spot_img
Home Blog Page 2380

ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହାୟତା ଲାଗି ହେଲିକପ୍ଟର ଦାବି କଲା ଓଡ଼ିଶା

ଭୁବନେଶ୍ୱର: ନକ୍ସଲ ମୁକାବିଲା ଲାଗି ଓଡ଼ିଶା ମାଗିଲା ହେଲିକପ୍ଟର। ମାଓ ଅଧ୍ୟୁଷିତ ଅଂଚଳରେ ସୁରକ୍ଷାକର୍ମୀଙ୍କ ସହାୟତା ଲାଗି ଏକ ସବୁଦିନିଆ ହେଲିକପ୍ଟର ଯୋଗାଇଦେବାକୁ ଦାବି କରିଛି ଓଡ଼ିଶା। ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ। ଏହାସହ ସେ କହିଛନ୍ତି ଯେ, ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥାନରେ ଅଛି। ପୂର୍ବରୁ ଓଡ଼ିଶାର ୨୧ ଜିଲ୍ଲା ନକ୍ସଲ ଉପଦ୍ରୁତ ଥିଲା। ଏବେ ୭ ଜିଲ୍ଲାରେ ନକ୍ସଲଙ୍କ କାର୍ଯ୍ୟକଳାପ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ମାଓ ଅଧ୍ୟୁଷିତ ଅଂଚଳରେ ନକ୍ସଲଙ୍କ ଉପସ୍ଥିତି ହ୍ରାସ ପାଇଛି । ଜନସାଧାରଣଙ୍କ ଗମନାଗମନ ସୁବିଧା, ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଯୋଗାଣ, ବାୟୁ ସ୍ବାସ୍ଥ୍ୟସେବା ଯୋଜନା ମାଧ୍ୟମରେ ଉନ୍ନତ ସ୍ବାସ୍ଥ୍ୟସେବାରୁ ମାଓ କାର୍ଯ୍ୟକଳାପ କମିଛି। ମାଓ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ରାଜ୍ୟ କେନ୍ଦ୍ରକୁ ଦାବି କରିଛି।

ଟେଲି ଯୋଗାଯୋଗ ସହ ଅଧିକ ସଂଖ୍ୟାରେ ମୋବାଇଲ ଟାୱାର ବସାଇବାକୁ କହିଛି ଓଡ଼ିଶା। ମାଲକାନଗିର ଜିଲ୍ଲାରେ ସଡ଼କ ଯୋଗାଯୋଗର ବିକାଶ ଏବଂ ଗୁରୁପ୍ରିୟା ସେତୁ ନିର୍ମାଣ ଦ୍ବାରା ଲୋକଙ୍କ ଜୀବନଧାରା ବଦଳିଛି। ଅନେକ ମାଓବାଦ ଛାଡି ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି୍। ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ଆହୁରି ଅଧିକ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି। ନକ୍ସଲ ମୁକାବିଲା ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନ ନେଇଛି ଏବଂ ଆଗକୁ ମଧ୍ୟ ଆଗରେ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଦିଲ୍ଲୀରେ ନକ୍ସଲ ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ। ଏଥିରେ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିପି ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାରୁ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଏଥିରେ ଯୋଗ ଦେଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ ।

କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର: କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ । ପ୍ରଶାନ୍ତ ଗୁପ୍ତା ହେଲେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି । ୫ ଉପଦେଷ୍ଟା, ୧୧ ଉପସଭାପତି, ୨୧ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ୨୨ ସମ୍ପାଦକ ଓ ୨୪ ଯୁଗ୍ମ ସଂପାଦକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ସେହିପରି ସମ୍ୱଲପୁର ଜିଲ୍ଲା ବିଜେଡିର ୫ ଉପଦେଷ୍ଟାଙ୍କୁ ନିଯୁକ୍ତ ଦିଆଯାଇଛି । ପ୍ରମିଳା ବହିଦାର, ବିଜୟ ମହାନ୍ତି, ଆର୍ତ୍ତତ୍ରାଣ ମିଶ୍ର, ପ୍ରମୋଦ ରଥ ଓ ରାଜକିଶୋର ଦାସ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତି ଦେଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

ଇରାନର ନର୍ଗିସ୍ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଜେଲରେ ଥାଇ ମିଳିଲା ନୋବେଲ ଶାନ୍ତି ପୁରସ୍କାର । ନୋବେଲ କମିଟି ପକ୍ଷରୁ ନର୍ଗିସ୍ ମହମ୍ମଦିଙ୍କୁ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଏବଂ ସମସ୍ତଙ୍କ ପାଇଁ ମାନବିକ ଅଧିକାର ତଥା ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଏବଂ ସମସ୍ତଙ୍କ ପାଇଁ ମାନବିକ ଅଧିକାର ତଥା ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନର୍ଗିସ୍ ମହମ୍ମଦି ଜଣେ ଇରାନର ମାନବାଧିକାର କର୍ମୀ ତଥା ଡିଫେଣ୍ଡର ଅଫ୍ ମାନବ ଅଧିକାର କେନ୍ଦ୍ର (DHRC) ର ଉପାଧ୍ୟକ୍ଷ । ସେ ଇରାନରେ ମୃତ୍ୟୁଦଣ୍ଡକୁ ରଦ୍ଦ କରିବା ଏବଂ ବନ୍ଦୀ ଲୋକମାନଙ୍କ ଅଧିକାରର ସୁରକ୍ଷା ପାଇଁ ଜଣେ ଓକିଲ ରହିଆସିଛନ୍ତି । ମାନବ ଅଧିକାର କାର୍ଯ୍ୟ ପାଇଁ ମହମ୍ମଦ ଅନେକ ଥର ଜେଲରେ ଯାଇଛନ୍ତି ।

ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି

କାରାଗାରର ବ୍ୟବହାର ଏବଂ ଇରାନ ଜେଲରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ନର୍ଗିସ୍ ମହମ୍ମଦିଙ୍କୁ ଖୋଲାଖୋଲି ଭାବେ କୁହାଯାଇଛି। ମହମ୍ମଦି ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପେ ଆଙ୍ଗର୍ ଆୱାର୍ଡ, ଓଲୋଫ୍ ପାଲମେ ପୁରସ୍କାର, ୟୁନେସ୍କୋ / ଗୁଇଲେର୍ମୋ କାନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଆୱାର୍ଡ ଏବଂ ପେନ୍ / ବାର୍ବି ଫ୍ରିଡମ୍ ଟୁ ରାଇଟ୍ ଆୱାର୍ଡ ଭଳି ପୁରସ୍କାର ସହିତ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛନ୍ତି । ତାଙ୍କୁ ବିସିସିଆଇର ୧୦୦ ପ୍ରେରଣାଦାୟକ ଏବଂ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ଭାବରେ ନାମିତ କରାଯାଇଥିଲା। ଅନେକ ଆହ୍ୱାନ ଏବଂ କାରାଗାରର ସମ୍ମୁଖୀନ ହୋଇଥିଲେ ମଧ୍ୟ ମହମ୍ମଦି ଇରାନରେ ମାନବିକ ଅଧିକାର ଏବଂ ଗଣତନ୍ତ୍ର ପାଇଁ ସଂଗ୍ରାମ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଏବେ ମଧ୍ୟ ନର୍ଗିସ ଜେଲରେ ଅଛନ୍ତି । ମହିଳାଙ୍କ ଅଧିକାର ପାଇଁ କାମ କରିଥିବାରୁ ତାଙ୍କୁ ୧୩ ଥର ଗିରଫ କରାଯାଇଛି । ସେ ଏବେ ଇରାନର ଏବିନ ଜେଲରେ ୩୧ ବର୍ଷ ପାଇଁ ଦଣ୍ଡ ଭୋଗୁଛନ୍ତି । ତାଙ୍କୁ ୧୫୪ ଥର ଚାବୁକ ମାଡ଼ ପାଇଁ ମଧ୍ୟ ଦଣ୍ଡାଦେଶ ହୋଇଛି ।

କାଲି ସରିଯିବ ୨୦୦୦ ଟଙ୍କିଆ ନୋଟର ଅବଧି

ନୂଆଦିଲ୍ଲୀ: ଆସନ୍ତାକାଲି ସରିଯିବ ୨୦୦୦ ଟଙ୍କିଆ ନୋଟର ଅବଧି। କାଲି ହେଉଛି ୨ ହଜାର ଟଙ୍କା ନୋଟ ବଦଳାଇବାର ଶେଷ ଦିନ। ଏହାପରେ ଆଉ କୌଣସି ବ୍ୟାଙ୍କ ବ୍ରାଂଚରେ ନୋଟକୁ ବଦଳାଯାଇପାରିବ ନାହିଁ। ପୂର୍ବରୁ ସେପ୍ଟେମ୍ବର ୩୦ ସୁଦ୍ଧା ନୋଟ ବଦଳାଇବାକୁ ସମୟ ସୀମା ଧାର୍ଯ୍ୟ କରିଥିଲେ ରିଜର୍ଭ ବ୍ୟାଙ୍କ। ପରେ ଏହାର ଅବଧି ଅକ୍ଟୋବର ୭କୁ ବୃଦ୍ଧି କରାଯାଇଥିଲା। ଆସନ୍ତାକାଲି ଶନିବାର ଥିବାରୁ ଅନେକ ବ୍ୟାଙ୍କରେ ଅଧା ଦିନ ଅଫିସ୍ କାର୍ଯ୍ୟ ରହିବ। ତେଣୁ ଗ୍ରାହକଙ୍କୁ ନୋଟ୍ ବଦଳାଇବାକୁ କମ ସମୟ ମିଳିବ।

୩୧ ମାର୍ଚ୍ଚ ସୁଦ୍ଧା ଦେଶରେ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଜାରରେ ମହଜୁଦ ଥିବା ବେଳେ ସେଥିମଧ୍ୟରୁ ୩. ୪୩ ଲକ୍ଷ କୋଟିର ନୋଟ ବ୍ୟାଙ୍କରେ ମହଜୁଦ ହୋଇସାରିଛି। ଅର୍ଥାତ୍ ୦.୧୪ଲକ୍ଷ କୋଟି ଟଙ୍କା ବର୍ତ୍ତମାନ ଦେଶରେ ମହଜୁଦ ଅଛି। ୨୯ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୯୬% ୨୦୦୦ ଚଙ୍କିଆ ନୋଟ ଫେରସ୍ତ ହୋଇସାରିଥିଲା। ଏଥିସହ ଆରବିଆଇ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଯଦି ଆପଣ ୨୦୦୦ ଟଙ୍କିଆ ଟଙ୍କାକୁ ସଠିକ୍ ସମୟ ମଧ୍ୟରେ ବ୍ୟାଙ୍କରେ ଜମା କରିପାରିବେ ନାହିଁ ତାହାଲେ ଆରବିଆଇର ୧୯ କ୍ଷେତ୍ରୀୟ କାର୍ଯ୍ୟାଳୟରେ ବଦଳାଇଯାଇପାରିବ।

୨୦୦୦ ଟଙ୍କିଆ ନୋଟ ପ୍ରଥମ ଥର ପାଇଁ  ୨୦୧୬ରେ ମାର୍କେଟକୁ ଆସିଥିଲା। ୭ ଅକ୍ଟୋବର ୨୦୨୩ ନୋଟର ଶେଷ ଦିନ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୨୦୦୦ ଟଙ୍କିଆ ନୋଟକୁ ମେ ୧୯ ତାରିଖରୁ ଏହା ଉପରେ କଟକଣା ଲଗାଇଥିଲେ କିନ୍ତୁ ଏହାକୁ ବ୍ୟାଙ୍କରେ ଜମା କରିବାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ଯଦି ଆପଣଙ୍କ ପାଖରେ ଏବେବି ୨୦୦୦ ଟଙ୍କିଆ ନୋଟ ମହଜୁଦ ଅଛି ତାହାଲେ ଆପଣ କାଲି ଭିତରେ ଏହାକୁ ବ୍ୟାଙ୍କରେ ଜମା କରିପାରିବେ।

 

 

ପୁଣି ରକ୍ତମୁଖା ଋଷ, ମିଜାଇଲ୍ ମାଡ଼ରେ ୫୦ରୁ ଉର୍ଦ୍ଧ୍ୱ ମୃତ

କିଭ୍: କିଛି ମାସର ବ୍ୟବଧାନ ପରେ ପୁଣି ରକ୍ତମୁଖା ଋଷ। ପଶ୍ଚିମ ୟୁକ୍ରେନର ଏକ ଅଞ୍ଚଳରେ କରିଛି ରକେଟ ମାଡ। ଆକ୍ରମଣରେ ପ୍ରାଣ ହରାଇଛନ୍ତି ୫୧ ଜଣ ନାଗରିକ। କିଛି ମାସ ପରେ ଏହି ଆକ୍ରମଣ ସବୁଠାରୁ ବଡ ବୋଲି ସୂଚନା ମିଳିଛି। ସେପଟେ ସ୍ପେନରେ ୫୦ ଜଣ ୟୁରୋପୀୟ ନେତାଙ୍କ ସହ ବୈଠକରେ ଯୋଗଦେଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ପଶ୍ଚିମ ୟୁକ୍ରେନ ଅନ୍ତର୍ଗତ ଖାର୍କିବର ଏକ ଗ୍ରାମରେ ଥିବା ଏକ କାଫେ ଉପରେ ଋଷ ଅଚାନକ ରକେଟ ମାଡ କରିଥିଲା। ସେଠାରେ ଥିବା ୬୦ ଲୋକଙ୍କ ମଧ୍ୟରୁ ୫୦ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ଥିବା ସୂଚନା ମିଳିଛି। ଏହି ହମଲାରେ ଇସ୍କନ୍ଦର ମିସାଇଲ ବ୍ୟବଦୃତ ହୋଇଥିବା କହିଛି ୟୁକ୍ରେନ। ଏହି ଅଞ୍ଚଳକୁ ପ୍ରଥମେ ଋଷ ନିଜ କବଜାରେ ରଖିଥିଲା। ମାତ୍ର ଗତବର୍ଷ ସେପ୍ଟେମ୍ବରରୁ ଏହାକୁ ପୁଣି କବଜା କରିଛି ୟୁକ୍ରେନ।

 

ନୂଆଦିଲ୍ଲୀରେ ମାଓ ମୁକାବିଲା ନେଇ ବୈଠକ

ନୂଆଦିଲ୍ଲୀ: ମାଓ ମୁକାବିଲା ନେଇ ବୈଠକ। ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଛି ଏ ବୈଠକ । ବିଜ୍ଞାନ ଭବନଠାରେ ଚାଲିଛି ଏ ଉଚ୍ଚସ୍ତରୀୟ ବୈଠକ । ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଛନ୍ତି। ବୈଠକରେ ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ବୈଠକରେ ଯୋଗଦେଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ. ଜଗନମୋହନ ରେଡି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରମୁଖ ସଚିବ ଅଜୟ ଭଲ୍ଲା ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ଗୁଇନ୍ଦା ବିଭାଗ, ଏନଆଇଏ, ବିଏସଏଫ୍, ଏନଏସଜି, ସିଆରପିଏଫ୍ ଏବଂ ଏସଏସଜିର ଡିଜି ବୈଠକରେ ଉପସ୍ଥିତ ଅଛନ୍ତି। ଏହାସହ ଓଡ଼ିଶା ସମେତ ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡିକର ଗୃହ ଏବଂ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗ ଦେଇଛନ୍ତି।

ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ନେଇ ରଣନୀତି ଉପରେ ଆଲୋଚନା ଚାଲିଛି। ନକ୍ସଲବାଦ ମାନବିକତା ପ୍ରତି ଏକ ଅଭିଶାପ। ଏହାର ମୂଳତ୍ପାଟନ ଲାଗି ସରକାରଙ୍କ କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି। କ୍ରମାଗତ ଚତୁର୍ଥ ଥର ପାଇଁ RBI ରେପୋ ରେଟରେ କୌଣସି ବୃଦ୍ଧି କରିନାହାନ୍ତି। RBIର ମନିଟାରୀ ପଲିସି କମିଟି ବୈଠକ ପରେ ରେପୋ ରେଟକୁ ପୂର୍ବଭଳି ୬.୫ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଲୋନ୍ ଏବଂ ଇଏମଆଇରେ କୌଣସି ବୃଦ୍ଧି ହେବ ନାହିଁ।

ଅଶୋଧିକ ତୈଳ ଦରରେ ବୃଦ୍ଧି, ବିଶ୍ବ ବଜାରରେ ଖାଦ୍ୟ ସାମଗ୍ରୀ ଓ ଶକ୍ତି ଦରରେ ବୃଦ୍ଧି, ଭାରତରେ ବିଭିନ୍ନ ଡାଲି ଜାତୀୟ ସାମଗ୍ରୀର ଉତ୍ପାଦନରେ ହ୍ରାସ ଏବଂ  ଅନିଶ୍ଚିତ ମୁଦ୍ରାସ୍ଫିତିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ତେବେ ଚଳିତ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫିତି ୫.୪ ପ୍ରତିଶତରେ ରଖିବାକୁ RBI ଆଶା କରିଥିବା ବେଳେ ଆସନ୍ତାବର୍ଷ ଏହାକୁ ୫.୨ ପ୍ରତିଶତ ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି।

ଭଉଣୀ ଟଙ୍କା ନଦେବାରୁ, ନିଜ ବନ୍ଧୁକରୁ ଗୁଳି କରିଦେଲା ଭାଇ

କେନ୍ଦୁଝର : ସମ୍ପର୍କରେ ଲାଗିଛି ରକ୍ତର ଛିଟା । ଯେଉଁ ହାତରେ ରାଖୀ ବାନ୍ଧୁଥିଲା ଭଉଣୀ ସେହି ହାତରେ ଗୁଳି ମାରିଦେଲା ଭାଇ । ବିଭତ୍ସ, ଜଘନ୍ୟ, ଲୋମହର୍ଷଣ କହିଲେ ଭୁଲ ହେବ ନାହିଁ । ସଇତାନ ଭାଇର ଭୟଙ୍କର କାଣ୍ଡ । ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । ଗୁଳିମାଡ଼ରେ ଭଉଣୀ ମୃତ । କେନ୍ଦୁଝର ପଣ୍ଡାପଡା ଥାନା ସୋମଗିରି ଗ୍ରାମର ଘଟଣା । ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର ଭଉଣୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ  ଏକ କମ୍ପାନୀରେ ଗନମ୍ୟାନ ଭାବେ କାର୍ଯ୍ୟ କରେ । ପ୍ରସନ୍ନର ଦେହ ଖରାପ ଥିବାରୁ ସେ ଭଉଣୀ ମାଳତୀ ବାରିକକୁ ଟଙ୍କା ମାଗିଥିଲା । ଭଉଣୀ ଟଙ୍କା ନଦେବାରୁ ଭାଇ ପ୍ରସନ୍ନ ଉତକ୍ଷିପ୍ତ ହୋଇ  ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି କାନ୍ଧ ତଳେ ବାଜି ଥିଲା । ଭଉଣୀ ମାଳତୀ ମୃତ୍ୟୁ ହୋଇଛି ।

୭ ମହଲା ବିଲଡିଂରେ ଅଗ୍ନିକାଣ୍ଡ; ୬ ମୃତ, ୪୦ରୁ ଅଧିକ ଆହତ

ମୁମ୍ବାଇ: ମୁମ୍ବାଇ ଗୋରେଗାଓଁରେ ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ୭ ମହଲା ବିଲଡିଂରେ ଅଗ୍ନିକାଣ୍ଡ ଘଟିବାରୁ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବଳେ ୪୦ ଜଣ ଆହତ ହୋଇଛନ୍ତି । ମୃତଙ୍କ ମଧ୍ୟରେ ଜଣେ ପୁରୁଷ ଥିବାବେଳେ ୫ ଜଣ ମହିଳା ଅଛନ୍ତି।

ଆହତଙ୍କ ମଧ୍ୟରେ ଅଛନ୍ତି ୧୩ ମହିଳା ଓ ୨୮ ପୁରୁଷ। ସମସ୍ତଙ୍କୁ ଏଚବିଟି ହସ୍ପିଟାଲ ଓ କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୋରେଗାଓଁ ଓ୍ବେଷ୍ଟ ଆଜାଦ ନଗର ଅନ୍ତର୍ଗତ ଜୟ ଭବାନୀ ବିଲଡିଂରେ ଆଜି ଭୋରରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସୂଚନା ମିଳିନାହିଁ ।

ସିକିମରେ ବନ୍ୟା ବିଭୀଷିକା; ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ଏବେବି ଚାଲିଛି ଉଦ୍ଧାରକାର୍ଯ୍ୟ

ସିକିମ: ସିକିମରେ ବନ୍ୟା ବିଭୀଷିକା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା ଓ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ନିଖୋଜ ଯବାନଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି । ସେପଟେ ସିକିମ ବନ୍ୟାରେ ମୋଟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ୧୦୪ ନିଖୋଜ ଅଛନ୍ତି। ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ। ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ଉତ୍ତର ସିକ୍କିମର ଲୋନାକ ହ୍ରଦର ଉପରିଭାଗରେ ମଙ୍ଗଳବାର ରାତିରେ ହୋଇଥିଲା ବାଦଲ ଫଟା ବର୍ଷା। ଚୁଙ୍ଗଥାଙ୍ଗ ଡ୍ୟାମ ବିପଦସଙ୍କେତ ଡେଇଁବା ପରେ ତିସ୍ତା ନଦୀରେ ହଠାତ ବଢିଆସିଥିବା ବନ୍ୟାପାଣି। ଏପରିକି ତଳିଆ ଅଞ୍ଚଳରେ ନଦୀର ଜଳସ୍ତର ଅଚାନକ ୧୫ରୁ ୨୦ ଫୁଟ ବଢିଯାଇଥିଲା। ତିସ୍ତା ନଦୀ ଉପରେ ଥିବା ସିଙ୍ଗଥାମ ଫୁଟ ବ୍ରିଜ ଭାସି ଯାଇଛି। ପଶ୍ଚିମବଙ୍ଗ ସହ ସିକିମକୁ ଯୋଡୁଥିବା ଜାତୀୟ ରାଜପଥର ବହୁ ଭାଗ ନିଶ୍ଚିହ୍ନ ହୋଇଛି। ତିସ୍ତା ନଦୀରେ ପାଣି ଆସିବାରୁ ଏହାର ପ୍ରଭାବ ପଡୋଶୀ ପଶ୍ଚିମବଂଗ ଅଂଚଳରେ ମଧ୍ୟ ପଡିଛି।