spot_img
Home Blog Page 2401

କୁସ୍ତିରୁ ସନ୍ୟାସ ନେଲେ ଯୁବ ରେସଲର୍ ସାକ୍ଷୀ ମଲିକ; କହିଲେ- WFI ନିର୍ବାଚନ ବୃଜଭୂଷଣଙ୍କ ପରି ଆଉ ଜଣେ…

ନୂଆଦିଲ୍ଲୀ: କୁସ୍ତିରୁ ସନ୍ୟାସ ନେଲେ ଯୁବ ରେସଲର୍ ସାକ୍ଷୀ ମଲିକ। ରେସଲିଂ ଫେଡେରେସନ୍ ଅଫ ଇଣ୍ଡିଆ (WFI)ର ନୂଆ ସଭାପତି ଚୟନ ପରେ କୁସ୍ତି ଛାଡିଲେ ସାକ୍ଷୀ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁଁ କୁସ୍ତିର ସନ୍ୟାସ ନେଉଛି। WFI ନିର୍ବାଚନ ବୃଜଭୂଷଣଙ୍କ ପରି ଆଉ ଜଣେ ବ୍ୟକ୍ତି ଜିତିଗଲେ।

ରେସଲର ବଜରଙ୍ଗ ପୁନିଆ କହିଛନ୍ତି, ଖେଳ ମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ବୃଜଭୂଷଣ ଶରଣ ସିଂହଙ୍କ ସହ ସଂଶ୍ଲିଷ୍ଟ କୌଣସି ବ୍ୟକ୍ତି ଫେଡେରେସନକୁ ଆସିବେ ନାହିଁ। କିନ୍ତୁ ମୋତେ ଲାଗୁନି ଝିଅଙ୍କୁ ନ୍ୟାୟ ମିଳିବ ବୋଲି। ଆଜିର ନିର୍ବାଚନରେ ବୃଜଭୂଷଣର ନିଜ ଲୋକ ଜିତିଯାଇଛନ୍ତି। ସରକାର ଆମକୁ ନ୍ୟାୟ ଦେବାରେ ବିଫଳ ହୋଇଛି କିନ୍ତୁ ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି । ସେ ଆମକୁ ନିଶ୍ଚୟ ନ୍ୟାୟ ଦେବେ।

ସାକ୍ଷୀଙ୍କ ସନ୍ୟାସ ନେବା ଅବସରରେ ବିନେଶ ଫୋଗୋଟ୍ ଭାବବିହ୍ୱଳ ହୋଇପଡିଥିଲେ । ସେ କହିଛନ୍ତି ଯେ ଏହି ଘଟଣା ସତରେ ଦୁଃଖଦାୟକ। ଆମେ ଲଢିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଆମକୁ ନ୍ୟାୟ ମିଳିଲା ନାହିଁ । ଏବେ କୁସ୍ତିର ଭବିଷ୍ୟ ଅନ୍ଧକାର ଆଡକୁ ଗତି କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ବିଏସକେଓ୍ବାଇରେ ଯୋଡି ହେଲା ଅଧିକ ଘରୋଇ ହସ୍ପିଟାଲ୍

ଭୁବନେଶ୍ୱର: ବିଏସକେଓ୍ବାଇରେ ଯୋଡି ହେଲା ଅଧି୍କ ଘରୋଇ ହସ୍ପିଟାଲ। ୮୧୬ ସୁପର ସ୍ପେଶିଆଲିଟି ଘରୋଇ ହସ୍ପିଟାଲ ବିଏସକେଓ୍ବାଇରେ ଯୋଡି ହୋଇଛି। ଏଥିରେ ୧୬ଟି ପ୍ରମୁଖ ରାଜ୍ୟର ୧୬୦ଟି ଘରୋଇ ହସ୍ପିଟାଲ ଅଛି। ବିଏସକେଓ୍ବାଇ ଲାଗୁ ହେବା ପରଠୁ ହସ୍ପିଟାଲରେ ରୋଗୀ ସଂଖ୍ୟା ୧୦୨ ପ୍ରତିଶତ ବୃଦ୍ଧି ପାଇଛି।

ଡିସେମ୍ବର ୧୫ ତାରିଖ ସୁଦ୍ଧା ୧୨ ଲକ୍ଷ ୧୧ ହଜାର ରୋଗୀ ପାଇଛନ୍ତି ଚିକିତ୍ସା ସୁବିଧା। ଡିସେମ୍ବର ଶେଷ ସୁଦ୍ଧା ଏହା ୧୩ ଲକ୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଚିକିତ୍ସା ସୁବିଧା ପାଇବାରେ ୨୦୨୨ ତୁଳନାରେ ୧୦୨ ପ୍ରତିଶତ ଅଧିକ ରହିଛି। ସେହିପରି ୯୬.୫ ଲକ୍ଷ ପରିବାର BSKYରେ ସାମିଲ ଅଛନ୍ତି। ଡିସେମ୍ବର ୧୫ ତାରିଖ ସୁଦ୍ଧା ୨୫୦୭.୦୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ଡିସେମ୍ବର ଶେଷ ସୁଦ୍ଧା ଖର୍ଚ୍ଚ ରାଶି ୨୯୧୦ କୋଟି ଟଙ୍କାରେ ପହଞ୍ଚିବ। ୨୦୨୨ରେ ୧୪୦୯.୪୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର। BSKYରେ ୯୮ ପ୍ରତିଶତ ମହିଳା ଓ ବୟସ୍କ ଚିକିତ୍ସା ସୁବିଧା ପାଇଛନ୍ତି।

ଭାଇଙ୍କୁ କିଡନୀ ଦେବାରୁ ସ୍ବାମୀ ଦେଲେ ଛାଡପତ୍ର

ଲକ୍ଷ୍ନୌ: ଭାଇକୁ ଭଲ କରିବାକୁ ଯାଇ ମହିଳାଙ୍କ ଉଜୁଡିଲା ସଂସାର । ଭାଇକୁ କିଡନୀ ଦେବାରୁ ହ୍ବାଟ୍ସଅପରେ ତଲାକ ଦେଇଛନ୍ତି ସ୍ବାମୀ । ଏମିତି ଏକ ଘଟଣା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି । ଗୋଣ୍ଡା ଅଞ୍ଚଳର ଜଣେ ମହିଳା ତରନ୍ନୁମ ତାଙ୍କ ଭାଇଙ୍କ ଜୀବନ ବଞ୍ଚାଇବା ପାଇଁ କିଡନୀ ଦାନ କରିବା ପରେ ହ୍ବାଟ୍ସଅପ ଜରିଆରେ ତାଙ୍କ ସ୍ବାମୀ ତିନି ତଲାକ ଦେଇଛନ୍ତି ।

ତରନ୍ନୁମଙ୍କ ସ୍ବାମୀ ମହମ୍ମଦ ରସିଦ ସାଉଦି ଆରବରେ କାମ କରନ୍ତି ।  ତରନ୍ନୁମ କିଡନୀ ଦାନ କରିବା ଖବର ପାଇଁ ରାଗିଯାଇ ତାଙ୍କୁ ୪୦ ଲକ୍ଷ ଟଙ୍କା ମାଗିଥିଲେ । ସେ ମନା କରିବାରୁ ତାଙ୍କ ଅଗଷ୍ଟ ୩୦ ତାରିଖ ଦିନ ହ୍ବାଟ୍ସଅପ ଜରିଆରେ ତାଙ୍କ ସ୍ବାମୀ ତିନି ତଲାକର ମେସେଜ ଦେଇଥିଲେ ।  ତରନ୍ନୁମଙ୍କ ଭାଇ ମୋହଦ୍ ଶାକିର କିଡନୀ ରୋଗରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ତାଙ୍କ ଜୀବନ ବଞ୍ଚାଇବା ପାଇଁ ତରନ୍ନୁମ ପାଞ୍ଚ ମାସ ପୂର୍ବେ ଗୋଟିଏ କିଡନୀ ଦାନ କରିବା ପରେ ତାଙ୍କ ଶାଶୁ ଘରକୁ ଚାଲିଯାଇଥିଲେ । ଘଟଣା ସମ୍ପର୍କରେ ତାଙ୍କ ସ୍ବାମୀ ରସିଦ ଜାଣିବା ପରେ ତାଙ୍କୁ ହ୍ବାଟ୍ସଅପ ମାଧ୍ୟମରେ ତରନ୍ନୁମଙ୍କୁ ତିନି ତଲାକ ମେସେଜ ଦେଇଥିଲେ । ଆଉ ବାପା ଘରେ ରହିବା ପାଇଁ କହିଥିଲେ ।

ଉଭୟଙ୍କ ବିବାହ ୨୦ ବର୍ଷ ତଳେ ହୋଇଥିବା ବେଳେ ରସିଦ ଚାକିରି କରିବା ସାଉଦି ଆରବ ଚାଲି ଯାଇଥିଲେ । ତରନ୍ନୁମ  କହିବାନୁଯାୟୀ, ଉଭୟଙ୍କ ସନ୍ତାନ ନଥିବାରୁ ରସିଦ ଦ୍ବିତୀୟ ବିବାହ କରିଥିଲେ । ପୋଲିସ ରସିଦଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ହେଲା ଲୋକସଭା ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ଲୋକସଭା ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ। ଗତ ଡିସେମ୍ବର ୪ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ହୋଇଥିଲା ଗୃହୀତ। ସଂସଦ ନିରାପତ୍ତା ତ୍ରୁଟି ନେଇ ଗୃହରେ ହୋଇଥିଲା ହଙ୍ଗାମା। ୧୪୬ ସାଂସଦଙ୍କୁ କରାଯାଇଥିଲା ନିଲମ୍ବିତ।

ଅଧିବେଶନ କାଳରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ସଂକ୍ରାନ୍ତ ବିଲ୍ ଲୋକସଭାରେ ଗୃହୀତ। ଗତକାଲି ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ କହିଛନ୍ତି- ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ପରିବର୍ତ୍ତନ କରାଯାଇ ନୂଆ ବିଲ୍ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ପ୍ୟାନେଲ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ତେବେ ନୂଆ ଆଇନ ଅନୁସାରେ ପ୍ରଧାନ ବିଚାରପତିଙ୍କ ବଦଳରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନୀତ କରାଯିବ। ଇଣ୍ଡିଆନ ଟେଲିଗ୍ରାଫ ଆଇନ, ୧୮୮୫ ବଦଳରେ ନୂଆ ଟେଲିକମ ଆଇନ ଆଣିଛନ୍ତି ସରକାର। ଏହା ସହ ଆଇପିସି, ସିଆରପିସି ଆଦି ଆଇନର ନାମ ପରିବର୍ତ୍ତନ ସହ ବିଭିନ୍ନ ଧାରାରେ ଆଣିଥିଲେ ସଂଶୋଧନ। ଗତ ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ୨୨ ତାରିଖ ଯାଏ ଏହା ଚାଲିବାର ଥିଲା । ଏଥିରେ ୧୯ଟି କାର୍ଯ୍ୟଦିବସ ଓ ୧୫ଟି ସିଟିଂ ରହିଥିଲିା ।

ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ ସ୍ଥିତି: ଆରଏମସି କମିଶନର

ରାଉରକେଲା: ରାଉରକେଲାରେ ନିୟନ୍ତ୍ରଣରେ ଡାଇରିଆ ସ୍ଥିତି। ଝାଡାବାନ୍ତି ନିୟନ୍ତ୍ରଣାଧୀନ ଥିବାବେଳେ ରାଉରକେଲା ସରକାରୀ ଡାକ୍ତରଖାନା ସହିତ ଵିଭିନ୍ନ ଘରୋଇ ଡାକ୍ତରଖାନାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା କହିଛନ୍ତି ଆରଏମସି କମିଶନର ଶୁଭଙ୍କର ମହାପାତ୍ର । ଝାଡାବାନ୍ତିର କାରଣ ଅନୁଧ୍ୟାନ ପାଇଁ SCB ଟିମ ଓ RMRCର ଦୁଇଜଣିଆ ବୈଜ୍ଞାନିକ ଟିମ ରାଉରକେଲାରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଏହାସହ ରାଉରକେଲା ମହାନଗର ନିଗମ ପକ୍ଷରୁ ଟୋଲ-ଫ୍ରି ନମ୍ଵର ଜାରି କରାଯାଇଛି।

ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜଳସାଥୀଙ୍କ ଵୈଠକ ମଧ୍ୟ ଆଜି ଅନୁଷ୍ଠିତ ହୋଇଯାଇଛି । ସହରର ଵିଭିନ୍ନ ସ୍ଥାନରୁ ଦୈନିକ ୪ଶହ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ରାଉରକେଲା ସହରର ୧୦ଟି ପ୍ରାଥମିକ ଚିକିତ୍ସାଳୟରେ ଆଜି ଠାରୁ ୨୪ ଘଣ୍ଟିଆ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହ ପ୍ରତି ଚିକିତ୍ସାଳୟକୁ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ରାଉରକେଲା ସହରର ୬୦ରୁ ଅଧିକ ସ୍ଥାନରେ ପାଇପ ଲିକେଜ ମରାମତି କରାଯାଇଛି। ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି।

ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଡାଇରିଆ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇଯିଵ ବୋଲି ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି। ଅନ୍ୟପଟେ ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜଳସାଥୀଙ୍କ ବୈଠକରେ ମଧ୍ୟ ଆରଡିସି ଯୋଗ ଦେଇଥିଲେ।

ସଂସଦ ଭବନର ସୁରକ୍ଷାରେ ରହିବେ ପୋଲିସ ବଦଳରେ ସିଆଇଏସଏଫ୍

ନୂଆଦିଲ୍ଲୀ: ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା ପରେ ଗୃହ ମନ୍ତ୍ରାଳୟ ବଡ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁଯାୟୀ ସଂସଦ ଭବନ ସୁରକ୍ଷାରେ ପୋଲିସ ନୁହେଁ ମୁତୟନ ହେବ ସିଆଇଏସଏଫ । ଏବେ ଦିଲ୍ଲୀ ପୋଲିସ ନୁହେଁ ସିଆଇଏସଏଫର ଯବାନ ସଂସଦ ସୁରକ୍ଷା କରିବେ ।

ସଂସଦରେ ସୁରକ୍ଷା ଉଲ୍ଲଂଘନ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଅନେକ ସୁରକ୍ଷା ଏଜେନ୍ସି ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ଦିଲ୍ଲୀ ପୋଲିସ, ଗୃହ ମନ୍ତ୍ରଣାଳୟ (ଏମଏଚଏ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍)ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ଏବଂ ଅନ୍ୟାନ୍ୟ ଏଜେନ୍ସିର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସଂସଦର ସୁରକ୍ଷା ସହ ଜଡିତ ପ୍ରସଙ୍ଗଗୁଡିକ ଏହି ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏହା ପରେ ସଂସଦର ସୁରକ୍ଷା ଦାୟିତ୍ବକୁ ସିଆଇଏସ୍ଏଫ୍ ହସ୍ତାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ନୂଆ ଓ ପୁରୁଣା ଦୁଇ ସଂସଦ ପରିସର ଏବଂ ତାକୁ ଲାଗିଥିବା ସମସ୍ତ ବିଲିଡିଂର ସୁରକ୍ଷା ସିଆଇଏସଏଫ ଦାୟିତ୍ୱକୁ ଦିଆଯାଇଛି । ଏହାଛଡା ସଂସଦ ସୁରକ୍ଷା ସେବା, ଦିଲ୍ଲୀ ପୋଲିସ, ସିଆରପିଏଫ ମଧ୍ୟ ଉପସ୍ଥିତି ରହିବେ । ସିଆଇଏସଏଫ ଦିଲ୍ଲୀ ଏୟାରପୋର୍ଟ ଏବଂ ଦିଲ୍ଲୀ ମେଟ୍ରୋ ସୁରକ୍ଷା ଦାୟିତ୍ୱରେ ରହିଛି  ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ସଂସଦର ଲୋକସଭା ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ଡେଇଁ ଆତଙ୍କ ରଚିଥିଲେ । କିଛି ସ୍ପ୍ରେ କରିବା ସହିତ ସ୍ମୋକ ଫାୟାର ମଧ୍ୟ କରିଥିଲେ । ଏହି ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଡିସେମ୍ବର ୨୨ ବର୍ଷର ସବୁଠୁ ଛୋଟ ଦିନ, ଜାଣନ୍ତୁ କାହିଁକି?

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ସବୁଠୁ ଛୋଟ ଦିନ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହାବର୍ଷର “ସବୁଠାରୁ ଛୋଟ ଦିନ” ହୋଇଥାଏ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଉତ୍ତର ମେରୁରେ ଶୀତଦିନ ଆରମ୍ଭ ହୁଏ । ଫଳରେ ଦକ୍ଷିଣ ମେରୁରେ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ । ମାର୍ଚ୍ଚ ମାସ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ରହେ।

ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ମଧ୍ୟ ଘୂରୁଛି। ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଏକା ଜାଗାରେ ଅସ୍ତ ଯାଏ ନାହିଁ । ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ମଧ୍ୟ ଦେଖାଯାଇଥାଏ । ପ୍ରତ୍ୟେକ ବର୍ଷ ଜୁନମାସ ୨୧ ତାରିଖରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ।

ସେହିଠାରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରି ଥାଏ ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ। ଏହିପରି ଦକ୍ଷିଣ ଦିଗକୁ ଢଳି ଢଳି ୨୨ ଡିସେମ୍ବର ବେଳକୁ ସୂର୍ଯ୍ୟ ବିଷୁବ ରେଖା ଠାରୁ ୨୩.୫ ଡିଗ୍ରୀ ଦକ୍ଷିଣ ରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଗତି କରି ଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ।

ଭୁବନେଶ୍ୱର ପାଇଁ ଚଳିତ ବର୍ଷ ଡିସେମ୍ବର ୨୨ ତାରିଖରେ ସବୁଠାରୁ ଛୋଟ ଦିନ, ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ହେବ। ସେହିଭଳି ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। କିନ୍ତୁ ଭୁବନେଶ୍ୱରରେ ଡିସେମ୍ବର ୧୬ରୁ ଡିସେମ୍ବର ୨୮ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା୫ ମିନିଟ୍ ହୁଏ। ଡିସେମ୍ବର ୨୨ ତାରିଖରେ ସୁନ୍ଦରଗଡ ଓ ମାଲକାନଗିରିଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୦୧ ମିନିଟ୍ ହେବ। ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ।

ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲା: ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ : ଏବେ ପୁଣି ଚର୍ଚ୍ଚାରେ ଅଭିନେତା  ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଛେଦ ମାମଲା।  ହାଇକୋର୍ଟ ଅନୁଭବଙ୍କ ଆବେଦନକୁ ଗ୍ରହଣ କରି ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ବିବାଦୀୟ ଛାଡ଼ପତ୍ରର ଖୁବ୍ ଶୀଘ୍ର ଅନ୍ତ ଘଟିବାକୁ ଯାଉଛି।

ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ପରିବାର ଅଦାଲତ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଦ୍ଵାରସ୍ତ ହୋଇଥିଲେ ଅନୁଭବ। ପିଟିଶନ୍‌ରେ ଅନୁଭବ ଦର୍ଶାଇଥିଲେ ଯେ, ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି। ଓଲଟା ସେ ସର୍ବଦା ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ପାରିବାରିକ ଜୀବନରେ ବର୍ଷା କେବେହେଲେ ତାଙ୍କୁ ସହଯୋଗ କରୁ ନ ଥିଲେ। ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ଥିବା କାରଣରୁ ଉଭୟ ଦୀର୍ଘଦିନ ହେବ ଅଲଗା ରହୁଛନ୍ତି। ଆଜି ଏହି ମାମଲାରେ ହାଇକୋର୍ଟ ଶୁଣାଣି ଶେଷ କରିବା ସହିତ ବିଛେଦ ପାଇଁ ଅନୁମତି ଦେଇଛନ୍ତି।

 

ରାଜ୍ୟରେ କୋଭିଡ ସ୍ଥିତି ଶୂନ, ତଥାପି ସ୍ବାସ୍ଥ୍ୟ ବିଭାଗ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ଶୂନ, ତଥାପି ସ୍ବାସ୍ଥ୍ୟ ବିଭାଗ ଆଲର୍ଟ। ସବୁ ହସ୍ପିଟାଲରେ ହେବ ଫିଭର କ୍ଲିନିକ୍। ଜିଲ୍ଲା ଚିକିତ୍ସାଳୟଙ୍କୁ ସର୍ଭେଲାନ୍ସ ଓ କୋଭିଡ ଟେଷ୍ଟ ବଢାଇବାକୁ କୁହାଯାଇଛି। ଗତ ୧୫ ଦିନ ଭିତରେ କୋଭିଡ ସଂଖ୍ୟା ଦେଶରେ ଉପରମୁହାଁ ହୋଇଛି। ୫ଟି ରାଜ୍ୟରୁ ୯୮%ରୁ ଅଧିକ ରୋଗୀ ରହିଛନ୍ତି। ୮୮ ପ୍ରତିଶତ କେବଳ କେରଳରୁ। ନୂଆ ଭାରିଏଣ୍ଟ JN1 ଯଦିଓ ବ୍ୟାପିଛି କିନ୍ତୁ ସ୍ଥିତି ସାଂଘାତିକ ହେଉନାହିଁ। ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ବର ରହୁଛି। କିନ୍ତୁ ରାଜ୍ୟରେ ଗତ ୩ ତାରିଖରୁ କୋଭିଡର ଗୋଟିଏ ହେଲେ କେସ୍ ସାମ୍ନାକୁ ଆସିନାହିଁ। ତଥାପି କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ କୁହାଯାଇଛି।

କୋଭିଡ କେସ ବଢିବା ଆଶଙ୍କା ଥିବାରୁ ଜିଲ୍ଲା ଚିକିତ୍ସାଳୟଙ୍କୁ ସର୍ଭେଲାନ୍ସ ବଢାଇବାକୁ କୁହାଯାଇଛି। ଯଦି କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢେ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଏବେଠାରୁ କରି ରଖିବେ। ଔଷଧ, ଲଜିଷ୍ଟିକ, ଟେଷ୍ଟ କିଟ୍, ବେଡ୍, ଅକ୍ସିଜେନ୍, ଇକୋ ସିଷ୍ଟମ ସହ ଆବଶ୍ୟକ ସାମଗ୍ରୀ ରଖିବେ। ଏହା ସହିତ ପ୍ରତି ୩ ମାସରେ ଥରେ ମକ ଡ୍ରିଲ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ଲୋକଙ୍କୁ ସଚେତନ କରିବା ପାଇଁ କୁହାଯାଇଛି। କିନ୍ତୁ ଭୟ ବା ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କୋଭିଡ ନିୟମ ଅନୁପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛି ସ୍ବାସ୍ଥ୍ୟ ବିଭାଗ। ଥଣ୍ଡା, କାଶ, ଜ୍ଵର ହେଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ। ବୟସ୍କ ଓ କୋମର୍ବିଡମାନେ ମାସ୍କ ବ୍ୟବହାର କରନ୍ତୁ। ଲୋକଙ୍କୁ ଆତଙ୍କିତ ନ କରିବାକୁ ମାର୍ଗଦର୍ଶିକା ଜାରି କରାଯାଉନି। ହେଲେ ସମସ୍ତେ ନିଜେ ସଚେତନ ରୁହିବା ସହ ଗୁଜବରୁ ଦୂରେଇବାକୁ ଅନୁରୋଧ କରାଯାଇଛି।

କିଡନୀ ଦେବାକୁ କହି ଲୁଟିନେଲେ ୧୨ ଲକ୍ଷ ଟଙ୍କା

କଟକ: କଟକରେ କିଡନୀ ଦେବାକୁ କହି ୧୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏନେଇ କଟକ ମଙ୍ଗଳାବାଗ ଥାନା ପୋଲିସ ମାମଲା ରୁଜୁ କରିଛି। ଜଣେ ଅତିରିକ୍ତ ଡିସିପି ଏହାର ତଦନ୍ତକୁ ଅନୁଧ୍ୟାନ କରିବେ। ଖବର ଅନୁଯାୟୀ, ଜଣେ ରୋଗୀଙ୍କୁ କିଡନୀ ଦେବାକୁ କହି ୧୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଠକେଇ ଅଭିଯୋଗରେ ଅଭିଯୁକ୍ତ ଓ ତାଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଛି । କିଡନୀ ଦାନ ପାଇଁ ରହିଥିବା ନିୟମ ପାଳନ କରାଯାଇଛି କି ନାହିଁ, ତାହା ଅନୁଧ୍ୟାନ କରାଯାଉଥିବା କଟକ ଡିସିପି ପିନାକି ମିଶ୍ର କହିଛନ୍ତି । ଗତକାଲି କିଡନୀ ଦେବା ନାଁରେ ଟଙ୍କା ଠକିବା ଅଭିଯୋଗରେ ରାଣୀହାଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ ସ୍ଥାନୀୟ ବାସିନ୍ଦା।

ସୂଚନା ଅନୁଯାୟୀ, କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କୁ କୀଡନୀ ଦେବାକୁ କହିଥିଲେ ଅନୁଗୁଳ ଜିଲ୍ଲାର ମାର୍କଣ୍ଡ ନାଥ ନାମକ ବ୍ୟକ୍ତି । କେନ୍ଦୁଝର ଜିଲ୍ଲାର କୁଟୁଲ ମାଝୀଙ୍କ ଦୁଇଟି କିଡନୀ ଖରାପ ହେବା ପରେ ମାର୍କଣ୍ଡ ତାଙ୍କ ପତ୍ନୀଙ୍କ କିଡନୀ ଦେବା ପାଇଁ କହିଥିଲେ। ଏହା ପରେ କୁଟୁଲଙ୍କ ଠାରୁ ମାର୍କଣ୍ଡ ୯ ଲକ୍ଷ ୫୦ ହଜାର ଟଙ୍କା ଓ ଅତିରିକ୍ତ ୩ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ଧରା ଛୁଆଁ ଦେଇନଥିଲେ । ଗତକାଲି କୁଟୁଲ ଓ ତାଙ୍କର ପତ୍ନୀ ସ୍ଥାନୀୟ ଯୁବକଙ୍କ ସହାୟତାରେ ମାର୍କଣ୍ଡ ଓ ତାଙ୍କର ପତ୍ନୀଙ୍କୁ ଅଟକ ରଖିଥିଲେ।