ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ । ଆଜି ବିଶାଖାପାଟଣାରେ ନିର୍ଣ୍ଣାୟକ ଟକ୍କର । ଟସ ଜିତିଲା ଭାରତ । ଲଗାତର ୨୦ ଥର ହାରିବା ପରେ ଟସ୍ ଜିତିଲା । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା । ୧-୧ରେ ସିରିଜ ରହିଛି ବରାବର । ଆଜିର ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ଵପୂର୍ଣ୍ଣ । ଆଜି ମ୍ୟାଚ ଜିତିଲେ ସିରିଜ ଉପରେ କରିବ କବଜା ।
ଲୋୟର ପିଏମଜିରେ ଓଡ଼ିଶା ଏସଏସବି ଅଧ୍ୟାପିକା ଓ ଅଧ୍ୟାପକ ସଂଘ ପକ୍ଷରୁ ଧାରଣ
ଭୁବନେଶ୍ବର ଲୋୟର ପିଏମଜିରେ ଓଡ଼ିଶା ଏସଏସବି ଅଧ୍ୟାପିକା ଓ ଅଧ୍ୟାପକ ସଂଘ ପକ୍ଷରୁ ପ୍ରତିବାଦ ଓ ଧାରଣ ଦିଆଯାଇଛି । ବିଭିନ୍ନ ଦାବି ନେଇ ଅଧ୍ୟାପିକା ଓ ଅଧ୍ୟାପକମାନେ ଆନ୍ଦୋଳନ କରୁଛନ୍ତି । ୬ହଜାର ଟଙ୍କା ଗ୍ରେଡପେ ଲାଗୁ, ଏସଏସବି ନିଯୁକ୍ତି ଅଧ୍ୟାପକମାନଙ୍କୁ ଆଇନ ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା, UGC ନିୟମ ଓ ୨୦୧୬ ଅନୁସାୟୀ ଆସିଷ୍ଟାଣ୍ଟ ମାନ୍ୟତା ଦାବି, ସମସ୍ତ ସରକାରୀ ସେବା ଓ ସୁବିଧା, ଏଚଆରଏ, ମେଡିକାଲ, ଫ୍ୟାମିଲି ପେନସନ, ଗ୍ରାଚ୍ୟୁଟି ପ୍ରଦାନ, ୨୦୧୬ ବ୍ୟାଚର ବକେୟା ପଦୋନ୍ନତି ତ୍ବରିତ କରିବା ପାଇଁ ଦାବି କରାଯାଇଛି । ସେହିଭଳି ବିଭିନ୍ନ ସରକାରୀ ପଦବୀରେ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି ।
ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋରେ ହୋଇଥିବା ବଡ଼ ଧରଣର ବିଭ୍ରାଟ
ନନ୍ଦିଘୋଷ ବ୍ୟୁରୋ: ଆଜି ପୁଣି ସମାନ ଦଶା । ବିମାନବନ୍ଦରରେ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ । ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା ବଡ଼ ଧରଣର ବିଭ୍ରାଟ ସାରା ଦେଶରେ ବିମାନ ଯାତ୍ରାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, ଇନ୍ଦୋର, କୋଚି, ଥିରୁଅନନ୍ତପୁରମ ସମେତ ଅନେକ ବିମାନବନ୍ଦରରେ ବଡ଼ ଧରଣର ବିମାନ ବାତିଲ ଏବଂ ବିଳମ୍ବ ହେଉଛି । ଯାହା ଫଳରେ ବିମାନବନ୍ଦର ଟର୍ମିନାଲରେ ପ୍ରବଳ ଭିଡ଼ ହେବା ସହ ଯାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି । ଅନେକ ସ୍ଥାନରେ ଯାତ୍ରୀ ବିମାନ ବିଳମ୍ବ ଏବଂ ରଦ୍ଦ ପାଇଁ ହନ୍ତସନ୍ତ ହେଉଥିବାରୁ ସାମାଜିକ ଗଣମାଧ୍ୟମରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏବେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସମ୍ପୂର୍ଣ୍ଣ ସଙ୍କଟର ତୁରନ୍ତ ଶୁଣାଣି ପାଇଁ ଦାବି କରାଯାଇଥିଲା ଏବଂ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କ ଓକିଲଙ୍କୁ ତାଙ୍କ ଘରକୁ ଡକାଇଛନ୍ତି। ବିମାନ ବାତିଲ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାୟର କରାଯାଇଥିଲା।ଯାଚିକାରେ ଯାତ୍ରୀମାନଙ୍କୁ ବହୁତ ଅସୁବିଧା ଏବଂ ଏକ ମାନବିକ ସଙ୍କଟ ବୋଲି ଦାବି କରାଯାଇଛି। ଆବେଦନକାରୀଙ୍କ ଓକିଲ ଖୁବ୍ ଶୀଘ୍ର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ବାସଭବନରେ ପହଞ୍ଚି ମାମଲାର ଶୁଣାଣି ପାଇଁ ଆଜି ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଅନୁରୋଧ କରୁଛନ୍ତି।
ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି, ଏବଂ ସୁପ୍ରିମକୋର୍ଟ କି ନିର୍ଦ୍ଦେଶ ଦେଉଛନ୍ତି ତାଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ବହୁ ସଂଖ୍ୟକ ଇଣ୍ଡିଗୋ ବିମାନ ବାତିଲ ହେବାର କାରଣଗୁଡ଼ିକୁ ବ୍ୟାପକ ଭାବରେ ସମୀକ୍ଷା ଏବଂ ମୂଲ୍ୟାଙ୍କନ କରିବା ପାଇଁ ଏକ ଚାରି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି।
ଖଣି ମାଫିଆଙ୍କ ଦୌରାତ୍ମ୍ୟ: ଖଣି ବିଭାଗ କର୍ମଚାରୀଙ୍କ ଠାରୁ ଛଡାଇ ନେଲେ ୩ ଟ୍ରକ
ନନ୍ଦିଘୋଷ ବ୍ୟୁରୋ: ଖଣି ବିଭାଗ କର୍ମଚାରୀଙ୍କ ଠାରୁ ଛଡାଇ ନେଲେ ତିନି ଟ୍ରକ। ଗାଡି ଜାଳିଦେବାକୁ ଧମକ ଦେଲେ ପଥର ମାଫିଆ ଓ ଟ୍ରକ ମାଲିକ l ବାଲେଶ୍ଵର ସୋର ଅଂଚଳରେ ବଢିଚାଲିଛି ପଥର ମାଫିଆ ଓ ଟ୍ରକ ମାଲିକଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି l ଖଣି ଅଧିକାରୀଙ୍କୁ ଧମକ ଦେଇ ଛଡାଇ ନେଲେ ତିନି ଟ୍ରକ l ଖଣି ଅଧିକାରୀଙ୍କ ଗାଡି ଜାଳିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି l ବାହାନଗା ଦାଣ୍ଡହରିପୁର ଗ୍ରାମରେ ତିନିଟି ଚୋରା ପଥର ଟ୍ରକ ଥିବା ଖବର ପାଇ ସୋର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଘଟଣାସ୍ଥଳକୁ ଯାଇଥିଲେl ଖଣି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗାଁର କିଛି ଯୁବକ, ଟ୍ରକ ମାଲିକ ଓ ପଥର ମାଫିଆ ମିଳିତ ଭାବେ ସୋର ଖଣି କନିଷ୍ଠ ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ କୁମାର ମଣୀ ଓ ଖଣି ବିଭାଗର ଡ୍ରାଇଭରଙ୍କୁ ଧମକ ଦେଇ ଗଣ୍ଡଗୋଳ କରିଥିଲେl ଗଣ୍ଡଗୋଳକାରୀମାନେ ଖଣି ବିଭାଗର ଗାଡିକୁ ପୋଡ଼ିଦେବାକୁ ଧମକ ଦେଇଥିଲେ l ଖଣି ବିଭାଗ ଅଧିକାରୀଙ୍କ ଠାରୁ ଗଣ୍ଡଗୋଳକାରି ତିନୋଟି ବେଆଇନ ପଥର ବୋଝେଇ ଟ୍ରକକୁ ଛଡାଇ ନେଇଥିଲେ l ଘଟଣାକୁ ନେଇ ଖଣି ବିଭାଗ ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଛି l ସେଠାରୁ ଖଣି ଅଧିକାରୀ ଖଞ୍ଜାମାହଲ ଖାଦାନକୁ ଯାଇ ୫୬ ଖାଦାନରୁ ପାଣି ଶୁଖାଉଥିବା ଏକ ଟ୍ରାକ୍ଟରକୁ ଜବତ କରିଥିଲେl
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ହସ୍ପିଟାଲର ହାଉସ କିପିଂ ରୁମରେ ନିଆଁ । ବାଲେଶ୍ଵର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ରୁମ ଭିତରେ ଫିନାଇଲ, କପଡ଼ା, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା । ତେବେ ସକାଳୁ ରୁମ ଭିତରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁରେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
ରାଜ୍ୟରେ ଚାକିରି ଆଶାୟୀଙ୍କ ପରୀକ୍ଷା ଅବ୍ୟବସ୍ଥା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିନ୍ଦା
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଚାକିରି ଆଶାୟୀଙ୍କ ପରୀକ୍ଷା ଅବ୍ୟବସ୍ଥା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିନ୍ଦା। କହିଛନ୍ତି, ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ବପ୍ନକୁ ଧୂଳିସାତ କରୁଛି। ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି। ପିଲାଙ୍କ ସ୍ବପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ ପୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା ସହ ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି।୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି। ସରକାର କ’ଣ ଦର୍ଶାଇବାକୁ ଚାହୁଁଛନ୍ତି। ରାଜ୍ୟର ପିଲାମାନଙ୍କ ଆଶା, ସ୍ବପ୍ନ ଏପରି ଧୂଳିସାତ ହେଉଥିବ କି ବୋଲି ପଚାରିଛନ୍ତି ନବୀନ। ସରକାର ସଜାଗ ହୁଅନ୍ତୁ ସମସ୍ତ ପରୀକ୍ଷା ଯେପରି ନିୟମିତ ଏବଂ ସ୍ବଚ୍ଛତାର ସହ ହେବ ତାହା ସୁନିଶ୍ଚିତ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଲୁଟିନେଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଲୁଟିନେଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର । କାଂଶ ଗ୍ରାମର ପ୍ରଶାନ୍ତ ମହାନ୍ତିଙ୍କ ଘରୁ ହୋଇଛି ବଡ ଧରଣର ଲୁଟ୍ । ୪ ଟି ସୁନା ହାର ,୧୪ ଟି ମୁଦି, ୮ଶହ ଗ୍ରାମ ରୂପା ଓ ଅନ୍ୟାନ୍ୟ ଅଳଙ୍କାର ଲୁଟି ଲୁଟେରା ଚମ୍ପଟ ମାରିଛନ୍ତି । ସିସିଟିଭିରେ କଏଦ ହୋଇଛି ଲୁଟ ବେଳର ଦୃଶ୍ୟ । ପ୍ରଶାନ୍ତ ମହାନ୍ତିଙ୍କ ପରିବାର ଲୋକେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଘରେ କଳାକନା ବୁଲାଇ ଦେଇଛନ୍ତି । ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

