ନୂଆଦିଲ୍ଲୀ : କର ଠକେଇ ବିରୋଧରେ ପଦକ୍ଷେପ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ସମସ୍ତ ରାଜ୍ୟର ଜିଏସଟି ଏନଫୋର୍ସମେଣ୍ଟ ଚିଫ ଓ କେନ୍ଦ୍ରୀୟ ଜିଏସଟି ଅଫିସରଙ୍କ ବୈଠକ। ଏହି ବୈଠକରେ ଜିଏସଟି ଠକେଇ, ବର୍ତ୍ତମାନ ଆସୁଥିବା ବିଭିନ୍ନ ଆହ୍ବାନର ମୁକାବିଲା ଆଦି ପ୍ରସଙ୍ଗରେ ହେବ ଆଲୋଚନା। ସେହିପରି ଫେକ୍ ଇନଭଏସ ରୋକିବା, ସ୍ବଚ୍ଛ ବ୍ଯବସ୍ଥା, ଟେକ୍ନୋଲୋଜି ଓ ଡାଟା ବ୍ଯବସ୍ଥା ଆଦି ସମ୍ପର୍କରେ ବି ବୈଠକରେ ଆଲୋଚନା ହେବ। ବ୍ଯାବସାୟିକ ସ୍ତରରେ ସ୍ବଚ୍ଛତା, ନିୟମକାନୁନ ବ୍ଯବସ୍ଥା ଆଦି ସମ୍ପର୍କରେ ଏହି ଦିନିକିଆ ଅଧିବେଶନରେ ଆହ୍ବାନ ଦେବେ ସୀତାରମଣ।
ଚର୍ମରୋଗ ବିଶେଷଜ୍ଞ ବିଷ୍ଣୁପ୍ରିୟା ଦେବୀଙ୍କ ପରଲୋକ
କଟକ: ଖ୍ଯାତି ସମ୍ପନ୍ନ ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ଦେବୀଙ୍କ ପରଲୋକ । ୮୨ ବର୍ଷ ବୟସରେ କଟକ ନିମସାହିସ୍ଥିତ ବାସଭବନରେ ତାଙ୍କ ପରଲୋକ ଘଟିଛି । ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରିଛନ୍ତି ପରିବାର ଲୋକେ । ଚର୍ମରୋଗ ବିଶେଷଜ୍ଞ ଭାବେ ସେ ଜଣାଶୁଣା ଥିଲେ ।
ଖ୍ଯାତନାମା ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀଙ୍କ ସହଧର୍ମିଣୀ ଥିଲେ ବିଷ୍ଣୁପ୍ରିୟା । ୧୯୪୨ ଜୁନ ୧୪ ତାରିଖରେ କଟକ ଜିଲ୍ଲାର ରାମକୃଷ୍ଣପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ଏସସିବି ମେଡିକାଲ କଲେଜରେ ୨୦୦୦ ମସିହାରୁ କାର୍ଯ୍ଯରତ ଥିଲେ । ପରେ ଭୁବେନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲର ଚର୍ମରୋଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ନାମରେ ବିଷ୍ଣୁପ୍ରିୟା ଦେବୀ ଚାରିଟେବଲ ଟ୍ରଷ୍ଟ ପରିଚାଳିତ ହେଉଛି ।
ଟଙ୍କା ନେଣଦେଣକୁ ନେଇ ହାଣିଲେ
ଢେଙ୍କାନାଳ: ଟଙ୍କା ଦେଣନେଣକୁ କେନ୍ଦ୍ର କରି ଗୋଡ଼ାଇ ଗୋଡ଼ାଇ ହାଣିଲେ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଗୁଣ୍ଡୁରାପଶି ବର ସାହିରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ । ମୃତକ ହେଲେ ଏକାଦଶୀ ମହାଳିକ । ଗାଁର କିଛି ଯୁବକ ଗୋଡାଇ ଗୋଡାଇ ତାଙ୍କୁ ହତ୍ଯା କରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ମୃତ ଏକାଦଶୀ ସେହି ଗାଁର ସଇଁଆ ପାତ୍ରଠାରୁ କିଛି ବର୍ଷ ତଳେ ୧୫ ହଜାର ଟଙ୍କା ସୁଧକୁ ଆଣିଥିଲେ । ମୂଳ ଟଙ୍କା ଦେଇସାରିଥିବାବେଳେ ସୁଧ ଟଙ୍କା ଦେଇ ନପାରିବାରୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଶ୍ରୀମନ୍ଦିରରେ ପଶିଲେ ୪ ବାଂଲାଦେଶୀ ଅଣହିନ୍ଦୁ
ପୁରୀ: ଶ୍ରୀମନ୍ଦିର ଭିତରେ ପଶି ଦର୍ଶନ କଲେ ଅଣହିନ୍ଦୁ ବାଙ୍ଗଳାଦେଶୀ ଭକ୍ତ । ଚାରି ଜଣ ଅଣହିନ୍ଦୁ ଭକ୍ତ ଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୪ ଜଣଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖିଛି ପୋଲିସ । କିପରି ନିୟମ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିଲେ ସେନେଇ ଅଧିକ ପଚରାଉଚରା କରିଛି ପୋଲିସ । ସେମାନଙ୍କର ପାସପୋର୍ଟ ମଧ୍ୟ ଅନୁଧ୍ୟାନ କରାଯାଉଛି ।
ବିରଳ ପ୍ରଜାତିର ୩୫୧ କଇଁଛ ଉଦ୍ଧାର, ୩ ଗିରଫ
କଟକ: ୩୫୧ ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର । ୩ ଗିରଫ ସହ କାର ଜବତ । କଇଁଛଗୁଡ଼ିକୁ ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଚାଲାଣ ବେଳେ ଧରିଲା ଗୁଇନ୍ଦା ନିର୍ଦ୍ଦେଶାଳୟ । କଟକ ମଙ୍ଗୁଳି ଟୋଲ ଗେଟ୍ ନିକଟରୁ ଏକ କାରକୁ ଅଟକାଇବା ପରେ ସେଥିରେ କଇଁଛ ଚାଲାଣ ହେଉଥିବା ଜଣା ପଡ଼ିଥିଲା । ପରେ ଏହାକୁ ଚାଲାଣ କରୁଥିବା ୩ ଜଣଙ୍କୁ ପଚରାଉଚରା ସହ ସମସ୍ତେ ବନ୍ୟପ୍ରାଣୀ ସ୍ମଗଲର ବୋଲି ଜଣା ପଡିଥିଲା । ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ପାଇଁ ଉଦ୍ଧାର କଇଁଛ ସହ କାର ଓ ସମସ୍ତ ଚାଲାଣଙ୍କରୀଙ୍କୁ ଓଡ଼ିଶା ବନ୍ୟପ୍ରାଣୀ ବିଭାଗକୁ ହସ୍ତାନ୍ତର କରିଛି ଡିଆରଆଇ ।
କୋଭିଡ ପରେ ବଢୁଛି ଭାରତୀୟଙ୍କ ଫୁସଫୁସ୍ ଓ ଶ୍ବାସପ୍ରଶ୍ବାସ ଜନିତ ରୋଗ
ଭୁବନେଶ୍ବର: କୋଭିଡ ପରେ ବଢୁଛି ଭାରତୀୟଙ୍କ ଫୁସଫୁସ୍ ଓ ଶ୍ବାସପ୍ରଶ୍ବାସଜନିତ ରୋଗ । ଭେଲୋର ସ୍ଥିତ ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜର ରିପୋର୍ଟକୁ ନେଇ ଚିନ୍ତା । ୨୦୭ ବ୍ୟକ୍ତିଙ୍କ ଫୁସଫୁସ୍ ନଷ୍ଟ ହେବା ସହ ସେ ସବୁ ବ୍ୟକ୍ତି ସ୍ବାଭାବିକ କାମ କରିବାରେ ଅସମର୍ଥ ପ୍ରମାଣିତ ହୋଇଛନ୍ତି । ଇନଫ୍ଲୁଏଞ୍ଜା ଜନିତ ଜ୍ବର, କାଶ ଓ ଥଣ୍ଡା ହେଲେ ଭଲ ହେବାକୁ ୪ରୁ ୬ ସପ୍ତାହ ଲାଗୁଛି । ବାୟୁ ପ୍ରଦୂଷଣ ଓ ଜୈବ ଇନ୍ଧନ ପରିଚାଳିତ ଯାନବାହାନରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ବି ଫୁସ୍ଫୁସ୍ କ୍ୟାନସର୍ କରାଉଥିବା ବିଶେଷଜ୍ଞ କହିଛନ୍ତି ।
୩ ବର୍ଷ ତଳୁ ନିୟନ୍ତ୍ରଣ ହେଲାଣି କୋଭିଡ । ହେଲେ ଖୋଳ କରିଦେଇଛି ଆଲ୍ଫା, ଡେଲ୍ଟା-ଓମିକ୍ରନ୍ ! ଏବେ ବି ଭାରତୀୟଙ୍କଠାରେ ବଢୁଛି ଫୁସ୍ଫୁସ୍ ଓ ଶ୍ବାସପ୍ରଶ୍ବାସ ଜନିତ ରୋଗ । କୋଭିଡ ପରେ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ଏବେ କୋଭିଡ ପରବର୍ତ୍ତୀ ଜଟିଳ ରୋଗରେ ପୀଡ଼ିତ ହେଉଛନ୍ତି । ସାମାନ୍ୟ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି । ଏଭଳି ଏକ ରିପୋର୍ଟ ଭେଲୋରସ୍ଥିତ ଖ୍ରୀଷ୍ଟିଆନ୍ ମେଡିକାଲ୍ ରିସର୍ଚ୍ଚ୍ ଗବେଷଣାରୁ ଜଣାପଡ଼ିଛି । ୨୦୭ ଜଣ ବ୍ୟକ୍ତିଙ୍କଠାରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ଏପରି ସାଂଘାତିକ ତଥ୍ୟ ସାମନାକୁ ଆସିଛି । କୋଭିଡ ପରେ ଲୋକଙ୍କର ରକ୍ତସଞ୍ଚାର କରୁଥିବା ଧମନୀଗୁଡ଼ିକ ପ୍ରଭାବିତ ହେବା ସହ ହଠାତ ହୃଦଘାତର ଶିକାର ହେଉଛନ୍ତି ଲୋକେ । ଏପରିକି ଭୂତାଣୁବାହକ ଜ୍ବର, କାଶ, ଥଣ୍ଡା ପାଇଁ ଔଷଧ ଖାଇଲେ ସୁସ୍ଥ ହେବାକୁ ମାସାଧିକ କାଳ ଲାଗୁଛି । ଏବେ ବି ବଡ଼ ମେଡିକାଲକୁ କୋଭିଡ ପରବର୍ତ୍ତୀଜନିତ ଫୁସଫୁସ୍, ଶ୍ବାସ ପ୍ରଶ୍ବାସ ଜନିତ ରୋଗ, ଗ୍ୟାସଟ୍ରାଇଟିସ୍, ଆଜମା ରୋଗୀ ଆସୁଛନ୍ତି । ଏମାନଙ୍କୁ ଚିକିତ୍ସା କରିବାକୁ ହେଲେ ସେମାନେ କୋଭିଡ ପୀଡ଼ିତ ଥିବାବେଳେ ଇଞ୍ଜେକ୍ସନ୍ ନେଇଛନ୍ତି କି ଟାବଲେଟ୍ ଖାଇଛନ୍ତି ସେ ସମସ୍ତ ତଥ୍ୟ ଅନୁଶୀଳନ କରି ଚିକିତ୍ସା କରିବାକୁ ପଡ଼ିବ ।
କେବଳ କୋଭିଡ ନୁହେଁ, ବାୟୁ ପ୍ରଦୂଷଣ ବି ଶ୍ବାସପ୍ରଶ୍ବାସଜନିତ ରୋଗ ବୃଦ୍ଧି କରୁଛି । ବିଶେଷକରି ଜୈବ ଇନ୍ଧନ ଦ୍ବାରା ପରିଚାଳିତ ଯାନବାହାନରୁ ନିର୍ଗତ କାର୍ବନମନୋକ୍ସାଇଡ୍ ଓ ଲିଡ ବାୟୁମଣ୍ଡଳରେ ଘୂରି ବୁଲୁଛି । ଏସବୁ ଲୋକଙ୍କ ଶ୍ବାସକ୍ରିୟାରେ ଯାଇ ଫୁସଫୁସରେ ଜମା ହେଉଛି । ଅନୁସନ୍ଧାନରୁ ଜଣାପଡ଼ିଛି ଆଜିକାଲି ୪୯.୩ ପ୍ରତିଶତ ଲୋକଙ୍କର ଶ୍ବାସକ୍ରିୟା ଜନିତ ସମସ୍ୟା ରହୁଛି । ୨୭.୧ ପ୍ରତିଶତ ଲୋକେ ବାୟୁପ୍ରଦୂଷଣ ଯୋଗୁଁ କଫ ଜନିତ ରୋଗରେ ପୀଡ଼ିତ ହେଉଛନ୍ତି । ବିଶେଷଜ୍ଞଙ୍କ ଆକଳନ ଏପରି ସମସ୍ୟା ଆହୁରି ଅଧିକ ଦେଖାଦେଇପାରେ ।
ଅନୁସନ୍ଧାନରୁ ଜଣାପଡ଼ିଛି କୋଭିଡ ପରେ ଅଧିକାଂଶ ଲୋକଙ୍କ ଦେହରେ ଟିବି ଲକ୍ଷଣ ବି ଦେଖାଦେଉଛି । ତେବେ ଶରୀରରେ ଏସବୁ ରୋଗ ନେଇ କୌଣସି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ନେଲେ ଆରୋଗ୍ୟ ମିଳିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।
ସରକାର ଯୋଗାଇଛନ୍ତି ଭିତ୍ତିଭୂମି: ଓଡ଼ିଶାର ଇଣ୍ଡୋର ଷ୍ଟାଡିୟମରୁ ସୃଷ୍ଟି ହେବେ ନୂଆ ପ୍ରତିଭା
କଟକ: ଭାରତର ସ୍ପୋର୍ଟ୍ସ କ୍ୟାପିଟାଲ ହେବା ଦିଗରେ ଓଡ଼ିଶା । କ୍ରୀଡ଼ା ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ପଦକ୍ଷେପ ଆଜି ଓଡ଼ିଶାକୁ ଦେଶ ତଥା ବିଶ୍ବ ଦରବାରରେ ଦେଇଛି ସ୍ବତନ୍ତ୍ର ପରିଚିୟ । କ୍ରୀଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସାରା ରାଜ୍ଯରେ ୫୦ରୁ ଅଧିକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି । ଏହାରି ଭିତରେ ଖେଳାଳିଙ୍କ କୋଳାହଳରେ ଫାଟି ଉଠୁଛି ଇଣ୍ଡୋର ହଲ । କଟକ ସିଡିଏ ସେକ୍ଟର-୬ରେ ହୋଇଥିବା ଟେବୁଲ ଟେନିସ ହଲରେ ଏବେ ଶତାଧିକ କୁନିକୁନି ପିଲା ଅଭ୍ୟାସ କରୁଥିବା ବେଳେ ସେମାନଙ୍କୁ ଉତ୍ସାହିତ କରିଛନ୍ତି କୋଚ, କ୍ରୀଡା ସଂଗଠକ ଓ ପ୍ରଶାସନିକ ଅଧିକାରୀ ।
ଇଣ୍ଡୋର ଷ୍ଟାଡିୟମରୁ ଅଭ୍ୟାସ କରି ସୃଷ୍ଟି ହେବେ ନୂଆ ପ୍ରତିଭା । ବିଶ୍ବରେ କ୍ରୀଡ଼ାର ନୂଆ ଡେଷ୍ଟିନସନ ହେବ ଓଡ଼ିଶା । ସାରା ରାଜ୍ଯରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ରୁ ଅଧିକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଉଦଘାନ କରିବା ପରେ ଏବେ ଖେଳାଳିଙ୍କ ମଧ୍ଯରେ ଉତ୍ସାହ । ଉଦଘାଟନର ଦିନ କେଇଟା ପରେ ଏସବୁ ହଲ ଏବେ ଖେଳାଳିଙ୍କ ପ୍ରକୃଷ୍ଟ ଭିତ୍ତିଭୂମୀ ପାଲଟିଛି । କଟକ ସିଡିଏ ସେକ୍ଟର-୬ରେ ଟେବୁଲ ଟେନିସ ଇଣ୍ଡୋର ଷ୍ଟାଡିୟମର ଶୁଭାରମ୍ଭ ପରେ ଶତାଧିକ କୁନି କୁନି ତଥା ଯୁବ ଖେଳାଳି ଆସି ପ୍ରତିଦିନ ଅଭ୍ୟାସ କରିବା ସହ କୋଚଙ୍କ ଠାରୁ ଶିଖୁଛନ୍ତି କ୍ରୀଡ଼ା କୌଶଳ । ରାଜ୍ଯ ଟେବୁଲ ଟେନିସ ସଂଘ ସଭାପତି ସଂଜୟ ସିଂ ନିଜେ ଇଣ୍ଡୋର ହଲକୁ ଯାଇ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ।
ଚଳିତବର୍ଷ ଜାତୀୟ କ୍ୟାଡେଟ୍ ଓ ସବ ଜୁନିୟର ଟେବୁଲ ଟେନିସ ଚାମ୍ପିଅନସିପରେ ଓଡିଶାର ଖେଳାଳି ବ୍ରୋଞ୍ଜ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ । ଟେବୁଲ ଟେନିସ ଇତିହାସରେ ଓଡିଶାର କୌଣସି ଟିମ ପ୍ରଥମ ଥର ଲାଗି ଜାତୀୟ ସ୍ତରରେ ପଦକ ହାତେଇବାରୁ ସକ୍ଷମ ହୋଇଛି । ଟେବୁଲ ଟେନିସ ସଂଘ ସଭାପତି ଟିମକୁ ସମ୍ବର୍ଦ୍ଧିତ କରି ରାଜ୍ୟ ସରକାର ଦେଇଥିବା ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ।

