spot_img
Home Blog Page 2520

ଖେଳିବାକୁ ଯାଇ ନିଖୋଜ ଥିଲେ, କୂଅରୁ ମିଳିଲା ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ

ଢେଙ୍କାନାଳ: ଖେଳିବାକୁ ଯିବା ହେଲା କାଳ । କୂଅରେ ପଡ଼ି ଚାଲିଗଲା ଦୁଇ ନାବାଳକ ଭାଇଙ୍କ ଜୀବନ । ଘଟଣା ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ବିମ୍ବୋଲୋ ଗାଁର । ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର ପରେ ପୂରା ଗାଁରେ ଖେଳି ଯାଇଛି ଶୋକର ଛାୟା । ମୃତ ଶିଶୁ ଦୁଇ ଜଣ ହେଲେ ୫ ବର୍ଷର ସଞ୍ଜିତ ପ୍ରଧାନ ଏବଂ ୪ ବର୍ଷର ରଞ୍ଜିତ ପ୍ରଧାନ ।

ମିଳିଥିବା ସୂଚନା ଅନୁସାରେ, ବିମ୍ବୋଲୋ ଗାଁର କମ୍ପାନୀ ପ୍ରଧାନଙ୍କ ଦୁଇ ପୁଅ ଗତକାଲି ଅପରାହ୍ନରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ନିରାଶ ହେବା ପରେ ପରିବା ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚି ପରିବାର ଓ ଗାଁ ଲୋକଙ୍କ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ପିଲାମାନଙ୍କ କୌଣସି ସନ୍ଧାନ ମିଳି ନଥିଲା । ରାତି ଅଧିକ ହୋଇଯିବାରୁ କାଲି ଖୋଜାଖୋଜି ବନ୍ଧ ଥିଲା । ଆଜି ସକାଳେ ଗାଁର ଦୁଇ ଜଣ ଲୋକ ଶୌଚ ପାଇଁ ଯାଇଥିବା ବେଳେ ପିଲା ଦୁଇଟିଙ୍କ ମ୍ୟତଦେହ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ସେମାନେ ପିଲାଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ ।

ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ନର୍ଲା ରେଞ୍ଜ ଅଧିକାରୀଙ୍କୁ ଦଳି ମାରିଦେଲା ହାତୀ

ନର୍ଲା: କଳାହାଣ୍ଡି ଏମ୍. ରାମପୁରରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କ ମୃତ୍ୟୁ । ବନ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ହାତୀ କରିଥିଲା ଆକ୍ରମଣ । ନର୍ଲା ରେଞ୍ଜ ଅନ୍ତର୍ଗତ ଆମପଡା ଜଙ୍ଗଲରେ ଘଟିଛି ଘଟଣା ।

ତେବେ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ରାଜ୍ୟରେ ବାରମ୍ବାର ଘଟୁଥିବାରୁ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଖାଦ୍ୟ ଖୋଜି ଖୋଜି ହେଉ କି ଜଙ୍ଗଲ ଅଭାବ, ହାତୀ ହେଉଛନ୍ତି ଜନବସତି ମୁହାଁ । ଯାହାଦ୍ବାରା ବାରମ୍ବାର ହାତୀ ମଣିଷ ମୁହାଁମୁହିଁ ହେଉଛନ୍ତି । କେତେବେଳେ ହାତୀର ମୃତ୍ୟୁ ଘଟୁଥିବା ବେଳେ କେତେବେଳେ ମଣିଷ ଜୀବନ ହାରୁଛି ।

ଗାଜା ଓ୍ବାର୍: ହମାସକୁ ନିପାତ କରିବାକୁ ଇସ୍ରାଏଲ ବ୍ୟବହାର କରୁଛି AI

ନୂଆଦିଲ୍ଲୀ: ଯୁଦ୍ଧକୁ ଓହ୍ଲାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନସ ବା AI । ଚିନ୍ତା କରିପାରୁଛନ୍ତି  ଯୁଦ୍ଧରେ AIର ବ୍ୟବହାର ରଚୁଥିବ କେତେ ବଡ଼ ଧ୍ବଂସଲିଳା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗାଜା ଯୁଦ୍ଧରେ AIର ଏଣ୍ଟ୍ରି ହୋଇ ସାରିଛି । ଇସ୍ରାଏଲ AI ବ୍ୟବହାର କରି ହମାସ ଆତଙ୍କବାଦୀଙ୍କୁ ନିପାତ କରୁଛି ।

ମିଳିଥିବା ସୂଚନା ଅନୁସାରେ, ହମାସର ଟାର୍ଗେଟଗୁଡିକୁ ଠାବ କରିବା ଲାଗି ଇସ୍ରାଏଲ AIର ବ୍ୟବହାର କରୁଛି । ଗାଜାସ୍ଥିତ ହମାସର ବିଭିନ୍ନ ଗୋପନସ୍ଥଳୀକୁ AI ଜରିଆରେ ଠାବ କରି ସେଠାରେ ଆକ୍ରମଣ କରାଯାଉଛି । ରିମୋଟ ଓ ଅଟୋନମସ ସିଷ୍ଟମ ବ୍ୟବହାର କରି ଏହି ଆକ୍ରମଣ କରାଯାଉଛି ।

ଯୁଦ୍ଧରେ AIର ବ୍ୟବହାର ଯୋଗୁଁ ଆଇଡିଏଫ ନିଜର ସୈନ୍ୟଙ୍କ ସୁରକ୍ଷା କରିପାରିବା ସହ ନିଜ ସୈନ୍ୟବାହିନୀର ମନୋବଳ ମଧ୍ୟ ବଢାଉଛି । ତେବେ ଯୁଦ୍ଧରେ AIର ବ୍ୟବହାରକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଗୁଇନ୍ଦା, ସର୍ଭେଲାନ୍ସ ଓ ସାମରିକ ସର୍ଭେକ୍ଷଣ କ୍ଷେତ୍ରରେ AIର ବ୍ୟବହାର ଯୋଗୁଁ ଉଦବେପ ପ୍ରକାଶ ପାଇଛି । ବଡକଥା ହେଉଛି ବିଭିନ୍ନ ଗୋପନ ସ୍ଥଳକୁ ଟାର୍ଗେଟ କରିବା କ୍ଷେତ୍ରରେ ସୈନ୍ୟଙ୍କ ଆବଶ୍ୟକ ପଡୁନାହିଁ । AI ଜରିଆରେ ଆକ୍ରମଣ ସମ୍ଭବ ହେଉଛି । ଯୁଦ୍ଧରେ AIର ବ୍ୟବହାର ବିବାଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଟ୍ରକ-କାର ଧକ୍କା: ଜଣେ ଶିଶୁ ସହ ଜୀବନ୍ତ ଜଳିଗଲେ ୮

ବରେଲି: ଉତ୍ତରପ୍ରଦେଶର ବରେଲି-ନୈନିତାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋଜିପୁରା ନିକଟରେ ଜୀବନ୍ତ ଜଳିଗଲେ ୮ ଜଣ ଯାତ୍ରୀ । ଟ୍ରକ ସହ କାରର ଧକ୍କା ହେବା ପରେ ଏକ ଶିଶୁ ସମେତ କାରରେ ଥିବା ୮ ଜଣ  ଯାତ୍ରୀ ପୋଡ଼ି ହୋଇ ମୃତ ।

ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ବିବାହ କାର୍ଯ୍ୟକ୍ରମରୁ ଫେରୁଥିବାବେଳେ କାରର ଗୋଟିଏ ଟାୟାର ଫାଟି ଯାଇଥିଲା । ଏହାପରେ କାଟି ଟ୍ରକକୁ ଧକ୍କା ଦେଇ ରାସ୍ତାର ଅନ୍ୟ ଲେନକୁ ଚାଲିଯାଇଥିଲା । ସେଠାରେ ଅନ୍ୟ ଏକ କାର ସହ କାରର ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା ।

ସେଣ୍ଟ୍ରାଲ ଲକ୍ ବ୍ୟବସ୍ଥା ଥିବା କାର ଆଉ ଖୋଲିନଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସହ ପୋଲିସ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମୃତଦେହ ବ୍ୟବଚ୍ଛେଦ କରାଇବାକୁ ମେଡିକାଲ ପଠାଯାଇଛି । ମୃତକଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଶାହାରୁଖ, ଅକ୍ଷୟ ଓ ଅଜୟଙ୍କୁ ତମାଖୁ ବିଜ୍ଞାପନ ପାଇଁ ନୋଟିସ୍

ନୂଆଦିଲ୍ଲୀ: ଅଡୁଆରେ ବି ଟାଉନର ତିନି ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ । କେତେକ ତମାଖୁ କମ୍ପାନୀ ଲାଗି ପ୍ରଚାର କରିଥିବା ଅଭିଯୋଗରେ ତିନି ଜଣଙ୍କୁ ନୋଟିସ୍ । ନୋଟିସ ଜାରି କଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ । ଏନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ମୌ ବେଞ୍ଚକୁ ଏକ ପିଟିସନ ଜରିଆରେ ସୂଚନା ଦେଇଛନ୍ତି ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେ ।

ସ୍ବାସ୍ଥ୍ୟ ପକ୍ଷେ ହାନିକାରକ କେତେକ ସାମଗ୍ରୀର ପ୍ରଚାର କରିବା ଉଦ୍ଦେଶ୍ୟରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତାଙ୍କ ପଦକ୍ଷେପକୁ ନେଇ ଏକ ପିଟିସନ ଦାୟର କରିଥିଲେ ଆଡଭୋକେଟ ମୋତିଲା ଯାଦବ । ଅଭିଯୋଗ କ୍ରମେ ଗତ ଅଗଷ୍ଟରେ କ୍ୟାବିନେଟ ସଚିବ, ଚିଫ କମିଶନର ଓ ସିସିପିଏଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ନୋଟିସ ଅନୁସାରେ ଶାହାରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ବିରୋଧରେ ଗତ ଅକ୍ଟୋବର ୨୦ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଷ୍ଟିସ ରାଜେଶ ସିଂ ଚୌହ୍ବାନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିକଟରେ କହିଛନ୍ତି ଡେପୁଟି ସଲିସିଟର ଜେନେରାଲ ।

ଏହାସହ ଏକ ତମାଖୁ କମ୍ପାନୀ ବିରୋଧରେ ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ଆଇନଗତ ନୋଟିସ ପଠାଇଛନ୍ତି ବୋଲି ସେ କହିଛନ୍ତି । କଣ୍ଟ୍ରାକ୍ଟ ସରିଯାଇଥିଲେ ମଧ୍ୟ କମ୍ପାନୀ ଏକ ବିଜ୍ଞାପନ ପ୍ରସାରିତ କରିଥିବା ଅଭିଯୋଗରେ ଅମିତାଭ ଏହି ନୋଟିସ ପଠାଇଛନ୍ତି । ଆସନ୍ତା ବର୍ଷ ମେ’ ୯ରେ ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଖାଙ୍କଡେଶ୍ବର ପୀଠର ନବକଳେବର, ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ସ୍ଥାନୀୟ ଲୋକଙ୍କ କୃତଜ୍ଞତା

ଯାଜପୁର: ବଦଳିଛି ଶୈବପୀଠର ଚିତ୍ର । ଯାଜପୁର ଜିଲ୍ଲା କୋରାଇ ବ୍ଲକ ସାହାପୁରରେ ଥିବା ଖାଙ୍କଡେଶ୍ବର ପୀଠର ହୋଇଛି ବିକାଶ । ମନ୍ଦିରର ନବକଳେବର ହେବା ସହ ନିର୍ମାଣ ହୋଇଛି ଯଜ୍ଞ ଗୃହ ଓ ପୁଷ୍କରିଣୀ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ପୀଠର ନବୀକରଣ କରାଯାଇଛି । ଯାହାକୁ ନେଇ ବେଶ୍ ଖୁସି ସ୍ଥାନୀୟ ବାସିନ୍ଦା । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ଲୋକେ ।

ଶୈବପୀଠର ବିକାଶ ପାଇଁ ପୂର୍ବରୁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ।  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଯାଜପୁର ଜିଲ୍ଲା ଗସ୍ତରେ ଯାଇଥିବା ସମୟରେ ଏହି ପୀଠର ବିକାଶ ପାଇଁ ସ୍ଥାନୀୟ ଲୋକେ ଦାବିପତ୍ର ଦେଇଥିଲେ । କାର୍ତ୍ତିକ ପାଣ୍ଡିଆନ୍ ଏହାକୁ ଗୁରୁତର ସହ ନେଇ ପୀଠର ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ପୀଠର ନବୀକରଣ ଓ ପୁନରୁଦ୍ଧାର ପାଇଁ ୧୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଥିଲେ ।

ଜଙ୍ଗଲରେ ପଡ଼ିଛି ୩୦ରୁ ଅଧିକ ବସ୍ତା ପିଡିଏସ୍ ଚାଉଳ

ଉଦଳା: ଗରିବ ଲୋକଙ୍କ ପାଇଁ ଆସୁଛି ପିଡିଏସ୍ ଚାଉଳ । ହେଲେ ସବୁ ଚାଉଳ ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହେଉଛି ବାଟବଣା । ଗରିବଙ୍କ ପେଟକୁ ଲାତ ମାରି ମାଲାମାଲ ହେଉଛନ୍ତି କିଛି ଅସାମାଜିକ ଲୋକ । ଏମିତି ଘଟଣା ଦେଖିବାକୁ ମିଳିଛି ଉଦଳା ଅଞ୍ଚଳରେ । ଜଙ୍ଗଲରେ ପ୍ରାୟ ୩୦ ବସ୍ତା ଚାଉଳ ପଡ଼ିଥିବା ବେଳେ ଜବତ କରିବା ସହ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଛନ୍ତି ଲୋକେ ।

ଉଦଳା ଥାନା ବହୁବନ୍ଧ ପଟାସ ଜଙ୍ଗଲରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ ଚାଉଳ ବସ୍ତା ଲୁଚାଇ ରଖାଯାଇଥିଲା ।  ସକାଳେ ଜଙ୍ଗଲରେ ପିଡିଏସ୍ ଚାଉଳ ବସ୍ତା ଲୁଚା ଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଗ୍ରାମବାସୀ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖିଛନ୍ତି ।

ପିଡିଏସ୍ ଚାଉଳ ବସ୍ତାଗୁଡିକ ଜଙ୍ଗଲର କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି । ଏହି ପିଡିଏସ୍ ଚାଉଳ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରୀ ନିମନ୍ତେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଉଳ କେଉଁଠୁ ଆସିଲା ଓ କୁଆଡେ ଯିବାର ଥିଲା ତାହାର ଖୋଳତାଡ ଆରମ୍ଭ କରିଛି ।

ଜଗା ଦୁଆରେ ବାପା, କାନ୍ଧରେ ଦୁଇ ପିଲା

ପୁରୀ: ଶ୍ରବଣ କୁମାରଙ୍କ କଥା ତ ଆପଣ ଜାଣିଥିବେ । କେମିତି ଦୃଷ୍ଟିହୀନ ବାପାମାଆଙ୍କୁ କାନ୍ଧରେ ବୋହିଥିଲେ । ଏ ତ ଥିଲା ସତ୍ୟ ଯୁଗର କଥା । ହେଲେ କଳିଯୁଗରେ ବି ଅଛନ୍ତି ଏମିତି ଜଣେ ଶ୍ରବଣ କୁମାର । ଏଠି ସେ ବାପାମାଆଙ୍କୁ ନୁହେଁ, ନିଜର ଦୁଇ ଶିଶୁଙ୍କୁ କାନ୍ଧରେ ବୋହି ଆସିଛନ୍ତି ପୁରୀ ।

ଭାରରେ ଦୁଇ ପିଲାଙ୍କୁ ବସାଇ ବାପା ଜଣଙ୍କ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ପିଲାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବେ । ଜଟଣୀକୁ ଚାଲି ଚାଲି ଆସି ପୁରୀରେ ପହଞ୍ଚିଛନ୍ତି କୁସୁମାଟି ଛଣଘର ଅଂଚଳର ଅଜୟ ଖମାରି । ମାନସିକ ପୂରଣ ପାଇଁ ସେ ଭାରରେ ପିଲାଙ୍କୁ ବୋହି ପୁରୀ ଆସିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଅଜୟଙ୍କ ପୁଅ ଜନ୍ମ ହେବା ପରେ ୧୨ ଦିନ ପର୍ଯ୍ୟନ୍ତ ICUରେ ଚିକିତ୍ସାଧିନ ରହିଥିଲା । ସ୍ୱାସ୍ଥ ହେଲେ ମହାପ୍ରଭୁଙ୍କ ନିକଟକୁ ପିଲାକୁ କାନ୍ଧେଇକି ନେବାକୁ ଅଜୟ ମାନସିକ କରିଥିଲେ । ପିଲା ସୁସ୍ଥ ହେବା ପରେ ସେ ପୁଅ ଓ ଝିଅକୁ ଦୁଇ କାନ୍ଧରେ ଝୁଲାଇ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି । ରାତି ତମାମ ଚାଲି ଚାଲି ଆଜି ସକାଳେ ପୁରୀରେ ପହଁଚି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ।

କଳାଟଙ୍କା ଘଟଣା: ୫ମ ଦିନରେ ବି ଚାଲିଛି ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀର ଆୟକର ବିଭାଗ ସୁଦପଡା ଦେଶୀ ମଦଭାଟିରେ ରେଡ ଘଟଣା I ପଞ୍ଚମ ଦିନରେ ମଧ୍ଯ ଚଢ଼ାଉ କରିଛି ଆୟକର ବିଭାଗ । ରେଡ୍ ପରଠୁ ଏପର୍ଯ୍ୟନ୍ତ ମିଳିଲାଣି ୧୬୦ କୋଟି ଟଙ୍କା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଟଙ୍କା ଗଣତି । ୧୦୫ଟି ବସ୍ତା ଓ ଦୁଇଟି ବଡ଼ ପେଟିରୁ ଟଙ୍କା ଗଣତି ଶେଷ ହୋଇଛି । ଏଥିରୁ ପାଖାପାଖି ୧୬୦ କୋଟି ଟଙ୍କା ମିଳିଥବା ଜଣାପଡିଛି ।

ଆଜି ପୁଣି ଆଉ ୭୧ଟି ବ୍ୟାଗରେ ଥିବା ଟଙ୍କା ଗଣତି ଆରମ୍ଭ ହେବ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇର ମୁଖ୍ୟ ଶାଖାରେ ଏହି ଟଙ୍କାକୁ ଗଣାଯାଉଛି ।

ଚଢ଼ାଉ ପରେ ଜବତ ଟଙ୍କାକୁ ଦେଖି ଆୟକର ଅଧିକାରୀ ବି ହୋଇଯାଇଛନ୍ତି ତାଜୁବ । ସାରା ଦେଶରେ ଏବେ ଏହି ଆଇଟି ରେଡ୍ଡକୁ ନେଇ ଚାଲିଛି ଚର୍ଚ୍ଚା । ଜବତ ଟଙ୍କାର ପାହାଡ଼କୁ ଗଣିବାକୁ ନାକେଦମ ହେଲେଣି ବ୍ୟାଙ୍କ କର୍ମଚାରୀ । ଦିନରାତି ଚାଲିଛି ଟଙ୍କା ଗଣା, ହେଲେ ସରିବାର ନା ଧରୁନି । ଏପଟେ ଟଙ୍କା ଗଣିବାକୁ କମ ପଡ଼ିଛି ମେସିନ । ବିଭିନ୍ନ ବ୍ୟାଙ୍କରୁ ମେସିନ ଅଣାଯାଇ ଗଣାଯାଉଛି ଟଙ୍କା ।

୬୦ ହଜାର ଦୀପରେ ବିଜୁ ବାବୁଙ୍କ ଫଟୋଚିତ୍ର, ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ

ରାଉରକେଲା: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଫଟୋଚିତ୍ରର ଏସିଆ ବୁକ୍ ଅଫ୍ ରେକର୍ଡ । ୬୦ ହଜାର ରଙ୍ଗୀନ ଦୀପରେ ନିର୍ମିତ ହୋଇଛି ଲହି ଫଟୋଚିତ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନିର୍ମାଣ ହୋଇଛି ୬୦ ଫୁଟ ଲମ୍ବ ଓ ୫୫ ଫୁଟ ଚଉଡ଼ାର ଏହି ଫଟୋଚିତ୍ର ।

ବିଜୁ ଜନତା ଦଳ ପକ୍ଷରୁ ଏହି ଫଟୋଚିତ୍ର ପ୍ରସ୍ତୁତ କରାଯାଇ ବିଜୁ ବାବୁଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ରାଉରକେଲା ଛେଣ୍ଡ କଲୋନୀରେ ଏହାକୁ ନିର୍ମାଣ କରାଯାଇଛି ।