spot_img
Home Blog Page 2269

 ଅବସରପ୍ରାପ୍ତ ଶିକ୍ଷକଙ୍କ ବାଦିପାଲା ନିଶା

ଯାଜପୁର: ଅବସରପ୍ରାପ୍ତ ଶିକ୍ଷକଙ୍କ ବାଦିପାଲା ନିଶା । ଲୋକକଳା ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ କରୁଛନ୍ତି ଶିକ୍ଷକ ରଜନୀକାନ୍ତ। ଏନେଇ ରାଜ୍ୟର ଗୌରବ ପାଲଟିଛନ୍ତି ରଜନୀକାନ୍ତ। ଯାଜପୁର ଡଗରପଡା ଗାଁର ଅବସରପ୍ରାପ୍ତ ଶିକ୍ଷକ ହେଉଛନ୍ତି ରଜନୀକାନ୍ତ ପୃଷ୍ଟି। ଯୁବକ ବୟସରୁ ସେ ପାଲାରେ ଗାୟକ ଭାବେ କାର୍ଯ୍ୟ କରି ଆସୁଥିଲେ। ପରେ ଶିକ୍ଷକ ଭାବେ କାର୍ଯ୍ୟ କରି ଜୀବନ ନିର୍ବାହ କରୁଥିଲେ। ହେଲେ ଏବେ ଅବସର ପରେ ପୁଣି ପାଲା ଗାୟକ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି ରଜନୀକାନ୍ତ। ସେ ରାଜ୍ୟ ଓ ରାଜ୍ୟ ବାହାରେ ପାଲା ପରିବେଷଣ କରି ବେଶ ସୁନାମ ଆଣି ପାରିଛନ୍ତି। ରଜନୀ ନିଜ ପାଲା ପରିବେଷଣ ସମୟରେ ବିଜ୍ଞାନ ଭିତ୍ତିକ ବିଷୟବସ୍ତୁ ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି।

ଦୀର୍ଘ ୪୦ ବର୍ଷ ଧରି ପାଲା ଗାୟକ ଭାବେ ପାଲା ପରିବେଷଣ କରି ଆସୁଛନ୍ତି ରଜନୀକାନ୍ତ। ଓଡ଼ିଆ ଲୋକକଳା ଓ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେ ପ୍ରୟାସ କରୁଛନ୍ତି। ରଜନୀକାନ୍ତ ବହୁ ଯୁବପିଢ଼ିଙ୍କୁ ମଧ୍ୟ ପାଲାରେ ସାମିଲ କରିଛନ୍ତି। ଜଣେ ଭଲ ପାଲା ଗାୟକ ଭାବେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବୋର୍ଦ୍ଧିତ କରାଯାଇଛି। ପାଲା କେବଳ ଯେ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ବହୁ ଶିକ୍ଷଣୀୟ ଘଟଣା ଗୁଡିକ ନେଇ ପାଲା ପରିବେଷଣ କରାଯାଉଛି। ଯାହାକି ଯୁବପିଢ଼ି ମାନଙ୍କୁ ବେଶ ଆକୃଷ୍ଟ କରି ପାରୁଛି  ।

ସୁନାରେ ଖଟାନ୍ତୁ ପଇସା, ପାଇବେ ଲାଭ!

ଭୁବନେଶ୍ବର: ଇକ୍ୟୁଟି ଓ ବଣ୍ଡ୍ଠାରୁ ସୁନା ଦେବ ଭଲ ରିଟର୍ଣ୍ଣ। ଏ ବର୍ଷ ସୁନାଦର ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ପାର୍ କରିପାରେ ବୋଲି ଆକଳନ କରିଛନ୍ତି ମାର୍କେଟ୍ ବିଶେଷଜ୍ଞ। ଋଷ-ୟୁକ୍ରେନ୍, ପାଲେଷ୍ଟାଇନ୍-ଗାଜା ଲଢ଼େଇ, ବିଶ୍ବର ଅଧିକାଂଶ ଦେଶରେ ମାନ୍ଦାବସ୍ଥା ଯୋଗୁ ସେୟାର ମାର୍କେଟ୍ରେ ଅସ୍ଥିରତା ରହିବ। ଏହାସହିତ ଚଳିତବର୍ଷ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ମ୍ୟୁଚୁଆଲ୍ ଫଣ୍ଡ୍, ଇକ୍ୟୁଟି ଓ ବଣ୍ଡରେ ପୁଞ୍ଜି ଲଗାଣ ରିସ୍କ୍ ଆଣିପାରେ ବୋଲି ଚର୍ଚ୍ଚା ହେଉଛି।

ଏ ବର୍ଷ ମହଙ୍ଗା ହୋଇପାରେ ସୁନା । ଏବେ ୧୦ଗ୍ରାମ ସୁନା ଦର ୫୮ ହଜାର ୨୦୦ ଟଙ୍କା ରହିଛି । ୨୦୨୪ରେ ୧୦ ଗ୍ରାମ ସୁନା ଦର ୭୨ହଜାର ପାର୍ କରିପାରେ। ବଜାର ବିଶେଷଜ୍ଞ ଏପରି ଆକଳନ କରିବା ପରେ ଲୋକେ କୋଉଠି ନିଜର କଷ୍ଟ ଅର୍ଜିତ ଧନ ଲଗାଇଲେ ଅଧିକ ରିଟର୍ଣ୍ଣ ପାଇବେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଇକ୍ୟୁଟି,ବଣ୍ଡ୍ ଓ ସୁନା । କିଏ ଦେବ ସୁରକ୍ଷିତ ଅଧିକ ଲାଭ? ବଜାର ବିଶେଷଜ୍ଞଙ୍କ ମତରେ ସୁନା କିଣିଲେ ଏବର୍ଷ ଅଧିକ ଲାଭ ମିଳିବ। କାରଣ ବିଶ୍ବରେ ଲାଗି ରହିଛି ମାନ୍ଦାବସ୍ଥା । ଆମେରିକା ଫେଡେରାଲ ରିଜର୍ଭର ଆକଳନ, ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ୍ ବେଳକୁ ସେୟାର ବଜାର ଖସିଯାଇପାରେ। ଏହାସହିତ ଇକ୍ୟୁଟି ମାର୍କେଟ୍ ସାଚ୍ୟୁରେସନ୍ ସ୍ତରକୁ ଆସିଥିବାରୁ ରିଟର୍ଣ୍ଣ କମ ମିଳିବ। ଭାରତରେ ସୁନା ପ୍ରତି ଲୋକଙ୍କ ଅଧିକ ଆଦର ଥିବାରୁ ସୁନା ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ଓ ଧନୀଙ୍କୁ ଅଧିକ ରିଟର୍ଣ୍ଣ ଦେବ ।

ଭାରତ ବଜାରକୁ ଦେଖିଲେ ସେୟାର ବଜାରରେ ଇକ୍ୟୁଟି ଭଲ ରିଟର୍ଣ୍ଣ ଦେଉଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସେୟାର ବଜାର ଅଧିକ ଉଛୁଳିଥିଲା। ବିଶ୍ବ ମାନ୍ଦାବସ୍ଥାର ପ୍ରଭାବ ଭାରତ ଅର୍ଥନୀତିକୁ ସେତେଟା ପ୍ରଭାବିତ କରିବନି। ଯଦି ଆସନ୍ତା ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ଏବେର ସରକାର ପୁଣି ଥରେ ନିର୍ବାଚିତ ହୋଇ କ୍ଷମତାକୁ ଫେରନ୍ତି, ତାହେଲେ ପୁଣି ଥରେ ସେୟାର ବଜାର ସୂଚକାଙ୍କ ବଢିବ। ବଣ୍ଡରେ ରିଟର୍ଣ୍ଣ ସେତେଟା ଆସିବ ନାହିଁ। ଏଭଳି ସ୍ଥିତିରେ ସୁନା ସୁରକ୍ଷିତ ରିଟର୍ଣ୍ଣ ଦେଇପାରିବ । ମାକ୍ରୋ ଇକୋନୋମି ସ୍ଥିତି ଦେଖିଲେ ସୁନାରେ ପୁଞ୍ଜି ଲଗାଣ ଅଧିକ ସୁରକ୍ଷିତ। ସୁନା କିଣାରେ ଅଧିକ ଟିକସ୍ ଦେବାକୁ ପଡ଼ୁନଥିବାରୁ ଲୋକେ ଅଧିକ ଟଙ୍କା ଲଗାଇବାକୁ ଆଗ୍ରହ ଥିବା ଜଣାପଡ଼ିଛି।

ଭାରତୀୟ ବାୟୁସେନାର ଚମତ୍କାର ଦକ୍ଷତା, ରାତିରେ ପ୍ରଥମଥର କାରଗିଲରେ ଓହ୍ଲାଇଲା ହର୍କୁଲିସ୍ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଐତିହାସିକ ସଫଳତା। ଭାରତୀୟ ବାୟୁସେନା ଏକ ନୂଆ ଏବଂ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ବାୟୁସେନା କାର୍ଗିଲର ଏୟାରଷ୍ଟ୍ରିପରେ ସି-୧୩୦ଜେ ହର୍କୁଲିସ୍ ବିମାନର ସୁରକ୍ଷିତ ଅବତରଣ କରିଛି। ବାୟୁସେନାର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ତେବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରାତି ଅବତରଣର ଏହି ଭିଡିଓକୁ ସେୟାର କରି IAF କହିଛନ୍ତି, ପ୍ରଥମ ଥର ପାଇଁ IAF C-130 J  ବିମାନ କାର୍ଗିଲ ଏୟାରଷ୍ଟ୍ରିପରେ ରାତ୍ରୀକାଳୀନ ଅବତରଣ କରିଛି। ତେବେ ବାୟୁସେନା ଏହି ପ୍ରଶିକ୍ଷଣ ମିଶନ ସମ୍ପର୍କରେ ଅଧିକ କିଛି ସୂଚନା ଦେଇନାହିଁ।

ଗତ ବର୍ଷ ନଭେମ୍ବର ମାସରେ ଭାରତୀୟ ବାୟୁସେନା ଉତ୍ତରାଖଣ୍ଡର ଏକ ଅଳ୍ପବିକଶିତ ଓ ଅବ୍ୟବହୃତ ଏୟାରଷ୍ଟ୍ରିପରେ ନିଜର ଦୁଇଟି ସି-୧୩୦ଜେ-୩୦ ‘ସୁପର ହର୍କୁଲିସ୍’ ସାମରିକ ପରିବହନ ବିମାନକୁ ସଫଳତାର ସହ ଅବତରଣ କରିଥିଲା। ଖରାପ ପାଗରେ ନିକଟସ୍ଥ ନିର୍ମାଣାଧୀନ ପର୍ବତ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରୀ ଇଞ୍ଜିନିୟରିଂ ଉପକରଣ ପହଞ୍ଚାଇବା ପାଇଁ ଏହି ଅଭିଯାନ କରାଯାଇଥିଲା। କିନ୍ତୁ କାର୍ଗିଲ ପରି ଅତ୍ୟନ୍ତ ଦୁର୍ଗମ ଅଂଚଳରେ ହରକୁଲେସ ବିମାନର ନାଇଟ୍ ଲାଣ୍ଡିଂ କରିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି । ବଡ଼ ବିମାନ ହୋଇଥିବାରୁ ଏହା ମାଧ୍ୟମରେ ଅଧିକ ସଂଖ୍ୟକ ସୈନ୍ୟ ସୀମାନ୍ତରେ ପହଞ୍ଚିପାରିବେ ।

ମନମୋହୁଛି କୋଟଗଡ଼ ପାର୍କ

ନୟାଗଡ଼: ଗାଁ ରେ ମିଳୁଛି ସହରି ଖୁସି, ଲୋକଙ୍କ ମନମୋହୁଛି କୋଟଗଡ଼ ପାର୍କ । ପାର୍କରେ ରହିଛି ଝରଣା, ବଗିଚା, ବିଶା ପ୍ରତ୍ତିମୂର୍ତ୍ତି । ଛୋଟ ଛୋଟ ପିଲା ଖେଳିବା ପାଇଁ ମଧ୍ୟ ଦୋଳି,ସୁଇମିଙ୍ଗ ପୁଲ,ଝୁଲଣା, ଚରକା ଲାଗିଛି । ଏଠାରେ ଯୁବକ ଏବଂ ବୟସ୍କ, ମହିଳାଙ୍କ ପାଇଁ ବ୍ୟୟାମର ବି ସୁବିଧା ରହିଛି । ଏହି ପାର୍କର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଦୂର ଦୁରାନ୍ତରୁ ଲୋକ ମାନେ ପାର୍କକୁ ବୁଲି ବାକୁ ଆସୁଛନ୍ତି ।

ପାର୍କରେ ପ୍ରକୃତିର ସମ୍ଭାର । ପାହାଡ ଉପରୁ କୁଳୁ କୁଳୁ ନାଦ ଦେଇ ଝରୁଛି ଝରଣା । ପରିସରକୁ ରଙ୍ଗିନ କରୁଛି ଭଳିକି ଭଳି ଲାଇଟ୍ ଓ ଫୁଲଗଛ  । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବିଶାଳ ପ୍ରତ୍ତିମୂର୍ତ୍ତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳା ପଞ୍ଚାୟତରେ ଥିବା କୋଟକଡ ପାର୍କ । ଛୋଟ ଛୋଟ ପିଲା ଖେଳିବା ପାଇଁ ମଧ୍ୟ ଦୋଳି,ସୁଇମିଙ୍ଗ ପୁଲ,ଝୁଲଣା, ଚରକା ଲାଗିଛି । ଏଠାରେ ଯୁବକ ଏବଂ ବୟସ୍କ, ମହିଳାଙ୍କ ପାଇଁ ବ୍ୟୟାମର ବି ସୁବିଧା ରହିଛି । ଏହି ପାର୍କର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଦୂର ଦୁରାନ୍ତରୁ ଲୋକ ମାନେ ପାର୍କକୁ ବୁଲି ବାକୁ ଆସୁଛନ୍ତି।

ଦିନେ ପାର୍କ ନିର୍ମାଣ ସ୍ଥାନଟି ଅନାବାଦୀ ଗୋଚର ଏବଂ ଘଞ୍ଚ ଜଙ୍ଗଲରେ ଭାବେ ପଡିରହି ଥିଲା । ହେଲେ କୋଟଗଡ ଅଂଚଳ ଉଦୀୟମାନ ପୃର୍ବତନ ସରପଞ୍ଚ ହେମନ୍ତ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି ସୁନ୍ଦର ପାର୍କ ନିର୍ମାଣ ହୋଇଛି । ପାର୍କ ନିର୍ମାଣ ପାଇଁ ସମସ୍ତ ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।  କିଭଳି ଗ୍ରାମାବସୀ ଗାଁରେ ସହରଠାରୁ ସୁନ୍ଦର ପାର୍କ ପାଇବେ ସେନେଇ ଏହି ପ୍ରୟାସ କରାଯାଇଛି।

 

ଢେଙ୍କାନାଳ ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିବା ପରେ ଜିଲ୍ଲାରେ ଖୁସିର ମାହୋଲ

ଢ଼େଙ୍କାନାଳ: ଢେଙ୍କାନାଳ ମଗଜି ଲଡୁକୁ ମିଳିଲା ଭୌଗଳିକ ପରିଚୟ । ଜିଆଇ ଟ୍ୟାଗ ମିଳିବା ପରେ  ଜିଲ୍ଲାରେ ଖୁସିର ମାହୋଲ । ଗଂଦିଆରେ ବାଜା ବଜାଇ ନାଚିଗାଇ ସେଲିବ୍ରେସନ କଲେ ଅଞ୍ଚଳବାସୀ । ଜିଲ୍ଲାପାଳ ଓ ଆବେଦକ ବିମଳେନ୍ଦୁ ମହାନ୍ତିଙ୍କୁ ମିଠା ଖୁଆଇ ଉତ୍ସବ ପାଳିଲା ବ୍ୟବସାୟୀ ଓ ଚ୍ୟାମ୍ବର ଅଫ କମର୍ସ । ଢେଙ୍କାନାଳ ଗଂଦିଆ ଅଞ୍ଚଳରେ ୬ଶହ ବର୍ଷ ହେବ ମଇଁଷି ଖିରର ଛେନାରୁ ଏହାକୁ ପ୍ରସ୍ତୁତ କରାଯାଉଛି ।

ଦୀର୍ଘ ପ୍ରତିକ୍ଷାର ଘଟିଲା ଅନ୍ତ । ସାକାର ହେଲା ଢେଙ୍କାନାଳ ବାସୀଙ୍କ ସ୍ବପ୍ନ । ଜିଲ୍ଲାରେ ପସ୍ତୁତ ସ୍ବତନ୍ତ୍ର ମଗଜି ଲଡୁକୁ ମିଳିଲା ମାନ୍ୟତା  । ସ୍ବାଦିଷ୍ଟ ଏହି ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରାଯାଇଛି । ଏନେଇ ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଖେଳି ଯାଇଛି ଖୁସିର ମାହୋଲ । ବିଶେଷ କରି ମଗଜିର ଉତ୍ପତ୍ତି ସ୍ଥଳ ଗଂଦିଆରେ ଏହି ଖୁସିକୁ ଜାଗଜକମରେ  ପାଳନ କରାଯାଇଛି  ।  ଅଞ୍ଚଳବାସୀ ବାଜା ବଜାଇ ନାଚିଗାଇ ପରସ୍ପରକୁ ମଗଜି ଖୁଆଇ କରିଛନ୍ତି ସେଲିବ୍ରେସନ । କେବଳ ଗଂଦିଆ କାହିଁକି ଢେଙ୍କାନାଳରେ ମଧ୍ୟ ଜିଲ୍ଲା ସୁଇଟ୍ସ ଆସୋସିଏସନ ଚ୍ୟାମ୍ବର ଅଫ କମର୍ସ ମିଳିତ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୁସି ମନାଇଛନ୍ତି ।

ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ତଥା ମଗଜିକୁ ଜି ଆଇ ଟ୍ୟାଗ ପାଇଁ ଆବେଦନ କରିଥିବା ଆବେଦକ ବୈଜ୍ଞାନିକ ଡଃ ବିମଳେନ୍ଦୁ ମହାନ୍ତି ଓ ଜିଲ୍ଲାପାଳ ମଧ୍ୟ ମଗଜି ଖାଇ ଖୁସିର ମାହୋଲ ଉପଭୋଗ କରିଛନ୍ତି । ଆଗକୁ ଏହାର ବ୍ୟାପକ ପ୍ରଚାର ପ୍ରସାର ସହ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ। ଆଜିକୁ ପ୍ରାୟ ୬ଶହ ବର୍ଷ ହେବ ମଗଜିକୁ ଗଂଦିଆରେ ପ୍ରସ୍ତୁତ କରାଯାଉଛି । କପିଳାସ ପାହାଡ ଓ ବ୍ରାହ୍ମଣୀ ନଦୀ ପଠାରେ ବିଚରଣ କରୁଥିବା ଡାଳୁଆ ମଇଁଷିଙ୍କ ଖୀରର ଛେନାରେ ଚିନି ଗୁଜୁରାତି ପକାଇ ଏହି ମଗଜି ତିଆରି କରାଯାଇଥାଏ । ୨୦୨୦ ମସିହାରେ ଓୟୁଏଟି ସହଯୋଗରେ ଢେଙ୍କାନାଳ ସୁଇଟସ ଆସୋସିଏସନ ପକ୍ଷରୁ ମଗଜିକୁ ଜି ଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା । ଗତ ୨୦୨୩ ଅଗଷ୍ଟରେ ଜିଓଗ୍ରାଫିକାଲ ଇଣ୍ଡିକେସନ ଜର୍ନାଲରେ ଏହା ସ୍ଥାନ ପାଇଥିଲା । ତିନିମାସ ମଧ୍ୟରେ କୌଣସି ଆପତ୍ତି ଅଭିଯୋଗ ନଆସିବା ପରେ ଶେଷରେ ମଗଜିକୁ ମିଳିଛି ଜିଆଇ ଟ୍ୟାଗର ମାନ୍ୟତା ।

 

 

ମାଳଦ୍ବୀପର ମନ୍ତ୍ରୀ ମରିୟନ ସିଉନା ଭାରତକୁ ନେଇ ଦେଇଥିବା ଅପମାନଜନକ ମନ୍ତବ୍ୟ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ!

ନନ୍ଦିଘୋଷ ବ୍ୟରୋ: ମାଳଦ୍ବୀପର ମନ୍ତ୍ରୀ ମରିୟନ ସିଉନା ଭାରତ ଏବଂ ପ୍ରଧାନମନ୍ତ୍ରୀଙ୍କୁ ନେଇ କରିଥିବା ବିବାଦୀୟ ଟ୍ବିଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମରିୟନ ସିଉନାଙ୍କ ଅପମାନଜନକ ଟ୍ବିଟ ପାଇଁ ମାଳଦ୍ବୀପ ସରକାରଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଭାରତ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ମାଳଦ୍ୱୀପର ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ସିଉନା ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଏହି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯଦିଓ ସିଉନା ତାଙ୍କ ଟୁଇଟ୍ ଡିଲିଟ୍ କରିଛନ୍ତି, କିନ୍ତୁ ଏହି ଘଟଣା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି କରିଛି । ଏହାକୁ ନେଇ ଏବେ ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ମଧ୍ୟ ହେଉଛି । ଏଣୁ ସିଉନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ହେଉଛି । ମାଳଦ୍ବୀପ ସୁଧାର ଆନ୍ଦାଳନର ଅଧ୍ୟକ୍ଷ ଫାରିସ ସରକାରଙ୍କୁ ଆବେଦନ କରିଛନ୍ତି କି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।

ମାଳଦ୍ବୀପ ସରକାର କହିଛନ୍ତି କି, ସେ ସିଉନାଙ୍କ ଟ୍ବିଟ ସମ୍ପର୍କରେ ଅବଗତ ଅଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରିବା ତାଙ୍କ ବ୍ୟକ୍ତିଗତ ବ୍ୟାପାର । ଏହା ମାଳଦ୍ବୀପ ସରକାରଙ୍କ ମତାମତକୁ ପ୍ରତିନିଧିତ୍ବ କରେ ନାହିଁ । ସରକାର ବିଶ୍ୱାସ କରନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଗଣତାନ୍ତ୍ରିକ ଏବଂ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରାଯିବା ଉଚିତ ଏବଂ ଏପରି ଭାବରେ ବ୍ୟବହାର କରାଯିବା ଉଚିତ ଯାହା ମାଳଦ୍ୱୀପ ଏବଂ ଏହାର ଅନ୍ତର୍ଜାତୀୟ ସହଯୋଗୀମାନଙ୍କ ମଧ୍ୟରେ ଘୃଣା, ନକାରାତ୍ମକତା ପ୍ରସାର କରିବ ନାହିଁ କିମ୍ବା ଘନିଷ୍ଠ ସମ୍ପର୍କରେ ବାଧା ସୃଷ୍ଟି କରିବ ନାହିଁ।

 

 

କାହିଁକି ଅଭିନେତ୍ରୀ ରିନାଙ୍କୁ ସାହାର୍ଯ୍ୟର ହାତ ବଢାଇଥିଲେ ଅଭିନେତା ଶତ୍ରୁଘନ ସିହ୍ନା ?

ବ୍ୟୁରୋ ରିପୋର୍ଟ : ବଲିଉଡର ଫେମସ୍ ଅଭିନେତ୍ରୀଙ୍କ ତାଲିକାରେ ରିନା ରୟଙ୍କ ନାଁ ରହିଛି। ରିନା ରୟ ୭୦-୮୦ ଦଶକର ବଲିଉଡର ଗୋଟେ ଅତି ସୁନ୍ଦର ଚେହେରା ଯାହା କେହି ଭୁଲି ନାହାନ୍ତି। ସେହି ସମୟରେ ଦର୍ଶକ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ପାଗଳ ଥିଲେ। ତାଙ୍କ କ୍ୟାରିୟର ଯେତିକି ହିଟ୍ ଥିଲା ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ଯନ୍ତ୍ରଣାଦାୟକ ଥିଲା। ସେହି ସମୟରେ ରିନାଙ୍କୁ ସାହାର୍ଯ୍ୟର ହାତ ବଢାଇଥିଲେ ଭେଟେରାନ ଅଭିନେତା ଶତ୍ରୁଘନ ସିହ୍ନା। ରିନାଙ୍କ ଜୀବନରେ ଅନେକ ଯନ୍ତ୍ରଣାଦାୟକ କାହାଣୀ ରହିଛି । ସେ ତାଙ୍କ ଜୀବନରେ ବହୁତ ସଂଘର୍ଷ କରି ଶେଷରେ ବଲିଉଡରୁ ଦୂରେଇ ଯାଇଥିଲେ।ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ସେହି ସମୟରେ ଅଭିନେତା ଶତ୍ରୁଘନ ସିହ୍ନାଙ୍କ ସହ ରିନା ରୟଙ୍କ ନାଁ ଚର୍ଚ୍ଚା ହେଉଥିଲେ । ଉଭୟ ୭ ବର୍ଷ  ପରସ୍ପରକୁ ଡେଟ୍ କରୁଥିଲେ । କିନ୍ତୁ କିଛି ସମସ୍ଯା ବା ନିଜ ନିଜ ଭିତରେ କୌଣସି କଥା ପାଇଁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା ।

ଶତ୍ରୁଘନଙ୍କ ସହ ବ୍ରେକଅପ୍ ପରେ ରିନାଙ୍କ ଜୀବନରେ ପାକିସ୍ତାନ କ୍ରିକେଟର ମୋହସିନ ଖାନ୍ ଆସିଥିଲେ । ୧୯୮୩ ମସିହାରେ ଉଭୟ ବିବାହ କରିଥିଲେ । ଏହାପରେ ରିନା ତାଙ୍କ ସ୍ୱାମୀ ମୋହସିନଙ୍କ ସହ ପାକିସ୍ତାନରେ ଖୁସିରେ ଜୀବନ ବିତାଇବାକୁ ଲାଗିଲେ।

ବାହାଘର ପରେ ରିନା ଏବଂ ମୋହସିନଙ୍କର ଏକ ଝିଅ ହୋଇଥିଲା। ଝିଅ ହେବାର କିଛି ବର୍ଷ ପରେ ୧୯୯୦ ମସିହାରେ ଉଭୟଙ୍କର ଛାଡପତ୍ର ହୋଇଥିଲା । ଝିଅର ହେପାଜତ ତାଙ୍କ ସ୍ୱାମୀଙ୍କୁ ମିଳିଥିଲା । କିନ୍ତୁ ରିନା ତାଙ୍କ ଝିଅକୁ ନିଜ ପାଖରେ ରଖିବା ପାଇଁ ଚାହୁଁଥିଲେ। କିନ୍ତୁ ତାଙ୍କ ଝିଅର ହେପାଜତ ରିନାଙ୍କୁ ମିଳିପାରୁନଥିଲା। ସେ ନିରାସ ହୋଇ ଭାରତକୁ ଏକା ଫେରିଥିଲେ। ସେହି ସମୟରେ ସହାୟତର ହାତ ବଢାଇଥିଲେ ଶତ୍ରୁଘନ।

ମିଡିଆ ରିପୋର୍ଟ ଅନୁଯାୟୀ, ଶତ୍ରୁଘନ ସିହ୍ନା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜନରାଲ ଜିୟାଉଲଙ୍କ ଝିଅଙ୍କ ଭଲ ସାଙ୍ଗଥିଲେ । ଯେତେବେଳେ ଶତ୍ରୁଘନ ରିନାଙ୍କ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ ସେତେବେଳେ ସେ  ଜିୟାଉଲଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ। ଏହା ପରେ ରିନାଙ୍କୁ ତାଙ୍କ ଝିଅର ହେପାଜତ ମିଳିଥିଲା । ସେ ତାଙ୍କ ଝିଅକୁ ଭାରତକୁ ଫେରାଇ ଆଣିଥିଲେ । ଏହାପରେ ସେ ବଲିଉଡକୁ ଫେରିଥିଲେ। କିନ୍ତୁ ତାଙ୍କର ଫିଲ୍ମ ଚାଲିପାରିଲା ନାହିଁ । ଯେଉଁଥିପାଇଁ ସେ ସବୁଦିନ ପାଇଁ ଫିଲ୍ମ ଦୁନିଆରୁ ଦୂରେଇ ଗଲେ । ଏହାପରେ ରିନା ତାଙ୍କ ଝିଅଙ୍କ ସହ ମିଶି ମୁମ୍ୱାଇରେ ଆକ୍ଚିଙ୍ଗ୍ କ୍ଲାସ ଖୋଲିଲେ।

ପ୍ରକୃତିର ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଗଣ୍ଡାହାତୀ ଜଳପ୍ରପାତ

ଗଜପତି: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ସ୍ଥଳୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବ୍ୟସ୍ତ ବହୁଳ ଜୀବନରୁ ବାହାରି ନିଜ ଆତ୍ମୀୟ, ବନ୍ଧୁ ପରିବାର ସହ ଖୁସି ମନାଇବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଛୁଟୁଛନ୍ତି ଲୋକେ । କର୍ମମୟ ଜୀବନରୁ ବାହାରି କିଛି ସମୟ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇଦେଉଛନ୍ତି । ଏହି ଋତୁରେ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜିଛି ।

ପ୍ରାକୃତିକ ପରିବେଶର ଗନ୍ତାଘର ଗଜପତି । ଜିଲ୍ଲାରେ ରହିଛି ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ । ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରୁଛି ଗଣ୍ଡାହାତୀ ଜଳ ପ୍ରପାତ  । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ସୁନ୍ଦର ଜଳପ୍ରପାତ  । ପାହାଡ଼ ପର୍ବତଘେରା ସବୁଜିମା ପରିବେଶ ମଧ୍ୟରେ ରହିଛି ଜଳପ୍ରପାତ  । ପ୍ରପାତରେ ଗାଧୁଆ ପୋଖରୀ ସାଙ୍ଗକୁ ଶିଶୁ ଉଦ୍ୟାନ ବହୁ ଆକର୍ଷଣୀୟ ହୋଇଛି । ବିଶେଷ କରି ନୂଆ ବର୍ଷରେ ଏଠାରେ ବଣଭୋଜିର ମଜା ଉଠାଇବା ପାଇଁ ସବୁ ବର୍ଗର ଲୋକେ ଛୁଟି ଆସନ୍ତି ।

ଏହି ପର୍ଯ୍ୟଟନସ୍ଥଳୀର ବିକାଶ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ରାସ୍ତା ନିର୍ମାଣ କରାଯିବା ସହ ଏଠାରେ ଶିଶୁ ଉଦ୍ୟାନ, ପାନୀୟ ଜଳ ଭଳି ବିଭିନ୍ନ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଛି। ଜଳପ୍ରପାତର  ତଳଭାଗର ବିକାଶ ହୋଇଥିବା ବେଳେ ଉପରଭାଗର ବିକାଶ କରିବା ଆବଶ୍ୟକ ରହିଛି । ଗଣ୍ଡାହାତୀ ଭଳି, ସୁଉଚ୍ଚ ମହେନ୍ଦ୍ରଗିରି ଶୈବ ପୀଠ,  ଗୁଦଗୁଦା ଜଳପ୍ରପାତ ଭଳି ଅନେକ ପର୍ଯ୍ୟଟନ ସ୍ଥଳନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।

ନକଲି ଖଣି ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି ଅସଲି ଖଣି ଅଧିକାରୀ

ରାୟଗଡ଼ା: ନକଲି ଖଣି ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି ଅସଲି ଖଣି ଅଧିକାରୀ । ରାୟଗଡା ଜିଲ୍ଲା ଗୁଣୁପୁର ଅଂଚଳରୁ ଆସିଛି ଏଭଳି ଅଭିଯୋଗ। ଜଣେ ଯୁବକ ନିଜକୁ ଖଣି ବିଭାଗରରେ କାମ କରୁଥିବା ପରିଚୟ ଦେଇ ବଂଶଧାରା ନଦୀରୁ ବାଲି ବୋଝେଇ ନେଇ ଆସୁଥିବା ୪ଟି ଟ୍ରାକ୍ଟରକୁ ବାଇପାସ୍ ରୋଡ୍ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଟ୍ରାକ୍ଟରର ଆବଶ୍ୟକ କାଗଜପତ୍ର ନଥିବାରୁ ଚଢା ଜରିମାନା ମାଗୁଥିଲେ। ନକଲି ଖଣି ଅଧିକାରୀଙ୍କ ପରିଚୟ ଜଣାପଡିବା ପରେ ସେ ହଡବଡେଇଯାଇ ଅସଲି ଖଣି ଅଧିକାରୀଙ୍କୁ ଡାକିଥିଲେ।

ଏହାପରେ ଅସଲି ଖଣି ଅଧିକାରୀ ଆସି ଟ୍ରାକ୍ଟରର ଦସ୍ତାବିଜ ଯାଞ୍ଚ କରି ୪୦ ହଜାର ଟଙ୍କା ଜରିମାନେ କରିଥିଲେ । ଅସଲି ଖଣିଅଧିକାରୀଙ୍କ ସହ ନକଲି ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଥିବା ଜଣାପଡିଛି । ଏହା ଜଣାପଡିବା ପରେ ଅସଲି ଖଣି ଅଧିକାରୀ ହଡବଡାଇ ନିଜ ମୁହଁକୁ ଲୁଚାଇବାକୁ ପଛାଇନଥିଲେ। ମୁହଁକୁ ଏକ କପଡ଼ାରେ ଘୋଡାଇ ଲୁଚାଇ ରଖୁଥିଲେ। ଏହାପରେ ନକଲି ଅଧିକାରୀଙ୍କୁ ତାଙ୍କ କାରରେ ବସାଇ ଗୁଣପୁର ଥାନାକୁ ଯିବାର ଅଛି କହି ଘଟଣାସ୍ଥଳରୁ ଛୁ ମାରିଥିଲେ। ନକଲି ବ୍ୟକ୍ତିଙ୍କୁ ଢାଲ କରି ଜରିମାନା ଆଦାୟ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବେଆଇନ ଭାବେ ଜରିମାନା ଆଦାୟ ଅର୍ଥ ବାରମାରଣ ଅଭିଯୋଗ ହେଉଛି।

ମୁମ୍ବାଇରେ ATSର ବଡ଼ ଚଢ଼ାଉ, ୬ ଜଣ ହେଲେ ଗିରଫ

ମୁମ୍ବାଇ: ମୁମ୍ବାଇରେ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ (ATS) ଦ୍ବାରା ବଡ଼ ଚଢ଼ାଉ । ମୁମ୍ବାଇର ବୋରିବଲି ଅଞ୍ଚଳରେ ଚଢ଼ାଉ କରାଯାଇ ଥିବାବେଳେ ଏକ ଗେଷ୍ଟ ହାଉସରୁ ୬ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୪ଟି ଜବତ କରାଯାଇଛି । ଗିରଫ ୬ ଜଣ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ଏମାନେ ବଡ଼ ଆତଙ୍କ ଘଟାଇବାକୁ ଯୋଜନା କରିଥିବାବେଳେ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । ସେପଟେ ୩ଟି ବନ୍ଧୁକ ସହ ୩୬ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି । ପୋଲିସ କଡ଼ା ନଜର ରଖିଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନେ ବାହାର ରାଜ୍ୟରୁ ଆସି ଏଠାରେ ରହି ଯୋଜନା କରୁଥିବା କୁହାଯାଇଛି । wୂର୍ବରୁ ମୁମ୍ବାଇରେ ବଡ଼ ବଡ଼ ଅଘଟଣମାନ ଘଟିଥିବାବେଳେ ଆଜି ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ହୁଏ ।