spot_img
Home Blog Page 27

ଝାରସୁଗୁଡାରେ ଭୟଙ୍କର ଦୁର୍ଘଟଣା: ଟିପ୍ପର-ବୋଲେରୋ ଧକ୍କାରେ ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡାରେ ଭୟଙ୍କର ଦୁର୍ଘଟଣା। ଟିପ୍ପର – ବୋଲେରୋ ଧକ୍କାରେ ୫ ପୋଲିସ କର୍ମଚାରୀ ମୃତ। ଝାରସୁଗୁଡା ସଦର ଥାନା ସମ୍ମୁଖରେ ଭୋରରେ ଘଟିଛି ଦୁର୍ଘଟଣା। ଦ୍ରୁତଗାମୀ ଟିପ୍ପର ଓ ପୋଲିସ ବୋଲେରୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

୫ ମୃତକ ହେଲେ କାଶୀରାମ ଭୋଇ, APR, ନିରଞ୍ଜନ କୁଜୁର ଡ୍ରିଲ ସବଇନ୍ସପେକ୍ଟର, ଦେବଦତ୍ତ ସା, APR, ଲିଙ୍ଗରାଜ ଧୁରୁଆ, APR ହାବିଲଦାର ଓ ଭକ୍ତବନ୍ଧୁ ମିର୍ଦ୍ଧା, ହୋମଗାର୍ଡ। ୩ ଆହତ ହେଲେ ଦୁବରାଜ ମିରିଗ, APR, ଆକାଶ ନାଏକ, APR, ରାଜୀବ ଭରସାଗର, ସର୍ଜେଣ୍ଟ

କଣ୍ଟ୍ରାକ୍ଟର ଓ ରାଜନେତାଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ: ଭୁବନେଶ୍ବର ଧଉଳି ନିକଟରେ ରାସ୍ତାରୋକ କଲେ ଗ୍ରାମବାସୀ

ରାତା ରାତି ବଦଳିଲା ରାସ୍ତାର ନକ୍ସା l କଣ୍ଟ୍ରାକ୍ଟର ଓ ରାଜନେତାଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ  । ଭୁବନେଶ୍ବର ଧଉଳି ନିକଟରେ ରାସ୍ତାରୋକ କଲେ ଗ୍ରାମବାସୀ। ରାସ୍ତା କାମ ସରକାରୀ ନକ୍ସା ଅନୁଯାୟୀ ହେଉ ନଥିବା ଅଭିଯୋଗରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ଧଉଳି ନିକଟରେ ଚାଲିଥିବା ଡାହାଣ ପାର୍ଶ୍ଵ ନଦୀବନ୍ଧ ରାସ୍ତା କାର୍ଯ୍ୟ ପୂର୍ବ ସରକାର ସମୟରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନର ବିଜେପି ସରକାର ସମୟରେ ଏହି ନଦୀବନ୍ଧ ରାସ୍ତାକୁ ଜୟପୁର ନିକଟରେ ନଦୀପାର୍ଶ୍ଵରେ ରାସ୍ତା ନ ନେଇ ଗ୍ରାମ୍ୟ ରାସ୍ତା ଉପରେ ରାସ୍ତା ନେଉ ଥିବାରୁ ଏହାକୁ ବିରୋଧ କରିଛନ୍ତି। ଧଉଳି ପୋଲିସ ପହଂଚି ବୁଝାସୁଝା କରିବା ପରେ ହଟିଛି ରାସ୍ତାରୋକ l ସରକାରୀ ନକ୍ସା ଅନୁଯାୟୀ କାର୍ଯ୍ୟ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ

୫ ପୋଲିସଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଝାରସୁଗୁଡ଼ାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ପୋଲିସଙ୍କ ମୃତ୍ୟୁ ଘଟଣା। ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଖୋମିନି ଓ ତାଙ୍କ ପୁଅଙ୍କୁ ହତ୍ୟା କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ନିର୍ଦ୍ଦେଶ

ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟୋତୋଲ୍ଲା ଖୋମିନି ଓ ତାଙ୍କ ପୁଅଙ୍କୁ ହତ୍ୟା କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଏହି ଚର୍ଚ୍ଚା ଚାଲିଛି। କୁହାଯାଉଛି, ଆଣବିକ କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ଇରାନକୁ ଅନୁମତି ଦେବେ ଟ୍ରମ୍ପ। କିନ୍ତୁ ଇରାନ ପ୍ରତିଶୃତି ଦେବା ଦରକାର ଯେ, ସେ କୌଣସି ପରିସ୍ଥିତିରେ ମଧ୍ୟ ଆଣବିକ ଅସ୍ତ୍ର ତିଆରି କରିବ ନାହି। ଯଦି ଇରାନ ଏହି ସର୍ତ୍ତରେ ରାଜି ନ ହୁଏ, ତେବେ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟୋତୋଲ୍ଲା ଖୋମିନି ଓ ତାଙ୍କ ପୁଅ ସମେତ ଅନ୍ୟ ଧର୍ମଗୁରୁଙ୍କୁ ହତ୍ୟା କରାଯିବ ବୋଲି ଆମେରିକା ଯୋଜନା କରୁଥିବାର ଚର୍ଚ୍ଚା ହେଉଛି। ଏପରି ବି ଶୁଣାଯାଉଛି ଯେ, କିଛି ଦିନ ଭିତରେ ଇରାନ ଉପରେ ସିଧାସଳଖ ଆକ୍ରମଣ କରିପାରେ ଆମେରିକା। ଇରାନକୁ ଚାରିଆଡୁ ଘେରା ଗଲାଣି। ବାୟୁସେନା ସହିତ ଜଳସେନା ବି ପ୍ରସ୍ତୁତ ହୋଇ ରହିଛନ୍ତ। ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଲାଗିପାରେ ବୋଲି କୁହାଯାଉଛି। ଉଭୟ ଦେଶ ମଧ୍ୟରେ ଦୁଇ ଥର ବୈଠକ ହୋଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନାହିଁ।

ବିଶ୍ବର ସମସ୍ତ ରାଷ୍ଟ୍ର ଉପରେ ୧୦ ପ୍ରତିଶତ ଟାରିଫ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ

ବିଶ୍ବର ସମସ୍ତ ରାଷ୍ଟ୍ର ଉପରେ ୧୦ ପ୍ରତିଶତ ଟାରିଫ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସମସ୍ତ ଦେଶରୁ ହେଉଥିବା ଆମଦାନୀ ଉପରେ ଲାଗିବ ୧୦ ପ୍ରତିଶତ ଟାରିଫ। ଟାରିଫ ପ୍ରସଙ୍ଗରେ ଆମେରିକା ସୁପ୍ରିମକୋର୍ଟଙ୍କ ପକ୍ଷରୁ ଝଟକା ପରେ ବି ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ଓଭାଲ ଅଫିସରୁ ଜାରି ହୋଇଛି ଏ ସଂକ୍ରାନ୍ତ ଘୋଷଣାନାମା। ଟ୍ରେଡ ଆକ୍ଟ ୧୯୭୪ର ଧାରା ୧୨୨ ଅନୁସାରେ ଏହି ଟାରିଫ ଲାଗୁ କରିଛନ୍ତି ଟ୍ରମ୍ପ। ଏପରିକି ଏହି ପରିମାଣ ଆହୁରି ଅଧିକ ହୋଇପାରେ ବୋଲି ସେ ସତର୍କ କରାଇଦେଇଛନ୍ତି। ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ପ୍ରାୟ ୫ ମାସ ଧରି ବଳବତ୍ତର ରହିବ। ଏହି ୫ ମାସ ଭିତରେ ସ୍ଥିତିର ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଟ୍ରମ୍ପ କହିଛନ୍ତି ସେ ଯାହା ଚାହିଁବେ ତାହା କରିପାରିବେ। ଭାରତ ବର୍ଦ୍ଧିତ ଟାରିଫ ଦେବ, ଟ୍ରେଡ ଡିଲରେ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଟ୍ରମ୍ପ। ଗତକାଲି ବିଶ୍ଵର ଅନେକ ଦେଶ ଉପରେ ମନଇଚ୍ଛା ଉଚ୍ଚ ହାରର ଟାରିଫ ଲଗାଇ ଧମକାଉଥିବା ଟ୍ରମ୍ପଙ୍କୁ ଲାଗିଥିଲା ଝଟକା। ଆମେରିକାର ସୁପ୍ରିମକୋର୍ଟ ଏହି ଝଟକା ଦେଇଥିଲେ। ମନ ଇଚ୍ଛା ଏପରି ଉଚ୍ଚ ହାରର ଟାରିଫ ଲଗାଇବା ପାଇଁ ଆମେରିକାର ରାଷ୍ଟ୍ରପତିଙ୍କର କୌଣସି କ୍ଷମତା ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ।

ରାଜ୍ୟ ବଜେଟରେ ବଢ଼ିଛି ଋଣ ଭାର, କମିଛି କେନ୍ଦ୍ରୀୟ ଅନୁଦାନ

ରାଜ୍ୟ ବଜେଟରେ ବଢ଼ିଛି ଋଣ ଭାର, କମିଛି କେନ୍ଦ୍ରୀୟ ଅନୁଦାନ। ବଜେଟ ଅର୍ଥ ଖର୍ଚ୍ଚ କରିବାରେ କୁଣ୍ଠାବୋଧ ବି ଚିନ୍ତାର ବିଷୟ। କେନ୍ଦ୍ରୀୟ ଯୋଜନାକୁ ଡ଼ବଲ ଇଞ୍ଜିନ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି। ଭିବି ଜି ରାମ ଜି ଯୋଜନା ପାଇଁ ରାଜ୍ୟର ଭାଗ ବଢିଛି। ଏହି ଯୋଜନା ପାଇଁ ରଖାଯାଇଛି ୫ ହଜାର ୫୭୫ କୋଟି ଟଙ୍କା ରଖାଯାଇଛି। ରେଆର ଆର୍ଥ କରିଡର ପାଇଁ ୧୦ କୋଟି ଓ ଜଳଜୀବନ ମିଶନ ପାଇଁ ରାଜ୍ୟ ସରକାର ନିଜ ଭାଗ ଦେଇଛନ୍ତି। ବଜେଟରେ ଅଟକଳ ବଢିଛି ସତ, ହେଲେ ବରାଦ ହୋଇଥିବା ଅର୍ଥ ଠିକ୍ ସମୟରେ ଖର୍ଚ୍ଚ ହୋଇପାରୁନାହିଁ। ୯ ମାସରେ ୫୦ ପ୍ରତିଶତ ଖର୍ଚ୍ଚ ହୋଇଛି। ବାକି ୫୦ ପ୍ରତିଶତ ୩ ମାସରେ ଖର୍ଚ୍ଚ ହେବା କଷ୍ଟକର। ଏସବୁ ଭିତରେ ରାଜ୍ୟର ଆର୍ଥିକ ସ୍ଵାସ୍ଥ୍ୟ ନେଇ ସମୀକ୍ଷକ ମତ ରଖିଛନ୍ତି।

କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି। ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ଟ୍ରାନ୍ସଫରମେଟିଭ ଇନିସିଏଟିଭ, ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ଲାଗି ୧ ହଜାରେ କୋଟି, ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର, ପୁରୀରେ ୱାର୍ଲଡ ଟୁରିଜିମ ସେଣ୍ଟର ପାଇଁ ମଧ୍ୟ ବ୍ୟୟବରାଦ କରାଯାଇଛି। ନୂଆ ବିଧାନ ସୌଧ, ଲୋକସେବା ଭବନ, ନୂଆ ୪ ବିଶ୍ବବିଦ୍ୟାଳୟ, ନୂଆ ୭ ବିଶ୍ବଦକ୍ଷତା କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମି ଓ ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଏମ୍ଏସ୍ଏମଇ ସେକ୍ଟରକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଏଭଳି ଆଭିମୁଖ୍ୟକୁ ବିଶେଷଜ୍ଞ ସ୍ବାଗତ କରିଥିବା ବେଳେ ଖର୍ଚ୍ଚ ହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି, ଐତିହ୍ୟର ସୁରକ୍ଷା ସହ ମହିଳା ସଶକ୍ତୀକରଣକୁ ମଧ୍ୟ ବଜେଟରେ ଗୁରୁତ୍ବ ଦିଆଯାଇଛି। ଯୁବ ଗୋଷ୍ଠୀ, ଶ୍ରମିକ, ଚାଷୀ ବର୍ଗଙ୍କ ପାଇଁ ମଧ୍ୟ ବଜେଟରେ ବ୍ୟବସ୍ଥା ରହିଛି।

ମଣ୍ଡି ପାଇଁ ବିଧାନସଭା ଅଚଳ: ୪ ଦିନ ହେଲା ବିରୋଧୀଙ୍କ ହଟ୍ଟଗୋଳରେ ହୋଇପାରୁନି ଗୃହକାର୍ଯ୍ୟ

ମଣ୍ଡି ପାଇଁ ବିଧାନସଭା ଅଚଳ । ୪ ଦିନ ହେଲା ବିରୋଧୀଙ୍କ ହଟ୍ଟଗୋଳରେ ହୋଇପାରୁନି ଗୃହକାର୍ଯ୍ୟ । ଧୋଇଯାଉଛି ପ୍ରଶ୍ନକାଳ, ଶୂନ୍ୟକାଳ । ଗୃହ ବାହାରେ ବି ଶାସକ-ବିରୋଧୀ ମୁହାଁମୁହିଁ । କେଉଁ ଦିନ ୩ ମିନିଟ ତ କେବେ ୭ ମିନିଟ । ଚାଷୀ ପ୍ରସଙ୍ଗରେ ହୁଲସ୍ତୁଲ ବିଧାନସଭା । ସରକାର ଚାଷୀଙ୍କ ଧାନ କିଣୁନଥିବାରୁ ମଣ୍ଡିରେ ଚାଷୀ ହନ୍ତସନ୍ତ ହେଉଛନ୍ତି । ଏହାର ପ୍ରତିବାଦରେ ବିଧାନସଭା ଆରମ୍ଭ ହେବା ଦିନଠାରୁ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ହାତରେ ପୋଷ୍ଟର , ବ୍ୟାନର ଧରି ବିଜେଡି ସମସ୍ୟମାନେ ଗୃହରେ ନାରାବାଜି କରୁଛନ୍ତି । କଳାପଟି ବାନ୍ଧି କଂଗ୍ରେସ ବିଜେପି ସରକାରର ଚାଷୀମାରଣ ନୀତିକୁ ବିରୋଧ କରିଆସୁଛି । ଦୁଇ ବିରୋଧୀଙ୍କ ଗୋଟିଏ ଦାବି ମଣ୍ଡି ସମସ୍ୟା ଦୂର କରି ଚାଷୀଙ୍କ ଧାନ କିଣ । ଚାଷୀଙ୍କ ଧାନ ନକିଣି କୃଷି ଓ ସମବାୟ ମନ୍ତ୍ରୀ ଚାଷୀଙ୍କୁ ଅପମାନିତ କରିଛନ୍ତି । ପ୍ରଥମେ ଚାଷୀଙ୍କ ଧାନ କିଣନ୍ତୁ ତେବେ ଯାଇ ବିଧାନସଭା ସୁରୁଖୁରରେ ଚାଲିବ ।

ଚାଷୀଙ୍କ ଧାନ ନକିଣି ଚାଷୀଙ୍କୁ ନକଲି ଚାଷୀ କହିବା, ନୌଟଙ୍କି କରୁଥିବା କହି ଅପମାନ କରିବା, ୮୦୦ ବଦଳରେ ୭୩୧ ଇନପୁଟ ସବସିଡି, ୧୫୦ କୁଇଣ୍ଟାଲ କ୍ୟାପିଙ୍ଗ ଭେଳିକି, ୩୦୦ ୟୁନିଟ ମାଗଣା ବିଜୁଳିର ମିଛ ପ୍ରତିଶୃତିକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଯେ ପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ହୋଇନାହିଁ ସେଯାଏ ଆନ୍ଦୋଳନ ଜାରି ରହିବ ବୋଲି ଦୁଇ ବିରୋଧୀ ଚେତାବନୀ ଦେଇଛନ୍ତି । କୃଷି, ଯୋଗାଣ ଓ ସମବାୟ ମନ୍ତ୍ରୀ ଚାଷୀଙ୍କୁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଓ ବିଜେଡି ଦାବି କରିଛନ୍ତି । ଶାସକ ଦଳ କହିଛି ଗୃହ ଚାଲିଲେ କିଏ ଇସ୍ତଫା ଦେବ ସରକାର କଣ କରିବେ ତାହା ସ୍ପଷ୍ଟ ହେବ । ଅପରାହ୍ନରେ ମଧ୍ୟ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ । ବଜେଟ ଅଧିବେଶନର ଆରମ୍ଭରୁ ଚାଷୀ ସମସ୍ୟା ନେଇ ହଟଗୋଳ ଜାରି ରଖିଥିବା ବେଳେ ଶାସକ ଦଳ ନିଜ ଜିଦରେ ଅଟଳ ରହିଛି । ଯାହାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଦୁଇ ବିରୋଧୀ ଚେତାବନୀ ଦେଇଛନ୍ତି ।

ରାଜକନିକା ଅଞ୍ଚଳରେ ଲଜ୍ଜା: ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ ଲଜ୍ଜା । ପୁଣି ଗୁରୁଙ୍କ ନାଁରେ କଳଙ୍କ ! ଜଣେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଅଭାବନୀୟ ଘଟଣା । ଏନେଇ ପୀଡିତାଙ୍କ ମାଆ କେନ୍ଦ୍ରାପଡା CWC ନିକଟରେ ଗତ ୧୮ ତାରିଖ ଦିନ ଅଭିଯୋଗ କରିଛନ୍ତି । ଛାତ୍ରୀ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ, ସ୍କୁଲର ୩ ଜଣ ଶିକ୍ଷକ ଓ ଜଣେ ପିଅନ ଦୀର୍ଘ ଦିନ ହେବ ବଳପୂର୍ବକ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ସ୍କୁଲର ଖେଳ ଛୁଟି ସମୟରେ ଛାତ ଉପରକୁ ଡାକି ନେଇ ଏଭଳି ଘୃଣ୍ୟ କାମ କରିଆସୁଥିଲେ ଶିକ୍ଷକ । ଏପରିକି ଅଭିଯୁକ୍ତଙ୍କୁ ସହଯୋଗ କରୁଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ । ଏଥିରେ ଅତିଷ୍ଠ ହୋଇ, ଛାତ୍ରୀ ଜଣକ ମାଙ୍କ ଆଗରେ ସବୁ କଥା କହିଲା ପରେ, ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଛି । ଆଜି ପୁଣି ପୀଡିତାଙ୍କ ମାଆ ରାଜକନିକା ଥାନାରେ ପହଁଚି ସମ୍ପୃକ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ନାଁରେ ଏତଲା ଦେଇଛନ୍ତି ।

କେନ୍ଦ୍ରାପଡା CWCରେ ଅଭିଯୋଗ ହେବା ପରେ CWC ର ଏକ ତିନି ଜଣିଆ ଟିମ ସମ୍ପୃକ୍ତ ଇଂଲିଶ ମିଡିୟମ ସ୍କୁଲକୁ ଯାଇ ତଦନ୍ତ କରିବା ସହ ପୀଡିତାଙ୍କ ଘରକୁ ଯାଇ ତାଙ୍କ ବୟାନ ରେକର୍ଡ କରିଛି । ଅନ୍ୟପଟେ ରାଜକନିକା ପୋଲିସ ଘଟଣାକୁ ଗୁରୁତର ସହ ନେଇ ପକ୍ସୋ ଆକ୍ଟରେ ମାମଲା ରୁଜୁକରିଛି । ଏହି ଘଟଣାରେ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ରାଜ୍ୟରେ ବିଗିଡି ଗଲାଣି ଆଇନଶୃଙ୍ଖଳା । ଶିଶୁ ହୁଅନ୍ତୁ ବା ବୟସ୍କ ମହିଳା, କାହାକୁ ବି ଛାଡୁ ନାହାନ୍ତି ରାକ୍ଷସ । ଆଇନକାନୁନକୁ ଭ୍ରୁକ୍ଷେପ କରୁନାହାନ୍ତି ଅଭିଯୁକ୍ତ । ଫଳରେ ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡିଲେଣି । ଏବେ ଗୋଟିଏ ପ୍ରଶ୍ନ, ଏଭଳି ଆଉ କେତେ ଦିନ ?

ଚାଷୀଙ୍କୁ କଲବଲ କଲାଣି ସାର ଚିନ୍ତା

ଏପର୍ଯ୍ୟନ୍ତ ସମ୍ବଲପୁରରେ ଚାଷୀଙ୍କ ଧାନ ବିକ୍ରି ହୋଇନଥିବା ବେଳେ ଚାଷୀଙ୍କୁ କଲବଲ କଲାଣି ସାର ଚିନ୍ତା । ଭଲଭାବେ ଦେଖନ୍ତୁ ଏହି ଦୃଶ୍ୟକୁ କେମିତି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଆଜି ବି ପଡ଼ିରହିଛି କୁଇଁଣ୍ଟାଲ କୁଇଁଣ୍ଟାଲ ଧାନ । ଚାଷୀମାନେ ଖୋଲା ଆକାଶ ତଳେ ସେମିତି ପଡିରହିଛନ୍ତି । ସରକାର ଠିକ୍ ସମୟରେ ଧାନ କିଣି ନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ସେପଟେ ରବି ଚାଷ ଆରମ୍ଭ ହୋଇଯାଇଥିବା ବେଳେ ଚାଷୀମାନେ ହରଡଘଣାରେ ପଡିଛନ୍ତି । ମଣ୍ଡିରେ ଧାନ ଜଗିବେ ନା ରବି ଫସଲ କରିବେ ସନେଇ ଚିନ୍ତା ଘାରିଛି । ଏହାକୁ ବିରୋଧ କରି ପୁଣି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ଚାଷୀ ସଂଗଠନ ।

ଆଜି ବିଭିନ୍ନ ଚାଷୀ ସଂଗଠନ ଆନ୍ଦୋଳନ କରିଛନ୍ତି । ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ଓ ପରେ ଜିଲ୍ଲା ମୁଖ୍ୟ କୃଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବର୍ତ୍ତମାନ ବଜାରରେ ସାରର କୃତ୍ରିମ ଅଭାବ ଦେଖାଦେଲାଣି । ୟୁରିଆ ସାରକୁ ବେଆଇନ ଭାବେ ମହଜୁଦ ରଖି ଅଧିକ ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ସବୁ ଜାଣିଶୁଣି କୃଷି ଅଧିକାରୀ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । ସେପଟେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଭୟାବହ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଗୋଟିଏ ପଟେ ଚାଷୀଙ୍କ ଧାନ ବିକ୍ରୀ ହେଉନଥିବା ବେଳେ ଅନ୍ୟପଟେ ସାରର ଅଭାବୀ ବିକ୍ରି ଦେଖାଗଲାଣି । ଯାହାକୁ ନେଇ ଚିନ୍ତାରେ ଚାଷୀ । ସରକାର ତୁରନ୍ତ ଏସମସ୍ତ ଦିଗ ପ୍ରତି ଧ୍ୟାନ ନଦେଲେ ଚାଷୀମାନେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର

ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳରେ ଡିଲ କରିବାକୁ ଯାଉଥିଲା ବେଳେ ମାଡି ବସିଲା ପୋଲିସ । ୩ ପେସାଦାର ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ଗିରଫ ହୋଇଥିବା ୩ ମାଫିଆ ହେଲେ ସମୀର ଖାନ, ସେଖ ଇର୍ସାଦ ମହମ୍ମଦ ଏବଂ ମୁନା ଖାନ । ମାଫିଆମାନେ ୨ଟି ବାଇକରେ ବ୍ରାଉନସୁଗର ଧରି ଯାଉଥିବା ବେଳେ ଅଧାଵାଟରେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ମାଫିଆଙ୍କ ପାଖରୁ ଜବତ ହୋଇଛି ୩୭୦ଗ୍ରାମ ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ୩ ଅଭିଯୁକ୍ତଙ୍କୁ ଜେରା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ବ୍ରାଉନସୁଗର ଡିଲ ପାଇଁ ଜିଲ୍ଲା ସ୍ତରୀୟ ରଖାଯାଇଛି ଏଜେଣ୍ଟ । କିଏ କେଉଁ ଜିଲ୍ଲାରେ ବ୍ରାଉନସୁଗର ବିକିବ କେତେ ପରିମାଣରେ ବିକିବ ସେନେଇ ହୋଇଥିଲା ହ୍ଵାଟ୍ସଆପ ଗ୍ରୁପ । ନିଶା ମାଫିଆଙ୍କ ଟାର୍ଗେଟରେ ଥିଲେ ଯୁବ ପିଢ଼ି । କଲିକତାରୁ ଜଳେଶ୍ଵର ଆଉ ଜଳେଶ୍ବରରୁ ଭୁବନେଶ୍ୱରରେ ପହଞ୍ଚୁଥିଲା ବ୍ରାଉନସୁଗାର । ରାଜଧାନୀରେ ପହଂଚିବା ପରେ ବିଭିନ୍ନ ଜିଲ୍ଲାକୁ ହେଉଥିଲା ଚାଲାଣ ।

ସେପଟେ ନଜର ପକାନ୍ତୁ ବିଧାନସଭାରେ ଅବକାରୀ ମନ୍ତ୍ରୀ ଦେଇଥିବା ରିପୋର୍ଟ ଉପରେ । ବ୍ରାଉନସୁଗାର ହବ ପାଲଟିଛି ବାଲେଶ୍ୱର, ପୁରୀ, ଭୁବନେଶ୍ୱର ଏବଂ ଜଗତସିଂପୁର । ୨୦୨୫ରୁ ଏବେ ସୁଦ୍ଧା ୪୦ କେଜି ୨୭୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବାବେଳେ ଗିରଫ ହୋଇଛନ୍ତି ୪୮୧ ଜଣ । ସେହିଭଳି ୨୦୨୪ରେ ଜବତ ହୋଇଥିଲା ୨୮ କେଜି ୫୭୫ ଗ୍ରାମ ବ୍ରାଉନସୁଗର । ଏଥିରେ ଗିରଫ ହୋଇଥିଲେ ୩୬୧ ଜଣ । ସେହିଭଳି ୨୦୨୩ରେ ୩୪ କେଜି ୪୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଗିରଫ ହୋଇଥିଲେ ୪୪୮ ଜଣ। ୨୦୨୨ରେ ୩୨ କେଜି ୮୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୩୮୨ ଜଣ ଗିରଫ ହୋଇଛନ୍ତି । ବ୍ରାଉନସୁଗର ରୋକିବା ପାଇଁ ଅନେକ ପଦକ୍ଷେପ ନେଉଛି ପୋଲିସ | କେବଳ ଏଜେଣ୍ଟ ଏବଂ ମାଫିଆ ମାନଙ୍କୁ ଗିରଫ କରୁଥିବା ବେଳେ ବ୍ରାଉନସୁଗରର ଚେର ପର୍ଯ୍ୟନ୍ତ ପହଂଚି ପାରୁନି ପୋଲିସ ।