spot_img
Home Blog Page 2709

ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଓ୍ବାହିଦା ରେହମାନ ପାଇବେ ଦାଦା ସାହେବ ଫାଲକେ ଆଓ୍ବାର୍ଡ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଓ୍ବାହିଦା ରେହମାନ ପାଇବେ ଦାଦା ସାହେବ ଫାଲକେ ଆଓ୍ବାର୍ଡ । ୨୦୨୧ ମସିହା ପାଇଁ ତାଙ୍କୁ ସମ୍ମାନିତ କରାଯିବ। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଗାଇଡ୍, ପ୍ୟାସା, କାଗଜ କେ ଫୁଲ୍, ଚୌଦୁଭିଁ କା ଚାନ୍ଦ ଭଳି ଫିଲ୍ମ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରିଛନ୍ତି ଓ୍ବାହିଦା। ୫ଦଶନ୍ଧୀ ଧରି ବଡ଼ ପରଦାରେ ଚମତ୍କାର ଅଭିନୟର ଯାଦୁ ଦେଖାଇଛନ୍ତି ।

ପୂର୍ବରୁ ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । ଏବେ ଚଳଚ୍ଚିତ୍ର ପାଇଁ ଦେଶର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେବେ ଓ୍ବାହିଦା। ଭାରତୀୟ ସିନେମାକୁ ତାଙ୍କ ଅବଦାନ ଅତୁଳନୀୟ। ପେଶାରେ ସେ ନର୍ତ୍ତକୀ ଭାବେ ମଧ୍ୟ ସେ ଭଲଭାବେ ଜଣାଶୁଣା  । ଚମତ୍କାର ଅଭିନୟ ପାଇଁ ତାଙ୍କୁ ଥରେ ଜାତୀୟ ଫିଲ୍ମ ସମ୍ମାନ ଓ ତିନିଥର ଫିଲ୍ମ ଫେୟାର ସମ୍ମାନ ମିଳିଛି  । ୯୦ରୁ ଅଧିକ ଫିଲ୍ମରେ ସେ ତାଙ୍କର ଅଭିନୟର ଯାଦୁଗରୀ ଦେଖାଇଛନ୍ତି  ।

ତେଲୁଗୁ ଫିଲ୍ମ ରୋଜୁଲୁ ମରାୟୀରେ ୧୯୫୫ରେ ଡେବ୍ୟୁ କରିଥିଲେ  । ତେବେ ୧୯୫୭ରେ ମହାନ ନିର୍ଦ୍ଦେଶକ ତଥା ଅଭିନେତା ଗୁରୁ ଦତ୍ତଙ୍କ ଦ୍ବାରା ନିର୍ଦ୍ଦେଶିତ ରୋମାଣ୍ଟିକ ଡ୍ରାମା ପ୍ୟାସାରେ ସେ ବଲିଉଡରେ ପରିଚିତି ହାସଲ କରିପାରିଥିଲେ  । ଏହ ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ  । କାଗଜ କେ ଫୁଲ, ଚୌଦୁଭିଁ କା ଚାନ୍ଦ ଭଳି ଫିଲ୍ମରେ ଅଭିନୟ କରି ନିଜକୁ ସିଲଭର ସ୍କ୍ରିନ କୁଇନ ଭାବେ ପରିଚିତ କରାଇପାରିଥିଲେ  । ଏବେ ବି ସେ ପରଦାରେ ସକ୍ରିୟ ଅଛନ୍ତି  ।

ଯାଜପୁରେ ବିଜେଡିର ମିଶ୍ରଣ ପର୍ବ: ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀଙ୍କ ସମେତ ଶତାଧିକ କର୍ମୀ

ଭୁବନେଶ୍ବର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା । ବିଜେଡିରେ ସାମିଲ ହେଲେ ଯାଜପୁର ବିଜେପି ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀ । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ସୌମ୍ୟରଞ୍ଜନ ଧଳ ଓ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହୃଷିକେଶ ମେକାପ ବିଜେଡିରେ ଯୋଗ ଦେଇଛନ୍ତି । ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଦୁଇ ନେତା ।

ଏଥିସହ ଯାଜପୁର ଜିଲ୍ଲା ବିଜେପି ସଭାପତିଙ୍କ ଉପରେ ବର୍ଷିଛନ୍ତି ଉଭୟ । ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଟ ହୋଇ ଦଳ ଛାଡ଼ିଥିବା କହିଛନ୍ତି ସେମାନେ । ସେମାନେ କହିଛନ୍ତି, ‘ଯାଜପୁର ଜିଲ୍ଲା ସଭାପତି ଲୋକଙ୍କ ପାଖକୁ ଯାଉନାହାନ୍ତି । ଲୋକଙ୍କ ସୁଖଦୁଃଖରେ ଠିଆ ହେଉନାହାନ୍ତି । ଆଗାମୀ ଦିନରେ ଅଧିକରୁ ଅଧିକ ବିଜେପି କର୍ମୀ ବିଜେଡିରେ ମିଶିବେ । ଯାଜପୁର ବିଧାୟକଙ୍କ ବିକାଶମୂଳକ କାମ ଆକୃଷ୍ଟ କରିଛି । ଷଠିପୁରରୁ ମଙ୍ଗଳପୁର ଯାଏଁ ବିଧାୟକଙ୍କ ବିକାଶ କାମ ଚାଲିଛି । ବିଜେଡିରେ ମିଶି ଯାଜପୁରର ବିକାଶ ସହିତ ସାମିଲ ହେଲୁ ।’

ଆଗକୁ ସେମାନେ କହିଛନ୍ତି, ଭଲ ନେତାଙ୍କୁ କଣଠେସା କରି ଦେଇଛନ୍ତି ଜିଲ୍ଲା ସଭାପତି । ଯାଜପୁରର ବିଶ୍ୱକର୍ମା ପ୍ରଣବ ପ୍ରକାଶ ଦାସ ଆମର ନେତା । ନବୀନଙ୍କ ନୂଆ ଓଡ଼ିଶା ସ୍ୱପ୍ନକୁ ସାକାର କରିବାକୁ ବିଜେଡିରେ ସାମିଲ ହୋଇଛୁ ।’

ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଆକୃଷ୍ଟ ହୋଇ ଏମାନଙ୍କ ସହ ଜିଲ୍ଲାର ଶତାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି ।

ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିକୁ ଗଲା ସରପଞ୍ଚଙ୍କ ଦାବିପତ୍ର

ଭୁବନେଶ୍ବର: ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ପାଖକୁ ପଠାଯାଇଛି ସରପଞ୍ଚଙ୍କ ଦାବିପତ୍ର । ଏହାର ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରିବା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସୂଚନାଯୋଗ୍ୟ, ରାଜ୍ୟ ସରପଞ୍ଚ ମହାସଂଘ କର୍ମକର୍ତ୍ତାମାନେ ଗତକାଲି ଆରୁଖଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଭେଟି ସେମାନଙ୍କ ଦାବି ସଂପର୍କିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆରୁଖ ସେମାନଙ୍କର ଦାବି ସମ୍ବନ୍ଧରେ ଅବଗତ ହେବା ପରେ ଏ ଏହାକୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଅଧିକ ନିରୀକ୍ଷଣ କରିବା ପାଇଁ ପଠାଯିବ ଓ ତର୍ଜମା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ । ପୁଅ କହି ଝିଅ ଧରାଇ ଦେଇଥିବା ଅଭିଯୋଗ ଆଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ନବଜାତ ଶିଶୁର ବାପା ପ୍ରାଣକୃଷ୍ଣ ବିଶ୍ୱାଳ ।

ପ୍ରାଣକୃଷ୍ଣଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ତାଙ୍କ ସ୍ତ୍ରୀ ପୁଅ ଜନ୍ମ ଦେଇଛନ୍ତି ବୋଲି ତାଙ୍କୁ ସୂଚନା ଦିଆଯାଇଥିଲା । ଫୋଟୋ ଉଠାଇବା ବେଳେ ଶିଶୁଟି ପୁଅ ନୁହେଁ ଝିଅ ବୋଲି ଦେଖିବାକୁ ପାଇଥିଲେ ।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହ ଡିଏନଏ ଟେଷ୍ଟ ପାଇଁ ଦାବି କରିଛନ୍ତି ପ୍ରାଣକୃଷ୍ଣ । ନିର୍ଦ୍ଦେଶକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୁପରିନଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଏକ ଟିମ୍‌ ତଦନ୍ତ କରିବ । ରିପୋର୍ଟ ନଆସିବା ପର୍ଯ୍ୟନ୍ତ ମାଆ ଓ ପିଲାଙ୍କୁ ନେବେ ନାହିଁ ବୋଲି କହିଛନ୍ତି ପ୍ରାଣକୃଷ୍ଣ ।

ନବଜାତ ଶିଶୁକନ୍ୟାକୁ ଗଙ୍ଗାରେ ଫିଙ୍ଗି ଦେଲେ ମାଆବାପା

ଭଗଲପୁର: ବିହାର ଭଗଲପୁରରେ ଏକ ନବଜାତ ଶିଶୁକନ୍ୟାକୁ ଗଙ୍ଗାରେ ଫିଙ୍ଗି ଦେଲେ ତା’ର ଜନ୍ମକଲା ମାଆବାପା । ଭଗବାନଙ୍କ କୃପାରୁ ଝିଅଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀ ଜୀବନକୁ ବାଜି ଲଗାଇ ଗଙ୍ଗା ନଦୀରୁ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁସାରେ ନବଜଛିଆ ଓ ଭଗଲପୁରକୁ ସଂଯୋଗ କରୁଥିବା ବିକ୍ରମଶିଳା ପୋଲ ଉପରୁ ନିଷ୍ଠାର ମାଆବାପା ନବଜାତ ଶିଶୁ କନ୍ୟାକୁ ଏକ ବ୍ୟାଗରେ ଭରି ଗଙ୍ଗକୁ ଫିଙ୍ଗି ଦେଇଥିଲେ । ହେଲେ ଭଗବାନଙ୍କ ବିଚାର ଥିଲା ଭିନ୍ନ । ପିଲାଟି ନଦୀରେ ବୁଡ଼ିବା ବଦଳରେ ରିଲିଂରେ ଲାଗିଥିବା ଗାର୍ଡରରେ ଲାଗି ଯାଇଥିଲା ।

ଶିଶୁକନ୍ୟାଟି ଚିତ୍କାର କରି କାନ୍ଦୁ ଥିବା ପୋଲ ଦେଇ ଯାଉଥିବା ଯାତ୍ରୀଙ୍କ କାନରେ ପଡ଼ିବା ପରେ ଲୋକେ ଏକାଠି ହୋଇ ଯାଇଥିଲେ । ପରେ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ କୁହାଯାଇଥିଲା । ପୋଲିସ କର୍ମଚାରୀ ଜଣଙ୍କ ଘଟଣା ସ୍ଥଳରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ସେ ନିଜ ଜୀବନକୁ ବାଜି ଲଗାଇ ପୋଲ ତଳକୁ ଓହ୍ଲାଇବା ସହ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହାପରେ ଘଟଣା ସମ୍ପର୍କରେ ସେ ଏସଡିଓ ଏବଂ ଡିଏସପିଙ୍କୁ ସୂଚନା ଦେଇଥିଲେ । ଶିଶୁକନ୍ୟାଟିକୁ ଜିଏଲଏନଏମସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଇଲ୍ଡ ଲାଇନ୍ ସହଯୋଗରେ ପିଲାଟିକୁ ଅନାଥାଶ୍ରମରେ ରଖାଯିବାକୁ ନିଷ୍ପତ୍ତି ନିଆ ଯାଇଥିବା ଜଣାପଡ଼ିଛି ।

ପେଣ୍ଡାଲରୁ ଗଣେଶ ମୂର୍ତ୍ତି ଚୋରି, ଥାନାର ଦ୍ବାରସ୍ଥ ହେଲେ କମିଟି ସଦସ୍ୟ

କଣ୍ଟାବାଞ୍ଜି: ଧୂମଧାମନରେ ପାଳନ ହେଲା ଗଣେଶ ପୂଜା । ପୂରା ଗାଁରେ ଉତ୍ସାହର ମାହୋଲ । ଆଜି ହୋଇଥାନ୍ତା ବିସର୍ଜନ । ସମସ୍ତଙ୍କ ମନରେ ଥିଲା ଉତ୍ସାହ । ହେଲେ ବିଳମ୍ବିତ ରାତିରେ ପୂଜା ମଣ୍ଡପକୁ ଦେଖି ଗାଁର ପିଲାଠୁ ବୟସ୍କ ସମସ୍ତଙ୍କ ମଧ୍ୟରେ ଖେଳି ଯାଇଥିଲା ବିଷାଦ । କାରଣ ମଣ୍ଡପରୁ ଚୋରି ହୋଇ ଯାଇଥିଲା ମୂର୍ତ୍ତି । ଏମିତି ଏକ ଘଟଣା ଘଟିଛି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁରେ । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୂଜା କମିଟି ସଦସ୍ୟ ।

କମିଟି ସଦସ୍ୟଙ୍କ କହିବା ଅନୁସାରେ, ଗତକାଲି ରାତିରେ ବଙ୍ଗୋମୁଣ୍ଡାର ଅନ୍ୟ ଏକ ସ୍ଥାନରେ ଗଣେଶ ପୂଜା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା । ଏହାକୁ ଦେଖିବାକୁ କମିଟି ସଦସ୍ୟମାନେ ଯାଇଥିଲେ । ବିଳମ୍ବିତ ରାତିରେ ଫେରି ପେଣ୍ଡାଲରେ ବିଘ୍ନରାଜଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ । ପୋଲିସ ଏତଲା ଗ୍ରହଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବିଧାନସଭା ମୌସୁମୀ ଅଧିବେଶନ: ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବି, ବାଚସ୍ପତି ଡାକିଲେ ସବର୍ଦଳୀୟ ବୈଠକ

ଭୁବନେଶ୍ବର: ତୃତୀୟ ଦିନ ମୌସୁମୀ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଚାଲି ପାରିଲାନି ଗୃହ । ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଏହାସହ ଗୃହ ସୁପରିଚାଳନା ପାଇଁ ଡକାଇଲେ ସର୍ବଦଳୀୟ ବୈଠକ ।

ବିଜେପି ସଦସ୍ୟମାନେ ହାତରେ କଳାପଟି ବାନ୍ଧି ବିଧାନସଭାକୁ ପ୍ରବେଶ କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ ବିଜେପି ବିଧାୟକ । ସେପଟେ ବିଜେଡି ବିଧାୟକମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ- ଏମଏସପି ପ୍ରସଙ୍ଗ ଉଠାଇଥିଲେ । ଅଚଳାବସ୍ଥା ଯୋଗୁଁ ଗୃହକୁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ।

ବିଜେପି ବିଧାୟକଙ୍କୁ ସମାଲୋଚନା

ବିଜେପି ବିଧାୟକ ଗୃହ ଚଳାଇ ନଦେବାକୁ ନେଇ ସମାଲୋଚନା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ‘ବିଧାନସଭାର ମୌସୁମୀ ଅଧିବେଶନକୁ ଆଜି ମଧ୍ୟ ଚଲାଇ ଦେଲାନି ବିଜେପି । ବିରୋଧୀ ଦଳ ଭାବେ ବିଜେପିର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୃହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନୋତ୍ତର କାଳ । ହେଲେ ବିଜେପି ସଦସ୍ୟମାନେ ଚଳାଇ ଦେଲେନି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଶା କରୁଛୁ ଗୃହ ଚାଲିବ । ବିଜେଡି ବିଭିନ୍ନ ସମୟରେ କେନ୍ଦ୍ରର ବିଭିନ୍ନ ଅବହେଳା ବିରୋଧରେ ସ୍ୱର ଉଠାଇଛି । ଆଜି ବି ସେହି ପ୍ରସଙ୍ଗ ଉଠାଇଛୁ ।’

ସେହିପରି ବିଜେପି ବିଧାୟକଙ୍କ କାର୍ଯ୍ୟକଳାପକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ସମାଲୋଚନା କରିଛନ୍ତି । ସୁର କହିଛନ୍ତି, ‘ଗୃହକୁ ବିଜେପି ଚଳାଇ ଦେଉନାହିଁ l ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛି । କେବଳ ଡ୍ରାମା କରୁଛି ବିଜେପି । ଜାଣିଶୁଣି ଗୃହକୁ ଚଳାଇ ଦେଉନାହିଁ । ପ୍ରଶ୍ନକାଳ ହେଉଛି ବିଧାନସଭାର ଗୁରୁତ୍ବ ପୂର୍ଣ୍ଣ ସମୟ । ବିଧାୟକମାନେ ୧୫ଦିନ ଆଗରୁ ପ୍ରଶ୍ନ କରିଥାନ୍ତି । ତେଣୁ ଏହାକୁ ବନ୍ଦ କରା ନଯାଉ ।’

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଜେପିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଓଡ଼ିଶା ବିଧାୟକଙ୍କୁ ସମୟ ଦେଉନାହାନ୍ତି । ଏଠି ବିଜେପି ଡ୍ରାମା କରୁଛି । ଆମେ ଚାହୁଁଛୁ ବିଧାନସଭା ଚାଲୁ, ବିଜେପି ବନ୍ଦ କରି କଣ୍ଠରୋଧ କରୁଛି ।’

ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ, ଦୁଇ ନାବାଳକ ଉଦ୍ଧାର

ଭୁବନେଶ୍ବର: ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ । ମେଟ୍ରୋ ଟାଓ୍ବାରର ୫ମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏଥିସହ ଫସିଥିବା ୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସଟରକୁ କାଟି ସମ୍ପୂର୍ଣ୍ଣ ଧୂଆଁ ଭର୍ତ୍ତି ପଞ୍ଚମ ମହଲାରୁ ଏହି ୨ ନାବାଳକଙ୍କୁ ଉଦ୍ଧାର କରାଯାଇଛି ।

ଘରୁ ଡାକି ନେଇ ଯୁବକଙ୍କୁ ଛୁରି ମାରି ହତ୍ୟା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁରରେ ଅଭାବନୀୟ ଘଟଣା । ଘରୁ ଡାକି ନେଇ ଯୁବକଙ୍କୁ ଛୁରି ମାରି ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ । ମୃତକ ହେଲେ ତ୍ରିଲୋଚନ ମଲ୍ଲିକ l ଏହାସହ ଅଭିଯୁକ୍ତମାନେ ମଦ ବୋତଲ ଭାଙ୍ଗି ତ୍ରିଲୋଚନଙ୍କୁ ଆକ୍ରମଣ କରିଥିଲେ ।

ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ତ୍ରିଲୋଚନଙ୍କୁ ଘରୁ ଡାକି ନେଇଥିବା ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଚୋରି ମୋବାଇଲ ଭାଗ ବଣ୍ଟାକୁ ନେଇ ନାବାଳକକୁ ପିଟିପିଟି ହତ୍ୟା

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲିରେ ଜଘନ୍ୟ ହତ୍ୟା । ଚୋରି କରିଥିବା ମୋବାଇଲ ଭାଗ ବଣ୍ଟାକୁ ନେଇ ଜଣେ ନାବାଳକକୁ ପିଟି ପିଟି ମାରି ଦେଲେ ସାଥୀ । ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

ଅଭିଯୋଗ ଅନୁସାରେ, ମୃତ ନାବାଳକ ୪ ସହଯୋଗୀଙ୍କ ସହ ମିଶି ମୋବାଇଲ ଚୋରି କରିଥିଲେ । ଚୋରି ପରେ ମୋବାଇଲ ଭାଗ ବଣ୍ଟା ହୋଇଥିଲା । ହେଲେ ଦାମୀ ମୋବାଇଲ ବାଣ୍ଟ ନପଡ଼ିବାରୁ ଉତ୍ତ୍ୟକ୍ତ ହୋଇ ୪ ଜଣ ନାବାଳକଙ୍କୁ ନିର୍ଧୁମ ପିଟିଥିଲେ । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।