାଇନ୍ ହେବ ଏହି ପ୍ରକ୍ରିୟା । ଆବେଦକଙ୍କୁ କେବଳ ସେହି ବର୍ଷର ସୂଚନା ଦେବାକୁ ପଡ଼ିବ ଯେଉଁ ବର୍ଷ ସେମାନେ କୌଣସି ଦସ୍ତାବିଜ୍ ବିନା ଭାରତ ମଧ୍ଯକୁ ପ୍ରବେଶ କରିଥିଲେ । ଆବେଦକଙ୍କଠାରୁ କୌଣସି ପ୍ରମାଣପତ୍ର ମଗାଯିବ ନାହିଁ । ସିଏଏ ଆଇନ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ଯାଲଘୁ ଅନୁପ୍ରବେଶକାରୀ ଯେଉଁମାନେ ଦୀର୍ଘ ସମୟ ଧରି ଭାରତରେ ବେଆଇନ ଭାବେ ରହି ଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ସୁଯୋଗ ପ୍ରଦାନ କରିବ । ଏହି ଆଇନରେ ଦ୍ବାରା କୌଣସି ଭାରତୀୟ ସେ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ତାଙ୍କର ନାଗରିକତା ରଦ୍ଦ ହେବାର କୌଣସି ବ୍ୟବସ୍ଥା ନାହିଁ । ଡିସେମ୍ବର ୨୦୧୯ରେ ସିଏଏ ବିଧେୟକ ସଂସଦରେ ପାସ ହେବା ପରେ ରାଷ୍ଟ୍ରପତିଙ୍କ ସ୍ଵୀକୃତି ପାଇଥିଲା। ବିଲ୍ ପାରିତ ହେବାର ୪ ବର୍ଷ ପରେ ଏହି ଆଇନ ଲାଗୁ ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଘୋଷଣା ହେବାକୁ ଥିବାବେଳେ ଆଜିଠାରୁ ସିଏଏ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ନିର୍ବାଚନ ଆଚରଣ ବିଧି କଟକଣା ଯୋଗୁଁ ଏହି ଆଇନ ଲାଗୁ ହୋଇପାରିନଥାନ୍ତା । ପୂର୍ବରୁ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାଧାରଣ ନିର୍ବାଚନ ପୂର୍ବରୁ ସିଏଏ ଲାଗୁ କରିବା ନେଇ କହିଥିଲେ ।

ଆସନ୍ତୁ ଜାଣିବା କ’ଣ ଏହି CAA ?

୧. ନାଗରିକତା ଆଇନ, ୧୯୫୫ରେ ଭାରତୀୟ ନାଗରିକତ୍ୱ ଗ୍ରହଣ, ବିବେଚନା ଓ ସମାପ୍ତି ପାଇଁ ବ୍ୟବସ୍ଥା ରହିଛି । ଭାରତୀୟ ନାଗରିକତ୍ୱ ଜନ୍ମ ଆଧାରରେ (ଧାରା-୩), ବଂଶ ଆଧାରରେ (ଧାରା ୪), ପଞ୍ଜିକରଣ ଆଧାରରେ (ଧାରା ୫), ନାଗରିକତା ଗ୍ରହଣ ଆଧାରରେ (ଧାରା ୬) କିମ୍ବା କୌଣସି ଭୂଖଣ୍ଡ ସାମିଲ ହେବା ଆଧାରରେ (ଧାରା ୭) ଗ୍ରହଣ କରାଯାଇପାରିବ। ଯେକୌଣସି ବିଦେଶୀ ନିଜ ରାଷ୍ଟ୍ର ଓ ସମୂଦାୟ ନିର୍ବିଶେଷରେ ପଞ୍ଜିକରଣ କିମ୍ବା ନାଗରିକତା ଗ୍ରହଣ ଆଧାରରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିପାରିବେ।
୨. ନାଗରିକତା (ସଂଶୋଧନ) ଆଇନ (CAA), ୨୦୧୯ ଜରିଆରେ ନିର୍ଦ୍ଦିଷ୍ଟ ଦେଶରୁ ଧର୍ମ ଆଧାରରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ୬ଟି ସଂଖ୍ୟାଲଘୁ ସମୁଦାୟ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ । ତେବେ ଜାତି, ଧର୍ମ, ବର୍ଣ୍ଣ, ବର୍ଗ ଆଦି ଆଧାରରେ କୌଣସି ବିଦେଶୀଙ୍କୁ ପଞ୍ଜିକରଣ ଅଥବା ନାଗରିକତା ଗ୍ରହଣ ଜରିଆରେ ଭାରତୀୟ ନାଗରିକ ହେବା ଲାଗି ଆବେଦନ କରିବା ନିମନ୍ତେ ପୂର୍ବରୁ ଥିବା ବ୍ୟବସ୍ଥାରେ କୌଣସି ସଂଶୋଧନ କରାଯାଇନାହିଁ। ସର୍ବନିମ୍ନ ଆଇନଗତ ଆବଶ୍ୟକତା ପୂରଣ କରିବା ପରେ ଏପରି ବିଦେଶୀ ଭାରତୀୟ ନାଗରିକତା ଗ୍ରହଣ ପାଇଁ ଆବେଦନ କରିପାରିବେ ।
୩. CAA ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉନାହିଁ। ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ତିନୋଟି ପଡ଼ୋଶୀ ଦେଶରେ ଧର୍ମୀୟ ଉତ୍ପୀଡ଼ନର ଶିକାର ହୋଇଥିବା ନିର୍ଦ୍ଦିଷ୍ଟ ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏହା ଉଦ୍ଦିଷ୍ଟ ।
୪. ଗତ ୬ ବର୍ଷ ମଧ୍ୟରେ ପାଖାପାଖି ୨୮୩୦ ପାକିସ୍ତାନୀ, ୯୧୨ ଆଫଗାନୀ ଓ ୧୭୨ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇସାରିଛି । ଏମାନଙ୍କ ମଧ୍ୟରୁ ଶତାଧିକ ଏହି ତିନୋଟି ଦେଶର ସଂଖ୍ୟାଗରିଷ୍ଠ ସମୂଦାୟରୁ ଆସିଛନ୍ତି । ଏପରି ଶରଣାର୍ଥୀଙ୍କୁ ଆଗକୁ ମଧ୍ୟ ଭାରତୀୟ ନାଗରିକତା ମିଳିବ ଏବଂ ପଞ୍ଜିକରଣ ଓ ନାଗରିକତା ଗ୍ରହଣ ଲାଗି ଆଇନରେ ରହିଥିବା ଯୋଗ୍ୟତା ସର୍ତାବଳୀ ପୂରଣ କରୁଥିଲେ ସେମାନଙ୍କୁ ନାଗରିକତା ମିଳିବାରେ କୌଣସି ଅସୁବିଧା ନାହିଁ। ୨୦୧୪ରେ ଭାରତ ଓ ବାଂଲାଦେଶ ମଧ୍ୟରେ ସୀମା ଚୁକ୍ତି ହୋଇଥିଲା । ଏହାପରେ ୫୦ଟି ବାଂଲାଦେଶୀ କ୍ଷେତ୍ର ଭାରତୀୟ ଭୂଖଣ୍ଡରେ ସାମିଲ ହେଲା ଓ ପାଖାପାଖି ୧୪,୮୬୪ ଜଣ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇସାରିଛି ।
୫. ୨୦୧୬ ପରଠାରୁ ନାଗରିକତା (ସଂଶୋଧନ) ବିଧେୟକକୁ ସର୍ବସମ୍ମୁଖରେ ରଖାଯାଇଛି । ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ନେଇ ଗଠିତ ୩୦ ଜଣିଆ ସଂସଦୀୟ କମିଟି ଏହାକୁ ମଞ୍ଜୁରୀ ଦେଇଛି । ବର୍ତ୍ତମାନର ଆଇନ ସମ୍ପୂର୍ଣ୍ଣ ଭାବେ ଏହି ବିଧେୟକ ଉପରେ ଆଧାରିତ ।
୬. ୨୦୧୫-୧୬ରେ ଭାରତ ସରକାର କେତେକ ନିୟମରେ ସଂଶୋଧନ ଆଣିଥିଲେ । ଏହା ଜରିଆରେ ୨୦୧୪ ଡିସେମ୍ବର ସୁଦ୍ଧା ଧର୍ମୀୟ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ନିର୍ଦ୍ଦିଷ୍ଟ ୩ଟି ଦେଶର ୬ଟି ସଂଖ୍ୟାଲଘୁ ସମୂଦାୟଙ୍କ ଭାରତରେ ପ୍ରବେଶ ଓ ରହଣୀକୁ ଆଇନଗତ ମାନ୍ୟତା ଦିଆଯାଇଛି । ଭାରତ ସରକାର ଏପରି ଶରଣାର୍ଥୀଙ୍କୁ ଭାରତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଲାଗି ଦୀର୍ଘ ଅବଧି ଭିସା (ଏଲଟିଭି) ଜାରି କରିବା ନିମନ୍ତେ ମଧ୍ୟ ଯୋଗ୍ୟ ବିବେଚିତ କରିସାରିଛନ୍ତି । ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଏହି ତିନୋଟି ଦେଶରୁ ଦେଶାନ୍ତରିତ ହୋଇଥିବା ଶରଣାର୍ଥୀ ଯୋଗ୍ୟତା ସର୍ତାବଳୀ ପୂରଣ କରୁଥିଲେ ସେମାନେ CAA ଜରିଆରେ ଭାରତୀୟ ନାଗରିକତା ପାଇପାରିବେ ।
୭. ଭାରତକୁ ବାଧ୍ୟ ହୋଇ ଚାଲିଆସିଥିବା ଭାରତୀୟ ବଂଶୋଦ୍ଭବ ବିଦେଶୀଙ୍କୁ ଭାରତରେ ରହିବା ଏବଂ ନାଗରିକତା ପ୍ରଦାନ କରିବା ଲାଗି ଅତୀତରେ ବିଭିନ୍ନ ସମୟରେ ଭାରତ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉଦାହରଣ ସ୍ୱରୂପ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୬ ଅନୁଯାୟୀ ୧୯ ଜୁଲାଇ, ୧୯୪୮ ପୂର୍ବରୁ ପାକିସ୍ତାନରୁ ଭାରତକୁ ଚାଲିଆସିଥିବା ଲୋକଙ୍କୁ ଭାରତୀୟ ନାଗରିକ ଭାବେ ମାନ୍ୟତା ଦିଆଯିବ । ଦ୍ୱିତୀୟରେ ଏହି ତାରିଖ କିମ୍ବା ଏହା ପରେ ଦେଶାନ୍ତରିତ ହୋଇଥିବା ଲୋକଙ୍କୁ ମାତ୍ର ୬ ମାସ ଭାରତରେ ରହିବା ପରେ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।
୮. ୧୯୬୪ ଓ ୧୯୭୪ରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନ୍ତର୍ଜାତୀୟ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ୧୯୬୪ରୁ ୨୦୦୮ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ୪.୬୧ ଲକ୍ଷ ତାମିଲ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ପାଖାପାଖି ୯୫ ହଜାର ଶ୍ରୀଲଙ୍କା ଶରଣାର୍ଥୀ ତାମିଲନାଡ଼ୁରେ ରହୁଛନ୍ତି । ସେମାନେ ଭାରତ ସରକାର ଓ ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ରାସନ ଓ ଅନ୍ୟାନ୍ୟ ସୁବିଧା ପାଉଛନ୍ତି । ସେମାନେ ମଧ୍ୟ ଭାରତୀୟ ନାଗରିକ ହେବା ପାଇଁ ଯୋଗ୍ୟ ହେବା ପରେ ଏଥିପାଇଁ ଆବେଦନ କରିପାରିବେ ।
୯. ୧୯୬୨ରୁ ୧୯୭୮ ମଧ୍ୟରେ ବର୍ମାରେ ଅଧିକାଂଶ ବାଣିଜ୍ୟ ଓ ବ୍ୟବସାୟକୁ ରାଷ୍ଟ୍ରାୟତ ଘୋଷଣା କରାଯିବା ସହ ଭାରତୀୟ ବଂଶୋଦ୍ଭବଙ୍କ ସମ୍ପତ୍ତିକୁ ସରକାର ବଳପୂର୍ବକ ଅକ୍ତିଆର କରିନେଲେ । ଏହା ପରେ ୨ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବ ବର୍ମାରୁ ଭାରତ ଚାଲିଆସିଲେ । ସେମାନେ ଭାରତର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ବସବାସ କଲେ ।
୧୦. ୧୯୬୫ ଓ ୧୯୭୧ ଯୁଦ୍ଧ ଏବଂ ପାଞ୍ଚ ବର୍ଷ ପୂର୍ବରୁ ପାକିସ୍ତାନରୁ ଦେଶାନ୍ତର ହୋଇଥିବା ହିନ୍ଦୁ ଶରଣାର୍ଥୀଙ୍କୁ ପଞ୍ଜିକରଣ ମାଧ୍ୟମରେ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଗୁଜରାଟ ଓ ରାଜସ୍ଥାନର ୬ ଜିଲ୍ଲାପାଳ ତଥା ଗୁଜରାଟ ସରକାରଙ୍କୁ ୨୦୦୪ରେ କେନ୍ଦ୍ର ସରକାର କ୍ଷମତା ଦେଇଥିଲେ । ଏହି କ୍ଷମତା ପ୍ରଥମେ ଏକ ବର୍ଷ ପାଇଁ ଦିଆଯାଇଥିଲା, କିନ୍ତୁ ଏହାକୁ ୨୦୦୫ ଏବଂ ପୁଣି ୨୦୦୬ ପର୍ଯ୍ୟନ୍ତ ଆହୁରି ଦୁଇ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା ।
୧୧. CAA କୌଣସି ବିଦେଶୀ ଧାର୍ମିକ ସମୂଦାୟକୁ ଟାର୍ଗେଟ କରୁନାହିଁ । ଏହା କେବଳ ସେହି ପ୍ରବାସୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା ଯୋଗାଇ ଦେଉଛି ଯେଉଁମାନେ ବେଆଇନ ମାନ୍ୟତା ପାଇ କେତେକ ସର୍ତ ପୂରଣ କରିବା ସତ୍ୱେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି । କୌଣସି ପ୍ରବାସୀ ଆପେ ଆପେ ଭାରତୀୟ ନାଗରିକ ହୋଇଯିବେ ନାହିଁ । ତାଙ୍କୁ ଅନଲାଇନ ଆବେଦନ କରିବାକୁ ହେବ ଏବଂ ସେ ଭାରତୀୟ ନାଗରିକ ଭାବେ ପଞ୍ଜିକୃତ ହେବା ଓ ନାଗରିକତା ଗ୍ରହଣ କରିବା ଲାଗି ସମସ୍ତ ଯୋଗ୍ୟତା ପୂରଣ କରୁଛନ୍ତି କି ନାହିଁ ତାହା କ୍ଷମତାପ୍ରାପ୍ତ ଅଧିକାରୀ ଅନୁଧ୍ୟାନ କରିବେ ।
୧୨. ସମ୍ବିଧାନର ଷଷ୍ଠ ଅନୁସୂଚୀ ଏବଂ ଇନର ଲାଇନ ପରମିଟ ସିଷ୍ଟମ ଅଧୀନରେ ଆସୁଥିବା ଅଞ୍ଚଳକୁ ଏଥିରୁ ବାଦ ଦିଆଯାଇଥିବାରୁ CAA ଦ୍ୱାରା ଉତ୍ତର-ପୂର୍ବାଞ୍ଚଳର ଜନଜାତି ଓ ଦେଶୀୟ ଲୋକମାନଙ୍କ ସ୍ୱାର୍ଥ ବାଧାପ୍ରାପ୍ତ ହେବ ନାହିଁ । ଏହି ଅଞ୍ଚଳରେ ରହୁଥିବା ଏପରି ପ୍ରବାସୀମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ସକ୍ଷମ ହେବେ ନାହିଁ । ତେଣୁ ବିଦେଶୀଙ୍କ ଭିଡ଼ ସ୍ୱଦେଶୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବାର ପ୍ରଶ୍ନ ଉଠୁନାହିଁ ।

ମିଶନ ଦିବ୍ୟାସ୍ତ୍ର: ଅଗ୍ନି-୫ ମିଜାଇଲର ସଫଳ ପରୀକ୍ଷଣ, ଚୀନର ଛାତି ଧଡ଼ ଧଡ଼

ନୂଆଦିଲ୍ଲୀ: ଭାରତର ମିଶନ ଦିବ୍ୟାସ୍ତ୍ର ଗୋଟିଏ ପରେ ଗୋଟିଏ କାରନାମା କରିବାରେ ଲାଗିଛି । ଏହି କ୍ରମରେ ଆଜି ମଲଟିପୁଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବୁଲ ରି –ଏଣ୍ଟ୍ରି ଭେହିକିଲ (ଏମଆଇଆରବି) ଟେକ୍ନୋଲଜି ସହ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଅଗ୍ନି-୫ ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଆରଡିଓର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦିବ୍ୟାସ୍ତ୍ର ପାଇଁ ଆମେ ଡିଆରଡିଓକୁ ନେଇ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୨୦୨୨ରେ ମଧ୍ୟ ଭାରତର ସବୁଠାରୁ ଶକ୍ତିଶାଳୀ ଏହି ମିଜାଇଲର ସଫଳ ପରୀକ୍ଷଣ କରାଯାଇଥିଲା । ସେତେବେଳେ ଏହା ୫୫୦୦ ଦୂର ଯାଇ ଟାର୍ଗେଟକୁ ହିଟ୍ କରିଥିଲା । ଏହାକୁ ଡିଆରଡିଓ ଓ ଭାରତୀୟ ଡାଇନେମିକ୍ସ ଲିମିଟେଡ (BDL) ମିଳିତ ଭାବେ ବିକଶିତ କରିଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ଏହାର ରେଜ୍ଞ ନୁହେଁ । ବଡ଼ କଥା ହେଲା ଏହାର ରେଞ୍ଜରେ ଚୀନ ସମେତ ଏକାଧିକ ଦେଶ ଆସିଯାଉଛନ୍ତି । ତେଣୁ ଚୀନ ସବୁ ବେଳେ ଭାରତର ଅଗ୍ନି-୫କୁ ନେଇ କିଛି ନା କିଛି aିଛ କଥା ପ୍ରଚାର କରି ଆସିଛି ।

ବିଜେପି, କଂଗ୍ରେସ ଛାଡି ବିଜେଡିରେ ମିଶିଲେ ୫୦ ପରିବାର

ଚାନ୍ଦବାଲି: ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବଢୁଚି ବିଜେଡି ବଳ । ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ୫୦ ପରିବାର । ମୁଖ୍ଯମନ୍ତ୍ରୀଙ୍କ ନୀତି ଆଦର୍ଶ ତଥା ବିକାଶ ମୂଳକ କାର୍ଯ୍ଯରେ ଅନୁପ୍ରାଣିତ ହୋଇ ଦୋସିଙ୍ଗା ପଞ୍ଚାୟତର ୩୦ ପରିବାର ଓ ସୁନ୍ଦରପୁର ପଞ୍ଚାୟତର ୨୦ ପରିବାର ବିଜେଡିରେ ମିଶିଛନ୍ତି । ଜିଲ୍ଲା ପରିଷଦ ରଞ୍ଜନ ସାହୁ ଓ ପ୍ରିନ୍ସ ରାଜେଶ ନାୟକ ନବାଗତମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ପର୍ବ ଫଳରେ ଚାନ୍ଦବାଲିରେ ବିଜୁ ଜନତା ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ବରିଷ୍ଠ ନେତା ବଳଭଦ୍ର ଲେଙ୍କା ପ୍ରକାଶ କରିଛନ୍ତି ।

କଳାଧନ ପ୍ରସଙ୍ଗରେ ଏସଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ

କଟକ: କଳାଧନ ପ୍ରସଙ୍ଗରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଅରିଜିତ ପଶାୟତ । କହିଛନ୍ତି, ଦେଶରେ ଏବେ ବହୁ ମାତ୍ରାରେ ନିଶାଦ୍ରବ୍ୟ ଧରାପଡ଼ିଛି । ୫ଟି ରାଜ୍ୟରେ ନିର୍ବାଚନ ସମୟରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଧରାପଡିଥିଲା । ଯାହା ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାରର ସୂଚନା ପ୍ରଦାନ କରୁଛି ।

ଅନେକ ସମୟରେ ଭୋଟରଙ୍କୁ କ୍ୟାସ୍ ପରିବର୍ତ୍ତେ ସୁନା  ଉପହାର ସହ ଅନ୍ୟ ସାମଗ୍ରୀ ଦେବାକୁ ଅନଲାଇନ୍ ଜରିଆରେ ପ୍ରଲୋଭିତ କରାଯାଉଛି । ଶିକ୍ଷାନୁଷ୍ଠାନରେ ବିଭିନ୍ନ ଉପାୟରେ ବେଆଇନ ଟଙ୍କା କାରବାର ହେଉଥିବା ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଆଗକୁ ଏହାକୁ କିଭଳି ରୋକାଯାଇପାରିବ ସେ ନେଇ ଗୁରୁତ୍ଵାରୋପ କରାଯାଇଛି । ରାଜ୍ୟରେ ଭିଜିଲାନ୍ସ ସମେତ ଅନ୍ୟ ସମସ୍ତ ଏନଫୋର୍ସମେଣ୍ଟ ସଂସ୍ଥା ଦୁର୍ନୀତି ଅଭିଯୋଗ ବିରୋଧରେ କରିଥିବା ତଦନ୍ତର ସବିଶେଷ ବିବରଣୀ ଇଡି ଓ ଆୟକର ବିଭାଗକୁ ଦେବେ । ଆସନ୍ତା ଜୁନ୍ ସୁଦ୍ଧା ନବମ ଅନ୍ତରୀଣ ରିପୋର୍ଟ ସୁପ୍ରିମକୋର୍ଟକୁ ପଠାଯିବ ।

ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ତାଙ୍କ କଟକ ତେଲେଙ୍ଗା ବଜାର ବାସଭବନରେ ବସିଥିଲା ଏହି ବୈଠକ । ବୈଠକରେ ଇଡି, ସିବିଆଇ, ଆୟକର, କଷ୍ଟମ, ଜିଏସଟି, ଭିଜିଲାନ୍ସ ଓ ଖଣି ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଦେଶରେ ଗଚ୍ଛିତ କଳାଧନ ଉପରେ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏଜେନ୍ସି ନେଉଥିବା କାର୍ଯ୍ୟାନୁଷ୍ଠାନ ନେଇ ବୈଠକରେ ଆଲୋଚନା ହୋଇଥିଲା । କଳାଧନକୁ ସାମ୍ନାକୁ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ଜାରି ରହିଛି । ଏହା ମଧ୍ୟରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ତାଙ୍କ ଅଷ୍ଟମ ରିପୋର୍ଟ କୋର୍ଟରେ ଦାଖଲ କରିସାରିଛନ୍ତି ।

ସୋସିଆଲ ମିଡିଆରେ ଡରାଉଥିଲା, ବାନ୍ଧିଲା ପୋଲିସ

ଝାରସୁଗୁଡ଼ା: ସୋସିଆଲ ମିଡିଆରେ କିଛି ଦିନ ଧରି ଧମକପୂର୍ଣ୍ଣ ଫଟୋ, ଭିଡିଓ ଓ ମେସେଜ ପଠାଇ ହଟଚମଟ ସୃଷ୍ଟି କରୁଥିବା ଯୁବକକୁ ବାନ୍ଧିଲା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲେ ଜାଭେଦ ଆନସାରୀ । ତା’ ପାଖରୁ ବ୍ରଜରାଜନଗର ପୋଲିସ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି । ଯେଉଁଥିରେ ଆପତ୍ତିଜନକ ଭିଡିଓ, ଫଟୋ ଓ ମେଲ ରହିଛି ।

ଘଟଣା ଜଣାପଡ଼ିବା ପରେ ବ୍ରଜରାଜନଗର ପୋଲିସ ନିଜ ତରଫରୁ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଥିଲା । ବ୍ରଜରାଜନଗର ଥାନା ଆଇଆଇସି ନିଜେ ଏଫଆଇଆର ଦେଇଥିଲେ । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗିରଫ ହୋଇଥିବା ଯୁବକ ସ୍ଥାନୀୟ ଅଞ୍ଚଳର । କିଛିଦିନ ହେବ ଆପତ୍ତିଜନକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଆସୁଥିଲା । FIRରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଜାଭେଦ କେନ୍ଦ୍ରୀୟ ସଂସ୍ଥାଗୁଡିକୁ ଧମକପୂର୍ଣ୍ଣ ଇ-ମେଲ ପଠାଇଛି । ଆଇଆଇସି ଉଲ୍ଲେଖ କରିଛନ୍ତି, ଜାଭେଦ ବିଭିନ୍ନ ଆତଙ୍କବାଦୀ ସଂଗଠନର ନାଁ ନେଇ ୨୬/୧୧ ଭଳି ଘଟଣା ଘଟାଇବାକୁ ସେ ଓ ତାର ସଂଗଠନ ପ୍ରସ୍ତୁତ ହେଉଛନ୍ତି ବୋଲି ଧମକ ଦେଉଥିଲା ।

ପୋଲିସ ଘଟଣାକୁ ଗୁରୁତର ସହ ନେଇ ଦଫା ୫୦୫, ୫୦୬ ଓ ୬୬(ସି) ଆଇଟି ଆକ୍ଟରେ ମାମଲା ରୁଜୁ କରିବା ସହ ସଂପୃକ୍ତ ଯୁବକ ଜାଭେଦ ଆନସାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଜାଭେଦର ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରିବା ସହ ଅନ୍ୟ କୌଣସି ସନ୍ଦିଗ୍ଧ ଘଟଣାରେ ଲିଙ୍କ ଅଛି କି ନା କେବଳ ଇର୍ଷା ପରାୟଣ ହୋଇ ଏଭଳି ମେଲ କରିଥିଲା ତା’ର ତଦନ୍ତ କରୁଛି ।

ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦଙ୍କୁ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର

ଭୁବନେଶ୍ବର: ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦ ପାଇବେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର । ୨୦୨୩ ପାଇଁ ଅନୁବାଦରେ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତେଲୁଗୁ ଭାଷାରୁ ଓଡ଼ିଆ ଭାଷାକୁ ଅନୁଦିତ ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ ପାଇଁ ବଙ୍ଗାଳୀ ନନ୍ଦଙ୍କୁ ଏହି ସମ୍ମାନ ମିଳିବ ।

୨୦୧୯ ମସିହାରେ ତାଙ୍କର ଏହି ପୁସ୍ତକ ଏନବିଟି ଦ୍ବାରା ପ୍ରକାଶିତ ହୋଇଥିଲା । ହିନ୍ଦୀ, ଇଂରାଜୀ ଓ ତେଲୁଗୁ ସମେତ ଅନ୍ୟ ଭାଷାରୁ ଅନେକ ଗଳ୍ପ ଓ କବିତା ଅନୁବାଦ କରି ପ୍ରସିଦ୍ଧି ଲାଭ କରିଛନ୍ତି ବଙ୍ଗାଳୀ ନନ୍ଦ । ଏନବିଟିର ସମ୍ପାଦକ ତାଙ୍କୁ ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ ବହିଟିକୁ ଅନୁବାଦ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବହିଟି ମୂଳତଃ ତେଲୁଗୁ ଭାଷାରେ ଲେଖିତ । କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦ ଖୁସି ପ୍ରକାଶ କରିଛନ୍ତି ।

୫ ଜିଲ୍ଲାରେ ଲେଖାଗଲା ଭିତ୍ତିଭୂମି ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ

ଭୁବନେଶ୍ବର: ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଆଜି ଓଡ଼ିଶାକୁ ଦେଇଛି ନୂଆ ପରିଚୟ । ଆଜି ୫ଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର, କେନ୍ଦୁଝର ଜିଲ୍ଲା ଯୋଡାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କିଲୋମିଟର ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର ବ୍ରିଜ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରିରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୬୨ ମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ଓଭର-ବ୍ରିଜ, ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୧୫୯.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁ, ରାକଡୋର-ଫସାଦ ରାସ୍ତାରେ ତେଲ ନଦୀ ଉପରେ ୪୫.୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁ ଓ ୭୧.୫୯ କୋଟି ଟଙ୍କା ବ୍ୟୟରେ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗିକରଣ ରାସ୍ତାରେ ମହାନଦୀ ଉପରେ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କଟକ ଜିଲ୍ଲା ନେମାଳଠାରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ,  ୩୨.୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ମା’ ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ କାର୍ଯ୍ୟ, ୧୫୫.୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ-ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ୧୭୩୮ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପରିଚୟ, ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଉନ୍ନୟନ କାମରେ ସହଯୋଗ ପାଇଁ ସ୍ଥାନୀୟ ଲୋକଙ୍କୁ 5T ଅଧ୍ୟକ୍ଷ ଧନ୍ୟବାଦ ଜଣାଇଛନ୍ତି ।

ଢୋ ଢୋ ଶବ୍ଦରେ ଥରିଲା ସୁନ୍ଦରଗଡ଼ର ବଣାଇଁ ଅଞ୍ଚଳ

ସୁନ୍ଦରଗଡ଼: ସବୁଦିନ ପରି ସାମାନ୍ୟ ଥିଲା ସୁନ୍ଦଗଡ଼ । ହଠାତ ହେଲା ପ୍ରଚଣ୍ଡ ଶବ୍ଦ । ଢୋ ଢୋ ଶବ୍ଦରେ ଥରିଗଲା ସୁନ୍ଦରଗଡ଼ର ଅଧିକାଂଶ ଅଞ୍ଚଳ । ଲୋକଙ୍କ ମଧ୍ୟରେ ଖେଳିଗଲା କୋକୁଆ ଭୟ ।

ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ର ବଣାଇଁ ଅଞ୍ଚଳରେ ଏପରି ଶବ୍ଦ ଶୁଣିବାକୁ ମିଳିଛି । ବଣାଇଁ ସମେତ କୋଇଡ଼ା, ଟେନସା, ଲହୁଣିପଡ଼ା, ଗୁଆଲି, ବଡ଼ବିଲ ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଦୁଇଥର ଏପରି ଶବ୍ଦରେ ପ୍ରକମ୍ପିତ ହୋଇଯାଇଥିଲା ସମଗ୍ର ଅଞ୍ଚଳ l ଲୋକ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ପ୍ରଚଣ୍ଡ ଶବ୍ଦର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ଅଞ୍ଚଳ ଲୋକ ଆତଙ୍କିତ ହୋଇପଡ଼ିଥିଲେ । ତେବେ ଶବ୍ଦ ସମୟରେ ଦୁଇଟି ଜେଟ୍ ବିମାନ ଯାଉଥିଲା ବୋଲି କିଛି ଲୋକ କହିଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି ।

ଗାଜାରେ ୬ ସପ୍ତାହ ଯୁଦ୍ଧ ବିରତି ଚାହୁଁଛି ଆମେରିକା

ଓ୍ବାସିଂଟନ: ଆଗକୁ ପବିତ୍ର ରମଜାନ ମାସ । ଏ ସମୟରେ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛି ଆମେରିକା । ଏଥିପାଇଁ ଗାଜାରେ ୬ ସପ୍ତାହ ଲାଗି ଯୁଦ୍ଧ ବିରତି ପ୍ରସ୍ତାବ ଉପରେ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ମୁସଲିମ ସମ୍ପ୍ରଦାୟକୁ ରମଜାନ ଅଭିନନ୍ଦନ ଜଣାଇବା ସହ ଗାଜାରେ ଅସ୍ତ୍ରବିରତି ଲାଗି ଉଦ୍ଯମ କରିବେ ବୋଲି କହିଛନ୍ତି ବାଇଡେନ । ଏହାସହ ପଣବନ୍ଦୀଙ୍କ ମୁକ୍ତି ଲାଗି ଏହି ସମୟରେ ଉଦ୍ଯମ କରାଯିବ । ଗାଜାରେ ମାନବିକ ସହାୟତା ଲାଗି ଅନ୍ତର୍ଜାତୀୟ ସ୍ତରରେ ଉଦ୍ଯମ କରାଯାଉଛି ବୋଲି ସେ କହିଛନ୍ତି ।

ସେପଟେ ପଣବନ୍ଦୀଙ୍କ ମୁକ୍ତି ଦାବିରେ ତେଲ ଆବିବରେ ବଡଧରଣ ବିକ୍ଷୋଭ ହୋଇଛି ।  ଗାଜାରେ ଚାଲିଛି ଇସ୍ରାଏଲର ଆକ୍ରମଣ । ଗାଜାର ଦକ୍ଷିଣାଞ୍ଚଳରେ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିଛି । ହମଲାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ଦକ୍ଷିଣ ଗାଜାର ଅଲ ମାୱାସି ଅଂଚଳର ନୁସିରାତ ଶରଣାର୍ଥୀ ଶିବିର ଉପରେ ହୋଇଥିଲା ଏ ଆକ୍ରମଣ । ଉତ୍ତର ଗାଜାରେ ଜଣେ ନବଜାତ ସହ ଜଣେ ଯୁବତୀଙ୍କ ଖାଦ୍ୟାଭାବରୁ ମୃତ୍ଯୁ ହୋଇଛି ।   ଖାଦ୍ୟାସଂକଟରୁ ଗାଜାରେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ଯୁ ହେଲାଣି ।

ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ ହମାସ ସହ ଆଲୋଚନା ଲାଗି କଥାବାର୍ତ୍ତା ଚାଲିଥିବା ଜଣାପଡିଛି । ଇସ୍ରାଏଲ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୧ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ହେଲାଣି । ୭୨ ହଜାରରୁ ଅଧିକ ପାଲେଷ୍ଟିନୀୟ ଆହତ ହୋଇଛନ୍ତି । ଏବେ ବି ଆତଙ୍କୀ ସଂଗଠନ ହମାସ ପାଖରେ ଅନେକ ଇସ୍ରାଏଲ ନାଗରିକ ପଣବନ୍ଦୀ ଅଛନ୍ତି ।

ଖୁବଶୀଘ୍ର ରାଜ୍ୟରେ ଗଡ଼ିବ ନୂଆ ଜଗନ୍ନାଥ ଏକ୍ସପ୍ରେସ ପ୍ରିମିୟମ୍ ବସ୍

ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ଗଡ଼ିବ ନୂଆ ଜଗନ୍ନାଥ ଏକ୍ସପ୍ରେସ ପ୍ରିମିୟମ୍ ବସ୍। ସବୁ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ଦେଇ ପୁରୀକୁ ଗଡ଼ିବ ଏହି ବିଳାସମୟ ସ୍ଳିପର ବସ୍ । ଏହି ଭଲଭୋ ବସରେ ସମସ୍ତ ସିଟ୍ ସ୍ଳିପର । ବସରେ ଯାତ୍ରୀଙ୍କ ପାଇଁ ଆରାମଦାୟକ ଯାତ୍ରାକୁ ଗୁରୁତ୍ୱ ଦିଆଯାଇଛି।

ଜନସାଧାରଣଙ୍କ ଅବଗତି ନିମନ୍ତେ ଆଜି ବରମୁଣ୍ଡା ଭୀମରାଓ ଆମ୍ବେଦକର ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍, ମାଷ୍ଟରକ୍ୟାଣ୍ଟିନ୍, ପୁରୀ ଏବଂ କଟକ ବସଷ୍ଟାଣ୍ଡରେ ବସଗୁଡ଼ିକ ସୁସଜ୍ଜିତ କରି ପ୍ରଦର୍ଶନ କରାଯାଇଛି। ବସ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ । ସିଟ୍ ଗୁଡିକ ବେଶ୍ ଆରାମଦାୟକ । ଏହି ବସରେ ଯିବାକୁ ଚାହିଁଲେ ଓ.ଏସ.ଆର.ଟି.ସିରୁ ଅନଲାଇନ ଏବଂ ଜିଲ୍ଲା ମୁଖ୍ୟ ବସଷ୍ଟାଣ୍ଡରେ ଅଫଲାଇନରେ ଟିକଟ ବୁକିଂ କରିପାରିବେ। ଗୋଟିଏ ବସରେ ୪୨ ଜଣ ଯାତ୍ରୀ ଶୋଇକି ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯାଇଛି।