spot_img
Home Blog Page 2625

ପରମାଣୁ ପରୀକ୍ଷା ନକରିବାକୁ କ୍ଲିଣ୍ଟନ ଦେଉଥିଲେ ୫ ବିଲିୟନ ଡଲାର: ନଓ୍ବାଜ

ଲାହୋର: ୪ ବର୍ଷର ଆତ୍ମନିର୍ବାସନ ପରେ ପାକିସ୍ତାନ ଫେରୁ ଫେରୁ ପରମାଣୁ ପରୀକ୍ଷଣକୁ ନେଇ ଆମେରିକା ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି ପୂର୍ବତନ ପ୍ରଡ଼ାନମନ୍ତ୍ରୀ ନଓ୍ବାଜ ସରିଫ । ଏହି ଅବସରରେ ଭାରତ ବିରୋଧରେ ବିଷ ଉଗାରିବାକୁ ଭୁଲି ନାହାନ୍ତି ସରିଫ । ଲାହୋରରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେବା ଅବସରରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ତାଙ୍କୁ ପରମାଣୁ ବୋମା ପରୀକ୍ଷା ନକରିବାକୁ ୫ ବିଲିୟନ ଡଲାର ଯାଚିଥିବା କହିଛନ୍ତି । କ୍ଲିଣ୍ଟନଙ୍କ ଏହି ଅଫରକୁ ପ୍ରତ୍ୟାକ୍ଷାନ କରି ଭାରତର ପରମାଣୁ ଶକ୍ତିକୁ ପରମାଣୁ ପରୀକ୍ଷା କରି ଜବାବ ଦେିଥିଲି ବୋଲି କହିଛନ୍ତି ସରିଫ ।

ଘର ବାହୁଡ଼ା ପରେ ପାକିସ୍ତାନବାସୀଙ୍କୁ ନିଜ ସରକାର ସମୟର ଉପଲବ୍ଧି ସମ୍ପର୍କରେ ବତାଉଥିବା ବେଳେ ଏମିତି କହିଛନ୍ତି ସରିଫ । ସେ କହିଛନ୍ତି, ‘ଘଟଣା ୧୯୯୮ର । ବୈଦେଶିକ କାର୍ଯ୍ୟାଳୟର ପୁରୁଣା ରେକର୍ଡ ତଥ୍ୟରୁ ଦେଖି ପାରିବେ କ୍ଲିଣ୍ଟନ ମୋତେ ୫ ବିଲିୟନ ଆମେରିକୀୟ ଡଲାର ଦେଉଥିଲେ ପରମାଣୁ ପରୀକ୍ଷା ନକରିବାକୁ । ହେଲେ ମୁଁ ପାକିସ୍ତାନରେ ଜନ୍ମ ହୋଇଥିବା ପ୍ରକୃତ ପାକିସ୍ତାନୀ । ମୋତେ ପାକିସ୍ତାନ ବିରୋଧରେ କୌଣସି କଥା ସ୍ବୀକାର ନୁହେଁ ।’

ଭାରତ ବିରୋଧରେ ବିଷ ଉଗାରିଲେ

ନିଜ ଅଭିଭାଷଣରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ପାକିସ୍ତାନୀଙ୍କ ହୃଦୟ ଜିଣିବାର ଅବସର ଛାଡି ନଥିଲେ ସରିଫ । ସେ କହିଥିଲେ, ‘ଆମେ ପରମାଣୁ ପରୀକ୍ଷା କରି ଭାରତର ପରମାଣୁ ପରୀକ୍ଷଣର ଜବାବ ଦେଇଥିଲୁ । ପରମାଣୁ ପରୀକ୍ଷା ନକରିବାକୁ ହଜାର କୋଟି ଟଙ୍କା ମୋତେ ଅଫର କରାଯାଇଥିଲା । ହେଲେ ମୁଁ ଟଙ୍କା ନନେଇ ଭାରତକୁ ଜବାବ ଦେଇଥିଲି ।’

ବିଶ୍ବକପ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି

ଧର୍ମଶାଳା: ବିଶ୍ବକପ୍ ମହାମୁକାବିଲା ଦୁଇ ଶକ୍ତିଶାଳି ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା । ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେବା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଛି । ଧର୍ମଶାଳାରେ ଚାଲିଥିବା ଏହି ମ୍ୟାଚରେ ଭାରତୀୟ ଦଳରେ ସାମନ୍ୟ ପରିବର୍ତ୍ତନ ହୋଇଛି । ପେସର ମହମ୍ମଦ ସାମି ଓ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ସାମିଲ ହୋଇଛନ୍ତି । ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଜିର ମ୍ୟାଚ ଖେଳୁନାହାନ୍ତି ।

ଚଳିତ ବିଶ୍ବକପରେ ଉଭୟ ଦଳ ଅପରାଜିତ ରହିଛନ୍ତି । ଉଭୟ ଦଳର ପ୍ରଦର୍ଶନ ବେଶ ଦମଦାର ଥିବା ବେଳେ ଆଜିର ମ୍ୟାଚ ଅଧିକ ରୋମାଞ୍ଚକର ହେବ । ଉଭୟ ୮ ପଏଣ୍ଟ ଲେଖାଏଁ ପାଇଥିବାବେଳେ ନ୍ୟୁଜିଲାଣ୍ଡ ଟେବୁଲର ପ୍ରଥମ ସ୍ଥାନରେ ଓ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଆଜିର ମ୍ଯାଚ ଜିତି ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ସେପଟେ ଲଗାତର ଦୁଇଟି ବିଶ୍ବକପରେ ଫାଇନାଲକୁ ଯାଇଥିବା ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ ଯେମିତି ହେଲେ ବି ଜିତିବାକୁ ଉଦ୍ୟମ କରିବ ।

ଭାରତ ପ୍ଲେଇଂ ଇଲେଭେନ

ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ପ୍ଲେଇଂ ଇଲେଭେନ୍

ଡେଭନ କନଏ, ୱିଲ ୟଙ୍ଗ, ରଚିନ ରବୀନ୍ଦ୍ର, ଡେରିଲ ମିଚେଲ, ଟମ ଲେଥମ (ଅଧିନାୟକ), ଗ୍ଲେନ ଫିଲିପ୍ସ, ମାର୍କ ଚାପମ୍ୟାନ, ମ୍ୟାଟ୍ ହେରି, ଲକି ଫର୍ଗୁସନ ଏବଂ ଟ୍ରେଣ୍ଟ ବୋଲ୍ଟ ।

ରାଜ୍ୟବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଓ ଅଭିନନ୍ଦନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ପାର୍ବଣର ଅମୃତ ଲଗ୍ନରେ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରି ଦେଉ ବୋଲି ପ୍ରାର୍ଥନା କରୁଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଆଜି ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ନବମୀ ପୂଜା କରାଯାଉଛି । ଦୁର୍ଗାପୂଜାକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗାଁଠୁ ସହର ସବୁଠି ପୂଜାକୁ ନେଇ ଉତ୍ସାହର ମାହୋଲ । ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗର ଆଲୋକମାଳାରେ ରାସ୍ତାଘାଟ, ସହର, ବଜାର ଝଲସୁଛି । ଏହାସହ ମୀନାବଜାର, ବିଭିନ୍ନ ପ୍ରକାର ଦୋଳି ଓ ଖେଳର ମଜା ଉଠାଉଛନ୍ତି ଲୋକେ ।

କିଲର ପ୍ରେମିକକୁ ଭୁବନେଶ୍ବର ଆଣୁଛି ଜିଆରପି: ଟ୍ରେନରେ ତଣ୍ଟି କାଟି ପ୍ରେମିକାକୁ କରିଥିଲା ହତ୍ୟା

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ପହଞ୍ଚିବ ହତ୍ୟାକାରୀ ପ୍ରେମିକ । ଧାନବାଦ ଏକ୍ସପ୍ରେସରେ ରାଞ୍ଚିର ପ୍ରେମିକାଙ୍କୁ ତଣ୍ଟି କାଟି କରିଥିଲା ହତ୍ୟା । ୬ ମାସ ପରେ ଅଭିଯୁକ୍ତକୁ ସୁରଟରୁ କାବୁ କରି ଭୁବନେଶ୍ୱର ଆଣୁଛି ଜିଆରପି । ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଧରାକୋଟର ସୁଧାଂଶୁ ପ୍ରଧାନ ।

ସୂଚନା ଅନୁସାରେ, ମୃତ ମହିଳା ରାଞ୍ଚିର ସୁମନ କୁମାରୀ । ଫେସବୁକରେ ସୁଧାଂଶୁଙ୍କ ସହ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଉଭୟ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି । ହେଲେ ସୁଧାଂଶୁ ଅନ୍ୟତ୍ର ବିବାହ କରିବାରୁ ଉଭୟଙ୍କ ମଧ୍ୟରେ ଦେଖା ଦେଇଥିଲା ବିବାଦ । ଏହାପରେ ସୁଧାଂଶୁ ସୁମନଙ୍କୁ ରାସ୍ତାରୁ ହଟାଇବାକୁ କରିଥିଲା ଯୋଜନା ।

ଏହି କ୍ରମରେ, ଉଭୟ ଏପ୍ରିଲ ୧୯ ତାରିଖ ରାତିରେ ରାଉରକେଲା ଷ୍ଟେସନରୁ ଧାନବାଦ ଏକ୍ସପ୍ରେସ ଟ୍ରେନ ଧରିଥିଲେ । ଭୁବନେଶ୍ବରରେ ପହଞ୍ଚିବା ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ବାହାନାରେ ସୁମନଙ୍କୁ ଟ୍ରେନ ଟ,ଲଟକୁ ନେଇ ପୂର୍ବ ଯୋଜନା ଅନୁସାରେ ତଣ୍ଟି କାଟି ହତ୍ୟା କରିଥିଲା । ଏହାପରେ ମଞ୍ଚେଶ୍ୱର ଷ୍ଟେସନ ନିକଟରୁ ଫେରାର ହୋଇଯାଇଥିଲା ।

ଫେରାର ହେବା ପରେ ସୁରଟ ପଳାଇ ସେଠାରେ ଏକ ଘର ଭଡ଼ା ନେଇ ରହୁଥିଲା । ଏପଟେ ଜିଆରପି ହତ୍ୟା ଘଟଣାର ତଦନ୍ତ ଚଲାଇଥିଲା । ସିସିଟିଭିକୁ ଆଧାର କରି ଜିଆରପି ସୁଧାଂଶୁର ସୂଚନା ପାଇଥିଲା । ଏହାପରେ ଫୋନ ଟ୍ରାକିଂ କରି ସୁରଟ ଯାଇ ଅଭିଯୁକ୍ତକୁ ଗିରଫ କରି ଭୁବନେଶ୍ବର ଆଣୁଛି ।

ଆସୁଛି ବାତ୍ୟା ‘ହାମୁନ’ ! ପୂଜା ବଜାରକୁ କରିବ କି କେରେକେରା ?

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ । ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା । ଯଦି ବାତ୍ୟାର ରୂପ ନିଏ ନାଁ ରହିବ ‘ହାମୁନ’ । ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ । ଆଜି ମଧ୍ୟାହ୍ନରୁ ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ ।

ଯଦି ବାତ୍ୟା ହୁଏ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଓଡିଶା ଉପକୂଳରେ ସମାନ୍ତରାଳ ଭାବରେ ଯିବ ବାଂଲାଦେଶ । ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣରେ ୬୧୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଦୀଘାଠାରୁ ୭୬୦ କିଲୋମିଟର ଦକ୍ଷିଣରେ ଅବପାତ ସୃଷ୍ଟି ହୋଇଛି । ବାତ୍ୟା ପ୍ରଭାବରେ ଘଣ୍ଟାପ୍ରତି ୬୦ ରୁ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ବାତ୍ୟାର ବେଗ ସର୍ବାଧିକ ୮୦ କିମି ହୋଇପାରେ ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟା ଉପରେ ଆଇଏମଡି ସ୍ବତନ୍ତ୍ର ନଜର ରଖିଛି ।

ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ । ଆଜି ମଧ୍ୟାହ୍ନରୁ ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ବାତ୍ୟା ହେଲେ ବି ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଦଶରା ମଉଜକୁ ଫିକା କରିପାରେ ।

ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା, ପାରମ୍ପରିକ ନୃତ୍ୟଗୀତରେ ଦୁଲୁକିଲା ଅଞ୍ଚଳ

ଭବାନୀପାଟଣା: କଳାହାଣ୍ଡିରେ ଚାଲିଛି ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ବାହାରିଛି ମା’ଙ୍କ ବିଜୟ ପ୍ରତିମା ଛତର । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଛନ୍ତି ।

ଏହି ଅବସରରେ ଶାନ୍ତିର ପ୍ରତୀକ ଭାବେ ଶହ ଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି । ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରା ତାଳେ ତାଳେ ମା’ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ । ମାଣିକେଶ୍ବରୀଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ  ସମାଗମ ହୋଇଛି । ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଛି ।

ମା’ ମାଣିକେଶ୍ବରୀଙ୍କ ପାଖରେ ବଳି ଦିଆଯିବା ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ମା’ଙ୍କ ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରି ଆସୁଛନ୍ତି କଳାହାଣ୍ଡିବାସୀ । ସେପଟେ ମା’ଙ୍କ ବିଜୟ ପ୍ରତିମା ଛତର ବାହାରିବା ପରେ ମାନସିକ ଧାରି ବୋଦା ଓ କୁକୁଡ଼ା ଆଦି ବଳି ଆରମ୍ଭ ହୋଇ ସାରିଛି ।

ଦିନିକିଆ ବିଶ୍ବକପ: ଭାରତୀୟ ପ୍ରଶଂସକଙ୍କ ପାଇଁ ଖରାପ ଖବର, ପାଣ୍ଡ୍ୟାଙ୍କ ପରେ ସୂର୍ଯ୍ୟକୁମାର, ଇଶାନ କିଶନ ଆହତ

ଧର୍ମଶାଳା: ଦିନିକିଆ ବିଶ୍ବକପରେ ଭାରତକୁ ଆଉ ଏକ ଝଟକା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଧୂଆଁଧାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶନ ଆହତ । ଆଜି ଖେଳା ଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଟିମ୍ ୧୧ରେ ଉଭୟ ହୋଇ ନପାରନ୍ତି ସାମିଲ । ଯଦି ସୂର୍ଯ୍ୟକୁମାର ଏବଂ ଇଶାନ ପ୍ଲେଇଂ ଇଲେଭେନରୁ ବାଦ ପଡ଼ନ୍ତି ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ ।

ମିଳିଥିବା ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ଏହି ହାଇ ଭୋଲଟେଜ୍ ମ୍ୟାଚ ପୂର୍ବରୁ ଉଭୟ ଆହତ ହେବା ଭାରତ ପାଇଁ କିଛି ଭଲ ଖବର ନୁହେଁ । ଶନିବାର ନେଟ୍ ପ୍ରାକ୍ଟିସ୍ କରିବା ବେଳେ ସୂର୍ଯ୍ୟକୁମାର ଆହତ ହୋଇଛନ୍ତି । ତାଙ୍କ ଡାହାଣ ହାତରେ ବଲ୍ ବାଜିଛି । ଏହାପରେ ସେ ହାତରେ ବରଫ ଲଗାଉଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ଆଉ ନେଟ୍ ପ୍ରାକ୍ଟିସ୍ କରି ନଥିଲେ ।

ସେହିପରି ନେଟ୍ ପ୍ରାକ୍ଟିସ ବେଳେ ଇଶାନ କିଶନଙ୍କୁ ମହୁପୋକ କାମୁଡ଼ିଛି । ନେଟକୁ ଆସି କିଶନ ବହୁ ସମୟ ପ୍ରାକ୍ଟିସ କରିଥିଲେ । ତେବେ ତାଙ୍କ ବେକକୁ ଏକ ମହୁପୋକ କାମୁଡ଼ି ଦେବାରୁ ଆଉ ନେଟ୍ ପ୍ରାକ୍ଟିସ କରିବାକୁ ଆସି ନଥିଲେ ।

ସୂର୍ଯ୍ୟକୁମାର ଓ କିଶାନ ଆହତ ହେବା ପରେ ଆଜି ଖେଳା ଯିବାକୁ ଥିବା ମ୍ୟାଚରେ ତାଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାହାରେ ଅଛନ୍ତି । ଏମିତି ସ୍ଥିତି ଟିମ୍ ଇଣ୍ଡିଆର ଏହି ଦୁଇ ଧୂଆଁଧାର ବ୍ୟାଟ୍ସମ୍ୟାନ ଆହତ ହେବା ଚିନ୍ତା ବଢ଼ାଇଛି ।

ଆଜିଠୁ ଏସିଆନ ପାରା ଗେମ୍ସ ମହାସମର, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ଆଜିଠୁ ଚୀନରେ ଆରମ୍ଭ ହେବ ଏସିଆନ୍ ପାରା ଗେମ୍ସ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ପାରା ଗେମ୍ସ । ଭାରତରୁ ମୋଟ ୩୦୯ ଜଣ ଆଥଲେଟ ଏଥିରେ ଭାଗ ନେଉଛନ୍ତି । ୧୯୬ ଜଣ ପୁରୁଷ ୧୧୩ ମହିଳା ଆଥଲେଟ ଏଥିରେ ଭାଗ ନେଇଛନ୍ତି । ଓଡ଼ିଶାରୁ ୭ ଜଣ ଭାଗ ନେଉଛନ୍ତି । ସେମାନେ ହେଲେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖାଲ କୁମାର ସେଠୀ, ଭି. ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଏବଂ ପୂଜାସ୍ବିନୀ ନାୟକ । ସେମାନେ ଏସିଆନ ପାରା ଗେମ୍ସକୁ ମନୋନୀତ ହେବା ପାଇଁ କଠିନ ପରିଶ୍ରମ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସିଆନ ପାରା ଗେମ୍ସର ଆଥଲେଟଙ୍କ ପାଇଁ ଶୁକ୍ରବାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ୭ ଜଣ ଓଡ଼ିଆ ପାରା ଆଥଲେଟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସେଠାରେ ସଫଳତା ପାଇଁ ପାରା ଆଥଲେଟଙ୍କୁ ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି । ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏସିଆନ ପାରା ଗେମ୍ସ-୨୦୨୨ ପାଇଁ ଯୋଗ୍ୟତା ଅର୍ଜନ ସକାଶେ ଅକ୍ଳାନ୍ତ ପରିଶ୍ରମ କରିଥିବା ଆମ ପାରା ଆଥଲେଟଙ୍କ ପାଇଁ ଆମେ ଗର୍ବିତ । ଆମ ଖେଳାଳି ଏସିଆନ ଗେମ୍ସରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ।’

ବିଶ୍ବକପ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର, କିଏ ମାରିବ ବାଜି ?

ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍ ମହାସମରର ମୋଷ୍ଟ ହାଇଭୋଲଟେଜ ମ୍ୟାଚରେ ପରସ୍ପରକୁ ଟକ୍କର ଦେବେ ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ ନିଜ ନିଜର ସମସ୍ତ ୪ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଉଭୟ ଦଳ ଟପ୍ ଫର୍ମରେ ଅଛନ୍ତି ।

ବିଶ୍ବକପ୍ ଇତିହାସକୁ ଦେଖିଲେ ନ୍ୟୁଜିଲାଣ୍ଡର ପଲା ଭାରି ଲାଗୁଛି । ବିଗତ ୧୨ ସଂସ୍କରଣରେ ଉଭୟ ୯ ଥର ମୁହାଁମୁହିଁ ହୋଇଥଇବା ବେଳେ ୫ ଥର ନୃୁଜିଲାଣ୍ଡ ବାଜି ମାରିଛି । ଭାରତ ମାତ୍ର ୩ ଥର ଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଶେଷ ଥର ୨୦୧୯ ବିଶ୍ବକପ୍ ସେମି ଫାଇନାଲରେ ଭାରତକୁ ହରାଇ ବାହାରର ବାଟ ଦେଖାଇଥିଲା ନ୍ୟୁଜିଲାଣ୍ଡ ।

କେବଳ ବିଶ୍ବକପ ନୁହେଁ, ଆଇସିସି ଇଭେଣ୍ଟଗୁଡ଼ିକରେ ଭାରତକୁ ହରାଇବାରେ ମଧ୍ୟ ନ୍ୟୁଜିଲାଣ୍ଡ ଆଗରେ । ୨୦୦୦ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଓ ୨୦୨୧ ଆଇସିସି ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲରେ ଭାରତକୁ କିୱି ଦଳ ପରାସ୍ତ କରିଥିଲା । ଏପରିକି ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଏ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡଠାରୁ ଗୋଟିଏ ବି ମ୍ୟାଚ୍ ଜିତି ପାରିନି । ନ୍ୟୁଜିଲାଣ୍ଡ ୩-୦ରେ ୨୦୦୭, ୨୦୧୬, ୨୦୨୨ ଆଗୁଆ ହୋଇ ଅପରାଜିତ ରହିଛି ।

ଚଳିତ ବିଶ୍ବକପରେ ଉଭୟ ଦଳ ଅପରାଜିତ ରହିଛନ୍ତି  । ଏଯାଏଁ କେହି ବି ଗୋଟିଏ ବି ମ୍ୟାଚ ହାରିନାହାନ୍ତି । ଉଭୟ ଦଳର ପ୍ରଦର୍ଶନ ବେଶ ଦମଦାର ଥିବା ବେଳେ ଆଜିର ମ୍ୟାଚ ବେଶ ରୋମାଞ୍ଚକ ହେବାକୁ ଯାଉଛି  ।

ଦୁର୍ଗାପୂଜା: ପୀଠରେ ନବମୀ, ମଣ୍ଡପରେ ଅଷ୍ଟମୀ, ସବୁଠି ଉତ୍ସବର ମାହୋଲ

ଭୁବନେଶ୍ବର: ଆସିଛି ପାର୍ବଣ । ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ପୀଠରେ ମା’ଙ୍କର ଆଜି ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷ୍ଟମୀ ପୂଜା । ରାଜଧାନୀ ଭୁବନେଶ୍ବର, ସିଲଭର ସିଟି କଟକ, ଷ୍ଟିଲ ସିଟି ରାଉରକେଲା, ସିଲକ୍ ସିଟି ବ୍ରହ୍ମପୁର, ସମ୍ବଲପୁର, ଯାଜପୁର ସମେତ ସାରା ରାଜ୍ୟରେ ପାର୍ବଣର ମାହୋଲ ।

ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ । ମନ ମୋହୁଛି ସାଜସଜ୍ଜା । ଦୁଇବର୍ଷ ପରେ ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜା ଚାଲିଛି । ସେପଟେ ଆଜି ପୀଠରେ ଚାଲିଛି ମା’ଙ୍କ ମହା ନବମୀ ପୂଜା । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତି ଭାବରେ ଦର୍ଶନ କରୁଛନ୍ତି ଭକ୍ତ । ନବରାତ୍ରଠାରୁ ମା’ଙ୍କ ବିଭିନ୍ନ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକାଙ୍କ ପୀଠରେ ବି ଚାଲିଛି ମାଆଙ୍କ ସ୍ବତନ୍ତ୍ର ନୀତିକାନ୍ତି । ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ପୀଠରେ ବି ପାଳିତ ହୋଇଛି ନବମୀ ପୂଜା  ।