spot_img
Home Blog Page 23

ମାଛ ଗୋଦାମ ଓ ଏକ ବିଲଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ

କଟକ : କଟକ ମଧୁପାଟଣା ଛକରେ ଥିବା ମାଛ ଗୋଦାମ ଓ ଏକ ବିଲଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ୪ଟା ସମୟରେ ପ୍ରଥମେ ମାଛ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଥିଲା । ପରେ ନିଆଁ ବ୍ୟାପୀ ପାଖରେ ଥିବା ଏକ ଛଅ ତାଲା ବିଲଡିଂକୁ ବ୍ୟାପୀଥିଲା । ପରେ ୩ଟି ଦମକଳ ଗାଡି ଆସି ନିଆଁ ଲିଭା କାମରେ ଲାଗିଥିଲେ । ଦୀର୍ଘ ୩ ଘଣ୍ଟାର ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ନିଆଁର କାରଣ ଜଣା ପଡି ନ ଥିଲେ ସୁଦ୍ଧା ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ବଡ଼ ଧରଣର ଜୁଆ ଆଡ୍ଡାରେ ଚଢ଼ାଉ : ୨୬ ଜଣ ଜୁଆଡ଼ି ଗିରଫ

ରାଉରକେଲା : ଓଡିଶା ଛତିଶଗଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲା ଜାମଝରିଆ ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ରେଡ । ଖବର ପାଇ ଚଢ଼ାଉ କଲା ହେମଗିରି ଥାନା ପୋଲିସ । ୨୬ ଜଣ ଜୁଆଡ଼ି ଗିରଫ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧୧ ଲକ୍ଷ ୧୬ ହଜାର ୯୦୦ ଟଙ୍କା ଜବତ କରାଯାଇଛି । ଏହାସହ ୩୧ ଟି ମୋବାଇଲ, ୩ଟି କାର ଓ ୯ ଟି ବାଇକ ଜବତ କରାଯାଇଥିବା ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ କୌର ସୁଚନା ଦେଇଛନ୍ତି । ଓଡିଶା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜଙ୍ଗଲରେ ସୂଚନା ପରେ ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ କୌର ଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା । ତେବେ ଏହି ବେଆଇନ ଜୁଆ କାରବାରରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ପୁଣି ଅନଲାଇନରେ ମହାପ୍ରସାଦ ଖଜା ବିକ୍ରି

ପୁରୀ : ପୁଣି ଅନଲାଇନରେ ମହାପ୍ରସାଦ ଖଜା ବିକ୍ରି । ଏ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁରୀ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଖଜାକୁ ଅନଲାଇନ ଓ ହୋମ ଡେଲିଭରି ମାଧ୍ୟମରେ ବିକ୍ରି କରାଯାଉଥିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ । ସେବକମାନେ ଏହାକୁ ମହାପ୍ରସାଦର ପରମ୍ପରା ଓ ମର୍ଯ୍ୟାଦାର ଉଲ୍ଲଙ୍ଘନ ବୋଲି କହିଛନ୍ତି ।ବ୍ରଜମେଳାର ପକ୍ଷରୁ ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ପ୍ରିମିୟମ ଖଜା ସହ ଶୁଖିଲା ଅନ୍ନ ମହାପ୍ରସାଦ ଘରେ ବସି ଡେଲିଭରି ଦେବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯାଇଛି । ଅର୍ଡର ପାଇଁ ମୋବାଇଲ ନମ୍ବର ଓ ହ୍ୱାଟ୍ସଆପ୍ ଲିଙ୍କ ବି ଦିଆଯାଇଛି । ମହାପ୍ରସାଦ କେବଳ ଶ୍ରୀମନ୍ଦିର ଆନନ୍ଦ ବଜାରୁ ହିଁ କିଣାଯାଇ ସେବନ କରାଯାଇପାରିବ । ଅନଲାଇନ ବିକ୍ରି ଓ କୋରିୟର ମାଧ୍ୟମରେ ପଠାଇବା ପରମ୍ପରା ବିରୁଦ୍ଧ ବୋଲି ଅଭିଯୋଗ କରିଛନ୍ତି ସେବାୟତ ।

ଭୁବନେଶ୍ୱରରେ ବୁଲୁଛନ୍ତି ବନ୍ଧୁକଧାରୀ ଯବାନ

ଭୁବନେଶ୍ୱର : ହାତରେ ବନ୍ଧୁକ, ରାସ୍ତାରେ ଯବାନ । ଭୁବନେଶ୍ୱରରେ ବୁଲୁଛନ୍ତି ବନ୍ଧୁକଧାରୀ ଯବାନ । ନନ୍ଦିଘୋଷ ଟିଭି ହାତରେ ଲାଗିଛି Exclusive ଭିଜୁଆଲ । ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ଅସ୍ତ୍ର ଧରି ରାଜରାସ୍ତାରେ ସୁରକ୍ଷା ବାହିନୀ । ସ୍ପେଶାଲ ଟାକ୍ଟିକାଲ ଗ୍ରୁପ ବା STG ର ଯବାନ ମାନେ ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ରାସ୍ତାରେ ପାଇଁତରା ମାରିଛନ୍ତି । ବାଣୀବିହାର, ମାଷ୍ଟର କ୍ୟାଣ୍ଟିନ, ଏଜି ଛକ, ଜୟଦେବ ବିହାର ପ୍ରମୁଖ ସ୍ଥାନରେ ଆରମ୍ବ ହୋଇଛି ପାଇଁତରା । କିଛିଦିନ ତଳେ ଭିଡ଼ ହିଂସା ସହ ସହରରେ ଅପରାଧିକ ତତ୍ତ୍ୱଙ୍କୁ ଦମନ ପାଇଁ STG ଟିମ ମେମ୍ବରଙ୍କୁ ଦିଆଯାଇଥିଲା ସ୍ପେଶାଲ ଟ୍ରେନିଂ । ସହରରେ ବଢୁଥିବା ଅପରାଧ, ଚୋରି, ଲୁଟ, ନିଶା କାରବାର ଆଦି ରୋକିବା ପାଇଁ ଛକ ବଜାର ମାନଙ୍କରେ STG ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଅପରେସନ । ସହରରେ ପ୍ରବେଶ ପଥରେ ନାକାବନ୍ଦୀ ସହ ସ୍ଥାନୀୟ ପୋଲିସ ସହାୟତାରେ ଚାଲିଛି ଏହି ଅପରେସନ । ଆଗାମୀ ଦିନରେ ଏହି ଅପରେସନ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ।

ପୁଣି ଥାର୍ଡ଼ ଡିଗ୍ରୀ ! ଯୁବକଙ୍କୁ ଅବକାରୀ ବିଭାଗର ମାଡ ଅଭିଯୋଗ

ରାଜନଗର : କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଥାର୍ଡ ଡିଗ୍ରୀ ଅଭିଯୋଗ । ଚୋରା ମଦ କାରବାର ନେଇ ଅଭିଯୋଗ କରିବାକୁ ମାଡ଼ ମାରିଥିବା ଅଭିଯୋଗ ଆଣିଲେ ଜଣେ ଯୁବକ। ମଦ ବେପାରୀ ସହ ଥାନାରେ ପିଟିଲେ ଅବକାରୀ ବିଭାଗର ୪ ଜଣ କର୍ମଚାରୀ। । ଚୋରା ମଦ କାରବାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ରାଜନଗର ଥାନା ବାରଦିଆ ଗାଁର ବିନୋଦ କୁମାର ଦାସ । ଅଭିଯୋଗ କରିବାରୁ ତାଙ୍କ ନାଁରେ ମିଛ ମାମଲା କରିବା ସହ ତାଙ୍କୁ ମାଡ଼ ମରାଯାଇଛି । ଚୋରା ମଦ ବେପାରୀ ସହ ମିଶି ଅବକାରୀ ବିଭାଗର ଏସ ଆଇ ଓ ଅନ୍ୟ ୪ ଜଣ କର୍ମଚାରୀ ଗାଡି ଭିତରେ ନିର୍ମମ ଭାବେ ପିଟିବା ସହିତ ଲହୁଲୁହାଣ କରିଛନ୍ତି । ଯୁବକଙ୍କୁ ରାଜନଗର ଥାନାରେ ପ୍ରାୟ ୧୧ ଘଣ୍ଟା ଧରି ଅଟକ ରଖାଯାଇଥିବା ନେଇ ଯୁବକ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଓ ରାଜନଗର ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ତାଙ୍କ ପରିବାର।

ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ : ଅଟକ ଯୁବକକୁ ପିଟି ପିଟି ନୟାନ୍ତ ପରେ ମେଡିକାଲରେ ଯୁବକଙ୍କ ମୃତ ଅଭିଯୋଗ

ପୋଲସରା : ଗଞ୍ଜାମ କବିସୂର୍ଯ୍ୟନଗର ଥାନା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ । ଅଟକ ଯୁବକକୁ ପିଟି ପିଟି ନୟାନ୍ତ ପରେ ମେଡିକାଲରେ ଯୁବକଙ୍କ ମୃତ ଅଭିଯୋଗ । ମୃତ ଯୁବକଙ୍କ ଘର ସୁବୁଳିଆ ଗାଁରେ । ମୃତ ଯୁବକଙ୍କ ନାମ ସୁଶାନ୍ତ ସାହୁ । ଏକ ପଥର ଫୁଟା ମାମଲା ପୋଲିସ ଯୁବକକୁ ଥାନାକୁ ଉଠାଇ ଆଣିଥିଲା । ଯୁବକଙ୍କ ମୃତକୁ ନେଇ ବଢୁଛି ଅସନ୍ତୋଷ । ଥାନା ସମ୍ମୁଖ ପୋଲିସ ଫୋର୍ସ ମୁତୟନ ।

ଓଡ଼ିଶା ଗଞ୍ଜେଇର ପାକିସ୍ତାନ କନେକ୍ସନ: କାଶ୍ମୀରରୁ ୨ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରୁ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି ଗଞ୍ଜେଇର କଳା ସାମ୍ରାଜ୍ୟ। କନ୍ଧମାଳରୁ କାଶ୍ମୀର ଏବଂ କାଶ୍ମୀରରୁ କରାଚୀ ପର୍ଯ୍ୟନ୍ତ ଚାଲିଥିଲା ଏହି ଆନ୍ତର୍ଜାତୀୟ ନିଶା ସିଣ୍ଡିକେଟ। ଓଡ଼ିଶା ଗଞ୍ଜେଇର ପାକିସ୍ତାନରେ ପ୍ରବଳ ଡିମାଣ୍ଡ ଥିବା ବେଳେ ଶତ୍ରୁ ଦେଶ ସହ ମିଶି ଏହି ନେଟୱର୍କ କାମ କରୁଥିଲା। ଏବେ ଏହି ବଡ଼ ରାକେଟ୍‌ ଉପରୁ ପରଦା ହଟାଇବା ସହ ଓଡ଼ିଶାର ସପ୍ଲାୟରମାନଙ୍କୁ ନିଜ ସ୍କାନରକୁ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)।

ଏହି କାରବାର ପଛରେ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ବିକ୍ରମ ସିଂ ଓ ତାର ସହଯୋଗୀ ଦରବିନ୍ଦର ସିଂକୁ ଗତକାଲି ଏନସିବି ଗିରଫ କରିଛି। ଜମ୍ମୁ-କାଶ୍ମୀରର ବାସିନ୍ଦା ଦୁଇ ଅଭିଯୁକ୍ତ, ପ୍ରକୃତରେ ରାଜ୍ୟ ବାହାରକୁ ଫଳ ପରିବହନ କରିବା ପେଶାରେ ଥିଲେ। ହେଲେ ଫଳ ବ୍ୟବସାୟ ଆଢ଼ୁଆଳରେ ଓଡ଼ିଶାରୁ ଗଞ୍ଜେଇ ଚୋରା ଚାଲାଣର ଏକ ବଡ଼ ନେଟୱର୍କ ଚଳାଉଥିଲେ। କାଶ୍ମୀରରୁ ଫଳ ବୋଝେଇ ଟ୍ରକ ଓଡ଼ିଶା ଆସୁଥିଲା ଏବଂ ଏଠାରୁ ଫେରିବା ବେଳେ ସେଥିରେ କନ୍ଧମାଳରୁ ଗଞ୍ଜେଇ ଲୋଡ୍ କରାଯାଇ ସିଧା କାଶ୍ମୀର, ମାହାରାଷ୍ଟ୍ର ଓ ପାକିସ୍ତାନ ଚାଲାଣ କରାଯାଉଥିଲା। ଦୁଇଜଣଙ୍କ ଗିରଫଦାରୀ ପରେ ଓଡ଼ିଶା ଗଞ୍ଜେଇର ଚାହିଦା କେବଳ ଦେଶ ଭିତରେ ନୁହେଁ, ବରଂ ବିଦେଶରେ ମଧ୍ୟ ରହିଛି ବୋଲି ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି।

ଅନ୍ୟପଟେ ରାଜ୍ୟରେ ନିଶା କାରବାର ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଜୋରଦାର ଇନଫୋର୍ସମେଣ୍ଟ ଜାରି ରହିଛି। ଗତ ୧୮ ଦିନ ମଧ୍ୟରେ ପୋଲିସ ୯୭ ଟି NDPS ମାମଲା ରୁଜୁ କରିବା ସହ ୧୩୭ ଜଣଙ୍କୁ ଗିରଫ କରିଛି। ଏହି ସମୟ ମଧ୍ୟରେ ପ୍ରାୟ ୭ ହଜାର ୩ ଶହ ୯୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ନିଶା ବିରୋଧୀ ଅଭିଯାନରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ସବୁଠୁ ଆଗରେ ରହିଛି। ଏବେ ଡ୍ରୋନ ସହାୟତାରେ ଗଞ୍ଜେଇ ଚାଷ ଚିହ୍ନଟ କରାଯାଇ ନଷ୍ଟ କରାଯାଉଛି। ଏହା ସହ ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ମଧ୍ୟ ଚାଲିଛି। ଅଦାଲତରେ ଦଣ୍ଡବିଧାନ ହାର ବଢାଇବାକୁ ତଦନ୍ତ ପ୍ରକ୍ରିୟାକୁ ଆହୁରି ତ୍ୱରିତ କରାଯାଉଥିବା ବେଳେ, ନିଶା ମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଡିଜିପି ଚେତାବନୀ ଦେଇଛନ୍ତି।

ତେବେ ପୋଲିସ ଓ ସୁରକ୍ଷା ସଂସ୍ଥା ଆଖିରେ ଧୂଳି ଦେବା ପାଇଁ ନିଶା ମାଫିଆମାନେ ନୂଆ ନୂଆ ଉପାୟ ଆପଣାଉଛନ୍ତି। କେତେବେଳେ ମହିଳାମାନଙ୍କୁ ଢାଲ କରି ତ ଆଉ କେତବେଳେ ଦାମୀ ଆଲିଶାନ ଗାଡ଼ି ସାହାରାରେ ଏହି ନିଶା ସିଣ୍ଡିକେଟ ଚାଲୁଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବା ବା ‘ଇଜି ମନି’ ଆଶାରେ ଏବେକାର ଉଚ୍ଚ ଶିକ୍ଷିତ ଯୁବପିଢ଼ି ମଧ୍ୟ ଏହି ଗଞ୍ଜେଇ ବେପାର ଆଡ଼କୁ ଆକର୍ଷିତ ହେଉଛନ୍ତି।

ବଙ୍ଗଳାରେ ହିଂସା: ଟିଏମସି ନେତାଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିକ୍ଷୋଭ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ସାରି ସରକାର ଗଠନ ହେବାର ପ୍ରାୟ ମାସେ ବିତିଯାଇଥିଲେ ମଧ୍ୟ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ। ତୃଣମୂଳ କଂଗ୍ରେସ (TMC) ର ଶୀର୍ଷ ନେତାମାନଙ୍କ ଉପରେ ହେଉଥିବା ସଂଘାତିକ ଆକ୍ରମଣକୁ ନେଇ ଏବେ ବଙ୍ଗଳା ରାଜନୀତି ଗରମ ହୋଇଛି। ଏହାର ପ୍ରତିବାଦରେ ଆଜି ସାରା ପଶ୍ଚିମବଙ୍ଗରେ ଟିଏମସି ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ଦଳୀୟ ନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ଟିଏମସି ପକ୍ଷରୁ ରାଜ୍ୟର ପ୍ରତ୍ୟେକ ବ୍ଲକ ଏବଂ ପ୍ରତ୍ୟେକ ୱାର୍ଡରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦଳୀୟ କର୍ମୀମାନେ ରାଜପଥକୁ ଓହ୍ଲାଇ ଏହି ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି।

ଏହି ପ୍ରତିବାଦକୁ ଆହୁରି ଜୋରଦାର କରିବା ପାଇଁ ଆସନ୍ତାକାଲି ଖୋଦ୍ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଇଦାନକୁ ଓହ୍ଲାଇବେ। କୋଲକାତାର ପ୍ରସିଦ୍ଧ ରାନୀ ରସମୋନି ରୋଡ୍‌ରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକ ବିଶାଳ ସମାବେଶ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଟିଏମସିର ସାଧାରଣ ସମ୍ପାଦକ ତଥା ଦଳର ନମ୍ବର-୨ କୁହାଯାଉଥିବା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାର ମାତ୍ର କିଛି ଘଣ୍ଟା ପରେ, ଅର୍ଥାତ୍ ଗତକାଲି ପୁଣିଥରେ ଦଳର ବରିଷ୍ଠ ନେତା କଲ୍ୟାଣ ବାନାର୍ଜୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ଏହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ନିର୍ବାଚନୀ ହିଂସା ତୃଣମୂଳ କଂଗ୍ରେସକୁ ଏକ ନୂଆ ବଳ ଦେଇଥିବା ବେଳେ ‘ଇଣ୍ଡିଆ’ ମେଣ୍ଟକୁ ମଧ୍ୟ ଏକଜୁଟ କରିଛି। ସମସ୍ତ ବିରୋଧୀ ଦଳ ଏହି ଆକ୍ରମଣ ପାଇଁ ସିଧାସଳଖ ବିଜେପି (BJP) କୁ ଦାୟୀ କରିଛନ୍ତି ଏବଂ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ପୁଣି ମହଙ୍ଗା ମାଡ଼: ବଢ଼ିଲା କମର୍ସିଆଲ ଗ୍ୟାସ ଦର

ନନ୍ଦିଘୋଷ ବ୍ୟୁରୋ: ସାଧାରଣ ଜନତାଙ୍କୁ ପୁଣି ଏକ ବଡ଼ ମହଙ୍ଗା ମାଡ଼ ହୋଇଛି। ଜୁନ୍ ପହିଲାରୁ ଦେଶରେ ବଢ଼ିଯାଇଛି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର। ସରକାରୀ ତେଲ କମ୍ପାନୀଗୁଡ଼ିକ ପକ୍ଷରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇଛି। ଲଗାତର ଗ୍ୟାସ ଦର ବୃଦ୍ଧି ଯୋଗୁଁ ଆଗାମୀ ଦିନରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଶିଳ୍ପ ବଜାର ଗମ୍ଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ନୂଆ ନିୟମ ଅନୁଯାୟୀ, ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦରରେ ୪୨ ଟଙ୍କା ବୃଦ୍ଧି ଘଟିଛି। ଏହି ସଂଶୋଧିତ ମୂଲ୍ୟ ଆଜି ଅର୍ଥାତ୍ ଜୁନ୍ ୧ ତାରିଖରୁ ଲାଗୁ ହୋଇଛି। ଦର ବୃଦ୍ଧି ପରେ ଦେଶର ପ୍ରମୁଖ ସହରଗୁଡ଼ିକରେ ବ୍ୟବସାୟିକ ଗ୍ୟାସର ମୂଲ୍ୟ ବୃଦ୍ଧି ହୋଇଛି

. ଦିଲ୍ଲୀ: ୧୯ କେଜି ସିଲିଣ୍ଡରର ଦର ୪୨ ଟଙ୍କା ବଢ଼ିବା ପରେ ଏବେ ଏହାର ମୂଲ୍ୟ ୩,୧୧୩.୫୦ ଟଙ୍କାରେ ପହଞ୍ଚିଛି।
. କୋଲକାତା: ସବୁଠାରୁ ଅଧିକ ଅର୍ଥାତ୍ ୫୩ ଟଙ୍କା ମୂଲ୍ୟ ବୃଦ୍ଧି ପାଇଛି। ଫଳରେ କୋଲକାତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୩,୨୫୫.୫୦ ଟଙ୍କା ହୋଇଛି।

କେବଳ ବଡ଼ ସିଲିଣ୍ଡର ନୁହେଁ, ବରଂ ଛୋଟ ବ୍ୟବସାୟୀ ବ୍ୟବହାର କରୁଥିବା ୫ କେଜି ବିଶିଷ୍ଟ ଫ୍ରି ଟ୍ରେଡ୍ LPG ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଏହାର ଦର ୧୧ ଟଙ୍କା ବଢ଼ିବା ଫଳରେ ବଜାରରେ ଏବେ ଏହା ୮୨୧.୫୦ ଟଙ୍କାରେ ମିଳିବ।

ତେବେ ଗ୍ୟାସ ଦର ବାରମ୍ବାର ବଢ଼ୁଥିବାରୁ ହୋଟେଲ, କ୍ୟାଫେ ଏବଂ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଶିଳ୍ପଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ଆଗକୁ ବାହାରେ ଖାଇବା ଏବଂ ଟିଫିନ୍ ଆଦି ମହଙ୍ଗା ହେବାର ପୂରା ସମ୍ଭାବନା ରହିଛି।

କଟକ ମଧୁପାଟଣାରେ ବଡ଼ ଅଗ୍ନିକାଣ୍ଡ

କଟକ: କଟକ ସହରର ବ୍ୟସ୍ତବହୁଳ ମଧୁପାଟଣା ଛକ ନିକଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏକ ମାଛ ଗୋଦାମରୁ ଆରମ୍ଭ ହୋଇଥିବା ଏହି ନିଆଁ ପାଖରେ ଥିବା ଏକ ୬ ତାଲା ବିଶିଷ୍ଟ କୋଠାକୁ ବ୍ୟାପିଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ସମୟରେ ମଧୁପାଟଣା ଛକରେ ଥିବା ମାଛ ଗୋଦାମରେ ପ୍ରଥମେ କୌଣସି କାରଣରୁ ନିଆଁ ଲାଗିଥିଲା। ସମସ୍ତେ ଶୋଇଥିବା ସମୟରେ ହଠାତ ନିଆଁର ପ୍ରକୋପ ବଢିଯାଇଥିଲା ଏବଂ ଏହା ପାଖରେ ଥିବା ଏକ ୬ ମହଲା ବିଲଡିଂକୁ ନିଜ କବ୍ଜାକୁ ନେଇଯାଇଥିଲା। ଗୋଦାମ ଓ କୋଠାରୁ କଳା ଧୂଆଁର ଆସ୍ତରଣ ବାହାରୁଥିବା ଦେଖିବାକୁ ମିଳିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ୩ଟି ଦମକଳ ଗାଡି ନିୟୋଜିତ କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ପ୍ରାଣପଣେ ପରିଶ୍ରମ କରି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି।

ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରାଥମିକ ଆକଳନରୁ ଶର୍ଟ ସର୍କିଟ୍ ଯୋଗୁଁ ହିଁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।