spot_img
Home Blog Page 2521

୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସସପେନ୍ସ: ଆଜି ବିଜେପି ଘୋଷଣା କରିପାରେ ନାଁ

ଭୁବନେଶ୍ବର: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ? ଆଜି ଦୂର ହୋଇ ପାରେ ସସପେନ୍ସ । ଘୋଷଣା ହୋଇପାରେ ନୂଆ ସିଏମଙ୍କ ନାଁ । ଆସନ୍ତାକାଲି ହୋଇପାରେ ଶପଥ ଗ୍ରହଣ ।

ସେପଟେ ରାଜସ୍ଥାନରେ ବାବା ବାଲକନାଥ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରାଜସ୍ଥାନର ପର୍ଯ୍ୟବେକ୍ଷକ କରାଯାଇଛି । ବିନୋଦ ତାୱଡେ ଏବଂ ସରୋଜ ପାଣ୍ଡେଙ୍କୁ ତାଙ୍କ ସହକାରୀ ସର୍ବେକ୍ଷଣକାରୀ ଭାବରେ ପଠାଯାଇଛି । ମଧ୍ୟପ୍ରଦେଶକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ. ଲକ୍ଷ୍ମଣ ଏବଂ ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ଚେହେରା ବାଛିବା ଦାୟିତ୍ୱ ଭାଜପା କେନ୍ଦ୍ରମନ୍ତ୍ରୀ ସରବାନନ୍ଦ ସୋନେୱାଲଙ୍କୁ ଦିଆଯାଇଛି । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଭାଜପା ନେତା ଦୁଷ୍ୟନ୍ତ କୁମାର ଗୌତମଙ୍କୁ ଛତିଶଗଡ଼ ଯାଇଛନ୍ତି ।

ବଲାଙ୍ଗୀରରେ ସରିଲା ଟଙ୍କା ଗଣା: ବାହାରିଲା ୧୭୦ କୋଟି, ଏବେ ଆଗକୁ କ’ଣ…

ବଲାଙ୍ଗୀର: ବଲାଙ୍ଗୀର ସୁଦପଡ଼ା ମଦଭାଟିରେ ଆଇଟି ରେଡ ପରେ ଚାଲିଥିବା ଟଙ୍କା ଗଣା ଶେଷ ହୋଇଛି । ତୃତୀୟ ଦିନରେ ଟଙ୍କାର ପାହାଡ଼କୁ ଗଣି ସଫା ଶେଷ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ଗଣତି ପରେ ବ୍ୟାଙ୍କରୁ ବାହାରି ଦୀର୍ଘ ନିଶ୍ବାସ ପକାଇଛନ୍ତି ବ୍ୟାଙ୍କ କର୍ମଚାରୀ । ମୋଟ ୧୭୦ କୋଟି ଟଙ୍କା ଗଣତି ସରିଛି ।

ଗତକାଲି ତୃତୀୟ ଦିନରେ ବ୍ୟାଙ୍କ କର୍ମଚାରୀ ୧୨୪ କୋଟି ଟଙ୍କା ଗଣିଥିଲେ । ୧୦୬ଟି ବ୍ୟାଗରୁ ଏହି ଟଙ୍କା ଗଣା ଯାଇଥିଲା । ଏହା ପୂର୍ବରୁ ଶୁକ୍ରବାର ୪୬ କୋଟି ଟଙ୍କା ଗଣା ହୋଇଥିଲା । ଏତେ ଟଙ୍କା ଗଣିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ ୬୦ ଘଣ୍ଟା ସମୟ ଲାଗିଥିଲା । ଏପରିକି ଟଙ୍କା ଗଣିବାକୁ ମଧ୍ୟ ମେସିନ କମ ପଡ଼ିଯାଇଥିଲା । ବିଭିନ୍ନ ବ୍ୟାଙ୍କରୁ ମେସିନ ମଗାଯାଇ ଟଙ୍କା ଗଣାଯାଇଥିଲା ।

ଅନ୍ୟପକ୍ଷେ, ସୁଦପଡା ମଦ ଭାଟିରେ ଥିବା ପୁରୁଣା ଟ୍ରେଜେରୀ ଗ୍ୟାସ୍ କଟର ମାଧ୍ୟମରେ ଆୟକର ବିଭାଗ ପକ୍ଷରୁ କଟାଯାଇଛି । ଟ୍ରେଜେରୀ ଖାଲି ଥିବା ଜଣାପଡ଼ିଛି । ଗ୍ୟାସ୍ କଟର ମାଧ୍ୟମରେ ଟ୍ରେଜେରୀ କାଟିଥିବା ଅବଦୁଲ ଅସଗର ଏହି ସୂଚନା ଦେଇଛନ୍ତି । ଟ୍ରେଜେରୀଟିକୁ ପୂର୍ବରୁ ସ୍ଵର୍ଗତ ବଳଦେବ ସାହୁ ବ୍ୟବହାର କରୁଥିଲେ । ଟ୍ରେଜେରୀ ଚାବି ହଜି ଯାଇଥିବାରୁ ଗ୍ୟାସ୍ କଟରେ ମାଧ୍ୟମରେ ଏହାକୁ କଟାଯାଇଥିଲା ।

ସେପଟେ ଜବତ ଟଙ୍କା ଗଣତି ସମୟରେ ଇନ୍ସପେକ୍ଟର ତିଓ୍ବାରୀ ନାଁରେ ଏକ ୫ ଲକ୍ଷ ଟଙ୍କା ଭର୍ତ୍ତି ପଲିଥିନ୍ ଜବତ କରିଛି ଆୟକର ବିଭାଗ I ବସ୍ତାରେ ଥିବା ଟଙ୍କା ବାହାର କରିବା ବେଳେ ଇନ୍ସପେକ୍ଟର ତିଓ୍ବାରୀ ନାଁ ଲେଖା ଯାଇଛି ।

ଏବେ ଟଙ୍କା ଗଣତି ସରିଥିବା ବେଳେ ଆଗକୁ କ’ଣ ରହିବ କାର୍ଯ୍ୟାନୁଷ୍ଠାନ ତାକୁ ନେଇ ସମସ୍ତଙ୍କ ନଜର ଆଇଟି ବିଭାଗ ଉପରେ ରହିଛି ।

ସମ୍ବଲପୁରରେ ବି ଟଙ୍କା ଗଣା ଶେଷ

ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଶେଷ ହୋଇଛି ଟଙ୍କା ଗଣତି । ସହରର ଦୁଇଟି ସ୍ଥାନରେ ମଦଭାଟି ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଥିଲା । ରେଡ୍ ବେଳେ ମୋଟ ୩୭ କୋଟି ୫୦ ଲକ୍ଷ ଜବତ ହୋଇଥିବା ଷ୍ଟେଟବ୍ୟାଙ୍କ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି । ଆୟକର ବିଭାଗ କେବଳ ଗୋଟିଏ ଦିନ ରେଡ କରି ଏତେ ପରିମାଣର ଟଙ୍କାକୁ ଜବତ କରିଥିଲା ।

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଆରମ୍ଭ

କିଙ୍ଗସମିଡ଼: ବିଶ୍ବକପ୍ ପରେ ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଇବା ପରେ ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ । ଆଜିଠାରୁ ଦକ୍ଷିଣ ଆଫ୍ରିକା ସହ ଆରମ୍ଭ ହେବ ଟି-୨୦ ସିରିଜ । ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ଦକ୍ଷିଣ ଆଫ୍ରିକାର କିଙ୍ଗସମିଡରେ ଖେଳାଯିବ ଏହି ମ୍ୟାଚ୍ । ଭାରତୀୟ ଟିମ ଏହି ଗସ୍ତ ଅବସରରେ ୩ଟି ଟି-୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ।

ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନଥିବାରୁ ସୂର୍ଯ୍ୟକୁମାର ଯାଦବ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ବ ନେବେ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି । ଶୁବମନ ଗିଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ଦିନିକଆ ବିଶ୍ବକପ୍ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ରୋହିତଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ୍ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଦଳର ନେତୃତ୍ବ ନେବେ । ଉଭୟ ଟିମ୍ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ସିରିଜ୍ ଆରମ୍ଭ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମକୁ ଲାଗିଛି ଜୋରଦାର ଝଟକା । ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ଆହତ ସମସ୍ୟା ଲାଗି ବାଦ୍ ପଡିଛନ୍ତି ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁ ମୃତ, ଅଜା ଗୁରୁତର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରୁ ଆସିଛି ଏକ ଦୁଃଖଦ ଖବର । ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଅଜା ଗୁରୁତର ଆହତ ହୋଇଛନ୍ତି । ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ ଦୁଇ ଶିଶୁ ଧାନ କ୍ଷେତ ଜଗିବାକୁ ଅଜାଙ୍କ ସହ ବିଲକୁ ଯାଇଥିଲେ । ଯିବା ବାଟରେ ବାରାହା ମାରିବାକୁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ଦୁଇ ଶିଶୁ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅଜା ମଧ୍ୟ ଗୁରୁତର ହୋଇଥିଲେ ।

ଅଞ୍ଚଳରେ ଏମିତି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ବିଦ୍ୟୁତ ତାରରେ ଲାଗି ଲୋକଙ୍କ ଜୀବନ ଯାଇଛି । ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ବନ ବିଭେଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।

ପୋଖରୀରୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର ଘଟଣା, ସମ୍ପର୍କୀୟ ଝିଆରୀକୁ ପ୍ରେମ ସମ୍ପର୍କରୁ ହତ୍ୟା

ଅନୁଗୁଳ: ଅନୁଗୁଳରୁ ଅପହରଣ ପରେ ହତ୍ୟା  । ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ । ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ଘଟିଥିବା  ପୋଲିସ କହିଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି ୩ ଜଣ ଫେରାର ରହିଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ଜାମ୍ବୁଯୋଡି ଗାଁର ମାମୁଲି ଓରଫ ସଞ୍ଜିଲ ପ୍ରଧାନ । ଅନୁଗୁଳ ଜିଲ୍ଲା ଜରପଡା ଥାନାରେ ଗତ ୨୬ ନଭେମ୍ବରରେ ସଂଧ୍ୟାରେ କୋରଡ଼ା ଗାଁର ବିକାଶ ବେହେରାଙ୍କୁ ଅପହରଣ ହୋଇଥିବା ନେଇ  ଅଭିଯୋଗ ହୋଇଥିଲା  । ଏନେଇ ଜରପଡା ଥାନା ପୋଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲା ।

ଗତ ନଭେମ୍ବର ୨୬ତାରିଖ ରାତି ୮ଟା ବେଳେ  ସଂଜିଲ ପ୍ରଧାନ ଓ ତାଙ୍କ ସହଯୋଗୀ ମାନେ ବିକାଶ ବେହେରାଙ୍କୁ କୋରଡା ଗାଁରୁ ବୋଲେରୋ ଗାଡ଼ିରେ ଅପହରଣ କରି ନେଇଥିଲେ  । ଏହାପରେ ସେମାନେ କୋଶଳା କୁମୁଣ୍ଡା ରାସ୍ତା ଦେଇ ଵାରିହାପୁର ଜଙ୍ଗଲକୁ ନେଇ ସେଠାରେ ଏକ ବିକାଶର ଗଳା ଚିପି ହତ୍ୟା କରିଥିଲେ । ହତ୍ୟା ପରେ ସେମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ଦେହକୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡ଼ିଆଁ ଗାଁକୁ  ନେଇ  ଏକ ପୋଖରୀରେ ପଥର ବାନ୍ଧି ପକାଇ ଦେଇଥିଲେ ।  ଏହି ଘଟଣାରେ ପୋଲିସ ଛାନଭିନ କରି କଣିହାଁ ଥାନା ମାମୁଲି ଓରଫ ସଂଜିଲ ପ୍ରଧାନକୁ ଗିରଫ କରିଛି ।

ବିକାଶ ବେହେରା ସଂଜିଲଙ୍କ ଜଣେ ସହଯୋଗୀଙ୍କ ଝିଆରୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା କହିଛି ସଞ୍ଜିଲ  । ଏହି ଘଟଣାକୁ ନେଇ ସଂଜିଲଙ୍କ ଅନ୍ୟ ସହଯୋଗୀ ମାନେ ଷଡଯନ୍ତ୍ର କରିଥିଲେ । ସେହି ଯୋଜନା ଅନୁଯାୟୀ ସେମାନେ ବୋଲେରୋ ନେଇ ଜଙ୍ଗଲ ଭିତରେ ହତ୍ୟା କରିଥିଲେ ବୋଲି  ସ୍ୱୀକାର କରିଥିଲା । ଏହା ଜାଣିବା ପରେ ପୋଲିସ ସଞ୍ଜିଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  । ପୋଲିସ ଏହି ଘଟଣାରେ ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲ, ହତ୍ୟାରେ ବ୍ୟବହୃତ ହୋଇଥିବା ପଥର ଓ ଦଉଡିକୁ ଜବତ କରାଯାଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅନୁଗୁଳ ପୋଲିସ ଉଦ୍ୟମ ଜାରି ରଖିଛି ।

ମଦ ମାଫିଆ ସମ୍ପର୍କୀୟଙ୍କ ସହ ବିଜେପି ସାଂସଦଙ୍କ କି ସମ୍ପର୍କ?

ଭୁବନେଶ୍ବର: କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ଟଙ୍କାକୁ ନେଇ ସାରା ଦେଶରେ ରାଜନୀତି ଜୋର । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କଂଗ୍ରେସକୁ ଟାର୍ଗେଟ କରିବା ପରେ ଜଣକ ପରେ ଜଣେ କେନ୍ଦ୍ରୀୟ ବିଜେପି ନେତା କଂଗ୍ରେସ ନେତାଙ୍କ କଳା ଟଙ୍କାକୁ ନେଇ ସମାଲୋଚନାର ବର୍ଷା କରିଛନ୍ତି । କିନ୍ତୁ ରାଜ୍ୟ ବିଜେପି ଏହି ଘଟଣାକୁ ନେଇ ହୀନ ରାଜନୀତି କରୁଛି, ଅଯଥାରେ କୌଣସି କାରଣ ନଥାଇ ଏହା ଭିତରକୁ ବିଜେଡିକୁ ଟାଣିବାକୁ ଚେଷ୍ଟା କରୁଛି । ଏକ ସାମାଜିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ । ସେହି ଫଟୋ ଦେଖାଇ ଟୁକୁନିଙ୍କ ସହ ମଦ ବ୍ୟବସାୟୀଙ୍କ ସହ ସମ୍ପୃକ୍ତି ଅଛି ବୋଲି କହି ଅତି ତଳସ୍ତରର ରାଜନୀତି କରୁଛି ରାଜ୍ୟ ବିଜେପି ।

ବିଡେଡିକୁ ଦୋଷ ଦେଉଥିବା ବିଜେପି ସାଂସଦଙ୍କ ମଦ ମାଫିଆଙ୍କ କ’ଣ ସମ୍ପର୍କ ରହିଛି ତାକୁ ନେଇ ଏବେ ସାଧାରଣ ଲୋକେ ଉଠାଇଛନ୍ତି ପ୍ରଶ୍ନ । ବିଜେପି ନେତ୍ରୀ ତଥା ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ । ତାଙ୍କ ଚାରିପଟେ ବସିଥିବା ମହିଳାଙ୍କ ଭିତରେ ଅଛନ୍ତି କୋଟି କୋଟି ଟଙ୍କା ବାହାରୁଥିବା ମଦ ବ୍ୟବସାୟୀଙ୍କ ସମ୍ପର୍କୀୟା । ଯଦି ଟୁକୁନି ସାହୁଙ୍କୁ ଫଟୋକୁ ଦେଖାଇ ମଦ ବ୍ୟବସାୟୀଙ୍କ ସହ ଯୋଡୁଛି ବିଜେପି, ତାହେଲେ ଏହି ଫଟୋକୁ ନେଇ ରାଜ୍ୟ ବିଜେପି ନେତା କଣ ପ୍ରତିକ୍ରିୟା ରଖିବେ । ସଙ୍ଗିତା ସିଂଦେଓଙ୍କ ସହ ମଦ ବ୍ୟବସାୟୀଙ୍କ ସମ୍ପୃକ୍ତି ଅଛି କି  । ରାଜ୍ୟ ବିଜେପି ଏହି ଫଟୋକୁ ଦେଖାଇ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେବ କି ।

ସଙ୍ଗିତା ସିଂଦେଓଙ୍କ ଚାରିପଟେ ବସିଥିବା ମହିଳା ମାନେ ହେଉଛନ୍ତି ବିଜେପିର ଟିଟିଲାଗଡ ଏନଏସି ଅଧ୍ୟକ୍ଷା ମମତା ଦେବୀ ଜୈନ । ତାଙ୍କ ପାଖରେ  ବସିଛନ୍ତି ମଦ ବ୍ୟବସାୟୀ ପ୍ରଭାସ ସାହୁଙ୍କ ଜଣେ ସର୍ମ୍ପକୀୟା । ତା ପାଖକୁ ବସିଛନ୍ତି ପ୍ରଭାସ ସାହୁଙ୍କ ପତ୍ନୀ ବିନ୍ଦୁ ସାହୁ । ପ୍ରଭାସ ସାହୁ ମଧ୍ୟ ଜଣେ ମଦ ବ୍ୟବସାୟୀ ଓ ମହୁଲ ବେପାରୀ । ଏହାପରେ ଯେଉଁ ମହିଳା ଜଣକ ବସିଛନ୍ତି ସେ ହେଉଛନ୍ତି ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ପତ୍ନୀ । ସଞ୍ଜୟ ଓ ଆରତୀ ସାହୁଙ୍କ ଘରେ ଆୟକର ବିଭାଗ ରେଡ କରିଛି । କେବଳ ଏତିକି ନୁହେଁ ମଦ ବ୍ୟବସାୟୀ ଦୀପକ ସାହୁଙ୍କ ସର୍ମ୍ପକୀୟା ହେଉଛନ୍ତି ପ୍ରଭାସ ସାହୁ ଓ ସଞ୍ଜୟ  ସାହୁ । ଆଇଟି ରେଡ କରୁଥିବା ବ୍ୟକ୍ତି ବିଶେଷ ଓ ତାଙ୍କର ସର୍ମ୍ପକୀୟଙ୍କ ସହ ଏକାଠି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ବିଜେପି ସାଂସଦ ସଙ୍ଗୀତା ସିଂ ଦେଓ ଓ ବିଜେପି ଏନଏସି ଅଧ୍ୟକ୍ଷା ମମତାଦେବୀ ଜୈନ । ଏଠି ପ୍ରଶ୍ନ ଉଠୁଛି ବିଜେପି ସାଂସଦଙ୍କ ସହ ମଦ ବ୍ୟବସାୟୀଙ୍କ ସମ୍ପର୍କ କଣ  । ତାହା ରାଜ୍ୟ ବିଜେପିର ନେତା ମାନେ ଉତ୍ତର ଦେଇପାରିବେ କି ନା ସଙ୍ଗିତା ସିଂହଦେଉ ସମସ୍ତଙ୍କ ସାମ୍ନାକୁ ଆସି ଏହାର ସଫେଇ ରଖିବାକୁ ପଡ଼ିବ  ।

ଗ୍ୟାସ କଟରରେ କଟା ହେଲା ବଲାଙ୍ଗୀର ସୁଦପଡା ମଦ ଭାଟିରେ ଥିବା ପୁରୁଣା ଟ୍ରେଜେରୀ

ବଲାଙ୍ଗୀର: ବଲାଙ୍ଗୀର ସୁଦପଡା ମଦ ଭାଟିରେ ଥିବା ପୁରୁଣା ଟ୍ରେଜେରୀ ଗ୍ୟାସ୍ କଟର ମାଧ୍ୟମରେ କାଟିଲା ଆୟକର ବିଭାଗ । ଟ୍ରେଜେରୀ ଖାଲି ଥିବା ନେଇ ମଦଭାଟିରୁ ବାହାରିବା ପରେ ସୂଚନା ଦେଲେ ଅବଦୁଲ ଅସଗର । ଗ୍ୟାସ୍ କଟର ମାଧ୍ୟମରେ ଟ୍ରେଜେରୀ କାଟିଥିଲେ ଅବଦୁଲ ଅସଗର । ଏହି ଟ୍ରେଜେରୀ ପୂର୍ବରୁ ବ୍ୟବହାର କରୁଥିଲେ ସ୍ଵର୍ଗତ ବଳଦେବ ସାହୁ ବୋଲି ସୂଚନା ମିଳିଛି । ଟ୍ରେଜେରୀ ଚାବି ହଜି ଯାଇଥିବାରୁ  ଗ୍ୟାସ୍ କଟରେ ମାଧ୍ୟମରେ କଟାଯାଇଛି । ସେପଟେ ଜବତ ଟଙ୍କା ଗଣତି ସମୟରେ ଇନ୍ସପେକ୍ଟର ତିଓ୍ବାରୀ ନାଁରେ ଏକ ୫ ଲକ୍ଷଟଙ୍କା ଭର୍ତ୍ତି ଥିବା ପଲିଥିନ୍ ଜବତ କରିଛି ଆୟକର ବିଭାଗ । ବସ୍ତାରେ ଥିବା ଟଙ୍କା ବାହାର କରିବା ବେଳେ ଇନ୍ସପେକ୍ଟର ତିଓ୍ବାରୀ ନାଁ ଲେଖା ଯାଇଛି ।

ଦଳରୁ ନିଲମ୍ବିତ ହେଲେ ସାଂସଦ ଦାନିଶ ଅଲ୍ଲୀ

ନୂଆଦିଲ୍ଲୀ: ଲୋକସଭା ସାଂସଦ ଦାନିଶ ଅଲୀଙ୍କୁ ଶୁକ୍ରବାର ଦଳରୁ ନିଲମ୍ବନ କରିଛି ବହୁଜନ ସମାଜ ପାର୍ଟି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଏସ୍‌ପି ନିଲମ୍ବନ କରିଛି । ଦଳ ପକ୍ଷରୁ ଦାନିଶ ଅଲୀଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି, ଯେ ଅନେକ ଥର ମୌଖିକ ଭାବେ କୁହାଯାଇଥିଲା ଯେ ଦଳର ନୀତି, ବିଚାରଧାରା ଓ ଅନୁଶାସନ ବିରୋଧରେ ଯାଇ କୌଣସି ବୟାନ ଦିଅନ୍ତୁ ନାହିଁ କି କୌଣସି କାମ କରନ୍ତୁ ନାହିଁ । ଏହା ସତ୍ତ୍ୱେ ଆପଣ ଲଗାତାର ଦଳ ବିରୋଧରେ ଯାଇ ସେହି ସବୁ କାମ କରୁଛନ୍ତି । ଅମରୋହାରୁ ବିଜୟୀ ହେବା ସତ୍ତ୍ୱେ ଆପଣ ସମସ୍ତ ପ୍ରତିଶ୍ରୁତି ଭୁଲି ଗଲେ ଓ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଲେ । ତେଣୁ ଦଳ ଆପଣଙ୍କୁ ତୁରନ୍ତ ପ୍ରଭାବ ସହିତ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି । ନିକଟରେ ବିଜେପି ସାଂସଦ ରମେଶ ଭିଦୁଡି ଦାନୀଶ ଅଲ୍ଲିଙ୍କୁ ଲୋକସଭାରେ ଅଶାଳୀନ ଭାଷା କହି ଗାଳି ଗୁଲଜ କରିଥିଲେ  । ଯାହାକୁ ନ୍ୟାୟ ଦାବିରେ ସଂସଦରେ ପ୍ଲାକାର୍ଡ ଧରି ବସୁଛନ୍ତି ଦାନୀଶ ଅଲ୍ଲୀ ।

AIର ବିଭିନ୍ନ ଆପ୍ଲିକେସନ୍ ବ୍ୟବହାର ସହ ବଢୁଛି ସାମାଜିକ ବିପଦ

ନନ୍ଦିଘୋଷ ବ୍ୟୁରୋ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ସହ ବଢୁଛି ସାମାଜିକ ବିପଦ। କିନ୍ତୁ ଦିନକୁ ଦିନ AIର ବିଭିନ୍ନ ଆପ୍ଲିକେସନ୍ ପ୍ରତି ଚାହିଦା ବଢ଼ିବାରେ ଲାଗିଛି । ମହିଳାଙ୍କ ଫଟୋରୁ ଉଲଗ୍ନ ଫଟୋ ପ୍ରସ୍ତୁତ କରୁଥିବା ଆପର ଚାହିଦା ଏବେ ଅଧିକ ରହିଛି । ସୋସିଆଲ୍ ମିଡିଆ ଆନାଲିସିସ୍ କଂପାନୀ ଗ୍ରାଫିକା ସର୍ଭେରୁ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଫେକ୍ ନେକେଡ୍ ଇମେଜ୍ ପ୍ରସ୍ତୁତକାରୀ ଆପ ଭିଜିଟରଙ୍କୁ ଆକୃଷ୍ଟ କରୁଛି । ଯାହାଦ୍ବାରା ୟୁଜର୍ସମାନେ ଏହାକୁ ଦେଖୁଥିବା ଜଣାପଡ଼ିଛି । ଏହା ଯୁବପିଢ଼ୀ ଏବଂ ପିଲାଙ୍କୁ ଖରାପ କରୁଥିବା ଅଭିଯୋଗ ହେଉଥିବାବେଳେ ବୁଦ୍ଧିଜୀବୀମାନେ ଅନଡ୍ରେସ୍ ନାଁରେ ଥିବା AI ଆପ୍ଲିକେସନକୁ ବ୍ଲକ୍ କରିବାକୁ ଦାବି କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ଦିନକୁଦିନ ସମାଜ ପ୍ରତି ଏହା ଏକ ବିପଦ ଭାବେ ପରିଗଣିତ ହେଉଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ନକାରାତ୍ମକ ଦିଗକୁ ନେଇ ଚିନ୍ତାରେ ପ୍ରସ୍ତୁତକାରୀ । ସେପ୍ଟେମ୍ବର- ଅକ୍ଟୋବରରେ ୨.୪ କୋଟି ୟୁଜର ଏଭଳି ସାଇଟ୍ ଭିଜିଟ୍ କରିଥିବା ରିପୋର୍ଟରୁ ଜଣାପଡ଼ିଛି । ଗ୍ରାଫିକା ତଥ୍ୟକୁ ସୋସିଆଲ୍ ମିଡିଆ କଂପନୀମାନେ ଦୃଷ୍ଟି ଦେବା ଦରକାର ବୋଲି ଦାବି କରାଯାଇଛି ।

ସ୍ମାର୍ଟଫୋନ କିଣୁଥିଲେ ସାବଧାନ! ସଚେତନ ନହେଲେ ଏମିତି ହୋଇପାରନ୍ତି ସାଇବର ଠକଙ୍କ ଶିକାର

ଭୁବନେଶ୍ବର: ଦିନଦୁ ଦିନ ଟେକ୍ନୋଲୋଜିର ବହୁଳ ବ୍ୟବହାର ଓ ସତର୍କ ନହେବା କାରଣରୁ ଆମେ ଠକାମିର ଶିକାର ହେଉଛନ୍ତି । ଆଜିକାଲି ସମୟ ଯେ‌ପରି ହେଲାଣି ଆମକୁ ଅଧିକରୁ ଅଧିକ ସତର୍କ ହେବାକୁ ପଡ଼ିବ । ଅନ୍‌ଲାଇନ୍‌ ଠକାମୀର ମାତ୍ରା ଏତେ ଅଧିକ ବଢ଼ିଯାଇଛି ଯେ ଟିକେ ଅସ‌ଚେତନ ହେଲେ ଆପଣଙ୍କୁ ଏହା ମହଙ୍ଗା ପଡ଼ିପାରେ । ଯଦି ଆପଣ ବର୍ତ୍ତମାନ ଏକ ନୂତନ ସ୍ମାର୍ଟଫୋନ୍ କିଣିଛନ୍ତି, ତେବେ ଆପଣ ସତର୍କ ହେବା ଉଚିତ୍, କାରଣ ନୂଆକରି ଲଞ୍ଚ ହୋଇଥିବା ଆଣ୍ଡ୍ରଏଡ୍ ୧୪ ସ୍ମାର୍ଟଫୋନ୍ ସହିତ ଅନ୍ୟ ସଂସ୍କରଣ ପାଇଁ ସରକାର ଏକ ଆଲର୍ଟ ଜାରି କରିଛନ୍ତି। ସରକାରୀ ଏଜେନ୍ସି CRT-INର ଆଲର୍ଟ ପୂର୍ବରୁ ଗୁଗୁଲ୍ ମଧ୍ୟ ବ୍ୟବହାରକାରୀଙ୍କୁ ସତର୍କ କରାଇ ଦେଇଥିଲା। ଫୋନ୍‌ କିଣିବା ମାତ୍ରକେ ଯଦି ଆପଣ ଆପଣଙ୍କର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଆପ୍ ଅପଡେଟ୍ କରନ୍ତି କିମ୍ବା ଏକ ନୂତନ ଆପ୍ ଡାଉନଲୋଡ୍ କରନ୍ତି, ତେବେ ଆପଣ ବିପଦରେ ପଡ଼ିପାରନ୍ତି।

ସରକାରଙ୍କ କହିବାନୁସାରେ, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ଅନେକ ପ୍ରକାରର ତ୍ରୁଟି ଦେଖିବାକୁ ମିଳିଛି, ଯାହା ହ୍ୟାକର୍ସଙ୍କ ପାଇଁ ଉପକରଣକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ। ଏହା ସହିତ, ସେମାନେ ସହଜରେ ଉପଭୋକ୍ତାଙ୍କର ସମ୍ବେଦନଶୀଳ ତଥ୍ୟ ଚୋରି କରିପାରିବେ। ଏପରି ପରିସ୍ଥିତିରେ, ଆପଣଙ୍କର ଅନଲାଇନ୍ ପେମେଣ୍ଟ୍‌ ବି ଆପଣଙ୍କ ପାଇଁ ଭାରୀ ପଡ଼ିପାରେ। ଯଦି ଆପଣ ବର୍ତ୍ତମାନ ଆଣ୍ଡ୍ରଏଡ୍ ୧୧, ଆଣ୍ଡ୍ରଏଡ୍ ୧୨, ଆଣ୍ଡ୍ରଏଡ୍ ୧୩ ଏବଂ ଆଣ୍ଡ୍ରଏଡ୍ ୧୪ର ଅପରେଟିଂ ସିଷ୍ଟମ୍ ବ୍ୟବହାର କରିଛନ୍ତି, ତେବେ ଆପଣଙ୍କର ସ୍ମାର୍ଟଫୋନକୁ କ୍ଷତି ହେଇପାରେ।

ଏହାକୁ ଏଡାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଉପଭୋକ୍ତାମାନେ ତୁରନ୍ତ ନିଜ ଫୋନର ସିକ୍ୟୁରିଟିକୁ ଅପଡେଟ୍ କରିବା ଉଚିତ୍। ଗୁଗୁଲ୍ ଦ୍ୱାରା ଏକ ନୂତନ ସୁରକ୍ଷା ପ୍ୟାଚ୍ ପ୍ରକାଶ ପାଇଛି, ଯାହା ବ୍ୟବହାରକାରୀଙ୍କ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ହ୍ୟାକିଂର ସମ୍ଭାବ୍ୟ ବିପଦରୁ ରକ୍ଷା କରିବ। ଏଥିସହ କୌଣସି ତୃତୀୟ ପକ୍ଷ ଆପ୍ ମାଧ୍ୟମରେ ଫୋନ୍ ଅପଡେଟ୍ କରିବାକୁ ଚେଷ୍ଟା କରନ୍ତୁ ନାହିଁ, ଏବଂ କୌଣସି ଅଜ୍ଞାତ ଲିଙ୍କରେ କ୍ଲିକ୍ କରିବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ।