spot_img
Home Blog Page 2318

ଅଧ୍ୟାପକ, ଶିକ୍ଷକ ଓ କମର୍ଚାରୀଙ୍କୁ ମିଳିବ ୭ମ ବେତନ କମିଶନ ଅନୁସାରେ ଦରମା

ଭୁବନେଶ୍ବର: ଅଧ୍ୟାପକ, ଶିକ୍ଷକ ଓ କମର୍ଚାରୀଙ୍କୁ ରାଜ୍ୟ ସରକାର ୭ମ ବେତନ କମିଶନ ଅନୁସାରେ ଦରମା ନେବାକୁ ନିଷ୍ପତ୍ତି ନେଇଛନ୍ତି । ବେସରକାରୀ ଉଚ୍ଚ ବିଦ୍ୟାଳୟ, ସଂସ୍କୃତ ଟୁଲ୍, ମହାବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ, ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ୧୦୦ ପ୍ରତିଶତ ଗ୍ରାଣ୍ଟ ପାଉଥିବା ପ୍ରାୟ ୧୦ ହଜାର ଶିକ୍ଷକ, ଅଧ୍ୟାପକ, କମର୍ଚାରୀ ଏଥିରେ ଉପକୃତ ହେବେ । ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି । ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ଦରମା ପାଇବାକୁ ଥିବା କମର୍ଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ୨ ବର୍ଷ ହେଲା ସମାନ କାମକୁ ସମାନ ଦରମା ଦାବିରେ ବାରମ୍ବାର ଏମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଏହାଦ୍ବାରା ଉପକୃତ ହେବେ ୯ ହଜାର ୫୮୫ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ । ସରକାର ବହନ କରିବେ ପ୍ରାୟ ୨୯୪ କୋଟି ଟଙ୍କା । ୨୦୧୪ରୁ ସରକାର ହାତକୁ ନେଇଥିବା କଲେଜ ଗୁଡ଼ିକର ଅଧ୍ୟାପକ ଓ କମର୍ଚାରୀ ୨୦୨୨ରୁ ଶତ ପ୍ରତିଶତ ଅନୁଦାନ ପାଉଥିଲେ ମଧ୍ୟ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ଦରମା ମିଳୁ ନଥିଲା । ଏଥିପାଇଁ ବାରମ୍ବାର ସଂଘ ପକ୍ଷରୁ ଦାବି କରିବା ସହ ଆନ୍ଦୋଳନ କରୁଥିଲା ସଂଘ । ରାଜ୍ୟ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରିଛନ୍ତି । ୨୨ ତାରିଖ କ୍ୟାବିନେଟ ବୈଠକରେ ଏଥିରେ ମୋହର ଲାଗିଛି । ସଂଘର ପ୍ରାୟ ୧୭୮୯ ଅଧ୍ୟାପକ ଓ କମର୍ଚାରୀ ସପ୍ତମ ବେତନ ଅନୁସାରେ ଦରମା ପାଇବେ । ଜାନୁଆରୀ ପହିଲା ୨୦୨୪ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛି ସଂଘ ।

ନୂତନ ସହାୟତାପ୍ରାପ୍ତ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସଂସ୍କୃତ ଟୁଲର ଯୋଗ୍ୟ କମର୍ଚାରୀଙ୍କୁ ମଧ୍ୟ ମିଳିବ ସପ୍ତମ ବେତନ ଅନୁସାରେ ଦରମା ମିଳିବ । ୬୨୭ଟି ଉଚ୍ଚ ବିଦ୍ୟାଳୟ, ୩୯ଟି ସଂସ୍କୃତ ଟୁଲର ପ୍ରାୟ ୭ ହଜାର ୭୯୬ ଜଣ ଶିକ୍ଷକ ଓ କର୍ମଚାରୀ ଅନ୍ୟ ସରକାରୀ କମର୍ଚାରୀଙ୍କ ଭଳି ସମାନ ଦରମା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଧ୍ୟାପକ ଓ କମର୍ଚାରୀ ।

ଏଣିକି ବର୍ଷର ଯେକୌଣସି ସମୟରେ ଚାଷୀ ପାଇ ପାରିବେ କାଳିଆ ଯୋଜନା ସହାୟତା ରାଶି

ଭୁବନେଶ୍ବର: କୃଷକଙ୍କ ସ୍ବାର୍ଥରେ ରାଜ୍ୟ ସରକାର । କାଳିଆ ଯୋଜନାର ଅବଧିକୁ ୩ ବର୍ଷ ବୃଦ୍ଧି କରି ହିତାଧିକାରୀଙ୍କ ପାଇଁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ଏଣିକି ଯେତେବେଳେ ସରକାର ଆବଶ୍ୟକ ମଣିବେ ଚାଷୀଙ୍କୁ କାଳିଆ ସହାୟତା ଦେଇପାରିବେ । ବିଶେଷକରି ଭୂମିହୀନ କୃଷକ ପରିବାରକୁ ଅତିରିକ୍ତ ଭାବେ ୨ ହଜାର ଟଙ୍କା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ରାଜ୍ୟର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବ । ଚାଷୀ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ମଧ୍ଯ ବେଶ ସହାୟକ ହେଉଛି । ରାଜ୍ୟ ସରକାରଙ୍କ ଏପରି ବଡ଼ ଘୋଷଣାକୁ ଚାଷୀମାନେ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ ।

ଏଣିକି ଦୁଇଟି କିସ୍ତିରେ ନୁହେଁ, ବର୍ଷର ଯେ କୌଣସି ସମୟରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନା ସହାୟତା ରାଶି । ଗୁରୁବାର ରାଜ୍ୟ କ୍ୟାବିନେଟ କାଳିଆ ଯୋଜନାର ଅବଧିକୁ ୩ ବର୍ଷ ବୃଦ୍ଧି କରିବା ସହ ଯୋଜନାରେ ବଡ଼ ଘୋଷଣା କରିଛନ୍ତି । ଏହାସହ ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ଭାବେ ୨  ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ଦିଆଯିବ । ଆସନ୍ତା  ୩ ବର୍ଷ ପାଇଁ ଏହି ଯୋଜନାରେ ୬୦୨୯.୭୦ କୋଟି ବ୍ୟୟ ଅଟକଳ କରାଯାଇଛି । ୨୦୧୮-୧୯ରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବାକୁ ସରକାର କାଳିଆ ଯୋଜନାରେ ଆର୍ଥିକ ସହାୟତା ଦେଉଛନ୍ତି । ପୂର୍ବରୁ ଏପ୍ରିଲ ପହିଲା ଓ ରବି ଋତୁ ପାଇଁ କାଳିଆ ସହାୟତା ଦିଆଯାଉଥିଲା । କ୍ୟାବିନେଟର ନିଷ୍ପତ୍ତି ପରେ ସେହି ସୀମା ହଟିଛି  । ଖୁବଶୀଘ୍ର ଚାଷୀମାନେ କାଳିଆ ସହାୟତା ପାଇବା ପାଇଁ ବାଟ ଫିଟିଛି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ନେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଚାଷୀକୁଳ ।

କାଳିଆ ଅବଧି ୩ ବର୍ଷ ବୃଦ୍ଧି ହେବା ପରେ କାଳିଆ ଯୋଜନାର ୬୩ ଲକ୍ଷ ହିତାଧିକାରୀ ଉପକୃତ ହେବ । ବିଶେଷକରି ୧୮ ଲକ୍ଷ ଭୂମିହୀନ ପରିବାର ୧୨ ହଜାର ୫୦୦ ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ପୁନର୍ବାର ଏହି ଭୂମିହୀନ ପରିବାରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ଆର୍ଥିକ ସହାୟତା ମିଳିବ । ସେହିପରି କାଳିଆ ଛାତ୍ର ବୃତ୍ତି ଅବଧିକୁ ତିନି ବର୍ଷ ବୃଦ୍ଧି କରାଯାଇଛି । ୨୦୨୪-୨୫ରୁ ୨୦୨୬-୨୭ ଯାଏଁ ଛାତ୍ର ବୃତ୍ତି ଅବଧିର ସଂପ୍ରସାରଣ ହୋଇଛି । ଏ ବାବଦରେ ଖର୍ଚ୍ଚ ହେବ ମୋଟ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କା । କୃଷକମାନଙ୍କ ସୁବିଧା ଓ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଛନ୍ତି  ।

ସ୍ବାସ୍ଥ୍ୟ କ୍ଷେତ୍ରରେ ତିନିଟି ଦିଗ ଉପରେ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବାସ୍ଥ୍ୟ ହିଁ ସମ୍ପଦ । ପ୍ରତ୍ୟେକଟି ଜୀବନ ମୂଲ୍ୟବାନ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଶସ୍ତାରେ ଚିକିତ୍ସା ଓ ଗୁଣାତ୍ମକ ଚିକିତ୍ସା ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଥିବା କହିଛନ୍ତି ଜାତୀୟ ବିଜେଡି ମୁଖପାତ୍ର ସଂତୃପ୍ତ ମିଶ୍ର ।

କୋଭିଡ଼ ମହାମାରୀ ବେଳେ ପ୍ରତିଶୋଧକ ଟୀକା ଗୁରୁତ୍ବ ଦିଆଯାଇଥିଲା । ଏନେଇ ୯୦ ପ୍ରତିଶତ ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ ଟୀକା ଦେବା ପାଇଁ ବ୍ୟବସ୍ଥା କରିଥିଲେ । ଯାହାକି ଜାତୀୟ ହାରଠାରୁ ଅଧିକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏମିତି ଯୋଜନା ବିଶ୍ବରେ ବିରଳ । ଏହା ମାଧ୍ୟମରେ ଗରିବ ଲୋକ ବଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି । ରାଜ୍ୟରେ ୬୫୨ ହସ୍ପିଟାଲ, ରାଜ୍ୟ ବାହାରେ ୧୬୪ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି ଗରିବ ଲୋକ । ଏଥିରେ କୋଟିଏ ଲୋକ ଉପକୃତ ହୋଇପାରିଛନ୍ତି ବୋଲି କହିଛନ୍ତି ସଂତୃପ୍ତି ।

ନିରାମୟ ଯୋଜନାରେ ମାଗଣାରେ ୭୫୦ଟି ଔଷଧ ମିଳୁଛି । ନିଦାନରେ ମାଗଣାରେ ପରୀକ୍ଷା ହେଉଛି । ୧୦୮ ଆମ୍ବୁଲାନ୍ସ ଦ୍ୱାରା ଲୋକ ଡାକ୍ତରଖାନା ପହଁଚି ପାରୁଛନ୍ତି । ୨୦ ମିନିଟରେ ରୋଗୀ ଡାକ୍ତରଖାନାରେ ପହଂଚି ପାରୁଛନ୍ତି । ଆମ କ୍ଲିନିକ ପାଇଁ ମଧ୍ୟ ଅନେକ ଲୋକ ସୁବିଧା ପାଇ ପାରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାୟୁସେନା ମାଧ୍ୟମରେ ଡାକ୍ତରମାନେ ଗାଁକୁ ଯାଇ ଚିକିତ୍ସା କରୁଛନ୍ତି । ଏଥିପାଇଁ ମୋବାଇଲ କ୍ଲିନିକର ବ୍ୟବସ୍ଥା ହୋଇଛି । ରାଜ୍ୟରେ ଶିଶୁ ମୃତ୍ୟୁହାର ୭୫ରୁ ୩୬କୁ ଖସିଛି । ମାତୃ ମୃତ୍ୟୁହାର ଜାତୀୟ ହାରଠୁ ଓଡିଶା କମ ରହିଛି ବୋଲି ସେ କହିଛନ୍ତି ।

ଦେଶବାସୀଙ୍କୁ ଆକର୍ଷିତ କରିଛି ଓଡ଼ିଶାର ବିକାଶ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆମ ରାଜ୍ୟ ଓଡ଼ିଶାର ବିକାଶ ସାରା ଦେଶବାସୀଙ୍କୁ ଆକର୍ଷିତ କରିଛି । ଓଡ଼ିଶା ଆଗକୁ ବଢୁଛି। ଆମର କାର୍ଯ୍ୟ ଏହା ପ୍ରଦର୍ଶିତ କରୁଛି । କୋଳାହଳ ନକରି ଆମେ ଏହି କାର୍ଯ୍ୟ କରି ଚାଲିଛନ୍ତି । ନ୍ୟୁଜ-୧୮ ପକ୍ଷରୁ ରାଇଜିଂ ଓଡ଼ିଶା କନକ୍ଲେଭର ଶୁଭାରମ୍ଭ କରିବା ଅବସରରେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଇଜିଂ ଓଡ଼ିଶା ଶୀର୍ଷକକୁ ବିବେଚନା କରିଥିବାରୁ ଓଡ଼ିଶ ବିକାଶ ଦେଶବାସୀଙ୍କୁ ଆକର୍ଷିତ କରିଛି ।

ଏହି ଅବସରରେ ଓଡ଼ିଶା ରୂପାନ୍ତରଣର କାହାଣୀ କହିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ‘ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ରୂପାନ୍ତରଣ ଓ ସଶକ୍ତୀକରଣର କାହାଣୀ ପାଲଟିଛି । ବିପର୍ଯ୍ୟୟ ପ୍ରଶମନ ଏବଂ ଖାଦ୍ୟ ନିରାପତ୍ତା, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ରୋଲ ମଡେଲ ପାଲଟିଛି । ଆନ୍ତର୍ଜାତିକ ସ୍ତରର କ୍ରୀଡା ଆୟୋଜନ ସହ ପ୍ରଗତି କରି ବିଶ୍ଵସ୍ତରୀୟ ମଡେଲ ପାଲଟିଛି । ସ୍କୁଲଗୁଡିକର ରୂପାନ୍ତରଣ ପରେ ମାଲକାନଗିରି ଜିଲ୍ଲାର ଛାତ୍ର ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ବୋର୍ଡରେ ପଢିବାର ସୁଯୋଗ ପାଇଛନ୍ତି ।’

ଆଗକୁ ସେ କହିଛନ୍ତି, ‘ନିବେଶ କ୍ଷେତ୍ରରେ ସାରା ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା । ଅନେକ ବର୍ଷ ଧରି ଓଡ଼ିଶା ରାଜସ୍ଵ ବଳକା ରାଜ୍ୟ ହୋଇ ରହିଛି । ଆର୍ଥିକ ବିକାଶ କ୍ଷେତ୍ରରେ ଅନେକ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଆଗାମୀ କିଛି ବର୍ଷ ମଧ୍ୟରେ ଦେଶର ପ୍ରଥମ ୩ ରାଜ୍ୟ ମଧ୍ୟରେ ରହିବ ଓଡ଼ିଶା । ସବୁ କିଛି ରାଜ୍ୟ ସରକାରଙ୍କ ରୂପାନ୍ତରଣ ମଡେଲ ଓ 5T ପ୍ରୟାସ ଯୋକୁଁ ହୋଇପାଇଛି। ଏହି ରାଇଜିଂ ଓଡ଼ିଶା ରାଜ୍ୟର ସାଢେ ୪ କୋଟି ଲୋକଙ୍କ ରୂପାନ୍ତରଣର କାହାଣୀ ଓ ସମସ୍ତେ ମୋର ପରିବାର ।’

ନିର୍ବାଚନ ଆଗରୁ ବନ୍ଧୁକ ଦାଖଲ କରିବେ ୧୪ ଶହ ୧୦ ଲାଇସେନ୍ସଧାରୀ, ଶୀଘ୍ର ଆସିବ ନୋଟିସ୍

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ ପାଇଁ ନିର୍ଦ୍ଦେଶ । ୧୪ ଶହ ୧୦ ଲାଇସେନ୍ସଧାରୀଙ୍କୁ ବନ୍ଧୁକ ଦାଖଲ ପାଇଁ ଶୀଘ୍ର ନୋଟିସ ଜାରି କରିବ କମିଶନରେଟ୍ ପୋଲିସ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଡିସିପିଙ୍କ ଫୋକସ । ବନ୍ଧୁକ ଦାଖଲ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ ଡିପୋଜିଟ ନିର୍ଦ୍ଦେଶ । ମଡେଲ କୋଡ ଅଫ କଣ୍ଡକ୍ଟ ଅନୁଯାୟୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଏଭଳି ପଦକ୍ଷେବ ନେଇଛି କମିଶନରେଟ ପୋଲିସ । ନିର୍ବାଚନ ସମୟରେ କେହି ଯେପରି ଲାଇସେନ୍ସପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରନ୍ତି, ସେଥିପାଇଁ ଦିଆଯାଇଛି ନିର୍ଦ୍ଦେଶ । ବନ୍ଧୁକ ନେଇଥିବା ବ୍ୟକ୍ତି ବିଶେଷ, ରାଇଫଲ ଆସୋସିଏସନର ନୋଟିସ ମୁତାବକ ବନ୍ଧୁକ ଫେରାଇବେ । ଲାଇସେନ୍ସ ନେଇ ଦେଶ ବାହାରକୁ ଚାଲିଯାଇଥିବା ଲୋକ ଇମେଲ ମାଧ୍ୟମରେ ପୋଲିସକୁ ଅବଗତ କରାଇବେ । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ।

ଗତ ୬ ବର୍ଷରେ ସୁରକ୍ଷା ଦୃଷ୍ଟିକୋଣରୁ ୮୬ ଜଣ ରାଜଧାନୀରେ ବନ୍ଧୁକ ଲାଇସେନ୍ସ  ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା କିଛି ଲାଇସେନ୍ସଧାରୀ ପୋଲିସ ପାଖରେ ବନ୍ଧୁକ ଡିପୋଜିଟ କରିଛନ୍ତି । ଜୀବନ ପ୍ରତି ବିପଦ ଓ ଜରୁରୀକାଳୀନ ପରିସ୍ଥିତି ଥିଲେ ଡିସିପିଙ୍କ ଅନୁମତି ନେଇ ବନ୍ଧୁକ ରଖିପାରିବେ । ପୂର୍ବବର୍ଷ ମାନଙ୍କରେ ନିର୍ବାଚନ ପୂର୍ବରୁ ଛୋଟ ବଡ଼ ଗଣ୍ଡଗୋଳରେ ବନ୍ଧୁକର ବ୍ୟବହାର ହେଉଥିବାରୁ, ଚଳିତବର୍ଷ ଏଥିପ୍ରତି ଅଧିକ ଶକ୍ତ ହୋଇଛି ପୋଲିସ । ଦାଗୀ, ପେସାଦାର କ୍ରିମିନାଲଙ୍କ ବିରୋଧରେ NSA ଭଳି ଦଫା ଲଗାଇବା ପାଇଁ ପ୍ଲାନ କରିଛି କମିଶନରେଟ ପୋଲିସ ।

କିଛିଦିନ ତଳେ ନିର୍ବାଚନ ପରିଚାଳନା ନେଇ ଭୁବନେଶ୍ୱର ୟୁପିଡ଼ି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ବରିଷ୍ଠ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଡିସିପି ପ୍ରତୀକ ସିଂ ।

୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଇତିହାସ । ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ା କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଥିବା ବେଳେ ଆଜି ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି ।

ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ଆଜି ଉଦଘାଟିତ ହୋଇଛି । ଏହାସହ ସୁନ୍ଦରଗଡ଼ ଜିଲ୍ଲାର ୧୦ଟି ସ୍ଥାନରେ ନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବୀରମିତ୍ରପୁରରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୬୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା କ୍ରୀଡା ଭିତ୍ତିଭୂମିର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରହିଛି । ଏଥିରେ ଟେବୁଲ୍ ଟେନିସ, ଜିମ, ଓ୍ବୈଟ ଲିଫଟିଂ, ଯୋଗ କକ୍ଷ, ବ୍ୟାୟମଶାଳା, ଜିମ୍ନାଷ୍ଟିକ ଉପକରଣ ଓ ଅତ୍ୟାଧୁନିକ ଶୌଚାଳୟ ସୁବିଧା ରହିଛି । ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ହୋଇଛି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ।

ରାଜ୍ୟରେ ୪୮ଟି ଇନଡୋର ଷ୍ଟାଡିୟମ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ଟେବୁଲ ଟେନିସ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ ଏକାଡେମୀ, ଭବାନୀପାଟଣା ବହୁମୁଖୀ ଇନଡୋର ହଲର  ଉଦଘାଟନ ସହ ଦେବଗଡ଼ରେ ହକି ପ୍ରଶିକ୍ଷଣ କେନ୍ଦ୍ର, କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ମହିଳା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର, ରେମୁଣା, ବାଲିଗୁଡ଼ା, କରଞ୍ଜିଆ ଓ ଟିଟିଲାଗଡ଼ରେ ବହୁମୁଖୀ ଇନଡୋର ଷ୍ଟାଡିୟମ, ଭଦ୍ରକରେ ଇନଡୋର ସୁଇମିଂ ପୁଲ୍ ଓ କଟକରେ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜୁ ବାବୁଙ୍କ ରେକର୍ଡ ଭାଙ୍ଗିବ ବିଜେଡି: ୨୪ ନିର୍ବାଚନରେ ଜିତିବ ୧୨୮ ବିଧାନସଭା ଆସନ

ଭୁବନେଶ୍ବର: ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ପୁଣି ଫୁଙ୍କିବେ ଶଙ୍ଖ । ତେବେ ଏହି ନିର୍ବାଚନ ବିଜେଡି ପାଇଁ ହେବାକୁ ଯାଉଛି ଐତିହାସିକ । କାରଣ ଏହି ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟାରେ ବିଧାନସଭା ଆସିନରେ ଜିତିବାକୁ ଯାଉଛି । ଖାଲି ସେତିକି ନୁହେଁ, ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ୧୯୯୦ରେ ଜିତିଥିବା ୧୨୩ ବିଧାନସଭା ଆସନର ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି ବିଜେଡି । ଅର୍ଥାତ ୨୦୨୪ ନିର୍ବାଚନରେ ବିଜେଡି ୧୨୮ ଆସନରେ ଜିତିବାକୁ ଯାଉଛି । ଏମିତି କହୁଛି ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ ।

ସର୍ଭେ ଅନୁସାରେ ବିଜେପି ବିଜେପି ୧୩, କଂଗ୍ରେସ ୪,  ସିପିଏମ ଗୋଟିଏ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ବିଧାନସଭା ଆସନରେ ବିଜୟୀ ହେବେ ନେଇ ରିପୋର୍ଟ ପ୍ରକାଶ ପାଇଛି । ୧୭ଟି ଲୋକସଭା ଆସନରେ ବିଜେଡି ସମସ୍ତ ୭ଟି ବିଧାନସଭା ଆସନ ଏବଂ ଅବଶିଷ୍ଟ ୪ଟି ଲୋକସଭା ଆସନରୁ ଦଳ ୨ରୁ ୩ଟି ଲେଖାଏଁ ବିଧାନସଭା ଆସନ ଜିତିବ ।

ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବା ରାଜ୍ଯଗୁଡ଼ିକରେ ଏହି ସର୍ଭେ କରାଯାଇଥିଲା । ଏବେ ୱାନ ନେସନ- ୱାନ ଇଲେକ୍ସନ ବା ଗୋଟିଏ  ଦେଶ- ଗୋଟିଏ ନିର୍ବାଚନ କଥା ଉଠୁଥିବା ବେଳେ ଓଡ଼ିଶାରେ ୨୦୦୪ ମସିହାରୁ ଏହି ଧାରାରେ ନିର୍ବାଚନ ହୋଇ ଆସୁଛି ।

ସୂଚନାଯୋଗ୍ୟ, ୨୦୦୦ ମହିସାରୁ ବିଜେଡି ସରକାରକୁ ଆସିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ରହି ଆସିଛନ୍ତି । ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଆଣିଛନ୍ତି ଯୁଗାନ୍ତକାରୀ ପରିବର୍ତ୍ତନ । ପ୍ରତିଟି ଓଡ଼ିଆଙ୍କ ପାଇଁ ହୋଇଛି କିଛି ନା କିଛି ବ୍ୟବସ୍ଥା । ସବୁ କ୍ଷେତ୍ରରେ ବିଶାର ଶିଖର ଛୁଇଁଛି ଓଡ଼ିଶା । ଆଉ ଏହାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି । ନିର୍ବାଚନ ପରେ ନିର୍ବାଚନ ହେଉଛି ଆଉ ପ୍ରତି ଥର ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ସଦୃଢ଼ ହୋଇ କ୍ଷମତାକୁ ଫେରୁଛନ୍ତି । ପ୍ରତି ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ବର୍ଷର ଶାସନ ନବୀନଙ୍କ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପରିପାରିଛି ।

ପାଉଁରୁଟି ଖାଉଥିଲେ ସାବଧାନ: ହୋଇପାରେ କୋଲୋରେକ୍ଟଲ କ୍ୟାନସର

ଭୁବନେଶ୍ବର: ଆପଣ ଯଦି ବ୍ରେଡ ଖାଇବାକୁ ପସନ୍ଦ କରନ୍ତି ଓ ନିୟମିତ ଏହାକୁ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ବ୍ରେଡ୍ ଖାଇବା ଦ୍ବାରା ହୋଇପାରେ କେଲୋରେକ୍ଟଲ କ୍ୟାନସର । ଏକ ରିସର୍ଚ୍ଚରୁ ଏମିତି ତଥ୍ୟ ଜଣାପଡିଛି ।

ଜର୍ନଲ ଅଫ ନ୍ୟୁଟ୍ରିଏଣ୍ଟସରେ ପ୍ରକାଶିତ ଏକ ରିସର୍ଚ୍ଚର ରିପୋର୍ଟ ଅନୁସାରେ ଧଳା ପାଉଁରୁଟି ଖାଇବା ସହ ମଦ ପିଇଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା ବଢ଼ିଯାଇଥାଏ । ଶିରର ଶେଷ ଭାଗ ଓ ଝାଡ଼ଦ୍ବାରରେ ଏହି କ୍ୟାନସର ହୋଇଥାଏ । ଏହି ପ୍ରକାର କ୍ୟାନସର ବଢ଼ିବାକୁ ସମୟ ନେଇଥାଏ । ଆରମ୍ଭରୁ ଜଣାପଡିଗଲେ ଏହାର ଚିକିତ୍ସା ହୋଇପାରିବ ।

ଚୀନର ଝିଞ୍ଜିୟାଙ୍ଗ ବିଶ୍ବବିଦ୍ୟାଳୟ ଚିକିତ୍ସା ବିଦ୍ୟାଳୟ ପକ୍ଷରୁ ୟୁକେ ବାୟୋ କ୍ୟାଙ୍କ ସହଯୋଗରେ ଏହି ସର୍ଭେ କରାଯାଇଛି । ସର୍ଭେରେ ଏକ ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ସର୍ଭେରେ ପ୍ରତିଦିନ ଖିଆ ଯାଉଥିବା ୧୩୯ ପ୍ରକାର ଖାଦ୍ୟ ପଦାର୍ଥ ଓ ଏଥିରେ ଥିବା ପୋଷକତତ୍ତ୍ବର ଯାଞ୍ଚ କରାଯାଇଥିଲା । ଏଥିରୁ ଜଣାପଡିଥିଲା, ଯେଉଁମାନେ ଧଳା ପାଉଁରୁଟି ଓ ମଦ ନିୟମିତ ପିଉଛନ୍ତି ସେମାନଙ୍କ ମଧ୍ୟରୁ ୧୩ ବର୍ଷ ମଧ୍ୟରେ ୧୪୬୬ ଜଣ କୋଲୋରେକ୍ଟଲ କ୍ୟାନସରରେ ପୀଡିତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ଅନ୍ୟ ବେମାରୀରେ ଆକ୍ରାନ୍ତ ଥିବା ଜଣାପଡିଛି ।

ସର୍ଭେରୁ ଜଣାପଡିଛି, ଧଳା ପାଉଁରୁଟିରେ କାର୍ସିନୋଜେନ୍ ରହିଛି । ଯାହା ଏହି ପ୍ରକାର କ୍ୟାନସର ହେବାର କାରଣ ହୋଇଥାଏ । ତେବେ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର, କ୍ୟାଲସିୟମ, ଫସଫରସ୍ ଓ ମ୍ୟାଗ୍ନେସିୟମ ଥିବା ଖାଦ୍ୟ ଖାଉଥିଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା କମି ଯାଇଥାଏ ।

ଆମେରିକୀ କ୍ୟାନସର ସୋସାଇଟି ଅନୁସାରେ ବିଶ୍ବରେ ଦିନକୁ ଦିନ କୋଲୋରେକ୍ଟଲ କ୍ୟାସନର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ଏକ ବଡ଼ ବିପଦ ହୋଇ ସାମ୍ନାକୁ ଆସିଛି । ବିଶ୍ବରେ ଦେଖାଯାଉଥିବା କ୍ୟାନସର ରୋଗରେ ତୃତୀୟ ସ୍ଥାନରେ କୋଲୋରେକ୍ଟର ରହିଛି ।

ମାର୍ଚ୍ଚ ୧୩ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖକୁ ନେଇ ବଡ ଖବର ଆସିଛି । ଆସନ୍ତା ମାସରେ ଘୋଷଣା ହୋଇପାରେ ତାରିଖ ।  ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।  ୨୦୨୪ ଲୋକସଭା ନର୍ବାଚନ ୭ରୁ ୮ ପର୍ଯ୍ୟାୟରେ ହୋଇପାରେ ।

ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ଯେ, ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଆୟୋଗ ଅନେକ ରାଜ୍ୟ ପରିଦର୍ଶନ କରୁଛନ୍ତି । ଏହି ସବୁ ଯାତ୍ରା ସରିବା ପରେ ତାରିଖ ଘୋଷଣା କରାଯିବ ।

କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ବର୍ତ୍ତମାନ ତାମିଲନାଡୁ ଗସ୍ତ କରୁଛନ୍ତି, ଏହା ପରେ ଉତ୍ତରପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର ଗସ୍ତ କରିବେ । ମାର୍ଚ୍ଚ ୧୩ ପୂର୍ବରୁ ଏହି ଗସ୍ତ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରସ୍ତୁତିର ଆକଳନ ପାଇଁ ଆୟୋଗ ଗତ କିଛି ମାସ ଧରି ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ନିୟମିତ ବୈଠକ କରୁଛନ୍ତି । ଅଧିକାରୀ କହିଛନ୍ତି, ସିଇଓମାନେ ସମସ୍ୟା କ୍ଷେତ୍ର, ଇଭିଏମର ଗତିବିଧି, ସୁରକ୍ଷା ବାହିନୀର ଆବଶ୍ୟକତା, ସୀମାରେ କଡା ନଜର ରଖିଛନ୍ତି । ନିର୍ବାଚନ ଆୟୋଗ ଚଳିତବର୍ଷ ନିର୍ବାଚନର ସୁରକ୍ଷା ଦୃଷ୍ଟିରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ଯୋଜନା ରଖିଥିବା କଥା ଅଧିକରୀମାନେ ଜଣାଇଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେ’ ପୂର୍ବରୁ ହେବାକୁ ଥିବା ଲୋକସଭା ନିର୍ବାଚନର ମୁକ୍ତ ଏବଂ ନିରପେକ୍ଷ ଆଚରଣ ପାଇଁ ନିର୍ବାଚନ ଆୟୋଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ବ୍ୟବହାର କରିପାରିବ । ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମରେ ଭୁଲ ତଥ୍ୟକୁ ଚିହ୍ନଟ ଏବଂ ଡିଲିଟ କରିବା ପାଇଁ ECI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ପାଇଁ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ କରିପାରେ ।

ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ମିଛ ଏବଂ ଭୟଭୀତ ବିଷୟ ହଟାଯିବା ତ୍ୱରାନ୍ୱିତ ହେବ  । ଯଦି କୌଣସି ଦଳ କିମ୍ବା ପ୍ରାର୍ଥୀ  ନିୟମ ଉଲ୍ଲଂଘନ କରନ୍ତି ତେବେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସେହି ଆକାଉଣ୍ଟକୁ ବ୍ଲକ କରାଯିବ ।

ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଥିବା ସ୍ବାବଲମ୍ବୀ କାରିଗରଙ୍କ ବୃଦ୍ଧି ହେଲା ପାରିଶ୍ରମିକ

ଭୁବନେଶ୍ୱର: ରାଜ୍ୟର ଗ୍ରାମ ପଞ୍ଚାୟତ ଗୁଡ଼ିକରେ କାମ କରୁଥିବା ସେଲଫ ଏମ୍ପ୍ଲୟେଡ୍ ମେକାନିକ୍ ବା ସ୍ବାବଲମ୍ବୀ କାରିଗରମାନଙ୍କର ପାରିଶ୍ରମିକ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ପୂର୍ବରୁ ୪ ହଜାର ଟଙ୍କା ଥିଲା। ଏବେ ଏହା ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପୂର୍ବ ପାରିଶ୍ରମିକଠାରୁ ୬୨ ଦଶମିକ ୫୦ ପ୍ରତିଶତ ଅଧିକ । ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।

ଫାଇଭ-ଟି ତଥା ନବୀନ ଓଡ଼ିିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରୁ ସ୍ବାବଲମ୍ବୀ କାରିଗର ଏବଂ ସେମାନଙ୍କ ପ୍ରତିନିଧିମାନଙ୍କଠାରୁ ପାରିଶ୍ରମିକ ବୃଦ୍ଧି ପାଇଁ ଅନୁରୋଧ ଓ ପ୍ରସ୍ତାବ ଆସିଥିଲା । ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟର ସମସ୍ତ ଗ୍ରାମକୁ ନିୟମିତ ସ୍ଵଚ୍ଛ ପାନୀୟଜଳ ଯୋଗାଣ ତଥା ଜଳକଷ୍ଟ ଦୂର କରିବା ପାଇଁ ଗ୍ରାମ ପଞ୍ଚାୟତଗୁଡ଼ିକରେ ଦୁଇ ଜଣ ଲେଖାଏଁ ସ୍ବାବଲମ୍ବୀ କାରିଗର ନିୟୋଜିତ ଅଛନ୍ତି। ସେମାନେ ପାଇପଜଳ ଯୋଗାଣ, ରକ୍ଷଣାବେକ୍ଷଣ ତଥା ନଳକୂଅ ମରାମତି ପାଇଁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି।