spot_img
Home Blog Page 2310

ଆଜିଠାରୁ ଆରମ୍ଭ ହେଉଛି ୩୭ତମ ଜାତୀୟ କ୍ରୀଡ଼ା

ବ୍ୟୁରୋ ରିପୋର୍ଟ: ଗୁରୁବାରଠାରୁ ଆରମ୍ଭ ହେଉଛି ୩୭ତମ ଜାତୀୟ କ୍ରୀଡ଼ା । ଜାତୀୟ କ୍ରୀଡ଼ାର ଏହି ମହାକୁମ୍ଭ ଗୋଆରେ ଅନୁଷ୍ଠିତ ହେଉଛି। ଜାତୀୟ କ୍ରୀଡାକୁ ଦେଶର ଅଲିମ୍ପିକ୍ ଭାବେ ମଧ୍ୟ ପରିଗଣିତ କରାଯାଉଛି। ଏଥିଲାଗ ସମସ୍ତ କ୍ରୀଡାବିତ ଜୋରଦାର ପ୍ରସ୍ତୁତ କରିଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ୩ଶହରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା କ୍ରୀଡ଼ାବିତ ଅଛନ୍ତି।ରାଜ୍ୟର ଖେଳାଳି ଉନ୍ନତ ପ୍ରଦର୍ଶନ କରି ମେଡାଲ ଆଣିଲେ ରାଜ୍ୟ ସରକାର ଦେବେ ପୁରସ୍କାର।

ସ୍ବର୍ଣ୍ଣ ମେଡାଲ ଜିତିଲେ ରାଜ୍ୟ ସରକାର ଦେବେ ୫ ଲକ୍ଷ ଟଙ୍କା ପୁରସ୍କାର । ରୌପ୍ୟ ପଦକ ପାଇଁ ୩ ଲକ୍ଷ ଏବଂ ବ୍ରୋ୍ଂଜ ପଦକ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଜାତୀୟ କ୍ରୀଡ଼ା ମହାକୁମ୍ଭ । ଗୋଆର ୫ଟି ସହରରେ କ୍ରୀଡ଼ାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାପୁସା,ମାର୍ଗାଓ, ପଂଜିମ, ପୋଣ୍ଡା ଏବଂ ଭାସ୍କୋ ସହରରେ ଅନୁଷ୍ଠିତ ହେବ କ୍ରୀଡ଼ା ।ଗୋଆ ପ୍ରଥମଥର ଲାଗି ଜାତୀୟ କ୍ରୀଡ଼ା ଆୟୋଜନ କରୁଛି ।

ଏଥିରେ ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସାମିଲ ହେବା ସମ୍ଭାବନା ରହିଛି । ୪୩ଟି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିବେ ଖେଳାଳି ।ତେବେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ କମ୍ପ୍ଲେକ୍ସରେ ହେବ ଜାତୀୟ କ୍ରୀଡାର ଗୋଲ୍ଫ ପ୍ରତିଯୋଗିତା ।ଏହା ପୂର୍ବରୁ ୨୦୧୬ରେ ୩୬ତମ ଜାତୀୟ କ୍ରୀଡା ଆୟୋଜନ ଲାଗି ଗୋଆକୁ ଚୟନ କରାଯାଇଥିଲା ।ତେବେ ବିଭିନ୍ନ କାରଣକୁ ନେଇ ଗତବର୍ଷ ୨୦୨୨ରେ ଏହି କ୍ରୀଡ଼ା ଗୁଜରାଟରେ ଅନୁଷ୍ଠିତ ହୋଇଥିଲା । ଗୋଆରେ ୩୭ତମ ଜାତୀୟ କ୍ରୀଡା ଅନୁଷ୍ଠିତ ହେଉଛି ।

ସରିଲା ମହାମାୟାଙ୍କର ଭସାଣ ଉତ୍ସବ

ଭୁବନେଶ୍ବର: ବିଦାୟ ନେଲେ ମାଆ । ସରିଲା ମହାମାୟାଙ୍କର ଭସାଣ ଉତ୍ସବ। ଅସ୍ଥାୟୀ ପୋଖରୀରେ ମାଆଙ୍କୁ କରାଗଲା ବିସର୍ଜନ। କଟକରେ ବିଭିନ୍ନ ସାହି ପରିକ୍ରମା କରି ଦେବୀ ଗଡ଼ାକୁ ଯାଇଥିଲେ ଗୋଟିଏ ପରେ ଗୋଟିଏ ମେଢ଼। ଅଧିକାଂଶ ମେଢ଼ ରାଣୀହାଟ ମଙ୍ଗଳାବାଗ ଦେଇ ଦେବୀଗଡାକୁ ଯାଇଥିଲେ। ରାଜଧାନୀ ଭୁବନେଶ୍ବରରେ ମାଆଙ୍କୁ ମେଲାଣି ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କୁଆଖାଇ ଓ ଦୟାନଦୀ କୂଳରେ ଖୋଳାଯାଇଥିବା ଅସ୍ଥାୟୀ ପୋଖରୀରେ ମାଆଙ୍କୁ ବିସର୍ଜନ କରାଯାଇଥିଲା ।

ଭୁବନେଶ୍ବରରେ ମୋଟ ୧୮୮ଟି ପୂଜା ମେଢ଼ ରହିଥିବାବେଳେ  ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନୋଟି ଭସାଣ କମିଟି ଦ୍ବାରା ମେଢ଼ ଗୁଡିକ ଶୋଭାଯାତ୍ରାରେ ଯାଇଥିଲା । ସୁରକ୍ଷା ଦୃଷ୍ଟିରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ମାଆଙ୍କୁ ବିସର୍ଜନ କରାଯାଇଥିଲା । ସେପଟେ ପୁରୀରେ ଗୋଷାଣି ମେଳଣ ଅନୁଷ୍ଠିତ ହୋଇଥିଲା । ଆଶ୍ବିନ ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହୋଇଥିଲା। ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ ଏକାଦଶୀ ମହାଦୀପ ଉଠିବା ପରେ ମେଲାଣି ନେଇଥିଲେ ମାଆ ।

ରାଜଧାନୀରେ ଭସାଣ ସମୟରେ ବୁଲିଲା ଖଣ୍ଡା

ଭୁବନେଶ୍ବର: ଭସାଣ ସମୟରେ ରାଜଧାନୀରେ ବୁଲିଲା ଖଣ୍ଡା । ଶୋଭାଯାତ୍ରା ବେଳେ ରସୁଲଗଡ଼ରେ ଗୋଷ୍ଠୀ ସଂଘର୍ଷ । ଭସାଣକୁ ନେଇ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ଉଭୟ ପକ୍ଷର ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଏକ ଜିମ୍ ମାମଲାକୁ ନେଇ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଶୋଭାଯାତ୍ରା ସମୟରେ କିଛି ଯୁବକ ଅନ୍ୟଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି ଅନ୍ୟ ଗୋଷ୍ଠୀ  । ପ୍ରୀତି ବଳିୟାର ସିଂ, ସିପୁ ସାମନ୍ତରାୟ ଓ ଲିପୁ ନାମକ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି  । ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି ।

 

ଭସାଣ ଉତ୍ସବରେ ଢ଼ୋଲ ବଜାଇଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ

କଟକ: ଜମୁଛି ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ । ଦେବୀଗଡ଼ା ଅଭିମୁଖେ ବାଜା ପଟୁଆରରେ ଯାଉଛନ୍ତି ଗୋଟିଏ ପରେ ଗୋଟିଏ ମେଢ । ଉତ୍ସବରେ ସାମିଲ ହୋଇ ପାରମ୍ପରିକ ବାଜା ବଜାଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ପ୍ରଶାସନର ନିଷ୍ପତ୍ତିକୁ ସ୍ବାଗତ ଜଣାଇ ଡିଜେମୁକ୍ତ ଭସାଣରେ ବାହାରିଛନ୍ତି ସମସ୍ତ ପୂଜା ମଣ୍ଡପ । ଏହି ଅବସରରେ ମାଆଙ୍କୁ ମେଲାଣି ଦେବାକୁ ଉତ୍ସବରେ ସାମିଲ ହୋଇଥିଲେ ନିଜେ ଜିଲ୍ଲାପାଳ । ଉତ୍ସବରେ ପାରମ୍ପରୀକ ବାଜା ଟ୍ରଲି ଉପରକୁ ଚଢି ବାଜା ବଜାଇଥିଲେ ଜିଲ୍ଲାପାଳ । ତେବେ ଜଣେ ସେବକ ଭାବରେ ବାଜା ବଜାଇ ମାଆଙ୍କୁ ବିଦାୟ ଦେଇଥିବା କହିଛନ୍ତି ଜିଲ୍ଲାପାଳ ।

କୁମାରପୂର୍ଣ୍ଣମା ପାଇଁ ମାଆ ସମଲେଶ୍ବରୀଙ୍କ ସ୍ଥିର ହେଲା ସ୍ବତନ୍ତ୍ର ନୀତି ନିର୍ଘଣ୍ଟ

ସମ୍ବଲପୁର: ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ସମ୍ବଲପୁର ସମଲେଶ୍ବରୀଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । କୁମାରପୂର୍ଣ୍ଣମା ପାଇଁ ମାଆ ସମଲେଶ୍ବରୀଙ୍କ ପୀଠରେ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ପ୍ରାତଃ ୫ଟାରେ ମଙ୍ଗଳ ଆଳତି କରାଯାଇ ୬ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ । ଦିବା ୧୧ ଟା ୪୫ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ମାଆଙ୍କ ଅନ୍ନଭୋଗ ଲାଗି ହେବ । ମାଆଙ୍କ ସିଙ୍ଗାର ଓ ରାଜରଜେଶ୍ବରୀ ବେଶ ଅନୁଷ୍ଠିତ ହେବ । ମନ୍ଦିରରେ ଧ୍ବଜାରୋହଣ ପର୍ବ ଓ ମହାଦୀପ ଉଠିବ । ଅପରାହ୍ନ ୨ଟାରୁ ଅପରାହ୍ନ ୩ଟା ୧୫ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଦର୍ଶନ ସୁଯୋଗ ମିଳିବ । ଏହାପରେ ଚନ୍ଦ୍ରଗ୍ରହଣ ହେତୁ ମନ୍ଦିର ବନ୍ଦ ରହିବ । ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ନିଷ୍ପତ୍ତି କ୍ରମେ ଏହି ନୀତି ନିର୍ଘଣ୍ଟ କରାଯାଇଛି ।

ଓଡ଼ିଶାରେ ହେବ ଚେସର ବିକାଶ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା

ଭୁବନେଶ୍ବର: ଓଡ଼ିଶାରେ ହେବ ଚେସର ବିକାଶ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା । FIDA ପରିଚାଳନା ବୋର୍ଡ ଉପାଧ୍ୟକ୍ଷ ଡି.ଆର. ଓଜୋଲା । FIDA-ଇଣ୍ଟରନ୍ୟାସନାଲ ଚେସ୍ ଫେଡେରେସନ । ରାଜ୍ୟରେ କ୍ରୀଡାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଓଜୋଲା । ଚେସର ବିକାଶ ନେଇ ଆରମ୍ଭ ହୋଇଛି ଷ୍ଟେଟ ଚେସ୍ ଏକାଡେମୀ । ଚେସର ବିକାଶ ନେଇ ସହଯୋଗର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ଥାନରେ ଶହେଟି ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ । ରାଜ୍ୟରେ ଚେସ ଖେଳର ବିକାଶ ନେଇ ଆଲୋଚନା କରାଯାଇଛି । ଓଡ଼ିଶା କ୍ରୀଡ଼ାକୁ ସବୁବେଳେ ଗୁରୁତ୍ବ ଦେଇ ଆସୁଛି ।

ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଓ  ରିଜନିସ୍-ଓଜୋଲା ଚେସ୍ କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ଯୁବ ଚେସ୍ ପ୍ରତିଭାମାନଙ୍କୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କୃଷ୍ଟ ହେବା ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

ଏହି ଅବସରେ ମୁଖ୍ୟମନ୍ତ୍ରୀ  କହିଛନ୍ତି, ଯୁବପିଢ଼ିଙ୍କୁ ସର୍ବୋତ୍ତମ ସୁଯୋଗ ଯୋଗାଇ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଚେସ୍ ସେମାନଙ୍କ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ। ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ- ପ୍ରୋ ଚେସ୍-ଟା, ଚେସ୍ ଇନ୍ ସ୍କୁଲ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଓଡ଼ିଶାରେ ୧୦୦ରୁ ଅଧିକ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଆମର ଲକ୍ଷ୍ୟ ହାସଲ ପାଇଁ ଆମେ ଫିଡେ ସହ ମିଶି କାମ କରିବାକୁ ଆଗ୍ରହୀ।ବିଶ୍ୱ ଚେସ୍ ସମୁଦାୟ ପ୍ରତି ଅତୁଟ ସମର୍ଥନ ପାଇଁ ପରିଚିତ ରିଜନିସ୍-ଓଜୋଲା ମୁଖ୍ୟମନ୍ତ୍ରୀ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।

 

ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବୀନଙ୍କ ମିଶନ ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଦୌଡିବ ବିକାଶର ରଥ । ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଲକ୍ଷ୍ମୀ ବସ ଚଳାଚଳ, ନୂତନ ମେଡ଼ିକାଲ କଲେଜ, ବସଷ୍ଟାଣ୍ଡ ସହ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର କରିବେ ଶୁଭାରମ୍ଭ । ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡିଗସ୍ତକୁ ନେଇ ପୂରା ପଶ୍ଚିମ ଓଡ଼ିଶାରେ ଦେଖାଦେଇଛି ଉତ୍ସାହର ମାହୋଲ ।

କଳାହାଣ୍ଡି । ଭୋକର ଭୂଗୋଳରୁ ବିକାଶର ପ୍ରୟୋଗଶାଳା । ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ । ଆଉ ନିଜର ଜନ୍ମଦିନରେ ଆଉ ପାଦେ ଆଗେଇବ କଳାହାଣ୍ଡିର ରୂପାନ୍ତରଣ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ  । ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ବିକାଶର ପର୍ବ ଆରମ୍ଭ ହେବାକୁ ଯାଉଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ପଶ୍ଚିମ ଓଡ଼ିଶାର ଲାଇଫଲାଇନ ସାଜିଥିବା ବିଜୁ ଏକ୍ସପ୍ରେସ ଓ୍ବେ ପରେ ଗମନାଗମନର ସୁବିଧା ପାଇଁ କଳାହାଣ୍ଡିରେ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ ହେବ । ଏହାସହ କଳାହାଣ୍ଡି ମେଡ଼ିକାଲ କଲେଜ, ନୂତନ ବସଷ୍ଟାଣ୍ଡ, ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବେ ନବୀନ । ଜିଲ୍ଲାର ବିକାଶକୁ ଆଗେଇନେଉଥିବା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ପୂରା ପ୍ରସ୍ତୁତ ହୋଇଛି କଳାହାଣ୍ଡି ।

ପୂଜାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ବବହନ କରୁଛି । ଧାନ ଉତ୍ପାଦନରେ ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା କଳାହାଣ୍ଡିର ସାମଗ୍ରିକ ବିକାଶ ସମସ୍ତଙ୍କୁ ଆକର୍ଷିତ କରୁଛି । ଗତ ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡିର ଉତକେଲାକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି । ସାରା ରାଜ୍ୟରେ ଏବେ ରୂପାନ୍ତରଣର ପର୍ବ ଚାଲିଛି । ଗ୍ରାଉଣ୍ଡକୁ ଯାଇ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ସହ ଶିଳାନ୍ୟାସ କରୁଛନ୍ତି ମୁଖ୍ୟନ୍ତ୍ରୀ  । କେବଳ କଳାହାଣ୍ଡି ନୁହେଁ ଆଗକୁ ବିଭିନ୍ନ ଜିଲ୍ଲାଗସ୍ତ କରି ରୂପାନ୍ତରିତ ଓଡ଼ିଶାର ପ୍ରକ୍ରିୟାକୁ ନବୀନ ତ୍ବରାନ୍ବିତ କରିବେ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର । ୨୦୧୯ ନିର୍ବାଚନରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଶତପ୍ରତିଶତ ପୂରଣ କରୁଛନ୍ତି ରାଜ୍ୟ ସରକାର । ଆଉ ଏତିକିବେଳେ ନବୀନଙ୍କ ପଶ୍ଚିମ ଓଡ଼ିଶାକୁ ଗସ୍ତକୁ ନେଇ କଳାହାଣ୍ଡିରୁ ଭୁବନେଶ୍ବର ଯାଏ ଚାଲିଛି ଜୋରଦାର ଚର୍ଚ୍ଚା ।

 

ଓଡ଼ିଶା ମିଲେଟସ ମିଶନର ଦୀର୍ଘ ମିଆଦି ରଣନୀତି ନିମନ୍ତେ ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ଗୁରୁତ୍ବ

ଭୁବନେଶ୍ବର: ଓଡ଼ିଶା ମିଲେଟ ମିଶନର ବିଭିନ୍ନ ଲକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ନଭେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ମିଲେଟସ ସମ୍ବଦ୍ଧୀୟ ଆନ୍ତର୍ଜାତିକ ସମ୍ମିଳନୀ ସମ୍ପର୍କରେ ବୁଧବାର ଏକ ବୈଠକ ଓଡ଼ିଶା ସରକାରଙ୍କ ଇନଷ୍ଟିଚ୍ୟୁସନାଲ କାପାସିଟି ବିଲ୍ଡିଂରେ ମୁଖ୍ୟ ଉପଦେଷ୍ଟା ସୁବ୍ରତ ବାଗଚୀଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଓଡ଼ିଶା ମିଲେଟସ ମିଶନର ଅଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶାରେ ମିଲେଟ ମିଶନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରମୁଖ ବୈଶିଷ୍ଟ୍ୟ ଏବଂ ଏପର୍ଯ୍ୟନ୍ତ ମିଳିଥିବା ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରାଯାଇଥିଲା । ଓଡ଼ିଶା ମିଲେଟସ ମିଶନ ପାଇଁ ୨୦୩୦ ଏବଂ ୨୦୩୬କୁ ଧାର୍ଯ୍ୟ ବର୍ଷଭାବେ ଲକ୍ଷ୍ୟ ରଖି ଏକ ଦୀର୍ଘ ମିଆଦି ରଣନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସୁବ୍ରତ ବାଗଚୀ ପରାମର୍ଶ ଦେଇଥିଲେ ।

ବିଶ୍ବକପ କ୍ରିକେଟରେ ଅଷ୍ଟ୍ରେଲିଆର ରେକର୍ଡ ବିଜୟ, ୩୦୯ ରନରେ ନେଦରଲାଣ୍ଡ ପରାସ୍ତ

ବ୍ୟୁରୋ ରିପୋର୍ଟ: ବିଶ୍ବକପ କ୍ରିକେଟରେ ଅଷ୍ଟ୍ରେଲିଆର ରେକର୍ଡ ବିଜୟ । ୩୦୯ ରନ ବ୍ୟବଧାନରେ ନେଦରଲ୍ୟାଣ୍ଡସକୁ ହରାଇଲା ଅଷ୍ଟ୍ରେଲିଆ । ୪୦୦ ରନ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୯୦ ରନରେ ଅଲଆଉଟ ହୋଇଗଲା ନେଦରଲ୍ୟାଣ୍ଡସ । କୌଣସି ରନ କରିପାରିଲେନି ନେଦରଲ୍ୟାଣ୍ଡର ୩ ଜଣ ଖେଳାଳି । ୪ ଜଣ ଖେଳାଳି ଦୁଇଅଙ୍କ ଛୁଇଁନଥିବାବେଳେ ସର୍ବାଧିକ ୨୫ ରନ କରିଥିଲେ ବିକ୍ରମଜିତ୍ ସିଂ । ବିଶାଳ ବିଜୟ ସହିତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଟସି ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଗ୍ଲେନ ମାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବିଶାଳ ରନ କରିଥିଲା ଟିମ୍ କଂଗାରୁ । ୪୦ଟି ବଲରେ ଶତକ ହାସଲ କରି ବିଶ୍ବକପରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି ମାକ୍ସୱେଲ ।

୪୪ଟି ବଲରେ ୧୦୬ ରନ କରି ମାକ୍ସଓ୍ବେଲ ପ୍ୟାଭିଲିୟନ ଫେରିଥିଲେ । ଡେଭିଡ୍ ଓ୍ବାର୍ଣ୍ଣର ମଧ୍ୟ ଶତକ ହାସଲ କରିଥିଲେ  । ସେ ୯୩ ବଲରେ ୧୦୪ ରନ ସଂଗ୍ରହ କରିଥିଲେ । ଷ୍ଟିଭ ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସେନ୍ ୬୨ ରନ ସଂଗ୍ରହ କରିଥିଲେ । ନେଦରଲ୍ୟାଣ୍ଡସ ଟିମର ବୋଲର ଲୋଗାନ ଭ୍ୟାନବିକ୍ ସର୍ବାଧିକ ୪ଟି ୱିକେଟ ନେଇଥିଲେ  । ୧୦ ଓଭରରେ ୭୪ ରନ ଦେଇଥଲେ ଭ୍ୟାନବିକ୍ । ସେହିପରି ବାସ ଡଲିଡେଙ୍କୁ ୨ଟି ୱିକେଟ ମିଳିଥିଲା। ୪୦୦ ରନର ବିଶାଳ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲ୍ୟାଣ୍ଡସ  । ହେଲେ କ୍ରମାଗତ ଦଳର ଓ୍ବିକେଟ ପତନ ହୋଇଥିଲା । ଶେଷରେ ୨୧ ଓଭରରେ ୯୦ ରନ କରି ଅଲଆଉଟ ହୋଇଯାଇଥିଲା ନେଦରଲ୍ୟାଣ୍ଡସ ।

ରୂପାନ୍ତରଣ ପଥେ ଓଡ଼ିଶା, ପାଣ୍ଡିଆନଙ୍କୁ ସବୁଠି ପ୍ରଂଶସା

ଭୁବନେଶ୍ବର: ରୂପାନ୍ତରଣ ପଥେ ଓଡ଼ିଶା । ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା ନିର୍ମାଣ ଚାଲିଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ଶିଳ୍ପ, ପର୍ଯ୍ୟଟନ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ  ସବୁକ୍ଷେତ୍ରରେ ସଫଳ ରୂପାନ୍ତରଣ କରି ପୂରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା ।  ନବୀନଙ୍କ ନିର୍ଦ୍ଦେଶରେ ରୁପାନ୍ତରିତ ଓଡ଼ିଶାର  ବିନ୍ଧାଣୀ ସାଜିଥିଲେ ଭି କେ ପାଣ୍ଡିଆନ । ଆଇଏଏସ ଚାକିରିରୁ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେବା ଓ ତାଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ତାଙ୍କ କାମ ଓ ପ୍ରଶାସନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ନେତାମାନେ ।

ଭି.କେ ପାଣ୍ଡିଆନ । ଉପଜିଲ୍ଲାପାଳରୁ ଫାଇଭ-ଟି ସଚିବ ଯାଏ । ସବୁଠି ଦକ୍ଷତା ଦେଇଛି ତାଙ୍କୁ ସ୍ବତନ୍ତ୍ର ପରିଚୟ । ନିଜ ଦାୟିତ୍ବ ଓ ଲୋକାଭିମୁଖି କାର୍ଯ୍ୟକ୍ରମ ପାଇଁ  ରାଷ୍ଟ୍ରପତିଙ୍କ ଠାରୁ କେନ୍ଦ୍ର ସରକାରଙ୍କ  ପକ୍ଷରୁ ତାଙ୍କ କାମକୁ ଅନେକ ପୁରସ୍କାର ଓ  ପ୍ରଶଂସା ମିଳିଛି । ନିଜ କର୍ତ୍ତବ୍ୟ ଓ ଦାୟିତ୍ବକୁ ବୁଝୁଥିବା ପାଣ୍ଡିଆନ ସବୁବେଳେ ଲୋକଙ୍କ ହିତରେ କାମ କରି ସଭିଁଙ୍କ ପ୍ରିୟପାତ୍ର ସାଜିଛନ୍ତି । ସୋମବାର ପ୍ରଶାସନିକ ଚାକିରିରୁ ସ୍ବେଚ୍ଛାକୃତ ଅବସର ଓ ମଙ୍ଗଳବାର ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ତାଙ୍କୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା । ୨୦୦୭ ମସିହାରେ ଗଂଜାମର ଜିଲ୍ଲାପାଳ ଭାବେ ନିଜର ପ୍ରଶାସନିକ ଦକ୍ଷତା ଦେଖାଇବା ପରେ ୨୦୧୧ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାମ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଥିଲେ ।

ପରେ ୨୦୧୯ରେ ଫାଇଭ-ଟି ସଚିବ ଭାବେ ନିଜର ଦାୟିତ୍ବ ତୁଲାଇଥିଲେ। ତାଙ୍କ କାମ ହିଁ ତାଙ୍କର ପରିଚୟ ହୋଇଥିବାରୁ ବିକଶିତ ଓଡିଶା ଗଠନ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇଥିଲା । ଲୋକସେବାକୁ ନିଜ କାମର ମୂଳମନ୍ତ୍ର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ପ୍ରିୟପାତ୍ର ହୋଇପାରିଥିଲେ । କଳାହାଣ୍ଡି, ଗଂଜମ, ମୟୁରଭଞ୍ଜ ଠାରୁ ଆରମ୍ଭ କରି ପୂରା ଓଡ଼ିଶା ପାଣ୍ଡିଆନଙ୍କ ଦକ୍ଷତାକୁ ଗ୍ରହଣ କରିଛି ବୋଲି ଶାସକ ଦଳ କହିଛି । ଏବେ ସେ ରାଜନୀତିକୁ ଆସିନାହାନ୍ତି ଯଦି ଆସିବେ ଲୋକେ ତାଙ୍କୁ ସମ୍ମାନ ଭଲ ପାଇବା ଦେବେ ବୋଲି ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ।

୨୦୧୯ରେ ପଞ୍ଚମ ପାଳିରେ ଶାସନ ବ୍ୟବସ୍ଥାରେ ନବୀନ ୫ଟି ଓ ମୋ ସରକାରଙ୍କ ସାମିଲ କଲେ । ଯାହାର ଗୁରୁଦାୟିତ୍ବ ଭି କେ ପାଣ୍ଡିଆନଙ୍କ ଉପରେ ନ୍ୟସ୍ତ କଲେ । ବିକାଶକୁ ଦ୍ରୁତ ଗତିରେ ଆଗେଇନେବାକୁ ଫାଇଭ-ଟି ଓ ମୋ ସରକାରକୁ  ପ୍ରାଥମିକତା ଦେଇ ମିଶନ ମୋଡରେ କାମ କଲେ । ରୂପାନ୍ତରଣ ମାଧ୍ୟମରେ ରାଜ୍ୟ ସବୁ କ୍ଷେତ୍ରରେ ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ ହେଲା  । ନବୀନଙ୍କ ବିକଶିତ ଓଡ଼ିଶା ଗଠନ  କିଛି ଅସୁବିଧା ଯେମିତି ନରହିବ ସେ ନେଇ ୬ମାସ ଧରି ୩୦ଟି ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହ ସିଧାସଳଖ ଆଲୋଚନା କଲେ । ଲୋକେ ଅଭିଯୋଗ ଆଣିଲେ ଓ ତାହାର ସମାଧାନର ବାଟ ବାହର କଲେ ପାଣ୍ଡିଆନ । ଯାହା ଘରେ ଘରେ ଓ ଲୋକଙ୍କ ହୃଦୟେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କଲା । ପାଣ୍ଡିଆନଙ୍କ ଏପରି କାର୍ଯ୍ୟଦକ୍ଷତାକୁ କେବଳ ଶାସକ ଦଳର  ବରିଷ୍ଠ ବିଧାୟକମାନେ ନୁହନ୍ତି ଓ ବିରୋଧୀ ଦଳର ଫାୟାରବ୍ରାଣ୍ଡ ବିଧାୟକଙ୍କ ବି ରାଜନୀତିର ଉର୍ଦ୍ଧ୍ବରେ ରହି ପ୍ରଶଂସା କରିଛନ୍ତି ।

ପାଣ୍ଡିଆନଙ୍କ ଦକ୍ଷତାସଂପନ୍ନ କାର୍ଯ୍ୟଧାରା ଓ ଜନସେବା ମନୋବୃତ୍ତିକୁ ରାଜ୍ୟବାସୀ ଗ୍ରହଣ କରିଛନ୍ତି । ଆଗକୁ ବିକଶିତ ଓଡ଼ିଶା ଗଠନ ସହ  ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି । ଯାହାକୁ ନେଇ ପୂରା ଓଡ଼ିଶାରେ ଉତ୍ସାହ ଓ ଚର୍ଚ୍ଚା ।