spot_img
Home Blog Page 273

ସରିଲା ଛଟ ପୂଜା, ଶେଷଦିନରେ ଉଦୀତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ବିହାରୀ ଭାଷାଭାଷୀ ଲୋକେ

ନନ୍ଦିଘୋଷ ବ୍ୟୁରୋ : ଭକ୍ତି, ଶ୍ରଦ୍ଧା ଓ ନିଷ୍ଠାର ଉତ୍ସବ ଛଟ୍ । ସୂର୍ଯ୍ଯଦେବ ଓ ଛଟୀ ମୟାଙ୍କୁ ଶ୍ରଦ୍ଧାଳୁ ଦେଲେ ନୈବେଦ୍ଯ । ଭୁବନେଶ୍ବର କୁଆଖାଇ ବାଲିଯାତ୍ରା ପଡ଼ିଆରେ ସକାଳୁ ସକାଳୁ ଜମିଲା ଭିଡ଼ । ଉଦିତ ସୂର୍ଯ୍ଯଙ୍କୁ ଅର୍ଘ୍ଯ ପ୍ରଦାନ କଲେ ବିହାରୀ ଭାଷାଭାଷୀ ଶ୍ରଦ୍ଧାଳୁ । ସୂର୍ଯ୍ୟଦେଵ ଓ ଛଟୀ ମେୟାଙ୍କୁ ପୂଜା କରି ଆଶିଷ ଗ୍ରହଣ କରିଛନ୍ତି ସଭିଏ । ଏଥିପାଇଁ କୁଆଖାଇ ନଦୀ ପଠାରେ ବିଶ୍ବାସ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା ଭବ୍ଯ ଉତ୍ସବ । ମାଆ ମାନେ ଏହି ବ୍ରତ ପାଳନ କରି ପରିବାର ସୁସ୍ଥତା, ସୁଖ, ସମୃଦ୍ଧି, ସୁରକ୍ଷା କାମନା କରିଛନ୍ତି । ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଅଧିବାସୀମାନେ ଏକାଠି ହୋଇ ଏହି ଉତ୍ସବକୁ ପାଳନ କରିଥିବାବେଳେ ଏଥିରେ ସାମିଲ ହୋଇଥିଲେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଉରକେଲା ସହରର ବିଭିନ୍ନ ନଦୀ କୂଳ ଓ ପୋଖରୀ କୂଳରେ ଭକ୍ତମାନେ ଆଜି ସକାଳେ ଶ୍ରଦ୍ଧା ଓ ନିଷ୍ଠାର ସହ ଛଟପୂଜା ପାଳନ କରିଛନ୍ତି । ଭକ୍ତମାନେ ଆଜି ଉଦିତ ସୂର୍ଯ୍ୟ ଦେବତାଙ୍କୁ ପୁଜାର୍ଚ୍ଚନା କରିଛନ୍ତି । ଗତକାଲି ସନ୍ଧ୍ୟାରେ ଭକ୍ତମାନେ ବିଭିନ୍ନ ଫଳମୂଳ ଆଣି ଅସ୍ତ ଗାମୀ ସୁର୍ଯ୍ୟ ଦେବତାଙ୍କୁ ଅର୍ଘ୍ଯ ଅର୍ପଣ କରି ବିଦାୟ ଜଣାଇଥିଲେ । ଏଥିପାଇଁ କୋଏଲ ନଦୀ ଓ ବ୍ରାହ୍ମଣୀ ନଦୀ କୁଳ ସହ ଶଙ୍ଖ ନଦୀ କୂଳ ଓ ପୋଖରୀ କୂଳରେ ଜମିଥିଲା ଭିଡ଼ । ଗତ ୪ଦିନ ଧରି ଏହି ବ୍ରତ ଆରମ୍ଭ ହୋଇଥିବା ଏହି ପୂଜାର ଶେଷ ଦିନରେ ଉଦିତ ସୂର୍ଯ୍ଯଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ଶ୍ରଦ୍ଧାଳୁ ।

ଚାଷୀଙ୍କୁ ମିଳୁନି ଆଳୁ, ଅଳିଆ ଗଦାରେ ପଡିଛି କୁଢକୁଢ ପଚା ଆଳୁ

ଫୁଲବାଣୀ : ଚାଷୀଙ୍କୁ ମିଳୁନି ଆଳୁ । ଅଳିଆ ଗଦାରେ ଫିଙ୍ଗା ହୋଇଛି କୁଢକୁଢ ଆଳୁ ବିହନ । ବିହନ ଯୋଗାଣକାରୀ ସଂସ୍ଥା ଓ ଉଦ୍ୟାନ ବିଭାଗର ମଧୁଚନ୍ଦ୍ରିକା ଅଭିଯୋଗ । କନ୍ଧମାଳ ଜିଲ୍ଲାରେ ଫେଲ ମାରିଛି ଆଳୁ ମିଶନ ଯୋଜନା ।… ଚଳିତ ଥର ଖରିଫ ଋତୁରେ କନ୍ଧମାଳ ଜିଲ୍ଲାର ହଜାର ହଜାର ଚାଷୀ ଆଳୁ ଚାଷ କରିବା ପାଇଁ ସରକାରୀ ବିହନ ଉପରେ ଭରସା କରିଥିଲେ । ହେଲେ ଉଦ୍ୟାନ ବିଭାଗକୁ ଆସିଥିବା ଟ୍ରକ ଟ୍ରକ ଆଳୁ ଚାଷୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଅଳିଆ ଗଦାରେ ଫୋପଡା ଯାଇଛି । ବିହନ ନପାଇ ହଜାର ହଜାର ଚାଷୀ ଚାଷରୁ ବାଦ ପଡିଛନ୍ତି । ଆଉ କିଛି ବାହାରୁ ଚଢା ଦରରେ ବିହନ କିଣି ଶୋଷଣର ଶିକାର ହୋଇଛନ୍ତି । ହେଲେ ସରକାର ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ ଚଳିତ ଥର ୨ ହଜାର ହେକ୍ଟରରୁ ଅଧିକ ଜମିରେ ଆଳୁ ଚାଷ କରାଯିବା ନେଇ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହାକୁ ଆଖି ଆଗରେ ରଖି ଗତ ୨ ତାରିଖରେ ବିହନ ଯୋଗାଣକାରୀ ସଂସ୍ଥା ଠାରୁ ଛଅ ଶହ ବସ୍ତା ବିହନ ଆଳୁ ଆଣିଥିଲା ଜିଲ୍ଲା ଉଦ୍ୟାନ ବିଭାଗ । ହେଲେ ତାହା ଚାଷୀଙ୍କୁ ବଣ୍ଟନ କରାଗଲାନି । ଏବେ ୫ ଶହରୁ ଉର୍ଦ୍ଧ୍ଵ ବସ୍ତା ଆଳୁ ବିହନ ପଚି ନଷ୍ଟ ହୋଇଯିବାରୁ ତାକୁ ଅଳିଆ ଗଦାରେ ଫିଙ୍ଗା ଯାଇଛି । ଏଠି ପ୍ରଶ୍ନ ଉଠୁଛି- ବିଭାଗ କାହିଁକି ଜାଣିଶୁଣି ଖରାପ ବିହନ ଆଳୁ ଆଣିଲା ? ନିମ୍ନ ମାନର ବିହନ ଜାଣିବା ସତ୍ତ୍ଵେ କିପରି ଯୋଗାଣକାରୀ ସଂସ୍ଥାକୁ ଦିଆଗଲା ଆବଶ୍ୟକୀୟ ପେମେଣ୍ଟ ?

ରାଜ୍ୟରେ ଆଳୁ ସଙ୍କଟ ରହିବନି ବୋଲି ବୟାନ ଦେଇଥିଲେ ଯୋଗାଣ ମନ୍ତ୍ରୀ । ହେଲେ ଏବେ କନ୍ଧମାଳରେ ବିହନ ଅଭାବରୁ ଅନେକ ଚାଷୀ ଚାଷରୁ ବାଦ ପଡିଛନ୍ତି । ଚାଷୀଙ୍କ ପେଟକୁ ଲାତ ମାରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତ ?  ଆଳୁ ଚାଷରୁ ବାଦ ପଡିଥିବା ଚାଷୀଙ୍କୁ ଦିଆଯିବ ତ ଆର୍ଥିକ ସହାୟତା ?

ଦିବ୍ୟାଙ୍ଗଙ୍କୁ ସରକାରଙ୍କ ଅଣଦେଖା !, ମିଳୁନି ସରକାରୀ ସହାୟତା

ରାୟଗଡା : ଆଖିରେ ଆଖିଏ ସ୍ବପ୍ନ । ପାଠ ପଢିବି ଆଉ ବଡ ମଣିଷ ହେବି । ହେଲେ ଆଖିକୁ ଠିକ ଭାବେ ଦେଖାଯାଉନଥିବାରୁ ପାଠପଢାରେ ସୃଷ୍ଟି ହେଉଛି ବ୍ୟାଘାତ । ଇଏ ହେଉଛନ୍ତି ରାୟଗଡା ସଦର ବ୍ଲକ ଡାଙ୍ଗଲୋଡି ଗାଁର ଡ୍ରିମ୍ବା କାଡ୍ରାକାଙ୍କ ୧୩ ବର୍ଷ ବୟସ୍କ ପୁଅ ବାବୁଲା କାଡ୍ରାକା । ବାବୁଲାର ଡାହାଣ ଆଖିକୁ ଜମା ଦେଖାଯାଉନଥିବା ବେଳେ ବାମ ଆଖିକୁ ମଧ୍ୟ ଠିକସେ ଦେଖାଯାଉନି । ଖାଲି ସେତିକି ନୁହଁ ସେ ଭଲସେ ଶୁଣିପାରୁନାହାନ୍ତି କି କଥା ବି କହିପାରୁନାହାନ୍ତି । ତାଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର ଅଛି । ସରକାରୀ ସ୍ତରରେ ଆର୍ଥିକ ସହାୟତା ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇଥିଲେ ସୁଦ୍ଧା ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନି । ୩୫ ଶହ ଟଙ୍କା ବର୍ଦ୍ଧିତ ଭତ୍ତା ପାଇଁ ବାବୁଲାଙ୍କ ବାପା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ବାବୁଲାଙ୍କ ପାଠପଢା ପ୍ରତି ଅହେତୁକ ଦୁର୍ବଳତା ରହିଥିଲେ ସୁଦ୍ଧା ଆଖିକୁ ଠିକ୍ ଭାବେ ଦେଖାଯାଉନଥିବାରୁ ସେ ପାଠପଢି ପାରୁନାହାନ୍ତି । ବାପା କୁଲି ମଜୁରୀ କରି ୪ ପ୍ରାଣୀ କୁଟୁମ୍ବଙ୍କୁ ଚଳାଉଥିବା ବେଳେ ପୁଅର ଚିକିତ୍ସା କରିବା ତାଙ୍କ ପକ୍ଷେ ମୁସ୍କିଲ ହୋଇପଡୁଛି । ଅନ୍ୟପଟେ ବାବୁଲାକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ । କେବଳ ବାବୁଲା ନୁହଁନ୍ତି ରାୟଗଡା ଜିଲ୍ଲାର ଅନେକ ଭିନ୍ନକ୍ଷମ ସରକାରୀ ସହାୟତା ନପାଇ ଏବେ ବାରଦୁଆର ହେଉଥିବା ଅଭିଯୋଗ ହୋଇଛି ।

୫ ମ୍ୟାଚରେ ଦୁଇଟି ଶତକ, ଗୋଟିଏ ଦ୍ବିଶତକ… ଏ ଖେଳାଳି ନେବେ ଶ୍ରୀୟସ ଆୟରଙ୍କ ସ୍ଥାନ

ଏ ଖେଳାଳି ନେବେ ଶ୍ରୀୟସ ଆୟରଙ୍କ ସ୍ଥାନ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନିକିଆ ବେଳେ ଭାରତକୁ ଲାଗିଛି ବଡ଼ ଝଟକା । ଶେଷ ମ୍ୟାଚ୍ ଜିତି ଭାରତ ନିଜ ଇଜ୍ଜତ ବଞ୍ଚାଇଛି ସତ ହେଲେ ଷ୍ଟାର ବ୍ୟାଟର ଶ୍ରୀୟସ ଆୟର ଆହତ ହୋଇଛନ୍ତି । ଏକ କ୍ୟାଚ୍ ଧରିବା ବେଳେ ତାଙ୍କ ସ୍ପିଲିଂରେ ଆଘାତ ଲାଗିବାରୁ ତାଙ୍କୁ ସିଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ, ଏବେ ସେ କିଛିଦିନ ହସ୍ପିଟାଲରେ ରହିବେ । ଆଉ ଫିଲ୍ଡକୁ ଓହ୍ଲାଇବାକୁ କିଛିଦିନ ଲାଗିବ । ଆଗକୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବାକୁ ଥିବା ବେଳେ ଆୟରଙ୍କ ଆଘାତ ଭାରତ ପାଇଁ ଚିନ୍ତା ବଢ଼ାଇଛି । ଏମିତି ସ୍ଥିତିରେ ଆୟରଙ୍କ ସ୍ଥାନ କିଏ ନେବ ତାକୁ ନେଇ ଚୟନକର୍ତ୍ତା ଚିନ୍ତାରେ ପଡ଼ିଛନ୍ତି

କିଏ ନେବ ଆୟରଙ୍କ ସ୍ଥାନ ?

ଆୟର ଟିମ୍ ଇଣ୍ଡିଆରେ ୪ ନମ୍ବରେ ବ୍ୟାଟିଂ କରନ୍ତି ଓ ତାଙ୍କ ପ୍ରଦର୍ଶନ ଦମଦାର ରହିଛି । ଏକାଧିକ ଥର ଭାରତୀୟ ଟିମକୁ କ୍ରାଇସେସରୁ ବାହାର କରିବା ସହ ବିଜୟ ଦେଇଛନ୍ତି । ଏବେ ଆଘାତ କାରଣରୁ ଏକପ୍ରକାର ସେ ଭାରତୀୟ ଟିମରୁ ବାହାର ହୋଇସାରିଛନ୍ତି । ଏମିତି ସ୍ଥିତିରେ ଚୟନକର୍ତ୍ତାଙ୍କ ନଜର ରଜତ ପାଟିଦାରଙ୍କ ଉପରେ ରହିଛି । ୩୨ ବର୍ଷିୟ ରଜତ ଘରୋଇ କ୍ରିକେଟରେ ଲାଗାତାର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଯାହା ତାଙ୍କୁ ଏହି ସ୍ଥାନ ପାଇଁ ପ୍ରଥମ ପସନ୍ଦ ବନାଇଛି ।

୨୦୨୫ ଆଇପିଏଲରେ ନିଜ ପ୍ରଦର୍ଶନ ଓ ନେତୃତ୍ବ ବଳରେ ଆରସିବିକୁ ପ୍ରଥମ ଥର ଚାମ୍ପିୟନ କରାଇଛନ୍ତି । ଏହାପରେ ଘରୋଇ କ୍ରିକେଟରେ ସେ ଭଲ ପ୍ରଦର୍ଶନ କରି ଚାଲିଛନ୍ତି । ଗତ ୪ଟି ଫାଷ୍ଟ କ୍ଲାସ୍ ମ୍ୟାଚରେ ୨ଟି ଶତକ ଓ ଗୋଟିଏ ଦ୍ବିଶତକ ମାରିଛନ୍ତି । ଏହାସହ ଦୁଇଟି ଅର୍ଦ୍ଧଶତକ ବି ତାଙ୍କ ବ୍ୟାଟରୁ ବାହାରିଛି । ନିଜ ଅଧିନାୟକତ୍ବ ବଳରେ ସେ ସେଣ୍ଟ୍ରାଲ ଜୋନ ଟିମକୁ ୧୧ ବର୍ଷ ପରେ ଦିଲୀପ ଟ୍ରଫି ଜିତାଇଛନ୍ତି ।

ରଜତ ଟିମ୍ ଇଣ୍ଡିଆ ପାଇଁ ବର୍ତ୍ତମାନ ସୁଦ୍ଧା ୩ଟି ଟେଷ୍ଟ ଓ ଗୋଟିଏ ଦିନିକିଆ ଖେଳିଛନ୍ତି । ଟେଷ୍ଟରେ ସେ ୬ଟି ଇଂନିସରେ ମାତ୍ର ୬୩ ରନ୍ କରିଛନ୍ତି । ସେହିପରି ୨୦୨୩ରେ ଦକ୍ଷିଣ ଆଫ୍ରିକା ବପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ଗୋଟିଏ ଦିନିକିଆ ଖେଳିଛନ୍ତି । ଯେଉଁଥିରେ ସେ ୨୨ ରନ୍ କରିଥିଲେ । ଏମିତି ସ୍ଥିତିରେ ଯଦି ରଜତ ପାଟିଦାରଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳେ ତେବେ ଏହା ତାଙ୍କ କ୍ୟାରିୟର ପାଇଁ ଏକ ମୌକା ହେବାକୁ ଯାଉଛି ।

ନିଜର ୱିକିପିଡିଆ ଲଞ୍ଚ କଲେ ଏଲୋନ ମସ୍କ । କହିଲେ, ମଣିଷ ନୁହେଁ, ସବୁକିଛି ପରିଚାଳନା କରିବ AI

ନନ୍ଦିଘୋଷ ବ୍ୟୁରୋ : ଟେସଲା ଓ ଏକ୍ସ-ରେ ସହ-ପ୍ରତିଷ୍ଠାତା ଏଲୋନ୍ ମସ୍କ ତାଙ୍କର ନୂତନ ଏଆଇ-ଭିତ୍ତିକ ଅନଲାଇନ୍ ଏନସାଇକ୍ଲୋପିଡିଆ ପ୍ଲାଟଫର୍ମ, ଗ୍ରୋକିପିଡିଆ ଲଞ୍ଚ କରିଛନ୍ତି। କମ୍ପାନୀ ଏହାକୁ ୱିକିପିଡିଆର ଏକ ସତ୍ୟ-ଭିତ୍ତିକ ବିକଳ୍ପ ଭାବରେ ବର୍ଣ୍ଣନା କରିଛି। ଏହି ପ୍ଲାଟଫର୍ମ ବର୍ତ୍ତମାନ ଏହାର ପ୍ରାରମ୍ଭିକ ସଂସ୍କରଣ 0.୧ ରେ ଅଛି ଏବଂ ଏହା ସମ୍ପୂର୍ଣ୍ଣ ମୁକ୍ତ-ଉତ୍ସ । ଏହି ପ୍ରକଳ୍ପ ୱିକିପିଡିଆ ଅପେକ୍ଷା ଭଲ, ଏବଂ ଏହାର ଭବିଷ୍ୟତ ସଂସ୍କରଣ ୧.୦ ଦଶ ଗୁଣ ଭଲ ହେବ ବୋଲି ମସ୍କ ଦାବି କରିଛନ୍ତି ।

ଗ୍ରୋକିପିଡିଆ କ’ଣ ଏବଂ ଏହା କିପରି କାମ କରେ?

ଗ୍ରୋକିପିଡିଆ ହେଉଛି ଏଲୋନ୍ ମସ୍କଙ୍କ ଟିମ୍ ଦ୍ୱାରା ବିକଶିତ ଏକ AI-ଚାଳିତ ଅନଲାଇନ୍ ଜ୍ଞାନକୋଷ। ଏହାର ଲକ୍ଷ୍ୟ ହେଉଛି ଇଣ୍ଟରନେଟରେ ତଥ୍ୟ-ଭିତ୍ତିକ ସୂଚନା ପ୍ରଦାନ କରିବା। ବର୍ତ୍ତମାନ, ସଂସ୍କରଣ ୦.୧ ଲଞ୍ଚ କରାଯାଇଛି । ଯାହା ବ୍ୟବହାରକାରୀମାନଙ୍କୁ କେବଳ ସର୍ଚ୍ଚ ବାର୍ ମାଧ୍ୟମରେ ଯେକୌଣସି ବିଷୟରେ ସୂଚନା ଖୋଜିବାକୁ ଅନୁମତି ଦିଏ। ବର୍ତ୍ତମାନ, ପ୍ଲାଟଫର୍ମରେ ପ୍ରାୟ ୮୮୫୦୦୦ ଆର୍ଟିକିଲ୍ ଅଛି ଯାହା ପ୍ରମୁଖ ବିଶ୍ୱସ୍ତରୀୟ ବିଷୟଗୁଡ଼ିକୁ କଭର କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆର୍ଟିକିଲ୍ ଗୁଡ଼ିକୁ ମାନବ ବ୍ୟବହାରକାରୀଙ୍କ ଦ୍ୱାରା ସମ୍ପାଦିତ କରାଯାଇପାରିବ ନାହିଁ । କେବଳ ମସ୍କଙ୍କ AI ଚାଟବଟ୍, Grok, ସେଗୁଡ଼ିକୁ ପରିବର୍ତ୍ତନ କରିପାରିବ।

ଏଲୋନ୍ ମସ୍କ X ରେ ଗ୍ରୋକିପିଡିଆ ଲଞ୍ଚ କରିବାର ଘୋଷଣା କରି କହିଥିଲେ ଯେ ଗ୍ରୋକିପିଡିଆ ର ସଂସ୍କରଣ ୧.୦ ୧୦ଗୁଣ ଭଲ ହେବ, କିନ୍ତୁ ମୋ ମତରେ, ୦.୧ ମଧ୍ୟ ଓ୍ବିକିପିଡିଆ ଅପେକ୍ଷା ଭଲ। ମସ୍କ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ଲାଟଫର୍ମଟି ଯେକୌଣସି ବ୍ୟକ୍ତି ଏହାକୁ ମାଗଣାରେ ବ୍ୟବହାର କରିପାରିବେ। ସେ କହିଛନ୍ତି ଯେ ଗ୍ରୋକିପିଡିଆ ଭବିଷ୍ୟତରେ ଓ୍ବିକିପିଡିଆକୁ ବଦଳାଇପାରେ । ତାଙ୍କର AI ଚାଟବଟ୍, Grok, ଆଉ ଓ୍ବିକିପିଡିଆ ରେଫରେନ୍ସ ବ୍ୟବହାର କରିବ ନାହିଁ।

ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ, ଗ୍ରୋକିପିଡିଆ ସମାଲୋଚନାର ଶିକାର ହୋଇଥିଲା। ଏକ ରିପୋର୍ଟ କରିଛି ଯେ ପ୍ଲାଟଫର୍ମର ଅନେକ ଲେଖା ୱିକିପିଡିଆରୁ ନିଆଯାଇଛି। କିଛି ପୁନଃଲେଖା ଯାଇଥିଲା, ଯେତେବେଳେ ଅନ୍ୟଗୁଡ଼ିକୁ କେବଳ କପି-ପେଷ୍ଟ କରାଯାଇଥିଲା। ଏହି ସୂଚନା ଥିବା ପୃଷ୍ଠାଗୁଡ଼ିକରେ, ଗ୍ରୋକିପିଡିଆ ନିଜେ ବାର୍ତ୍ତା ପ୍ରଦର୍ଶନ କରେ, “ବିଷୟବସ୍ତୁ ୱିକିପିଡିଆରୁ ଗ୍ରହଣ କରାଯାଇଛି।” ୱିକିମିଡିଆ ଫାଉଣ୍ଡେସନର ମୁଖପାତ୍ର ଲରେନ୍ ଡିକିନସନ୍ କହିଛନ୍ତି ଯେ ୱିକିପିଡିଆର ଶକ୍ତି ଏହାର ସ୍ୱଚ୍ଛ ନୀତି, ସ୍ୱେଚ୍ଛାସେବୀ ତଦାରଖ ଏବଂ ନିରନ୍ତର ଉନ୍ନତିରେ ରହିଛି। ଗ୍ରୋକିପିଡିଆ ଭଳି AI ପ୍ଲାଟଫର୍ମ ମଧ୍ୟ ୱିକିପିଡିଆ ଉପରେ ନିର୍ଭର କରେ।

ଅଷ୍ଠମ ବେତନ କମିଶନକୁ ମଞ୍ଜୁରୀ, ଫାଇଦା ପାଇବେ ୫୦ ଲକ୍ଷ କର୍ମଚାରୀ..

ନନ୍ଦିଘୋଷ ବ୍ୟୁରୋ ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୮ମ କେନ୍ଦ୍ରୀୟ ବେତନ କମିଶନର କାର୍ଯ୍ୟ ପରିସର, ଅଧ୍ୟକ୍ଷ ଓ ସଦସ୍ୟଙ୍କ ପାଇଁ ସର୍ତ୍ତାବଳୀକୁ ଅନୁମୋଦନ କରିଛି। କମିଶନଙ୍କ ସୁପାରିଶଗୁଡ଼ିକ ପ୍ରତିରକ୍ଷା ସେବା କର୍ମଚାରୀଙ୍କ ସମେତ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ପ୍ରାୟ ୬୯ ଲକ୍ଷ ପେନସନଭୋଗୀଙ୍କୁ ଅନ୍ତର୍ଭୁକ୍ତ କରିବ।

ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଏକ ଅସ୍ଥାୟୀ ସଂସ୍ଥା ହେବ ଏବଂ ଏହାର ପ୍ରତିଷ୍ଠା ତାରିଖରୁ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ। ଏହି କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ (ଆଂଶିକକାଳୀନ) ଓ ଜଣେ ସଦସ୍ୟ-ସଚିବ ରହିବେ। ଆବଶ୍ୟକ ହେଲେ, କମିଶନ ଏହାର ସୁପାରିଶ ଚୂଡ଼ାନ୍ତ ହେବା ପରେ ଯେକୌଣସି ବିଷୟ ଉପରେ ସରକାରଙ୍କୁ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ମଧ୍ୟ ପ୍ରଦାନ କରିପାରିବେ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଅଷ୍ଟମ ବେତନ କମିଶନର ଅଧ୍ୟକ୍ଷା ନିଯୁକ୍ତ କରାଯାଇଛି। ଆଇଆଇଏମ୍ ବାଙ୍ଗାଲୋରର ପ୍ରଫେସର ପୁଲକ ଘୋଷ ଓ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସଚିବ ପଙ୍କଜ ଜୈନ ଏହାର ସଦସ୍ୟ ହେବେ।

ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ସୁପାରିଶଗୁଡ଼ିକ ୧ ଜାନୁଆରୀ, ୨୦୨୬ ରୁ କାର୍ଯ୍ୟକାରୀ ହେବ। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଏକ ଅସ୍ଥାୟୀ ସଂସ୍ଥା ହେବ। ଏହି କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ ଏବଂ ଜଣେ ସଦସ୍ୟ-ସଚିବ ରହିବେ। ଗଠନ ତାରିଖରୁ ୧୮ ମାସ ମଧ୍ୟରେ କମିଶନ ଏହାର ସୁପାରିଶ ଦାଖଲ କରିବେ।

କମିଶନ ଏହି ପ୍ରସଙ୍ଗଗୁଡ଼ିକ ଉପରେ ସୁପାରିଶ କରିବେ-

୧. ଦେଶର ଆର୍ଥିକ ପରିସ୍ଥିତି ଏବଂ ଆର୍ଥିକ ସତର୍କତାର ଆବଶ୍ୟକତା।

୨. ବିକାଶମୂଳକ ଖର୍ଚ୍ଚ ଏବଂ କଲ୍ୟାଣମୂଳକ ପଦକ୍ଷେପ ପାଇଁ ପର୍ଯ୍ୟାପ୍ତ ସମ୍ବଳ ଉପଲବ୍ଧ ହେବା ନିଶ୍ଚିତ କରିବାର ଆବଶ୍ୟକତା।

୩. ଅଣ-ଅବଦାନକାରୀ ପେନସନ ଯୋଜନାର ଅନାଦାୟ ଖର୍ଚ୍ଚ।

୪. ରାଜ୍ୟ ସରକାରଙ୍କ ଆର୍ଥିକ ବ୍ୟବସ୍ଥା ଉପରେ କମିଶନଙ୍କ ସୁପାରିଶର ସମ୍ଭାବ୍ୟ ପ୍ରଭାବ, ଯେଉଁମାନେ ସାଧାରଣତଃ କିଛି ପରିବର୍ତ୍ତନ ସହିତ ଏହି ସୁପାରିଶଗୁଡ଼ିକୁ ଗ୍ରହଣ କରନ୍ତି।

୫. କେନ୍ଦ୍ରୀୟ ସରକାରୀ କ୍ଷେତ୍ରର ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଉପଲବ୍ଧ ଦରମା ଗଠନ, ସୁବିଧା ଏବଂ କାର୍ଯ୍ୟ ପରିସ୍ଥିତି।

ପ୍ରତି୧୦ ବର୍ଷରେ ଥରେ ବେତନ କମିଶନ ଲାଗୁ ହୁଏ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଗଠନ, ଅବସର ଲାଭ ଏବଂ ଅନ୍ୟାନ୍ୟ ସେବା ସର୍ତ୍ତାବଳୀ ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ସମୀକ୍ଷା କରିବା ଏବଂ ଆବଶ୍ୟକୀୟ ପରିବର୍ତ୍ତନ ସୁପାରିଶ କରିବା ପାଇଁ ସମୟ ସମୟରେ କେନ୍ଦ୍ରୀୟ ବେତନ କମିଶନ ଗଠନ କରାଯାଏ। ସାଧାରଣତଃ, ପ୍ରତି ଦଶ ବର୍ଷରେ ଥରେ ବେତନ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ହୁଏ। ଏହାକୁ ଦୃଷ୍ଟିରେ ରଖି, ୮ମ କେନ୍ଦ୍ରୀୟ ବେତନ କମିଶନଙ୍କ ସୁପାରିଶ ୧ ଜାନୁଆରୀ, ୨୦୨୬ ରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧାରେ ଆବଶ୍ୟକୀୟ ପରିବର୍ତ୍ତନ ସମୀକ୍ଷା ଏବଂ ସୁପାରିଶ କରିବା ପାଇଁ ସରକାର ଜାନୁଆରୀ ୨୦୨୫ ରେ ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନ ଘୋଷଣା କରିଥିଲେ।

ବାହାଘର ଆତସବାଜିରୁ ହୋଟେଲରେ ଲାଗିଲା ନିଆଁ ! ଭିଡିଓ ହେଉଛି ଭାଇରାଲ….

ନନ୍ଦିଘୋଷ ବ୍ୟୁରୋ : ମୁରାଦାବାଦ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଏକ ବାହାଘରରେ ଆତସବାଜି ହେଉଥିବାର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ  ସେହି ଆତସବାଜିରୁ ନିଆଁ ଝୁଲ ପଡି ପରୀ ହୋଟେଲ ଓ ରେଷ୍ଟୁରାଷ୍ଟରେ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।

ରବିବାର ପ୍ରାୟ ରାତି ୧୦ଟା ୩୦ ମିନଟରେ  ନିଆଁ ଲାଗି ହୋଟେଲର ତିନି ମହଲା ପୁରା ପୋଡି ପାଉଁଶ ହୋଇଯାଇଥିଲା । ଦମକାଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ  ଜଣେ ମହିଳାଙ୍କ ମୃତ୍ୟୂ ହୋଇଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

ହୋଟେଲ ନିକଟରେ ହେଉଥିବା ବହାଘରର ଆତସବାଜିରୁ ନିଆଁ ଝୁଲା ପଡି ନିଆଁଲାଗିଥିବା ପୀଡିତଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଭିଡିଓରେ ଆତସବାଜିରୁ ବାହାରୁ ଥିବା ଧୂଆଁ ଓ ନିଆଁ ଝୁଲା ଉଡୁଥିବାର ସ୍ପଷ୍ଟ ଦେଖାଯାଉଛି । ପ୍ରାଥମିକ ତଦନ୍ତରୁ ଦମକଳ ବିଭାଗ ପକ୍ଷରୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି । କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଆତସବାଜିକୁ ନେଇ ହୋଇଥିବା ଚର୍ଚ୍ଚାକ ଗମ୍ଭୀରତାର ସହ ନେଇଛି ପ୍ରଶାସନ । ପ୍ରଶାସନ ତଦନ୍ତ କରିବା ପରେ ହିଁ କେଉଁ କାରଣରୁ ନିଆ ଲାଗିଛି ତାହା ଜଣାପଡିବ ।

ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହା ସହ ସେମାନେ ୧୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଓ ଛୁଆ ମଧ୍ୟ ଅଛନ୍ତି । ଦୁଇଟି ଅଲଗା ଅଲଗା ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋଟିକରେ ଆତସବାଜି ହେବାର ଦେଖିବାକୁ ମିଳୁଥିବା ବେଳେ ଅନ୍ୟଟି ନିଆଁ ଲାଗିବା ପରର । ଲୋକମାନେ ଦୁଇଟି ଯାକ ଘଟଣାକୁ ଯୋଡି ପଚାରୁଛନ୍ତି, କାହା ଜୀବନରୁ ବିବାହର ଚମକ ଲିଭିଯାଇଛି କି ?

‘ପୁରା ଭାରତର ପୁରୁଷ ସମାଜ ମହିଳାଙ୍କୁ ନେଇ ଆତଙ୍କିତ’,ଭାଇରାଲ ହେଉଛି ବସରେ ଆଣ୍ଟିଙ୍କ ସହ କଳି ଭିଡିଓ

ନନ୍ଦିଘୋଷ ବ୍ୟୁରୋ : ବସରେ ଜାଗାକୁ ନେଇ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଝଗଡା ହେଲା । ପାତିତୁଣ୍ଡ ଏତେ ଜୋରରେ ବଢିଗଲା ଯେ କଥା ମାଆ-ବାପାଙ୍କ ଲାଳନପାଳନ ଯାଏଁ ଚାଲିଗଲା । ଅନ୍ୟ ଲୋକ ବୁଝାଇବା ପରେ ମଧ୍ୟ କଥା କଟାକଟି ଲାଗି ରହିଲା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ବସ ଭିତରେ ଜଣେ ବ୍ୟକ୍ତିଙ୍କୁ ଜଣେ ମହିଳା ଟିକେ ସାଇଡ ହେବାକୁ କହୁଛନ୍ତି । କିନ୍ତୁ ବ୍ୟକ୍ତି ଜଣଙ୍କ ଏହି କଥାରେ ରଗିଯାଇ କହିଛନ୍ତି,   ସେ ଠିକ ଛିଡା ହୋଇଛନ୍ତି  । ଆଉ ଏଥିରେ କ’ଣ  ଅସୁବିଧା ହେଉଛି । ମହିଳା ସିଟ୍ ପାଖରେ ଝିଡା ହୋଇଥିବା ବେଳେ  ପୁରୁଷ ଜଣଙ୍କ ଉପରେ ଥିବା ରଡକୁ ଧରି ଛିଡା ହୋଇଛନ୍ତି । ଏତିକି ସମୟରେ ମହିଳା ଜଣଙ୍କ ଟିକେ ଆଗକୁ କି ପଛକୁ ହେବାକୁ କହୁଛନ୍ତି । ଏହି କଥାରେ ପୁରୁଷ ଜଣଙ୍କ ରାଗି ଯାଉଛନ୍ତି । କାରଣ ତାଙ୍କୁ ମହିଳାଙ୍କ କଥା ହେବା ଶୈଳୀ ଠିକ ଲାଗିନଥିଲା ।

ସେ ସଙ୍ଗେସଙ୍ଗେ ଉତ୍ତର ଦେଇଥିଲା । ମହିଳା ବସ୍ ଭିତରେ ଫାଇଦା ଉଠାଉଛନ୍ତି । ସେମାନେ ପ୍ରତ୍ୟେକ ପୁରୁଷଙ୍କ ମଧ୍ୟରେ ଭୟର ବାତ୍ତାବରଣ ସୃଷ୍ଟି କରୁଛନ୍ତି । ମାମଲା ଏତେ ଆଗକୁ ବଢିଗଲା ଯେ ବାପା-ମାଆ ଲାଳନ ପାଳନ ପର୍ଯ୍ୟନ୍ତ ପହଞ୍ଚିଗଲା । କିଛି ଲୋକ ଦୁଇ ଜଣଙ୍କୁ ଚୁପ ରହିବା ପାଇଁ କହିଥିଲେ । କିଛି ସମୟ ପରେ ପୁରୁଷ ଜଣଙ୍କ ଆଗକୁ ଯାଇ ଛିଡା ହୋଇଥିଲେ ମଧ୍ୟ ପାଟି ଚୁପ୍ କରିନଥିଲେ । ୧ ମିଟନ ୪୩ ସେକେଣ୍ଡର ଭିଡିଓ ରେ ଦୁଇ ଜଣଙ୍କ ଝଗଡା ଦେଖଇବାକୁ ମିଳିଥିଲା । ସିଟ କି ଟିକେଟ ପାଇଁ ନୂହେଁ ଟିକେ ସାଇଡ ହେବାକୁ ନେଇ ଏହି ଝଗଡା ଦେଖିବାକୁ ମିଳିଥିଲା ।

@ShoneeKapoor ନାମକ ଏକ ପେଜ୍ ଦ୍ୱାରା X ରେ ସେୟାର କରାଯାଇଥିବା ଏହି ଭାଇରାଲ ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣଇ । ଅନେକ ଲୋକ ପବ୍ଲିକ ଟ୍ରାନ୍ସପୋର୍ଟରେ ଭିକ୍ଟିମ୍ କାର୍ଡ ଖେଳିବା ନେଇ ମହିଳାମାନଙ୍କୁ ଅଭିଯୋଗ କରିଥିଲେ, ଯେତେବେଳେ ଅନ୍ୟମାନେ ମହିଳାଙ୍କ ପକ୍ଷ ନେଇଥିଲେ।

ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, “ଏହା ପବ୍ଲିକ୍ ଟ୍ରାନ୍ସପୋର୍ଟ, ତୁମର ବସବାସ ଘର ନୁହେଁ। ସମସ୍ତଙ୍କୁ ଆଡଜଷ୍ଟ ହେବାକୁ ପଡିବ।” ଆଉ ଜଣେ ଲେଖିଛନ୍ତି, “ପିଡିତ ବ୍ୟକ୍ତିଙ୍କ କଥା କିଏ ଶୁଣେ?”

ବାତ୍ୟା ‘ମୋନ୍ଥା’କୁ ଭୟ କରନ୍ତୁ ନାହିଁ, ସତର୍କ ରୁହନ୍ତୁ : ନବୀନ

ଭୁବନେଶ୍ବର :  ବାତ୍ୟା ‘ମୋନ୍ଥା’କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ସେ କହିଛନ୍ତି ଆପଣ ଜାଣନ୍ତି  ବାତ୍ୟା ମୋନ୍ଥା ଆସୁଛି । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ । ତେଣୁ ଭୟ କରନ୍ତୁ ନାହିଁ । ସତର୍କ ରୁହନ୍ତୁ ।ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି । ବାତ୍ୟା ମୋନ୍ଥା ଆସୁଥିବାରୁ ନବୀନ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।

ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ  ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ  ସହାୟତା ଯୋଗାଇ ଦିଅନ୍ତୁ । ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ  ବିପର୍ଯୟରର ମୁକାବିଲା କରି ଆସୁଛେ । ଏଥର ମଧ୍ୟ ଏକାଠି ହୋଇ  ବାତ୍ୟାର ମୁକାବିଲା କରିବା ।

AI ଖାଇଦେଲା ୩୦,୦୦୦ କର୍ମଚାରୀଙ୍କ ଚାକିରି!

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ଆମାଜନ୍, ନିଜର ପ୍ରାୟ ୩୦,୦୦୦ କର୍ପୋରେଟ୍ କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି । ରୟଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପ କମ୍ପାନୀର ଖର୍ଚ୍ଚ କମାଇବା ଏବଂ ଭବିଷ୍ୟତ ରଣନୀତିକୁ ଧ୍ୟାନରେ ରଖି ଉଠାଯାଉଛି। କରୋନା ମହାମାରୀ ସମୟରେ ଆମାଜନ୍ ବଡ଼ ପରିମାଣରେ ନିଯୁକ୍ତି କରିଥିଲା, କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି ପରେ କମ୍ପାନୀ ନିଜର କର୍ମଚାରୀ ସଂଖ୍ୟାକୁ “ସନ୍ତୁଳନ” କରିବାକୁ ଚେଷ୍ଟା କରୁଛି।

ମହାମାରୀରେ ହୋଇଥିଲା ‘ଅନିୟନ୍ତ୍ରିତ’ ନିଯୁକ୍ତି
କମ୍ପାନୀର ଆଧିକାରିକ କହିବା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ, ବିଶେଷକରି କରୋନା କାଳରେ, ଯେତେବେଳେ ଅନଲାଇନ୍ କିଣାକିଣି ନିଜର ଉଚ୍ଚତମ ସ୍ଥାନରେ ଥିଲା, ସେତେବେଳେ ଆବଶ୍ୟକତାରୁ ଅଧିକ ଲୋକଙ୍କୁ କାମରେ ରଖାଯାଇଥିଲା। ସେହି ସମୟରେ ଚାହିଦା ପୂରଣ କରିବା ପାଇଁ ବଡ଼ ପରିମାଣରେ ନିଯୁକ୍ତି ହୋଇଥିଲା। ଏବେ ଯେତେବେଳେ ବଜାର ପୁଣି ସାଧାରଣ ହେଉଛି ଏବଂ ଅନେକ କ୍ଷେତ୍ରରେ ଚାହିଦା ପୂର୍ବ ଭଳି ନାହିଁ, ସେତେବେଳେ କମ୍ପାନୀ ନିଜର ଖର୍ଚ୍ଚ ପରିଚାଳନା କରିବା କଷ୍ଟକର ହେଉଛି। ତେଣୁ, କର୍ମଚାରୀ ସଂଖ୍ୟା ହ୍ରାସ କରି କାର୍ଯ୍ୟକୁ ସନ୍ତୁଳିତ କରିବାର ଏହି କଠୋର ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୨୨ ଶେଷରେ ଆମାଜନ୍ ପ୍ରାୟ ୨୭,୦୦୦ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇଥିଲା। କିନ୍ତୁ ୩୦,୦୦୦ କର୍ମଚାରୀଙ୍କୁ ଏକାଠି ବାହାର କରିବା, ସେହି ସମୟ ପରେ, ଏଯାବତ୍ ସବୁଠାରୁ ବଡ଼ ଛଣ୍ଟଣି ହେବ।

ପ୍ରତି ୧୦ ଜଣରୁ ଜଣଙ୍କ ଚାକିରି ଯିବ!
କମ୍ପାନୀ ପାଖରେ ବିଶ୍ୱ ସାରା ୧୫.୫ ଲକ୍ଷ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ବଡ଼ ସଂଖ୍ୟକ ଗୋଦାମ ଏବଂ ଡେଲିଭରି ନେଟୱର୍କ ସହ ଜଡ଼ିତ କର୍ମଚାରୀ ଅନ୍ତର୍ଭୁକ୍ତ। ଏହି ଦୃଷ୍ଟିରୁ ୩୦,୦୦୦ ଲୋକ ମୋଟ ସଂଖ୍ୟାର ଏକ ଛୋଟ ଅଂଶ ମାତ୍ର। କିନ୍ତୁ, ଏହି ଛଟେଇର ପ୍ରକୃତ ଏବଂ ଗଭୀର ପ୍ରଭାବ କମ୍ପାନୀର କର୍ପୋରେଟ୍ ଗଠନ ଉପରେ ପଡ଼ିବ। ଆମାଜନ୍ ପାଖରେ ପ୍ରାୟ ୩.୫ ଲକ୍ଷ କର୍ପୋରେଟ୍ କର୍ମଚାରୀ ଅଛନ୍ତି, ଅର୍ଥାତ୍ ଯେଉଁ ଲୋକମାନେ ଅଫିସ୍ରେ ବସି ପରିଚାଳନା, ଟେକ୍ନୋଲୋଜି, ଯୋଜନା ଏବଂ ରଣନୀତି ଭଳି କାମ ସମ୍ଭାଳନ୍ତି। ଏହି ଛଟେଇର ଅର୍ଥ ହେଉଛି କମ୍ପାନୀ ନିଜର ପ୍ରାୟ ୧୦% କର୍ପୋରେଟ୍ କର୍ମଚାରୀଙ୍କୁ କମାଉଛି।

ଏହି ବିଭାଗଗୁଡ଼ିକ ଉପରେ ପଡ଼ିବ ପ୍ରଭାବ

ରୟଟର୍ସର ରିପୋର୍ଟ ଅନୁଯାୟୀ, ଏହି ଛଟେଇ କମ୍ପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ପ୍ରଭାବିତ କରିବ। ଏଥିରେ ମାନବ ସମ୍ବଳ ବିଭାଗ, ଯାହାକୁ ଆମାଜନ୍ ‘ପିପଲ୍ ଏକ୍ସପିରିଏନ୍ସ ଏଣ୍ଡ ଟେକ୍ନୋଲୋଜି’କୁହେ, ଡିଭାଇସ୍ ଏବଂ ସର୍ଭିସେସ୍ (ଯେମିତି ଆଲେକ୍ସା ଏବଂ ଅନ୍ୟ ଗ୍ୟାଜେଟ୍ ତିଆରି କରୁଥିବା ଟିମ୍) ଏବଂ ଅପରେସନ୍ସ ଡିଭିଜନ୍ ଅନ୍ତର୍ଭୁକ୍ତ।

କ’ଣ ଟେକ୍ନୋଲୋଜି ଚାକିରି ନେଉଛି?
କମ୍ପାନୀର ସିଇଓ, ଆଣ୍ଡି ଜେସି, ପୂର୍ବରୁ କହିଥିଲେ ଯେ, କମ୍ପାନୀରେ ବଢ଼ୁଥିବା ବ୍ୟୁରୋକ୍ରେସି ବା ଫାଇଲଚାଷକୁ କମ କରିବା ତାଙ୍କର ଉଦ୍ଦେଶ୍ୟ । ଏହାଠାରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଏହି ବର୍ଷ ଜୁନ୍ରେ ସଙ୍କେତ ଦେଇଥିଲେ ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ବଢ଼ୁଥିବା ବ୍ୟବହାର ଯୋଗୁଁ ଭବିଷ୍ୟତରେ ଆହୁରି ଚାକିରି କମିପାରେ।
ଇମାର୍କେଟରର ବିଶ୍ଲେଷକ ସ୍କାଇ କ୍ୟାନେଭସ୍ ଏହି ଛଟେଇକୁ ସିଧାସଳଖ AI ସହ ଯୋଡ଼ି ଦେଖୁଛନ୍ତି। ତାଙ୍କର ମତରେ, ଆମାଜନ୍ର ଏହି ପଦକ୍ଷେପ ଦର୍ଶାଉଛି ଯେ କମ୍ପାନୀ ଏବେ ନିଜର କର୍ପୋରେଟ୍ ଟିମ୍ଗୁଡ଼ିକରେ AIର ସାହାଯ୍ୟରେ ଉତ୍ପାଦକତା (ପ୍ରୋଡକ୍ଟିଭିଟି) ବଢ଼ାଇବାରେ ବଡ଼ ଅଗ୍ରଗତି ଦେଖୁଛି।