spot_img
Home Blog Page 2482

ଖୋଲିବ ସନ୍ଦିଗ୍ଧ ସୟଦ ଇଶାନ ବୁଖାରୀର ପ୍ରକୃତ ମୁଖା

ଭୁବନେଶ୍ବର: ଖୋଲିବ ସନ୍ଦିଗ୍ଧ ସୟଦ ଇଶାନ ବୁଖାରୀର ପ୍ରକୃତ ମୁଖା । ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଆଜି ଅଦାଲତ ରିମାଣ୍ଡ ପାଇଁ ଅନୁମତି ଦେଇପାରନ୍ତି  । ରିମାଣ୍ଡରେ ନେବାପରେ ଆକାଉଣ୍ଟ ଡିଟେଲସ ଖୋଳତାଡ଼ କରାଯିବ । ୬ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ଯୋଜନା ରହିଛି  । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କୁ କରାଯାଇଥିବା ମେସେଜରୁ ପୁରା ତଥ୍ୟ ବାହାର କରିବା ପାଇଁ SFSLକୁ ପଠାଯାଇଛି ଜବତ ମୋବାଇଲ । ଏନଆଇଏ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ମଧ୍ୟ ମାମଲାର ତଦନ୍ତ କରିବ ।

ଖୁବଶୀଘ୍ର ଅଭିଯୁକ୍ତକୁ ଜେରା କରିବେ କେରଳ, ପଞ୍ଜାବ, ମହାରାଷ୍ଟ୍ର ପୋଲିସ । ପିଏମଓରେ ଚାକିରି କରିଥିବା କହି କାଶ୍ମୀରର ଏକାଧିକ ପୋଲିସ ଅଧିକାରୀଙ୍କ ସହ ଅଭିଯୁକ୍ତ ରଖୁଥିଲା ସମ୍ପର୍କ । ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା । ପାକିସ୍ତାନର ଦୁଇ ଯୁବକଙ୍କ ସହ କଥାବାର୍ତ୍ତା ଓ ଆଇଏସଆଇ ଲିଙ୍କ ନେଇ ଏସଟିଏଫ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିବା ପରେ ଘନୀଭୂତ ହୋଇଛି ସନ୍ଦେହ । ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ । ବିବାହିତ ୭ ଜଣ ମହିଳାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି STF ଏସପି ।

ଯାଜପୁର ମିଲତ ନଗର ଭଡାଘରେ ରହିବା ସହ ମାସକୁ ୨୦ ଦିନ ବିଭିନ୍ନ ଆଳ ଦେଖାଇ ରାଜ୍ୟ ବାହାରକୁ ଯାଉଥିଲେ । ୨୦୨୦ରେ ଧର୍ମଶାଳାରେ ଆଧାର କାର୍ଡ ପାଇଁ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ । ତେବେ ଆବଶ୍ୟକୀୟ ଡ଼କୁମେଣ୍ଟ ଦେଖାଇ ନପାରିବାରୁ ଆଧାର କାର୍ଡ ହୋଇପାରି ନଥିଲା। ସେପଟେ ବୁଖାରୀ ରହୁଥିବା ରଗଡ଼ି ଜେଲର ସୁରକ୍ଷା ବଢାଇବା ପାଇଁ ଯାଜପୁର ଏସପିଙ୍କୁ ଚିଠି ଲେଖିଛନ୍ତି ଜେଲ ଅଧୀକ୍ଷକ ।

ଆକାଶ ଓ୍ବିପନ ସିଷ୍ଟମର ସଫଳ ପରୀକ୍ଷଣ

ନନ୍ଦିଘୋଷ ବ୍ୟୁରୋ: ଆହୁରି ସଶକ୍ତ ହେଉଛି ଭାରତୀୟ ବାୟୁସେନା । ଆକାଶ ଓ୍ବିପନ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି । ଏହି ୱିପନ ସିଷ୍ଟମ ଗୋଟିଏ ଥରରେ ୪ଟି ଲକ୍ଷ୍ୟଭେଦ କରିଛି । ଏପରି ପ୍ରତିରକ୍ଷା କ୍ଷମତା ହାସଲ କରିବାରେ ଭାରତ ବିଶ୍ୱରେ ପ୍ରଥମ ଦେଶ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ପରୀକ୍ଷଣ ବେଳେ ଗୋଟିଏ ଦିଗରୁ ୪ଟି ଟାର୍ଗେଟ୍ କ୍ଲୋଜ ଫର୍ମେସନରେ ଆସିଥିଲେ, ପରେ ଅଲଗା ହୋଇ ଟାର୍ଗେଟକୁ ଆକ୍ରମଣ କରିଥିଲେ । ଏହି ସମୟରେ ଆକାଶ ୱିପନ ସିଷ୍ଟମକୁ ଫାୟାରିଂ କରାଯାଇଥିଲା । ଏଥିରେ ୫ଟି ମିସାଇଲ ଲାଗିଥିଲା । ନିର୍ଦ୍ଦେଶ ପାଇବା ମାତ୍ରକେ ଦୁଇଟି ଲଞ୍ଚରରୁ ଦୁଇଟି ଆକାଶ କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇଥିଲା ।

ଏହା ପରେ ଲଞ୍ଚରରୁ ଆଉ ୨ଟି କ୍ଷେପଣାସ୍ତ୍ର ଲଞ୍ଚ ହୋଇଥିଲା । ୪ଟି କ୍ଷେପଣାସ୍ତ୍ର ୩୦ କିଲୋମିଟର ରେଞ୍ଜରେ ୪ଟି ଲକ୍ଷକୁ ନଷ୍ଟ କରିଥିଲେ । ଆକାଶ ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ହୋଇଛି । ଏହାକୁ ଡିଆରଡିଓ ବିକଶିତ କରିଛି । ଗତ ଦଶନ୍ଧୀରେ ଏହା ଆର୍ମି ଓ ବାୟୁସେନାରେ ମୁତୟନ ହୋଇଛି । ଡିଆରଡିଓ ଏହାକୁ ନିରନ୍ତର ଅପଗ୍ରେଡ କରିବା ସହ ଆଧୁନିକ କରୁଛନ୍ତି । ଏହା ପୂର୍ବରୁ ଡିଆରଡିଓ ସ୍ୱଦେଶୀ ହାଇସ୍ପିଡ ଫ୍ଲାଇଁ  ୟୁଏଭି, ଅଟୋନମସ ଫ୍ଲାଇଂ ଓ୍ବିଂଗ ଟେକ୍ନଲୋଜି ଡେମନଷ୍ଟ୍ରେଟରର ସଫଳ ପରୀକ୍ଷଣ କରିଥିଲେ ।

ଗାଜାରେ ହମାସର ଟନେଲ ଦେଖି ତାଜୁବ ଇସ୍ରାଏଲ

ନନ୍ଦିଘୋଷ ବ୍ୟୁରୋ: ପାଲେଷ୍ଟାଇନର ଗାଜାରେ ରହିଛି ହମାସ ସଂଗଠନର ସବୁଠୁ ବଡ଼ ଟନେଲ । ୪ କିଲୋମିଟରର ଏହି ଟନେଲରେ ହମାସ ଆତଙ୍କବାଦୀ ମାନେ ଇସ୍ରାଏଲକୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରୁଥିଲେ । ଏଥିସହ ସୀମା ପାର କରିବାକୁ ଆତଙ୍କୀ ଏହି ଟନେଲକୁ ବ୍ୟବହାର କରୁଥିଲେ । ଟନେଲଟି ଏତେ ବଡ଼ ଯେ ତା ଭିତରେ ଏକ ଛୋଟ କାର ଯିବା ଆସିବା କରିପାରିବ । ଏହି ଟନେଲର ନିର୍ମାଣ କେବେ ହେଲା, ତାକୁ ନେଇ ଇସ୍ରାଏଲ ସେନା ଏବେ ଚିନ୍ତାରେ ପଡ଼ିଛି  । କାରଣ ଏହି ଟନେଲକୁ ତିଆରି କରିବା ପାଇଁ ଦୀଘ ବର୍ଷ ସମୟ ଲାଗିବ । ଏହି ଟନେଲ ତିଆରି ପରେ ହିଁ ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ ହୋଇଥିଲା ।

ଏପଟେ ଦୁଇ ଦିନ ତଳେ ଦକ୍ଷିଣ ଗାଜାରେ ଜାତିସଂଘ ଦ୍ବାରା ପରିଚାଳିତ ସ୍କୁଲ ଏବଂ ରେସିଡେନ୍ସ ଏରିଆରେ ରକେଟ ମାଡ଼ କରିଥିଲା ଇସ୍ରାଏଲ । ଏଭଳି ଆକ୍ରମଣ ଯୋଗୁଁ ଟେଲିକମ୍ୟୁନିକେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ପାଲେଷ୍ଟାଇନ ପକ୍ଷରୁ ଯୋଗାଯାଉଥିବା ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଥିଲା  । ଯୋଗାଯୋଗ ବ୍ୟାହତ ଯୋଗୁଁ ରେସକ୍ୟୁ ମିଶନରେ ବାଧା ସୃଷ୍ଟି ହୋଇଥିଲା । ସେହି ଦିନ ଠାରୁ ଇସ୍ରାଏଲ ସେନା ଗାଜାରେ ସର୍ଚ୍ଚ ଅଭିଯାନ ଯୋରଦାର କରିଥିବା ବେଳେ ସେଠାରୁ ଟନେଲ ମିଳିବା ଆହୁରି ଚିନ୍ତା ବଢାଇଦେଇଛି । ଏହି ଯୁଦ୍ଧ ଆରମ୍ଭ ହେବାଠାରୁ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲର ୪୫୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ।

ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର: ସାରା ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ସହ ଭୀଷଣ ଜାଡ଼ ହେଉଛି । କୋହଲା ପବନ ସାଙ୍ଗକୁ ତାପମାତ୍ରାରେ ଅଚାନକ ହ୍ରାସ କାରଣରୁ ରାଜ୍ୟବାସୀ ଶୀତରେ ଥରୁଛନ୍ତି । ରାଜ୍ୟର ୧୦ରୁ ଅଧିକ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଆସନ୍ତା କିଛି ଦିନ ରାଜ୍ୟରେ ଏପରି ଶୀତ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥିପାଇଁ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା, କୋରାପୁଟ ଓ ରାୟଗଡ଼ାକୁ ସତର୍କତା ଜାରି କରାଯାଇଛି । ଏପଟେ ଟୁଇନସିଟିରେ ଲଗାତାର ତାପମାତ୍ରା ଖସୁଛି । ୧୫ ଡିଗ୍ରୀ ତଳରେ କଟକ ଓ ଭୁବନେଶ୍ବରର ତାପମାତ୍ରା ରେକର୍ଡ ହୋଇଛି ।

 

‘ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକ ବିଚଳିତ ନ ହୋଇ କାର୍ଯ୍ୟ କରିବା ଉଚିତ୍’

ଭୁବନେଶ୍ବର: ପ୍ରମେୟ ୧୨ ବର୍ଷ ପୂର୍ତ୍ତି ଓ NEWS-7ର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ଉତ୍ସବରେ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଏଡ଼ିଟର ସାନ୍ତ୍ବନା ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିକୂଳ ପରିସ୍ଥିତି ଭିତରେ ସାମ୍ବାଦିକମାନେ ବିଚଳିତ ନ ହୋଇ କାର୍ଯ୍ୟ କରିବା ଉଚିତ୍ ବୋଲି ମତ ରଖିଛନ୍ତି । ଉତ୍ତର ପ୍ରଦେଶର ଓ କାଶ୍ମୀରରେ ବିପଦପୂର୍ଣ୍ଣ ରିପୋର୍ଟିଂ, ସିରିଆରେ ବିପଦପୂର୍ଣ୍ଣ ରିପୋର୍ଟିଂ ସମୟର ତିକ୍ତ ଅନୁଭୂତ ଓ ଅଭିଜ୍ଞତା ବଖାଣିଛନ୍ତି । ଯେ କୌଣସି ପରିସ୍ଥିତିରେ ସାମ୍ବାଦିକମାନେ ବିଚଳିତ ନ ହୋଇ ଭଲ କାହାଣୀ ତିଆରି କରିବା ଆବଶ୍ୟକ । ଲୋକମାନେ ସାମ୍ବାଦିକମାନଙ୍କ ଆଖିରେ ଖବରକୁ ଦେଖନ୍ତି । ତେଣୁ ଟେଲିଭିଜନ ଓ ଛାପା ଗଣମାଧ୍ୟମ ପ୍ରତିନିଧିମାନେ ସଚେତନ ଭାବେ ଖବରକୁ ଭଲ ଭାବେ ତର୍ଜମା କରି ପ୍ରସାରଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।

ଶବ୍ଦର ସଂଯୋଜନାକୁ ନେଇ ପ୍ରତିଦିନ ସାମ୍ବାଦିକମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଆସେ । ଯେପରି ପ୍ରତି ମୂହୁର୍ତ୍ତରେ ସାମ୍ବାଦିକମାନଙ୍କୁ ପରୀକ୍ଷା ଦେବାକୁ ହୁଏ । ତେଣୁ ସବୁ ପରିସ୍ଥିତି ଭିତରେ ଚ୍ୟାଲେଞ୍ଜ ଗ୍ରହଣ କରି ସାମ୍ବାଦିକ ଓ ସଂପାଦକମାନେ କାମ କରିବା ଦରକାର । ବର୍ତ୍ତମାନ ଯୁଗରେ ଟେଲିଭିଜନ ଓ ଛାପା ଗଣମାଧ୍ୟମ ତୁରନ୍ତ ଖବର ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ । କିନ୍ତୁ କମ୍ ସମୟ ଓ କମ୍ ଶବ୍ଦରେ ଅଧିକ ତଥ୍ୟ ଉପସ୍ଥାପନ କରିବା ଉଚିତ୍ ବୋଲି ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରମେୟ ନ୍ୟୁଜ ୭ ଗ୍ରୁପ୍ ଏଡ଼ିଟର ଗୋପାଳ କୃଷ୍ଣ ମହାପାତ୍ର, ନ୍ୟୁଜ ୭ ସିଇଓ ସୁନୀଲ ଦାସ, ନ୍ୟୁଜ ୭ କାର୍ଯ୍ୟକାରୀ ସଂପାଦକ ଦେବ ନାରାୟଣ ସେଠୀ, ଡିଜିଟାଲ ମୁଖ୍ୟ ସୁବ୍ରତ ଦାସ ପ୍ରମୁଖ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ନିକଟରେ ସଠିକ ଖବର ପହଞ୍ଚାଇବା ପାଇଁ ଅନେକ ସମୟରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରନ୍ତି । ସାମ୍ବାଦିକମାନଙ୍କ ନିଷ୍ଠା, ନିସ୍ଵାର୍ଥପର ଯୋଗଦାନ ପାଇଁ ଗଣତନ୍ତ୍ରରେ ଗଣମାଧ୍ୟମ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ଗଣମାଧ୍ୟମ ସଂସ୍ଥା ଏବଂ ସାମ୍ବାଦିକମାନେ ଲୋକଙ୍କୁ ସଠିକ୍ ଓ ନିରପେକ୍ଷ ଖବର ପହଞ୍ଚାଇବାର ଦାୟିତ୍ୱ ନେବା ଉଚିତ ବୋଲି କହିଛନ୍ତି ପ୍ରମେୟ ନ୍ୟୁଜ ୭ ଗ୍ରୁପ୍ ଏଡ଼ିଟର ଗୋପାଳ କୃଷ୍ଣ ମହାପାତ୍ର । କାର୍ଯ୍ୟକ୍ରମରେ ରାଜ୍ୟ, ଜିଲ୍ଲା, ତଥା ବ୍ଲକ୍ ସ୍ତରରେ କାର୍ଯ୍ୟ କରୁଥିବା ଶ୍ରେଷ୍ଠ ସାମ୍ବାଦିକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଗଞ୍ଜାମର ବିଭିନ୍ନ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଘୋଷଣା ହୋଇଛି: 5T ଅଧ୍ୟକ୍ଷ

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର, ଛତ୍ରପୁର ନିକଟସ୍ଥ ସୁନ୍ଦରେଶ୍ବର, ପୁରୁଷୋତ୍ତମପୁରର ତୁମ୍ବେଶ୍ବର, ପୋଲସରା ନିକଟସ୍ଥ ମାରଦାର ଶୂନ୍ୟ ମନ୍ଦିର, ଆଠଗଡ଼ର ଶ୍ରୀଜଗନ୍ନାଥ ମନ୍ଦିର, ଆସିକାର ପ୍ରସିଦ୍ଧ ଖମ୍ବେଶ୍ବର ମନ୍ଦିର ଓ ଶେଷରେ କୁଲାଡ଼ର ମାଆ ବ୍ୟାଘ୍ରଦେବୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ତାଙ୍କ ଗସ୍ତ ଅବସରରେ ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ନୂଆ ଓଡ଼ିଶା ଗଠନରେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ । ସର୍ବୋପରି ରାଜ୍ୟର ସବୁଠୁ ଗରିବ ବ୍ୟକ୍ତିକୁ ବଡ ସ୍ବପ୍ନ ଦେଖିବାକୁ ସକ୍ଷମ କରିବା ସହ ନୂତନ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରଣ କରୁଥିବା ସେ କହିଥିଲେ ।

ବିଭିନ୍ନ ମନ୍ଦିର ଓ  କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବା କଥା କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକର ଧବଳେଶ୍ୱର ମନ୍ଦିର ପାଇଁ ୧ କୋଟି ୨୦ଲକ୍ଷ, ଛତ୍ରପୁର ବ୍ଲକର ସୁନ୍ଦରେଶ୍ୱର ମନ୍ଦିର ପାଇଁ ଦେଢ କୋଟି, ରାମଚଣ୍ଡୀ ମନ୍ଦିର ପାଇଁ ୨ କୋଟି ୨୦ଲକ୍ଷ, ବଟେଶ୍ୱର ମନ୍ଦିର ପାଇଁ ୧ କୋଟି ୫୦ ଲକ୍ଷ ମଞ୍ଜୁର ହୋଇଛି । ସେହିପରି ପୁରୁଷୋତ୍ତମପୁର ବ୍ଲକର ତୁମ୍ବେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି ୨୦ ଲକ୍ଷ ମଞ୍ଜୁର କରାଯାଇଛି । ପୋଲସରା ବ୍ଲକର ମାରଦା ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଠଗଡ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୨ କୋଟି, ଖଲ୍ଲିକୋଟ ନାରାୟଣୀ ମନ୍ଦିର ପାଇଁ ୨ କୋଟି ଟଙ୍କା, ଆସିକା ଖମ୍ବେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । କୁଲାଡ ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୮ଲକ୍ଷ ମଂଜୁର ହୋଇଛି । ସେହିଭଳି ପଞ୍ଚମା ସିଦ୍ଧବିନାୟକ ମନ୍ଦିର ଉନ୍ନତି ପାଇଁ ୧ କୋଟି ୨୦ଲକ୍ଷ, ଖଲ୍ଲିକୋଟ କଲେଜ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା, କେଶପୁର କଲେଜର ବିକାଶ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି । କବିସୂର୍ଯ୍ୟନଗର ମାତା ସରସ୍ୱତୀ ମନ୍ଦିର ପାଇଁ ୧ କୋଟି, କୋଦଳା ଦଣ୍ଡେଶ୍ୱର ମନ୍ଦିର ପାଇଁ ୫୦ ଲକ୍ଷ ମଞ୍ଜୁର ହୋଇଛି । କବିସୂର୍ଯ୍ୟନଗରର ସମସ୍ତ କଲେଜ ପାଇଁ ୧ କୋଟି ଲେଖାଏଁ ମଞ୍ଜୁର ହୋଇଥିବା କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି ।

ଡାବୁଗାଁ ନିର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ନବରଙ୍ଗପୁର: ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଡାବୁଗାଁ ନିର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ।

ଡାବୁଗାଁ ବ୍ଲକର ଭଣ୍ଡାରୀଗୁଡାଠାରେ ପହଞ୍ଚି ଓଲମାଠାରୁ ମାଟିଗାଁ ଯିବା ରାସ୍ତା ଓ ରାସ୍ତାରେ ଥିବା ନାଳ ଉପରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ପାପଡାହାଣ୍ଡି ଘୋଡାଖୁଣ୍ଟାରେ ପହଞ୍ଚି ଆଟିଗାଁ ପଡିଆଗୁଡା ରାସ୍ତାରେ ପୋଲ ନିର୍ମାଣ, ଜଟାବାହାଲଠାରେ ତୁରୀ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କୋଷଗୁମୁଡ଼ା ବ୍ଲକ ଟେମରାଠାରେ ଗାଈଯୋଡି ଆମ୍ବଗୁଡା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ନାଳ ଉପରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ ୩୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୨ ଶହ କୋଟି ଟଙ୍କାର କାର୍ଯ୍ୟ ଚାଲିଛି ।

କାର୍ଯ୍ୟକ୍ରମରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବିଧାୟକ ମନୋହର ରନ୍ଧାରୀ ସାମିଲ ହୋଇଥିଲେ । ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ଟାଙ୍ଗରମୁଣ୍ଡା ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଲେଖାଏଁ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡା ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ଲୋକଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏହାସହ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ତେଲେନଡିହି ଟାଙ୍ଗରମୁଣ୍ଡା ମନ୍ଦିର ନିକଟରେ  ଏକ ଅଟୋ ଉପରେ ହାଇଓ୍ବା ଚଢ଼ି ଯିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ।

ମିଳିଥିବା ସୂଚନା ଅନୁସାରେ ମୃତକମାନେ ଗୋଟିଏ ପରିବାରର । ମୃତକମାନେ ରିଜେଣ୍ଟ ମାର୍କେଟ ନିକଟ ବଗିଚାପଡ଼ା ଅଞ୍ଚଳର । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଅଛନ୍ତି । ପିକନିକ୍ କରିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିବାର କିଞ୍ଜିରକେଲା ପଟରୁ ଅଟୋରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇଓ୍ବାଟି ଧକ୍କା ଦେଇ ଅଟୋ ଉପରେ ଚଢ଼ି ଯାଇଥିଲା

ଜମୁଛି ତୋଷଳୀ ମେଳା: ମେଲିଛି ୫୫୦ କାରିଗରଙ୍କ ପସରା

ଭୁବନେଶ୍ବର: ଶୀତୁଆ ସନ୍ଧ୍ୟାରେ ଜମୁଛି ତୋଷାଳୀ ମେଳା । ବିକ୍ରିବଟାର ପସରା ମେଲାଇଛନ୍ତି ୫୫୦ କାରିଗର । ଜନତା ମଇଦାନରେ ଆରମ୍ଭ ହୋଇଛି ୧୬ ତମ ତୋଷାଳୀ ମେଳା । ପ୍ରତିବର୍ଷ ଏହି ମେଳା ପଡୁଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜଧାନୀବାସୀ ।

ସନ୍ଧ୍ୟା ନଇଁଲେ ଜନତା ମଇଦାନରେ ଖଚାଖଚ ଭିଡ଼ । ବିକ୍ରିବଟା ସାଙ୍ଗକୁ ନାଚଗୀତର ଆସର । ଘର କରଣାଠାରୁ ଆରମ୍ଭ କରି ଲୁଗାପଟା, ଟେରାକୋଟା, କାଠ କାମ, ହସ୍ତତନ୍ତ, ପିଲାଙ୍କ ଖେଳନାର ସମ୍ଭାର ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ପ୍ରତିବର୍ଷ ମେଳାରେ ନୂଆ ନୂଆ ସାମଗ୍ରୀ ମିଳୁଥିବାରୁ ଗ୍ରାହକମାନେ ବେଶ ପସନ୍ଦ କରୁଛନ୍ତି । ସେପଟେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଭଲ ବେପାର ହେବା ନେଇ ଆଶା ବାନ୍ଧିଛନ୍ତି ବେବସାୟୀ ।

ମେଳାରେ ସମସ୍ତ ପ୍ରକାର ଜିନିଷ ଉପଲବ୍ଧ ହେଉଥିବା ବେଳେ ବିଶେଷ କରି ହାତ ତିଆରି ଘରକରଣା ଓ ପଟଚିତ୍ର ଲୋକଙ୍କ ଆକର୍ଷଣ ସାଜିଛି l ଦଶ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ ଏଠାରେ ଉପଲବ୍ଧ ହେଉଛି  l ଜିନିଷ କିଣାକିଣି ସହ ସନ୍ଧ୍ୟା ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଲୁଟୁଛନ୍ତି ରାଜଧାନୀବାସୀ । ୨୯ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବାକୁ ଥିବାରୁ ଆଗାମୀ ଦିନରେ ଭିଡ଼ ଅଧିକ ହେବା ଆଶା କରାଯାଉଛି ।

ଭାଙ୍ଗିଲା କଟକର ଐତିହାସିକ ପୋଲ ବଜ୍ରକବାଟି

କଟକ: ଭାଙ୍ଗିଲା କଟକ ସହରର ଅନ୍ୟତମ ପୂରାତନ ପୋଲ ବଜ୍ରକବାଟି । ସହରର ବ୍ରହତ ପ୍ରକଳ୍ପ ବକ୍ସ ଡ୍ରେନ ନିର୍ମାଣ କାମ ପାଇଁ ଏହି ଐତିହାସିକ ପୋଲକୁ ଭାଙ୍ଗିବା ଜରୁରୀ ଥିଲା । ମାତ୍ରାଧିକ ଟ୍ରାଫିକ ପାଇଁ ଏହା ମାସ ମାସ ଧରି ଅଟକି ରହିଥିଲା । ତେବେ ବ୍ରିଜର ଗୋଟିଏ ପାର୍ଶ୍ବ ଭଙ୍ଗା ଯିବା ସହିତ ଅସ୍ଥାୟୀ ରାସ୍ତା ତିଆରି କରାଯାଇ ଟ୍ରାଫିକକୁ ଶୃଙ୍ଖଳିତ କରାଯାଇଛି । ସହରର ରୂପାନ୍ତରିକରଣ ପ୍ରକ୍ରିୟାକୁ ସହରବାସୀ ସ୍ବାଗତ କରିଥିବାବେଳେ ଏହାର ସ୍ମୃତିକୁ ବଞ୍ଚାଇ ରଖିବାକୁ ଅନୁରୋଧ କରିଛନ୍ତି ।

ବ୍ରେକର ମାଡ଼ରେ ମାଟିରେ ମିଶିଲା ବ୍ରିଟିଶ ଅମଳର ପୋଲ । ଭାଙ୍ଗିଲା କଟକର ଐତିହାସିକ ବଜ୍ରକବାଟି ପୋଲ । ସହରର ଜନସଂଖ୍ୟା ବୃଦ୍ଧି ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସହରର ଡ୍ରେନେଜ ଓ ଜଳବନ୍ଦୀ ସମସ୍ୟାକୁ ଦେଖି କଟକରେ ରାଜ୍ୟର ପ୍ରଥମ ବକ୍ସ ଡ୍ରେନ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି କାର୍ଯ୍ୟ ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଥିବା ବେଳେ ବଜ୍ରକବାଟି ପୋଲଭାଙ୍ଗି ଏହାକୁ ଏଥିରେ ମିଶାଇବା ଜରୁରୀ ଥିଲା । ତେବେ ଟ୍ରାଫିକ ସମସ୍ୟା ପାଇଁ କାମ ବିଳମ୍ବ ହେଉଥିଲା । ତେବେ ବ୍ରିଜର ଗୋଟିଏ ପାର୍ଶ୍ବ ଭଙ୍ଗା ଯିବା ସହ ଏକ ଆସ୍ଥୟୀ ରାସ୍ତା କରାଯାଇ ଟ୍ରାଫିକକୁ ଶୃଙ୍ଖଳିତ କରାଯାଇଛି । ପ୍ରଥମେ ବ୍ରେକରରେ ବ୍ରିଜ ଭଙ୍ଗାଯିବା ସହିତ ଏବେ ସିଟ ପାଇଲିଙ୍ଗ କାମ ଚାଲିଥିବା କହିଛି ନିର୍ମାଣକାରୀ ସଂସ୍ଥା ।

ବଜ୍ରକବାଟି ପୋଲ ସହ ଏହି ନାଁର ରହିଛି ବହୁ ପୁରୁଣା ସମ୍ପର୍କ । କୁହାଯାଏ ଏହି ପୋଲରେ ଥିବା ଲୁହାର ବିରାଟ କବାଟ ସହରକୁ ବନ୍ୟା ପାଣି ପ୍ରବେଶରୁ ରକ୍ଷା କରୁଥିଲା । ସହର ଓ ପାଣି ମଝିରେ ବଜ୍ର ପରି ଛିଡା ହୋଇଥିବାରୁ ଏହାର ନାଁ ବଜ୍ରକବାଟ ରଖାଯାଇଥିଲା । କାଳକ୍ରମେ ଏହି ଏହାର ନାଁ ବଜ୍ରକବାଟି ହୋଇଛି । ସହରର ବିକାଶ ପାଇଁ ଏହାକୁ ଭାଙ୍ଗାଯାଇଥିବାରୁ ଏହାକୁ ସ୍ବାଗତ କରିଥିବାବେଳେ ଏହାର ସ୍ମୃତି ବଞ୍ଚାଇ ରଖିବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।