spot_img
Home Blog Page 2629

ଲେବାନନ ସୀମାରୁ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବ ଇସ୍ରାଏଲ

ତେଲ ଅଭିଭ: ଲେବାନନର ଉତ୍ତର ସୀମାରେ ଥିବା କିରିୟତ ଶାମୋନାରୁ ଇସ୍ରାଏଲ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ। ଗୋଟିଏ ଦିନ ତଳେ କିରୟତ ଶାମୋନା ଓ ଏହାର ଆଖପାଖ ସୀମାନ୍ତ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଥିଲା । ଦୁଇ ସପ୍ତାହ ତଳେ ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ-ଲେବାନନ ସୀମାରେ ବି ସଂଘର୍ଷ ଚାଲିଛି ।

ଲେବାନନ ପଟୁ ଆତଙ୍କୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଗୋଳା ଓ ରକେଟ୍ ବର୍ଷଣ କରାଯାଉଛି । ଇସ୍ରାଏଲ ନିଜ ସୀମାରେ ଥିବା କେତେକ ଅଞ୍ଚଳକୁ ନିଷିଦ୍ଧ ସାମରିକ ଜୋନ୍ ଭାବେ ଘୋଷଣା କରିସାରିଛି । ଫଳରେ ବାସିନ୍ଦା ମାନେ ସେଠାରୁ ଚାଲିଯିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଲେବାନନ ସୀମାରୁ ସବୁଠାରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ।

ଲେବାନନ ସେନାର ସୂଚନା ଅନୁଯାୟୀ, କିରିୟତ ଶାମୋନା ସୀମାରେ ଥିବା ଏକ ଅଞ୍ଚଳରେ ଇସ୍ରାଏଲଗୁଳିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଏବଂ ଲେବାନନର ଇରାନ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀ ମଧ୍ୟରେ ଏହି ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଛି । ଗାଜା ଇସ୍ରାଏଲ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି । ଯୁଦ୍ଧ ଆରମ୍ଭ ପରଠାରୁ ୫ ହଜାରରୁ ଅଧିକ ଶିବିରକୁ ଟାର୍ଗେଟ କରିଛି ଇସ୍ରାଏଲି ସେନା ।

ଗୁରବାର ଗାଜାରେ ଶହେରୁ ଅଧିକ ସ୍ଥାନରେ ହୋଇଛି ହମଲା। ଗାଜାର ଏକ ଚର୍ଚ୍ଚ ଉପରେ ଇସ୍ରାଏଲ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଫାଇନାଲ ଆଟାକ୍ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ନିର୍ଦ୍ଦେଶ ମିଳିବା କ୍ଷଣି ଆରମ୍ଭ ହୋଇଯିବ ଗ୍ରାଉଣ୍ଡ ଅପରେସନ । ଗାଜାରୁ ଆତଙ୍କବାଦର ମୂଳପୋଛ ନେଇ ବ୍ରିଟେନ ଓ ଆମେରିକାର ସମର୍ଥନ ପରେ ଇସ୍ରାଏଲର ମନୋବଳ ଆହୁରି ଦୃଢ ହୋଇଛି। ଇସ୍ରାଏଲ ଆକ୍ରମଣରେ ଏବେଯାଏ ୪ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି, ୧୨ ହଜାରରୁ ଅଧିକ ଆହତ ହୋଇଛନ୍ତି ।

ବିଶ୍ବକପରେ ପାକିସ୍ତାନର ଲଗାତାର ପରାଜୟ; ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଲା

ବେଙ୍ଗାଲୁରୁ: ବିଶ୍ବକପରେ ପାକିସ୍ତାନର ଲଗାତାର ପରାଜୟ। ନିଜର ଚତୁର୍ଥ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଛି ପାକିସ୍ତାନ। ବେଙ୍ଗାଲୁରୁରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ୬୨ ରନରେ ଜିତି ନେଇଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୧୬୩ ଓ ମିଚେଲ ମାର୍ସ ୧୨୧ ରନର ଇନିଂସ ଖେଳିଥିଲେ ।

ଉଭୟ ଓପନର ରେକର୍ଡ ୨୫୯ ରନ କରିଥିଲେ । ଏହି ଦୁଇ ଓ୍ବିକେଟର ପତନ ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ଓ ନିମ୍ନକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ। ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା । ୩୬୮ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ। ପାକିସ୍ତାନ ୪୫.୩ ଓଭରରେ ୩୦୫ ରନ କରି ଅଲଆଉଟ ହୋଇଯାଇଥିଲା ।

ପାକିସ୍ତାନ ପକ୍ଷରୁ ଇମାମୁଲ ହକ ୭୦ ରନ, ଅବଦୁଲ୍ଲା ସଫିକ୍ ୬୪ ରନ କରିଥିଲେ । ସେହିପରି ମହମ୍ମଦ ରିଜଓ୍ବାନ ୪୬ ରନ ଓ ସାଉଦ ସକିଲ ୩୦ ରନ କରିଥିଲେ । ଅଷ୍ଟ୍ରେଲିଆ ପାଇଁ ଦମଦାର ୧୬୩ ରନର ଇନିଂସ ଖେଳିଥିବା ଓ୍ବାର୍ଣ୍ଣର ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି । ପାକିସ୍ତାନକୁ ମାତ ଦେବାପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚିଛି । ପୂର୍ବରୁ ୪ର୍ଥରେ ଥିବା ପାକିସ୍ତାନ ୫ମ ସ୍ଥାନକୁ ଖସିଛି। ପୂର୍ବଭଳି ଟପରେ ନ୍ୟୁଜିଲ୍ୟାଣ୍ଡ ରହିଥିବାବେଳେ ଦ୍ବିତୀୟରେ ଭାରତ ଓ ତୃତୀୟରେ ଦକ୍ଷିଣ ଆଫ୍ରିକା ରହିଛି ।

ଗଜପତିର ମହେନ୍ଦ୍ର ବନାଞ୍ଚଳରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଗଜପତି: ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ବୁଲୁଛି ବାଘ। ଟ୍ରାପ କ୍ୟାମେରାରେ ମିଳିଛି ବାଘର ଉପସ୍ଥିତି ସୂଚନା। ଗତ ୧୮ ତାରିଖରେ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁରରେ ଏକ ବନ୍ୟଜନ୍ତୁକୁ ବାଘଟି ମାରି ଖାଇଥିବା ଦୃଶ୍ୟ ଦେଖାଦେଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ବନାଞ୍ଚଳ କର୍ମଚାରୀ ଓ ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

ଘଟଣାସ୍ଥଳରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ। ବାଘର ଉପସ୍ଥିତି ଓ ଗତିବିଧି ଜାଣିବା ପାଇଁ ଆଖପାଖ ଅଞ୍ଚଳରେ ୫ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା। ଆଜି ଗୋଟିଏ କ୍ୟାମେରାରେ ବାଘର ଉପସ୍ଥିତି ରେକର୍ଡ ହୋଇଛି। ବାଘ ବୁଲୁଥିବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ସତର୍କତା ଜାରି କରାଯାଇଛି।

ଗୃହପାଳିତ ପଶୁଙ୍କୁ ଗୁହାଳ ଭିତରେ ସୁରକ୍ଷିତ ରଖିବା ସହ ରାତିରେ ବାହାରକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ।

ଶନିବାର ହେବ ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ

ନୂଆଦିଲ୍ଲୀ: ଶନିବାର ଦିନ ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ। ସକାଳ ୮ରେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରେ ଏହାର ପ୍ରଥମ ପରୀକ୍ଷଣ କରାଯିବ। ଏହି ପରୀକ୍ଷଣଟି ୯ମିନିଟ ପର୍ଯ୍ୟନ୍ତ ଚାଲିବ। ଅନ୍ତରୀକ୍ଷକୁ ମଣିଷକୁ ପଠାଇବା ପୂର୍ବରୁ ଇସ୍ରୋ ପକ୍ଷରୁ ଗଗନାୟନ ମିଶନର ଟେଷ୍ଟ କରିବାକୁ ଯାଉଛି।

ଏହି ମିଶନରେ ୩ଜଣଙ୍କୁ ୪୦୦ କିମି କକ୍ଷ ପଥକୁ ପଠାଯିବ। ଯାହାକି ୩ଦିନ ପର୍ଯ୍ୟନ୍ତ ଚାଲିବ। ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଆଣାଯିବ। ଏହି ମିଶନର ଲ୍ୟାଣ୍ଡିଂ ସମୁଦ୍ର ମଧ୍ୟରେ କରାଯିବ। ଉତକ୍ଷେପଣର ୬୦ ସେକେଣ୍ଡ ପରେ ପରୀକ୍ଷଣ ଯାନ କୃ ଏକ୍ସପୋର୍ଟ ସିଷ୍ଟମ ସହିତ ୧୧.୭ କିମି ଉଚ୍ଚତା ଉପରୁ ବାହନ ଠାରୁ ଅଲଗା ହୋଇଯିବ।

ଆଗାମୀ ୩୦ ସେକେଣ୍ଡ ପରେ ସିଇଏମ-ସିଏଏସ ୧୪୮.୭ ମିଟର ସେକେଣ୍ଡ ବେଗରେ ୧୬.୭ କିମି ଉଚ୍ଚତା ଉପରେ ଅଲଗା ହୋଇଯିବ। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି।

ପୂଜା ଛୁଟି ହେଲା ଶେଷ ଛୁଟି, ରେଳ ଦୁର୍ଘଟଣାରେ ଦମ୍ପତି ମୃତ

ଯାଜପୁର: ପୂଜା ଛୁଟି ହେଲା ଜୀବନର ଶେଷ ଛୁଟି। ଘରକୁ ଆସିବାବେଳେ ରେଳ ଦୁର୍ଘଟଣାରେ ଦମ୍ପତି ମୃତ। ଯାଜପୁର ବୈତରଣୀ ରୋଡ୍ ରେଳ ଷ୍ଟେସନରେ ଘଟିଛି ଅଘଟଣ। ରେଳଲାଇନ ପାର ହେଉଥିବାବେଳେ ଟ୍ରେନ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ସ୍ଥାନୀୟ ବରୁଣ୍ଡେଇ ଗାଁର ଆଶୁତୋଷ ସିହ୍ନା ଓ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସିହ୍ନା।

ଉଭୟ ବାରିପଦାରେ ରହୁଥିବାବେଳେ ପୂଜା ଛୁଟି ପାଇଁ ନିଜ ଗାଁକୁ ପେରୁଥିଲେ। ଟ୍ରେନରେ ଆସି ବୈତରଣୀ ଷ୍ଟେସନରେ ଓହ୍ଲାଇଥିଲେ। ପରେ ରେଳ ଧାରଣା ପାର ହୋଇ ଯାଉଥିବା ବେଳେ ଏକ୍ସପ୍ରେସ ଟ୍ରେନ ଉଭୟଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ରେଳବାଇ ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।

୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ, ଆଜିଠୁ ଚାଲିବ ବସ୍

ଭୁବନେଶ୍ୱର: ସାରା ରାଜ୍ୟରେ ହଟିଲା ଧର୍ମଘଟ, ଗଡ଼ିଲା ବସ୍ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ ଧର୍ମଘଟକୁ ଆସନ୍ତା ୩୧ ତାରିଖ ଯାଏଁ ସ୍ଥଗିତ ରଖିଛି ଘରୋଇ ବସ ମାଲିକ ସଂଘ । ଏନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଫଳରେ ରାତିରୁ ହିଁ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହୋଇଛି।

ପାର୍ବଣରେ ବସ ଧର୍ମଘଟ ଯୋଗୁ ଯାତ୍ରୀ ଅସୁବିଧା ଭୋଗିଥିଲେ। ଏଥିପାଇଁ ଯାତ୍ରୀଙ୍କୁ କ୍ଷମା ମାଗିଛି ବସ ମାଲିକ ସଂଘ। ଆସନ୍ତା ୨୬ ତାରିଖରେ ରାଜ୍ୟ ସରକାରଙ୍କ ସହ ବସ ମାଲିକ ସଂଘର ଉଚ୍ଚସ୍ତରୀୟ ବୈଠକ ବସିବ। ସେଥିରେ ସଂଘର ଦାବି ନେଇ ବିସ୍ତୃତ ଆଲୋଚନା ହେବ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ପାର୍ବଣରେ ବସ ଧର୍ମଘଟ ଯୋଗୁ ହଜାର ହଜାର ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାତ୍ରା କରିନପାରି ଅନେକ ଅସୁବିଧା ଭୋଗିଥିଲେ। ବସ ଧର୍ମଘଟ ପ୍ରତ୍ୟାହାର ହେବାପରେ ସମସ୍ତେ ଆଶ୍ବସ୍ତ ହୋଇଛନ୍ତି। ବିନା ବାଧାରେ ସାରା ରାଜ୍ୟ ଏବଂ ରାଜ୍ୟ ବାହାରକୁ ବସ ଚଳାଚଳ କରୁଛି।

 

ତୁଟିଲା ୧୦ ବର୍ଷର ସମ୍ପର୍କ, ପାର୍ଟନରଙ୍କ ଠୁ ଅଲଗା ହେଲେ ଇଟାଲି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଏତେଦିନ ପରେ ତାଙ୍କ ସୋସିଆଲ୍ ମିଡ଼ିଆ ପୋଷ୍ଟକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦୀର୍ଘ ବର୍ଷର ସମ୍ପର୍କ ତାଙ୍କର ଭାଙ୍ଗି ଯାଇଛି । ସେ ସୋସିଆଲ୍ ମିଡିଆରେ ନିଜ ଜୀବନସାଥୀ ଠାରୁ ଦୂରେଇ ଯାଇଥିବା ନେଇ ପ୍ରକାଶ କରିଛନ୍ତି। ମେଲୋନି ବିବାହ କରିନଥିଲେ ହେଁ ୧୦ ବର୍ଷର ସମ୍ପର୍କ ମଧ୍ୟରେ ତାଙ୍କର ଏକ କନ୍ୟା ସନ୍ତାନ ରହିଛି।

Italian PM Giorgia Meloni Announces Separation From Partner Over Sexist  Remarks On TV

ଟିଭି ସାମ୍ବାଦିକ ଆଣ୍ଡ୍ରେଆ ଜିଆମବ୍ରୁନୋ ସର୍ବସମ୍ମୁଖରେ ମହିଳାଙ୍କୁ ନେଇ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା। ଖାଲି ଏତିକି ନୁହେଁ ଏହାପୂର୍ବରୁ ଅଗଷ୍ଟ ମାସରେ ସେ ଦେଇଥିବା ବୟାନ ବେଶ ବିବାଦୀୟ ହୋଇଥିଲା। ତେବେ ନିଜ ଫେସବୁକରେ ମେଲୋନି ଲେଖିଛନ୍ତି, “୧୦ ବର୍ଷ ହେଲା ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କ ସହ ମୋର ଥିବା ସବୁ ସମ୍ପର୍କରେ ଏହି ଠାରେ ଶେଷ ହୋଇଛି।

ନିଜ ପୋଷ୍ଟରେ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଆମେ ଏକାଠି ବିତାଇଥିବା ମୁହୂର୍ତ୍ତକୁ ମୁଁ ସମ୍ଭାଳି ରଖିବି। ଆମ ବନ୍ଧୁତାକୁ ମୁଁ ଅକ୍ଷୁଣ୍ଣ ରଖିବି। ଯେକୗେଣସି ପରିସ୍ଥିତିରେ ମଧ୍ୟ ମୁଁ ମୋ ୭ ବର୍ଷୀୟ ଝିଅର ରକ୍ଷା କରିବି । ଯିଏ ଉଭୟ ମା’ ଓ ବାପାଙ୍କୁ ଖୁବ୍ ଭଲ ପାଏ । ମୁଁ ଏହା ବିଷୟରେ ଆଉ କିଛି କହିବାକୁ ଚାହୁଁନି’।

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ପୁଣି ବଢିଲା ସୁନା ଦର। ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ସୁନା ୧୦ ଗ୍ରାମ ପିଛା ୬୨ ହଜାର ୫୬୦ ଟଙ୍କାରେ ପହଞ୍ଚିଛି। ବିଶ୍ବ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି। ଆଶା କରାଯାଉଛି ଯେ ଯଦି ଫେଡ ରିଜର୍ଭ ନଭେମ୍ବରରେ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନ ନିଏ, ତେବେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।

ଭାରତରେ ମଧ୍ୟ ଉତ୍ସବର ଚାହିଦା ବୃଦ୍ଧି ହେତୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩ ହଜାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। କେବଳ ସୁନା ମୂଲ୍ୟରେ ନୁହେଁ, ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୭୪,୭୦୦ ଟଙ୍କାରେ ପହଞ୍ଚିଛି।

ଆଜି ଆନ୍ତର୍ଜାତିକ ସେଫ୍ ଦିବସ, ଟିମ୍ ଇଣ୍ଡିଆକୁ ଚିୟର କରିବା ପାଇଁ ଚକୋଲେଟରେ ତିଆରି କଲେ ନିଆରା…

ଭୁବନେଶ୍ୱର: ଆଜି ହେଉଛି ଆନ୍ତର୍ଜାତିକ ସେଫ୍ ଦିବସ। ଛୋଟିଆ ହୋଟେଲରୁ ଆରମ୍ଭ କରି ବଡ ରେସ୍ତୋରାଁ ଯାଏଁ ସଭିଁଏ ଏହି ଦିବସକୁ ଧୁମାଧାମରେ ପାଳନ କରୁଛନ୍ତି । କ୍ଳବ ଚକଲେଟ ଦ ବେଙ୍କଙ୍ଗି ଓ ଫାଇନ ପେଷ୍ଟ୍ରି ଆର୍ଟ ପକ୍ଷରୁ ଏଦି ଦିବସକୁ ପାଳନ କରାଯାଇଛି।

ଚଳିତ ବର୍ଷ ୧୦ କିଲୋ ଓଜନରେ ଚକୋଲେଟରେ ବିଶ୍ବକପ ତିଆରି କରି ପୁରା ଟିମ ସେଲିବ୍ରେଟ କରିଛନ୍ତି। ୧୦ କେଜି ଚକୋଲେଟ, ଏଡିବୁଲ ଗୋଲ୍ଡ ଡଷ୍ଟ ଓ ସିଲଭରର ମିଶ୍ରଣରୁ ତିଆରି ହୋଇଛି ବିଶ୍ବକପ। ଟିମ ଇଣ୍ଡିଆକୁ ଚିୟର କରିବା ପାଇଁ ଖେଳ ଶେଷ ହେବା ଯାଏଁ ଏହି ବିଶ୍ବକପଟିକୁ ରଖାଯିବ।

ଏସିଆନ ପାରା ଗେମ୍ସ: ଖେଳାଳିଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆନ ପାରା ଗେମ୍ସର ଆଥଲେଟ୍ସଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି। ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେଉଛି ଏସିଆନ ପାରା ଗେମ୍ସ  ସେଠାରେ ସଫଳତା ପାଇଁ ଶୁଭକାମନା ଜଣାଇଲେ ନବୀନ।

ଓଡ଼ିଶାରୁ ଯାଉଥିବା ପାରା ଆଥଲେଟ୍ସ ମାନେ ହେଲେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୁଜାସ୍ବିନୀ ନାୟକ। ସେମାନେ ଏସିଆନ ପାରା ଗେମ୍ସକୁ ମନୋନିତ ହେବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଗେମ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।