spot_img
Home Blog Page 2395

ବିଶ୍ବକପ୍ ମହାମୁକାବିଲା: ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାସମର ଆଜି

ଅହମ୍ମଦାବାଦ: ଅହମ୍ମଦାବାଦରେ ମହାସମର । ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ୨୦୦୩ ବିଶ୍ବକପ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ । ଅପରାଜୟ ଭାବେ ଟିମ୍ ଇଣ୍ଡିଆ ଫାଇନାଲକୁ ପ୍ରବେଶ କରିଥିବା ବେଳେ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚରେ ପ୍ଲେଇଂ ଇଲେଭେନରେ ଅଶ୍ୱିନୀଙ୍କୁ ସ୍ଥାନ ମିଳିବା ନେଇ ରୋହିତ ଶର୍ମାଙ୍କ ସଙ୍କେତ । ଭାରତ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଟିମ୍ ଅଷ୍ଟେଲିଆ ଷଷ୍ଠ ଥର ଚାମ୍ପିୟନ ମୁକୁଟ ପିନ୍ଧିବାକୁ ଆପ୍ରାଣ ଉଦ୍ୟମ କରିବ ।

ଭାରତ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂ ଗୁରୁତ୍ବପୂର୍ଣ୍ଣ ରହିବ । ବ୍ୟାଟିଂରେ ରୋହିତ ଏବଂ ବିରାଟ ଶତକ ଛିଡ଼ା କରିପାରନ୍ତି । ସେହିପରି ବୋଲିଂରେ ପ୍ରଥମ ୧୦ ଓଭରରେ କଙ୍ଗାରୁ ଟିମକୁ ଝଟକା ଦେଲେ ବିଶ୍ବକପ ଉପରେ କବଜା ନିଶ୍ଚିତ । ଆଜିର ମହାମୁକାବିଲା ଲାଗି ଭାରତ ବୋଲିଂରେ କିଛିଟା ପରିବର୍ତ୍ତନ ମଧ୍ୟ କରିପାରେ । ସମସ୍ତ ୧୪୦ କୋଟି ଭାରତୀୟ ଆଶା ରୋହିତ ବାହିନୀ ଉପରେ ରହିଛି । ଅହମ୍ମଦାବାଦରେ ଏହି ମହାମୁକାବିଲାର ସାକ୍ଷୀ ରହିବେ ୧ ଲକ୍ଷ ୪୦ ହଜାରରୁ ଅଧିକ ଦର୍ଶକ । ଅପରାହ୍ନ ୨ଟାରେ ଆରମ୍ଭ ହେବ ମ୍ୟାଚ ।

ଗୁଜରାଟ ଅହମ୍ମବାଦରେ ଜମିବ ଖେଳ ସହ ଉତ୍ସବର ଆସର । ବିଶ୍ବକପ ଫାଇନାଲକୁ ନେଇ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆରମ୍ଭରୁ ଦର୍ଶକଙ୍କୁ୍ ଦେଖିବାକୁ ମିଳିବ ଭାରତୀୟ ବାୟୁସେନାର କଳାକୌଶଳ । ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଆକାଶରେ କୌଶଳ ପ୍ରଦର୍ଶନ କରିବେ । ସାଢେ ଗୋଟାଏରୁ ୨୦ ମିନିଟ ଧରି ଚାଲିବ ଏ ରୋମାଂଚ ।

ଗହମ ଗହନ: ବାଟକୁ ଆସିଲେ ବ୍ୟବସାୟୀ ଓ ମିଲର୍ସ

ଭୁବନେଶ୍ବର: ଫିଟିଲା ଗହମ ଗାଏବର ଗହନ ରହସ୍ୟ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ବାଟକୁ ଆସିଲେ ବ୍ୟବସାୟୀ ଓ ମିଲର୍ସ । ଅଟା ଦର କମ କରିବାକୁ ଉଭୟ ହେଲେ ରାଜି । ଆଜି ମିଲର୍ସ ସଂଘ ଓ ରାଜ୍ୟ ବ୍ୟବସାୟୀ ମହାସଂଘ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ନିଷ୍ପତ୍ତି । ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ମିଲର୍ସ କମ ଦରରେ ଅଟା, ସୁଜି, ମଇଦା ନଯୋଗାନ୍ତି ତା’ହେଲେ ବ୍ୟବସାୟୀ ଆଉ ଓଡ଼ିଶା ମିଲର୍ସଙ୍କଠାରୁ ଗହମଜାତ ପଦାର୍ଥ କିଣିବେ ନାହିଁ ।

ବଜାରରେ ଗହମ ମିଳୁନି । ଖୋଲା ଅଟା ୪୦ ଟଙ୍କା । ସୁଜି, ମଇଦାକୁ ଛୁଇଁ ହେଉନି । ଏଫସିଆଇଠାରୁ ତଥ୍ୟ ଆଣି ନନ୍ଦିଘୋଷ ଟିଭିର ଖୋଳତାଡ ପରେ ସାମ୍ନାକୁ ଆସିଲା ଭିତିରି ସଲାସୁତରା । ଭଭୟ ରାଜ୍ୟ ବ୍ୟବସାୟୀ ମହାସଂଘ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାର ଶିକାର ହେଉଛନ୍ତି ଖାଉଟି । ରାଜଧାନୀରେ ଉଭୟ ରାଜ୍ୟ ବ୍ୟବସାୟୀ ମହାସଂଘ ଓ ମିଲର୍ସ ସଂଘ ଆଲୋଚନା କରି ଦର କମ୍ କରିବାକୁ ରାଜି ହୋଇଛନ୍ତି । ରାଜ୍ୟ ବ୍ୟବସାୟୀ ମହାସଂଘ ସିଧା ସିଧା କହିଛି, ଯଦି ନିଷ୍ପତ୍ତି ଅନୁଯାୟୀ ଅଟା କମ ଦରରେ ଓଡ଼ିଶା ମିଲର୍ସ ନ ଯୋଗାନ୍ତି ତା’ହେଲେ ବ୍ୟବସାୟୀ ଆଉ ସେମାନଙ୍କଠୁ ଗହମଜାତ ଦ୍ରବ୍ୟ କିଣିବେ ନାହିଁ । ବାହାର ରାଜ୍ୟରୁ ଅଟା, ସୁଜି, ମଇଦା କିଣିବେ ପଛକେ, ଖାଉଟିଙ୍କୁ ଆଉ ମହଙ୍ଗା ବଜାରର ଶିକାର ହେବାକୁ ଦିଆଯିବନି ।

୨୧ ଟଙ୍କା ୫୦ ପଇସାରେ ଗହମ କିଣି ୪୦ ଟଙ୍କାରେ ବିକ୍ରି କରିବା ଘୋର ଅନ୍ୟାୟ । ଖୋଦ ଏହି କଥା ସ୍ବୀକାର କରିଛନ୍ତି ଜଣେ ମିଲର । ଏଫସିଆଇ ପ୍ରତି ସପ୍ତାହରେ ନିଲାମ ଧରିଥିବା ମିଲର ପିଛା ୨୦୦ ମେଟ୍ରିକ୍ ଟନ୍ ଗହମ ଯୋଗାଉଛି । ବଜାରରେ ଦର ସନ୍ତୁଳନ ରଖିବାକୁ ଏହା ଯଥେଷ୍ଟ । ଭାଗୁଡ଼ି, ଚଷୁ ଓ ପରିବହନ ଖର୍ଚ୍ଚ ମିଶାଇଲେ ଗହମ କିଲୋ ୨୩ ଟଙ୍କା ପଡୁଛି । ପେଶା ମଜୁରୀ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମିଶାଇଲେ କିଲୋ ପ୍ରତି ୨୭.୫୦ ପଇସା ଖର୍ଚ୍ଚ ଆସୁଛି । ଦୋକାନ ଖର୍ଚ୍ଚ, କର୍ମଚାରୀଙ୍କ ଦରମା, ଲାଭ ପରିମାଣ ମିଶି ଖୋଲା ଅଟା କିଲୋ ୩୦ ଟଙ୍କାରେ ବିକ୍ରି କରି ହେବ । ଯଦି ପ୍ୟାକେଜିଂ କରାଯାଏ ତା’ହେଲେ କିଲୋ ୩୫ ଟଙ୍କା ରହିବ । ଖାଉଟିଙ୍କୁ ବାଧିଲା ଭଳି କିଛି କରିବା ଠିକ୍ ନୁହେଁ । କିଛି ଅସାଧୁ ମିଲରଙ୍କ ଯୋଗୁଁ ପୂରା ମିଲର୍ସ ସମାଜ ଖାଉଟିଙ୍କ ଅସନ୍ତୋଷ ଶିକାର ହେଉଛନ୍ତି । ବଡ଼ ଓ ଛୋଟ ମିଲର୍ସ ଏକାଠି ହୋଇ ଖାଉଟିଙ୍କ ସ୍ବାର୍ଥକୁ ଜଗିବା ଦରକାର ।

ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ଜଳସମ୍ପଦ ବିଭାଗରେ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ( Odisha state hydrological data center) ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ । ଏହି କେନ୍ଦ୍ରରେ ଜଳ ସମ୍ପଦର ସୁପରିଚାଳନା ପାଇଁ ପାଣିପାଗ ଜନିତ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ କରାଯିବ । ପାଣିପାଗ, ବର୍ଷା, ନଦୀଜଳ ଓ ଜଳାଶୟରେ ଜଳଧାରଣ କ୍ଷମତାର ସଠିକ ସମୟାନୁକ୍ରମିକ ତଥ୍ୟ ସଂଗ୍ରହ କରାଯାଇ ଏହାର ବିଶ୍ଳେଷଣ କରାଯାଇପାରିବ । ଜଳ ସଂପଦ ବିଭାଗ, ସୂଚନା ପ୍ରଯୁକ୍ତି ଓ ଜଳ ବିଜ୍ଞାନର ସହାୟତାରେ ଏ ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ, ସଂରକ୍ଷଣ ତଥା ବିଶ୍ଳେଷଣ କରାଯିବ । ଏହି କେନ୍ଦ୍ର ଦ୍ବାରା ଜଳସମ୍ପଦ ବିଭାଗର ଦକ୍ଷତା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇବ ।

ରାଜ୍ୟ ଜଳବିଜ୍ଞାନ କେନ୍ଦ୍ରର ପରିଚାଳନା, ବିଭାଗର ତୃଣମୂଳସ୍ତର ତଥା ଆନ୍ତଃ ବିଭାଗୀୟ ସମନ୍ୱୟ ରକ୍ଷା, ବନ୍ୟା ବିପର୍ଯ୍ୟୟ ସମୟରେ ୨୪ ଘଣ୍ଟିଆ ତଦାରଖ ଓ ନିର୍ଦ୍ଦେଶନା କାର୍ଯ୍ୟ ନିର୍ବାହ କରିବା ପାଇଁ ଏକ ସମନ୍ଵିତ ନିର୍ଦ୍ଦେଶ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଗଠନ କରାଯାଇଛି । ଜଳସମ୍ପଦ ବିଭାଗର ସୂଚନା ଓ ଜଳବିଜ୍ଞାନରେ ବିଶେଷ ରୁଚି ରଖିଥିବା ଯନ୍ତ୍ରୀମାନେ ଏଥିରେ ନିୟୋଜିତ ହୋଇଛନ୍ତି । ଜଳସମ୍ପଦ ବିଭାଗ (ରାଜୀବ ଭବନ)ର ୮ମ ମହଲାରେ ଆନୁଷଙ୍ଗିକ ସୁବିଧା ସହ ଏହି ତଥ୍ୟ କେନ୍ଦ୍ର ଅବସ୍ଥାପିତ ହୋଇଛି ।

ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହତ କରିବା ପାଇଁ ଜଳସଂପଦର ବିକାଶ ସହିତ ଜଳ ସୁପରିଚାଳନାର ଗୁରୁତ୍ଵ ଯଥେଷ୍ଟ ବୃଦ୍ଧି ପାଇଛି । 5T ଉପକ୍ରମର ପ୍ରୟୋଗରେ ଜଳସଂପଦ ବିଭାଗ ଏହି ଆହ୍ଵାନକୁ ମୁକାବିଲା କରିବାକୁ ଅନେକାଂଶରେ ସକ୍ଷମ ହୋଇପାରିଛି ।

ଦୈନନ୍ଦିନ ଓ ବର୍ଷାଋତୁରେ ଘଣ୍ଟାପ୍ରତି ସଂଗୃହିତ ଏହି ତଥ୍ୟ ସମୂହରୁ ଜଳଉତ୍ସ ଗୁଡିକର ମୂଲ୍ୟାଙ୍କନ, ବର୍ଷା ପୂର୍ବାନୁମାନ, ବର୍ଷା ଜନିତ ବିପର୍ଯ୍ୟୟ ପରିଚାଳନା, କୃଷି ପାଇଁ କେନାଲ ମାଧ୍ୟମରେ ଜଳ ଯୋଗାଣ, କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳଭଣ୍ଡାରର ପରିଚାଳନା ଆଦି କାର୍ଯ୍ୟ ଏହି ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ମାଧ୍ୟମରେ କରାଯିବ । ଏତଦ୍ ବ୍ୟତିତ କୃଷି ଓ କୃଷକ ସଶକ୍ତିକରଣ, ସ୍ଵତନ୍ତ୍ର ରିଲିଫ କମିଶନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି ଆନ୍ତଃ ବିଭାଗୀୟ ବ୍ୟବହାର ଓ ବିଶ୍ଳେଷଣ ପାଇଁ ଜଳବିଜ୍ଞାନ କେନ୍ଦ୍ରର ତଥ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ଜଳସମ୍ପଦ ବିଭାଗ Water ERP ପୋର୍ଟାଲର ପରିକଳ୍ପନା ଓ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ରାଜ୍ୟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହେଲା ୩୪୯ଟି ନୂଆ ୧୦୮ ଆମ୍ବୁଲାନ୍ସ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ । ସୃଷ୍ଟି ହେଲା ଆଉ ଏକ ନୂଆ ଅଧ୍ୟ୍ୟାୟ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ଯୋଡି ହେଲା ୩୪୯ ନୂଆ ୧୦୮ ଆମ୍ବୁଲାନ୍ସ । ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ  ସାମିଲ କଲେ ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏସବୁ ଆମ୍ବୁଲାନ୍ସକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ । ପ୍ରତିଟି ଜୀବନ ମୂଲ୍ୟବାନ ନୀତିରେ ଆମର ଉଦ୍ୟମ ଜାରି ରହିବ ।

ନୂଆ ଆମ୍ବୁଲାନ୍ସ ସେବାରେ ଲାଗିବା ପରେ ରୋଗୀଙ୍କୁ ଡାକ୍ତରଖାନା ଆଣିବା ସମ୍ର ବି କମିଯିବ । ଆଗରୁ ଜଣେ ରୋଗୀକୁ ଡାକ୍ତରଖାନା ଆଣିବାକୁ ୩୦ ମିନିଟ ଲାଗୁଥିଲା । ସ୍ବାସ୍ଥ୍ୟସେବାରେ ଏସବୁ ନୁଆ ଆମ୍ବୁଲାନ୍ସ ସାମିଲ ହେବା ପରେ ଏବେ ଏହି ସମୟ କମି ୨୦ ମିନିଟ୍‌ ହୋଇଯିବ । ଅର୍ଥାତ, ରୋଗୀଙ୍କୁ ୨୦ ମିନିଟ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଯାଇ ପାରିବ । ଦେଶର ସର୍ବଶ୍ରେଷ୍ଠ ରେସପନ୍ସ ଟାଇମ ହେବ ।

ସୂଚନାଯୋଗ୍ୟ, ଲୋକାର୍ପିତ ଆମ୍ବୁଲାନ୍ସ ମଧ୍ୟରୁ ୨୭୯ଟି ସେବାରେ ସାମିଲ କରାଯାଇଛି । ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଓ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ । ଏଥିପାଇଁ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି ।

ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ଏହି ଆମ୍ବୁଲାନ୍ସ ସ୍ବାସ୍ଥ୍ୟସେବାରେ ସାମିଲ ହୋଇଛି ।   ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ଏହି ନୂଆ ଆମ୍ବୁଲାନ୍ସ ଲୋକଙ୍କୁ ଯୋଗାଇବେ ସେବା । ନୂଆ ଆମ୍ବୁଲାନ୍ସ ସାମିଲ ହେବା ପରେ ରାଜ୍ୟରେ ଆମ୍ବୁଲାନ୍ସ  ସଂଖ୍ୟା ୧୩୬୬ରେ ପହଞ୍ଚିଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ୧୦୮ ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ସ୍ବାସ୍ଥ୍ୟ ସେବା ଆହୁରି ତ୍ଵରିତ ଓ ସୁବିଧାଜନକ ହେବ ।

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକୁ ଯୋଗା ଯାଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରରେ ବ୍ୟବହାର ହେବ । ଏହାସହ ଜିଲ୍ଲାସ୍ତରରେ ଅନ୍ୟ ରୋଗୀଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବ ।

ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ 5T ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଶାଲିନି ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

କିଛିଦିନ ପୂର୍ବରୁ ଏହି ଆମ୍ବୁଲାନ୍ସ ଗୁଡିକର ଡ୍ରାଏରନ କରାଯାଇଥିଲା । ସପ୍ତମ ବାଟାଲିୟନରୁ ବାହାରି ଜାଭିୟର ଛକ ଦେଇ ହାତୀଆଶୁଣି ବସ୍ତିରୋଡ ପରେ ଉତ୍କଳ ହସ୍ପିଟାଲ ଠାରୁ ୟୁଟର୍ଣ୍ଣ ଦେଇ କଳିଙ୍ଗ ହସ୍ପିଟାଲ ଦେଇ ସପ୍ତମ ବାଟାଲିୟନ ମଧ୍ୟରେ ଏହି ଆମ୍ବୁଲାନ୍ସର ଡ୍ରାଏ ରନ ହୋଇଥିଲା ।

ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି

ଭୁବନେଶ୍ବର: ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି । ଅବସର ପାଇଁ ବଂଶଲଙ୍କୁ ରାଜ୍ୟ ସରକାର ଦେଲେ ଅନୁମତି । ଡିସେମ୍ବର ୩୧ରେ ଅବସର ନେବେ ବଂଶଲ ।  ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

ଦୁଇ ବର୍ଷ କାର୍ଯ୍ୟକାଳ ସରିବାରୁ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ସେ ୧୯୮୭ ବ୍ୟାଚର ଓଡିଶା କ୍ୟାଡରର IPS ଅଫିସର । ମୟୂରଭଞ୍ଜ ଏସ୍‌ପି ଭାବେ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ । ଓଡିଶା ଫେରିବା ସହିତ ପୋଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିଥିଲେ । ବଂଶଲ ମାଓବାଦୀ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାସହ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସ୍ବାସ୍ଥ୍ୟସେବାର ସୃଷ୍ଟି ହେଲା ନୂଆ ଅଧ୍ୟାୟ । ରାଜ୍ୟରେ ପ୍ରଥମ ଭାବେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ନୂଆ ଅପରେସନର ଟେକ୍ନୋଲଜି । ମଡ୍ୟୁଲାର ଓଟିର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ । ଏକ ସାଙ୍ଗରେ ୮ ଜଣଙ୍କର ହୋଇପାରିବ ଅସ୍ତ୍ରୋପଚାର । ଅତ୍ୟାଧୁନିକ ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା ।

ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠି ରୁ ୧.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ୧ ମହଲା ବିଶିଷ୍ଟ ଘରେ ୮ ଟି ଗୃହ ରହିଛି । ଏଥିମଧ୍ୟରୁ ୫ଟି ଗୃହରେ ଓଟିର ବ୍ୟବସ୍ଥା ରହିଥିବା ବେଳେ ବାକି ଦୁଇଟି ଗୃହରେ ରୋଗୀଙ୍କ ପାଇଁ ଶଯ୍ୟା ରହିଛି । ଏଭଳି ବ୍ୟବସ୍ଥା କରାଯିବାରେ କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ପ୍ରଥମ ହସ୍ପିଟାଲ । ଏହାଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ବିଶେଷ କରି ଅସ୍ଥିଶଲ୍ୟ ଓ ହୃଦରୋଗ ବିଭାଗର ଅସ୍ତ୍ରୋପଚାର ସୁବିଧାରେ ହୋଇପାରିବା ସହ ସାଧାରଣ ରୋଗୀ ଅଧିକରୁ ଅଧିକ ଉପକୃତ ହୋଇପାରିବେ ।

ଓଟିର ଉଦଘାଟନ ଉତ୍ସବରେ 5T ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଓ ବିଭିନ୍ନ ବିଭାଗ ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ ।

ରୋମାଞ୍ଚକର ହେବ ଫାଇନାଲ ମ୍ୟାଚ୍, ଗୀତ,ନାଚ,ଆତସବାଜି ସହ କ୍ରିକେଟର ମଜା ନେବେ ଦର୍ଶକ

ଅହମ୍ମଦାବାଦ: ଆସନ୍ତା କାଲି ହେବ ବିଶ୍ବକପ୍ ମହା ମୁକାବିଲା । ଏଥର ବିଶ୍ୱକପ ଫାଇନାଲରେ ସାମ୍ନାସାମ୍ନି ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ଅର୍ଥାତ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଶେଷ ମ୍ୟାଚକୁ ରୋମାଞ୍ଚଭରା କରିବାକୁ ସରିଛି ସବୁ ପ୍ରକାର ପ୍ରସ୍ତୁତି ।

ଏହି ମ୍ୟାଚରେ ଲକ୍ଷ ଲକ୍ଷ ଦର୍ଶକଙ୍କ ସହ ରାଜନୀତିଜ୍ଞ, କ୍ରିକେଟ୍ର, ବଲିଉଡ ସେଲିବ୍ରିଟି ଏବଂ ବହୁ ପ୍ରତିକ୍ଷିତ ବ୍ୟବସାୟୀ ମଧ୍ୟ ରହିବେ। ତେବେ ଜାଣନ୍ତୁ ଏ ନେଇ କ’ଣ ସବୁ ପ୍ରସ୍ତୁତି କରାଯାଇଛି ।

ପିଏମ ମୋଦିଙ୍କ ସମେତ ୧.୩୨ ଲକ୍ଷ ଦର୍ଶକ ଉପସ୍ଥିତ ରହିବେ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

ଏହି ମ୍ୟାଚ୍ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲୀୟ ଉପମୁଖ୍ୟମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ଯୋଗଦେବେ।

ମ୍ୟାଚ୍ ସମୟରେ ଭାରତର ଅଧିନାୟକ କପିଲ ଦେବ ଏବଂ ମହେନ୍ଦ୍ର ସିଂ ଧୋନି ମଧ୍ୟ ଉପସ୍ଥିତ ରହିବେ।

ଅଷ୍ଟ୍ରେଲିଆ ପାଇଁ ପାଞ୍ଚଟି ବିଶ୍ୱକପ ଜିତିଥିବା କ୍ୟାପଟେନ ଆଲାନ ବର୍ଡର, ଷ୍ଟିଭ ୱାହ, ରିକି ପଣ୍ଟିଂ ଏବଂ ମାଇକେଲ କ୍ଲାର୍କ ମଧ୍ୟ ଉପସ୍ଥିତ ରହିବେ।

ଏମାନଙ୍କ ବ୍ୟତୀତ ଦେଶର ଲୋକପ୍ରିୟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀ ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି।

ଏହି ମ୍ୟାଚ୍ ସମୟରେ ଅନେକ ବଲିଉଡ ସୁପରଷ୍ଟାର ମଧ୍ୟ ରହିବେ |

ଏହି ସମସ୍ତ ବିଶେଷ ବ୍ୟକ୍ତିତ୍ୱଙ୍କ ବ୍ୟତୀତ ମୋଟ ୧.୩୧ ଲକ୍ଷ ଦର୍ଶକ ଏହି ମ୍ୟାଚ୍ ଦେଖିବା ପାଇଁ ଆସିବେ ।

ଫାଇନାଲ ମ୍ୟାଚରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ବାୟୁସେନା ଏକ ସ୍ୱତନ୍ତ୍ର ଏୟାର ଶୋ’ ପ୍ରଦର୍ଶନ କରିବ, ଏ ନେଇ ବାୟୁସେନା ଆଗୁଆ ଅଭ୍ୟାସ କରିଛି।

୧:୩୦ ରେ ଟସ୍ ପରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଶୋ’ ୧୫ରୁ ୨୦ ମିନିଟ୍ ପାଇଁ ପ୍ରଦର୍ଶିତ ହେବ|

ମ୍ୟାଚ୍ ପରେ ପ୍ରଥମ ଡ୍ରିଙ୍କସ ବ୍ରେକ ପରେ କୋକ୍ ଷ୍ଟୁଡିଓର ଲୋକପ୍ରିୟ ଗାୟକ ଆଦିତ୍ୟ ଗାଢ଼ବୀ ଗୀତ ଗାଇବେ ।

ମିଡ୍ ଇନିଂସ ବ୍ରେକରେ ବି ସାନଦାର ଲାଗିବ ମ୍ୟାଚ୍ । ଏହି ସମୟ ମଧ୍ୟରେ ବଲିଉଡର ମ୍ୟୁଜିକ୍ କମ୍ପୋଜର ପ୍ରୀତମ, ସିଙ୍ଗର ଜୋନିଟା ଗାନ୍ଧୀ, ନାକାଶ ଅଜିଜ, ଅକ୍ଷ ଯୋଶୀ, ତୁଶାର ଯୋଶୀ ଏବଂ ଅମିତ ମିଶ୍ର ସେମାନଙ୍କ ଗୀତ ସହିତ ୧.୩ ଲକ୍ଷ ଲୋକଙ୍କୁ ମନୋରଞ୍ଜନ କରିବେ।

ଏହି କାର୍ଯ୍ୟକ୍ରମ ସମୟରେ ମୁମ୍ବାଇର ପ୍ରାୟ ୫ଶହ ନୃତ୍ୟଶିଳ୍ପୀ ଆସିବେ ବୋଲି ଆଶା କରାଯାଉଛି ।

ଦ୍ୱିତୀୟ ଇନିଂସର ବ୍ରେକ ସମୟରେ ବସିଥିବା ଲକ୍ଷ ଲକ୍ଷ ଦର୍ଶକ ଲେଜର ଏବଂ ଲାଇଟ୍ ଶୋ’ ଦ୍ୱାରା ମନୋରଞ୍ଜନ ହେବେ ।

ଏହି ସମୟରେ, ବିସିସିଆଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଯୋଜନା କରିଛି ଯେଉଁଥିରେ ୧୯୭୫ ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ୱକପ ଜିତିଥିବା ସମସ୍ତ ଅଧିନାୟକଙ୍କୁ ସମ୍ମାନିତ କରାଯିବ।

ବିଶ୍ୱକପ ଜିତିଥିବା ସମସ୍ତ ଅଧିନାୟକଙ୍କ ସେହି ବିଜୟ ମୁହୂର୍ତ୍ତଗୁଡିକ ପଡ଼ିଆରେ ଉପସ୍ଥିତ ଥିବା ବଡ ପରଦାରେ ରିଲ୍ ମାଧ୍ୟମରେ ପ୍ରଦର୍ଶିତ ହେବ ।

ଏହା ବ୍ୟତୀତ ବିସିସିଆଇ ସମସ୍ତ ଅଧିନାୟକଙ୍କୁ ଏକ ସ୍ୱତନ୍ତ୍ର ବ୍ଲେଜର ଉପହାର ଦେବ, ଯାହା ବିଶ୍ୱକପ ୨୦୨୩ ର ପ୍ରତୀକ ହେବ ।

ଏହି ସମସ୍ତ କାର୍ଯ୍ୟକ୍ରମ ପରେ ମ୍ୟାଚ୍ ଶେଷକୁ ଚମତ୍କାର ଆତସବାଜି ପ୍ରଦର୍ଶିତ ହେବ ।

 

ପୁଅଠୁ ଗେହ୍ଲା ପୁତୁରାର ଶବ ସତ୍କାର ବେଳେ ଟଳି ପଡ଼ିଲେ ବଡ଼ବାପା

ପଟ୍ଟାମୁଣ୍ଡାଇ: ସିଏ ଥିଲା ସମ୍ପର୍କରେ ପୁତୁରା । ହେଲେ ନିଜ ପୁଅଠାରୁ ବି ଥିଲା ଅଧିକ ଗେହ୍ଲା । ନିଜ କୋଳରେ ବଡ଼ ହୋଇଥିବା ପୁତୁରାର ରକ୍ତ ଜୁଡୁବୁଡୁ ମରଶରୀର ଯେତେବେଳେ ଜୁଇକୁ ଗଲା ସହି ପାରିଲେନି ବଡ଼ ବାପା । ପୁତୁରା ଜୁଇ ପାଖରେ ଟଳି ପଡ଼ି ଆରପାରିକୁ ଚାଲିଗଲେ ବଡ଼ବାପା । ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମାଣ୍ଡାଇ ଅଞ୍ଚଳରେ । ପୁରୀ ସ୍ବର୍ଗଦ୍ବାରରେ ପୁତୁରାର ଶବ ସତ୍କାଳ ବେଳେ ବଡ଼ବାପାଙ୍କ ମୃତ୍ୟୁ ।

ସୂଚନା ଅନୁସାରେ ଗତ ୧୫ ତାରିଖରେ କୋରାପୁଟ-ଜୟପୁର ମଧ୍ୟ ଜରଟି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣରୁ ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁର ରୁଦ୍ର ପ୍ରସାଦ ମହାନ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଜିଆରପି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତ୍ୟୁର ତଦନ୍ତ କରାଯାଉଛି । ରୁଦ୍ରଙ୍କ ମନି ପର୍ସରୁ ପରିଚୟ ମିଳିଥିଲା ।  ରୁଦ୍ର କୋରାପୁଟରେ ନିଜ ପିଉସୀଙ୍କ ଘରେ ରହି ଯୁକ୍ତତିନି ବିଜ୍ଞାନ ପଢୁଥିଲେ ।

ରୁଦ୍ରର ମୃତ୍ୟୁ ଖବର ମିଳିବା ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ତାଙ୍କ ବାପା, ବଡ଼ବାପା, ଦାଦା ଓ ଗ୍ରାମରୁ କିଛି ବ୍ୟକ୍ତି ଯାଇଥିଲେ । ଶବ ବ୍ୟବଚ୍ଛେଦ ପରେ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ଅଣାଯାଇଥିଲା । ରୀତିନୀତି ଅନୁସାରେ ଶବ ସତ୍କାର ଚାଲିଥିବା ବେଳେ ସେହିଠାରେ ଟଳି ପଡ଼ିଥିଲେ ବଡ଼ବାପା ତ୍ରୈଲୋକ୍ୟ ମହାନ୍ତି । ତାଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରୁଦ୍ରଙ୍କୁ ତାଙ୍କ ବଡ଼ ବାପା ତ୍ରୈଲୋକ୍ୟ ବହୁତ ଭଲ ପାଉଥିଲେ । ଏପରିକି ତାଙ୍କ ପାଇଁ ନିଜ ପିଲାଙ୍କଠାରୁ ଅଧିକ ଗେହ୍ଲା ଥିଲେ ରୁଦ୍ର । ପରିବାରର ସବୁ ସଦସ୍ୟ ରୁଦ୍ରଙ୍କୁ ଭଲ ପାଉଥିଲେ ବି ତ୍ରୈଲୋକ୍ୟଙ୍କ ପାଇଁ ସବୁକିଛି ଥିଲେ ରୁଦ୍ର । ନିଜ ଆଖି ଆଗରେ ରୁଦ୍ରଙ୍କ ରକ୍ତାକ୍ତ ମରଶରୀର ଜୁଇକୁ ଯିବା ଦେଖି ସହି ପାରିନଥିଲେ ତ୍ରୈଲୋକ୍ୟ ଓ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।

ରୁଦ୍ରଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତ୍ରୈଲୋକ୍ୟଙ୍କ ମୃତ୍ୟୁ ପୂରା ଗାଁ ସ୍ତବ୍ଧ କରିଦେଇଛି । ତ୍ରୈଲୋକ୍ୟଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ଦିନେ ଖେଳାଳିଙ୍କୁ ପୁରସ୍କାର ଦେବାକୁ ବିସିସିଆଇ ପାଖରେ ନଥିଲା ଟଙ୍କା, ଲତା ମଙ୍ଗେସକର କରିଥିଲେ ସାହାଯ୍ୟ

ନନ୍ଦିଘୋଷ ବ୍ୟୁରୋ: ୧୯୮୩ ମସିହାରେ ଯେତେବେଳେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଶ୍ୱକପ ଟାଇଟଲ ଜିତି ଥିଲା ସେତେବେଳେ ପ୍ରତେକ ଖେଳାଳିଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଲତା ମଙ୍ଗେଶକରଙ୍କୁ ଏକ କନର୍ସଟ କରିବାକୁ ପଡ଼ିଥିଲା । ୨୦୧୧ ରେ ଧୋନିଙ୍କ ନେତୃତ୍ୱରେ ବିଶ୍ୱକପ୍ ଜିତି ଥିବା ଦଳ ପାଇଁ ଟଙ୍କା ବର୍ଷା ହୋଇଥିଲା । କିନ୍ତୁ ଏଥର ଯଦି ଟିମ୍ ଇଣ୍ଡିଆ ଜିତେ ତାହାଲେ କେତେ ଟଙ୍କା ପାଇବ ଆପଣ ଜାଣିଛନ୍ତି କି?

ଟିମ୍ ଆଇସିସିରୁ ୩୩ କୋଟିରୁ ଅଧିକ ପୁରସ୍କାର ରାଶି ପାଇବ । ରନର୍ସ ଅପ୍ ଦଳ ମଧ୍ୟ ବହୁ ଟଙ୍କା କମେଇବ ।

୧୯୮୩ର ଟିମରେ ୱିକେଟ୍ କିପର ଥିବା ସୟଦ କିରମାନି ଏକ ସାକ୍ଷାତକାରରେ କହିଛହିନ୍ତି ଯେ, ଆମେ ପ୍ରତିଦିନ ଭତ୍ତା ଭାବରେ ୫୦ ପାଉଣ୍ଡ ପାଉଥିଲୁ । ଆମେ ଏହି ଟଙ୍କା ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଏବଂ ପୋଷାକ ଧୋଇବା ପାଇଁ ବ୍ୟବହାର କରିଥିଲୁ ।ପୂରା ଟୁର ପାଇଁ ଆମେ ବୋନସ୍ ଭାବରେ ୧୫,000 ଟଙ୍କା ପାଇଲୁ

୨୮ ବର୍ଷ ପରେ, ଯେତେବେଳେ ଏମଏସ୍ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୧୧ ODI ବିଶ୍ୱକପ୍ ଜିତିଲା ତା’ପରେ ବିସିସିଆଇ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଦେଇଥିଲା । ପ୍ରତେକ ଖେଳାଳିଙ୍କୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏହା ସହ ବିଭିନ୍ନ ରାଜ୍ୟ ସରକାର ଖେଳାଳିଙ୍କୁ ଟଙ୍କା ଦେଇଥିଲା । ଅନେକ କମ୍ପାନୀ ଖେଳାଳିଙ୍କୁ ବିଭିନ୍ନ ପୁରସ୍କାର ମଧ୍ୟ ଦେଇଥିଲେ । ୨୦୧୧ ବିଶ୍ୱକପର ମୋଟ ପୁରସ୍କାର ରାଶି ୮ ନିୟୁତ ଆମେରିକୀୟ ଡଲାର (୬୬ କୋଟି) ସ୍ଥିର କରାଯାଇଥିଲା  । ଏଥି ସହିତ ଆଇସିସି ଟିମ୍ ଇଣ୍ଡିଆକୁ ପ୍ରାୟ ୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛି। ରନର୍ସ ଅପ ଶ୍ରୀଲଙ୍କା ପ୍ରାୟ ୧୨.୫ କୋଟି ଟଙ୍କା ପାଇଛି।

ଆଉ ୨୦୨୩ ବିଶ୍ୱକପର ପୁରସ୍କାର ରାଶି ରହିଛି ୩୩.୧୭ କୋଟି ଟଙ୍କା (୪,000,000 ଡଲାର) । ଏବଂ ଉପବିଜେତା ଏହାର ଅଧା ଟଙ୍କା ପାଇବ । ସେମିଫାଇନାଲରେ ହାରିଥିବା ଉଭୟ ଦଳ ସମାନ ପରିମାଣର ୬.୬୩ କୋଟି (୮00,000 ଡଲାର) ପାଇବେ। ଏହା ବ୍ୟତୀତ ଯଦି ସେମାନେ ଗ୍ରୁପ ପର୍ଯ୍ୟାୟରେ ମ୍ୟାଚ୍ ଜିତଛନ୍ତି ତେବେ ସେମାନଙ୍କୁ ୩୩.୧୭ ଲକ୍ଷ ଟଙ୍କା (୪0,000 ଡଲାର) ମିଳିବ । ପ୍ରାୟ ୮୨.୯୫ କୋଟି ଟଙ୍କା (୧0,000,000 ଡଲାର) ପୁରସ୍କାର ରାଶି ବଣ୍ଟା ଯିବ ।

୧୯୮୩ରେ ବିସିସିଆଇ ପାଖରେ ସେତେ ଟଙ୍କା ନଥିଲା । ଲତା ମଙ୍ଗେଶକରଙ୍କ ସାହାଯ୍ୟ ଲୋଡିଥିଲା ଟିମ୍ । ଭାରତୀୟ ଦଳର ବିଜୟ ଉତ୍ସବକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଲତା ମଙ୍ଗେଶକର କନସର୍ଟ ଆୟୋଜନ କରାଯାଇଥିଲା । ଏଥିରେ ୨୦ ଲକ୍ଷ ଟଙ୍କା ରୋଜଗାର ହୋଇଥିଲା । ଏହା ପରେ ପ୍ରତି ଖେଳାଳୀଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଦିନେ ଖେଳାଳିଙ୍କୁ ଟଙ୍କା ଦେବାକୁ ନଥିଲା ବେଳେ ଆଜି ଦୁନିଆର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ହେଉଛି ବିସିସିଆଇ ।

ଲତା ମଙ୍ଗେଶକରଙ୍କ ଏହି ସାହାଯ୍ୟ ବିସିସିଆଇ ସବୁ ଦିନ ପାଇଁ ମନେ ରଖିବ । ଏହି କନସର୍ଟ ପାଇଁ ଲତା ମଙ୍ଗେଶକର ବିସିସିଆଇରୁ କୌଣସି ଶୁଳ୍କ ନେଇ ନଥିଲେ ।

ବିଶ୍ବକପ ଫାଇନାଲ ପୂର୍ବରୁ ସୋସିଆଲ ମିଡିଆରେ ଭବିଷ୍ୟବାଣୀ

ନନ୍ଦିଘୋଷ ବ୍ୟୁରୋ: କିଏ ହାତେଇବ ବିଶ୍ବକପ ଟ୍ରଫି ? କେଉଁ ଦଳ ଆଣିବ ଦେଶ ପାଇଁ ଗୌରବ ? ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ଫାଇନାଲରେ କଙ୍ଗାରୁ ଟିମ୍‌ ସହ ମୁହାଁମୁହିଁ ହେବ ଟିମ ଇଣ୍ଡିଆ  । ୫ ଥରର ଚାମ୍ପିଅନ ଟିମ୍‌ ପାଇଁ ଘାତକ ହେବ କି ଭାରତୀୟ ଟିମ୍‌ ? ୨୦୦୩ର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଲାଣି ମେନ ଇନ ବ୍ଲୁ  । ଏହାରି ମଧ୍ୟରେ ଅନେକ ଭବିଷ୍ୟବାଣୀ  । ବିଶ୍ବକପ ବାଜି କିଏ ଜିତିବା ନେଇ ଆଶା ଆଶଙ୍କାରେ କ୍ରିକେଟ ପ୍ରେମୀ  । ସେପଟେ ବିଶ୍ବକପ ବିଜେତାକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି  । ଏହି ଫଟୋରେ ବିଶ୍ବକପ ଟ୍ରଫି ସହ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଟିମର ଅଧିନାୟକ ନଜର ଆସୁଛନ୍ତି  ।

ଫଟୋ ଭାଇରାଲ ହେବା ପରେ ୟୁଜର୍ସ ବି ନାନା ମତ ଦେବାରେ ଲାଗିଛନ୍ତି  । ଭାରତ ବିଶ୍ବକପ ଟ୍ରଫି ହାତେଇବା ସପକ୍ଷରେ ଅଧିକାଂଶ ୟୁଜର୍ସ କମେଣ୍ଟ କରୁଛନ୍ତି  । ସେହିପରି ଆଉ ଏକ ଫଟୋ ବି ଭାଇରାଲ ହେବାରେ ଲାଗିଛି  । ଯେଉଁଥିରେ ପୂର୍ବତନ ଚାମ୍ପିଅନ ଟିମର ଅଧିନାୟକ ଓ ରନର୍ସ ଅପ ଟିମର ଅଧିନାୟକ ଥିବା ଦେଖିବାକୁ ମିଳୁଛି  । ସେମାନଙ୍କ ମଝିରେ ବିଶ୍ବକପ ଟ୍ରଫି ରଖାଯାଇଛି  । ଏହି ଫଟୋକୁ ଯଦି ନୀରିକ୍ଷଣ କରାଯାଏ ତେବେ ପୂର୍ବରୁ ଚାମ୍ପିଅନ ହୋଇଥିବା ଟିମର ଅଧିନାୟକ ବାମ ପଟେ ଛିଡା ହୋଇଥିବା ଦେଖିବାକୁ ମିଳିଛି  । ଏହି କ୍ରମରେ ଫଟୋର ଶେଷ ଭାଗରେ ବାମ ପଟେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଛିଡା ହୋଇଥିବାବେଳେ ଡାହାଣ ପଟେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କ୍ୟୁମିନସ ଛିଡା ହୋଇଛନ୍ତି  ।

ସେ ଯାହା ବି ହେଉନା କାହିଁକି ICC ବିଶ୍ବକପ ୨୦୨୩ ଟ୍ରଫି ଭାରତ ଜିତୁ ବୋଲି ଆମେ ଶୁଭକାମନା ଜଣାଇବୁ  ।