ଅହମ୍ମଦାବାଦ: ବିଶ୍ବକପ ବିଶ୍ବଯୁଦ୍ଧର ଆଜି ହେଉଛି ଫାଇନାଲ ମୁକାବିଲା । ଅଷ୍ଟ୍ରେଲିଆକୁ ଭେଟିଛି ଭାରତ । ଟସ ଜିତି ବୋଲିଂ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ । ଭାରତ ପ୍ରଥମେ ବ୍ୟାଟିଂ କରିଥିବାବେଳେ ୨୪୦ ରନରେ ଅଲଆଉଟ୍ ହୋଇଛି । ବିରାଟ କୋହଲି ଏହି ମ୍ୟାଚରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ତେବେ ଫାଇନାଲ ମ୍ୟାଚରେ ବିରାଟ ପୁଣି ଏକ ଶତକ ହାସଲ କରିବେ ବୋଲି କ୍ରିକେଟପ୍ରେମୀ ଆଶା ରଖିଥିଲେ । ଶତକ ହାସଲ କରି ନଥିଲେ ସୁଦ୍ଧା ଦୁଇଟି ରେକର୍ଡ କରିଛନ୍ତି କୋହଲି । ବିଶ୍ବକପର ସେମିଫାଇନାଲ ଏବଂ ଫାଇନାଲରେ ବଡ଼ ପାଳି ଖେଳିଛନ୍ତି । ବିଶ୍ବକପରେ ଲଗାତାର ୫ଥର ୫୦ରୁ ଅଧିକ ସ୍କୋର କରିବାର ରେକର୍ଡ । ପୂର୍ବରୁ ୨୦୧୫ ବିଶ୍ବକପରେ ସ୍କିଥ ୫ଥର ୫୦ରୁ ଅଧିକ ସ୍କୋର କରିଥିଲେ । ୨୦୧୯ ବିଶ୍ବକପରେ ବିରାଟ ମଧ୍ୟ ସେଭଳି ସ୍କୋର କରିଥିଲେ । ଏବେ ପୁଣିଥରେ ବିରାଟ ଚଳିତ ବିଶ୍ବକପରେ ବିରାଟ ୫ଥର ୫୦ରୁ ଅଧିକ ସ୍କୋର କରିଛନ୍ତି । ବିଶ୍ବକପରେ ସେମି ଏବଂ ଫାଇନାଲରେ ୫୦ରୁ ଅଧିକ ସ୍କୋର କରିବାର ରେକର୍ଡ । ଏହି ଦୁଇ ରେକର୍ଡ କୋହଲି ଅକ୍ତିଆର କରିଛନ୍ତି । ଦିନିକିଆରେ ୫୦ ଶତକ ହାସଲ କରି ବିରାଟ ରେକର୍ଡ ଅର୍ଜନ କରିଛନ୍ତି ।
୨୪୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ
ଅହମ୍ମଦାବାଦ: ବିଶ୍ବକପ ଫାଇନାଲରେ ୨୪୦ ରନରେ ଅଲଆଉଟ୍ ହେଲା ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ବିଜୟ ଲକ୍ଷ୍ୟ । ରୋହିତ ପ୍ରାରମ୍ଭିକ ଓଭର ଗୁଡ଼ିକରେ ଭଲ ଆରମ୍ଭ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଭାରତ ସମ୍ପୂର୍ଣ୍ଣ ୫୦ ଓଭର ଖେଳିଥିବାବେଳେ ସମସ୍ତ ଓ୍ବିକେଟ ହରାଇ ୨୪୦ ରନ କରିବାରେ ସକ୍ଷମ ହୋଇଛି । ବିରାଟ କୋହଲି ଏବଂ କେ.ଏଲ ରାହୁଲ ଅର୍ଦ୍ଧଶତୀୟ ପାଳି ଖେଳିଛନ୍ତି ।
ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଟାର୍ଗେଟ ରଖିଲା ଭାରତ । ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ବିକେଟ ହରାଇ ୨୪୦ ରନ କରିଛି ଟିମ୍ ଇଣ୍ଡିଆ । କ୍ରିକେଟ ଫାଇନାଲରେ ଭାରତର କମ୍ ରନ୍ ସ୍କୋର । ଯାହା ଆଶା କରାଯାଉଥିଲା ତାହା କରିପାରିନାହାନ୍ତି ଭାରତୀୟ ବ୍ୟାଟର । ଫାଇନାଲ ମ୍ୟାଚରେ ଆଜି ମାତ୍ର ୫ ଜଣ ଭାରତୀୟ ବ୍ୟାଟ୍ସମାନ୍ ୨ ଅଙ୍କ ଛୁଇଁଥିଲେ । ସେଥିମଧ୍ୟରୁ ୱିକେଟ କିପର କେ. ଏଲ ରାହୁଲ ସର୍ବାଧିକ ୬୬ ରନ କରିଥିଲେ । ରେକର୍ଡ ପରେ ରେକର୍ଡ କରିଥିବା ବିରାଟ କୋହଲିଙ୍କଠାରୁ ଯାହା ଆଶା କରାଯାଉଥିଲା ସେ ଆଜି କରିପାରିନାହାନ୍ତି ।
ତେବେ ଅର୍ଦ୍ଧଶତକ ହାସଲ କରିଥିଲେ ବିରାଟ କୋହଲି । ୬୩ଟି ବଲରୁ ସେ ୫୪ ରନ କରି ପ୍ୟାଭିଲିୟନ ଫେରିଥିଲେ । ବିଶ୍ବକପରେ ସର୍ବାଧିକ ସ୍କୋର, ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ବିରାଟ କେବଳ ୫୪ରନର ଅବଦାନ ଦେଇଥିଲେ । ରୋହିତ ଶର୍ମା ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଲେ । ହେଲେ ସେ ୪୭ ରନ କରି ପ୍ୟାଭିଲିୟନ ଫେରିଥିଲେ । କୁଲଦୀପ ଯାଦବ ୧୦ ରନ କରିଥିଲେ । ଶୁଭମନ, ଶ୍ରେୟସ ଓ ରବୀନ୍ଦ୍ର ଓ ସୂର୍ଯ୍ୟକୁମାର ଫେଲ ମାରିଥିଲେ । ଶୁଭମନ୪, ଶ୍ରେୟସ ୪ , ରବୀନ୍ଦ୍ର ଜାଡେଜା ୯ ଏବଂ ସୂର୍ଯ୍ୟକୁମାର ଯାଦବ ୧୮ ରନ କରି ଆଉଟ ହୋଇଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୪୦ ରନ କରିବାରେ ସକ୍ଷମ ହୋଇଛି ।
ସେପଟେ ଭାରତ ବୋଲିଂରେ କମାଲ କରିବା ସହ ଯେଉଁଠୁ ବିଶ୍ବକପ ଅଭିଯାନ ଆରମ୍ଭ ହୋଇଥିଲା ସେଠି ହିଁ ଶେଷ କରିବ ବୋଲି ଆଶା କରାଯାଉଛି । ଭାରତୀୟ ବୋଲରମାନେ ଏବେ ଦମଦାର ଫର୍ମରେ ରହିଥିବାବେଳେ ଦଳକୁ ସଫଳତା ଦେବେ ବୋଲି କୁହାଯାଉଛି । ତେବେ ଭାରତ ନିଶ୍ଚିତ ବିଜୟୀ ହେବ ବୋଲି କ୍ରିଡ଼ାପ୍ରେମୀମାନେ ଆଶା ରଖିଛନ୍ତି ।
ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ
ବ୍ରହ୍ମପୁର: ପୋଖରୀରେ ବୁଡ଼ିଯାଇ ଦୁଇ ଭଉଣୀ ମୃତ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତ କୀର୍ତ୍ତିପୁର ଗାଁରେ ଏହି ଅଘଟଣ ଘଟିଛି । ଗାଁ ପୋଖରୀରେ ବୁଡ଼ି ଯାଇ ଦୁଇ ନାବାଳିକା ଭଉଣୀ ପ୍ରାଣ ହରାଇଛନ୍ତି । ମୃତ ଦୁଇ ଭଉଣୀ ହେଲେ ରୋଶନୀ ରାଉତ ଏବଂ ସନ୍ଧ୍ୟା ରାଉତ । ଅଜା ନାର୍ଶୁ ପଲାଈଙ୍କ ସହ ରୋଶନୀ ଓ ସନ୍ଧ୍ୟା ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ । ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି । ଅକାଳରେ ଦୁଇ ଭଉଣୀଙ୍କ ମୃତ୍ୟୁକ ନେଇ ସ୍ଥାନୀୟ ଅଂଚଳରେ ଖେଳି ଯାଇଛି ଶୋକର ଛାୟା ।
’ସକାଳ’ ଖବର କାଗଜର ତୃତୀୟ ସ୍ବନକ୍ଷତ୍ର ଦିବସ ଅବସରରେ ରାଜ୍ୟବ୍ୟାପୀ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ବର: ’ସକାଳ’ ଖବର କାଗଜର ତୃତୀୟ ସ୍ବନକ୍ଷତ୍ର ଦିବସ ଅବସରରେ ଭୁବନେଶ୍ବରରେ ମଧ୍ୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜୁନିୟର ବର୍ଗରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଭାଗନେଇଥିଲେ । ଆଧୁନିକତା ଓ ପାରିବାରିକ ସମ୍ପର୍କ ବିଷୟରେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସକାଳର ବରିଷ୍ଠ ସହ ସମ୍ପାଦକ ସଞ୍ଜୟ କୁମାର ସୁବୁଦ୍ଧି, ସର୍କୁଲେସନ ଡିଜି.ଏମ୍ ବିଜୟ କୁମାର ଦାସ, ସହକାରୀ ବାର୍ତ୍ତା ସଂପାଦକ ମହେଶ୍ବର ସାହୁ, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଓ ବିଚାରକ ଜିତେନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଏହି ବିତର୍କ ରେ କୁଇଂଶି ପ୍ରଭା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ତିରିଶ ଜିଲ୍ଲାରେ ଚାଲୁଥିବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆସନ୍ତା ଏକ ତାରିଖରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ ଓ ସେମାନଙ୍କୁ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ପୁରସ୍କୃତ କରାଯିବ ।
ସକାଳର ତୃତୀୟ ସ୍ବନକ୍ଷତ୍ର ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ କନ୍ଧମାଳରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଫୁଲବାଣୀ ଲୋକ ସମ୍ପର୍କ ବିଭାଗ କନଫରେନ୍ସ ଗୃହରେ ବିଭିନ୍ନ ସ୍କୁଲ ଏବଂ କଲେଜରେ ବହୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସିନିଅର ଏବଂ ଜୁନିଅର ଦୁଇଟି ବର୍ଗରେ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ବିଷୟ ଥିଲା ଆଧୁନିକତା ଓ ପାରିବାରିକ । ସେହିଭଳି ସିନିଅର ବର୍ଗରେ ରୂପାନ୍ତରଣରେ ଓଡ଼ିଶା ବିଷୟବସ୍ତୁ ରହିଥିଲା । ଜୁନିଅର ବର୍ଗରେ ଆକାଂକ୍ଷା କର ପ୍ରଥମ ହୋଇଥିବାବେଳେ ସିଦ୍ଧିରାଜ୍ଞା ମହାନ୍ତି ଦ୍ଵିତୀୟ ଓ ସ୍ମୃତି ରେଖା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିଭଳି ସିନିଅର ସଂସ୍କରଣ ବିତର୍କ ପ୍ରତିଯୋଗୀତାରେ ସ୍ମରଣିକା ତ୍ରିପାଠୀ ପ୍ରଥମ , କୁମୁଦିନୀ ମଲ୍ଲିକ ଦ୍ବିତୀୟ ଏବଂ ଶ୍ରୀୟା ପ୍ରଧାନ, ଆକାଶ ଧଳ ତୃତୀୟ ସ୍ଥାନ ଅଧିକାର କରିଥିଲେ l ପ୍ରତିଯୋଗିତାରେ ବ୍ରଜ ବିହାରୀ ନନ୍ଦ, ଡମ୍ବରୁ ଧର ସାହୁ, ପ୍ରଣତି ତ୍ରିପାଠୀ ବିଚାରକ ଭାବେ ଯୋଗ ଦେଇଥିଲେ l ଅଶୋକ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।
ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷତ୍ର ଉପଲକ୍ଷେ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସେଣ୍ଟ ଜାଭିୟର୍ସ ଇଣ୍ଟରନାସନାଲ୍ ସ୍କୁଲ ପରିସରରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସିନିୟର୍ ଓ ଜୁନିଅର ଦୁଇଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗି ମାନଙ୍କୁ ବିତର୍କ ପାଇଁ ବିଭିନ୍ନ ବିଷୟବସ୍ତୁ ଦିଆଯାଇଥିଲା । ୬ ଜଣିଆ ବିଚାରକ ମଣ୍ଡଳୀ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଶେଷରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସିନିୟର୍ ଓ ଜୁନିଅର ବର୍ଗରେ ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କୁ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା ।
ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷତ୍ର ଅବସରରେ ବରଗଡ଼ରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ବିକାଶ ଫାଷ୍ଟ ଷ୍ଟେପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଜୁନିୟର ବର୍ଗରେ ଆଧୁନିକତା ଓ ପାରିବାରିକ ସମ୍ପର୍କ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସିନିୟର ବର୍ଗରେ ରୂପାନ୍ତରିତ ଓଡ଼ିଶା ବିଷୟରେ ବତର୍କ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ADM ପବିତ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିକାଶ ଫାଷ୍ଟ ଷ୍ଟେପ ସ୍କୁଲର ମୁଖ୍ୟ ଡି.ନାଗେଶ୍ବର ରାଓ ଯୋଗଦେଇଥିଲେ । ଜୁନିୟର ବର୍ଗରେ ଅନିଘ୍ୟାଦତ୍ୟା ଯୋଶୀ ପ୍ରଥମ ଆୟାକୁ ପରିତା ଦ୍ବିତୀୟ ଓ ଅଂଶୁମାନ ପ୍ରିୟଦର୍ଶୀ ତୃତୀୟ ହୋଇଥିଲେ। ସେହିପରି ସିନିୟର ବର୍ଗରେ ଦୁଲାରୀ ପ୍ରଧାନ ପ୍ରଥମ, ମଧୁସୂଦନ ମେହେର ଦ୍ବିତୀୟ ଓ ଅବିନାଶ ନାଗ ତୃତୀୟ ହୋଇଥିଲେ ।
ସେହିପରି କେନ୍ଦୁଝରରେ ମଧ୍ୟ ଦୈନିକ ସକାଳର ତୃତୀୟ ସ୍ବନକ୍ଷତ୍ର ଦିବସ ଅବସରରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କେନ୍ଦୁଝର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇଟି ବର୍ଗରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସିଟିଜିର ସାଇ ସୌମ୍ୟା ମିଶ୍ର ସିନିଅର ବର୍ଗରେ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସୌମ୍ୟା ରଞ୍ଜିତା ଦାସ ଜୁନିଅର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କାର୍ଯ୍ୟକ୍ରମରେ ରୋଟାରିଆନ ତଥା ସିଟିଜି ଗ୍ରୁପର ଅଧକ୍ଷ୍ୟ ଡ଼ଃ ରାଜେନ୍ଦ୍ର ପଲେଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ସକାଳ ଏବଂ ନନ୍ଦିଘୋଷ ଟିଭି ଯୁବପିଢ଼ିଙ୍କ ପାଇଁ ନିଆରା କାର୍ଯ୍ୟକ୍ରମ କରିଛି ବୋଲି କହିଥିଲେ । ସକାଳର ଜିଲ୍ଲା ପତିନିଧି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ନନ୍ଦିଘୋଷ ଟିଭିର କେନ୍ଦୁଝର ପ୍ରତିନିଧି ମାନସ ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ଵର୍ଣକ୍ଷେତ୍ର ଅବସରରେ ଅନୁଗୁଳ ଟ୍ରକ ଆସୋସିଏସନ ସଭଘରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ସକାଳର ଜିଲ୍ଲା ପ୍ରତିନିଧିଙ୍କ ସଭାପତିତ୍ୱରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଧରଣୀଧର ନାଥ ଓ ବରିଷ୍ଠ ଓକିଲ ପରମାନନ୍ଦ ମିଶ୍ର ଅତିଥି ଭାବେ ଯୋଗ ଦେଇ ଏହି ବିତର୍କ ପ୍ରତିଯୋଗିତାର ଶୁଭାରମ୍ବ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଜୁନିଅର ବିଭାଗରେ ଆମ ଓଡ଼ିଆ ଭାଷା କେତେ ସୁରକ୍ଷିତ ଓ ସିନିଆର ବିଭାଗରେ ନୂତନ ଶିକ୍ଷାନୀତି ଉପଯୋଗୀ କି ଭଳି ବିଷୟ ନେଇ ପ୍ରତିଯୋଗିତା ହୋଇଥିଲା । ଉଭୟ ବର୍ଗରେ ଛାତ୍ରଛାତ୍ରୀ ମାନେ ନିଜର ସୁନ୍ଦର ମନ୍ତବ୍ୟ ରଖିଥିଲେ । ଉଡାଯାପନି ଉତ୍ସବରେ ପୂର୍ବତନ ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସକାଳ ଓ ନନ୍ଦିଘୋଷ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉ ଥିବାରୁ ଉଭୟ ପରିବାରକୁ ସାଧୁବାଦ ଦେଇଥିଲେ ଅତିଥି । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରତିଭାର ବିକଶିତ କରି ପାରିବେ ।
ରାଜ୍ୟର ସମସ୍ତ ଜିଲ୍ଲାରେ ଏଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ କୃତି ପ୍ରତିଯୋଗିଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ।
ଫାଇନାଲ ମ୍ୟାଚରେ ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ
ଅହମଦାବାଦ: ବିଶ୍ବକପର ହାଇଭୋଲଟେଜ ଗ୍ରାଣ୍ଡ ଫାଇନାଲ ଚାଲିଛି । ଏହାରି ଭିତରେ ନଜର ଆସିଛି ଏକ ଅଭାବନୀୟ ଦୃଶ୍ୟ । ବିଶ୍ବକପ ମ୍ୟାଚ ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ବିରାଟ କୋହଲିଙ୍କୁ ଯାଇ କୁଣ୍ଢାଇ ପକାଇଲେ ଜଣେ ଦର୍ଶକ ।ତାଙ୍କ ସାର୍ଟରେ ଲେଖାଥିଲା ଫ୍ରି ପାଲେଷ୍ଟାଇନ । ମ୍ୟାଚ ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।ଦର୍ଶକଙ୍କ ହାତରେ ଥିଲା ପାଲେଷ୍ଟାଇନ ପତାକା । ୧୪ ଓଭର ପଡୁଥିବା ସମୟରେ ଘଟିଲା ଘଟଣା । ସୁରକ୍ଷା କର୍ମୀମାନେ ଯୁବକଙ୍କୁ କାବୁ କରିଥିବାବେଳେ ପଡ଼ିଆ ବାହାରକୁ ନେଇଥିଲେ । ଏହାପରେ ପୁଣିଥରେ ମ୍ୟାଚ ଆରମ୍ଭ ହୋଇଥିଲା ।
ଉତ୍ତରକାଶୀରେ ଟନେଲ ଭିତରେ ଶ୍ରମିକ ଫସିବା ଘଟଣା, ପାହାଡ଼ ଉପରୁ ଡ୍ରିଲିଂ ଆରମ୍ଭ
ଉତ୍ତରାଖଣ୍ଡ: ଉତ୍ତରକାଶୀ ଟନେଲରେ ଶ୍ରମିକ ଫସିବା ଘଟଣାରେ ପୁଣି ଆରମ୍ଭ ହେଲା ଉଦ୍ଧାରକାର୍ଯ୍ୟ। ଏବେ ୪ଟି ପ୍ଲାନକୁ ନେଇ ଚାଲିଛି ଉଦ୍ଧାରକାର୍ଯ୍ୟ । ଶ୍ରମିକଙ୍କୁ ଉଦ୍ଧାର ଲାଗି ୪ଟି ସ୍ଥାନରେ ଖୋଳାଯିବ । ଉପର ପଟୁ ୧୨୦ ମିଟର ଉଚ୍ଚରୁ ଚାଲିଛି ରେସକ୍ୟୁ ଅପରେସନ । ଏହି ଅପରେସନକୁ SJVN ହାଇଡ୍ରୋ ଇଲେକଟ୍ରିକ୍ ପାୱାର କମ୍ପାନୀ ଚଳାଇଛି । ସେହିପରି ନବଯୁଗ ଇଂଜିନିୟରିଂ ପକ୍ଷରୁ ଆଗପଟୁ ଧସିଥିବା ଟନେଲ ଅଂଚଳରେ ଚାଲିବ ରେସକ୍ୟୁ ଅପରେସନ । ତେହରି ହାଇଡ୍ରୋ ଇଲେକଟ୍ରିକ୍ ଡେଭଲପମେଣ୍ଟ କର୍ପୋରେଟସନ ପକ୍ଷରୁ ଟନେଲର ପଛପଟୁ ଚାଲିବ ଆଉ ଏକ ଉଦ୍ଧାରକାର୍ଯ୍ୟ ।
ଓଏନଜିସି ପକ୍ଷରୁ ସମାନ୍ତରାଳ ଭାବରେ ଚାଲିବ ଆଉ ଏକ ଉଦ୍ଧାରକାର୍ଯ୍ୟ। ସେପଟେ ସାଥି ଶ୍ରମିକଙ୍କୁ ଉଦ୍ଧାର ଲାଗି ଧସିଥିବା ଟନେଲ ବାହାରେ ଅନ୍ୟ ଶ୍ରମିକ ପ୍ରତିବାଦ କରୁଛନ୍ତି। ଶ୍ରମିକଙ୍କୁ ଖୁବଶୀଘ୍ର ବାହାର କରିବାକୁ ଧାରଣା ଦେଇଛନ୍ତି । ଦୀର୍ଘ ୧୭୦ ଘଣ୍ଟା ହେଲାଣି ଶ୍ରମିକ ଫସି ରହିଛନ୍ତି।ଶ୍ରମିକ ଫସିଥିବା ଘଟଣାକୁ ୮ ଦିନ ହୋଇଥିବାବେଳେ ଆହୁରି ୪ରୁ ୫ ଦିନ ଲାଗିପାରେ ରେସକ୍ୟୁ ଅପରେସନ। ଶ୍ରମିକଙ୍କ ଉଦ୍ଧାର ଲାଗି ଥାଇଲାଣ୍ଡ, ନରୱେ ଏବଂ ଅଷ୍ଟ୍ରେଲିଆର ବିଶେଷଜ୍ଞ ସେଠାରେ ରହିଛନ୍ତି । ସେମାନଙ୍କ ପରାମର୍ଶ ଅନୁସାରେ ଉଦ୍ଧାରକାର୍ଯ୍ୟ ଚାଲିଛି । ହଲାଣ୍ଡରୁ ଅତ୍ୟାଧୁନିକ ମେସିନ୍ ମଗାଯାଇଛି । ଏହି ମେସିନ ଆସି ପହଞ୍ଚିଲେ ବହୁତ କମ ସମୟରେ ଶ୍ରମିକଙ୍କ ପହଞ୍ଚିହେବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଟିମ ତତ୍ତ୍ବାବଧାନରେ ଚାଲିଛି ରେସକ୍ୟୁ ଅପରେସନ । କେନ୍ଦ୍ର ସରକାର ମଧ୍ୟ ଏହି ରେସକ୍ୟୁ ପ୍ଲାନକୁ ନେଇ ଆଲୋଚନା କରିଛନ୍ତି । କୌଣସି ଟନେଲ ଖୋଳା କାମ କରିବା ସମୟରେ ଯଦି କୌଣସି ଦୁର୍ଘଟଣା ଘରେ ତେବେ ଶ୍ରମିକଙ୍କ ସୁରକ୍ଷିତ ବାହାରିବା ଲାଗି ହ୍ୟୁମ ପାଇପ ରହିବା କଥା । ତେବେ ଏହି କାମବେଳେ ସେହି ପାଇପ ରଖାଯାଇନଥିଲା । ଶ୍ରମିକଙ୍କ ଜୀବନକୁ ବାଜିରେ ଲଗାଇ ଟନେଲ କାମରେ ବ୍ୟାପକ ଅବହେଳା ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି ।
ବିଶ୍ବକପ୍ ବିଶ୍ବଯୁଦ୍ଧ: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୮୧ରେ ୩ ଓ୍ବିକେଟ ପତନ
ଅହମ୍ମଦାବାଦ: ଆରମ୍ଭ ହେଇସାରିଛି ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ୍ ଫାଇନାଲ ମ୍ୟାଚ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଲାଗିଛି ପ୍ରାରମ୍ଭିକ ଝଟକା । ୧୦.୨ ଓଭରରେ ୮୧ ରନ୍ କରି ଭାରତ ୩ଟି ଓ୍ବିକେଟ ହରାଇଛି ।
ରୋହିତଙ୍କୁ ଭଲ ଷ୍ଟ୍ରାଟ ମିଳିଥିଲେ ବି ଅନ୍ୟତମ ଓପନର ଶୁଭମନ ଗିଲଙ୍କ ଜଲଓ୍ବା ଦେଖିବାକୁ ମିଳି ନଥିଲା । ଗିଲ ୭ଟି ବଲ ଖେଳି ମାତ୍ର ୪ ରନ କରି ଆଉଟ୍ ହୋଇଯାଇଥିଲେ ।
ତେବେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ରନ୍ ବାହାରିବା ବନ୍ଦ ହୋଇନଥିଲା । ସେ ୩୧ ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହାୟତାରେ ୪୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିବା ଶ୍ରେୟସ ଆୟର ବି ଫେଲ୍ ମାରିଥିଲେ । ୩ଟି ବଲ ଖେଳି ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଥିଲେ ।
ତେବେ ଗୋଟିଏ ପଟରେ ଓ୍ବିକେଟ ଜଗି ରହିଛନ୍ତି ରନ୍ ମାଷ୍ଟର ବିରାଟ କୋହଲି । ୧୫.୪ ଓଭରରେ ଭାରତ ୧୦୦ ରନ୍ କରିଛି । କୋହଲି ୩୩ ବଲରୁ ୩୪ ରନ୍ କରିଛନ୍ତି । ଏଥିରେ ରହିଛି ୪ ଚୌକା ରହିଛି । ବର୍ତ୍ତମାନ ତାଙ୍କ ସହ ବ୍ୟାଟିଂ କରୁଛନ୍ତି କେ.ଏଲ. ରାହୁଲ । ୨୨ ବଲରେ ସେ ୧୦ ରନ୍ କରିଛନ୍ତି ।
ନିକାରାଗୁଆର ଶେନିସ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ
ଏଲ ସାଲଭାଜର: ନିକାରାଗୁଆର ଶେନିସ ପାଲାସିଅସ ପିନ୍ଧିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ । ୨୦୨୩ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ଟାଇଟଲ ହାସଲ କରିଛନ୍ତି ଶେନିସ । ଏଲ ସାଲଭାଜରର ସାନ ସାଲଭାଜର ଅନ୍ତର୍ଗତ ଜୋସ ଆଡଲଫୋ ପିନେଡା ଆରେନାର ଅନୁଷ୍ଠିତ ଇଭେଣ୍ଟରେ ଏହି ସମ୍ମାନ ହାସଲ କରିଛନ୍ତି ଶେନିସ । ବ୍ରହ୍ମାଣ୍ଡ ସୁନ୍ଦରୀ ଆଖ୍ୟା ଅର୍ଜନ କରିବାରେ ଶେନିସ ହେଉଛନ୍ତି ପ୍ରଥମ ନିକାରାଗୁଆ ମହିଳା ।
ଅଷ୍ଟ୍ରେଲିଆର ମୋରାୟ ଓ୍ବିଲସନ ସେକଣ୍ଡ ରନର୍ସ ଅପ୍ ହୋଇଥିବାବେଳେ ଥାଇଲାଣ୍ଡର ଆଣ୍ଟୋନିଆ ପୋର୍ସିଲଡ ଫାଷ୍ଟ ରନର ଅପ ହୋଇଛନ୍ତି । ଚଳିତବର୍ଷ ଭାରତ ପକ୍ଷରୁ ଚଣ୍ଡୀଗଡ ଜନ୍ମିତ ଶ୍ବେତା ଶାରଦା ପ୍ରତିନିଧିତ୍ବ କରିଥିବାବେଳେ ଟପ୍ ୨୦ ମଧ୍ୟରେ ସ୍ଥାନୀତ ହୋଇଥିଲେ । ମିସ ୟୁନିଭର୍ସ ପ୍ରତିଯୋଗିତାରେ ୮୪ଟି ଦେଶର ପ୍ରତିନିଧି ଭାଗ ନେଇଥିଲେ । ଆମେରିକୀୟ ଟେଲିଭିଜନ ବ୍ୟକ୍ତିତ୍ବ ଜିନି ମାଇ ଓ ୨୦୧୨ ମିସ ୟୁନିଭର୍ସ ଓଲିଭିଆ କଲପୋ ଚଳିତ ପ୍ରତିଯୋଗିତାର ହୋଷ୍ଟ ଥିଲେ ।
ସୈନ୍ୟ ପ୍ରତ୍ୟାହାର କରିବାକୁ ଭାରତକୁ ମାଳଦ୍ବୀପର ଆହ୍ବାନ
ନୂଆଦିଲ୍ଲୀ: ମାଳଦ୍ବୀପରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ଲାଗି ଭାରତକୁ ଆହ୍ବାନ ଜଣାଇଛନ୍ତି ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଭାରତ ମହାସାଗର ଅନ୍ତର୍ଗତ ତଥା କୌଶଳଗତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମାଳଦ୍ବୀପର ୮ମ ରାଷ୍ଟ୍ରପତି ମୁଇଜୁ ଭାରତକୁ ଏହି ଆହ୍ବାନ ଜଣାଇଛନ୍ତି । ଭାରତର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ସହ ସାକ୍ଷାତ ବେଳେ ମାଳଦ୍ବୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ଲାଗି ତାଙ୍କ ଦେଶବାସୀ ଚାହାଁନ୍ତି ବୋଲି ସେ କହିଥିଲେ ।
ଏହି ପ୍ରସଙ୍ଗକୁ ବି ସେ ନିର୍ବାଚନ ଇସ୍ୟୁ କରିଥିଲେ । ଗତବର୍ଷ ହୋଇଥିବା ନିର୍ବାଚନରେ ମୁଇଜୁ ୫୪ ପ୍ରତିଶତ ଭୋଟ ପାଇଥିବାବେଳେ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ୪୬ ପ୍ରତିଶତ ଭୋଟ ପାଇଥିଲେ । ମାଳଦ୍ବୀପ ସହ ଦ୍ବିପାକ୍ଷିକ ସମ୍ପର୍କ ନେଇ ଭାରତ ଓ ଚୀନ ମଧ୍ୟରେ ପ୍ରତିଯୋଗିତା ଚାଲିଆସିଛି । ପ୍ରୋଗ୍ରେସିଭ ପାର୍ଟି ଅ ମାଲଡିଭିସ ଓ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ମେଣ୍ଟ ପକ୍ଷରୁ ମୁଇଜୁ ନିର୍ବାଚିତ ହୋଇଛନ୍ତି । ଏହି ମେଣ୍ଟ ଚୀନ ସମର୍ଥକ ।
ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ଭାରତ ସପକ୍ଷବାଦୀ ଥିଲେ । ୨୦୧୩-୨୦୧୮ରେ ଅବଦୁଲ୍ଲା ୟେମେନ ଗାୟୁମ ରାଷ୍ଟ୍ରପତି ଥିବାବେଳେ ଚୀନ ସହ ମାଳଦ୍ବୀପର ସମ୍ପର୍କ ଘନିଷ୍ଠ ହୋଇଥିଲା । ଚୀନର ବେଲଟ୍ ଆଣ୍ଟ ରୋଡ ଇନସିଏଟିଭିରେ ବି ସାମିଲ ହେବା ଲାଗି ୨୦୧୭ରେ ରାଜି ହୋଇଥିଲା ମାଳଦ୍ବୀପ ।
ମାଳଦ୍ବୀପରେ ଭାରତର କେତେ ସଂଖ୍ୟକ ସୈନ୍ୟ ଅଛନ୍ତି ତାହା ଜଣାପଡି ନଥିଲେ ମଧ୍ୟ ନିଜର ସାର୍ବଭୌମତ୍ବ ଦୃଷ୍ଟିରୁ ଭାରତୀୟ ସୈନ୍ୟଙ୍କ ପ୍ରତ୍ୟାହାର କରାଯାଉ ବୋଲି ଦାବି କରୁଛନ୍ତି ରାଷ୍ଟ୍ରପତି । ଭାରତୀୟ ବିମାନକୁ ସହାୟତା କରିବା ଲାଗି ମାଳଦ୍ବୀପରେ ୭୫ ଜଣ ଭାରତୀୟ ସୈନ୍ୟଙ୍କୁ ଅବସ୍ଥାପିତ କରାଯାଇଛି ବୋଲି ୨୦୨୧ରେ କହିଥିଲା ମାଳଦ୍ବୀପ ପ୍ରତିରକ୍ଷା ବାହିନୀ । ଜରୁରୀ ସ୍ଥିତିରେ ମେଡିକାଲ ସେବାଜନିତ ରେସ୍କ୍ୟୁ, ଉପକୂଳ ଅଞ୍ଚଳରେ ସର୍ଭେଲାନ୍ସ ଓ ଡ୍ରଗସ ଚୋରା ଚାଲାଣ ରୋକିବା ଲାଗି ଭାରତ ଏହି ସୈନ୍ୟଙ୍କୁ ମୁତୟନ କରି ରଖିଆସିଛି ।
ବିଶ୍ବକପ୍ ଫାଇନାଲ: ଟିମ୍ ଇଣ୍ଡିଆର ୪ ଗେମ୍ ଚେଞ୍ଜର, କରିବେ କଙ୍ଗାରୁ ଶିକାର
ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ବିଶ୍ବକପର ଫାଇନାଲ ଟକ୍କର । ଏଥର ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲରେ ହରାଇ ୨୦୦୩ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଭାରତୀୟ ଟିମ୍ । ୧୦ରୁ ୧୦ ମ୍ୟାଚ୍ ଜିତି ଫାଇନାଲକୁ ଆସିଥିବା ରୋହିତ ବାହିନୀ ପୂରା ଜୋସରେ ଅଛନ୍ତି । ଲିଗ୍ ପର୍ଯ୍ୟାୟରେ କଙ୍ଗାରୁ ଶିକାର କରିତିବା ଟିମ୍ ଇଣ୍ଡିଆ ଏହାକୁ ଦୋହରାଇ ତୃତୀୟ ଥର ପାଇଁ ବିଶ୍ବକପ୍ ମୁକୁଟ ପିନ୍ଧାବା ଲକ୍ଷ୍ୟରେ ରହିଛି । ତେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହାଲକାରେ ନେଇ ହେବନି । କାରଣ ୫ ଥର ବିଶ୍ବ ଚାମ୍ପିୟନ ସ୍ଥିତି ଯେମିତି ବି ଥାଉ ମ୍ୟାଚର ମୋଡ଼ ବଦଳାଇବାକୁ ସକ୍ଷମ । ଏବେ ଭାରତୀୟ ଟିମ୍ ପୂରା ଫର୍ମରେ ଥିବା ବେଳେ ସେହି ୪ ଖେଳାଳି ଯିଏ କଙ୍ଗାରୁକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଧୁଳି ଚଟାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଇରହିଛି । ତେବେ ଆସନ୍ତୁ ଜାଣିବା ଭାରତର ଏହି ୪ ଗେମ୍ ଚେଞ୍ଜରଙ୍କ ସମ୍ପର୍କରେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ବିଶ୍ବକପ୍ ପରଫରମାନ୍ସ ଉପରେ ।
ରୋହିତ ଶର୍ମା: ଷ୍ଟ୍ରାଇକ ୧୨୪ ରେଟରୁ ଅଧିକ, ଦୁଇଟି ମ୍ୟାଚରେ ଫେଲ୍
ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଯଦିଓ ଶତକୀୟ ପାରି ଦେଖିବାକୁ ମିଳିନି, ତଥାପି ତାଙ୍କ ଦମଦାର ଷ୍ଟ୍ରାଟ୍, ଭାରତକୁ ବଡ଼ ସ୍କୋର କରିବାକୁ ପ୍ଲାଟଫର୍ମ ଯୋଗାଇଛି । ବିଶ୍ବକପରେ ୧୦ଟି ମ୍ୟାଚରେ ୫୫ ପ୍ରତିଶତ ଆଭରେଜ ଓ ୧୨୪.୧୫ ଷ୍ଟ୍ରାଇକରେଟ୍ରେ ୫୫୦ ରନ୍ କରିସାରିଛନ୍ତି । ବଡ଼ କଥା ହେଲା ୫୫୦ ରନରୁ ୪୧୬ ରନ୍ ବାଉଣ୍ଡ୍ରି ମାରି ହାସଲ କରିଛନ୍ତି ରୋହିତ । କେବଳ ଦୁଇଟି ମ୍ୟାଚରେ ୪୦ରୁ କମ୍ ରନ୍ କରିଛନ୍ତି ।
ପାଓ୍ବାର ପ୍ଲେରେ ରୋହିତଙ୍କ ଷ୍ଟ୍ରାଇକରେଟ୍ ୧୩୩ ରହିଛି । ପାଓ୍ବାର ପ୍ଲେରେ ୪୨ ଚୌକା ଓ ୨୧ ଛକା ମାରି ସାରିଛନ୍ତି । ଯଦି ଫାଇନାଲରେ ରୋହିତଙ୍କ ବ୍ୟାଟ୍ ଏମିତି କଥା କୁହେ, ତେବେ ଟିମ୍ ଇଣ୍ଡିଆର ପଥ ସୁଗମ ହୋଇଯିବ ଓ କଙ୍ଗାରୁ ଟିମର କାମ ସରିଯିବ ।
ବିରାଟ କୋହଲି: ବିଶ୍ବକପରେ ୭୧୧ ରନ୍, ୧୦୧ ରନର ଷ୍ଟ୍ରାଇକ ରେଟ୍
ବିରାଟ କୋହଲି । ଚଳିତ ବିଶ୍ବକପର ଏକ ନମ୍ବର ବ୍ୟାଟ୍ସମ୍ୟାନ । ୧୦ ମ୍ୟାଚରୁ ୮ଟିରେ ୫୦ରୁ ଅଧିକ ରନ୍ କରିଛନ୍ତି । ତାଙ୍କ ବ୍ୟାଟିଂ ଆଭରେଜ ରହିଛି ୧୦୧.୫୭ ପ୍ରତିଶତ । ଦିନିକିଆ ବିଶ୍ବକପ୍ ନକ ଆଉଟରେ ଭାରତ ହାରିବା ଧାରାକୁ ଶତକ ମାରି ଭାଙ୍ଗି ସାରିଛନ୍ତି ।
କୋହଲିଙ୍କୁ ଗୋଟିଏ ପଟେ ଓ୍ବିକେଟ୍ ସମ୍ଭାଳିବା ଦାୟିତ୍ବ ମିଳିଛି । ଲଗାତାର ସିଙ୍ଗିଲ, ଡବଲ ବାହାର କରି ଷ୍ଟ୍ରାଇକ୍ ରୋଟେଟ୍ କରୁଛନ୍ତି । ଯଦି ଦୁଇ ଓପ୍ନର ରୋହିତ ଓ ଗିଲ ଫେଲ ହୁଅନ୍ତି ତେବେ କୋହଲି ମ୍ୟାଚକୁ ସମ୍ଭାଳି ନେବେ । ଲିଗ୍ ପର୍ଯ୍ୟାୟରେ ଭାରତ ୨ ରନର ୩ ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ କୋହଲି ଅର୍ଦ୍ଧ ଶତକ ମାରିବା ସହ ଭାରତକୁ ବିଜୟୀ କରାଇଥିଲେ ।
ରବୀନ୍ଦ୍ର ଜାଡେଜା: ବୋଲିଂ ଇକୋନମି ୫ରୁ କମ୍, ନେଲେଣି ୧୬ ଓ୍ବିକେଟ୍
୧୦ ମ୍ୟାଚରୁ ରବୀନ୍ଦ୍ର ଜାଡେଜା ୧୬ ଓ୍ବିକେଟ୍ ନେଇ ସାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଜେଡେଜା ୪୩ ମ୍ୟାଚରୁ ୫୬୬ ରନ୍ କରିବା ସହ ୩୭ ଓ୍ବିକେଟ୍ ବି ନେଇଛନ୍ତି । ଜାଡେଜା ଆଇସିସି ଇଭେଣ୍ଟରେ ୫ ଫାଇନାଲରେ ଟିମ୍ ଇଣ୍ଡିଆର ସଦସ୍ୟ ରହିସାରିଛନ୍ତି ।
ଜାଡେଜାଙ୍କୁ ମ୍ୟାନ ଓ୍ବିଥ ଗୋଲ୍ଡେନ ଆର୍ମ କୁହାଯାଇଥାଏ । କେବଳ ବ୍ୟାଟିଂ ଓ ବୋଲିଂ ନୁହେଁ ଦୁନିଆର ଜଣେ ଖତରନାକ ଫିଲ୍ଡର । ତାଙ୍କ ହାତରୁ କ୍ୟାଚ୍ ଖସିବା ତ ମୁସ୍କିଲ, ରନ୍ ନେଲେ ଆଉଟ୍ ନିଶ୍ଚିତ । ଅଷ୍ଟ୍ରେଲିଆର ୪ରୁ ୮ ନମ୍ବର ପର୍ଯ୍ରନ୍ତ ସମସ୍ତ ଖେଳାଳି ଡାହାଣହାତୀ । ଏମାନଙ୍କ ବିପକ୍ଷରେ ଜାଡେଜା ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ହେବେ ।
ମହମ୍ମଦ ସାମି: ୪ ମ୍ୟାଚ ନଖେଳି ବି ୨୩ ଓ୍ବିକେଟ ସହ ଟପ୍ ବୋଳର
ବିଶ୍ବକପର ପ୍ରଥମ ୪ଟି ମ୍ୟାଚରେ ମହମ୍ମଦ ସାମିଙ୍କୁ ଖେଳିବାକୁ ସୁଯୋଗ ମିଳି ନଥିଲା । ଏହାପରେ ୬ଟି ମ୍ୟାଚରୁ ସେ ୨୩ ଓ୍ବିକେଟ ନେଇ ଟପ୍ ବୋଲର ହୋଇସାରିଛନ୍ତି । ଏହି ବିଶ୍ବକପରେ ୩ ଥର ୫ରୁ ଅଧିକ ଓ୍ବିକେଟ ନେଇ ସାରିଛନ୍ତି । କପିଲ ଦେବ, ଇମରାନ ଖାନ ଓ ରିଚାର୍ଡ ହେଡଲିଙ୍କ ଭଳି ବୋଲର ବି ଏମିତି କାରନାମା କରି ପାରିନାହାନ୍ତି ।
ସାମି ଏହି ବିଶ୍ବକପରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ୫୨ଟି ବଲ ପକାଇଛନ୍ତି । ଏଥିରୁ ସେ ୮ ଓ୍ବିକେଟ ହାସଲ କରିଛନ୍ତି । ଅର୍ଥାତ ୯ ଓଭରରୁ କମ ବଲରେ ୮ ଓ୍ବିକେଟ୍ ନେଇଛନ୍ତି । ଅଷ୍ଟ୍ରେଲିଆ ଯିମରେ ଦୁଇ ଓପ୍ନରଙ୍କ ସହ ୪ ଜଣ ବ୍ୟାଟ୍ସମ୍ୟାନ ବାମହାତୀ । ଏହାବାଦ ସାମି ଏହି ବିଶ୍ବକପରେ ପାଓ୍ବାର ପ୍ଲେରେ ୮, ମିଡିଲ ଓଭରରେ ୭ ଓ ଡେଥ ଓଭରରେ ୬ ଓ୍ବିକେଟ୍ ନେଇଛନ୍ତି । ଅର୍ଥାତ ସେ ମ୍ୟାଚର ଯେକୌଣସି ସମୟରେ ଓ୍ବିକେଟ ନେଇ ଅଷ୍ଟ୍ରେଲିଆକୁ ଧୁଳି ଚଟାଇବାକୁ ସକ୍ଷମ ।

