ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଖୋଲିଲା ସ୍ବତନ୍ତ୍ର ଗ୍ୟାଲେରୀ। ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଏହି ଗ୍ୟାଲେରୀ ଖୋଲିଛି। ଗ୍ୟାଲେରୀର ନାମ ରହିଛି ଓଡ଼ିଶାରେ ମହାତ୍ମା ଗାନ୍ଧୀ। ଏହି ଗ୍ୟାଲେରୀକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏବଂ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଲୋକାର୍ପଣ କରିଛନ୍ତି । ଇନଟାକ୍ ପକ୍ଷରୁ ୧ କୋଟି ୨୫ ଲକ୍ଷ ଟଙ୍କାରେ ଏହା ନିର୍ମାଣ କରାଯାଇଛି। ଏଥିରେ ଡିଜିଟାଲ ଡିସପ୍ଳେ, ଇଣ୍ଟରାକ୍ଟିଭ ଡିସପ୍ଳେ ଏବଂ ପ୍ରଥମ ଥର ପାଇଁ କ୍ୟୁଆର କୋଡ ଡିସପ୍ଳେ ମାଧ୍ୟମରେ ଗାନ୍ଧୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯାଇଛି। ମହାତ୍ମା ଗାନ୍ଧୀ ଓଡିଶାକୁ ଆଠଥର ଆସିଥିଲେ। ଗ୍ଯାଲେରୀରେ ଏସବୁର ଚିତ୍ର ସ୍ଥାନିତ ହୋଇଛି।
ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର
ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆସନ୍ତା ନିର୍ବାଚନ ଲଢ଼ିବେ ନାହିଁ । ୫ଟି କର୍ମୀ ସମ୍ମିଳନୀ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଥିଲା। ସେଠାରେ ସେହି ଏହି ମତ ରଖିଛନ୍ତି। ତାଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ତାଙ୍କ ନିର୍ବାଚନ ମଣ୍ଡଳୀରୁ ଲଢିବା ନେଇ କଂଗ୍ରେସ କର୍ମୀ ଇଚ୍ଛା ପ୍ରକାଶ କରିଛନ୍ତି । ଏକଥା AICCକୁ ଜଣାଇଛି ବୋଲି କହିଛନ୍ତି ନରସିଂହ ମିଶ୍ର । ପୂର୍ବରୁ ଲୋକସଭା ପାଇଁ ନିର୍ବାଚନ ଲଢିଥିଲେ ସମରେନ୍ଦ୍ର । ଏବେ ସେ ବିଧାନସଭା ପାଇଁ ଲଢିବେ। ସେଥିପାଇଁ ଲୋକସଭା ପାଇଁ ଭଲ ପ୍ରାଥି ଖୋଜା ଚାଲିଛି ।
ପୁରସ୍କାର ପାଇଲା ଓଡ଼ିଶା ପ୍ରଜ୍ଞାପନ ମେଢ଼
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ୍ଯ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସହକାରୀ ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର ଓ ପ୍ରଜ୍ଞାପନ ମେଢର ଶିଳ୍ପୀ କିର୍ତ୍ତୀ କିଶୋର ମହାରଣା ଭାରତ ସରକାରଙ୍କ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟଙ୍କ ଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।

ଟିମ ଇଣ୍ଡିଆ ପାଇଁ ବଢ଼ିପାରେ ଚିନ୍ତା, ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଆପଣାଇପାରେ ଏହି ରଣନୀତି
ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାରିବା ପରେ ଦ୍ବିତୀୟ ମ୍ୟାଚ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ । ତେବେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ୪ ଜଣ ସ୍ପିନରଙ୍କୁ ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । ଇଂଲଣ୍ଡର ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡମ ମ୍ୟାକୁଲମ ଏଭଳି ସୂଚନା ଦେଇଛନ୍ତି । ବିଶାଖାପାଟଣାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ଜୋ ରୁଟଙ୍କୁ ଛାଡ଼ି ବାକି ଚାରିଜଣ ସ୍ପିନର ଖେଳିବେ । ପ୍ରଥମ ଟେଷ୍ଟରେ ଜେକ୍ ଲିଚ୍, ଟମ ହାର୍ଟ ଲି ଏବଂ ରେହାନ ଅହମ୍ମଦ ଖେଳିଥିଲେ । ତେବେ ଦ୍ବିତୀୟ ଟେଷ୍ଟରେ ସୋଏବ ବଶିର ମଇଦାନକୁ ଓହ୍ଲାଇ ପାରନ୍ତି । ପ୍ରଥମ ଟେଷ୍ଟ ଖେଳିବା ପାଇଁ ଭିସା କାରଣରୁ ସେ ଆସି ପାରିନଥିଲେ । ମାତ୍ର ଦ୍ବିତୀୟ ଟେଷ୍ଟରେ ସେ ମଇଦାନୁ ଓହ୍ଲାଉଥିବାବେଳେ ଭାରତ ପାଇଁ ଅସୁବିଧାର କାରଣ ହୋଇପାରେ । ପ୍ରଥମ ମ୍ୟାଚରେ ଦୁଇ ପାଳିର ୨୦ ଓ୍ବିକେଟରୁ ଭାରତ ୧୮ ଓ୍ବିକେଟ କେବଳ ସ୍ପିନରଙ୍କ ହାତକୁ ଯାଇଥିଲା । ସେପଟେ ବାକି ୨ଟି ରନ ଆଉଟ ହୋଇଥିଲେ । ଏଣୁ ପେସରଙ୍କ ଅପେକ୍ଷା ସ୍ପିନରଙ୍କୁ ସୁଯୋଗ ଦେବ ଇଂଲଣ୍ଡ । ଭାରତ ପକ୍ଷରୁ କେବଳ ରୋହିତ ଶର୍ମା ସ୍ପିନରଙ୍କ ବିପକ୍ଷରେ ଭଲ ଖେଳନ୍ତି । ଶ୍ରେୟସ ଏବଂ ଗିଲ ଏବେ ଭଲ ଫର୍ମରେ ନାହାନ୍ତି । ଏଣୁ ସ୍ପିନରମାନେ ଦ୍ବିତୀୟ ଟେଷ୍ଟରେ ଭାରତ ପାଇଁ କାଳ ସାଜି ପାରନ୍ତି ।
ନୀତିଶ କୁମାରଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା, କହିଲେ..
ପାଟନା: ବିହାରର ରାଜନୈତିକ ହାଇଡ୍ରାମାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପଲଟୁମାର ନୀତିକୁ ନେଇ ସମାଲୋଚନା କରୁଛନ୍ତି ବରିଷ୍ଠ ରାଜେନତାମାନେ । କିଏ ସ୍ବାର୍ଥବାଦୀ କହୁଛି ତ ଆଉ କିଏ ସୁବିଧାବାଦୀ । ଆଉ କିଏ ନୀତିଶଙ୍କ ନାଁ ନେଇ ଆୟାରାମ ଗେୟାରାମର ଉଦାରହରଣ ଦେଉଛନ୍ତି । ତେବେ ଇଣ୍ଡିଆ ଗଠବନ୍ଧନରେ ମୁଖ୍ୟ ପୁରୋଧାଭାବେ ଆଗକୁ ବାହାରିଥିବା ନୀତିଶଙ୍କ ପଛଘୁଞ୍ଚା ଏବଂ ଏନଡିଏକୁ ସମର୍ଥନ ସମାଲୋଚନାର ମୁଖ୍ୟ କାରଣ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ନୀତିଶ କୁମାରଙ୍କୁ ଥଟ୍ଟା କରି ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଏବେ ବିହାରରେ ପ୍ରବେଶ କରିଛି । ସାଧାରଣ ସଭାରେ ନୀତିଶଙ୍କୁ ନେଇ ଏକ ମଜାଳିଆ କାହାଣୀ ଶୁଣାଇଛନ୍ତି । ରାହୁଲ ନୀତିଶଙ୍କ ନାଁ ନେଇ କହିଛନ୍ତି କି, ଟିକେ ଚାପ ପଡ଼ିବାରୁ ସାଙ୍ଗେ ସାଙ୍ଗେ ଜାଣିଶୁଣି ୟୁଟର୍ଣ୍ଣ ମାରିଲେ । କାରଣ ସହଯୋଗୀ ଦଳ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା ପାଇଁ କହିଥିଲା । ଏହାସହ ମଜାରେ କହିଥିଲେ କି, ମୁଖ୍ୟମନ୍ତ୍ରୀ ଶପଥ ନେଇ ରାଜଭବନରୁ ଫେରୁଥିଲେ । ହଠାତ କାରକୁ ଆସି ପହଞ୍ଚିବା ପରେ ନିଜର ସାଲ ଆଣିବାକୁ ଭୁଲି ଯାଇଥିଲେ । ଆଉ ଡ୍ରାଇଭର ଆଣିବା ପାଇଁ ପଠାଇଥିଲେ । ଯାହାକୁ ନେଇ ରାଜ୍ୟପାଳ କହିଥିଲେ କି, ତୁମେ ଏତେ ଶୀଘ୍ର ଫେରିଆସିଲ । ଏହାସହ ରାହୁଲ କହିଥିଲେ କି, ମୁଁ ନୀତିଶଙ୍କୁ କହିଥିଲି କି, ବିହାରରେ ଜାତୀୟ ଜନଗଣନା କରାଯିବା ପାଇଁ । ଆମ ସହ ଆରଜେଡି ମଧ୍ୟ ଏଥିରେ ରାଜି ହୋଇଥିଲା । କିନ୍ତୁ ନୀତିଶ ଏହା ବିରୋଧରେ ରହିଥିବାବେଳେ ସେ ପୁଣିଥରେ ବିଜେପିକୁ ଫେରିଯାଇଛନ୍ତି ।
ଚର୍ଚ୍ଚାରେ ଚଣ୍ଡିଗଡ଼ ମେୟର ନିର୍ବାଚନ, ଅଧିକ ଭୋଟ ପାଇ ମଧ୍ୟ ଇଣ୍ଡିଆ ମେଣ୍ଟକୁ ଲାଗିଲା ଝଟକା
ନନ୍ଦିଘୋଷ ବ୍ୟୁରୋ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଲାଗିଛି ଝଟକା । ୩୬ଟି ଭୋଟରୁ ଇଣ୍ଡିଆ ମେଣ୍ଟକୁ ୨୦ ଏବଂ ବିଜେପିକୁ ୧୬ ଭୋଟ ମିଳିଥିଲା । ମାତ୍ର ୮ଟି ଭୋଟ ନାକଚ ଘୋଷଣା ହେବା ପରେ ବିଜେପି ବିଜୟୀ ହୋଇଛି । ତେବେ ଆପ ପକ୍ଷରୁ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ସୂଚନା ଦିଆଯାଇଛି । କହି ରଖୁଛୁ କି, ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆପ ଏବଂ କଂଗ୍ରେସ ମିଳିତଭାବେ କୁଳଦୀପ ସିଂଙ୍କୁ ଟିକେଟ ଦେଇଥିଲେ । ବିଜେପି ମନୋଜ କୁମାର ସୋନକରଙ୍କୁ ପ୍ରାର୍ଥୀ କରିଥିଲା । ତେବେ ମେଣ୍ଟ ୨୦ଟି ଭୋଟ ଭାଇଥିଲା ମାତ୍ର ୮ ନାଚକ ଘୋଷଣା କରାଯିବା ପରେ ବିଜେପି ପ୍ରାର୍ଥୀ ମନୋଜ କୁମାର ସୋନକର ବିଜୟୀ ହୋଇଛନ୍ତି । ଆସନ୍ତା ନିର୍ବାଚନ ପୂର୍ବରୁ ଏହା ସେମିଫାଇନାଲ ସଦୃଶ ରହିଥିବାବେଳେ ଇଣ୍ଡିଆ ମେଣ୍ଟକୁ ଝଟକା ଲାଗିଛି ।
ଚୋରି ମାମଲାରେ ବନ୍ଧାହେଲେ ଓ୍ବେବ ସାମ୍ବାଦିକ
ବାଲେଶ୍ବର: ପୋଲିସ କବଜାରେ ଓ୍ବେବ ସାମ୍ବାଦିକ । ଚୋରି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କଲା ସୋର ପୋଲିସ । ଅଭିଯୁକ୍ତଙ୍କ ଠାରୁ ୧୬ଟି ଚୋରା ସ୍କୁଟି ଓ ୬ଟି ବାଇକ ଜବଦ କରିଛି ପୋଲିସ । ଓ୍ବେବ ମିଡିଆ ସାମ୍ବାଦିକ ଆନନ୍ଦ ପାଲ ସହ ଦୁଇ ସହଯୋଗୀ ଗିରଫ । ମାଷ୍ଟର ମାଇଣ୍ଡ ଆନନ୍ଦ ପାଲ ବାଇକରେ ପ୍ରେସ ଲେଖି ଚଳାଇ ଥିଲା ଚୋରା ସାମ୍ରାଜ୍ୟ । ଔପଦା ଥାନା ବଡ଼ପୋଖରୀ ଗାଁର ଶଶୀକାନ୍ତ ବେହେରାଙ୍କ ଘର ସମ୍ମୁଖରେ ୧୩ ସ୍କୁଟି ଓ ବାଇକ ଦେଖି ଲୋକ ସନ୍ଦେହ ବଢିଥିଲା । ଏନେଇ ଖବର ପାଇବା ପରେ ପୋଲିସ ପହଁଚି ବାଇକ ଓ ସ୍କୁଟିକୁ ଜବତ କରିଛି । ଘଟଣାର ତଦନ୍ତ ବେଳେ ଚୋରି ରାକେଟର ପଦ୍ଦାଫାସ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଆନନ୍ଦ ପାଲ ନାଁରେ ବାରିପଦା, ଲାଲବାଗ ଓ ସିଂଗଲା ଥାନାରେ ରହିଛି ଅନେକ ମାମଲା । ଅଭିଯୁକ୍ତଙ୍କ ଠାରୁ ଫେକ ଆଇଡିକାର୍ଡ, ଲାପଟପ,ପେନଡ୍ରାଇଭ ଜବତ କରାଯାଇଛି ।
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିର୍ଦ୍ଦେଶନାମା
ନନ୍ଦିଘୋଷ ବ୍ୟୁରୋ: ୨ ବର୍ଷର ବଣ୍ଡ୍ ଅବଧି ପୂରଣ ନକଲେ ଦୁଇଗୁଣା ଜରିମାନା। ରାଜ୍ୟର ସରକାରୀ ମେଡିକାଲ୍ କଲେଜ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ୨ ବର୍ଷର ବଣ୍ଡ ଅବଧି ପୂରଣ କରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ମିଳିଥିବା ଷ୍ଟାଇପେଣ୍ଡ କିମ୍ବା ଦରମାର ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି। ମାତ୍ର ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଳେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଏହି ଡାକ୍ତରମାନେ କିଭଳି ସେବା ଯୋଗାଇବେ, ସେଥିପାଇଁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯାଇଛି।
ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଅଇନ ଅନୁଯାୟୀ ପଞ୍ଜିକୃତ ଘରୋଇ ସ୍ବାସ୍ଥ୍ୟନୁଷ୍ଠାନଗୁଡ଼ିକ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ସତ୍ୟପାଠ ବିନା ସଂପୃକ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ମନା କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଶେଷ ହେବାପୂର୍ବରୁ ପାଠ ଛାଡ଼ିବେ ସେମାନଙ୍କୁ ୧୦ଲକ୍ଷ ଟଙ୍କା କିମ୍ବା ଷ୍ଟାଇପେଣ୍ଡ ବା ଦରମା ଆକାରରେ ମିଳିଥିବା ଅର୍ଥକୁ ଦେବାକୁ ପଡ଼ିବ । ଯଦି ଜରିମାନା ଅର୍ଥ ପ୍ରଦାନ ନ କରନ୍ତି, ତାହେଲେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି , ଡାକ୍ତରଙ୍କ ପ୍ରତି ରାଜ୍ୟ ସରକାରଙ୍କ କଠୋର ମନୋଭାବ ନାହିଁ। ଦୁଇ ବର୍ଷ ବଣ୍ଡ ଆଗରୁ ଥିଲା। ଅନ୍ୟ ରାଜ୍ୟରେ ଏହା ୧୦ ବର୍ଷ ଯାଏ ଅଛି। ଖୁବ ଶୀଘ୍ର ଘରୋଇ ମେଡିକାଲ କଲେଜ ପାଇଁ ବି ଏହି ନିୟମ ଲାଗୁ ହେବ। ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବୋଲି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ।
ବିହାର ସୀମାଞ୍ଚଳରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା
ପାଟନା: ବିହାର ସୀମାଞ୍ଚଳରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ସୀମାଞ୍ଚଳର ପୂର୍ଣ୍ଣିଆରେ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି ରାହୁଲ। ମୁଣ୍ଡରେ ଗାମୁଛା ବାନ୍ଧି ଖଟିଆରେ ବସି ଚାଷୀଙ୍କ ସହ ଆଲୋଚନା କରିଛନ୍ତି ରାହୁଲ। ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ। ଚାରିଆଡୁ ସମସ୍ୟା ଘେରରେ ରହିଛନ୍ତି ଦେଶର ଚାଷୀ। ଚାଷୀଙ୍କଠାରୁ ଜମି ଛଡ଼ାଇ ନେଇ ଉଦ୍ୟୋଗପତିଙ୍କୁ ଦେଉଛନ୍ତି କେନ୍ଦ୍ର ସରକାର। ସାର ଓ ବିହନକୁ ନେଇ ଚାଷୀ ହଇରାଣ ହେଉଛନ୍ତି। ତିନି କଳା କୃଷି ଆଇନ ଆଣିଥିଲେ କେନ୍ଦ୍ରସରକାର। ଚାଷୀ ଏକାଠି ହୋଇ ବିରୋଧ କରିବାରୁ ଏହାକୁ କେନ୍ଦ୍ର ସରକାର ବାଧ୍ୟ ହୋଇ ପ୍ରତ୍ଯାହାର କରିଛନ୍ତି। ଦେଶର ମେରୁଦଣ୍ଡ ଚାଷୀ। ଉଦ୍ଯୋଗପତିଙ୍କ ୧୪ଲକ୍ଷ କୋଟି ଟଙ୍କା ମାଫ୍ କରାଯାଇଛି ହେଲେ ଚାଷୀଙ୍କ ଋଣ ମାଫ୍ ହେଉନି। କେନ୍ଦ୍ରର ଚାଷୀ ମାରଣ ନୀତି ଉପରେ ବର୍ଷିଛନ୍ତି ରାହୁଲ।
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ
ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ । ସିଫର ମାମଲାରେ କୋର୍ଟ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଏହି ମାମଲାରେ ଇମ୍ରାନଙ୍କ ସହ ତାଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀଙ୍କୁ ମଧ୍ୟ କୋର୍ଟ ୧୦ ବର୍ଷ ସଜା ଶୁଣାଇଛନ୍ତି । ଦେଶ ସୁରକ୍ଷାରେ ଜଡି଼ତ ସିଫର ମାମଲା ବେଶ ସମ୍ବେଦନଶୀଳ ବୋଲି କୁହାଯାଉଛି । ଯେଉଁଥିରେ ଇମ୍ରାନ ନିଜ ବ୍ୟକ୍ତିଗତ ଫାଇଦା ପାଇଁ ଦେଶର ଟପ ସିକ୍ରେଟକୁ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । କ୍ଷମତାରୁ ବେଦଖଲ ହେବା ପରେ ଇମ୍ରାନ ଆମେରିକାର ହାତ ଥିବା ସନ୍ଦେହ କରିଥିଲେ । ଆମେରିକାର ପ୍ରରୋଚନାରେ ତାଙ୍କୁ କ୍ଷମତାରୁ ବିତାଡିତ କରାଯାଇଛି ବୋଲି ଇମ୍ରାନ ଅଭିଯୋଗ ଆଣିଥିଲେ । ଏ ନେଇ ୱାଶିଂଟନସ୍ଥିତ ପାକ ରାଷ୍ଟ୍ରଦୂତ ଇମ୍ରାନଙ୍କୁ ଗୋଟିଏ ଗୁପ୍ତ କେବଲ ବା ଟେପ ପଠାଇଥିଲା । ଏହାପରେ ଇମ୍ରାନ ନିଜ ରାଜନୈତିକ ଫାଇଦା ପାଇଁ ଉକ୍ତ ଟେପକୁ ସାର୍ବଜନୀନ କରିଦେଇଥିଲେ । ଯାହାକୁ ସିଫର କୁହାଯାଉଛି ।

