spot_img
Home Blog Page 2200

କୋହଲିଙ୍କ ପୁଅ ଅକାୟଙ୍କ AI ଫଟୋ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଭରସାଯୋଗ୍ୟ ଖେଳାଳି ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ବିତୀୟ ସନ୍ତାନ ଜନ୍ମ ଦେଇଛନ୍ତି । ମଙ୍ଗଳବାର ଏନେଇ ଅନୁଷ୍କା ନିଜ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରିଥିବାବେଳେ ଏହାକୁ ନେଇ ଦୁଇଦିନ ହେବ ବେଶ ଚର୍ଚ୍ଚା ହେଉଛି । ଗତ ୧୫ ତାରିଖରେ ଅନୁଷ୍କାଙ୍କ ପ୍ରସବ ହୋଇଥିବା ସେ ଲେଖିଛନ୍ତି । ତେବେ ତାଙ୍କ ପୁଅଙ୍କ ନାମ ଅକାୟ ରଖିଥିବାବେଳେ ପ୍ରଶଂସକମାନେ ଏହି ନାମକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି । ଯଦିଓ ଏଯାବ କୋହଲି ତାଙ୍କ ପୁଅଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି କିନ୍ତୁ ଫ୍ୟାନ୍ସମାନେ ଗୋଟିଏ ପାଦ ଆଗକୁ ଯାଇ AI ଫଟୋ ପୋଷ୍ଟ କରିଛନ୍ତି ।

ଯାହାକି ବେଶ ଭାଇରାଲ ହେବାରେ ଲାଗିଛି । ଏକ ଫଟୋରେ କୋହଲି ବ୍ୟାଟିଂ କରୁଥିବାବେଳେ ତାଙ୍କ ପୁଅ ଟିଭି ସାମନାରେ ବସି ଦେଖୁଛନ୍ତି । ଏବଂ ଅନ୍ୟ ଏକ ଫଟୋରେ ଫ୍ୟାମିଲି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି କିଛି ଫଟୋକୁ ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ଭଗବାନ ଶିବ ନାମ ଅନୁସାରେ କୋହଲି ତାଙ୍କ ପୁଅଙ୍କ ନାମ ଏଭଳି ରଖିଥିବା କୁହାଯାଇଛି । ଝିଅଙ୍କ ନାମ ଭାମିକା ରହିଥିବାବେଳେ ବିରାଟଙ୍କ ନାମ ଆରମ୍ଭରେ ରହିଥିଲା । ଏବେ ପୁଅ ନାମ ଅକାୟ ରହିଥିବାବେଳେ ଅନୁଷ୍କାଙ୍କ ପ୍ରଥମ ଅକ୍ଷର ରହିଛି । ଭାମିକା ହେଉଛି ମା ଦୁର୍ଗାଙ୍କ ଏକ ନାମ ବୋଲି ମଧ୍ୟ କୁହାଯାଏ । ତେବେ ଭଗବାନଙ୍କ ନାମରେ ଉଭୟ ପିଲାଙ୍କ ନାମ ରଖିଥିବାବେଳେ ଏହାକୁ ନେଇ ଫ୍ୟାନ୍ସମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖୁଛନ୍ତି ।

ଅଂଶୁଘାତ ପାଇଁ ପ୍ରତି ଜିଲ୍ଲାକୁ SOP ଜାରି

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବର୍ଷ ମାଘ ମାସରେ ଶୀତ ବଦଳରେ ତାପମାତ୍ରା ବଢ଼ି ଚାଲିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଖରା ଜନିତ ସମସ୍ୟାର ଆଶଙ୍କା ଦେଖାଦେଇନି, ତଥାପି ଆମକୁ ସଚେତନ ଓ ପ୍ରସ୍ତୁତ ରହିବାକୁ ପଡ଼ିବ। ପୂର୍ବରୁ ଅଂଶୁଘାତ ପାଇଁ ପ୍ରତି ଜିଲ୍ଲାକୁ ଷ୍ଟାଣ୍ଡାର୍ଡ ଆଡଭାଇଜରି ବା SOP ଜାରି ହୋଇଛି । ଆଗକୁ ଅଂଶୁଘାତ ଭଳି ସ୍ଥିତି ଆସିଲେ, ଆଉ ଥରେ ରିମାଇଣ୍ଡର ଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ପୂର୍ବରୁ ଜାରି SOPରେ ଲୋକଙ୍କୁ ସତର୍କ କରାଇବା ସହ ମେଡିକାଲ ପ୍ରସ୍ତୁତ ରଖିବା, ଆବଶ୍ୟକ ଔଷଧ ମହଜୁଦ ରଖିବା, ପ୍ରତି ହସ୍ପିଟାଲରେ ଅଂଶୁଘାତ ଲାଗି ଡେଡିକେଟେଡ ବେଡ୍ ରଖାଯିବାକୁ ନିର୍ଦ୍ଦେଶ ଯାଇଛି। ଅଂଶୁଘାତ ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ମଧ୍ଯ ନିର୍ଦ୍ଦେଶ ରହିଛି। ଆଗକୁ ଏନେଇ ପ୍ରତି ଜିଲ୍ଲାକୁ ପୁଣି ଥରେ ରିମାଇଣ୍ଡର ଦିଆଯିବ । ତେବେ ବରିଷ୍ଠ ନାଗରିକ, ମଦ୍ୟପାନ କରୁଥିବା ବ୍ୟକ୍ତି ଓ କୋମରବିଡ ରୋଗୀଙ୍କୁ ଅଂଶୁଘାତ ଆଶଙ୍କା ଅଧିକ ରହିଛି । ତେଣୁ ସେମାନେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ। ତୁଷାରପାତ ଓ ବର୍ଷା ଭିତରେ ଜନଜୀବନ ହୋଇଛି ବିପର୍ଯ୍ୟସ୍ତ। ଆହୁରି ୧୨ ଘଣ୍ଟା ଧରି ବରଫବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲଗାତାର ୩ ଦିନ ଧରି ଜାମ୍ମୁ ଓ କାଶ୍ମୀରରେ ବରଫବର୍ଷା ଲାଗି ରହିଥିବାବେଳେ ମିଳୁନି ନିସ୍ତାର। ସୋନମାର୍ଗ ଓ ଗୁଲମାର୍ଗରେ ସ୍ଥିତି ହୋଇଛି ଅସମ୍ଭାଳ।

ରାସ୍ତାରେ ବରଫ ଜମିବା ଯୋଗୁ ଯାନବାହନ ଚଳାଚଳରେ ଗୁରୁତର ବାଧା ଉପୁଜିଛି। ରାସ୍ତାରେ ବହୁ ପର୍ଯ୍ୟଟକ ଫସିଥିବା ସୂଚନା ମିଳିଛି। ଗୁଲମାର୍ଗରେ ଅଢେଇ ଫୁଟର ବରଫ ଜମିଥିବା ସୂଚନା ମିଳିଛି। ଆସନ୍ତା ୨୭ ତାରିଖ ଯାଏ ଜାମ୍ମୁ ଓ କାଶ୍ମୀରରେ ସ୍ଥିତି ଏପରି ରହିବ ବୋଲି ଜଣାଯାଇଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଓ ଶ୍ରୀନଗର-ଲେହ ରାସ୍ତାରେ ବରଫ ଜମିବା ଯୋଗୁ ସ୍ଥିତି ଜଟିଳ ହୋଇଛି। ପ୍ରତିକୂଳ ପରିବେଶ ଯୋଗୁ ଏନଏଚ ୪୪ରେ ଯାତାୟତ ବନ୍ଦ ରହିଛି।

କୁପୱାରା ଜିଲ୍ଲା କେରନ ଓ ମାଚିଲ ସହ ଯୋଗାଯୋଗ ବିଚ୍ଛନ୍ନ ହୋଇଛି। ଅନନ୍ତନାଗ, ମୁଘଲ ରୋଡରେ ବି ସ୍ଥିତି ସମାନ ରହିଛି। ଗୁଲମାର୍ଗ, ସୋନାମାର୍ଗ, ସାଧନା ଟପ, ରାଜଦାନ ଟପ, ତୁଲାଏଲ ଗୁରେଜ ଆଦି ସ୍ଥାନରେ ବରଫ ବର୍ଷା ଜାରି ରହିଥିବାବେଳେ ଗୁଲମାର୍ଗରେ ଅଢେଇ ଫୁଟ, ସୋନମାର୍ଗରେ ୪ ଫୁଟ, ସାଧନା ଟପରେ ୫ ଫୁଟ, ରାଜଦାନ ଟପରେ ୫ ଫୁଟ, ତୁଲାଏଲ ଗୁରେଜରେ ୪ ଫୁଟର ବରଫ ଆସ୍ତରଣ ପରିଲକ୍ଷିତ ହୋଇଛି। ତେଣେ କାଜିଗୁଣ୍ଡ, ପହଲଗାମ, କୁପୱାରା, କୋକରନାଗ, ଗୁଲମାର୍ଗ ଆଦି ସ୍ଥାନରେ ବର୍ଷା ହେବାରୁ ସ୍ଥିତି ଜଟିଳ ହୋଇଛି।

ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ

ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ତାତିର ରାଜୁତି। ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ। ଆସନ୍ତା କାଲି ପର୍ଯ୍ୟନ୍ତ ଆହୁରି ବଢିବ ତାତି। ଗତକାଲି ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଗତକାଲି ଅପେକ୍ଷା ୧ ଡିଗ୍ରୀ ତାପମାତ୍ରା ଅଧିକ ରେକର୍ଡ ହୋଇଛି। ତେବେ ଆସନ୍ତା କାଲି ଯାଏଁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଦିନ ସମୟରେ ଉଷ୍ମ ଏବଂ ଆଦ୍ର ପାଣିପାଗ ସ୍ତିତି ଲାଗିରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେଣୁ ଉପକୂଳ ଓଡିଶାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ସେହିଭଳି ଆଭ୍ୟନ୍ତରୀଣ ଓଡିଶା ବା ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ତାତି ଅନୁଭୂତ ହେବ। କାଲି ସନ୍ଧ୍ୟା ପରଠାରୁ ରାଜ୍ୟର ପାଗ ପରିବର୍ତ୍ତନ ହେବ।

ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ରେ ହାଲୁକା ବର୍ଷା ହେବ। ଫଳରେ ତାପମାତ୍ରା ସାମାନ୍ୟ କମିବ। ଗତକାଲି ରାଜ୍ୟରେ ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିଲା। ଯାହା ସ୍ବାଭାବିକ ତାପମାତ୍ରା ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ।

କଳା କାରନାମାର ପଙ୍କରୁ ବାହାରି ପଦ୍ମ ଧରିଲେ ପ୍ରଦୀପ

ଭୁବନେଶ୍ୱର : ଜନବିରୋଧୀ ନେତାଙ୍କୁ କୋଳାଇ ନେଲା ବିଜେପି । ନିଜକୁ ପାର୍ଟି ୱିଥ୍ ଡିଫରେନ୍ସ ବୋଲି ଦାବି କରୁଥିବା ବିଜେପି ଆଜି ଲୋକଙ୍କ ସ୍ୱାର୍ଥ ବିରୋଧରେ କାମ କରୁଥିବା ଓ ଦୁର୍ନିତୀକୁ ଅସ୍ତ୍ର କରିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିଜ ପରିବାରକୁ ସ୍ୱାଗତ କରିଛି । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଗୋପାଳପୁର ବିଧାୟକ ।

ପ୍ରଦୀପଙ୍କ ନାମରେ ମାଳ ମାଳ ଠକେଇ ଓ ଦୁର୍ନିତୀ ଅଭିଯୋଗ ଥିବା ବେଳେ ବିଜେପି ତାଙ୍କୁ ଯେଉଁଭଳି ଭାବେ କୋଳେଇ ନେଇଛି ତାହା ଅନେକ ପ୍ରଶ୍ନ ଉଠାଉଛି । ନିଜକୁ ସ୍ୱଚ୍ଛ ବୋଲି ଦାବି କରୁଥିବା ବିଜେପି କେମିତି ଏମିତି ଜଣେ ନେତା, ଯାହାଙ୍କ ନାମରେ ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଠକେଇର ଅଭିଯୋଗ ଅଛି ,ତାଙ୍କୁ ନିଜ ଦଳକୁ ସ୍ୱାଗତ କଲା ତାକୁ ପ୍ରଶ୍ନ କରାଯାଉଛି ।

ଚାକିରି ଦେବା ନାମରେ ଠକେଇ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଖୋଦ ତାଙ୍କରି ନିର୍ବାଚନ ମଣ୍ଡଳିର ଭୋଟର ଅଭିଯୋଗ ଆଣିଥିଲେ ଯେ, ସେ ଟାଟା ମୋଟର୍ସରେ ଚାକିରି ଦେବା ନାମରେ ବେକାର ଯୁବକଯୁବତୀଙ୍କ ସହିତ ପ୍ରତାରଣ କରିଛନ୍ତି । ପ୍ରଦୀପଙ୍କ ଭାବି ଜୁଆଁଇ ଓ ଭାବି ସମୁଧୀ ଦୁର୍ନିତୀର ଏହି ଖେଳରେ ତାଙ୍କୁ ସାଥ୍ ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆସିବା ପରେ ଡିସେମ୍ବର ୩ ତାରିଖ ୨୦୨୦ରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ପ୍ରାୟ ୭ ମାସ ଧରି ପ୍ରଦୀପ ଜେଲରେ ଥିଲେ । ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେ ସହଯୋଗୀ ସର୍ବେଶ୍ବର ରାଓଙ୍କ ଜରିଆରେ ଆଦାୟ କରୁଥିଲେ ଟଙ୍କା । ସେହିଭଳି ତାଙ୍କ ଭାବି ସମୁଧି ଅଭୟକାନ୍ତ ପାଠକ ମଧ୍ୟ ତାଙ୍କ ସହିତ ଏହି ଠକେଇ ପ୍ଲାନରେ ସାମିଲ ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା । କୁହାଯାଏ ଯେ, ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟ ପଛରେ ଥିଲା ପ୍ରଦୀପଙ୍କ ହାତ । ଭାବୀ ଜ୍ବାଇଁ ଆକାଶ ପାଠକଙ୍କ କଳା କାରନାମା ପଛରେ ମଧ୍ୟ ପ୍ରଦୀପ ଥିଲେ ଆଶଙ୍କା କରାଯାଏ ।

ପ୍ରଦୀପଙ୍କ ବିରୋଧରେ କ’ଣ ସବୁ ଦଫା ?

ସ୍ଥାନୀୟ ଯୁବକଙ୍କ ଅଭିଯୋଗ କ୍ରମେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଦଫା ୪୨୦ରେ ସେ ଗିରଫ ହୋଇଥିଲେ । ପ୍ରଦୀପଙ୍କ ନାଁରେ ଲାଗିଥିଲା ଆଇପିସିର ବିଭିନ୍ନ ଦଫା । ତାଙ୍କ ବିରୋଧରେ ଦଫା ୪୨୦/୪୧୯/୪୬୭/୪୬୮/୪୬୯/ ୪୭୧/୧୨୦(ଖ) ଆଇଟି ଆକ୍ଟ ୨୦୦୦ର ୬୬(ସି)/(ଡ଼ି)ଦଫା ମଧ୍ୟ ଲାଗିଥିଲା

କରୋନା ବେଳେ ନିଜ ଲୋକଙ୍କୁ ଭୁଲି ଯାଇଥିଲେ ପ୍ରଦୀପ

କରୋନା ମହାମାରୀ କାଳରେ ଯେତେବେଳେ ଲକଡାଉନ୍ କାରଣରୁ ପୁରା ଦେଶ ଠପ୍ ହୋଇଯାଇଥିଲା,ସେତେବେଳେ ପ୍ରଦୀପ ନିଜ ଭୋଟରଙ୍କ ମଙ୍ଗଳ ଚିନ୍ତା କରିବା ବଦଳରେ ସ୍ୱାର୍ଥପର ସାଜିଥିଲେ । ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ କରୁଥିବା ବେଳେ ପ୍ରଦୀପଙ୍କ ମନୋଭାବ ଅଲାଗ ଥିଲା । ବାହାର ରାଜ୍ୟରୁ ଓଡ଼ିଆ ଆସିଲେ କରୋନା ବ୍ୟାପିବ ବୋଲି କହି ସେ ଅଲଗା ରାଜ୍ୟରେ ଥିବା ଓଡ଼ିଆ ବିଶେଷକରି ଗଂଜାମର ଓଡିଆଙ୍କୁ ଓଡ଼ିଶା ଅଣାଯିବାକୁ ବିରୋଧ କରିଥିଲେ । ଏଥିପାଇଁ ସେ ରିତିମତ ଚକ୍ରାନ୍ତ ମଧ୍ଯ କରିଥିଲେ ।

ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ତଡ଼ା ଖାଇଥିଲେ

ପ୍ରଦୀପଙ୍କୁ ତାଙ୍କ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଜନତା ଦଳରୁ ବିତାଡିତ କରାଯାଇଥିଲା । ୨୦୨୦ ନଭେମ୍ବର ୨୯ ତାରିଖ ଦିନ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।ଦୁର୍ନିତୀ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି କ୍ରମରେ ପ୍ରଦୀପ ଓ ତାଙ୍କ ସହଯୋଗୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏବେ ପ୍ରଶ୍ନ ଉଠୁଛି ଯେ, ଜଣେ ଜନବିରୋଧୀ ବ୍ୟକ୍ତିଙ୍କୁ କେମିତି ବିଜେପି ନିଜ ଦଳରେ ସାମିଲ କରୁଛି ।

ବିଦେଶିନୀଙ୍କୁ ଅସଦାଚରଣ କରି ଗିରଫ ହେଲେ ସେବାୟତ

ଭୁବନେଶ୍ୱର : ବିଦେଶିନୀଙ୍କୁ ଅସଦାଚରଣ କରି ଗିରଫ ହେଲେ ସେବାୟତ । ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ବାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪A ଆଧାରରେ ମାମଲା ରୁଜୁ ହୋଇଛି। ଅସଦାଚରଣ ନେଇ ବିଦେଶିନୀ ଜଣକ ଥାନାରେ ଅଭିଯୋଗ କରିଥିଲେ।
ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ସେବୟତଙ୍କୁ ଗିରଫ କରିଛି ପୋଲିସ।

ଦିଲ୍ଲୀରେ ପ୍ରବେଶ ଲାଗି ୧୪ ହଜାରରୁ ଅଧିକ କୃଷକଙ୍କ ମାର୍ଚ୍ଚ

ନୂଆଦିଲ୍ଲୀ : ନ୍ୟାଯ୍ଯ ଦାବିରେ ଚାଷୀଙ୍କ ଦୁର୍ବାର ଆନ୍ଦୋଳନ। ଦିଲ୍ଲୀରେ ପ୍ରବେଶ ଲାଗି ୧୪ ହଜାରରୁ ଅଧିକ କୃଷକଙ୍କ ମାର୍ଚ୍ଚ। ରାଲିରେ ସାମିଲ ହୋଇଛନ୍ତି ୧୨ଶହରୁ ଅଧିକ ଟ୍ରାକ୍ଟର। ଚାଷୀଙ୍କ ବିଶାଳ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀ ରହିଛି ହାଇଆଲର୍ଟରେ। ସମସ୍ତ ପ୍ରବେଶ ପଥରେ ନାହିଁ ନଥିବା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ନିକଟରେ ଥିବା ଭାରୀ ଯାନକୁ ଜବତ ଲାଗି ପଞ୍ଜାବ ସରକାରଙ୍କୁ ଅନୁରୋଧ କରିଛନ୍ତି ହରିଆଣା ସରକାର।

ରାଜପଥରେ ରଖାଯାଇଥିବା ବ୍ଯାରିକଡକୁ ହଟାଇବା ଲାଗି ଚାଷୀମାନେ ସାଥୀରେ ଭାରୀ ଯାନ ଆଣିଥିବାରୁ ପୋଲିସ ବାହିନୀ ମଧ୍ୟରେ ପଶିଛି ଛନକା। ଚାଷୀମାନେ ନିଜ ଦାବି ସମ୍ପର୍କିତ ବ୍ଯାନର ଓ ପ୍ଲାକାର୍ଡ ଧରି ଅଭିଯାନରେ ସାମିଲ ହୋଇଛନ୍ତି। ପଞ୍ଜାବ ଓ ହରିଆଣା ସୀମାରେ ସହସ୍ରାଧିକ ଚାଷୀ ସମବେତ ହେଉଥିବା ପରିଲକ୍ଷିତ ହେଉଛି।

ଚାଷୀମାନେ ନିଜ ସାଥୀରେ ୩ଶହରୁ ଅଧିକ କାର ଓ ୧୦ଟି ମିନିବସ ବି ଆଣିଛନ୍ତି। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ। ସିଙ୍ଘୁ ଓ ଟିକିରି ସୀମାରେ ଏକାଠି ହୋଇଛନ୍ତି ଚାଷୀ।

ଏମଏସପି ଗାରେଣ୍ଟି ନେଇ କେନ୍ଦ୍ରର ଚୁକ୍ତି ପ୍ରସ୍ତାବକୁ ଚାଷୀସଂଗଠନ ପ୍ରତ୍ୟାଖାନ ପରେ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ। କୃଷକ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆସନ୍ତାକାଲି ଦିଲ୍ଲୀରେ ବୈଠକ ବସିବ ବୋଲି ଘୋଷଣା କରାଯାଇଛି ।

ଆଉନାହାନ୍ତି ପ୍ରସିଦ୍ଧ ରେଡିଓ ଘୋଷକ ଅମିନ ସାୟାନି

ନୂଆଦିଲ୍ଲୀ : ଆଉନାହାନ୍ତି ପ୍ରସିଦ୍ଧ ରେଡିଓ ଘୋଷକ ଅମିନ ସାୟାନି। ବିନାକା ଗୀତମାଳା ସିବାକା ଗୀତମାଳା କାର୍ଯ୍ୟକ୍ରମ ଜରିଆରେ କୋଟି କୋଟି ଶ୍ରୋତାଙ୍କ ମନ ଜିଣିଥିବା ଅମିନଙ୍କ ବିୟୋଗରେ ଶୋକ ପ୍ରକାଶ ପାଇଛି। ୯୧ ବର୍ଷ ବୟସରେ ତାଙ୍କର ହୋଇଛି ପରଲୋକ। ମନୋରଞ୍ଜନ ଜଗତରେ ଜଣେ ଜଣାଶୁଣା ନାଁ ଥିଲେ ଅମିନ ସାୟାନି। ପ୍ରାୟ ୫୪ ହଜାର ରେଡିଓ ପ୍ରୋଗ୍ରାମ ଓ ୧୯ ହଜାର ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ସେ ପ୍ରଯୋଜକ ଥିଲେ।

ରେଡିଓରେ ତାଙ୍କ ବେହେନୋ ଔର ଭାଇୟୋ ସ୍ବର ସମସ୍ତଙ୍କ ପ୍ରାଣରେ ମନୋରଞ୍ଜନର ଅପୂର୍ବ ଆନନ୍ଦ ଭରି ଦେଉଥିଲା। ବମ୍ବେରେ ବାସ କରୁଥିବା ବେଳେ ଭାଇ ହମିଦ ସାୟାନିଙ୍କ ଜରିଆରେ ସେ ଅଲ ଇଣ୍ଡିଆ ରେଡିଓରେ ପ୍ରବେଶ କରିଥିଲେ। ରେଡିଓ କାର୍ଯ୍ୟକ୍ରମ ସହ ଭୂତ ବଙ୍ଗଳା, ତିନ ଦେବୀୟାଁ, ବକ୍ସର, କତଲ ଆଦି ଫିଲ୍ମରେ ବି ଅଭିନୟ କରିଥିଲେ। ନିଜର କ୍ୟାରିୟର ବେଳ ସେ ମା କୁଲସୁମ ସାୟାନୀଙ୍କୁ ଏଡିଟିଂ, ପବ୍ଲିଶିଂ ଓ ପ୍ରିଣ୍ଟିରଂ ସହାୟତା କରିଥିଲେ।

ସରକାର ଗଠନ କରିବେ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପିପିପି

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଦୂରହେବ ପାକିସ୍ତାନ ଅନିଶ୍ଚିତତା। ସରକାର ଗଠନ କରିବେ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପାକିସ୍ତାନ ପିପୁଲସ ପାର୍ଟି । ମେଣ୍ଟ ସରକାର ଗଠନ ଲାଗି ହୋଇଛି ସହମତି । ପିପିପି ଅଧ୍ୟକ୍ଷ ବିଲାଓ୍ବାଲ ଭୁଟ୍ଟୋ କହିଛନ୍ତି ଦୁଇ ଦଳ ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହୋଇଛି । ପିିଏମଏଲ-ଏନ ଅଧ୍ୟକ୍ଷ ଶେହବାଜ ସରିଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ପିପିପି ସହ-ଅଧ୍ୟକ୍ଷ ଅସିଫ ଅଲ୍ଲି ଜର୍ଦ୍ଦାରୀ ପୁଣି ଥରେ ରାଷ୍ଟ୍ରପତି ହେବେ ।

ବିଲାଓ୍ବାଲ କହିଛନ୍ତି- ସରକାର ଗଠନ ଲାଗି ଦୁଇ ଦଳ ଆବଶ୍ୟକୀୟ ସଂଖ୍ୟା ହାସଲ କରିଛନ୍ତି । ସରକାର ଗଠନ କ୍ଷେତ୍ରରେ ପାକିସ୍ତାନ ତେହରିକ-ଇ-ଇନସାଫ ଓ ସୁନ୍ନୀ ଇତେହାଦ କାଉନସିଲ ବିଫଳ ହୋଇଛନ୍ତି । ଗତ ଫେବ୍ରୁଆରୀ ୮ରୁ ନିର୍ବାଚନ ସରିଥିଲେ ମଧ୍ୟ ବିଭିନ୍ନ କାରଣରୁ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ସମ୍ଭବ ହୋଇପାରିନାହିଁ ।

ନିର୍ବାଚନରେ ପିଟିଆଇ ୯୩ ଆସନ ହାସଲ କରିଥିଲେ ବି ସମର୍ଥନ ଅଭାବରୁ ଦଳ ସରକାର ଗଠନ କରିବାକୁ ଅକ୍ଷମ ହୋଇଥିଲା । ସେହିପରି ପିଏମଏଲ-ଏନ ୭୫ ଆସନ ହାସଲ କରିଥିବାବେଳେ ପିପିପି ୫୪ ଆସନ ହାସଲ କରିଛି । ଏମକ୍ୟୁଏମ-ପି ୧୭ ଆସନ ପାଇଛି । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩ । ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏଁ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି ।

ପ୍ରସିଦ୍ଧ ଆଇନଜୀବୀ ତଥା ସାମ୍ବିଧାନିକ ବିଶେଷଜ୍ଞ ଫଲି ଏସ. ନରିମାନଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ : ଆଉନାହାନ୍ତି ପ୍ରସିଦ୍ଧ ଆଇନଜୀବୀ ତଥା କିମ୍ବଦନ୍ତୀ ସାମ୍ବିଧାନିକ ବିଶେଷଜ୍ଞ ଫଲି ଏସ. ନରିମାନ । ନୂଆଦିଲ୍ଲୀରେ ୯୫ ବର୍ଷ ବୟସରେ ଆଖି ବୁଜିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ନରିମାନ । ସେ ନଭେମ୍ବର ୧୯୫୦ରେ ବମ୍ବେ ହାଇକୋର୍ଟରେ ଆଇନଜୀବୀ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘ ୭୦ ବର୍ଷରୁ ଅଧିକ ଦିନ ଧରି ସେ ଆଇନ ସେବା କରିଆସିଥିଲେ ।

ସେ ବମ୍ବେ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯାଏ କାର୍ଯ୍ୟ କରି ଅନେକ ସଫଳତା ଲାଭ କରିଥିଲେ । ୧୯୭୨ରେ ସେ ସୁପ୍ରିମକୋର୍ଟରେ ଯୋଗ ଦେଇଥିଲେ । ମେ ୧୯୭୨ରେ ସେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ଦାୟିତ୍ବ ନେଇଥିଲେ । ୧୯୯୧ଜାନୁଆରୀରେ ନରିମାନ ପଦ୍ମଭୂଷଣ ଓ ୨୦୦୭ରେ ପଦ୍ମବିଭୂଷଣ ସମ୍ମାନରେ ବିଭୂଷିତ ହୋଇଥିଲେ ।

୧୯୯୧ ରୁ ୨୦୧୦ଯାଏ ସେ ବାର୍ କାଉନସିଲ ଅଫ ଇଣ୍ଡିଆର ସଭାପତି ଥିଲେ । ଏହା ସହ ୧୯୮୯ ରୁ ୨୦୦୫ ଯାଏ ଆନ୍ତର୍ଜାତିକ ଚାମ୍ବର ଅଫ କମର୍ସର ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଆର୍ବିଟ୍ରେସନର ଉପାଧ୍ୟକ୍ଷ ଥିଲେ । ଏହା ସହ ୧୯୯୫ରୁ ୧୯୯୭ ଇଣ୍ଟରନ୍ୟାସନାଲ କମିଶନ ଅଫ ଜୁରିଷ୍ଟସ କାର୍ଯ୍ୟନିର୍ବାହୀ କମିଟିର ଅଧ୍ଯକ୍ଷ ଥିଲେ ।