spot_img
Home Blog Page 2584

ଦିନକ ପରେ ପଞ୍ଚୁକ, ୪୦ ପ୍ଲାଟୁନ ଫୋର୍ସ ଓ ୫୦ ସ୍ବେଚ୍ଛାସେବୀ ମୁତୟନ

ପୁରୀ: ଆଉ ଦିନକ ପରେ ପଞ୍ଚୁକ । କାର୍ତ୍ତିକ ମାସର ଏହି ୫ ଦିନ ଅତ୍ୟନ୍ତ୍ର ପବିତ୍ର । ଏଥିପାଇଁ ପୁରୀରେ ଜମିବ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଆଜି ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ଆଇଜି ସମୀକ୍ଷା କରିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପାଞ୍ଚ ଦିନ ବଡ଼ଦାଣ୍ଡରେ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିବ ।

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ବରେ ୩ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ମୋବିଲାଇଜେସନ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଏଥିସହ ପର୍ଯ୍ୟାପ୍ତ ପାନୀୟ ଜଳ ସହ ବୃଦ୍ଧ, ବୃଦ୍ଧା, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ୩ଟି ସିଫ୍ଟରେ ୫୦ ସ୍ବେଚ୍ଛାସେବୀ ମୁତୟନ ହେବେ ।

ପଞ୍ଚୁକ ସହ ଆଜି ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ, ଟାଟା, ଓବିସିସି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ଐତିହ୍ୟ କରିଡରର ପ୍ରତିଷ୍ଠା ଉତ୍ସବ କରାଯିବାକୁ ଥିବାବେଳେ ଯାତ୍ରୀ ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ, କ୍ଲୋକ୍ ରୁମ୍, ସୂଚନା ଓ ଦାନକେନ୍ଦ୍ର, ସର୍ବସାଧାରଣ ଶୌଚାଳୟ, ସେବାୟତ ଶୌଚାଳୟ, ବିଶ୍ରାମ ସ୍ଥଳ, ଜେଟିପି ଆଉଟ୍ ପୋଷ୍ଟ, ଏଟିଏମ କିଓସ୍କୋ, ମହାପ୍ରସାଦ ଓ ଅନ୍ୟାନ୍ୟ ସାମଗ୍ରୀ ଓହ୍ଲାଇବା ଓ ଲଦିବା ସ୍ଥାନ, ଇଲେକ୍ଟ୍ରି ରୁମ୍, ଅଗ୍ନିଶମ ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଜରୁରୀ ଯାତାୟାତ ମାର୍ଗ ଓ ସ୍ଥାୟୀ ଯାତାୟାତ ମାର୍ଗ, ଲ୍ୟାଣ୍ଡ ସ୍କେପ, ଫୁଟପାଥ ଆଦି କାର୍ଯ୍ୟ ତନ୍ନ ତନ୍ନ କରି ଦେଖିଛନ୍ତି ଜିଲ୍ଲାପାଳ । ଏବେ ଲ୍ୟାଣ୍ଡ ସ୍କେପ, ମଠ ଗୁଡ଼ିକର ପୁନରୁଦ୍ଧାର, ଗ୍ରୀନ ଜୋନ କାର୍ଯ୍ୟ ଜାରି ରହିଛି । ଯାତ୍ରୀ ପରିକ୍ରମା ପ୍ରକଳ୍ପର ଯେଉଁ କାର୍ଯ୍ୟ ବଳକା ରହିଛି ତାହା ଜାନୁଆରୀ ୧୭ତାରିଖ ପୂର୍ବରୁ ସାରିବା ପାଇଁ ନିଷ୍ପତ୍ତି ହୋଇଛି  ।

ସଡ଼କ ପରିବହନ ନିଗମର ‘ଲକ୍ଷ୍ମୀ’ କୁଇଜ୍ ପ୍ରତିଯୋଗିତା, ଭାଗ ନେଲେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଇଜ ପ୍ରତିଯୋଗିତାର ମୁଖ୍ୟ ଲକ୍ଷ୍ୟ ହେଉଛି ପରିବହନ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ପ୍ରତିଯୋଗିତାରେ ଭୁବନେଶ୍ୱର ଓ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ୫ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପରିବହନ ବ୍ୟବସ୍ଥା ଓ ଲକ୍ଷ୍ମୀ ଯୋଜନାକୁ ନେଇ କୁଇଜ୍ ମାଷ୍ଟର ବିଭାସ ରଥ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।

ଛାତ୍ରଛାତ୍ରୀଙ୍କୁ ମିଳିଲା ପରିବହନ ସିଷ୍ଟମର ଏକ୍ସପୋଜର । ଘରେ ଘରେ ପହଞ୍ଚିବ ଲକ୍ଷ୍ମୀ । ଲକ୍ଷ୍ମୀ ପରିବହନ କୁଇଜ୍ ପ୍ରତିଯୋଗିତା କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଯୁବପିଢ଼ିମାନଙ୍କ ମଧ୍ୟରେ ପରିବହନ ସମ୍ପର୍କିତ ସଚେତନତା ସୃଷ୍ଟି କରିବାର ଏକ ମାଧ୍ୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ନିରନ୍ତର ପରିବହନ ସେବା ମାଧ୍ୟମରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳରେ ଯୋଗଯୋଗର ମାଧ୍ୟମ ସାଜିଛି ଲକ୍ଷ୍ମୀ ଯୋଜନା । ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଲକ୍ଷ୍ମୀ ବସ୍ ଯୋଜନା ପକାଇଛି ସକାରାତ୍ମକ ପ୍ରଭାବ ।

 

ଭୁବନେଶ୍ବର, ବ୍ରହ୍ମପପୁର ଓ ସମ୍ବଲପୁରରେ କ୍ଳଷ୍ଟର ଥିବା ବେଳେ ଆଗାମୀ ଦିନରେ କ୍ଳଷ୍ଟର ସଂଖ୍ୟା ବଢାଯିବ ବୋଲି ଅତିରିକ୍ତ ସଚିବ କହିଛନ୍ତି । ଲକ୍ଷ୍ମୀ ଯୋଜନାର ବୈପ୍ଳବିକ ଆଭିମୁଖ୍ୟ, ଉପକାରିତା ଓ ଗୁରୁତ୍ଵ ବିଷୟରେ ଉପସ୍ଥିତ ଯୁବପିଢିଙା୍କୁ କହିଥିଲେ ସିଦ୍ଧାନ୍ତ ମହାପାତ୍ର ।

ଗତ ୨୪ ଘଣ୍ଟାରେ ଗୋପରେ ସର୍ବାଧିକ ବର୍ଷା ରେକର୍ଡ, ୫ ଦିନ ପରେ ବଦଳିବ ପାଗ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ଅଧିକାଂଶ ସ୍ଥାନରେ ହାଲୁକା ପବନ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ଗୋପରେ ସର୍ବାଧିକ ୧୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କୃଷ୍ଣପ୍ରସାଦରେ ୧୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ଜଗତସିଂହପୁର ଏବଂ ଗଞ୍ଜାମରେ ବି ହାଲୁକା ବର୍ଷା ହୋଇଛି । ରାଜ୍ୟକୁ ପ୍ରବେଶ କରୁଥିବା ପୂର୍ବାଳି ତରଙ୍ଗାୟିତ ପବନ ପ୍ରଭାବରେ ଏଭଳି ପାଗ ଜାରି ରହିଛି ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ୨୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ତାପମାତ୍ରା ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଏବଂ ପାହାଡିଆ ଅଞ୍ଚଳରେ ସ୍ବାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ଅଛି ପାରଦ । ୫ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ ।

ଅସୁସ୍ଥ ହାତୀଛୁଆର ଚିକିତ୍ସା ପାଇଁ ଡାବରଚୁଆ ଜଙ୍ଗଲରେ ଚାଲିଛି ସଂଘର୍ଷ

0

କେନ୍ଦୁଝର: ଅସୁସ୍ଥ ହାତୀଛୁଆକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିବାକୁ ଉଦ୍ୟମ । କେନ୍ଦୁଝର ବନବିଭାଗର ଟିମ ହାତୀଛୁଆକୁ ଚିକିତ୍ସା କରିବାକୁ ଏହି ପ୍ରୟାସ ଚଳାଇଛି । ଘଟଣାସ୍ଥଳରେ କେନ୍ଦୁଝର DFO, ନନ୍ଦନକାନନରୁ ଆସିଥିବା ଟିମ୍, ପ୍ରାଣୀ ଚିକିତ୍ସକ, ଟ୍ରାଙ୍କୁଲାଇଜର୍ ଟିମ୍ ସମସ୍ତେ ଡ଼େରା ପକାଇଛନ୍ତି। ୧୨ ଟିକିଆ ହାତୀପଲଙ୍କ ଦଳରେ ରହିଛି ଏହି ଛୁଆ ହାତୀ ।

ଡାହାଣପଟ ଆଗ ଗୋଡ଼ରେ ଆଘାତ ଲାଗିଥିବାରୁ ହାତୀ ଛୁଆଟି ଅସୁସ୍ଥ ହୋଇ ପଡିଛି। ତେବେ ହାତୀଛୁଆକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବାକୁ ଚେଷ୍ଟା କଲେ ମଧ୍ୟ ବନ ବିଭାଗ ସଫଳ ହୋଇପାରିନାହିଁ। ୬ ମାସର ଅସୁସ୍ଥ ହାତୀ ଛୁଆକୁ ମା ହାତୀ ଓ ଅନ୍ୟ ହାତୀପଲ ପାଖରୁ ଛାଡ଼ୁ ନଥିବାରୁ ଏହା ବନ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡାବରଚୁଆ ସଂରକ୍ଷିତ ଜଙ୍ଗଲରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ  । ଅତିଶୀଘ୍ର ଅସୁସ୍ଥ ହାତୀଛୁଆକୁ ଉଦ୍ଧାର କରି ଚିକିତ୍ସା କରାଯିବ ବୋଲି କହିଛନ୍ତି DFO । ହାତୀ ଛୁଆର ଚିକିତ୍ସା ପାଇଁ ସ୍ଥାନୀୟ ଗ୍ରାମବାସୀ ସହଯୋଗ କରୁଛନ୍ତି।…

୨୬/୧୧ ମୁ୍ମ୍ବାଇ ଆକ୍ରମଣ: LeT କୁ ଆତଙ୍କୀ ସଂଗଠନ ଘୋଷଣା କଲା ଇସ୍ରାଏଲ

ତେଲ ଆଭିଭ୍‌: ପାକିସ୍ତାନର ଲସ୍କର ଏ ତୋଏବା(LeT) କୁ ଆତଙ୍କୀ ସଂଗଠନ ଭାବେ ତାଲିକାଭୁକ୍ତ କଲା ଇସ୍ରାଏଲ। ୨୬/୧୧ ମୁ୍ମ୍ବାଇ ଆକ୍ରମଣକୁ ୧୫ ବର୍ଷ ପୂର୍ତ୍ତି ଅବସରରେ ପାକ୍ ଆତଙ୍କୀ ସଂଗଠନ ଲସ୍କର ଏ ତୋଏବାକୁ ନିଶିଦ୍ଧ ଘୋଷଣା କରିବାକୁ ତାଲିକାଭୁକ୍ତ କରିଛନ୍ତି ଇସ୍ରାଏଲ ସରକାର। ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ୨୬ ତାରିଖରେ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ ପୂରିବ। ଇସ୍ରାଏଲ ଦୂତାବାସ ପକ୍ଷରୁ ବିଧିବଦ୍ଧ ବୟାନ ଜାରି କରି ଏହି ସୂଚନା ଦିଆଯାଇଛି ।

ଭାରତ ସରକାରଙ୍କ ଅନୁରୋଧ ବିନା ଇସ୍ରାଏଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଇସ୍ରାଏଲ ତାର ଦେଶକୁ ପ୍ରଭାବିତ କରୁଥିବା କିମ୍ବା ପଡୋଶୀ ଦେଶରେ ଥିବା ବିଭିନ୍ନ ଆତଙ୍କୀ ସଂଗଠନ ଗୁଡିକୁ ନିଶିଦ୍ଧ ଘୋଷଣା କରିଆସିଛି । ତେବେ ପ୍ରଥମଥର ଲାଗି ଇସ୍ରାଏଲ ଅନ୍ୟ ଦେଶର ଏକ ସଂଗଠନକୁ ଆତଙ୍କୀ ସଂଗଠନ ଭାବେ ତାଲିକାଭୁକ୍ତ କରିଛି ।

ଭାରତ ସରକାରଙ୍କ କୌଣସି ଅନୁରୋଧ ବିନା ଇସ୍ରାଏଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରିଛି ଇସ୍ରାଏଲ । ଆତଙ୍କବାଦ ବିରୋଧରେ ଭାରତର ଲଢେଇର ସାଥ ଦେଇ ଏହି ନିଷ୍ପତ୍ତି ନେଇଛି ଇସ୍ରାଏଲ । ୨୦୦୮ରେ ୨୬ ନଭେମ୍ବରରେ ମୁମ୍ବାଇ ଆକ୍ରମଣ ଘଟିଥିଲା ।ଏଥିରେ ସହିଦ ହୋଇଥିଲେ ୧୭୫ ଜଣ ନାଗରିକ । ୩ଶହରୁ ଅଧିକ ଆହତ ହୋଇଥିଲେ।

ମୃତକଙ୍କ ମଧ୍ୟରେ ଇସ୍ରାଏଲର ଦୁଇ ନାଗରିକ ମଧ୍ୟ ଥିଲେ। ଏବେ ଗାଜା ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ଭାରତ ପାଲେଷ୍ଟାଇନ ବାସିନ୍ଦାଙ୍କ ଲାଗି ମାନବୀୟ ସହାୟତା ପଠାଉଛି । ଏହି ସମୟରେ ଆନ୍ତର୍ଜାତିକ ସ୍ତରରେ ଭାରତର ସମର୍ଥନ ଯୋଗାଡ କରିବାକୁ ପାକିସ୍ତାନର ଲସ୍କର ଏ ତୋଏବାକୁ ନିଶିଦ୍ଧ ଘୋଷଣା କରିବାକୁ ଇସ୍ରାଏଲ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି  ।

ସରକାରଙ୍କ ସ୍ବାସ୍ଥ୍ୟରକ୍ଷା ନୀତିକୁ NCDCର ପ୍ରଶଂସା, ଖୁବଶୀଘ୍ର ଓ୍ବାନ ହେଲଥ ଆକ୍ସନ ପ୍ଲାନ

ଭୁବନେଶ୍ବର: ଜୁ୍ନୋଟିକ ରୋଗ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ । ରାଜ୍ୟର ୭ ସେଣ୍ଟିନେଲ ସାଇଟରେ ଖୋଲିବ ଲ୍ୟାବ । କୋରାପୁଟ ମେଡିକାଲ କଲେଜ, ବାରିପଦା ମେଡିକାଲ କଲେଜ ଓ ବଲାଙ୍ଗୀର ମେଡିକାଲ କଲେଜ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିଲା ।କେନ୍ଦ୍ର ଲ୍ୟାବ ସଂଖ୍ୟା ବଢ଼ାଇକୁ କହିଥିବାରୁ ଆଉ ଚାରୋଟି ସେଣ୍ଟିନେଲ ସାଇଟ ଖୁବଶୀଘ୍ର ଚିହ୍ନଟ କରାଯିବ । ଏହି ଲ୍ୟାବରେ ଜେନମ ସିକ୍ୟୁଏନସିଂ କରାଯିବ । କୋଭିଡ ପରି ଅଜଣା ରୋଗର ଭୟ ଏଯାଏ ଯାଇନି । ପୁଣି ପଶୁରୁ ମଣିଷକୁ ବ୍ୟାପିପାରେ ରୋଗ । ଯେଉଁଥିପାଇଁ ଓ୍ବାନ ହେଲଥ କାର୍ଯ୍ୟକ୍ରମ ଜରିଆରେ ପ୍ରାକ ମୁକାବିଲା ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେପଟେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟରକ୍ଷା ରଣନୀତିକୁ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ NCDC ପ୍ରଶଂସା କରିଛି । କୋଭିଡ ଆମ ସମସ୍ତଙ୍କୁ ସତର୍କ କରାଇ ଦେଇଛି । ମହାମାରୀ ଯେ କୌଣସି ସମୟରେ ବି ଆସି ପାରେ । ସେଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ । ପ୍ରାଣୀରୁ ମଣିଷକୁ ବ୍ୟାପୁଥିବା ରୋଗ ବା ଜୁ୍ନୋଟିକ, ଜଳବାୟୁ ପରିବର୍ତ୍ତନ ଏହାର କାରଣ ହୋଇପାରେ । ହେଲେ ଏହାର ନିରାକରଣ ପାଇଁ ୱାନ ହେଲଥ ରଣନୀତି ଜରୁରୀ ବୋଲି କହିଛି ଏନସିଡିସି ।

ୱାନ ହେଲଥ ରଣନୀତିରେ ପୂର୍ବରୁ ସର୍ଭେଲାନ୍ସ କରି ହେବ । ଏ ଦିଗରେ ଓଡ଼ିଶା ସରକାର ବହୁ ଭଲ ପଦକ୍ଷେପ ନେଇଛନ୍ତି । ଖୁବ ଶୀଘ୍ର ଓଡ଼ିଶା ସରାକରଙ୍କ ସହ ମିଶି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ୱାନ ହେଲଥ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଵ ବୋଲି କହିଛନ୍ତି ଏନସିଡିସି ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ସିମି ତିୱାରୀ ।

ଓଡ଼ିଶାରେ AIFF-FIFA ଟ୍ୟାଲେଣ୍ଟ ଏକାଡେମୀ, ତୃଣମୂଳ ସ୍ତରରୁ ଚୟନ ହେବେ ଖେଳାଳୀ

ଭୁବନେଶ୍ବର: ଫିଫା ବିଶ୍ବକପ କ୍ବାଲିଫାଇ ପୂର୍ବରୁ AIFF ଫିପା ଟ୍ୟାଲେଣ୍ଟ ଏକାଡେମୀ, ଓଡିଶା ଏବଂ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ମଧ୍ୟରେ mou ସ୍ବାକ୍ଷର ହୋଇଛି । ତୃଣମୂଳ ସ୍ତରରୁ ଖେଳାଳି ଚୟନ କରି ସ୍ବତନ୍ତ୍ର ଭାବେ ଏକାଡେମୀରେ ତାଲିମ ଦିଆଯିବ । ଆଜି ଏହାକୁ ଫିଫା ମୁଖ୍ୟ ଫୁଟବଲ ଡେଭେଲପମେଣ୍ଟର ଅପରେସନ ଓ୍ବିଙ୍ଗର ଏଆଇଏଫଏଫର ସଭାପତି କଲ୍ୟାଣ ଚୋବେ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡ଼ା ସଚିବ ଆର ଭିନିଲ କ୍ରୀଷ୍ଣାଙ୍କ ଉପସ୍ଥିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ବିଶେଷ କରି ରାଜ୍ୟରେ ଥିବା ଜୁନିୟର ଖେଳାଳିଙ୍କୁ AIFF FIFA ଟ୍ୟାଲେଣ୍ଟ ଏକାଡେମୀରେ କୋଚିଂ ସହ ପାଠ ପଢିବାର ସୁଯୋଗ ମଧ୍ୟ ଦିଆଯିବ । ଫିଫା ମୁଖ୍ୟଙ୍କ କହିବା ଅନୁସାରେ ଭାରତୀୟ ଖେଳାଳିଙ୍କ ପାଖରେ ଟ୍ୟାଲେଣ୍ଟ ଅଛି । ହେଲେ ସେମାନେ କେବେ ବିଶ୍ବକପ ଫୁଟବଲ ଖେଳିବେ କହିହେବନି, ମାତ୍ର ଏହି ଏକାଡେମୀ ଆଗାମୀ ତିନିବର୍ଷ ମଧ୍ୟରେ ଅନେକ ଫୁଟବଲ ଖେଳାଳିଙ୍କୁ ଭାରତୀୟ ଟିମରେ ସାମିଲ କରିବ ।

ଭାରତୀୟ ଫୁଟବଲ ସଂଘ ଭୁବନେଶ୍ବରରେ ଏକାଡେମୀ କରିବା ପାଇଁ ଆଗ୍ରହ ପ୍ରକାଶ କରିବାର ମୁଖ୍ୟ କାରଣ ଭୁବନେଶ୍ବରରେ କ୍ରୀଡା ଭିତ୍ତିଭୂମି ରହିଛି । ଏହା ଠାରୁ ଅଧିକ ସୁବିଧା ଆଉ କେଉଁ ରାଜ୍ୟରେ ନାହିଁ । ତେଣୁ ଓଡିଶା ଏଥିପାଇଁ ପ୍ରଥମ ପସନ୍ଦର ସ୍ଥାନ । ଏବେ ଫୁଟବଲକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ତିନି ତିନିଟି ଫୁଟବଲ ଅଭ୍ୟାସ ଗ୍ରାଉଣ୍ଡ କରିଛନ୍ତି । AIFF FIFA ଟ୍ୟାଲେଣ୍ଟ ଏକାଡେମୀ ଭୁବନେଶ୍ବର ସପ୍ତମ ବାଟାଲିଆନ ରହିଛି । ବର୍ତ୍ତମାନ ଏହି ଏକାଡେମୀରେ ୧୩ ବର୍ଷରୁ ଅଧିକ ୧୭ ବର୍ଷରୁ କମ ବୟସର ଖେଳାଳିଙ୍କୁ ଚୟନ କରାଯିବ।

ଆତ୍ମନିର୍ଭର ହେଉଛି ପ୍ରତିରକ୍ଷା ବିଭାଗ, ଆଣ୍ଟି ସିପ୍‌ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ମିସାଇଲ ନିର୍ମାଣ ଓ ପରୀକ୍ଷଣ କ୍ଷେତ୍ରରେ ଆଉ ପାଦେ ଆଗକୁ ଆଗେଇଛି ଭାରତ । ଭାରତୀୟ ନୌସେନା ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ଶିପ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ନୌସେନା ଓ ଡିଆରଡିଓର ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳ ବ୍ୟବହାର କରି ଏହି ମିସାଇଲ ନିର୍ମାଣ ହୋଇଛି । 42B ହେଲିକ୍ୟାପ୍ଟରରୁ ଆଜି ଏହି ଗାଇଡେଡ ବା ଲକ୍ଷ୍ୟଭେଦୀ ମିସାଇଲକୁ ଲଞ୍ଚିଁ କରାଯାଇଥିଲା । ଏହାର ସଫଳ ପରୀକ୍ଷଣ ଦେଶର ମିସାଇଲ ନିର୍ମାଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ଭାରତୀୟ ନୌସେନା ଦ୍ବାରା କରାଯାଇଥିବା ଏହି ପରୀକ୍ଷଣରେ ମିସାଇଲର ଶିକର୍‌ ଓ ଗାଇଡାନ୍ସ ଟେକନିକ୍‌ର ବି ପରୀକ୍ଷଣ କରାଯାଇଛି  । ଗାଇଡାନ୍ସ ଟେକନିକ୍‌ ଦ୍ବାରା ହିଁ କୌଣସି ମିସାଇଲ ତାର ଲକ୍ଷ୍ୟ ଭେଦ କରିଥାଏ  । ମିସାଇଲର ପ୍ରଭାବ ଏହାର ଗାଇଡାନ୍ସ ଟେକନିକ୍‌ ଉପରେ ନିର୍ଭର କରେ  । ନୌସେନା ଯେଉଁ ଭିଡିଓ ଜାରି କରିଛି ସେଥିରେ ଦେଖାଯାଉଛି ଯେ ମହାସାଗର ଉପରେ ଉଡୁଥିବା ଭାରତୀୟ ନୌସେନାର ହେଲିକପ୍ଟର ଆଣ୍ଟି ମିସାଇଲର ଉତକ୍ଷେପଣ କରିଛି ଯାହାକି ସଫଳତାପୂର୍ବକ ଲକ୍ଷ୍ୟଭେଦ କରିଛି  ।ଏହାପୂର୍ବରୁ ଗତବର୍ଷ ବି ନୌସେନା DRDO ସହ ମିଳିତ ସହଭାଗିତାରେ ଆଣ୍ଟି ସିପ୍‌ ମିସାଇଲର ସଫଳ ପରୀକ୍ଷଣ କରିଥିଲା  ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଯଥାସମ୍ଭବ ପ୍ରୟାସ ଚଳାଇଛନ୍ତି ଭାରତ ସରକାର  । ଏବେ ଭାରତରେ ଇଣ୍ଟିଗ୍ରେଟେଡ ଗାଇଡେଡ ମିସାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଜରିଆରେ ଚାକୋଟି ମିସାଇଲ ଦେଶରେ ବିକଶିତ କରାଯାଉଛି  । ଏଥିରେ ପୃଥିବୀ, ଆକାଶ, ତ୍ରିଶୂଳ ଓ ନାଗ ମିସାଇଲ ସିଷ୍ଟମ ସାମିଲ ଅଛି  ।

ଟଳିଗଲା ବଡ଼ ବିପଦ, ଗୋଟିଏ ଟ୍ରାକରେ ଥିଲା ତିନି ଟ୍ରେନ୍

ରାଉରକେଲା: ରାଉରକେଲା ପାନପୋଷ ଷ୍ଟେସନ ମଧ୍ୟରେ ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । କୈଣସି ଦୁର୍ଘଟଣାର ଆଶଙ୍କା ନାହିଁ, କିମ୍ଵା କୌଣସି ଭୟଭୀତ ହେବାର ନାହିଁ । ଝାରସୁଗୁଡ଼ା ହାଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି ।

ସୁଡ଼ଙ୍ଗରେ ଫଶିଛନ୍ତି ଜଣେ ଭାଇ, ବାହାରେ ଦୁର୍ଘଟଣା ନେଲା ଅନ୍ୟ ଦୁଇ ଭାଇଙ୍କ ଜୀବନ

ରାଞ୍ଚି: ପୁଣି ଆସିଲା ଦୁଃଖଦ ଖବର । ସୁଡ଼ଙ୍ଗରେ ଜଣେ ଭାଇ ଫସି ରହିଥିବାବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଅନ୍ୟପଟେ ଦୁର୍ଘଟଣାରେ ଆଉ ଦୁଇ ଭାଇଙ୍କ ଜୀବନ ଯାଇଛି । ଯେ କେହି ବି ଏକଥା ଶୁଣୁଛି ଦୁଃଖରେ ଆହା ପଦେ କହୁଛି । ଜଣେ ଭାଇ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲରେ ୧୦ଦିନ ହେବ ଫସି ରହିଥିବାବେଳେ ଆଉ ଦୁଇ ଭାଇଙ୍କ ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ତୁଡ୍ଡୁପାଲ୍ଲୁ ଘାଟିରେ ଦୁର୍ଘଟଣା ଘଟିଛି । ଟ୍ରେଲର କାର ଏବଂ ଟ୍ରାକ୍ଟରକୁ ମାଡ଼ କରିଥିବାବେଳେ ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଡ୍ରାଇଭରଙ୍କ ସମେତ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତରାଖଣ୍ଡ ଟନେଲରେ ଫସିଥିବା ଶ୍ରମିକ ରାଜେନ୍ଦ୍ର ବେଦିଆଙ୍କ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି ।

ରାଜେନ୍ଦ୍ରଙ୍କ ଭାଇ ଦିନେଶ ଏବଂ ସମ୍ପର୍କୀୟ ଭାଇ ସୁକୁମାରଙ୍କ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ଶୋକର ଛାୟା ଖେଳି ଯାଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସକାଳୁ ଏକ ଦୃତଗାମୀ ଟ୍ରେଲର ମାଡ଼ି ଆସିଥିଲା । ତିନୋଟି ଯାନକୁ ଧକ୍କା ଦେବା ପରେ ଘାଟିରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏନଏଚ ୩୩ ଜାମ ରହିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ରହିଛି । ଯାତାୟତରେ ବହୁ ଅସୁବିଧା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ସ୍ଥାନୀୟ ଲୋକ ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପିସିଆର ଭ୍ୟାନ୍ ଘାଟିରେ ରହି ଆସୁଥିବା ଗାଡ଼ି ମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ପ୍ରତିଦିନ ଏଭଳି କରୁଥିବାବେଳେ ଆଜି ମଧ୍ୟ ଟଙ୍କା ଆଦାୟ କରୁଥିବାବେଳେ ଟ୍ରାକ୍ଟରଟି ସେଠାରେ ଛିଡ଼ା ହୋଇଥିଲା । ଦୃତଗତିରେ ଆସୁଥିବା ଟ୍ରେଲରଟି ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଏହାପରେ ବାକି ସମସ୍ତ ଗାଡ଼ି ଆସି ପଛରୁ ପିଟିଥିଲା ।