spot_img
Home Blog Page 2583

କେବେ ଟନେଲରୁ ଉଦ୍ଧାର ହେବେ ଫସିଥିବା ଶ୍ରମିକ?

ଉତ୍ତରାଖଣ୍ଡ: ଉତ୍ତରକାଶୀ ସିଲ୍କୟାରା ଟନେଲ ଧସିବା ଘଟଣାରେ ଉପରୁ ଆରମ୍ଭ ହୋଇଛି ଡ୍ରିଲିଂ । ଏଥିପାଇଁ ବଡ଼ ବଡ଼ ମେସିନକୁ ନିୟୋଜିତ କରାଯାଇଛି । ଶ୍ରମିକଙ୍କ ଉଦ୍ଧାର ଲାଗି ୨୪ ଘଣ୍ଟିଆ ଚାଲିଛି ରେସକ୍ୟୁ ଅପରେସନ । ଫାଇଭ୍ ପଏଣ୍ଟ ପ୍ଲାନ୍ ଉପରେ ଚାଲିଛି କାମ। ଉପର, ଆଗ, ପଛ ସହ ଦୁଇ ପଟୁ ଚାଲିଛି ଡ୍ରିଲିଂ । ଯଦି ଅଗର ମେସିନ ଠିକଠାକ କାମ କରେ ତେବେ ଆଉ ୨ରୁ ୩ ଦିନ ମଧ୍ୟରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ । ସମାନ୍ତରାଳ ଭାବେ ହରିଜଣ୍ଟାଲ ଡ୍ରିଲିଂ ଉପରେ ମଧ୍ୟ ଫୋକସ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନା, ରେଲୱେ ସହ ଏକାଧିକ ସଂସ୍ଥା କାମ କରୁଛନ୍ତି ।

ସେନାର ବର୍ଡର ରୋଡ୍ ଅର୍ଗାନାଇଜେସନ୍ ଖନନ କାର୍ଯ୍ୟ ଲାଗି ରାସ୍ତା ନିର୍ମାଣ ଜୋରସୋରରେ ଚଳାଇଛି । ରେସକ୍ୟୁ ଲାଗି ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବିଶାଳକାୟ ପାଇପ ବିମାନ ଯୋଗେ ଉତ୍ତରକାଶୀ ଅଭିମୁଖେ ଯାଇଛି । ଟନେଲ ଭିତରେ ଶ୍ରମିକ କେମିତି ଅଛନ୍ତି, ତାଙ୍କର ସ୍ବାସ୍ଥ୍ୟାବସ୍ଥା କଣ ସବୁକିଛି ଗତକାଲି ଆସିଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖି ହେଉଛି। ଶ୍ରମିକଙ୍କ ସହ ୱାକିଟକିରେ କଥା ହୋଇଛନ୍ତି ଉଦ୍ଧାରକାରୀ ଟିମ।

ଆଇସିସିର ନୂଆ ନିୟମ, ବୋଲର ୬୦ ସେକେଣ୍ଡ ବିଳମ୍ବ କଲେ…

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ କ୍ରିକେଟରେ ଏକ ନୂଆ ନିୟମ ଘୋଷଣା କରିଛି । ଏହା ଅନୁସାରେ ଦିନିକିଆ ଓ ଟି-୨୦ ଅନ୍ତରାଷ୍ଟ୍ରୀୟରେ ଯଦି ବୋଲର ପରବର୍ତ୍ତୀ ଓଭର ପକାଇବା ପାଇଁ ୬୦ ସେକେଣ୍ଡରୁ ଅଧିକ ସମୟ ନିଅନ୍ତି ଓ ଇନିଂସରେ ତିନିଥର ଏପରି ହୁଏ ତେବେ ବୋଲିଂ ଟିମକୁ ପେନାଲ୍ଟି ଲାଗିବ । ଏହି ନିୟମକୁ ପ୍ରଥମେ ଟ୍ରାଏଲ ରୂପେ ଲାଗୁ କରାଯିବ । ଆଇସିସିର ବୋର୍ଡର ଅହମଦାବାଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଇସିସିର ବୟାନରେ କୁହାଯାଇଛି, ପୁରୁଷ ଏକଦିବସୀୟ ଓ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୨୦୨୩ ଡିସେମ୍ୱରରୁ ୨୦୨୪ ଏପ୍ରିଲ ଯାଏ ଟ୍ରାଏଲ ଆଧାରରେ ଷ୍ଟପ୍ କ୍ଲକ୍ କାର୍ଯ୍ୟକାରୀ କରାଯିବ । ଏହି କ୍ଲକକୁ ଓଭର ଗୁଡିକ ମଧ୍ୟ ସମୟ ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯିବ । ଯଦି ବୋଲର ଟିମ୍ ଗୋଟିଏ ଓଭର ଶେଷ ହେବା ପରେ ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ପକାଇବାରେ ବିଫଳ ହେଲେ ପେନାଲ୍ଟି ଲାଗିବ । ଇନିଂସରେ ତିନି ଥର ଏପରି କରିବା ପରେ ପାଞ୍ଚ ରନ୍ ପେନାଲ୍ଟି ଲାଗିବ । ଏହାସହ ପିଚ୍ ଓ ଆଉଟଫିଲ୍ଡ ନିରୀକ୍ଷଣ ନିୟମ ପରିବର୍ତ୍ତନକୁ ମଧ୍ୟ ଆଇସିସି ମଞ୍ଜୁରୀ ଦେଇଛି ।

ଆସନ୍ତା ୪ଦିନ ରାଜ୍ୟରେ ଜାରି ରହିବ କୋହଲା ପାଗ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ଅଧିକାଂଶ ସ୍ଥାନରେ ହାଲୁକା ପବନ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ପୁରୀ ସମେତ ଜଗତସିଂହପୁର ଏବଂ ଗଞ୍ଜାମରେ ବି ହାଲୁକା ବର୍ଷା ହୋଇଛି । ରାଜ୍ୟକୁ ପ୍ରବେଶ କରୁଥିବା ପୂର୍ବାଳି ତରଙ୍ଗାୟିତ ପବନ ପ୍ରଭାବରେ ଏଭଳି ପାଗ ଜାରି ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ତାପମାତ୍ରା ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଏବଂ ପାହାଡିଆ ଅଞ୍ଚଳରେ ସ୍ବାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ଅଛି ପାରଦ । ୪ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର।

ନ୍ୟାସନାଲ ମିଡିଆ କନକ୍ଳେଭର ଉଦଘାଟନୀ ସମାରୋହରେ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ତିନି ଦିନିଆ ନ୍ୟାସନାଲ ମିଡିଆ କନକ୍ଳେଭର । ମଙ୍ଗଳବାର ଉଦଘାଟନୀ ସମାରୋହରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି। ପୁସ୍ତକ ଦୁଇଟି ହେଉଛି ’ହେଲଥ କମ୍ୟୁନିକେସନ’ ଏବଂ ’ଗାଁ କଥା’ । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ,ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବି. ପି. ସଞ୍ଜୟ ଏବଂ ନ୍ୟାସନାଲ ମିଡିଆ କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଉଭୟ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ।

ଇଂରାଜୀ ପୁସ୍ତକ ହେଲଥ କମ୍ୟୁନିକେସନ ସ୍ୱାସ୍ଥ୍ୟ ସଂଚାର ବିଷୟ ଉପରେ ଏକ ନୂଆ ବହି। ସଂପ୍ରତି ରାଜସ୍ଥାନର ମଣିପାଲ ୟୁନିଭରସିଟି ଜୟପୁରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ପ୍ରଫେସର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର କମଲଜିତ୍ କୌର ମିଳିତ ଭାବେ ଏହି ପୁସ୍ତକକୁ ରଚନା କରିଛନ୍ତି। ଏହା ସ୍ୱାସ୍ଥ୍ୟ ସଂଚାର କ୍ଷେତ୍ରରେ କାମ କରୁଥିବା ଛାତ୍ରାଛାତ୍ରୀ, ଗବେଷକ ଏବଂ କର୍ମଚାରୀଙ୍କ ପାଇଁ ଏକ ଉପାଦେୟ ପୁସ୍ତକ ।

ସେହିଭଳି ଭାବେ ଗାଁ ସମ୍ପର୍କୀୟ ବିଭିନ୍ନ ଅଙ୍ଗେନିଭା କଥାର ଏକ ସଂକଳନ ହେଉଛି “ଗାଁ କଥା”। ଏହା ଫକୀର ମୋହନ ନାହାକଙ୍କ ଚତୁର୍ଥ ଗଳ୍ପ ସଂକଳନ। ହେଲଥ କମ୍ୟୁନିକେସନ୍ ପୁସ୍ତକକୁ ନୂଆଦିଲ୍ଲୀ ସ୍ଥିତ ଜଗରନଟ୍ ପବ୍ଲେକସନ୍ ପ୍ରକାଶ କରିଥିବା ବେଳେ ଗାଁ କଥା ପୁସ୍ତକଟି ପ୍ରକାଶ କରିଛନ୍ତି ଭୁବନେଶ୍ୱରର ପଶ୍ଚିମା ପବ୍ଲିକେସନ୍ ।

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ

ସମ୍ବଲପୁର: ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ବୁଧବାର ଶେଷଦିନ । ମଙ୍ଗଳବାର ସମ୍ବଲପୁର ଗସ୍ତରେ ଅଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ଆଜି ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ । ପରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିନ ୧୧ଟା ୫ ମିନିଟରେ ବାଂଙ୍ଗାଲୋର ଗସ୍ତ କରିବେ । ତିନିଦିନିଆ ଓଡ଼ିଶା ଗସ୍ତରେ ମୟୂରଭଞ୍ଜ ଓ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଗତକାଲି ଭିସୁଟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଏହା ସହ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦନ ଲୋଡ଼ିଥିଲେ । ଅନ୍ୟପଟେ ଆସନ୍ତା ୨୬ ତାରିଖରେ ପୁଣି ଓଡ଼ିଶା ଆସିବେ ମହାମହିମ । ୨୬ ତାରିଖରେ ଭୁବନେଶ୍ବରରେ ପହଞ୍ଚି ୨୭ତାରିଖରେ ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ

ଭୁବନେଶ୍ବର: ବୁଧବାର ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ବେଶ୍ ସରଗରମ ରହିବ ଗୃହ  । କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସମବାୟ, ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗର ପ୍ରଶ୍ନକାଳ ରହିଛି l ଏହାଛଡା ବିଧାୟକମାନେ ମଧ୍ୟ ଭିନ୍ନ ପ୍ରଶ୍ନ ପଚାରିପାରିବେ l ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ଗୃହରେ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇବେ l ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି l

ପରିମଳ ପାଇଁ ପୁଣି ଥରେ ଓଡିଶା ଜିତିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ‘ଗରିମା’ କାର୍ଯ୍ୟକ୍ରମ ‘ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ’ ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟର ପରିଚାଳନା କରୁଥିବା କିନ୍ନର ସ୍ଵିକୃତି ଏସ୍ଏଚଜିର ଅଧ୍ୟକ୍ଷା ମେଘନା ସାହୁ ପରିମଳ ବିଭାଗରେ ମହିଳା ପରିବର୍ତ୍ତନକାରୀ ବର୍ଗରେ ପୁରସ୍କୃତ ହୋଇଛନ୍ତି।

ନୂଆଦିଲ୍ଲୀରେ ପୁରସ୍କାର ବିଜେତାଙ୍କ ସହ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ସମାରୋହରେ ଯୋଗ ଦେଇଥିଲେ।
୨୦୧୯ ମସିହାରୁ ଆଇଏସସି-ଫିକି ପୁରସ୍କାରରେ ପରିମଳର ବିଭିନ୍ନ ଦିଗ ଉପରେ ଓଡ଼ିଶା କ୍ରମାଗତ ଭାବେ ଏକାଧିକ ପୁରସ୍କାର ଜିତି ଆସୁଛି।

ଆଇଏସସି-ଫିକି ପରିମଳ ପୁରସ୍କାର ହେଉଛି ପରିମଳ କ୍ଷେତ୍ରର ପ୍ରମୁଖ ପୁରସ୍କାର ଏବଂ ଛଅ ବର୍ଷରୁ ଅଧିକ ସମୟ ଧରି ଜାତୀୟ ସ୍ତରରେ ସେମାନଙ୍କର ନେତୃତ୍ୱ ପ୍ରତିଷ୍ଠା କରିଛି । ବର୍ଷ ବର୍ଷ ଧରି ଏହି ପୁରସ୍କାର କର୍ପୋରେଟ୍, ଆର୍ଥିକ ଅନୁଷ୍ଠାନ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବୀ ସଂଗଠନ, ସରକାରୀ ସଂସ୍ଥା ଏବଂ ଆମ ଦେଶର ପରିମଳ କ୍ଷେତ୍ରରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଥିବା ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରୟାସକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୫୦ କୋଟି ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ପ୍ରକଳ୍ପଟି ହେଉଛି – ମହାନଦୀରେ ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କଟକ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।

ଏହାଦ୍ବାରା ତିନୋଟି ବ୍ଲକ୍‌ର ଲୋକ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ । ବୈଦେଶ୍ବର ପ୍ରକଳ୍ପ ଦ୍ବାରା ବଡମ୍ବା, ବାଙ୍କୀ ଓ ଭାପୁର ବ୍ଲକ୍‌ର ଜନସାଧାରଣ ଉପକୃତ ହେବେ।

‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କଲେ ନବୀନ, ଖର୍ଚ୍ଚ ହେବ ୪୪୮ କୋଟି

ଭୁବନେଶ୍ବର: ଆଜି ବିଶ୍ବ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିବେଦନ କରି କହିଛନ୍ତି ଯେ ଆପଣମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଆପଣମାନେ ଏହାର ସୁଯୋଗ ନେଇ ନିଜର ଓ ରାଜ୍ୟର ସମୃଦ୍ଧିରେ ଯୋଗଦାନ ରଖନ୍ତୁ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟରେ ପ୍ରଚୁର ଜଳସଂପଦ ରହିଛି। ଅର୍ଥନୀତିର ବିକାଶ ପାଇଁ ଜଳସଂପଦର ପୂର୍ଣ୍ଣ ବିନିଯୋଗ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା, ସେମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା, ମା ମାନଙ୍କୁ ସଶକ୍ତ କରିବା ଏବଂ ସର୍ବୋପରି ରାଜ୍ୟର ଆର୍ଥିକ ବିକାଶ କରିବା ।

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବ ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର 5T ନୀତିରେ କାର୍ଯ୍ୟକାରୀ କରାଯିବ। ଏଥିରେ ୧୧,୦୦୦ରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ୫୦ ହଜାର ମାଛ ଚାଷୀ ଓ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଉପକାର ପାଇବେ ବୋଲି ସେ କହିଥିଲେ।

ରାଜ୍ୟରେ ମତ୍ସ୍ୟ ବିକାଶ କ୍ଷେତ୍ରରେ ହୋଇଥିବା ଉନ୍ନତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ୨୦ ବର୍ଷ ଭିତରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରି ଗୁଣ ବୃଦ୍ଧି ପାଇଛି । ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ୪୫୦୦ କୋଟି ଟଙ୍କାରେ ପହଞ୍ଚିଛି । ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଓଡିଶା ମତ୍ସ୍ୟନୀତି-୨୦୧୫ ଏବଂ ଓଡିଶା ଜଳଭଣ୍ଡାର ମତ୍ସ୍ୟନୀତି-୨୦୧୨ ଆଣିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ସେ କହିଥିଲେ । ଓଡିଶା ଆଜି ମାଛ ଯାଁଳ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି ବୋଲି ସେ କହିଥିଲେ ।

ମତ୍ସ୍ୟଜୀବୀ ମାନଙ୍କ କଲ୍ୟାଣ ପାଇଁ ଗରିବ ଲୋକଙ୍କ କଲ୍ୟାଣ ପଇଁ ମୋ ସରକାର କାମ କରୁଛନ୍ତି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, ରୋଜଗାର ଓ ପୁଷ୍ଟିକୁ ଅଧିକ ଗୁରୁତ୍ବ ଦେଇ ଅନେକ ପଦକ୍ଷେପ ନିଆଯାଇଛି।

କାର୍ଯ୍ୟକ୍ରମରେ ଯୋଗ ଦେଇ ମତ୍ସ୍ୟ ଓ ପଶୁସଂପଦ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜନତାଙ୍କ ମୁଖ୍ୟମନ୍ତ୍ରୀ। ଜନତାଙ୍କ କଲ୍ୟାଣ ପାଇଁ ସେ ସବୁବେଳେ ନୂଆ ନୂଆ ଯୋଜନା କରିଆସିଛନ୍ତି। ଆଜି ବିଶ୍ବ ମତ୍ସ୍ୟ ଦିବସରେ ଏହି ଯୋଜନା ରାଜ୍ୟର ମତ୍ସ୍ୟ କ୍ଷେତ୍ରରେ ରୂପାନ୍ତର ଆଣିବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ଯୋଜନାର ବିଭିନ୍ନ ଆଭିମୁଖ୍ୟ ସଂପର୍କରେ ଶ୍ରୀ ସ୍ବାଇଁ ବିସ୍ତୃତ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀ  ବ୍ରହ୍ମାନନ୍ଦ ଦାସ କହିଲେ ଯେ କୋଭିଡ ସମୟରେ ତାଙ୍କର ରୋଜଗାର ବନ୍ଦ ହୋଇଯିବାରୁ ସେ ମତ୍ସ୍ୟଜୀବୀ ମାନଙ୍କ ପାଇଁ Bioflock ଯୋଜନାରେ ୪୦ ପ୍ରତିଶତ ରିହାତି ପାଇ ମାଛ ଚାଷ ଆରମ୍ଭ କରିଥିଲେ । ଏବେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସେହିପରି ବାଲେଶ୍ବରର ଗୀତାରାଣୀ ପଣ୍ଡା କହିଥିଲେ ଯେ ତାଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପଞ୍ଚାୟତ ପୋଖରୀ ଯୋଜନାରେ ସେମାନ ଋଣ ନେଇ ଏବେ ବର୍ଷକୁ ୫ ଲକ୍ଷ ଟଙ୍କା ଲାଭ କରୁଛନ୍ତି । ଏହାଦ୍ବାରା ସେମାନଙ୍କର ଆର୍ଥିକ ସମସ୍ୟା ଦୂର ହୋଇପାରିଛି ବୋଲି ସେ କହିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ପୁରୀ ଜିଲ୍ଲାର ବ୍ରଜସୁନ୍ଦର ବେହେରା କହିଲେ ଯେ ସେ ଜଣେ ସାମୁଦ୍ରିକ ମତ୍ସ୍ୟଜୀବୀ। ଅଲିଭ ରିଡ୍‌ଲେ କଇଁଚ ପାଇଁ ତାଙ୍କର ଜୀବିକା ପ୍ରଭାବିତ ହେଉଥିଲା। ଏଥିପାଇଁ ସହାୟତା ପରିମାଣକୁ ମୁଖ୍ୟମନ୍ତ୍ରୀ ୭୫୦୦ ଟଙ୍କାରୁ ୧୫ ହଜାର ଟଙ୍କା ବୃଦ୍ଧି କରିଥିବାରୁ, ତାଙ୍କ ପରିବାର ଆଜି ସୁରକ୍ଷିତ ହୋଇପାରିଛି ବୋଲି କହି ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ, କୃଷି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ମତ୍ସ୍ୟଜୀବୀମାନେ ଅନ୍‌ଲାଇନ ଜରିଆରେ ଯୋଡି ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ  ସୁରେଶ କୁମାର ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଓ ମତ୍ସ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଥମ ଥର ପୋଲିସ ପଦବୀରେ ପରୀକ୍ଷା ଦେବାକୁ ବିବେଚିତ ହୋଇଛନ୍ତି ରାଜ୍ୟର ୧୭ କିନ୍ନର

ଭୁବନେଶ୍ବର: କିନ୍ନର ପାଇବେ ପୋଲିସ ଚାକିରି । ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସବ୍ ଇନ୍ସପେକ୍ଟର ପଦବୀରେ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ରାଜ୍ୟର ୧୭ ଜଣ କିନ୍ନର । ପ୍ରଥମ କରି ଲିଙ୍ଗ ସ୍ଥାନରେ ଟ୍ରାନ୍ସଜେଣ୍ଡର ଲେଖା ଥାଇ ସେମାନେ ପରୀକ୍ଷା ଦେବାକୁ ଯାଉଛନ୍ତି । ଓଡ଼ିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡ ପକ୍ଷରୁ ସେମାନଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଛି । ସେପଟେ ରାଜ୍ୟର ପ୍ରଥମ ହାଇସ୍କୁଲ ଶିକ୍ଷକ ହେବାକୁ ଯାଉଛନ୍ତି କିନ୍ନର କାହ୍ନୁଚରଣ ତାଡିଙ୍ଗି ଓରଫ ମାୟା । ମାୟାଙ୍କ ନାଁ ମେଧା ତାଲିକାରେ ପ୍ରକାଶ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ସଫଳତା ପାଇବା ପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

କିନ୍ନର ମାୟା ଓରଫ ଗିରିଧାରୀ କିସାନ । ପରିବାରର ତାଡନା ପରେ ମାତ୍ର 13 ବର୍ଷ ବୟସରେ କିନ୍ନର ସମାଜକୁ ଚାଲିଆସି ମାୟା କିନ୍ନର ନିଜ ଜୀବନ ଆରମ୍ଭ କରିଥିଲେ । ହେଲେ ପାଠ ପଢିବାର ଆଗ୍ରହ ତାଙ୍କୁ ଅଟକାଇ ପାରିନଥିଲା । କମ୍ୟୁନିଟି ସେଣ୍ଟରରେ ରହି ମାୟା ମାଟ୍ରିକ୍ରେ ପ୍ରଥମ ଶ୍ରେଣୀରେ ପାସ କରି ପରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ରାଜ୍ୟ କିନ୍ନର ସଙ୍ଘ ରାଜ୍ୟ ସଭାନେତ୍ରୀ ମୀରା ପରିଡାଙ୍କ ସଂସ୍ପର୍ଶରେ ଆସିବା ପରେ ମାୟା ସରକାରୀ ଚାକିରୀ କରିବାକୁ ଦମ୍ଭ ପାଇଥିଲେ । ଏବେ ସେ ଏସ୍ଆଇ ପରୀକ୍ଷା ପାଇଁ ଅବେଦନ କରିଛନ୍ତି ।

ଶିକ୍ଷିତା ଏବଂ ଇଂରାଜୀରେ ନନଷ୍ଟପ୍‌ କହୁଥିବା ପ୍ରିନ୍ସେସ୍ କହିଛନ୍ତି ରାଜ୍ୟ ସରକାର କିନ୍ନରମାନଙ୍କୁ ସ୍ବାଭିମାନର ସହ ବଞ୍ଚିବା ପାଇଁ ବିରାଟ ସୁଯୋଗ ପ୍ରଦାନ କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିଭଳି ରାୟଗଡାର କାହ୍ନୁଚରଣ ତାଡିଙ୍ଗି ଓରଫ ମାୟା ହେବାକୁ ଯାଉଛନ୍ତି ରାଜ୍ୟର ପ୍ରଥମ କିନ୍ନର ହାଇସ୍କୁଲ ଶିକ୍ଷକ ।

ମାୟାଙ୍କ ଘର ରାୟଗଡା ଜିଲ୍ଲା ଭାକୁରବୁଡା ଗାଁରେ ।  ତାଙ୍କ ନାଁ ଓଡ଼ିଶା ଷ୍ଟାଫ ସିଲେକ୍ସନ ବୋର୍ଡ ପକ୍ଷରୁ ମେରିଟ୍ ଲିଷ୍ଟରେ ପ୍ରକାଶ ପାଇଛି । କିନ୍ନର ହିସାବରେ ସରକାରୀ ଚାକିରୀରେ ନିଯୁକ୍ତି ମିଳିଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।