spot_img
Home Blog Page 255

ରାତି ପାହିଲେ କ୍ରିସମାସ, କନ୍ଧମାଳରେ ଲୋକଙ୍କ ମଧ୍ୟରେ ଉତ୍ସାହ

ରାତି ପାହିଲେ କ୍ରିସମାସ, କନ୍ଧମାଳରେ ଲୋକଙ୍କ ମଧ୍ୟରେ ଉତ୍ସାହ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ବଡଦିନ । ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ପାଇଁ ସଭିଙ୍କ ମନରେ ଉତ୍ସାହ । ସଜେଇ ହେଲାଣି ଗୀର୍ଜା ଘର । କ୍ରିସମାସ ପାଇଁ ସାରା ରାଜ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ କନ୍ଧମାଳରେ ଦେଖିବାକୁ ମିଳିଛି ଉତ୍ସାହ । ଦୋକାନରୁ ରଙ୍ଗବେରଙ୍ଗର ଆଲୋକମାଳା କିଣି ନେଉଛନ୍ତି ଲୋକେ ।

କନ୍ଧମାଳ ଜିଲ୍ଲା ଫୁଲବାଣୀର ମିରାକେଲ ଚର୍ଚ୍ଚ, ବାପଟିଷ୍ଟ୍ ଚର୍ଚ୍ଚ, କ୍ୟାଥୋଲିକ ଚର୍ଚ୍ଚରେ ସାଜସଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖ୍ରୀଷ୍ଟ ବିଶ୍ଵାସୀମାନେ ନିଜ ଘର ଦ୍ଵାର ସଫାସୁତରା କରି ବିଭିନ୍ନ ରଙ୍ଗରେ ରଙ୍ଗେଇ ସାରିଲେଣି । ବଡଦିନ ପାଇଁ ଦୋକାନ ବଜାରରେ ଲୋକଙ୍କ ଭିଡ ଜମୁଛି । କିଏ ଘରକୁ ସଜେଇବା ପାଇଁ ରଙ୍ଗ ବେରଙ୍ଗର ଆଲୋକମାଳା କିଣି ନେଉଛି ତ ଆଉ କିଏ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ପୋଷାକପତ୍ର କିଣି ନେଉଛନ୍ତି ।

କନ୍ଧମାଳ ଜିଲ୍ଲାରେ ଧୁମଧାମରେ ପାଳନ କରାଯାଏ ବଡଦିନ । ପର୍ବକୁ ଶାନ୍ତିଶୃଙ୍ଖଳାରେ ସାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

୧୮ ବର୍ଷର ନିର୍ବାସନ ପରେ ବାଂଲାଦେଶ ଫେରିବେ ତାରିକ ରେହମାନ

୧୮ ବର୍ଷର ନିର୍ବାସନ ପରେ ବାଂଲାଦେଶ ଫେରିବେ ତାରିକ ରେହମାନ

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନରେ ଦୀର୍ଘ ୧୮ ବର୍ଷର ଆତ୍ମନିର୍ବାସନ ପରେ ବାଂଲାଦେଶ ଫେରିବେ ତାରିକ ରେହମାନ । ତାରିକ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ଜାତୀୟ ପାର୍ଟି ନେତା ଖାଲେଦା ଜିଆଙ୍କ ପୁଅ । ଆସନ୍ତାକାଲି ଢାକାରେ ପହଞ୍ଚିବେ ୬୦ ବର୍ଷ ବୟସ୍କ ତାରିକ । ଆସନ୍ତା ଫେବ୍ରୁଆରୀ ୧୨ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ସେ ସ୍ବଦେଶ ଫେରୁଛନ୍ତି । ମା’ ଖାଲେଦା ଜିଆ ଗୁରୁତର ଅବସ୍ଥାରେ ଅଛନ୍ତି । ତାଙ୍କ ପାଖକୁ ତାରିକ ଫେରୁଛନ୍ତି ।

ତେବେ ଖାଲେଦାଙ୍କ ଦଳୀୟ ଭୂମିକା ତାରିକ ନିର୍ବାହ କରିବେ ବୋଲି କର୍ମୀ ଆଶା ପ୍ରକାଶ କରିଛନ୍ତି । ଦୁଇ ଦଶନ୍ଧି ପରେ ବି ବାଂଲାଦେଶ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିପାରେ ବିଏନପି । ଆୱାମି ଲିଗ୍ ଶାସନ କାଳରେ ତାରିକଙ୍କ ବିରୋଧରେ ଆଇନଗତ ପ୍ରତିବନ୍ଧକ ଲାଗିଥିବାରୁ ସେ ଫେରିପାରୁ ନଥିଲେ । ବିଭିନ୍ନ ହାଇପ୍ରୋଫାଇଲ ମାମଲାରୁ ସେ ଖଲାସ ହୋଇଥିବାରୁ ସେ ଢାକା ଫେରିବେ । ଆସନ୍ତା ନିର୍ବାଚନରେ ଶେଖ ହସିନାଙ୍କ ଦଳ ଆୱାମି ଲିଗ୍ ନିର୍ବାଚନ ଲଢିପାରିବ ନାହିଁ ବୋଲି ୟୁନୁସ ସରକାର ନିଷେଧାଦେଶ ଜାରି କରିସାରିଛନ୍ତି । ତାରିକ ଆଜି ଯାଏଁ କୌଣସି ନିର୍ବାଚନ ଲଢି ନାହାନ୍ତି । ୨୦୦୮ରୁ ସେ ଲଣ୍ଡନରେ ରହି ବିଏନପିକୁ ପରିଚାଳନା କରୁଛନ୍ତି । ୨୦୦୧ରୁ ୨୦୦୬ ଯାଏଁ ବିଏନପିର ବିବାଦୀୟ ମୁଖ୍ୟ କାର୍ଯ୍ୟାଳୟ ଥିଲା ହାୱା ଭବନ । ସେହି ସମୟରେ ତାରିକ ଦଳର ସବୁ କଥା ବୁଝୁଥିଲେ । ତେବେ ହାୱା ଭବନ ଥିଲା ଅନେକ ଦୁର୍ନୀତି, ରାଜନୈତିକ ହିଂସାର ପ୍ରମୁଖ କେନ୍ଦ୍ର ।

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା; ଆସନ୍ତାକାଲି ବିଜେଡି ଓ କଂଗ୍ରେସର ଚାନ୍ଦବାଲି ବନ୍ଦ ଡାକରା

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା; ଆସନ୍ତାକାଲି ବିଜେଡି ଓ କଂଗ୍ରେସର ଚାନ୍ଦବାଲି ବନ୍ଦ ଡାକରା

ନନ୍ଦିଘୋଷ ବ୍ୟୁରୋ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏମିତି ଘଟଣାକୁ ବିରୋଧ କରି ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଇଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ ଘଟଣାକୁ ନିନ୍ଦା କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ଆସନ୍ତାକାଲି ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା  ଯାଏଁ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି ।

ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗମ୍ବର ଦାସ ଘଟଣାକୁ ନିନ୍ଦା କରିବା ସହ ପୋଲିସ ପ୍ରଶାସନ ଓ ବିଜେପି ସରକାରଙ୍କୁ ଦାୟୀ କରିଛି । ପୀଡିତା ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ନ୍ୟାୟ ଦାବି କରିଛନ୍ତି । ଏହାସହ ଆସନ୍ତାକାଲି ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି ।

ସେହିପରି ଘଟଣାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭଦ୍ରକ ପୌରାଧ୍ୟକ୍ଷା ଗୁଲମୁଖୀ ହବିବ । ଗତ ୧୮ ମାସ ଭିତରେ ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଥିବା ବେଳେ ରାଜ୍ୟ ସରକାର ଏଥିରେ ଅଙ୍କୁଶ ଲଗାଇବାରେ ଫେଲ ମାରିଛନ୍ତି ବୋଲି ସେ କହିଛନ୍ତି ।

ଶରିଫ ଉସମାନ ହାଦିଙ୍କ ହତ୍ୟା ପଛରେ ବାଂଲାଦେଶ ଅନ୍ତରୀଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ହାତ ଅଭିଯୋଗ

ଶରିଫ ଉସମାନ ହାଦିଙ୍କ ହତ୍ୟା ପଛରେ ବାଂଲାଦେଶ ଅନ୍ତରୀଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ହାତ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ମହମ୍ମଦ ୟୁନୁସ ସରକାର ବିରୋଧରେ ବଡ଼ ଅଭିଯୋଗ । ଗୁଳିମାଡରେ ମୃତ ଶରିଫ ଉସମାନ ହାଦିଙ୍କ ଭାଇ ଶରିଫ ଉମର ହାଦି କହିଛନ୍ତି, ପ୍ରସ୍ତାବିତ ଜାତୀୟ ସାଧାରଣ ନିର୍ବାଚନ କରାଇ ନଦେବା ଲକ୍ଷ୍ୟରେ ଭାଇଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପଛରେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ହାତ ରହିଛି । ଶାହାବାଗସ୍ଥିତ ନ୍ୟାସନାଲ ମ୍ୟୁଜିୟମ ନିକଟରେ ଇନକିଲାବ ମଞ୍ଚ ପକ୍ଷରୁ ଆୟୋଜିତ ଶହୀଦ ଶପଥ କାର୍ଯ୍ୟକ୍ରମରେ ଭାଗ ନେଇ ସେ କହିଛନ୍ତି, ୟୁନୁସ ହିଁ ଭାଇ ଉସମାନଙ୍କୁ ହତ୍ୟା କରିଛନ୍ତି ।

ସାଧାରଣ ନିର୍ବାଚନ କରାଇ ନଦେବା ଲାଗି ଏହା ଏକ ଯୋଜନା । ଦେଶରେ ଜାତୀୟ ନିର୍ବାଚନ କରିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ନ କରିବାକୁ ଭାଇ ଉସମାନ ଚାହିଁଥିଲେ । ମାତ୍ର ତାଙ୍କୁ ହତ୍ୟା କରାଯାଇ ତାଙ୍କ ସ୍ବରକୁ ଚପାଇ ଦିଆଗଲା । ଯଦି ଉସମାନ ହାଦିଙ୍କୁ ଉପଯୁକ୍ତ ନ୍ୟାୟ ନମିଳେ ତେବେ ୟୁନୁସଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ କରାଯିବ ବୋଲି ଉମର କହିଛନ୍ତି । କୌଣସି ସଂସ୍ଥା ବା ବିଦେଶୀ ଶକ୍ତିର ହାତ କଣ୍ଢେଇ ନସାଜିବାରୁ ଭାଇଙ୍କୁ ହତ୍ୟା କରାଗଲା ବୋଲି ସେ କହିଛନ୍ତି । ଗତ ୧୨ ତାରିଖରେ ଢାକା ବିଜୟ ନଗରରେ ଉସମାନଙ୍କୁ ଗୁଳି କରାଯାଇଥିଲା । ୧୮ ତାରିଖରେ ସେ ସିଙ୍ଗାପୁରରେ ପ୍ରାଣ ହରାଇଥିଲେ ।

ମହାରାଷ୍ଟ୍ର ରାଜନୀତିରେ ହଲଚଲ, ୨୦ ବର୍ଷ ପରେ ଏକାଠି ହେଲେ ଠାକରେ ବ୍ରଦର୍ସ ରାଜ ଓ ଉଦ୍ଧବ

ମହାରାଷ୍ଟ୍ର ରାଜନୀତିରେ ହଲଚଲ, ୨୦ ବର୍ଷ ପରେ ଏକାଠି ହେଲେ ଠାକରେ ବ୍ରଦର୍ସ ରାଜ ଓ ଉଦ୍ଧବ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦୀର୍ଘ ୨୦ ବର୍ଷ ପରେ ହାତ ମିଳାଇଛନ୍ତି ରାଜ ଠାକରେ ଓ ଉଦ୍ଧବ ଠାକରେ । ଆସନ୍ତା ଜାନୁଆରୀ ୧୫ରେ ହେବାକୁ ଯାଉଥିବା ପୌର ନିର୍ବାଚନରେ ମିଳିତ ଭାବେ ଲଢିବେ ଶିବସେନା(ୟୁବିଟି) ଓ ମହାରାଷ୍ଟ୍ର ନବ ନିର୍ମାଣ ସମିତି । ମହାରାଷ୍ଟ୍ର ରାଜନୀତି ଲାଗି ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି ଶିବସେନ ନେତା ସଞ୍ଜୟ ରାୱତ ।

ଉଦ୍ଧବ କହିଛନ୍ତି ତାଙ୍କ ଜେଜେ ପ୍ରବୋଧଙ୍କର ଠାକରେ ସର୍ବଦା ମହାରାଷ୍ଟ୍ରର ସ୍ବାର୍ଥ ଲାଗି ଲଢେଇ କରିଥିଲେ । ଶିବସେନା ଗଠନର ୬୦ ବର୍ଷ ଯାଏଁ ଦଳ ରାଜ୍ୟର ସ୍ବାର୍ଥ ଲାଗି ସଂଗ୍ରାମ କରୁଛି । ମୁମ୍ବାଇକୁ ନଷ୍ଟ କରିବା ଲାଗି କିଛି ବ୍ୟକ୍ତି ଉଦ୍ୟମ କରୁଛନ୍ତି । ଆସନ୍ତା ଜାନୁଆରୀ ୧୫ରେ ମୁମ୍ବାଇ ମହାନଗର ନିମଗ ସମେତ ରାଜ୍ୟର ଅନ୍ୟାନ୍ୟ ପୌର ପରିଷଦର ନିର୍ବାଚନ ହେବାକୁ ଯାଉଛି । ତା’ ପୂର୍ବରୁ ଦୁଇ ଦଳ ମଧ୍ୟରେ ମେଣ୍ଟ ନାନା ଆଶା ସୃଷ୍ଟି କରିଛି । ଦୁଇ ଦଳ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ମୁମ୍ବାଇର ମୋଟ ୨୨୭ ଆସନରୁ ଶିବସେନା ୟୁବିଟି ୧୫୦ ଓ ଏମଏନଏସ ୭୭ ଆସନରେ ଲଢିବ । ତେବେ ଏହି ଦୁଇ ଦଳର ମେଣ୍ଟ କଂଗ୍ରେସ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିବାରୁ ଏହି ମେଣ୍ଟରେ କଂଗ୍ରେସ ସାମିଲ ହୋଇନାହିଁ । ଫଳରେ ଏମଭିଏରେ ଫାଟ ଅଧିକ ବୃଦ୍ଧି ପାଇଛି ।

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ।  ମୁଖ୍ୟ ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ପୋଲିସ ଉପସ୍ଥିତିରେ ଘର ଭାଙ୍ଗିଛନ୍ତି ଲୋକେ ।

ସେପଟେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛନ୍ତି । ଘଟଣା ଭିଆଇବା ପରେ ଅଭିଯୁକ୍ତ ଜଗତସିଂହପୁର ପଳାଇ ଯାଇଥିଲା । ସେଠାରୁ ତାକୁ ଗିରଫ କରାଯାଇଛି । ଏହାସହ ଅନ୍ୟ ୪ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଏପଟେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗତକାଲି ଚାନ୍ଦବାଲିର ଏକ ପଞ୍ଚାୟତ ଅଫିସ ପଛପଟୁ ୧୦ ବର୍ଷର ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁଷ୍କର୍ମ ପରେ ତାକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ବାଲିଗାଁ ଛକରେ ଥିବା ଦୋକାନ ସବୁ ଉଚ୍ଛେଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏଠାରେ ଚୋରା ମଦ କାରବାର ହେଉଥିବା ବେଳେ ନିଶାସକ୍ତ ଯୁବକଙ୍କ ଆଡ୍ଡା ଜମୁଛି । ଏଥିପାଇଁ ଏତେ ବଡ଼ ଘଟଣା ଘଟିଲା । ସେହି ସବୁ ଦୋକାନ ଭାଙ୍ଗିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଚାଷୀଙ୍କୁ ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ରଙ୍କ ଅପମାନ, କହିଲେ ଆନ୍ଦୋଳନଜୀବୀ

ଚାଷୀଙ୍କୁ ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ରଙ୍କ ଅପମାନ, କହିଲେ ଆନ୍ଦୋଳନଜୀବୀ

ନନ୍ଦିଘୋଷ ବ୍ୟୁରୋ: ଅନ୍ନଦାତାଙ୍କୁ ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ରଙ୍କ ଅପମାନ । ଧାନ ବିକ୍ରି ସମସ୍ୟାକୁ ନେଇ ହଜାର ହଜାର ଚାଷୀ ହନ୍ତସନ୍ତ ହେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର ନାର୍ଯ୍ୟ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଏହି ସମୟରେ ଚାଷୀଙ୍କ ସପକ୍ଷରେ ଛିଡା ହେବା ବଦଳରେ ବିବାଦୀୟ ମନ୍ତବ୍ୟ ଦେଲେ ଯୋଗାଣ ମନ୍ତ୍ରୀ । ଚାଷୀଙ୍କୁ ଆନ୍ଦୋଳନଜୀବୀ କହି କଟା ଘା’ରେ ଚୂନ ଲଗାଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଧାନ ସଂଗ୍ରହ ନେଇ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଆନ୍ଦୋଳନଜୀବୀ । ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ରାଜ୍ୟରେ ଡବଲ ବେଗରେ ଧାନ କିଣା ହେଉଛି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ୧୨ ଜିଲ୍ଲାରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଛି । ବର୍ତ୍ତମାନ ୧୯ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ୧ ଲକ୍ଷ ଚାଷୀ ଧାନ ବିକ୍ରି କରି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୪୧ ହଜାର ଚାଷୀଙ୍କୁ ଟୋକନ ଦିଆଯାଇଛି ।

ଆସନ୍ତା ୨୭ରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗଣତି ମଣତି ନେଇ ହେବ ଆଲୋଚନା

ଆସନ୍ତା ୨୭ରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗଣତି ମଣତି ନେଇ ହେବ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୭ ତାରିଖରେ ବସିବ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନ ସାଢ଼େ ୪ଟାରେ ବୈଠକ ବସିବାକୁ ଯାଉଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ବସିବ । ବୈଠକରେ ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଏସଓପି ପ୍ରସ୍ତୁତି ଉପରେ ଆଲୋଚନା ହେବ ।

୨ଟି ତାରିଖ ଗଣତି ମଣତି ପାଇଁ ଧାର୍ଯ୍ୟ ହେବ । ପରେ ନିଷ୍ପତ୍ତିକୁ ପରିଚାଳନା କମିଟିକୁ ପଠାଯିବ । ସେମାନେ ପରୀକ୍ଷା ନିରୀକ୍ଷା କରିବା ପରେ ଏହାକୁ ସରକାରଙ୍କ ନିକଟକୁ ପଠାଯିବ । ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ । ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ।

ଶୀତଦିନେ ବିଲେଇ ଉପରେ ଥଣ୍ଡା ପାଣି ପକାଇ ମାରିବା ଘଟଣା, ମାମଲା ରୁଜୁ ପରେ ମୃତଦେହ ବ୍ୟବଚ୍ଛେଦ

ଶୀତଦିନେ ବିଲେଇ ଉପରେ ଥଣ୍ଡା ପାଣି ପକାଇ ମାରିବା ଘଟଣା, ମାମଲା ରୁଜୁ ପରେ ମୃତଦେହ ବ୍ୟବଚ୍ଛେଦ

ନନ୍ଦିଘୋଷ ବ୍ୟୁରୋ: ମରିଗଲା ମାନବିକତା, ବଳି ପଡିଲା ବିଲେଇ I ବିଲେଇକୁ ମାରିବା ଘଟଣାରେ ମାମଲା ରୁଜୁ ସହିତ ପୋଲିସ ଉପସ୍ଥିତିରେ ବିଲେଇର ହେଲା ପୋଷ୍ଟମର୍ଟମ I ଏମିତି ଏକ ଘଟଣା ରାଜଧାନୀରେ ଚର୍ଚ୍ଚାର କାରଣ ପାଲଟିଛି I ନିରୀହ ବିଲେଇର ଜୀବନ ନେବାକୁ ପଛେଇ ନାହିଁ ସ୍ୱାର୍ଥପର ମଣିଷ I ଶୀତ ଦିନରେ ଥଣ୍ଡା ପାଣି ଢ଼ାଳି ନିଷ୍ଠୁର ଭାବରେ ମାରି ଦେଲେ ବିଲେଇକୁ । ଏଭଲି ଅଭିଯୋଗ ସହିଦନଗର ଥାନାରେ ହୋଇଥିବା ବେଳେ ଏନେଇ ରୁଜୁ ହୋଇଛି ମାମଲା I

ସହିଦ ନଗର ଥାନାର ଦ୍ବାରସ୍ଥ ହୋଇ ପଶୁ ପ୍ରେମୀ ଶୀତ ରାତିରେ ବିଲେଇ ଉପରେ ଥଣ୍ଡା ପାଣି ଢାଳି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି I ଦୁଇ ମଣିଷଙ୍କ ମଧ୍ୟରେ ଆକ୍ରୋଶରୁ ବିଲେଇକୁ ମାରାଯାଇଥିବା ଅଭିଯୋଗ ହୋଇଛି । ସହିଦ ନଗର ପ୍ରାଣୀ ଚିକିତ୍ସାଳୟ ଆନିମଲ ହେଲ୍ପଲାଇନ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ବାବୁ ଜଣକ ଆଗରୁ ଅନେକ ପଶୁଙ୍କ ଜୀବନ ନେଇଥିବାର ବି ଅଭିଯୋଗ ରହିଛି ବୋଲି କହିଛନ୍ତି ଅଭିଯୋଗକାରୀ ମହିଳା I ପୋଲିସ ଉପସ୍ଥିତିରେ OUAT ପ୍ରାଣୀ ଚିକିତ୍ସାଳୟରେ ବିଲେଇର ପୋଷ୍ଟମର୍ଟମ ସରିଛି I ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତଙ୍କୁ ସହିଦ ନଗର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି I

ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦାବାଲି ପଞ୍ଚାୟତ ଅଫିସ ପଛପଟୁ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଜଗତସିଂହପୁରରୁ ଗିରଫ କଲା ପୋଲିସ । ଏହାସହ ୪ ଜଣଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଚଲାଇଛି । ଘଟଣା ଘଟାଇବା ପରେ ମୁଖ୍ୟ ଅଭିଯୁକ୍ତ ଜଗତସିଂହପୁରକୁ ପଳାଇ ଯାଇଥିଲା ।

ଏପଟେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତକାଲି ଚାନ୍ଦବାଲିର ଏକ ପଞ୍ଚାୟତ ଅଫିସ ପଛପଟୁ ୧୦ ବର୍ଷର ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ଦୁଷ୍କର୍ମ ପରେ ତାକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି । ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ଲୋକଙ୍କ ଦାବି ହେଲା ବାଲିଗାଁ ଛକରେ ଥିବା ଦୋକାନ ସବୁ ଉଚ୍ଛେଦ ହେଉ । ସେଠାରେ ଚୋରା ମଦ କାରବାର ଚାଲିଛି । ନିଶାସକ୍ତ ଯୁବକଙ୍କ ଆଡ୍ଡା ଜମୁଛି । ଏଥିପାଇଁ ଏତେ ବଡ଼ ଘଟଣା ଘଟିଲା । ସେହି ସବୁ ଦୋକାନ ଭାଙ୍ଗିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।