spot_img
Home Blog Page 2267

କେନ୍ଦୁଝର ଜିଲ୍ଲା ସିଲସୁଆଁରେ ବିକାଶର ସମୀକ୍ଷା କଲେ 5T ଅଧ୍ୟକ୍ଷ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ୧୩ହଜାର ୩୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ଅନ୍ୟ ଜିଲ୍ଲା ପାଇଁ ଏହା ଇର୍ଷଣୀୟ ହୋଇପାରେ । କେବଳ ଗତ ସାତ ମାସରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ୪୬୦ କୋଟି ଟଙ୍କା ମଂଜୁର କରିଛନ୍ତି । କେନ୍ଦୁଝର ସିଲସୁଆଁରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ଗତ ଜୁନରେ କେନ୍ଦୁଝର ଗସ୍ତ ସମୟରେ ତାଙ୍କୁ ୭୧୦ଟି ଆବେଦନ ମିଳିଥିଲା । ସେ ମଧ୍ୟରୁ ୬୫୦ଟି ଆବେଦନର ସମାଧାନ ହୋଇସାରିଛି । ମା ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସପ୍ତାହେ ତଳେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ମା ତାରିଣୀ ମନ୍ଦିର ବି ସେମିତି ନୂଆ ରୂପରେ ସଜେଇ ହେବ । ଆଗାମୀ ୧୦୦ ବର୍ଷ ପାଇଁ ଭକ୍ତଙ୍କୁ ଦର୍ଶନରେ କୌଣସି ସମସ୍ୟା ହେବନି । ସେ କହିଛନ୍ତି ଯେ, ବଳଦେବଜୀଉ ମନ୍ଦିର ରୂପାନ୍ତରଣ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ଗୁପ୍ତଗଙ୍ଗାରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା, ସୀତାବିଂଝ ମନ୍ଦିର ରୂପାନ୍ତରଣ ପାଇଁ ୨କୋଟି ୪୦ ଲକ୍ଷ ଟଙ୍କା, ସୀତାମଠର ସୌନ୍ଦର୍ଯ୍ୟକରଣ ପାଇଁ ୩ କୋଟି ୧୧ ଲକ୍ଷ ଟଙ୍କା ମଂଜୁର ହୋଇଛି । ସେହିଭଳି ଭୀମକୁଣ୍ଡଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଲୋକଙ୍କ ଦାବିଥିଲା । ଏଥିପାଇଁ ୧୯ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣ୍ଡିଚାଘାଇ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ପାଇଁ ୨ କୋଟି ଟଙ୍କା, ତେଲକୋଇ ଠାରେ ଏକ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୪୧ କୋଟି ଓ ସଣ୍ଟେଇବଂଝାରେ ଆଉ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୬୦ କୋଟି ଟଙ୍କା ମଂଜୁର ହୋଇଛି ।

କେନ୍ଦୁଝରରେ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ ସବୁକିଛି ହୋଇଛି । ଲୋକଙ୍କ ଦାବି ଅନୁଯାୟୀ ଗୋନାସିକା ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲକୁ ଉନ୍ନିତ କରିବାକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବର୍ଷରୁ ଯୁକ୍ତଦୁଇ ପାଠପଢା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକଙ୍କ ଯାହା ଆବେଦନ ଆସିବ ତାକୁ ସମ୍ମାନର ସହ ସମାଧାନ କରାଯିବ ବୋଲି ସେ କହିଛନ୍ତି । ଓଡିଶାର ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ବୋଲି ଭାବନ୍ତି । ତେଣୁ ପରିବାରର ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ନବୀନ ପଟ୍ଟନାୟକ ବିଏସକେୱାଇ ଯୋଜନା ଆରମ୍ଭ କରିଛନ୍ତି । ପ୍ରତି ମାସରେ ଦୁଇ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି । ଏବାବଦରେ ସରକାର ୨୫୦ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରୁଛନ୍ତି । ଯେଉଁମାନଙ୍କ ପାଖରେ ବିଏସକେୱାଇ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ ।ଯୋଗାଯୋଗ ବ୍ୟବସ୍ଥାରେ ଲକ୍ଷ୍ମୀ ବସ ସେବା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଗାଁ ସହ ଯୋଡି ହୋଇଛି ବ୍ଲକ । ଆସନ୍ତାମାସରୁ କେନ୍ଦୁଝରରେ ଏହି ସେବା ଆରମ୍ଭ ହେବ । ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀ ଉପକୃତ ହେବେ । ସେହିଭଳି ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ନଥିବା ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବ ।

ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷଙ୍କ ଗୁରୁମନ୍ତ୍ର: ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସେତିକି ଆବଶ୍ୟକ

କେନ୍ଦୁଝର: କେନ୍ଦୁଝର ଗସ୍ତରେ ଯାଇ ଧରଣୀଧର ୟନିଭର୍ସିଟି ପଡିଆରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଦେଲେ ଗୁରୁମନ୍ତ୍ର । ଏହାସହ ୟୁନିଭର୍ସିଟିରେ ଚାଲିଥିବା ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବା ନେଇ ଦେଲେ ପ୍ରତିଶ୍ରୁତି ।

ପିଲାମାନଙ୍କ ସହ କଥା ହୋଇ 5T ଅଧ୍ୟକ୍ଷ କହିଥିଲେ, ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ । କଲେଜ, ବ୍ଲକ ଓ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହେଉଛି । ଏହା ଆପଣମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏଥିରେ ଅଂଶଗ୍ରହଣ କରିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଜିତିବା ଯେତିକି ବଡ଼ କଥା ନୁହେଁ ଅଂଶ ଗ୍ରହଣ କରିବା ତା’ଠାରୁ ଅଧିକ ବଡ଼ । କାରଣ, ଏହା ଆପଣଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବ ।’

ଆଗକୁ ସେ କହିଥିଲେ, ‘ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ପଦକ୍ଷେପ । ଏହା ଆପଣଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବ । ଅଭିଷ୍ୟତରେ ଏହା ଆପଣଙ୍କୁ ଜଣେ ଜଣେ ଭଲ ମଣିଷ ହେବା ସହ ଜୀବନରେ ସଫଳତା ପାଇବାକୁ ବାଟ ଦେଖାଇବ । ଆଗକୁ ବଢ଼ିବାକୁ ହେଲେ ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ବି ସେତିକି ଆବଶ୍ୟକ । ତେଣୁ ନୂଆ-ଓ କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ପ୍ରତିବା ଦେଖାଇବାକୁ ମିଳୁଥିବା ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ।’

ରୂପାନ୍ତରଣପୁ ନେଇ 5T ଅଧ୍ୟକ୍ଷ କହିଥିଲେ, ‘ହାଇସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଉଛି । ଏହା ଆପଣମାନଙ୍କୁ ପାଠ ପଢ଼ିବାକୁ ଏକ ଭଲ ପରିବେଶ ଦେବ । ଯାହାଦ୍ବାରା ଆପଣମାନଙ୍କ ପାଠ ପଢ଼ା ପ୍ରତି ଆଗ୍ରହ ବଢ଼ିବ । ନିଜ ଅଞ୍ଚଳରେ ଥିବା କଲେଜରେ ସହର ଭଳି ସ୍ମାର୍ଟ କ୍ଲାରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ ଭଳି ଅତ୍ୟାଧୁନିକ ସୁବିଧା ପାଇ ପାରିବେ । ଯାହା ଆପଣମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ ।’

ଉଜ୍ଜଳ ଭବିଷ୍ଯତ ଲାଗି ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବାକୁ 5T ଅଧ୍ୟକ୍ଷ କହିଥିଲେ । କଠିନ ପରିଶ୍ରମ ହି ସଫଳତାର ମୂଳମନ୍ତ୍ର । କଠିନ ପରିଶ୍ରମ ଲାଗି ଛାତ୍ରଛାତ୍ରୀଙ୍କୁ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡିବ । ଏଥିଲାଗି ଛାତ୍ରଛାତ୍ରୀ ଦିନକୁ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ମନର ସୁସ୍ଥତା ଲାଗି ୧୫ ମିନିଟ ଧ୍ଯାନ କରିବାକୁ କହିଛନ୍ତି । ସୋସିଆଲ ମିଡିଆର ଉପକାର ଓ ଅପକାରିତା ଉପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ 5T ଅଧ୍ୟକ୍ଷ । ସୋସିଆଲ ମିଡିଆରେ କମ ସମୟ ଅତିବାହିତ କରି ଛାତ୍ରଛାତ୍ରୀଙ୍କୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ବାପାମାଆ ଓ ଗୁରୁଜନଙ୍କ ସମ୍ମାନ ସହ କଥା ମାନି ନିଜ ଲକ୍ଷ୍ଯ ପଥରେ ଆଗକୁ ଯିବାକୁ କହିଛନ୍ତି ।

ଆପଣଙ୍କ ଭବିଷ୍ଯତ ଆପଣଙ୍କ ହାତରେ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5T ଅଧ୍ୟକ୍ଷ । ଏହି ଅବସରରେ କେନ୍ଦୁଝର ଜିଲ୍ଲାର କିଛି ସଫଳ ବ୍ଯକ୍ତିତ୍ବଙ୍କ ଉଦାହରଣ ଦେଇ ସେମାନେ ସରକାରୀ ହାଇସ୍କୁଲରେ ପାଠ ପଢି କିପରି ସଫଳତା ହାସଲ କରିଛନ୍ତି କହିଥିଲେ । ଏଠାକାର ହାଇସ୍କୁଲରୁ ପାଠ ପଢି ସୁରେଶ ମହାପାତ୍ର ଆଇଏସ ପାଇବା ସହ ରାଜ୍ଯ ମୁଖ୍ଯ ଶାସନ ସଚିବ ପଦ ସମ୍ଭାଳି ଥିଲେ । ଅଟଳ କ୍ରିଷ୍ଣା ଖଟୁଆ ମହାକାଶ ଗବେଷଣା ସଂସ୍ଥା ଇସ୍ରୋରେ ବୈଜ୍ଞାନିକ ହୋଇପାରିଛନ୍ତି । ସେହିଭଳି ସୁଭ୍ରାଂଶୁ ସେନାପତି ସଫଳ କ୍ରିକେଟର ଭାବେ ଆଇପିଏଲ ଖେଳି ଜିଲ୍ଲାର ନାଁ ଉଜ୍ଜଳ କରିଛନ୍ତି ବୋଲି କହିଥିଲେ 5T ଅଧ୍ୟକ୍ଷ ।

ବିହାର ରାଜନୀତି: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ପାଟନା: ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର । ବିଜେପି ସମର୍ଥନରେ ପୁଣି ଗଢ଼ିବେ ସରକାର । ନବମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ଆଜି ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଇ ପାରନ୍ତି ଶପଥ ।

ନୀତୀଶଙ୍କ ଇସ୍ତଫା ‘ଇଣ୍ଡିଆ’ ମେଣ୍ଟକୁ ଜୋରଦାର ଝଟକା ଦେଇଛି । ୨୮ ବିରୋଧୀ ଦଳ ମିଶି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହଟାଇବାକୁ କରିଥିବା ମେଣ୍ଟ ଏକ ପ୍ରକାର ଭାଙ୍ଗିବା ପରି ହୋଇଯାଇଛି । ୨୦୧୯ ନିର୍ବାଚନରେ ଏନଡିଏ ମେଣ୍ଟରୁ ଜିତି ସରକାର ଗଢ଼ିଥିବା ଜେଡିୟୁ ନେତା ନୀତୀଶ, ବିଜେପିକୁ ବାଏ ବାଏ କହି ଆରଜେଡି ସାଙ୍ଗରେ ମିଶି ସରକାର ଗଢ଼ିଥିଲେ । ଏବେ ପୁଣି ଆରଜେଡିକୁ ଛାଡି ପୁରୁଣା ମେଣ୍ଟ ଦଳ ବିଜେପି ସମର୍ଥନରେ ସରକାର ଗଢ଼ିବାକୁ ଯାଉଛନ୍ତି ।

ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୀତୀଶ କହିଛନ୍ତି, ‘ମୁଁ କାମ କରୁଥିଲି, ହେଲେ ମୋତେ କାମ କରିବାକୁ ଦିଆଗଲା ନାହିଁ । ଯାହା ରାଜ୍ୟବାସୀଙ୍କୁ ଦୁଃଖିତ କରୁଥିଲା । ଆଜି ମୁଁ ଇସ୍ତଫା ଦେଇ ଦେଇଛି । ନିଜ ଲୋକ, ଦଳର ନିଷ୍ପତ୍ତିକୁ ଶୁଣିଲି ଓ ଇସ୍ତଫା ଦେଲି । ବର୍ତ୍ତମାନର ସରକାରର ଅନ୍ତ ଘଟିଛି । ପୂର୍ବତନ ସହଯୋଗୀ ଦଳ ଏବେ ନିଷ୍ପତ୍ତି ନେବେ ଆଗକୁ କ’ଣ ହେବ ।

ଇଣ୍ଡିଆ ମେଣ୍ଟର ଏବେ କ’ଣ ହେବ ?

ସୂଚନାଯୋଗ୍ୟ, ବିଜେପି ମୋହ ଭାଙ୍ଗି ଆରଜେଡି ସହ ସରକାର ଗଢ଼ିବା ପରେ ନୀତୀଶ ହିଁ ଥିଲେ ସେହି ନେତା ଯିଏ ଇଣ୍ଡିଆ ମେଣ୍ଟକୁ ଆଗକୁ ବଢ଼ାଇଥିଲେ । ବିଭିନ୍ନ ରାଜ୍ୟ ଗସ୍ତ କରିବା ସହ ଜାତୀୟ ଓ ଆଞ୍ଚଳିକ ଦଳଙ୍କ ସହ ବିଜେପି ବିରୋଧୀ ଇଣ୍ଡିଆ ମେଣ୍ଟ ଗଢ଼ିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କରି ଉଦ୍ୟମରେ ୨୮ ଦଳ ଗୋଟିଏ ଛତା ତଳେ ଏକାଠି ହୋଇ ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ହରାଇବାକୁ ସ୍ବପ୍ନ ଦେଖିବାକୁ ଆରମ୍ଭ କରିଥିଲେ । ତେବେ ଇଣ୍ଡିଆ ମେଣ୍ଟର ସୂତ୍ରଧାର କୁହାଯାଉଥିବା ନୀତୀଶ ବିଜେପି କ୍ୟାମ୍ପକୁ ଫେରିବା ଇଣ୍ଡିଆ ମେଣ୍ଟକୁ ଶକ୍ତ ଧକ୍କା ଦେଇଛି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରି ଇଣ୍ଟିଆ ମେଣ୍ଟକୁ ବ୍ୟାକଫୁଟକୁ ପଠାଇ ଦେଇଥିବା ବେଳେ ନୀତୀଶଙ୍କ ୟୁଟର୍ଣ୍ଣ ଏହାର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି ।

ସେପଟେ ନୀତୀଶ କୁମାର ଇସ୍ତଫା ଦେବା ପରେ ଏନଡିଏ ସମର୍ଥନରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । କୁହାଯାଉଛି ଜେଡିୟୁ ବିଧାୟକ ଦଳ ବୈଠକ ମଧ୍ୟରେ ନୀତୀଶ, ବିଜେପିର ବରିଷ୍ଠ ନେତାଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହା ମଧ୍ୟରେ ଶପଥ ଗ୍ରହଣ ପାଇଁ ରାଜଭବନରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ।

କେବଳ ଜେଡିୟୁ ନୁହେଁ, ବିଜେପିର ମଧ୍ୟ ବିଧାୟକ ଦଳ ବୈଠକ ଆଜି ବସିଥିଲା । ଏଥିରେ ବିଧାୟକଙ୍କ ଦସ୍ତଖତ ନିଆଯାଇଛି । କିଛି ସମୟ ମଧ୍ୟରେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ଆବାସରେ ପହଞ୍ଚି ଯିବେ । ଯେଉଁଠି ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯିବ ।

ଆଜି ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ

ଭୁବନେଶ୍ବର: ଆଜି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ହେବ ଶେଷକୃତ୍ୟ । ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପାର୍ଥିବ ଶରୀର କଟକ ଐତିହାସିକ ସ୍ଵରାଜ ଆଶ୍ରମରେ ଶେଷ ଦର୍ଶନ ପାଇଁ ରଖାଯାଇଛି ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ସ୍ବରାଜ ଆଶ୍ରମ ଆସି ସାମଲଙ୍କ ଶବାଧାରରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଜଣେ ମୁରବୀଙ୍କୁ ରାଜ୍ୟ ହରାଇଲା ବୋଲି କହିଛନ୍ତି ମନ୍ତ୍ରୀ । ସ୍ବରାଜ ଆଶ୍ରମରୁ ମରଶରୀର ଯାଜପୁର ବାହାରିଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆରେ ରାଷ୍ଟୀୟ ସମ୍ମାନ ପ୍ରଦାନ ପରେ ନୀଳମଣିଙ୍କ ଶେଷକୃତ୍ୟ ସଂପନ୍ନ ହେବ । ୧୦୨ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ମୃତ୍ଯୁବରଣ କରିଥିଲେ । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଥିଲେ ନୀଳମଣି ସାମଲ ।

ଆସନ୍ତାକାଲି ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଥିଲେ । ଏହାସହ ସ୍ବର୍ଗତ ନୀଳମଣିଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ।

ଶାଢ଼ୀ ପିନ୍ଧି ମାରାଥନ ଦୌଡ଼ିଲେ ୫ ହଜାର ମହିଳା

ଭୁବନେଶ୍ବର: ଟ୍ରାକ ସୁଟ ନୁହେଁ, ପାଟ ଶାଢ଼ୀ ପିନ୍ଧି ମାରାଥନରେ ଦୌଡ଼ିଲେ ମହିଳା । ଶହେ କି ଦୁଇ ଶହ ନୁହେଁ, ୫ ହଜାର ମହିଳା ପାଟ ଶାଢ଼ୀ ପିନ୍ଧି ଏକକାଳୀନ ଲଗାଇଲେ ଦୌଡ଼ । ମହିଳା ସଶକ୍ତିକରଣ ଓ ଶିକ୍ଷା ଲକ୍ଷ୍ୟରେ ପାଟଥନ ଆୟୋଜନ କରିଛି କିଟ୍ । ଏଥିରେ କିଟ୍ ଓ କିସର ୫ ହଜାର ମହିଳା କର୍ମଚାରୀ ଦୌଡ଼ରେ ସାମିଲ ହୋଇଥିଲେ ।

ଶିଖରଚଣ୍ଡୀ ମନ୍ଦିର ଛକରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟରେ ମାରାଥନ ଆୟୋଜନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଓଡ଼ିଶାର ୫୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ ହୋଇଛି । ଭୁବନେଶ୍ୱରରେ ସ୍ବତନ୍ତ୍ର ଭାବେ ନିଆରା ଢଙ୍ଗରେ ପାଟଥନ ଆୟୋଜନ କରାଯାଇଛି ।‌

ବିହାର ପଲିଟିକ୍ସ: ନୀତୀଶଙ୍କ ଆଗରେ ବିଜେପିର ସର୍ତ୍ତ, ଆଗ ମୁଖ୍ୟମନ୍ତ୍ରୀ ପଦରୁ ଦିଅ ଇସ୍ତଫା

ପାଟନା: ବିହାର ରାଜନୀତିରେ ଘଟିକେ ଘୋଡ଼ା ଛୁଟୁଛି । ନୀତୀଶ ରାଜନୀତିକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । ଆରଜେଡି ସହ ସମ୍ପର୍କ ତୁଟାଇ ପୁଣି ଥରେ ପଦ୍ମତୋଳା ଗାଇବାକୁ ଜେଡିୟୁ ସୁପ୍ରିମୋ ତାଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରସ୍ତୁତ । ହେଲେ ବିଜେପିକୁ ସାଙ୍ଗରେ ନେଇ ସରକାର ଗଢ଼ିବାକୁ ଉଦ୍ୟମ ଚଲାଇଥିବା ନୀତୀଶଙ୍କ ଆଗରେ ବିଜେପି ରଖିଛି ସର୍ତ୍ତ । ବିଜେପି ପକ୍ଷରୁ କୁହାଯାଇଛି ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କୁ ଇସ୍ତଫା ଦେବାକୁ ପଡିବ । ନୀତୀଶଙ୍କ ଇସ୍ତଫା ପରେ ହିଁ ବିଜେପି ଓ ଏନଡିଏର ଅନ୍ୟ ଦଳ ସମର୍ଥନ ପତ୍ର ଦେବେ । ଏପରିକି ଇସ୍ତଫା ପରେ ଏନଡିଏର ବିଧାୟକ ଦଳ ବୈଠକ ବସି ନୀତୀଶଙ୍କୁ ବିଧାୟକ ଦଳ ନେତା ବଛାଯିବ ।

ମିଳିଥିବା ସୂଚନା ଅନୁସାରେ ଆଜି ନୀତୀଶ କୁମାର ଇସ୍ତଫା ଦେଇପାରନ୍ତି । ଏହାପରେ ଏନଡିଏ ସମର୍ଥନରେ ପୁଣି ଥରେମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହ ବିଜେପିର ବରି୍ଠ ନେତା ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

ତେବେ ସୁବିଦାବାଦୀ ନେତା ନେତା ଭାବେ ପରିଚିତ ନୀତୀଶ କୁମାର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଦଳଙ୍କ ସହ ମେଣ୍ଟ କରି ଶାସନ ଗାଦି ଅକ୍ତିଆର କରିଛନ୍ତି । ୨୦୧୩ରୁ ବିଜେପି, କଂଗ୍ରେସ, ଆରଜେଡି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ପଦର ସ୍ବାଦ ଚାଖିଥିବା ନୀତୀଶ ପୁଣି ବିଜେପିକୁ କୋଳେଇ ପାରନ୍ତି ।

ବିଶେଷ କରି ବିହାରର ଦୁଇଥରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯିବା ପରଠାରୁ ବଢିଥିଲା ସସପେନ୍ସ । ରାଜନୀତିରେ କାହା ଲାଗି ଦ୍ବାର ବନ୍ଦ ନୁହେଁ ବୋଲ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କ ବିବୃତି ପରଠାର ବଢିଥିଲା ରାଜନୀତି । ସେପଟେ ୭୯ ଜଣ ଆଇପିଏସ ଓ ୪୫ ଜଣ ବିଏଏସ ଅଫିସରଙ୍କୁ ରାତାରାତି ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସ୍ଥିତିର ସମୀକ୍ଷା ଲାଗି କଂଗ୍ରେସ ଓ ଆରଜେଡି ନେତାମାନେ ବୈଠକ କରିଛନ୍ତି । ସେପଟେ ନୀତୀଶ କୁମାରଙ୍କ ସମର୍ଥନରେ ବିଜେପି ପକ୍ଷରୁ ସମର୍ଥନ ପତ୍ର ସଂଗ୍ରହ ଜାରିରହିଛି । ତେଣେ ନୀତୀଶଙ୍କ ସହ କଂଗ୍ରେସର କେତେକ ବିଧାୟକଙ୍କ ଭିତିରି ସମ୍ପର୍କ ଥିବା ସୂଚନା ମିଳିଛି । ତେଣେ ଏହି ରାଜନୈତିକ ସଂକଟ ଲାଗି କଂଗ୍ରେସ ଉପରେ ଦୋଷ ଲଦିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ।

ଥରେ ନଜର ପକାନ୍ତୁ ନୀତୀଶଙ୍କ ମୁଖ୍ୟମନ୍ତ୍ରିତ୍ବର ଘଟଣାକ୍ରମ ଉପରେ

  • ୩ ମାର୍ଚ୍ଚ ୨୦୦୦ରୁ ୧0 ମାର୍ଚ୍ଚ ୨୦୦୦ ଯାଏଁ ପ୍ରଥମ ଥର ଲାଗି ସିଏମ ହୋଇଥିଲେ ନୀତୀଶ
  • ୨୪ ନଭେମ୍ବର ୨୦୦୫ରୁ ୨୬ ନଭେମ୍ବର ୨୦୧୦ ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ
  • ୨୬ ନଭେମ୍ବର ୨୦୧୦ରୁ ୨୦ ମେ ୨୦୧୪ ତୃତୀୟ ଥର ମୁଖ୍ୟମନ୍ତ୍ରୀ
  • ୨୨ ଫେବ୍ରୁଆରୀ ୨୦୧୫ରୁ ୨୦ ନଭେମ୍ବର ୨୦୧୫ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ
  • ୨୦ ନଭେମ୍ବର ୨୦୧୫ରୁ ୧୬ ନଭେମ୍ବର ୨୦୨୦ ପଞ୍ଚମ ଥରମୁଖ୍ୟମନ୍ତ୍ରୀ
  • ୧୬ ନଭେମ୍ବର ୨୦୨୦ରୁ ଅଗଷ୍ଟ ୨୦୨୨ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ
  • ଅଗଷ୍ଟ ୨୦୨୨ରୁ ବର୍ତ୍ତମାନ ଯାଏଁ ମୁଖ୍ୟମନ୍ତ୍ରୀ ଅଛନ୍ତି

ଆଜିଠୁ ପୁଣି ଆରମ୍ଭ ହେବ ଭାରତ ଯୋଡ଼ ନ୍ୟାୟ ଯାତ୍ରା

କୋଲକାତା: ଦୁଇଦିନର ବ୍ରେକ ପରେ ଆଜିଠାରୁ ପିଣି ଆଣମ୍ଭ ହେବାକୁ ଯାଉଛି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ପଶ୍ଚିମବଙ୍ଗର ଜଲପାଇଗୁଡିରୁ ଆରମ୍ଭ ହେବ ଏହି ଯାତ୍ରା । ଗତ ଜାନୁଆରୀ ୧୪ ତାରିଖରୁ ମଣିପୁରରୁ ଆରମ୍ଭ ହୋଇଥିବା ଯାତ୍ରା ପଶ୍ଚିମବଙ୍ଗରେ ଦୁଇ ଦିନ ପାଇଁ ବନ୍ଦ ଥିଲା ।

ଭାରତ ଯୋଡ଼ ନ୍ୟାୟ ଯାତ୍ରା ୧୨ ଦିନ ଧରି ମଣିପୁର, ମେଘାଳୟ, ଆସାମ ଓ ଅରୁଣାଚଳ ପ୍ରଦେଶ ଅତିକ୍ରମ କରିବା ପରେ ପଶ୍ଚିମବଙ୍ଗରେ ପ୍ରବେଶ କରିଥିଲା । ମଣିପୁରରୁ ମୁମ୍ବାଇ ପ୍ରାୟ ୬ ହଜାର ୭ ଶହ କିଲୋମିଟର ଅତିକ୍ରମ କରିବ ଯାତ୍ରା । ଦେଶରେ ଦାରିଦ୍ର୍ୟ, ବେକାରୀ, ଅସହିଷ୍ଣୁତା, ବିଦ୍ବେଷ ବିରୋଧରେ ରାହୁଲଙ୍କ ନେତୃତ୍ବରେ ଚାଲିଛଇ ଏହି ଯାତ୍ରା । ବିଭିନ୍ନ ରାଜ୍ୟରେ ହଜାର ହଜାର କର୍ମୀ ଏଥିରେ ସାମିଲ ହେଉଛନ୍ତି । ଆସନ୍ତା ୨୦ ମାର୍ଚ୍ଚରେ ମୁମ୍ବାଇରେ ଏହା ଶେଷ ହେବ ।

୭୫ ବର୍ଷରେ ସୁପ୍ରିମକୋର୍ଟ, ପାଳିବ ହୀରକ ଜୟନ୍ତୀ

ନୂଆଦିଲ୍ଲୀ: ୭୫ ବର୍ଷରେ ସୁପ୍ରିମକୋର୍ଟ । ଆଜି ସୁପ୍ରିମକୋର୍ଟ ପାଳିବ ହୀରକ ଜୟନ୍ତୀ । ୧୯୫୦ ଜାନୁଆରୀ ୨୮ ତାରିଖରେ ଦିଲ୍ଲୀରେ ପ୍ରତିଷ୍ଠା ହୋଇଥିଲା ସୁପ୍ରିମକୋର୍ଟ । ସେତେବେଳେ ସୁପ୍ରିମକୋର୍ଟଙ୍କ କୌଣସି ନିର୍ଦ୍ଦିଷ୍ଠ କୋଠା ନଥିଲା । ସଂସଦ ଭବନ ପରିସରରେ ଏହା ଆରମ୍ଭ ହୋଇଥିଲା । ହୀରକ ଜୟନ୍ତୀ ଅବସରରେ ଆଜି ଏକ ସ୍ବତନ୍ତ୍ର ଉତ୍ସବ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀ ଯୋଗଦେବେ ।

ହୀରକ ଜୟନ୍ତୀ ଅବସରରେ ସୁପ୍ରିମକୋର୍ଟଙ୍କ ନୂଆ ଓ୍ବେବସାଇଟ, ଡିଜିଟାଲ କୋର୍ଟସ 2.0, ଡିଜିଟାଲ ସୁପ୍ରିମକୋର୍ଟକୁ ଲୋକାର୍ପଣ କରିବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଆରମ୍ଭ କାଳରେ ସୁପ୍ରିମକୋର୍ଟରେ ଥିଲେ ଜଣେ ପ୍ରଧାନ ବିଚାରପତି ଓ ୭ ଜଣ ବିଚାରପତି । ବର୍ତ୍ତମାନ ସିଜେଆଇଙ୍କ ସମେତ ରହିଛନ୍ତି ୩୪ ବିଚାରପତି ।

ବର୍ତ୍ତମାନ ସୁପ୍ରିମକୋର୍ଟର ଶୁଣାଣି ପ୍ରକ୍ରିୟାରେ ବହୁ ପରିବର୍ତ୍ତନ କରାଯାଇଛି । ପ୍ରଯୁକ୍ତିଗତ ପରିବର୍ତ୍ତନ ସହ ହାଇବ୍ରିଡ ଶୁଣାଣି ବ୍ଯବସ୍ଥା କାର୍ଯ୍ୟକାରୀ କରାଯାଇଛି । ସ୍ମାର୍ଟ ଓ ପେପରଲେସ କୋର୍ଟକୁ ବି ଫୋକସ କରାଯାଇଛି । ଟ୍ରାନ୍ସକ୍ରିପସନ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବସ୍ଥା ବି ଗ୍ରହଣ କରାଯାଇଛି । ସ୍ବାଧୀନତା ପୂର୍ବରୁ ୧୯୩୭ରେ ଦେଶର ପ୍ରଥମ ସିଜେଆଇ ଥିଲେ ସାର୍ ମରିସ ଲିନଫୋର୍ଡ ଗୋଏର । ସ୍ବାଧୀନତା ପରେ ଅର୍ଥାତ ୧୯୫୦ ଜାନୁଆରୀରେ ପ୍ରଥମ ସିଜେଆଇ ଥିଲେ ହୀରାଲାଲ ଜେକିସୁନଦାସ କାନିଆ । ବର୍ତ୍ତମାନ ସୁଦ୍ଧା ସିଜେଆଇ ଭାବେ ଅବସ୍ଥାପିତ ହେଲେଣି ୫୦ ଜଣ । ଜଷ୍ଟିସ ଧନଞ୍ଜୟ ଯଶଓ୍ବନ୍ତ ଚନ୍ଦ୍ରଚୂଡ଼ ୨୦୨୨ ନଭେମ୍ବର ୯ରେ ସିଜେଆଇ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ୩ ଜଣ ଓଡିଆ ସୁପ୍ରିମକୋର୍ଟର ଶୀର୍ଷ ପଦବୀ ଅଳଙ୍କୃତ କରିଛନ୍ତି । ୧୯୯୦ରେ ଜଷ୍ଟିସ ରଙ୍ଗନାଥ ମିଶ୍ର, ୨୦୦୨ରେ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ୨୦୧୭ରେ ଜଷ୍ଟିସ ଦୀପକ ମିଶ୍ର ସିଜେଆଇ ହୋଇଥିଲେ ।

ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

କଟକ: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ପରଲୋକ । କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ନୀଳମଣିଙ୍କ ଶେକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ।

ଯୁବ ବୟସରେ ସ୍ବାଧିନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ ନୀଳମଣି । ଦେଶର ସ୍ବାଧୀନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ । ସ୍ବାଧୀନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସିଥିଲେ । ତାଙ୍କ ବିୟୋଗରେ ଜଣେ ବିଶିଷ୍ଟ ସଂଗ୍ରାମୀଙ୍କୁ ଆମେ ହରାଇଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ନୀଳମଣି ସାମଲ ଦେଶକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରେ ସେ ନିଜକୁ ସାମିଲ କରିଥିଲେ । ତାଙ୍କୁ ୩ ବର୍ଷ ଜେଲ ଯିବାକୁ ପଡ଼ିଥିଲା । ଦେଶ ପାଇଁ ସେ ୪ ଥର ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳି ଯାଇଛି । ଆଜି ତାଙ୍କ ପ୍ରାର୍ଥିବ ଶରୀର କଟକ ସ୍ୱରାଜ ଆଶ୍ରମରେ ରହିବ । ଆସନ୍ତାକାଲି ପୈତୃକ ଗ୍ରାମ ବାଲିପଡ଼ିଆରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଅବସର ନେଲେ ହକି ଷ୍ଟାର ଦୀପଗ୍ରେସ ଏକ୍କା

ଭୁବନେଶ୍ବର: ଭାରତୀୟ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କା ନେଲେ ଅବସର । ୧୭ ବର୍ଷ ବୟସରେ ୨୦୧୧ରେ ହକିରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଦୀପଗ୍ରେସ । ଆର୍ଜେଣ୍ଟିନାରେ ସେ ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେଠାରେ ଚମତ୍କାର ପ୍ରଦର୍ଶନ କରି ହକି ଜଗତରେ ନୂଆ ପରିଚୟ ସୃଷ୍ଟି କରିଥିଲେ ।

ପରେ ବ୍ୟାଙ୍କକରେ ହୋଇଥିବା ଅଣ୍ଡର ୧୮ ଏସିଆ କପରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସୁନ୍ଦରଗଡ଼ ଝିଅ ଦୀପଗ୍ରେସ ଏକ୍କା ୨୦୧୩ରେ ଓମେନ୍ସ ଜୁନିୟର ହକି ବିଶ୍ବ କପରେ ବ୍ରୋଞ୍ଜ ମେଡାଲ ଜିତି ସମସ୍ତଙ୍କ ହୃଦୟ ଜିତିଥିଲେ । ପେନାଲ୍ଟି କର୍ଣ୍ଣର ଦେବାରେ ଏକ୍ସପର୍ଟ ହେଉଛନ୍ତି ଦୀପଗ୍ରେସ ଏକ୍କା ।