spot_img
Home Blog Page 2333

ମାଆ କନକ ଦୁର୍ଗାଙ୍କ ପୀଠରେ ବଳିଖେଳ, ଜାଣନ୍ତୁ ଏହି ପୂଜାର ମାହାତ୍ମ୍ୟ

ବାଲେଶ୍ବର: ନୀଳଗିରି ରାଜବାଟି ପରିସରରେ ଥିବା ଅଧିଷ୍ଟାତ୍ରୀ ଦେବୀ ମାଆ କନକ ଦୁର୍ଗାଙ୍କ ପୀଠରେ ପାଳିତ ହୋଇଛି ସ୍ଵତନ୍ତ୍ର ବଳିଖେଳ। ଏହି ବଳି ଖେଳରେ ବଳି ନାୟକ ହାତରେ  ଟାଙ୍ଗିଆ ଏବଂ ମଥାରେ ସିନ୍ଦୂର ପିନ୍ଧି ଲୋକଙ୍କୁ ଗଡାଉଥିବା ଦେଖିବାକୁ ମିଳେ। ଏଭଳି ଅନେକ ନିଆରା ପରମ୍ପରା ଓ ପୂରାତନ ରୀତିନୀତିକୁ ନେଇ ପାଳିତ ହୋଇଥାଏ ଏହି ନିଆରା ଉତ୍ସବ।

ଘଣ୍ଟ ଘଣ୍ଟା ଢୋଲ ମହୁରିରେ କମ୍ପୁଛି ନୀଳଗିରି ରାଜବାଟି । ନାନାଦି ମନ୍ତ୍ର ଉଚ୍ଚାରଣରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଶାରଦୀୟ ଦଶହରା ପାଇଁ ମାଆ କନକ ଦୁର୍ଗାଙ୍କ ପାଳିତ ହୋଇଛି ବଳିଖେଳ। ଶୁକ୍ଳ ତୃତୀୟାର ରାତିରେ ରାଜବାଟି ନିକଟ ଜଗନ୍ନାଥ ମନ୍ଦିରରୁ ମଶାଲ ଆଲୁଅରେ ବାହାରି  ଆସନ୍ତି ବଳିନାୟକ । ହାତରେ  ଟାଙ୍ଗିଆ ଏବଂ ମଥାରେ ସିନ୍ଦୂର ନାଇ ଲୋକଙ୍କୁ ଗୋଡାଇଥାନ୍ତି । ବଳିନାୟକ ଥରେ ଯାହାକୁ ଛୁଇଁଦେଲେ ଏହି ଖେଳ ବନ୍ଦ ହୁଏ । ପୁଣି ପର ଦିନ ଆରମ୍ଭ ହୋଇଥାଏ ଏହି ଖେଳ। ଯାହାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକେ ରାଜବାଟୀକୁ ଛୁଟି ଆସନ୍ତି ।

ବଳିଖେଳ ପ୍ରଥମେ 18ଶହ ମସିହାରେ ରାଜା ଗୋବିନ୍ଦ ଚନ୍ଦ୍ର ମର୍ଦ୍ଦରାଜ ଆରମ୍ଭ କରିଥଲେ । ଦୀର୍ଘ 16 ଦିନ ଧରି ଏହି ପରମ୍ପରା ପ୍ରଥମେ ଚାଲି ଆସୁଥିଲା । ବନ୍ୟଜନ୍ତୁ ଶିକାର କିମ୍ବା ଶତ୍ରୁକୁ ପରାଜିତ କରିବା ମାନସିକ ରଖି ରାଜା ପ୍ରଥମେ ମାଆ କନକ ଦୁର୍ଗାଙ୍କୁ ପୂଜା ଅର୍ଚ୍ଚନା କରି ବାହାରୁଥିଲେ । ଶୁଣିବାକୁ ମିଳେ  ବହୁ ବର୍ଷ ପୂବେ ଦୁର୍ଗାଅଷ୍ଟମୀ ରାତିରେ ନର ବଳି ଦିଆଯାଉଥିଲା । କାଳକ୍ରମେ ଏହି ପ୍ରଥା ବଦଳି ଏବେ କଖାରୁ ବଳି ମା’ଙ୍କ ନିକଟରେ ଦିଆଯାଉଛି ।

 

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଙ୍କୀ ଚର୍ଚ୍ଚିକା ପୀଠର ଉନ୍ନତି ପାଇଁ ୧୧ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଗତ ଅଗଷ୍ଟ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍-ଟି  ସଚିବ ଭି.କେ ପାଣ୍ଡିଆନ ବାଙ୍କୀ ଆସିଥିବା ବେଳେ ମାଆ ଚର୍ଚ୍ଚିକାଙ୍କ ଦର୍ଶନ କରି ପୀଠର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ  । ଆଜି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ କୋଟି ଟଙ୍କା ଘୋଷଣା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ  ଓ ଫାଇଭ-ଟି ସଚିବଙ୍କୁ ବାଙ୍କୀ ଜନସାଧାରଣ, ଚର୍ଚ୍ଚିକାଙ୍କ ସେବାୟତ ଓ ବାଙ୍କୀ ବିଧାୟକ ଧନ୍ୟବାଦ ଦେଇଛନ୍ତି ।

ଷଷ୍ଠୀରୁ ଭସାଣୀ, ରାଜଧାନୀ ହେବ ପୋଲିସ ଛାଉଣୀ

ଭୁବନେଶ୍ବର: ୩୧ ପ୍ଲାଟୁନ ଫୋର୍ସ ଛାଉଣୀ ଭିତରେ ରହିବ ଭୁବନେଶ୍ୱର । ୧୮୮ ଟି ମେଢ଼ ଏଥର ରାଜଧାନୀରେ ପୂଜା ପାଇବେ । ୬ ଟି କଣ୍ଟ୍ରୋଲ ରୁମ ଜରିଆରେ ତଦାରଖ କରିବେ ଡିସିପି । ପୂଜା ପାଇଁ ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ଷଷ୍ଠୀରୁ ଭସାଣୀ, ରାଜଧାନୀ ହେବ ପୋଲିସ ଛାଉଣୀ । ୬ ଟି କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ହେବ ସିକ୍ୟୁରିଟି ଓ ଟ୍ରାଫିକ ମ୍ୟାନେଜମେଣ୍ଟ । ୩ ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା ।

ପୋଲିସ କମିଶନରଙ୍କ ଥାନା ଆଇଆଇସିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା । ଧରାଵତରଣ କରିବେ ମା’ । ପୁରପଲ୍ଲୀ ଠାରୁ ସହର ବଜାର ସବୁଠି ଉତ୍ସବମୁଖର । ଭୁବନେଶ୍ବରରେ ମଧ୍ୟ ଦଶହରାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀରେ ଚଳିତବର୍ଷ ହେଉଥିବା ୧୮୮ ଟି ପୂଜା ମଣ୍ଡପର ସୁରକ୍ଷା ଦାୟିତ୍ୱରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଷଷ୍ଠୀ ଠାରୁ ଭସାଣି ପର୍ଯ୍ୟନ୍ତ ଡିସିପିଙ୍କ ନେତୃତ୍ବରେ  ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର,୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ଅପରାଧିକ କାର୍ଯ୍ୟକଳାପ ସହ ସହ ସିସିଟିଭି ଉପରେ ନଜର ରଖିବେ।

୩ ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ପୂର୍ବରୁ ବିଭିନ୍ନ ପୂଜା କମିଟି ଓ ଅନ୍ୟ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ଟ୍ରାଫିକ କଟକଣା ସହ ଭାରିଯାନ ଚଳାଚଳରେ ପ୍ରତିବନ୍ଧକ ନେଇ ଆଡ଼ଭାଇଜରି ଜାରି କରାଯାଇଛି । ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୂଜା ଦେଖିବାକୁ ଗଲାବେଳେ ନିଜ ଘର ର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କରିବା ସହ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି ପୋଲିସ କମିଶନର । ରବିବାର ମହାଷ୍ଟମୀ ଥିବାରୁ ମହିଳା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସହିଦନଗର, ରସୁଲଗଡ଼, ନୂଆପଲ୍ଲୀ, ଝାରପଡା ଓ ପଳାଶୁଣି ଠାରେ ମହିଳା ପୋଲିସଙ୍କୁ ନିୟୋଜିତ କରାଯିବ ।

୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ବର: ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଉ ମୁଣ୍ଡାରି ଭାଷା । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅନୁସୂଚିତ ଜାତି, ଜନଜାତି ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୬ଟି ପ୍ରସ୍ତାବରେ ମୋହର ବାଜିଛି । ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ବିସ୍ଥାପିତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଗୃହ ଯୋଜନା ଆରମ୍ଭ କରିଛନ୍ତି ସରକାର ।

ସେହିପରି ରାଜ୍ୟ ସମବାୟ ବିପଣନ ଫେଡେରେସନ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇଛି । ବ୍ଲକ ସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ଏହାସହ ବଲାଙ୍ଗୀର, ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଭିଲେପାର୍ଲେ କେଲାଭଣି ମଣ୍ଡଳ ବିଶ୍ବବିଦ୍ୟାଳୟ । ସେହିପରି ଚାଷ ହେଉନଥିବା ବିରଳ ପାରମ୍ପରିକ ଫସଲକୁ ନୂଆ କୃଷିନୀତି ଜରିଆରେ ବହୁବିଧ ଫସଲ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିପାଇଁ ରାଜ୍ୟ କାର୍ଯ୍ୟକ୍ରମ ବଜେଟରେ ଅର୍ଥ ବ୍ୟୟ ବରାଦ କରାଯିବ । ଏହାସହିତ ଇନ୍ଦ୍ରାବତୀ, ବ୍ରାହ୍ମଣୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିପରି ମୌସୁମୀ ଅଧିବେଶନ ସତ୍ରାବସାନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି ।

 

ଶିକ୍ଷିତ ଦମ୍ପତିଙ୍କୁ ସ୍ଵାବଲମ୍ବୀ କରିଛି ଛତୁ ଚାଷ

ରାୟଗଡ଼ା: ଶିକ୍ଷିତ ଦମ୍ପତିଙ୍କୁ ସ୍ଵାବଲମ୍ବୀ କରିଛି ଛତୁ ଚାଷ । ଉଚ ବେତନ ଚାକିରି ଛାଡି ନିଜ ଭିଟା ମାଟିରେ ନିଜ ସ୍ତ୍ରୀ ସହ ଛତୁ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଉଭୟ ସ୍ବାମୀ ସ୍ତ୍ରୀ ଗ୍ରାଜୁଏଟ୍ ହୋଇଥିଲେ ମଧ୍ୟ ଚାକିରି ପ୍ରତି  ବିମୁଖ ହୋଇ ଛତୁ ଚାଷ କରି ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟ ଦୁଇ ଜଣଙ୍କୁ ସ୍ଵାବଲମ୍ବୀ କରିବାରେ ସକ୍ଷମ ହୋଇପାରିଛନ୍ତି ।

ଛତୁ ଚାଷ ଦେଇଛି ରୋଜଗାର । ଶିକ୍ଷିତ ଦମ୍ପତିଙ୍କୁ ଦେଖାଇଛି ସ୍ବାଭିମାନର ସହ ବଞ୍ଜିବାର ରାହା । ଚାକିରି ପଛରେ ନ ଗୋଡାଇ ଏବେ ଚାଷରେ ମସଗୁଲ ରାୟଗଡା ପଦ୍ମପୁର ଗାଁର ଶ୍ରୀଖଣ୍ଡ ମଣ୍ଡନ ସାହୁ ଓ ସାବିତ୍ରୀ । ସ୍ବାମୀ-ସ୍ତ୍ରୀ ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଗ୍ରାଜୁଏସନ୍ । ଶ୍ରୀଖଣ୍ଡ ବିଭିନ୍ନ ବେସରକାରୀ ସଂସ୍ଥାରେ ଚାକିରି କରି ଭଲ  ଦରମା ମଧ୍ୟ ପାଉଥିଲେ  । ହେଲେ ନିଜ ଜନ୍ମ ମାଟିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ନିଶା ତାଙ୍କୁ ଟାଣିଆଣିଛି । ଏବେ ସେ ଅଞ୍ଚଳରେ ସଫଳ ଛତୁଚାଷୀ ଭାବେ ପରିଚୟ ପାଇଛନ୍ତି  । ନିଜେ ରୋଗାରକ୍ଷମ ହେବା ସହ ଅନ୍ୟକୁ ବି ରୋଜଗାର ଯୋଗାଇପାରିଛନ୍ତି । ଚାକିରି ପଛରେ ଗୋଡାଇ ଚାଷରୁ ମୁହଁ ଫେରାଉଥିବା ଯୁବ ଗୋଷ୍ଠୀଙ୍କ ପାଇଁ ଏହି ଦମ୍ପତି ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ଛତୁ ଚାଷ ପାଇଁ ଆବଶ୍ୟକୀୟ ବିହନ ବ୍ରହ୍ମପୁର ଓ ଗୁଣୁପୁରସ୍ଥିତ ଗାନ୍ଧୀ ବିଶ୍ବ ବିଦ୍ୟାଳୟରୁ ଆଣି ଛତୁ ଚାଷ ଆରମ୍ଭ କରିଥିଲେ ଏହି ଦମ୍ପତି । ବର୍ତମାନ ଏହି ଦମ୍ପତିଙ୍କ ଫାର୍ମରେ 720ରୁ ଅଧିକ ବେଡ ଛତୁ ଚାଷ ପାଇଁ ପ୍ରସ୍ତୁତ ହୋଇ ରହିଛି । ଦୈନିକ 15 କିଲୋରୁ ଅଧିକ ଛତୁ ଉତ୍ପାଦିତ ହେଉଛି । ଛତୁ କିଲୋ ପିଛା ୨୦୦ରୁ ୨୮୦ ଟଙ୍କାରେ ବିକ୍ରି କରି  ନିଜର ଆର୍ଥିକ ସ୍ଥିତି ସୁଦୃଢ କରିଛନ୍ତି ।

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳିତ

ଭୁବନେଶ୍ବର: ଭୁବନେଶ୍ବର ଏମସ ପକ୍ଷରୁ ବିଶ୍ବ ଆର୍ଥ୍ରାଇଟିସ୍ ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗଣ୍ଠିବାତ (ଆର୍ଥ୍ରାଇଟିସ୍) ଏବଂ ଅଟୋଇମ୍ୟୁନ୍‌ ରୋଗରେ ପୀଡ଼ିତ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ମାସ ଏମ୍‌ସ ଭୁବନେଶ୍ୱର ଜେନେରାଲ ମେଡିସିନ୍(ଭେଷଜ) ବିଭାଗ ଓପିଡିକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୫୦ରୁ ଅଧିକ ରୋଗୀଙ୍କୁ ପ୍ରତି ମାସରେ ଏହି ବିଭାଗରେ ଭର୍ତ୍ତି କରାଯାଉଥିବା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ ଅବସରରେ ଆୟୋଜିତ ଏକ ଜନସଚେତନତା କାର୍ଯ୍ୟକ୍ରମରେ ଡ. ବିଶ୍ବାସ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ଏମ୍‌ସ ଭେଷଜ ବିଭାଗ ପକ୍ଷରୁ ଏଭଳି ରୋଗୀଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ରିମାଟୋଲୋଜି କ୍ଲିନିକ୍‌ ସର୍ମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।

ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ ଏହି ଅବସରରେ କହିଛନ୍ତି ଯେ ଅଧିକାଂଶ କ୍ଷେତ୍ରରେ, ମହିଳାମାନେ ରିମାଟଏଡ୍ ଆର୍ଥ୍ରାଇଟିସ୍‌ରେ ଅଧିକ ପ୍ରଭାବିତ ହୁଅନ୍ତି। ସେହିପରି ପୁରୁଷଙ୍କ କ୍ଷେତ୍ରରେ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ ଅଧିକ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା କରାନଗଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଡ. ଦେ ସୂଚନା ଦେଇଛନ୍ତି। ଏମ୍‌ସ ଭୁବନେଶ୍ୱରରେ ଉପରୋକ୍ତ ରୋଗର ଚିହ୍ନଟ ଏବଂ ନିରାକରଣ ନିମନ୍ତେ ବିଭିନ୍ନ ବ୍ୟବସ୍ଥା ଉପଲବ୍‌ଧ ରହିଛି। ଚିକିତ୍ସା ନିମନ୍ତେ ଔଷଧ ସହିତ ଫିଜିଓଥେରାପି ନିମନ୍ତେ ପରାମର୍ଶ ଦିଆଯାଇଥାଏ। ଏମ୍‌ସରେ ଏନେଇ ପିଏମ୍‌ଆର ବିଭାଗ ରହିଛି।

ବର୍ତ୍ତମାନ ଭାରତରେ ୭ କୋଟିରୁ ଅଧିକ ଲୋକ ଆର୍ଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ।  ବୟସାଧିକଜନୀତ ସମସ୍ୟା, ସଂକ୍ରମଣ, ଅଟୋଇମ୍ୟୁନ୍‌ ସମସ୍ୟା ଆଦି ଏହି ରୋଗର କିଛି ପ୍ରମୁଖ କାରଣ ଅଟେ। ମଦ୍ୟପାନ ଏବଂ ଧୂମପାନ ଏହି ରୋଗକୁ ଅଧିକ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଥାଏ।

ବର୍ତ୍ତମାନ ସମୟରେ ଉପଲବ୍ଧ ଚିକିତ୍ସା ଅତ୍ୟନ୍ତ ପ୍ରଭାବଶାଳୀ। ଏହାର ଉପଯୋଗ କରି ରୋଗୀ ଯନ୍ତ୍ରଣାମୁକ୍ତ ଜୀବନ ବିତାଇ ପାରିବେ। ସନ୍ତୁଳିତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ।

ଏମ୍‌ସ ମେଡିସିନ୍ ବିଭାଗକୁ ରିମାଟଏଡ୍‌, ସୋରିଏଟିକ୍, ରିଆକ୍ଟିଭ୍ ଆର୍ଥ୍ରାଇଟିସ୍, ଲୁପ୍‌ସ, ସିଷ୍ଟମିକ୍ ସ୍କ୍ଲେରୋସିସ୍, ସୋଗ୍ରେନ୍ ସିଣ୍ଡ୍ରୋମ, ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍ ଆଦି ସମସ୍ୟାରେ ପିଡ଼ୀତ ରୋଗୀ ଚିକିତ୍ସା ନିମନ୍ତେ ଆସିଥାଆନ୍ତି। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଅଷ୍ଟିଓ-ଆର୍ଥ୍ରାଇଟିସ୍ ଭଳି ସମସ୍ୟା ଦେଖାଯାଇଥାଏ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ବିଭାଗୀୟ ମୁଖ୍ୟ ଡ. ଅନୁପମ ଦେ, ଡ. ରଶ୍ମୀ ରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ, ଡ. ଅନୁପମା ବେହେରା, ପିଏମ୍‌ଆର ବିଭାଗ ମୁଖ୍ୟ ଡ. ଜଗନ୍ନାଥ ସାହୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ଗୁରୁଦ୍ବୀପ ଦାସ ପ୍ରମୁଖ ଏହି ଅବସରରେ ଏହି ରୋଗର ଲକ୍ଷଣ, ନିଦାନ ଏବଂ ଉପଚାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ହମାସ ଆତଙ୍କବାଦୀଙ୍କ କବଳରୁ ମୁକୁଳିଲେ ୬୫ ବର୍ଷ ବୟସ୍କା ରାଚେଲ ଏଦ୍ରି

ବ୍ୟୁରୋ ରିପୋର୍ଟ: ୫ ହମାସ ଆତଙ୍କବାଦୀଙ୍କ କବଳରୁ କିପରି ମୁକୁଳିଲେ ୬୫ ବର୍ଷ ବୟସ୍କା ରାଚେଲ ଏଦ୍ରି? ଘଣ୍ଟାଏ ନୁହେଁ ଦୁଇ ଘଣ୍ଟା ନୁହେଁ, ପ୍ରାୟ ୨୦ ଘଣ୍ଟା ଧରି କିପରି ଆତଙ୍କୀଙ୍କ କବଳରେ ଥାଇ ବି ଜୀବନ ବଞ୍ଚାଇଲେ ରାଚେଲ? କେବଳ ଏତିକି ନୁହେଁ କଫି ଓ କୁକିଜ ଦେଇ ଆତଙ୍କୀଙ୍କୁ ଭ୍ରମିତ କରିଦେଲେ ରାଚେଲ । ଆଉ ଏଥିଲାଗି ରାଚେଲ ଓ ସ୍ବାମୀ ଡେଭିଡଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଘଟଣାଟି ଥିଲା ଏହିପରି। ଅକ୍ଟୋବର ୭ ଭୋର । ହଠାତ କାହିଁକୁଆଡୁ ମାଡିଆସିଲେ ସଶସ୍ତ୍ର ହମାସ ଉଗ୍ରବାଦୀ ।  ରାଚେଲଙ୍କ ଘରେ ବି ପଶିଗଲେ ହମାସ ଦୈତ୍ୟ । ମାତ୍ର ଏହି ଘଟଣାରେ ବିଚଳିତ ହେଲେନି ରାଚେଲ ।

ବରଂ ସାହସିକତାର ସହ ଆତଙ୍କବାଦୀଙ୍କ ସହ ଭଲ ବ୍ଯବହାର କଲେ । ହମାସ ଆତଙ୍କୀ ଦମ୍ପତିଙ୍କୁ କହିଥିଲେ ବ୍ୟସ୍ତ ହୁଅନାହିଁ । ତୁମେମାନେ ସହିଦ ହେବ । ସେମାନଙ୍କ ହାତରେ ହ୍ୟାଣ୍ଡଗ୍ରେନେଡ ଥିଲା ଓ ତାହା ଉନ୍ମୁକ୍ତ ଥିଲା । କୌଣସି ମୁହୂର୍ତ୍ତରେ ତାହା ଆକ୍ରମଣମୁଖୀ ଥିଲା । କିଛି ସମୟ ପରେ ସେଠାରେ ଇସ୍ରାଏଲ ନିରାପତ୍ତା ବାହିନୀ ପହଞ୍ଚି ରାଚେଲଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେବା ଲାଗି ଚାହିଁଥିଲେ । ମାତ୍ର ରାଚେଲ ଦମ୍ପତି ଜଣେ ପୋଲିସ ଅଫିସରଙ୍କ ସମ୍ପର୍କୀୟ ହୋଇଥିବାରୁ ଘରକୁ ଉଡାଇବା ଲାଗି ଚାହିଁ ନଥିଲେ ନିରାପତ୍ତା ବାହିନୀ । ଆତଙ୍କୀଙ୍କ ସହ ପୋଲିସ ବାହିନୀ ଆଲୋଚନା କରୁଥିବାବେଳେ ରାଚେଲ  ଆତଙ୍କୀଙ୍କୁ ଭ୍ରମିତ କରିବା ଲାଗି ଚେଷ୍ଟା କରିଥିଲେ ।

ଏପରିକି ସେମାନେ କ୍ଷୁଧିତ ଅଛନ୍ତି କି ବୋଲି ପଚାରିବା ସହ ସେମାନଙ୍କ ଲାଗି କଫି ଓ କୁକିଜ ପ୍ରସ୍ତୁତ କରିଥିଲେ । ଆହତ ଅବସ୍ଥାରେ ଥିବା କେତେକ ଆତଙ୍କୀଙ୍କ ହାତକୁ ରାଚେଲ ବ୍ୟାଣ୍ଡେଜ କରି କରିଥିଲେ । ଏହି ସମୟରେ ନିରାପତ୍ତା ବାହିନୀ ଘର ମଧ୍ୟକୁ ପଶିଆସି ଆତଙ୍କୀଙ୍କୁ କବଳିତ କରିଥିଲେ । ସୁଯୋଗ ନେଇ ଡାଭିଡ ପତ୍ନୀ ରାଚେଲଙ୍କ ନିକଟକୁ ଡେଇଁ ତାଙ୍କୁ ସୁରକ୍ଷା ଦେଇଥିଲେ । ଶେଷରେ ନିରାପତ୍ତା ବାହିନୀ ହାତରେ ସମସ୍ତ ଆତଙ୍କୀ ଧରା ପଡିଥିଲେ । ଏହି ଦମ୍ପତିଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ବାଇଡେନ ।

ଭାରତ ଆଗରେ ୨୫୭ ରନର ବିଜୟ ଲକ୍ଷ୍ୟ

ପୁନେ: ବାଂଲାଦେଶ ଭାରତ ବିପକ୍ଷ ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ୨୫୬ ରନ କରିବାରେ ସକ୍ଷମ ହୋଇଛି । ଭାରତ ଆଗରେ ୨୫୭ ରନର ବିଜୟ ଲକ୍ଷ୍ୟ ରହିଛି । ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ୫୦ ଓଭର ମଧ୍ୟରେ ୮ଟି ଓ୍ବିକେଟ ହରାଇ ୨୫୬ ରନ କରିବାରେ ସକ୍ଷମ ହୋଇଛି । ଭାରତ ନିଜର ପ୍ରଥମ ତିନୋଟି ମ୍ୟାଚ ଜିତିଥିବାବେଳେ ଏହି ମ୍ୟାଚରେ ବିଜୟ ହୋଇ ଧାରା ଜାରି ରଖିବା ପ୍ରୟାସ ଜାରି ରଖିବ । ବାଂଲାଦେଶ ପକ୍ଷରୁ ଲିଟନ ଦାସ ସର୍ବାଧିକ ୬୬ ରନ କରିଥିବାବେଳେ ତନଜିକ୍ ହାସନ ୫୧ ରନର ପାଳି ଖେଳିଛନ୍ତି । ଦୁଇ ଓପନର ବ୍ୟାଟ୍ସମ୍ୟାନ ଦମଦାର ପ୍ରଦର୍ଶନ କରିଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ପାଳି ଖେଳିପାରିନଥିଲେ । ମହମଦୁଲ୍ଲା ୩୬ ବଲରୁ ୪୬ ରନର ପାଳି ଖେଳିଥିଲେ । ଅର୍ଦ୍ଧଶତକ କରିବା ପୂର୍ବରୁ ଶେଷ ଓଭରେ ବୁମରାଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଭାରତୀୟ ବିଶ୍ବକପ ଦଳକୁ ଫେରିପାରନ୍ତି ଅକ୍ଷର ପଟେଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳକୁ ଫେରିପାରନ୍ତି ଅକ୍ଷର ପଟେଲ। ଭାରତରେ ଅନୁଷ୍ଠିତ ବିଶ୍ବକପ ପାଇଁ ଭାରତୀୟ ଦଳରେ ଅକ୍ଷର ସ୍ଥାନ ପାଇଥିଲେ । ଏପରିକି ଏସିଆ କପ ମଧ୍ୟ ଖେଳିଥିଲେ । କିନ୍ତୁ ସେ ଆହତ ହେବା ପରେ ଅଶ୍ବିନୀଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ପୁଣିଥରେ ଚର୍ଚ୍ଚା ହେଉଛି କି, ଅକ୍ଷର ପଟେଲ ଦଳକୁ ଫେରିପାରନ୍ତି । ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣଭାବେ ଫିଟ୍ ନଥିବା ଖବର ମିଳୁଛି । ଯଦି ସେ ଆହତ ବସନ୍ତି ତାହେଲେ ତାଙ୍କ ସ୍ଥାନରେ ଅକ୍ଷର ପଟେଲ ଦଳକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ଆହତ ହୋଇଥିବା ଅକ୍ଷର ପଟେଲ ଏବେ ସୁସ୍ଥ ହୋଇଥିବା କୁହାଯାଉଛି । ସେପଟେ ଯଦି ଅକ୍ଷର ପଟେଲ ପ୍ରଥମ ପସନ୍ଦ ଥିବାବେଳେ ବିଜୟ ଶଙ୍କର କିମ୍ବା ବୋଲରଭାବେ ଶିଭମ ଦୁବେଙ୍କୁ ଦଳରେ ସାମିଲ କରିପାରନ୍ତି । କିନ୍ତୁ ପାଣ୍ଡ୍ୟା ଏଯାବତ ସମ୍ପୂର୍ଣ୍ଣ ଭାବେ ଆହତ ହୋଇନାହାନ୍ତି । ସେ ଗୁରୁବାର ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳୁଛନ୍ତି ।

ପାଣ୍ଡ୍ୟା ନୂଆ ବଲରେ ଭଲ ବୋଲିକୁଥିବାବେଳେ ମଧ୍ୟକ୍ରମ ଏବଂ ଶେଷ ଓଭର ଗୁଡ଼ିକରେ ଦମଦାର ବୋଲିଂ କରିବାର ଅଭିଜ୍ଞତା ରହିଛି । ସେପଟେ ଯଦି ବ୍ୟାଟିଂ କଥା କହିବା ତାହେଲେ ବଡ଼ ବଡ଼ ସଟ୍ ମାରି ବୋଲରଙ୍କୁ ନୟାନ୍ତ ମଧ୍ୟ କରିପାରନ୍ତି । ଯାହାକି ପୂର୍ବରୁ ଅନେକ ମ୍ୟାଚରେ ଦେଖିବାକୁ ମିଳିଛି । ଯଦି ସେ ବିଶ୍ବକପରେ ଆହତ ହୋଇ ଦଳରୁ ବାହାରନ୍ତି ତାହେଲେ ଏହା ଭାରତୀୟ ଟିମ ପାଇଁ ମହଙ୍ଗା ସାବ୍ୟସ୍ତ ମଧ୍ୟ ହୋଇପାରେ ।

 

 

ଚଳିତ ବର୍ଷ ଦେଶରେ ହେବାକୁ ଯାଉଛି ପ୍ରାୟ ୩୫ ଲକ୍ଷ ବିବାହ 

ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଦେଶରେ ହେବାକୁ ଯାଉଛି ପ୍ରାୟ ୩୫ ଲକ୍ଷ ବିବାହ । ଏହି ବିବାହ ଯୋଗୁ ଭାରତର ବାଣିଜ୍ୟ ବ୍ୟବସାୟ ଆଖିଦୃଶିଆ ଭାବେ ବୃଦ୍ଧି ପାଇବ । ଚଳିତ ବର୍ଷ ଏନେଇ ୪ ଦଶମିକ ୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସୂଚନା ଦେଇଛନ୍ତି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ବା ସିଏଆଇଟି । ସିଆଇଏଟି ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି- ଆସନ୍ତା ନଭେମ୍ବର ୨୩ରୁ ଡିସେମ୍ବର ୧୫ ଯାଏ ଦେଶରେ ଆଖିଦୃଶିଆ ବିବାହ ଅନୁଷ୍ଠିତ ହେବ । ମାତ୍ର ୨୩ ଦିନ ମଧ୍ୟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଭାରତରେ ୪ ଦଶମିକ ୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି ।

ଭାରତରେ ପ୍ରତି ବିବାହ ପିଛା ହାରାହାରି ୫ ଲକ୍ଷ ଟଙ୍କା ବ୍ୟୟ ହିସାବରେ ଏହି ଆକଳନ କରାଯାଇଛି । ଗୋଆ, କେରଳ, ଜୟପୁର, ସିମଳାରେ ସବୁଠାରୁ ଅଧିକ ବିବାହ ହେବାକୁ ଯାଉଛି । ସେ କହିଛନ୍ତି ଏହି ବିବାହ ମଧ୍ୟରୁ ପ୍ରାୟ ୬ ଲକ୍ଷ ବିବାହ ୩ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟରେ ହେବା ଆଶା ରହିଛି । ନଭେମ୍ବର ୨୩, ୨୪, ୨୭, ୨୮, ୨୯, ଡିସେମ୍ବର ୩, ୪, ୭, ୮, ୯ରେ ଦେଶରେ ଅଧିକାଂଶ ବିବାହ ସମ୍ପନ୍ନ ହେବ । ଗତବର୍ଷ ଦେଶରେ ୩୨ ଲକ୍ଷ ବିବାହ ହୋଇଥିବାବେଳେ ମୋଟ ଖର୍ଚ୍ଚ ହୋଇଥିଲା ୩ ଲକ୍ଷ ୭୫ ହଜାର କୋଟି ଟଙ୍କା ।