spot_img
Home Blog Page 2334

ପୁଣି ବାତ୍ୟା ଭୟ, ଆଜି ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପ ସାଗରରେ ବାତ୍ୟା ଭୟ। ଦକ୍ଷିଣ ଆଣ୍ଡାମାନ ସାଗରରରେ ସୃଷ୍ଟ ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗର ଆାକଳନ ଅନୁସାରେ ଆଜି ଏହି ଅବପାତ ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା ରହିଚି। ସମୁଦ୍ର ଭିତରେ ଆାସନ୍ତା ୧ ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଅନୁମାନ କରାଯାଉଛି । ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ‘ମିଗଜାଉଂ’ ରଖାଯିବ । ମିଆାଁମାରର ପ୍ରସ୍ତାବ ଅନୁସାରେ ଏହି ବାତ୍ୟାର ନାମକରଣ ଏପରି କରାଯାଇଛି ।

ଆାଇଏମଡିର ଜିଏଫଏସ ମଡ଼େଲ ଅନୁସାରେ ବାତ୍ୟା ‘ମିଗଜାଉଂ’ ଆାହୁରି ଘନୀଭୂତ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉତ୍ତର – ପଶ୍ଚିମ ଦିଗେର ଗତି କରିବ । ପରବର୍ତ୍ତୀ ସମୟରେ ଏହି ସିଷ୍ଟମ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି  । ଡିସେମ୍ବର ୫ ତାରିଖ ବେଳକୁ ‘ମିଗଜାଉଂ’ ଉତ୍ତର ଆାନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଜିଏଫଏସ ମଡ଼େଲ ଆାକଳନ କରିଛି । ସେହିପରି ଇସିଏମ ମଡେଲର ଆାକଳନ ଅନୁସାରେ ଏହି ସିଷ୍ଟମ ଡିସେମ୍ବର ୨ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ।

ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ‘ମିଗଜାଉଂ’ ୬ ତାରିଖରେ ଉତ୍ତର ଆାନ୍ଧ୍ର ପ୍ରେଦଶ ଓ ଦକ୍ଷିଣ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ତେବେ ଏହି ସବୁ ମଡ଼େଲକୁ ତର୍ଜମା କରି ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମିଗଜାଉଂ’ ସୃଷ୍ଟି ହେବ ବୋଲି ଆାକଳନ କରିଛି । ଏହି ସମୟରେ ସମୁଦ୍ର ଭିତରେ ପବନର ଗତି ୬୦ ରୁ ୭୦ କିମି  ଓ ସ୍ଥଳ ବିଶେଷରେ ୮୦ କିମି ପ୍ରତି ଘଣ୍ଟା ରହିବ ବୋଲି ସୂଚନା ମିଳିଛି । ତେବେ ପରବର୍ତ୍ତୀ ସମୟରେ ଏହାର ତୀବ୍ରତା ଓ ଲ୍ୟାଣ୍ଡଫଲ ନେଇ କୈାଣସି ପୂର୍ବାନୁମାନ କରିନି ଆଇଏମଡ଼ି ।

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୪୧ ଶ୍ରମିକ, ରେସ୍କ୍ୟୁ ଟିମ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉତ୍ତରକାଶୀ: ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୪୧ ଜଣ ଶ୍ରମିକ। ରେସ୍କ୍ୟୁ ଟିମ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ପାଞ୍ଚ ଜଣ ଓଡ଼ିଆ। ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବା ପରେ ପରିବାର ବର୍ଗ ଖୁସି ବ୍ୟକ୍ତ କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବା ଖବର ଶୁଣି ମୋତେ ବହୁତ ଖୁସି ଲାଗିଲା । ଆମ ଲୋକମାନେ ସୁରକ୍ଷିତ ଘରକୁ ଫେରିବ । ଏଥିପାଇଁ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ୍ ଓ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଉଛି ।

ଟନେଲରୁ ସମସ୍ତ ୫ ଜଣ ଉଦ୍ଧାର ହେବା ପରେ ସେମାନଙ୍କ ପରିବାରକୁ ଫୋନ ମାଧ୍ୟମରେ ସୂଚନା ଦିଆଯାଇଛି। ମୟୂରଭଂଜ ବାଙ୍ଗିରିପୋଷି ଅଞ୍ଚଳର ଧୀରେନ ନାଏକ, ରାଜୁ ନାଏକ ଏବଂ ବିଶ୍ବେଶ୍ବର ନାଏକ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଂଚଳର ଭଗବାନ ଭତ୍ରା। ସେହିପରି ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ ଉଦ୍ଧାର ହୋଇଛନ୍ତି। ଏହି ଖୁସି ଖବର ପାଇବା ପରେ ପାଞ୍ଚ ଜଣକ ପରିବାରରେ ଖୁସି ଲହରି ଖେଳିଯାଇଥିଲା। ବାଣ ଫୁଟାଇ ନାଚ ଗୀତ କରି ସେମାନେ ଖୁସି ବ୍ୟକ୍ତି କରିଥିଲେ।

ଜିତିଲା ଜୀବନ; ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୫ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି…

ଉତ୍ତରକାଶୀ: ପ୍ରତୀକ୍ଷାର ଅନ୍ତ ହେଲା। ଦୀର୍ଘ ୧୭ ଦିନର କସରତ ପରେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୫ ଶ୍ରମିକ। ପ୍ରଥମେ ଅସୁସ୍ଥ ଓ ବୟସ୍କ ଶ୍ରମିକଙ୍କୁ କରାଯାଉଛି ଉଦ୍ଧାର।

ସୂଚନା ଅନୁଯାୟୀ, ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରୁଛି NDRF ଟିମ୍ । ଏଥିସହିତ ସେନା ଓ SDRF ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି। ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି।

ଅଧିକ ପଢନ୍ତୁ- ରାଟ-ହୋଲ୍ ମାଇନିଂ ସିଷ୍ଟମ କ’ଣ? ଯାହା ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ପାଇଁ ପାଲଟିଛି ବରଦାନ

ଚୀନରେ ବ୍ୟାପୁଛି ନିମୋନିଆ, ଆଲର୍ଟରେ ରାଜ୍ୟ ସରକାର

ଭୁବନେଶ୍ୱର: ଚୀନରେ ନିମୋନିଆ, ଆଲର୍ଟରେ ରାଜ୍ୟ ସରକାର। ଚୀନ ନିମୋନିଆ ନେଇ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସମସ୍ତ ରାଜ୍ୟକୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ମିଶନ ମୋଡରେ ନୂଆ ଭୂତାଣୁ ମୁକାବିଲା ପାଇଁ ପ୍ରାକ୍-ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ଯଦିଓ H9N2 ଭାଇରସ୍ ନୂଆ ନୁହେଁ, ଏବଂ ଏଯାଏଁ ଓଡ଼ିଶାରେ ଏହା ଟ୍ରେସ୍ ହୋଇନି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବି ଏହାକୁ ପୁରୁଣା ଭାଇରସ୍ ଭାବେ ବିବେଚନା କରୁଛି। ତେବେ ରାଜ୍ୟରେ ସର୍ଭେଲାନ୍ସ ବଢ଼ାଇବା ସହ ପ୍ରତି ଜିଲ୍ଲାରେ କୋଭିଡ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ସ୍ଥାନରେ ଏକାସଙ୍ଗେ ଅନେକ ରୋଗାକ୍ରାନ୍ତ ହେଲେ ମାସ୍ ଟେଷ୍ଟିଂ ବି ଆରମ୍ଭ କରାଯିବ। ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ କରାଯିବ।

ଆରଏମଆରସି ତଥ୍ୟ ଅନୁଯାୟୀ ବର୍ତ୍ତମାନ ଲାଗି ରହିଥିବା ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସ୍ ଯୋଗୁଁ ହେଉନି। ସେହିପରି ରାଜ୍ୟରେ ନୂଆ ଭାଇରସର ତଥ୍ୟ ମିଳିନି। ହେଲେ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନପାୱାର୍, ମେଡିସିନ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଥଣ୍ଡା କାଶ ରୋଗୀଙ୍କୁ ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ୍ କରିଛି।

ଚୀନରେ ନୂଆ ନିମୋନିଆ ଅଧିକାଂଶ ଛୋଟ ପିଲାଙ୍କୁ ଆକ୍ରାନ୍ତ କରୁଛି। ସେମାନଙ୍କ ନିଶ୍ବାସ ନେବାକୁ ବି ପ୍ରଭାବିତ କରୁଛି । ଲମ୍ବା ସମୟ ଧରି ଥଣ୍ଡା, କାଶ, ଜ୍ବର ଲାଗି ରହୁଛି। ଯାହା ଚୀନକୁ କଲବଲ କରିଛି। ହେଲେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କେବଳ ସତର୍କ ରହିବାକୁ ପଡ଼ିବ।

ଗିରଫ ହେଲେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ

ବୈପାରିଗୁଡ଼ା: ଗିରଫ ହେଲେ କୁବେର ଆଇଆଇସି। ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ପୁଳାପୁଳା ସମ୍ପତ୍ତି ଠାବ ହେବା ପରେ ଗିରଫ ହୋଇଛନ୍ତି। ସୁଶାନ୍ତଙ୍କ ନିକଟରୁ ଏଯାଏ ଜବତ ହେଲାଣି ୩୭ ଲକ୍ଷରୁ ଅଧିକ ଟଙ୍କା। ତାଙ୍କ କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିବାବେଳେ ବୈପାରିଗୁଡ଼ା କାର୍ଟର୍ସରୁ ୩ ଲକ୍ଷ, ଥାନା ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଓ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏସବୁ ୫ଶହ ଟଙ୍କିଆ ନୋଟ୍ ବୋଲି ସୂଚନା ମିଳିଛି ।

ଆଇଆଇସି କୋଉଠୁ ଏତେ ଟଙ୍କା ଆଣିଲେ ସେନେଇ କଟକ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରୁଛି । ଗତକାଲି ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ସୁଶାନ୍ତ କୁମାର ଶତପଥୀ । ବସରେ ଟଙ୍କା ନେଇ ଘରକୁ ଯାଉଥିବାବେଳେ ପ୍ରଥମେ ରେଡ୍ କରି ଦୁଇ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଆଇଆଇସି।

ପରେ ଥାନାରେ ତାଙ୍କ ଚ୍ୟାମ୍ବରରୁ ୧ ଲକ୍ଷ ୮୦ ହଜାର, ସେଠାକାର କ୍ବାର୍ଟର୍ସରୁ ୩ ଲକ୍ଷ ଓ ଆଜି ଆଜି କଟକ କ୍ବାର୍ଟର୍ସରୁ ଆଉ ୨୯ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ ହୋଇଛି । ଏଯାଏ ମୋଟ ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ କଲାଣି ଭିଜିଲାନ୍ସ । ଏହାଛଡ଼ା କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

ରାଟ-ହୋଲ୍ ମାଇନିଂ ସିଷ୍ଟମ କ’ଣ? ଯାହା ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ପାଇଁ ପାଲଟିଛି ବରଦାନ

ଉତ୍ତରକାଶୀ: ଉତ୍ତରକାଶୀର ସିଲକ୍ୟାରା ଟନେଲ ଟ୍ରାଜେଡିରେ ଶେଷ ଭରସା ହୋଇଛି ରାଟ-ହୋଲ ମାଇନିଂ ସିଷ୍ଟମ। ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ଏହା ପ୍ରାୟତଃ ଶେଷ ପ୍ଲାନ ଥିଲା ବୋଲି କୁହାଯାଉଛି। ୨୦୧୪ରେ ଏହି ପଦ୍ଧତିକୁ NGT ବ୍ୟାନ କରିଥିବାବେଳେ ଉତ୍ତରକାଶୀ ଅପରେସନରେ ଏହାକୁ ପ୍ରୟୋଗ କରାଯାଇଛି । ପୁରୁଣା ପଦ୍ଧତିରେ ଯେଉଁମାନେ କୋଇଲା ଉତ୍ତୋଳନ କରୁଥିଲେ ସେମାନଙ୍କୁ ରାଟ୍ ହୋଲ ମାଇନର ବୋଲି କୁହାଯାଏ।

ବିନା କୌଣସି ଯନ୍ତ୍ର ବ୍ୟବହାରରେ, ହାତରେ ପଥର ଖୋଳିଖୋଳି ଅତି ସଂକୀର୍ଣ୍ଣ ଗର୍ତ୍ତ ବା ସୁଡ଼ଙ୍ଗ ତିଆରି କରଥାନ୍ତି ରାଟ୍-ହୋଲ୍ ମାଇନର୍। ଏଥିରେ କେବଳ କେବଳ ଗଇଁତି, ବେଲଚା ଓ ଝୁଡ଼ି ବ୍ୟବହାର ହୋଇଥାଏ। ଏଥିରେ ସ୍ବାଭାବିକ ଢଙ୍ଗରେ ୩୦ରୁ ୧୨୦ ମିଟର ଯାଏଁ ଖୋଳା ହୋଇପାରିଥାଏ।

କୋଇଲା ଠାବ ହେବା ପରେ ଏକ ମିଟର ଉଚ୍ଚରେ ଏକ ସମାନ୍ତରାଳ ଟନେଲ ଖୋଳି କୋଇଲା ନିକଟରେ ପହଞ୍ଚି କୋଇଲା ଉତ୍ତୋଳନ କରାଯାଇଥାଏ । ତେବେ ଏହାକୁ ଜୀବନ ପ୍ରତି ବିପଦ ତଥା ପରିବେଶ ପ୍ରତି ବିପଦ ଦର୍ଶାଇ ଏହାକୁ ଏନଜିଟି ବ୍ୟାନ କରିଥିଲା ।

ରାଟ୍-ହୋଲ୍ ମାଇନିଂକୁ ନେଇ କାହିଁକି ବିବାଦ?

ସାଧାରଣତଃ ଏହି ପ୍ରକ୍ରିୟାରେ ମେଘାଳୟରେ ଅଧିକ ଖନନ କାମ କରାଯାଉଥିଲା। ଯଦିଓ ଏହି କାମ ସହଜ ଥିଲା ତଥାପି ଏଥିରେ ବିପଦ ଆଶଙ୍କା ଅଧିକ ରହୁଥିଲା। ଶ୍ରମିକ ମାନେ ବିନା କୌଣସି ସେଫ୍ଟି ଉପକରଣରେ ଖନନ ପାଇଁ ପାହାଡକୁ କାଟି କିମ୍ବା ଗାତ କରି ପଶିଯାଉଥିଲେ । କିନ୍ତୁ ସାମାନ୍ୟ ଅସାବଧାନତା ଏବଂ ବର୍ଷା ଦିନେ ଗାତରେ ପାଣି ପଶିଯିବା ଯୋଗୁଁ ସେମାନେ ଆଉ ବାହାରିନପାରି ଫଶି ଯାଉଥିଲେ । ଅନେକାଂଶରେ ସେମାନଙ୍କର ମୃତ୍ୟୁ ଘଟୁଥିଲା ।

ଏଥିରେ ବିପଦ ଆଶଙ୍କା ଦର୍ଶାଇ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ଏଭଳି ପ୍ରକ୍ରିୟା ଉପରେ କଟକଣା ଲଗାଇଥିଲେ । ଏପରିକି କୌଣସି ମାଇନିଂ କମ୍ପାନୀ ଏହି ପ୍ରକ୍ରିୟାରେ କାମ କରିପାରିବେ ନାହିଁ ବୋଲି ଦର୍ଶାଇଥିଲେ ଟ୍ରିବ୍ୟୁନାଲ୍ । ତେବେ ୨୦୧୮ ମସିହାରେ ରାଟ୍-ହୋଲ୍ ମାଇନିଂ ଯୋଗୁଁ ୧୫ ଶ୍ରମିକ ଗାତ ମଧ୍ୟରେ ଫସିଯାଇଥିଲେ । ଦୀର୍ଘ ଦୁଇ ମାସର ରେସ୍କ୍ୟୁ ଅପରେସନ୍ ପରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଆଉ କିଛି ସମୟ ମଧ୍ୟରେ ଟନେଲରୁ ଉଦ୍ଧାର ହେବେ ଶ୍ରମିକ। ଉତ୍ତରାଖଣ୍ଡ ଟନେଲ ଭିତରୁ ବାହାରିବେ ୪୧ ଶ୍ରମିକ। ଏନଡିଆରଏଫ ଟିମ୍‌ ଶ୍ରମିକଙ୍କ ପାଖକୁ ଯାଇ ଜଣକ ପରେ ଜଣଙ୍କୁ ଟନେଲ ମାଧ୍ୟମରେ ବାହାରକୁ ପଠାଇବେ। ସୁଡ଼ଙ୍ଗ ମୁହଁରେ ଆମ୍ବୁଲାନ୍ସ ଜଗି ରହିଥିବା ବେଳେ ଗୁରୁତର ଶ୍ରମିକଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବ।

ବୋଖନାଗଙ୍କ କୃପା, ଉଦ୍ଧାର ହେବେ ୪୧ ଶ୍ରମିକ

ଉତ୍ତରାଖଣ୍ଡ: ଆଉ ଅଳ୍ପ ସମୟର ଅପେକ୍ଷା । ଉଦ୍ଧାର ହେବେ ୪୧ ଶ୍ରମିକ । ତେବେ ଏହି ଶ୍ରମିକ ଉଦ୍ଧାର ହେବା ପଛରେ ବୋଖନାଗ ଦେବତାଙ୍କ କୃପା ରହିଛି । ସ୍ଥାନୀୟ ଲୋକେ ଏଭଳି କହିଥିବାବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବେଖନାଗଙ୍କ କୋପରୁ ଏଭଳି ଘଟିଥିଲା ଏବଂ ଏବେ କୃପା ହେବା ପରେ ଉଦ୍ଧାର ହେବେ ବୋଲି କୁହାଯାଉଛି। ଏନଡିଆରଏଫ ଟିମ ପାଇପ ମାଧ୍ୟମରେ ଶ୍ରମିକଙ୍କ ପାଖରେ ପହଞ୍ଚି ଉଦ୍ଧାର କରୁଛନ୍ତି । ତେବେ ଏହା ଦେବତାଙ୍କ କୃପାରୁ ସମ୍ଭବ ହୋଇଛି ବୋଲି କୁହାଯାଉଛି ।

ସ୍ଥାନୀୟ ଲୋକେ କହିଛନ୍ତି କି, ଟନେଲର ଠିକ ଉପରେ ରହିଥିବା ଜଙ୍ଗଲରେ ବୋଖନାଗ ଦେବତାଙ୍କ ମନ୍ଦିର ରହିଛି । କମ୍ପାନୀ ଯେତେବେଳେ ଟନେଲ ବନେଇଥିଲା ସେତେବେଳେ ମନ୍ଦିର ତିଆରି କରି ଟନେଲ କାମ ଆରମ୍ଭ କରିବା ପାଇଁ କହିଥିଲା । କିନ୍ତୁ ୨୦୧୯ ମସିହାରୁ ମନ୍ଦିର ନିର୍ମାଣ କରିନାହିଁ । ସେପଟେ ଗାଁ ନିକଟରେ ଥିବା ଛୋଟ ମନ୍ଦିର ମଧ୍ୟ ଭାଙ୍ଗି ଦେଇଥିଲା ଟନେଲ ନିର୍ମାଣକାରୀ କମ୍ପାନୀ । ସ୍ଥାନୀୟ ଲୋକେ ବାରମ୍ବାର ମନେ ପକାଇଥିଲେ ସୁଦ୍ଧା ନିର୍ମାଣକାରୀ ସଂସ୍ଥା ଏହା ଉପରେ ଗୁରୁତ୍ବ ଦେଇନଥିଲା । ଏଣୁ ଦେବତାଙ୍କ କୋପରୁ ଏଭଳି ଅଘଟଣ ଘଟିଛି ଏବଂ ଶ୍ରମିକମାନେ ଫସିଥିବା କୁହାଯାଉଛି।

ବୋଖନାଗ ଏହି ଅଂଚଳକୁ ରକ୍ଷା କରନ୍ତି ବୋଲି ବିଶ୍ବାସ ରହିଛି । କିନ୍ତୁ ଟନେଲ ନିର୍ମାଣକାରୀ ସଂସ୍ଥା ଏହାକୁ କର୍ଣ୍ଣପାତ କରିନଥିଲା । ଯାହାକି ଏଭଳି ବଡ଼ ଅଘଟଣର କାରଣ। ଫସିବା ଦିନରୁ ମଧ୍ୟ ସ୍ଥାନୀୟ ଲୋକେ ଏହା କହିଥିଲେ ମାତ୍ର ପ୍ରଥମେ ବିଶ୍ବାସ କରିନଥିଲେ। ପରେ ଟନେଲ ନିକଟରେ ଦେବାତଙ୍କ ପାଇଁ ଏକ ମନ୍ଦିର ତିଆରି କରାଯାଇଥିଲା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରା ସିଂ ଧାମି ଏବଂ ଉଦ୍ଧାରକାରୀ ଟିମ ମଧ୍ୟ ବୋଖନାଗଙ୍କ ଶରଣ ନେଇଥିଲେ । ପରେ ଦେବତାଙ୍କ କୃପା ହୋଇଛି । ଆଉ ଏବେ ଉଦ୍ଧାର ହେବାକୁ ଯାଉଛନ୍ତି ଫସିଥିବା ୪୧ ଶ୍ରମିକ ।

ମନ୍ଦିରର ପୂଜକ କହିଛନ୍ତି କି, କମ୍ପାନୀ ଅଧିକାରୀ ତାଙ୍କୁ ପରେ ଫୋନ କରିଥିବାବେଳେ ଭୁଲ୍ ମାଗିଥିଲେ । ଏହାପରେ ଟନେଲ ନିକଟରେ ଦେବାତଙ୍କ ଏକ ଛୋଟ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ବିଶେଷ ପୂଜାଚ୍ଚନା କରାଯିବା ସହ ବୋଖନାଗଙ୍କ କ୍ରୋଧ ଶାନ୍ତ କରାଗଲା । ଏହାସହ ସେ କହିଛନ୍ତି କି, ଉତ୍ତରାଖଣ୍ଡ ହେଉଛି ଦେବଭୂମି । ଏଠାରେ ଯେକୌଣସି ସଡ଼କ, ପୋଲ ଯାହା ନିର୍ମାଣ କରାଯାଉ ପ୍ରଥମେ ଦେବତାଙ୍କ ଏକ ଛୋଟ ମନ୍ଦିର ପ୍ରତିଷ୍ଠା କରାଯାଏ । ଭଗବାନଙ୍କ ଆଶୀର୍ବାଦ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ମାତ୍ର ଟେନଲ ନିର୍ମାଣକାରୀ ସଂସ୍ଥା ପ୍ରଥମେ ସ୍ଥାନୀୟ ମନ୍ଦିର ଭାଙ୍ଗିଲା ଏବଂ ନୂଆ ମନ୍ଦିର କାର୍ଯ୍ୟ ପୂର୍ବରୁ ପ୍ରତିଷ୍ଠା କରିନଥିଲେ। ଏହା ଅଘଟଣର ମୁଖ୍ୟ କାରଣ ବୋଲି ମଧ୍ୟ ମନ୍ଦିରର ପୂଜକ କହିଛନ୍ତି ।

ନିକଟରେ ଟନେଲ କାନ୍ଥରେ ପାଣି ଦ୍ୱାରା ସୃଷ୍ଟ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଟନେଲ ମୁହାଁଣରେ ପ୍ରତିଷ୍ଠା ହୋଇଥିବା ବାବାଙ୍କ ଅସ୍ଥାୟୀ ଛୋଟ ମନ୍ଦିର ପଛପଟେ ଗୁମ୍ଫା କାନ୍ଥରେ ପାଣିରେ ଏକ ଆକୃତି ସୃଷ୍ଟି ହୋଇଥିଲା । ଆକୃତି ଭଗବାନ ଶିବଙ୍କ ଭଳି ଥିଲା । ଯାହାକୁ ଭଗବାନଙ୍କ ଆର୍ଶିବାଦ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା ।

ଐତିହାସିକ ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ ସହର, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ‘କଟକ ଇନ୍ କଟକ’

କଟକ: ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା। ଉତ୍କଳୀୟ ପରମ୍ପରା, ଐତିହ୍ୟ ଓ ଗୌରବମୟ ଅତୀତର ଗାଥା ବହନ କରୁଛି ବାଲିଯାତ୍ରା। ଉଦଘାଟନୀ ଦିନରୁ ଯାତ୍ରାରେ ଜମିଥିଲା ଖଚାଖଚ ଭିଡ଼। ରାତିରେ ଆକାଶର ଅନ୍ଧାର ଭିତରେ ବାଟ କଢେଇ ନେଉଥିଲା ସୁଦୀର୍ଘ ଦୋଳିଗୁଡିକର ରଙ୍ଗିନ ଲାଇଟ୍ ।

ମହାନଦୀ କୂଳର ସୁଲୁସୁଲିଆ ପବନରେ ବୁଲିବା ସାଙ୍ଗକୁ ମିନାବଜାରର ମଜା ଉଠାଇଛନ୍ତି ଦର୍ଶକ। ଚଳିତ ବର୍ଷ ତଳ ଉପର ପଡିଆରେ ୧୨୪୦ଟି ଷ୍ଟଲ ପଡିଛି । ଏଥିରେ ସରକାରୀ ଷ୍ଟଲ କେବଳ ୨୦୦ଟି ରହିଛି । ଏହାବାଦ୍ ବାଟେଘାଟେ ବି ଅନେକ ଖୁଚୁରା ବେପାରୀଙ୍କ ଷ୍ଟଲ ଦେଖିବାକୁ ମିଳିଛି। ବାଲିଯାତ୍ରାରେ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ୭୭୭ଟି ସିସିଟିଭି ଲଗାଯାଇଛି । ପୋଲିସ ପକ୍ଷରୁ ବି ବ୍ୟାପକ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି । ସିଏମସି ଓ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଟିମ୍ ମଧ୍ୟ ଲଗାତର ଚଢାଉ ଜାରି ରଖିଛି।

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିଛି କଟକ ଇନ୍ କଟକ । ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଇନ୍ କଟକକୁ ଅଧିକ ଆକର୍ଷଣ କରାଯାଇଛି। ଏଠି ଦେଖବାକୁ ମିଳିଛି ଭଳିକି ଭଳି ମାଛ, ଗାଈ, ଗୋରୁ ସହ ଗୃହପାଳିତ ପଶୁ। କଟକ ଇନ୍ କଟକରେ ମିଳୁଛି ଚାଷ ସମ୍ବଧିୟ ଶିକ୍ଷା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କରାଯାଇଛି ସାଜସଜ୍ଜା। ଲୋକେ ମଧ୍ୟ ଜ୍ଞାନ ଆହରଣ ପାଇଁ ଜମାଉଛନ୍ତି ଭିଡ଼।

ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ‘ଆମ ବ୍ୟାଙ୍କ’, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏଣିକି ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା। ରାଜ୍ୟରେ ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ। ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ଯୋଗାଇ ଦେବାକୁ ଆଜି ଐତିହାସିକ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଆମ ବ୍ୟାଙ୍କ ସେବା ମିଳିବ।

ବ୍ୟାଙ୍କ ନଥିବା ୪ ହଜାର ୩୭୩ ପଞ୍ଚାୟତରେ ଖୋଲିବ CSP PLUS ବ୍ୟାଙ୍କିଂ ଆଉଟଲେଟ୍। ଏଥିରେ ୧୫ଗୋଟି ବ୍ୟାଙ୍କିଂ ସେବା ମିଳିପାରିବ। ଏଥିପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡ଼ିକୁ ଘର ଯୋଗାଇ ଦେବେ। ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ଏବଂ ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏହାଦ୍ବାରା ଗ୍ରାମାଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି। ଏମାନେ ହେଲେ – State Bank of India, Punjab National Bank, Union Bank of India, UCO Bank, Bank of India ଓ Bank of Baroda।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘‘ଆମ ବ୍ୟାଙ୍କ ମଡେଲ୍ ସାରା ଦେଶରେ ପ୍ରଥମ। ଏହି ବ୍ୟାଙ୍କିଂ ମଡେଲ ସାରା ଦେଶ ପାଇଁ ଏକ ରୋଲ୍ ମଡେଲ ହେବ। ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନରେ ସହାୟ ହେବ’’। ଏହି ଯୋଜନା ‘ଆମ ବ୍ୟାଙ୍କ’ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ ।

ସେହିପରି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କହିଥିଲେ, ବ୍ୟାଙ୍କ ସୁବିଧା ନ ଥିବା ପଞ୍ଚାୟତ ଗୁଡିକୁ ବ୍ୟାଙ୍କ ସେବା ଆଣିବା ପାଇଁ ଯେଉଁ ଗତିରେ କାମ ଚାଲିଛି, ସେହି ଗତିରେ କାମ ଚାଲିଲେ, ସବୁ ପଞ୍ଚାୟତରେ ପହଞ୍ଚିବା ପାଇଁ ୩୦ ବର୍ଷ ଲାଗିଥାନ୍ତା। କିନ୍ତୁ ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଏହା ମାତ୍ର ୬ ମାସ ମଧ୍ୟରେ ସମ୍ଭବ ହୋଇପାରୁଛି।

ଏଥିପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳା ଦୁଆର ମୁହଁରେ ସେବା ପାଇରିବେ । ୨୦୨୪ ଶେଷ ସୁ୍ଦ୍ଧା ସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ଖୋଲାଯିବ । ଏଥିପାଇଁ ୬ଟି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ବ୍ୟାଙ୍କ ପାଇଁ ସବୁ ଭିତ୍ତିଭୂମି ଯୋଗାଇଦେବେ ରାଜ୍ୟ ସରକାର । ଗତ ଅଗଷ୍ଟ ୧୧ତାରିଖରେ ବସିଥିବା କ୍ୟାବିନେଟ ବୈଠକରେ ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ ଖୋଲିବା ନେଇ ମଞ୍ଜୁରୀ ମିଳିଥିଲା ।

କୋରାପୁଟର ଆଦିବାସୀ ଲୋକ ମହୋତ୍ସବ ‘ପରବ’କୁ ମିଳିଲା ଜାତୀୟ ମାନ୍ୟତା

କୋରାପୁଟ: ପରବକୁ ମିଳିଲା ଜାତୀୟ ମାନ୍ୟତା। କୋରାପୁଟର ଆଦିବାସୀ ଲୋକ ମହୋତ୍ସବ ପରବକୁ ଜାତୀୟ ଆଦିବାସୀ ମହୋତ୍ସବ ମାନ୍ୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଘୋଷଣା କରିଥିବା କହିଛନ୍ତି ରାଜ୍ୟ ଭାଷା, କଳା ଓ ସଂସ୍କୃତି ବିଭାଗ। ପରବର ଉଦଯାପନୀ ସଂଧ୍ୟାରେ ଏହି ଘୋଷଣା କରିଛନ୍ତି ଭାଷା, କଳା ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ।

ଏହାକୁ ନେଇ କୋରାପୁଟ ଜିଲ୍ଲରେ ଏକ ସେଲିବ୍ରେସନର ମାହୋଲ ସୃଷ୍ଟି ହୋଇଛି। କୋରାପୁଟ ଜିଲ୍ଲାରେ ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଏହି ଆଦିବାସୀ ମହୋତ୍ସବ ଏବେ ୨୬ବର୍ଷରେ ପହଞ୍ଚିଛି। ଏହାକୁ ଜାତୀୟ ସ୍ତରରେ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ପ୍ରୟାସ କରିଆସୁଥିଲେ।

ଏବେ ପରବକୁ ଜାତୀୟ ମାନ୍ୟତା ମିଳିଥିବାରୁ ଜିଲ୍ଲାର ବିଧାୟକଙ୍କ ସହ ସମସ୍ତ ଲୋକ ପ୍ରତିନିଧି ଓ କୋରାପୁଟବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ କୋରାପୁଟ ଜିଲ୍ଲାପାଳ ମଧ୍ୟ ପରବକୁ ଜାତୀୟସ୍ତର ମାନ୍ୟତା ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।