ବାଙ୍କୀ : ଚାନ୍ଦା ନଦେବାରୁ ଦିବ୍ୟାଙ୍ଗ ଦୋକାନୀଙ୍କୁ ମାଡ଼ ସହ ଦୋକାନ ଭଙ୍ଗାରୁଜା କରି ଲୁଟ୍ । କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଷଣ୍ଢପୁର ଢ଼ାବା ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାରଙ୍ଗ ରତାଗଡ଼ ଗାଁର ନିରଞ୍ଜନ ନାୟକ ନାମକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଷଣ୍ଢପୁର ଛକରେ ଏକ ଦୋକାନ କରିଛନ୍ତି । ଗତକାଲି ଷଣ୍ଢପୁର ଗାଁରେ କାର୍ତିକେଶ୍ୱର ଭସାଣି ଚାଲିଥିବା ବେଳେ ସେହି ଗ୍ରାମର ୨୦ ରୁ ୨୫ ଜଣ ଯୁବକ ସଂଘବଦ୍ଧ ହୋଇ ତାଙ୍କ ଦୋକାନ ନିକଟକୁ ଆସିଥିଲେ । ଯୁବକ ମାନେ ଦୋକାନୀଙ୍କୁ ଚାନ୍ଦା ମାଗିବାରୁ ଦୋକାନୀ ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଯୁବକମାନେ ଦିବ୍ୟାଙ୍ଗ ଦୋକାନୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୋକାନ ଭଙ୍ଗାରୁଜା କରି ଦୋକାନରେ ଥିବା ୧୦ ହଜାର ଟଙ୍କା ଜୋର ଜବରଦସ୍ତ ନେଇ ଯାଇଥିଲେ। ଏସଂକ୍ରାନ୍ତରେ ଦିବ୍ୟାଙ୍ଗ ବ୍ୟକ୍ତି ନିରଞ୍ଜନ ନାୟକ ଗୋଡିସାହି ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଦିଲ୍ଲୀ କାର ବିସ୍ଫୋରଣ ଘଟଣା : ପଶ୍ଚିମବଙ୍ଗରୁ ଜଣେ ଡାକ୍ତରୀ ଛାତ୍ର ଗିରଫ
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ କାର ବିସ୍ଫୋରଣ ଘଟଣା। ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଡାଲଖୋଲା ଥାନା କୋନାଲ ଗାଁର ଜଣେ ଡାକ୍ତରୀ ଛାତ୍ର ଗିରଫ। ସୂର୍ଯ୍ୟପୁର ହାଇସ୍କୁଲ ସାମ୍ନାରୁ ଏନଆଇଏ ଡାକ୍ତରୀ ଛାତ୍ରଙ୍କୁ ଉଠାଇ ନେଇଛି। ଡାକ୍ତରୀ ଛାତ୍ରଙ୍କ ନାମ ଜାନିସାର ଆଲମ ଓରଫ ଜିଗର। ବହୁ ବର୍ଷ ପୂର୍ବରୁ ଡାକ୍ତରୀ ଛାତ୍ରଙ୍କ ବାପା ଛୋଟ ଥିବା ସମୟରେ ଲୁଧିଆନାକୁ ଚାଲିଯାଇଥିଲେ। ଛାତ୍ରଙ୍କ ବାପା ସେଠାରେ ଜଣେ କ୍ୱାକ୍ ଭାବରେ କାମ କରୁଥିଲେ। ପିତା ତୌହିଦ ଆଲମ ତାଙ୍କ ପୁଅ ଜାନିସାର ଆଲମଙ୍କୁ ଡାକ୍ତର ଭାବରେ ତାଲିମ ଦେଇଥିଲେ। ଏହା ପରେ ଜାନିସାର ୨୦୨୪ରେ ହରିଣାର ଅଲ ଫଲାହ ବିଶ୍ୱବିଦ୍ୟାଳୟରୁ ଏମବିବିଏସ ପାସ୍ କରିଥିଲେ। ଗତ ରବିବାର ସେ ଏମଡି ପରୀକ୍ଷା ଦେବାକୁ ଚଣ୍ଡିଗଡ ଯାଇଥିଲେ। ଗତ ୧୨ ତାରିଖରେ ସେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ଗାଁକୁ ଆସିଥିଲେ।
ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ପୋଲିସ କରିଛି ଛାନବିନ। ଏହା ସହ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣସ୍ଥଳୀରେ ବି ପୋଲିସ ପହଞ୍ଚି କରିଛି ତଦନ୍ତ। ଏହା ସହ ଲାଲକିଲ୍ଲା ଦେଇ ଯାଇଥିବା ରାସ୍ତାକୁ ସର୍ବସାଧାରଣ ଲାଗି ଉନ୍ମୁକ୍ତ କରାଯାଇଛି ।
ତେଣେ ଅଲ ଫଲାହ ବିଶ୍ବବିଦ୍ୟାଳୟ ଓ ଦିଲ୍ଲୀ ବିସ୍ଫୋରଣ ଘଟଣା ସହ ଜଡିତ ଥିବା ଅଭିଯୋଗରେ ହରିଆଣା ନୁହରେ ୫ ଜଣଙ୍କୁ ରଖାଯାଇଛି ଅଟକ ।
ଦିଲ୍ଲୀ କାର ବିସ୍ଫୋରଣ ଘଟଣା : ଫରିଦାବାଦର ଅଲ ଫଲାହ ବିଶ୍ଵବିଦ୍ୟାଳୟ ନାଁରେ ରୁଜୁ ହେଲା ମାମଲା
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା। ଫରିଦାବାଦର ଅଲ ଫଲାହ ବିଶ୍ଵବିଦ୍ଯାଳୟ ବିରୋଧରେ ରୁଜୁ ହେଲା ମାମଲା । ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଛି ଏଫଆଇଆର। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ହରିୟାଣାର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଦୁଇଟି ପୃଥକ ଏଫଆଇଆର ପଞ୍ଜିକୃତ କରିଛି। ଏଫଆଇଆର ରୁଜୁ ପରେ ବିଶ୍ଵବିଦ୍ୟାଳୟର ବଢିଛି ଅଡୁଆ। ପୂର୍ବରୁ ଏହି ବିଶ୍ଵବିଦ୍ୟାଳୟର ସଦସ୍ୟତା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ AIU ଦ୍ୱାରା ପୂର୍ବରୁ ରଦ୍ଦ କରାଯାଇଛି। ଗୋଟିଏ ଏଫଆଇଆର ଠକେଇ ଅଭିଯୋଗ ସହିତ ଜଡିତ ଥିବା ବେଳେ ଦ୍ୱିତୀୟଟି ଜାଲିଆତି ଜଡିତ ଧାରାରେ ରୁଜୁ ହୋଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ଅଭିଯୋଗ ପରେ ଏହି ଏଫଆଇଆର ରୁଜୁ ହୋଇଛି। ଦିଲ୍ଲୀ ପୋଲିସ ଅଲ-ଫଲାହ ବିଶ୍ୱବିଦ୍ୟାଳୟକୁ ଏକ ନୋଟିସ ଜାରି କରିଛି। ଗତ ସପ୍ତାହରେ ଠାବ ହୋଇଥିବା ହ୍ଵାଇଟ କଲାର ଆତଙ୍କୀ ମଡ୍ୟୁଲ ଲିଙ୍କରେ ଅନେକ କାଗଜପତ୍ର ମାଗିଛି। ଏହି ମଡ୍ୟୁଲକୁ ପାକିସ୍ତାନର ଜୈଶ-ଏ-ମହମ୍ମଦ ଏବଂ ଅନସାର ଘଜୱାତ-ଉଲ-ହିନ୍ଦ ସମର୍ଥନ କରୁଥିବା ଜଣାପଡିଛି।
ବିହାରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ସରକାର ଗଠନ ନେଇ ପ୍ରୟାସ ଜୋର
ନନ୍ଦିଘୋଷ ବ୍ୟୁରୋ : ବିହାରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସରକାର ଗଠନ ନେଇ ଚାଲିଛି ଜୋରଦାର ପ୍ରୟାସ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜେଡିୟୁର ଦୁଇ ନେତା ସଞ୍ଜୟ ଝା ଏବଂ ଲଲନ ସିଂହ। ଜନତା ଦଳ ୟୁନାଇଟେଡର କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଏବଂ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ବୈଠକ ମୁଖ୍ୟମନ୍ତ୍ରୀ ପଦ ଏବଂ ଅନ୍ୟାନ୍ୟ ବିଭାଗ ବଣ୍ଟନ ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି। ସଞ୍ଜୟ ଝା ଏବଂ ଲଲ୍ଲନଙ୍କ ସହ ସାକ୍ଷାତ ପରେ ଜେପି ନଡ୍ଡା ମଧ୍ୟ ଅମିତ ଶାହଙ୍କୁ ଭେଟିଛନ୍ତି। ଲଲ୍ଲନ ସିଂହ ଏବଂ ସଞ୍ଜୟ ଝାଙ୍କ ପରେ, ବିହାର ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାୱଡେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ବୈଠକରେ ନିର୍ବାଚନ ଫଳାଫଳ ସମୀକ୍ଷା ସହ ସରକାର ଗଠନ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା କରାଯାଇଥିବା କୁହାଯାଉଛି। ବିହାରର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଥିବା ମନ୍ତ୍ରୀମାନଙ୍କ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବରେ ଇସ୍ତଫାପତ୍ର ପ୍ରଦାନ କରିନାହାଁନ୍ତି। ତାଙ୍କ ଇସ୍ତଫା ପରେ ହିଁ ସରକାର ଗଠନର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ବିଜେପି ଏବଂ ଜେଡିୟୁ ସେମାନଙ୍କର ବିଧାୟକମାନଙ୍କୁ ପାଟନା ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ, ବିଜେପି, ଏଚ୍ଏଏମ୍ ଏବଂ ଆରଏଲଏମ୍ ବିଧାୟକ ଦଳଗୁଡ଼ିକର ବୈଠକ ଏଠାରେ ଅନୁଷ୍ଠିତ ହେବ। ଯେଉଁଥିରେ ନେତା ଚୟନ ଏବଂ ନୂତନ ମେଣ୍ଟ ସମ୍ପର୍କରେ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏନଡିଏ ବିଧାୟକ ଦଳର ଏକ ମିଳିତ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁଠାରେ ନୀତିଶ କୁମାରଙ୍କୁ ନେତା ନିର୍ବାଚିତ କରାଯିବା ସମ୍ଭାବନା ରହିଛି। ବିହାର ନିର୍ବାଚନରେ NDA ଏକକ ବିଜୟ ହାସଲ କରିଛି। ବିଜେପି ୮୯ ଟି ଆସନ ଜିତିଥିବାବେଳେ JDU ୮୫ ଆସନ ଜିତିଛି। ଉଭୟ ଦଳ ପ୍ରତ୍ୟେକ ୧୦୧ ଟି ଆସନରେ ପ୍ରାର୍ଥୀ ଦେଇଥିଲେ।

