ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିଲା ନବ ନିର୍ମିତ ନୂଆ ରୂପା ପରଭା । ନୂଆବର୍ଷରେ ଝଲସୁଛନ୍ତି ମା’ ସମଲେଇ । ଅନ୍ୟପଟେ ଆଜି ନୂଆ ବର୍ଷ ଆରମ୍ଭ ହୋଇଥିବାରୁ ମା’ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ନୂଆ ବର୍ଷକୁ ଆଖି ଅଗରେ ରଖି ଆଜି ଦିନ ତମାମ ଚାଲିବ ମା’ଙ୍କ ଦର୍ଶନ । ଏଥିପାଇଁ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି, ରଥ କାଠ ନିମନ୍ତେ ହେବ ଗଛକଟା ଅନୁକୂଳ
ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ଼ ଅଭିମୁଖେ ଯାତ୍ରା କରିବ ସ୍ବତନ୍ତ୍ର ଟିମ । ଟିମରେ ଶ୍ରୀମନ୍ଦିର ରଥ ତତ୍ତ୍ବାବଧାରକ, ରଥ ଅମିନ ଓ ଭୋଇ ସର୍ଦ୍ଦାର ଯିବାକୁ ଥିବାବେଳେ ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ୍ଦ, ଖଣ୍ଡୁଆ, ଧୂପଦୀପ, ନଡ଼ିଆ ପ୍ରଭୃତି ନିଆଯିବ ।
ପରମ୍ପରା ଅନୁଯାୟୀ ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚି଼ହ୍ନଟ ହୋଇ ଗଣିଆର ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହୋଇ ଗଛକଟା ଅନୁକୂଳ କରାଯିବ । ପରେ ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇବ । ତେବେ ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି । ଆବଶ୍ୟକୀୟ ମୋଟ ୮୧୨ ଖଣ୍ଡ କାଠ ଚି଼ହ୍ନଟ କରିବ ଟିମ । ଯାହାକୁ ପର୍ଯ୍ୟାୟ କ୍ରମେ ବନବିଭାଗ ପକ୍ଷରୁ ଶ୍ରୀମନ୍ଦିର ନିକଟକୁ କଟାଯାଇ ପଠାଯିବ ।
ମାଇଲଖୁଣ୍ଟ ଅତିକ୍ରମ କଲା ମାନବଜାତି ; ବିଶ୍ବ ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮୦୦ କୋଟି ଅତିକ୍ରମ
ନନ୍ଦିଘୋଷ ବ୍ୟୁରୋ : ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ମାନବଜାତି । ଆଜି ବିଶ୍ବର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ ବା ୮୦୦ କୋଟି ଅତିକ୍ରମ କରିଛି । ଏନେଇ ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଏହି ସଂଖ୍ୟା ମାତ୍ର ଗୋଟିଏ ବର୍ଷରେ ୭୫ ନିୟୁତରୁ ଅଧିକ ଲୋକଙ୍କ ବୃଦ୍ଧିକୁ ଦର୍ଶାଉଛି । ବିଶ୍ବରେ ପ୍ରତି ସେକେଣ୍ଡରେ ପ୍ରାୟ ୪ ଦଶମିକ ୩ଟି ଜନ୍ମ ଏବଂ ୨ ଜଣଙ୍କ ମୃତ୍ୟୁ ହେଉଛି। ବିଗତ ବର୍ଷ ତୁଳନାରେ ବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇ ମାତ୍ର ୧ ପ୍ରତିଶତରୁ କମ୍ ରହିଛି ।
ଆଜି ପହିଲାରେ ବିଶ୍ୱର ଆନୁମାନିକ ଜନସଂଖ୍ୟା ୮୦୦ କୋଟି ରହିଛି । ଯାହା କି ୨୦୨୩ ନବବର୍ଷ ତୁଳନାରେ ଢେର ଅଧିକ। ଫୋର୍ବସ୍ର ଏକ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୨ରେ ଜାତିସଂଘ ଆକଳନ କରିଥିଲା ଯେ ୭ ବିଲିୟନରେ ପହଞ୍ଚିବାର ୧୧ ବର୍ଷ ପରେ ବିଶ୍ୱ ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିବ । ପ୍ରଜନନ ହାର ହ୍ରାସ ଏବଂ ଯୁବକଙ୍କ ସଂଖ୍ୟା କମ୍ ହେବା ଭଳି କାରଣରୁ ଜନଗଣନା ବ୍ୟୁରୋ ଆକଳନ କରିଛି ଯେ ୯ ବିଲିୟନ ଜନସଂଖ୍ୟା ହାସଲ କରିବା ପାଇଁ ୧୪ ବର୍ଷରୁ ଅଧିକ ସମୟ ଲାଗିବ । ଏହାବ୍ୟତୀତ ୧୦ ବିଲିୟନ ଛୁଇଁବା ପାଇଁ ଅତିରିକ୍ତ ୧୬ ଦଶମିକ ୪ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି।
ହାଇକୋର୍ଟରେ ନୂଆ ନିୟମ; ଆଜିଠୁ ଦାଖଲ ମାମଲାର ଯାଞ୍ଚ ପରେ ମିଳିବ ନମ୍ବର
କଟକ : ଆଜିଠୁ ହାଇକୋର୍ଟରେ ନୂଆ ନିୟମ । ଦାଖଲ ମାମଲାର ଯାଞ୍ଚ ପରେ ମିଳିବ ନମ୍ବର । ହାଇକୋର୍ଟରେ ଜାମିନ ଆବେଦନ ବିଭାଗ ହେବ ପେପରଲେସ୍ । ସିଆରପିସିର ଧାରା ୪୩୮ ଓ ୪୩୯ରେ ରୁଜୁ ଜାମିନ ଆବେଦନ ଗୁଡିକର ରେକର୍ଡ ପେପରଲେସ୍ ବ୍ୟବସ୍ଥାରେ ବିଭିନ୍ନ ସଂଯୁକ୍ତ ବିଭାଗ ଯଥା ଷ୍ଟାମ୍ପ ରିପୋର୍ଟିଂ ବିଭାଗ, ଜାମିନ ବିଭାଗ, ଲିଷ୍ଟ ବିଭାଗ ମଧ୍ୟରେ ଆଦାନପ୍ରଦାନ ହେବ ।
ଅଦାଲତରେ ପେପରଲେସ୍ ବ୍ୟବସ୍ଥା କାର୍ଯ୍ୟକାରିତାକୁ ଗୁରୁତ୍ବ ଦିଆଯିବା ପ୍ରକ୍ରିୟାରେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ମାମଲା ଦାୟର ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଥିଲେ । ପୂର୍ବରୁ ହାଇକୋର୍ଟରେ ନୂଆ ମାମଲା ଦାଖଲ ହେବା ପରେ ସିଧାସଳଖ ପଞ୍ଜୀକରଣ କରାଯାଉଥିଲା। ମାମଲାର ନମ୍ବର ବି ମିଳି ଯାଉଥିଲା। ଏବେ ହାଇକୋର୍ଟରେ ଦାଖଲ ନୂଆ ମାମଲାକୁ ପ୍ରଥମେ ଡାଏରି ନମ୍ବର ଦିଆଯିବ। ମାମଲାର ଯାଞ୍ଚ ପରେ ଯଦି ସବୁ ଠିକ ଥିବ ତେବେ ଏହାକୁ ପଞ୍ଜୀକରଣ କରାଯିବ ।
ଆଜିଠୁ ଯେଉଁ ସବୁ ମାମଲା ଦାଖଲ ହେବ, ତାହାକୁ ପ୍ରଥମେ ଡାଏରୀ ନମ୍ବର ଦିଆଯିବ। ତା ପରେ ଷ୍ଟାମ୍ପ ରିପୋର୍ଟରଙ୍କ ଦ୍ବାରା ମାମଲାର ଯାଞ୍ଚ କରାଯିବ। ଯଦି ମାମଲାରେ କିଛି ତ୍ରୁଟି ନଥିବ ତେବେ ଫାଇଲିଂ ସେକ୍ସନ୍ ଏହାକୁ ପଞ୍ଜୀକରଣ କରିବ । ମାମଲାର ପଞ୍ଜୀକରଣ ପରେ ଆବେଦନକାରୀଙ୍କୁ ଏକ ବୈଧ ମାମଲା ନମ୍ବର ପ୍ରଦାନ କରାଯିବ। ଡାଏରି ନମ୍ବର ଠାରୁ ମାମଲା ନମ୍ବର ଭିନ୍ନ ରହିବ । ଯଦି ଦାଖଲ ମାମଲାରେ କିଛି ତ୍ରୁଟି ଥିବ ତେବେ ଏନେଇ ହାଇକୋର୍ଟଙ୍କ ଓ୍ବେବସାଇଟରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ।
ଆଇନଜୀବୀ ଓ ପକ୍ଷଙ୍କ ଦ୍ବାରା ଏପରି ମାମଲାର ତ୍ରୁଟି ଦୂର ପାଇଁ ଦାଖଲ ଠାରୁ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ହୁଏ ତେବେ ଫାଇଲିଂ ସେକ୍ସନ୍ ଦ୍ବାରା ଏହାର ପଞ୍ଜୀକରଣ କରାଯାଇ ନମ୍ବର ପ୍ରଦାନ କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ନ କରାଯାଏ ତେବେ ମାମଲାକୁ ଖାରଜ କରି ଦିଆଯିବ। ବିଭିନ୍ନ କାର୍ଯ୍ୟର ସମୟ ନିର୍ଘଣ୍ଟ ନେଇ ମଧ୍ୟ ହାଇକୋର୍ଟଙ୍କ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ବାଲୁକାକଳାରେ ନୂଆବର୍ଷକୁ ସ୍ବାଗତ
ପୁରୀ: ନୂଆବର୍ଷ ପାଇଁ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ । ଶୁଭକାମନା ଜଣାଇ ଏହାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର କଳାକୃତି ନିର୍ମାଣ କରି ନୂଆବର୍ଷ ୨୦୨୪ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଦେବାକୁ ନିବେଦନ କରିଛନ୍ତି । ସେହିପରି ପଲ୍ଲୀରୁ ଦିଲ୍ଲୀ ଯାଏଁ ନାଚ ଗୀତର ଆସର ଜମିଥିବା ବେଳେ ଏହି ପରିପ୍ରେକ୍ଷୀରେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ନୂଆବର୍ଷର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାସହ ସମସ୍ତଙ୍କ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

