spot_img
Home Blog Page 2268

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯାଉଛି। ସକାଳ ୬ଟାରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣାଯିବ। ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା ଚାଲିଛି। ହୀରାକୁଦ ଡ୍ୟାମ ନିକଟରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଗଣନା କରାଯିବ। ଏଥିପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି। ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ଓ ଗଣନାକାରୀଙ୍କ ସହ ୭୮ ଜଣ ସାମିଲ ହୋଇଛନ୍ତି। ତେବେ ବିଦେଶୀ ପକ୍ଷୀମାନଙ୍କର ଆଗମନ ପୂର୍ବବର୍ଷ ତୁଳନାରେ ଅଧିକ ଥିବା ଜଣାପଡ଼ିଛି।

ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଅନୁସାରେ, ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଆସିଥିବା ବେଳେ, ଏ ବର୍ଷ ୧ ଲକ୍ଷ ୫୧ ହଜାର ୪୨୧ ଆସିଛନ୍ତି। ଯାହାକି ଗତ ୧୬ ବର୍ଷ ମଧ୍ୟରେ ସର୍ବାଧିକ।

ସେହିପରି ଚିଲିକାରେ ଗୁରୁବାର ପକ୍ଷୀଗଣନା କରାଯାଇଥିଲା। ଚଳିତବର୍ଷ ୧୮୭ ପ୍ରଜାତିର ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀ ଚିଲିକାରେ ଦେଖାଦେଇଛନ୍ତି ।

ଆଜି ହାଇକୋର୍ଟରେ କୁକୁର ବନ୍ଧ୍ୟାକରଣ ମାମଲାର ଶୁଣାଣି

କଟକ: ଆଜି ହାଇକୋର୍ଟରେ କୁକୁର ବନ୍ଧ୍ୟାକରଣ ମାମଲାର ଶୁଣାଣି ହେବ। ଶୁଣାଣିରେ ହାଇକୋର୍ଟ ବିଏମସି ସପକ୍ଷରେ ଅର୍ଥାତ ବନ୍ଧ୍ୟାକରଣ ଉପରେ ଲାଗିଥିବା ଷ୍ଟେ ଅର୍ଡର ହଟାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଷ୍ଟେ ଅର୍ଡର ହଟିବା ପରେ କୁକୁରଙ୍କ ତୁରନ୍ତ ଅସ୍ତ୍ରୋପଚାର କରାଯାଇପାରେ। ବିଏମସି ମାମଲାରେ ନିଜଆଡ଼ୁ ପକ୍ଷ ରଖିବା ସହ ବନ୍ଧ୍ୟାକରଣ ଆରମ୍ଭ ପାଇଁ ଆଦେଶ ଦେବାକୁ ପ୍ରାର୍ଥନା କରିଛି। ବିଏମସିର ଆବେଦନ ହାଇକୋର୍ଟ ଗ୍ରହଣ କଲେ ଭୁବନେଶ୍ବରରେ ପୁଣି ଥରେ ବନ୍ଧ୍ୟାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଆପଣଙ୍କୁ କହିରଖୁଛୁ, ରାଜ୍ୟରେ ଚାଲିଥିବା ଆନିମଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମ ଠିକ ଓ ସୁରକ୍ଷିତ ଭାବେ କରାଯାଉନଥିବା ଅଭିଯୋଗ ହୋଇଥିଲା। ଏହାର ଶୁଣାଣି କରି ୨୦୨୨ ଜୁଲାଇ ୧୦ ତାରିଖରୁ ରାଜ୍ୟରେ ଏବିସି କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଥିଲା। ପ୍ରଥମେ ଅଗଷ୍ଟ ୩୧ ତାରିଖ ଯାଏ ରୋକ୍ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କୋର୍ଟରୁ ମାମଲା ଉଠିପାରିନଥିବାରୁ ଏହାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା। ଆଜି କୋର୍ଟ ଏହି ମାମଲାର ଶୁଣାଣି କରିବେ।

ଆଜିଠୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍ ଓ ଜେଇଇ ପାଇଁ ଅନଲାଇନ କୋଚିଂ

ଭୁବନେଶ୍ୱର : ନିଟ୍ ଓ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ କୋଚିଂ। ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ଦୁଇଟି ସିଟିଂରେ କୋଚିଂ ଦିଆଯିବ । ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ପାଇ ପାରିବେ ରେଗୁଲାର କୋଚିଂ। ସକାଳ ୮ଟା ୩୦ରୁ ୧୦ ଯାଏଁ  ନିଟ୍ ଏବଂ ଅପରାହ୍ମ ୨ଟା ୩୦ରୁ ୩ଟା ୩୦ ଯାଏଁ ଜେଇଇ କୋଚିଂ ଦିଆଯିବ। ଅନଲାଇନ୍ କୋଚିଂ ବ୍ୟବସ୍ଥା କରିବାକୁ ଡିଏଚଏସଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ନିଟ ଓ ଜେଇଇ କୋଚିଂ ଦିଆଯିବା ନେଇ ନିର୍ଦ୍ଦେଶ ହୋଇଛି। ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ୍ କରିବେ। ଏକ୍ସପର୍ଟମାନେ ଏହି କୋଚିଂ ପ୍ରଦାନ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧିଲାଗି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ବ୍ୟବସ୍ଥା କରିଛି ।

ଆଜି ଘୋଷଣା ହେବ ବାଂଲାଦେଶ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ : ଆଜି ଘୋଷଣା ହେବ ବାଂଲାଦେଶ ନିର୍ବାଚନୀ ଫଳାଫଳ। ଭୋଟ ବର୍ଜନ ଓ ଦେଶବ୍ୟାପୀ ଧର୍ମଘଟ ଭିତରେ ବାଂଲାଦେଶରେ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ଫଳାଫଳ ଅପେକ୍ଷାରେ ପୂରା ବାଂଲାଦେଶ। ୨୦୦୮ରୁ ପ୍ରଧାନମନ୍ତ୍ରୀ ଥିବା ଆଓ୍ବାମି ପାର୍ଟି ନେତ୍ରୀ ଶେଖ ହାସିନା ଚତୁର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବାର ଅଧିକ ସମ୍ଭାବନା ରହିଛି । ସମ୍ଭାବ୍ୟ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏଥିସହ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।

ମୁଖ୍ୟ ବିରୋଧୀ ଦଳ ତଥା ଖାଲେଦା ଜିଆ ନେତୃତ୍ବାଧୀନ ବାଂଲାଦେଶ ନ୍ୟାସନାଲ ପାର୍ଟିର ବର୍ଜନ ସତ୍ତ୍ବେ ସମ୍ପନ୍ନ ହୋଇଛି ନିର୍ବାଚନ। ୫ଟି ସ୍କୁଲ ଓ ଟ୍ରେନକୁ ପୋଡିଦେଇଥିଲେ ଆନ୍ଦୋଳନକାରୀ । ବିଏନପି ଏକ ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି ଶେଖ ହାସିନା। ବିଏନପି ନେତ୍ରୀ ଖାଲେଦା ଜିଆଙ୍କୁ ଗୃହବନ୍ଦୀ କରି ରଖାଯାଇଥିବାବେଳେ ସେ ଦୁର୍ନୀତି ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଭାରତର ୩ ପ୍ରତିନିଧିଙ୍କ ସମେତ ୧୦୦ ବିଦେଶୀ ନିର୍ବାଚନ ପର୍ଯ୍ୟବେକ୍ଷକ ହୋଇଛନ୍ତି ନିୟୋଜିତ । ୩୫୦ ଆସନ ବିଶିଷ୍ଟ ସଂସଦରେ ୨୯୯ ଆସନରେ ହୋଇଛି ଭୋଟ । ୧ ହଜାର ୯୭୦ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବାବେଳେ ୧୨ କୋଟି ଭୋଟର ମତସାବ୍ୟସ୍ତ କରିଛନ୍ତି ।

ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ପୁରୀ ଜିଲ୍ଲା ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ପୁରୀ: ପୁରୀ ଜିଲ୍ଲା ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ପୁରୀ ଆଚାର୍ଯ୍ୟ ହରିହର ଛକ ନିକଟସ୍ଥ ଗୋପାଳ ବଲ୍ଳଭ ରୋଡ଼ ପାଖରେ ଥିବା ଏକ ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ବିକ୍ଷୋଭ ପ୍ରଦାନ କରିଛି । ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ଦ୍ୱାରା ଅଞ୍ଚଳ ବାସୀ ପ୍ରଭାବିତ ହେଉଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ଅଭିଯୋଗ ନଜରକୁ ଆସିଛି । ମଦ ଦୋକାନ ନିକଟରେ ଏକ ହୋମିଓ ପାଥି ଡାକ୍ତର ଖାନା ଥିବା ସତ୍ୱେ ସରକାରୀ ନିୟମକୁ ଉଲଂଘନ କରି କିଭଳି ମଦ ଦୋକାନ ଖୋଲିଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି  । ପ୍ରଶାସନ ପକ୍ଷରୁ ମଦ ଦୋକାନକୁ ବନ୍ଦ କରିବା ଏବଂ ଉଛେଦ କରିବା ନେଇ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିବା ବେଳେ ମଦ ଦୋକାନ ହୋଇଥିବା ଜମି ବିବାଦୀୟ ଥିବା ଅଭିଯୋଗ ଆସିଛି | ବିବାଦୀୟ ଜମିରେ କିଭଳି ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ କରାଯାଇଛି ତାହାକୁ ନେଇ ଯୁବ ଓ ଛାତ୍ର କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି | ଅନ୍ୟପଟେ ପୂର୍ବତନ କାଉନସିଲର ମଧ୍ୟ ଏହି ମଦ ଦୋକାନକୁ ବନ୍ଦ ନେଇ ଦାବି କରିଥିବା ବେଳେ ଆଜି ଦୋକାନ ସମ୍ମୁଖରେ ତୀବ୍ର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବିରୋଧକାରୀଙ୍କୁ ବୁଝାସୁଝା କରିଥିବା ଜଣାପଡିଛି |

 

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି । ମହମ୍ମଦ ସିରାଜ ଏବଂ ଜଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି । ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ । ଟି-୨୦ ବିଶ୍ବକପ ପୂର୍ବରୁ ଏହା ଶେଷ ଟି-୨୦ ସିରିଜ ହୋଇଥିବାରୁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

ଭାରତୀୟ ଦଳ: ରୋହିତ ଶର୍ମା,ଗିଲ, ଜୟସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂ,ଜିତେଶ ଶର୍ମା,ସଞ୍ଜୁ ସାମସନ,ଶିଭମ ଦୁବେ,ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେସ ଖାନ୍, ମୁକେଶ କୁମାର ।

ରାମଲାଲାଙ୍କୁ କେମିତି କରିବେ ଦର୍ଶନ, କେତେଟା ରହିବ ଆଳତୀ ସମୟ ଜାଣନ୍ତୁ

ଅଯୋଧ୍ୟା: ଭଗବାନ ରାମ ଅଯୋଧ୍ୟାର କୋଣ କୋଣରେ ବାସ କରିଥାନ୍ତି। ଅଯୋଧ୍ୟା ହେଉଛି ପୁରୁଷୋତ୍ତମ ରାମଙ୍କ ଜନ୍ମ ସ୍ଥାନ। ଆଜି ଅଯୋଧ୍ୟାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ତେବେ ଏହାରି ଭିତରେ ବଡ ପ୍ରଶ୍ନ ଉଠୁଛି ଯେ, କେମିତି ଦର୍ଶନ କରିବେ ପ୍ରଭୁ ରାମଲାଲଙ୍କୁ ? ଆଳତୀ ସମୟ କେତେଟା ରହିଛି ? ମନ୍ଦିରରେ କିପରି ପ୍ରବେଶ କରିବେ ? ଜାଣି ରଖନ୍ତୁ ରାମନ୍ଦିର ସହିତ ଜଡିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର। ଯାହାଫଳରେ ଯେତେବେଳେ ଆପଣ ଅଯୋଧ୍ୟାକୁ ଯିବେ, ସେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ଆଳତୀର ସମୟ କେତେଟା ରହିଛି ?

ଅଯୋଧ୍ୟା ରାମ ମନ୍ଦିରରେ ଦିନକୁ ପାଞ୍ଚଥର ଆରତୀ ହୋଇଥାଏ । ତେବେ ଶ୍ରଦ୍ଧାଳୁମାନେ ୩ ଥର ଆଳତୀ ଦର୍ଶନ କରିବାର ସୁଯୋଗ ପାଇବେ। ସକାଳ ୬ଟା ୩୦, ମଧ୍ୟାହ୍ନ ୧୨ଟା ଏବଂ ସନ୍ଧ୍ୟା ୭ଟା ୩୦ ରେ ରାମଲାଲାଙ୍କ ଆଳତୀର ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ତେବେ ଆଳତୀରେ ସାମିଲ ହେବା ପାଇଁ ଟ୍ରଷ୍ଟ ଦ୍ୱାରା ଏକ ପାସ୍ କରିବାକୁ ପଡିଥାଏ। ଏଥପାଇଁ ଆଇଡି ପ୍ରୁଫ୍ ବାଧ୍ୟତାମୂଳକ ଅଟେ।

ମନ୍ଦିରରେ କିପରି ପ୍ରବେଶ କରିବେ ?
ଅଯୋଧ୍ୟା ରାମ ମନ୍ଦିରରେ ପ୍ରବେଶ କରିବାକୁ ହେଲେ କିଛି ନିୟମ ମାନିବା ପାଇଁ ପଡିବ। ମନ୍ଦିର ଭିତରକୁ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ଜିନିଷ ନେଇପାରିବେ ନାହିଁ । ଏହାଛଡା ପ୍ରସାଦ ମଧ୍ୟ ନିଷେଧ। କେବଳ ଟଙ୍କା ନେଇକି ଆପଣ ଯାଇପାରିବେ।

ଭକ୍ତମାନଙ୍କ ପାଇଁ କ’ଣ ବ୍ୟବସ୍ଥା ରହିଛି ?
ରାମ ମନ୍ଦିରରେ ଭକ୍ତଙ୍କ ପାଇଁ ଏକ ବିଶ୍ୱ ସ୍ତରୀୟ ବ୍ୟବସ୍ଥା କରାଯାଉଛି । ଏଥିରେ ୨୫ ହଜାର ଭକ୍ତଙ୍କ ପାଇଁ ସୁବିଧା କେନ୍ଦ୍ର ହୋଇଛି। ଦିବ୍ୟାଙ୍ଗ ଏବଂ ବୃଦ୍ଧାଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା କରାଯାଇଛି। ଯେପରି ଭକ୍ତଙ୍କୁ କୌଣସି ପ୍ରକାରର ଅସୁବିଧା ନହୁଏ ସେନେଇ ସମସ୍ତ ପ୍ରକାରର ବ୍ୟବସ୍ଥା ଉପଲବ୍ଧ କରାଯାଉଛି ।

ଶ୍ରୀକାନ୍ତ କହିଲେ ଟି-୨୦ ବିଶ୍ବକପ ଦଳରେ ରୋହିତ ଏବଂ କୋହଲିଙ୍କୁ କାହିଁକି କରାଯିବ ସାମିଲ

ନୂଆଦିଲ୍ଲୀ: ୨୦୨୪ ମସିହାରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ଦଳ ଟ୍ରଫି ହାତେଇବା ଲକ୍ଷ୍ୟରେ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଦିନିକିଆ ବିଶ୍ବକପରେ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ହାରିବା ପରେ ଟି-୨୦ ବିଶ୍ବକପ କିଭଳିଭାବେ ଜିତିବ ସେନେଇ ଯୋଜନା ଆରମ୍ଭ କରିଛି । ଦଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯୁବ ଖେଳାଳିମାନେ ଏବେ ଦମଦାର ଫର୍ମରେ ରହିଥିବାବେଳେ ସିନିୟର ଖେଳାଳିମାନେ ଦଳରେ ରହିବା ନିହାତି ଜରୁରୀ । ଅଭିଜ୍ଞ ଖେଳାଳିଙ୍କ ଜ୍ଞାନ କୌଶଳ ମଧ୍ୟ ଜରୁରୀ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦିଅନ୍ତି । ତେବେ ଦୀର୍ଘଦିନ ହେବ ଟି-୨୦ ଖେଳି ନଥିବା ଦୁଇ ଅଭିଜ୍ଞ ଖେଳାଳି ରୋହିତ ଏବଂ କୋହଲି ଦଳରେ ସ୍ଥାନ ପାଇବେ କି ନାହିଁ?

ପୂର୍ବତନ ଭାରତୀୟ କ୍ରିକେଟର କ୍ରିଷ୍ଣାମଚାରୀ ଶ୍ରୀକାନ୍ତ କହିଛନ୍ତି କି, ଉଭୟ ଦଳରେ ସ୍ଥାନ ପାଇବା ଉଚିତ । ୨୦୨୩ ଦିନିକିଆ ବିଶ୍ବକପରେ ସେମାନଙ୍କ ପ୍ରଦର୍ଶନ ଦଳ ପାଇଁ ବହୁ ଗୁରୁତ୍ବ ବହନ କରିଛି । କେବଳ ଏତିକି ନୁହେଁ, ଯଦି ଟି-୨୦ରେ ଉଭୟଙ୍କ ରେକର୍ଡ ଉପରେ ନଜର ପକାଇବା ତାହେଲେ ଭଲ ରେକର୍ଡ ରହିଛି । କୋହଲି ୧୧୫ଟି ଟି-୨୦ ମ୍ୟାଚରେ ୪୦୦୮ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ରହିଥିବାବେଳେ ୩୭ଟି ଅର୍ଦ୍ଧଶତକ ରହିଛି । ୧୨୨ ରନ ସର୍ବାଧିକ ରହିଛି । ଏପରିକି ବୋଲିଂ କରି ୪ ଓ୍ବିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ସେପଟେ ରୋହିତଙ୍କ ଟି-୨୦ କ୍ୟାରିୟର ମଧ୍ୟ ଭଲ ରହିଛି । ସେ ୧୪୮ ମ୍ୟାଚରେ ୩୮୫୩ ରନ ସଂଗ୍ରହ କରିଛନ୍ତି । ୪ଟି ଶତକ ସହ ୩୭ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ 5T ଅଧ୍ୟକ୍ଷ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ 5T ଅଧ୍ୟକ୍ଷ । ଏହି ଅକ୍ଷର ଭୂମି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ସୂଚନା ଥାଉକି, ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହେଉଛି ଅକ୍ଷରଭୂମି।

ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ ସମ୍ମିଳନୀ କେନ୍ଦ୍ର। ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ  ଶେଷ କରିବାକୁ 5T ଅଧ୍ୟକ୍ଷ  ନିର୍ଦ୍ଦେଶ  ଦେଇଥିଲେ।  କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରିବାକୁ  ପରାମର୍ଶ  ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି  ବିଭାଗର ଏହି  ସମ୍ମିଳନୀ  କେନ୍ଦ୍ରର  ନିର୍ମାଣ  ଦାୟିତ୍ଵ  IDCO ନେଇଛି । ପ୍ରଥମ ବିଶ୍ଵ ଓଡିଆ  ଭାଷା ସମ୍ମିଳନୀକୁ ଚିର ସ୍ମରଣୀୟ କରିବା ପାଇଁ କଳାମଣ୍ଡଳ ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଅକ୍ଷର ଭୂମି  କାମ ମଧ୍ୟ 5T ଅଧ୍ୟକ୍ଷ ବୁଲି  ଦେଖିଥିଲେ।  ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ହେବ।  ଏହା ଆମର ମହାନ୍ ଐତିହ୍ୟ ଓ

ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟରେ ଅକ୍ଷର ଭୂମି ଭବିଷ୍ୟତ ପୀଢିକୁ ପ୍ରେରଣା ଦେଇଚାଲିବ ଏବଂ ଓଡିଆ ଭାଷାର ଅସ୍ମିତାର ପରିଚୟ ହେବ ବୋଲି  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଶା ବ୍ୟକ୍ତ କରିଥିଲେ ।

 

କେମିକାଲ ଯୁଗରେ ବଢିଛି ପ୍ରାକୃତିକ ପଦାର୍ଥର ଆଦର

ରାଉରକେଲା: କେମିକାଲ ଯୁଗରେ ବଢୁଛି ପ୍ରାକୃତିକ ପଦାର୍ଥର ଆଦର। ଏଲୋପ୍ୟାଥି ଛାଡ଼ି ଚେରମୂଳି ମୁହାଁ ହେଉଛନ୍ତି ଲୋକ। କରୋନା ପରେ ବଢିଛି ଆୟୁର୍ବେଦର ଚାହିଦା । ଏହାକୁ ନଜରରେ ରଖି ରାଉରକେଲା ସହରର ଭଞ୍ଜ ଭଵନ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଛି ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା। ଜାନୁଆରୀ ୪ ତାରିଖ ଠାରୁ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାରେ ୮୫ ଟି ଷ୍ଟଲ ଖୋଲା ଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାର ବୈଦ୍ୟମାନେ ଯୋଗ ଦେଇ ୫୩ ଟି ଷ୍ଟଲରେ ଵିଭିନ୍ନ ପ୍ରକାରର ଚେରମୂଳିରୁ ତିଆରି ଔଷଧର ବିକ୍ରୀ କରିବା ସହ ପ୍ରଦର୍ଶନ କରୁଛନ୍ତି। ମିଲେଟ ମିଶନକୁ ପ୍ରୋତ୍ସାହନ ଯୋଗାଇ ଦେଵା ସହ ଚେରମୂଳିରୁ ତିଆରି ଔଷଧର ପ୍ରଚାର ପ୍ରସାର କରିବା ପାଇଁ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଆୟୋଜନ କରାଯାଇଥିଵା ବନ ବିଭାଗ ପକ୍ଷରୁ କୁହାଯାଇଛି। ମେଳାରେ ନକ୍ଷତ୍ର ବନ ଓ ହର୍ବାଲ ଗାର୍ଡେନ ନିର୍ମାଣ କରାଯାଇଛି।

ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଓଡିଶା ସରକାରଙ୍କ ରାଜ୍ଯ ଔଷଧୀୟ ବୃକ୍ଷ ପରିଷଦର ମିଳିତ ସହଯୋଗରେ ଆୟୋଜିତ ହୋଇଛି ମେଳା। ମେଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ନିଜ ହାତ ତିଆରି ଵିଭିନ୍ନ ସାମଗ୍ରୀ ବିକ୍ରୀ କରୁଛନ୍ତି। ବୈଦ୍ୟମାନେ ଯୋଗ ଦେଇ ଲୋକଙ୍କ ରୋଗ ପରୀକ୍ଷା କରିବା ସହ ଔଷଧ ବିକ୍ରୀ ଓ ପ୍ରଦର୍ଶନ କରୁଛନ୍ତି।