ନନ୍ଦିଘୋଷ ବ୍ୟୁରୋ: ଆଳୁ କରିବ କ୍ୟାନସରର ମୁକାବିଲା। ଆଳୁରେ ତିଆରି ହେବ ଏବେ କ୍ୟାନସରର ଔଷଧ। କର୍କଟ ରୋଗ ଏବେ ବିଶ୍ବରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଆଗାମୀ ୨୦ବର୍ଷ ମଧ୍ୟରେ କ୍ୟାନସର ରୋଗୀଙ୍କ ସଂଖ୍ୟ ୨.୮କୋଟି ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାର ନିରାକରଣ ପାଇଁ ବିଭିନ୍ନ ଗବେଷଣା ଓ ଅଧ୍ୟୟନ ହେଉଛି। ତେବେ କର୍କଟ ରୋଗ ଯନ୍ତ୍ରଣା କମାଇବା ପାଇଁ ଏବେ ବୈଜ୍ଞାନିକମାନେ ଆଳୁରୁ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଆଳୁରେ ଥିବା ଗ୍ଲାଏକୋଏଲକାଲାଇଡ୍ସ କ୍ୟାନସର ଜୀବାଣୁକୁ ମାରିବାକୁ ସହାୟକ ହେବ । ଗ୍ଲାଏକୋଏଲକାଲାଇଡ୍ସ କ୍ୟାନସର କୋଷିକାଗୁଡିକୁ ନଷ୍ଟ କରିବା ସହ ବୃଦ୍ଧି କରିବାରୁ ରୋକିବ । ଏଥିରେ ସୋଲାନାଇନ, ଚାକୋନାଇନ, ସୋଲାସୋନାଇନ, ସୋଲାମାର୍ଜାଇନ ଓ ଟୋମାଟାଇନ ଅଛି। ଯାହା କ୍ୟାନସର ରୋଗୀଙ୍କୁ ଭଲ କରିବାରେ ସାହାଯ୍ୟ କରିବ । ସେଥିପାଇଁ ଭବିଷ୍ୟତରେ କ୍ୟାନସର ରୋଗୀକୁ ଆଳୁ ଭଲ କରିପାରିବ ଏଥିରେ ସନ୍ଦେହ ନାହିଁ।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ
ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ । ଆମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ। ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ କୌଣସି କଂଗ୍ରେସ ନେତା ଯିବେ ନାହିଁ।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବିବୃତ୍ତିରେ କହିଛନ୍ତି ଯେ ଗତ ମାସରେ ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ନିମନ୍ତ୍ରଣ କରାଯାଇଥିଲା।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧୁରା ରାମ ମନ୍ଦିରର ଉଦ୍ଘାଟନ କରାଯାଉଛି । ଆମ ଦେଶର ଲକ୍ଷ ଲକ୍ଷ ଲୋକେ ଭଗବାନ ରାମଙ୍କ ପୂଜା କରନ୍ତି। ଧର୍ମ ଏକ ବ୍ୟକ୍ତିଗତ ମାମଲା। ବିଜେପି ଏବଂ ଆରଏସଏସ ନେତାଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠାକୁ ନିର୍ବାଚନ ଲାଭ ପାଇଁ ବ୍ୟବହାର କରାଯାଉଛି। ୨୦୧୯ର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପାଳନ କରି ଓ ଭଗବାନ ରାମଙ୍କ ସମ୍ମାନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ସମ୍ମାନ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଓ ଅଧୀର ରଞ୍ଜନ ଚୌଧୁରୀ ସମ୍ମାନପୂର୍ବକ ନିମନ୍ତ୍ରଣକୁ ଅସ୍ୱୀକାର କରିଛନ୍ତି।
ରାଜ୍ୟରେ ଜଳସେଚନକୁ ଆହୁରି ସୁଦୃଢ କରିବାକୁ ମାଷ୍ଟରପ୍ଲାନ
ଭୁବନେଶ୍ବର: ରାଜ୍ୟରେ ଜଳସେଚନକୁ ଆହୁରି ସୁଦୃଢ କରିବାକୁ ଜଳ ସମ୍ପଦ ବିଭାଗର ମାଷ୍ଟରପ୍ଲାନ । ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍ । ଏଥିପାଇଁ ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ ନିର୍ମାଣ ହେବାକୁ ଥିବା ଚେକ ଡ୍ୟାମ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଭୂତଳ ଜଳ ରିଚାର୍ଜ ଓ ଚାଷର ଉନ୍ନତି । ଏଥି ସହ ଦୁର୍ବଳ ଚେକ୍ ଡ୍ୟାମର ମରାମତି ପାଇଁ ବି ଅର୍ଥ ମଞ୍ଜୁର ହୋଇଛି ।
ପ୍ରତି ବ୍ଲକର ଜଳସେଚନ ସୁବିଧାକୁ ସମୀକ୍ଷା କରିବ ଜଳ ସମ୍ପଦ ବିଭାଗ । ଯେଉଁ ବ୍ଲକରେ ୩୫ ପ୍ରତିଶତରୁ କମ୍ ଜମିକୁ ଜଳସେଚନ ସୁବିଧା ଥିବ, ସେଠାରେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮୧୧.୪୫କୋଟି ବ୍ୟୟରେ ୧୨୮୦ଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ । ଯେଉଁ ଚେକ୍ ଡ୍ୟାମ୍ଗୁଡ଼ିକ ଭାଙ୍ଗିଯାଇଛି ସେଗୁଡ଼ିକର ମରାମତି କରାଯିବ । ୨୦୯୨ଟି ଚେକ୍ ଡ୍ୟାମର ଉନ୍ନତିକରଣ ପାଇଁ ୧୫୭.୫୮କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।
ଏହି ପରି ଚେକ୍ ଡ୍ୟାମ୍ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୬୯କୋଟି ୩ଲକ୍ଷ ଖର୍ଚ୍ଚ କରାଯିବ । ଚେକ୍ ଡ୍ୟାମ୍ ଗୁଡ଼ିକ ଚାଷୀଙ୍କୁ ଖରିଫ ଋତୁରେ ପାଣି ଯୋଗାଇବ । ଏହି ଜଳସେଚନ ଉଦ୍ୟାନ କୃଷି ପାଇଁ ସହାୟକ ହେବ । ସେହିପରି ମୌସୁମୀ ପରବର୍ତ୍ତୀ ସମୟରେ ଲୋକଙ୍କ ପିଇବା ପାଣି ଓ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବ୍ୟବହାର କରାଯିବ । ୧୨୮୦ଟି ନୂଆ ଚେକ୍ ଡ୍ୟାମ୍ ନିର୍ମାଣ ଦ୍ବାରା ୨୭ ହଜାର ୬୦୦ ହେକ୍ଟର ଜମିକୁ ଏବଂ ୨୦୯୨ଟି ଚେକ୍ ଡ୍ୟାମ୍ ଉନ୍ନତିକରଣ ଦ୍ବାରା ୩୦ ହଜାର ୧୧୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ଚେକ ଡ୍ୟାମ ଦ୍ବାରା ବୋହୁଥିବା ପାଣିକୁ ଅଟକା ଯାଏ । ଯେଉଁ ବାଟ ଦେଇ ପାଣି ଅଟକା ଯାଏ, ସେଠାରେ ମାଟି ସଂଯୋଗରେ ଆସି ଭେଦିଥାଏ । ପାଖାପାଖି ୨୦ରୁ ୩୦ ପ୍ରତିଶତ ପାଣି ଭେଦି ଭୂତଳ ଜଳକୁ ରିଚାର୍ଜ କରେ ।
୬ମାସର ଶିଶୁକୁ ଧରି ୧୬ ମହଲାରୁ ଡେଇଁଲେ ମହିଳା
ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡାରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ମହିଳା ନିଜର ୬ ମାସର ନିଷ୍ପାପ ଶିଶୁକୁ ଧରି ଏକ ୧୬ ମହଲା ବିଲ୍ଡିରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ ବୟସ ୩୩ ବର୍ଷ। ମହିଳା ଜଣକ ଅସୁସ୍ଥ ଥିବା ବେଳେ ସେ ଡିପ୍ରେସନରେ ମଧ୍ୟ ପୀଡିତ ଥିଲେ ବୋଲି ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ମହିଳା ଜଣକ ଗ୍ରେଟର ନୋଏଡା ୱେଷ୍ଟର ଏକ ଗ୍ରୁପ୍ ହାଉସିଂ ସୋସାଇଟିର ୧୬ ମହଲାରୁ ଡେଇଁପଡିଥିବା ଅଭିଯୋଗ ହୋଇଛି। ସେ ତାଙ୍କ ଝିଅକୁ ସାଙ୍ଗରେ ଧରି ଡେଇଁପଡିଥିଲେ। ଏହି ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି।
ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ମହିଳା ଜଣକ ତାଙ୍କ ପରିବାର ସହିତ ଏହି ସୋସାଇଟିରେ ରହୁଥିଲେ। ସେ ଡିପ୍ରେସନରେ ଥିବା ନେଇ ମହିଳାଙ୍କ ଭାଇ ସୂଚନା ଦେଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଘଟଣା ପରେ ତୁରନ୍ତ ମା’ ଓ ଝିଅଙ୍କୁ ମେଡିକାଲ୍ ନିଆଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ଜଣାପଡିଛି ।

