spot_img
Home Blog Page 2737

ଭାରତରେ ନିଜ କାର୍ଯ୍ୟକଳାପ ଅନ୍ତ କଲା ଆଫଗାନିସ୍ତାନ ଦୂତାବାସୀ

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ସମ୍ପର୍କ କ୍ଷେତ୍ରରେ ପୁଣି ଝଟକା । ଭାରତରେ ନିଜର କାର୍ଯ୍ୟକଳାପର ଅନ୍ତ ଘଟାଇଲା ଆଫଗାନିସ୍ତାନ । ଭାରତ ସ୍ଥିତ ଆଫଗାନିସ୍ତାନ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦୂତାବାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ଗଭୀର ଦୁଃଖ, ଅନୁତାପ ଓ ଅବ୍ୟବସ୍ଥିତ ଭାବେ ଏହା କହିବାକୁ ପଡୁଛି ଯେ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନ ଦୂତାବାସ ନିଜର କାର୍ଯ୍ୟକଳାପର ଅନ୍ତ ଘଟାଇଲା । ଭାରତ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମର୍ଥନର ଅଭାବ, ଆଫଗାନିସ୍ତାନର ସ୍ବାର୍ଥ ପୂରଣ ଦିଗରେ ବିଫଳତା, କାରଣରୁ ଭାରତରେ କାର୍ଯ୍ୟ କରିବା ସମ୍ଭବ ନୁହେଁ ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘ ବର୍ଷର ସମ୍ପର୍କ ଥିବାବେଳେ ଦୂତାବାସର ଏହି ନିଷ୍ପତ୍ତି ଚିନ୍ତା ସୃଷ୍ଟି କରିଛି । ଦୂତାବାସ ପକ୍ଷରୁ ଆହୁରି କୁହାଯାଇଛି- ଭାରତ ପକ୍ଷରୁ କୂଟନୈତିକ ସମର୍ଥନ ଦିଆଯାଉ ନଥିବାବେଳେ କାବୁଲରେ ସରକାର ପରିଚାଳନା କରିବା କଷ୍ଟସାଧ୍ଯ ହୋଇଛି । ଉପଯୁକ୍ତ ସଂଖ୍ୟକ କର୍ମଚାରୀ ଓ ସମ୍ବଳର ଅଭାବ, ଭିସା ନବୀକରଣରେ ସମୟାନୁବର୍ତ୍ତିତା ଓ ସମର୍ଥନର ଅଭାବ ଆଦି କାରଣରୁ ନୂଆଦିଲ୍ଲୀରେ ଦୂତାବାସ ପରିଚାଳନା କରିବା ସମ୍ଭବ ନୁହେଁ । ତେବେ ଆଫଗାନ ନାଗରିକଙ୍କ ଲାଗି ଜରୁରୀକାଳୀନ ଦୂତାବାସ ସମ୍ପର୍କିତ ସେବା ଜାରି ରହିବ ।

ନୂଆଦିଲ୍ଲୀରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ ଓ ଅନ୍ଯ କେତେକ ବରିଷ୍ଠ କୂଟନୀତିଜ୍ଞଙ୍କ ସମେତ ମୋଟ ୫ ଜଣ ଅଧିକାରୀ ଦୂତାବାସ ପରିତ୍ୟାଗ କରି ୟୁରୋପ ଓ ଆମେରିକା ଚାଲିଯିବା ସହ ସେଠାରେ ଆଶ୍ରୟ ନେବା ପରଠାରୁ ଏହି ବିବାଦ ବଢିଥିଲା । ଦୂତାବାସକୁ ବନ୍ଦ କରିଦିଆଯିବା ନେଇ ଭାରତର ବୈଦେଶିକ ମନ୍ତ୍ରାଳୟକୁ ଅବଗତ କରାଯାଇଛି ବୋଲି କହିଛନ୍ତି ଦୂତାବାସ କର୍ତ୍ତୃପକ୍ଷ ।

ଏହାସହ ଆଫଗାନିସ୍ତାନର କୂଟନୈତିକ ସ୍ତରରେ ବିବାଦ ଜାରି ରହିଛି ବୋଲି ଭାରତ ଯେଉଁ ଅଭିଯୋଗ କରିଥିଲା ତାହାକୁ ଖଣ୍ଡନ କରାଯାଇଛି । ଗତ ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ପରଠାରୁ ସେଠାରେ ଭାରତ ନିଜର ଦୂତାବାସକୁ ବନ୍ଦ କରିଦେଇଥିଲା । ତେବେ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କ ଦ୍ବାରା ପ୍ରେରିତ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜେ ଓ ଅନ୍ୟ କର୍ମଚାରୀଙ୍କୁ ନୂଆଦିଲ୍ଲୀସ୍ଥିତ ଆଫଗାନ ଦୂତାବାସରେ ରହିବା ଲାଗି ଭାରତ ଅନୁମତି ଦେଇଥିଲା ।

ଅଷ୍ଟ୍ରେଲିଆ ଅଫରକୁ ପ୍ରତ୍ୟାଖାନ କଲେ ଅଶ୍ବିନୀଙ୍କ ଡୁପ୍ଲିକେଟ୍

ନୂଆଦିଲ୍ଲୀ: ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ଭୟରେ । ଟିମ୍ ଅଷ୍ଟ୍ରେଲିଆର ଚିନ୍ତା ବଢ଼ାଇଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ବିଶ୍ବକପ୍ ଦଳରେ ଅଶ୍ବିନୀଙ୍କ ଏଣ୍ଟ୍ରି ପରେ କଙ୍ଗାରୁ ଟିମର ହଜି ଯାଇଛି ନିଦ । ଅଶ୍ବିନୀଙ୍କ ବୋଲିଂଙ୍କୁ ଫେସ କରିବାକୁ ଅଷ୍ଟ୍ରେଲିଆ କରିଥିଲା ଯୋଜନା । ହେଲେ ଏହି ଯୋଜନା ଫେଲ୍ ମାରି ଯାଇଛି । ଆଉ କଙ୍ଗାରୁ ଯୋଜନାରେ ପାଣି ମିଶାଇ ଦେଇଛନ୍ତି ଅଶ୍ବିନୀଙ୍କ ଡୁପ୍ଲିକେଟ୍ ମହେଶ ପିଥିଆ । ଅଷ୍ଟ୍ରେଲିଆ ଟିମ୍ ଦେଇଥିବା ଅଫରକୁ ପ୍ରତ୍ୟାଖାନ କରି ଦେଇଛନ୍ତି ଡାହାଣ ହାତି ଅଫ୍ ସ୍ପିନର ମହେଶ ।

ସୂଚନାଯୋଗ୍ୟ, ଅକ୍ଟୋବର ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ବକପ୍ ଆରମ୍ଭ ହେଉଛି । ସବୁ ଟିମ ଭାରତ ଆସି ସାରିଥିବା ବେଳେ ଓ୍ବାର୍ମ ଅପ୍ ମ୍ୟାଚ ଖେଳୁଛନ୍ତି । ୮ ଅକ୍ଟୋବରରୁ ଭାରତ, ଅଷ୍ଟ୍ରେଲିଆ ବିରୋଧରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ । ଅଶ୍ବିନୀଙ୍କୁ ଫେସ କରିବାକୁ ଅଷ୍ଟ୍ରେଲିଆ ଟିମ୍ ତାଙ୍କ ଡୁପ୍ଲିକେଟ କୁହାଯାଉଥିବା ମହେଶଙ୍କୁ ନେଟ୍ ବୋଲର ଭାବେ ରଖିବାକୁ ନିଷ୍ପତ୍ତି ନେଇଥିଲା ।

ଏଥିପାଇଁ ବରୋଦ୍ରା ଟିମର ଡାହାଣ ହାତି ଅଫ ସ୍ପିନର ମେହଶଙ୍କୁ ଯୋଗାଯୋଗ କରିଥିଲା ଅଷ୍ଟ୍ରେଲିଆ । କାରଣ ମହେଶଙ୍କ ବୋଲିଂ ଆକ୍ସନ ଅଶ୍ବିନୀଙ୍କ ବୋଲିଂ ଆକ୍ସନ ସହ ପ୍ରାୟତଃ ସମାନ । ଏଥିପାଇଁ ମହେଶଙ୍କୁ ଅଶ୍ବିନୀଙ୍କ ଡୁପ୍ଲିକେଟ୍ କୁହାଯାଇଥାଏ । ଅଶ୍ବିନୀ ଭାରତୀୟ ଟିମରେ ସାମିଲ ହେବା କ୍ଷଣି ଅଷ୍ଟ୍ରେଲିଆ ଟିମ୍ ମହେଶଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା ଓ ତାଙ୍କୁ ନେଟ ବୋଲର ଭାବେ ଦଳରେ ସାମିଲ ହେବାକୁ ଅଫର ଦେଇଥିଲା । ହେଲେ ମହେଶ ଅଷ୍ଟ୍ରେଲିଆର ଏହି ଅଫରକୁ ପ୍ରତ୍ୟାଖାନ କରି ଦେବା ସହ ବରୋଦ୍ରା ଟିମ୍ ପାଇଁ ଖେଳିବାକୁ ଅଧିକ ମହତ୍ବ ଦେଇଛନ୍ତି ।

ମହେଶ କହିଛନ୍ତି, ‘ଏହା ଏକ ଭଲ ଅଫର ଥିଲା । ହେଲେ ଆଗକୁ ହେବାକୁ ଯାଉଥିବା ଘରୋଇ ସିଜିନରେ ବରୋଦ୍ରା ଟିମରେ ରହିଛି । ଏ ନେଇ ମୁଁ ବିଚାର କରି ଓ କୋଚଙ୍କ ସହ କଥା ହେବା ପରେ ଅଷ୍ଟ୍ରେଲିଆର ଅଫରକୁ ନା କହି ଦେଲି ।’

ସୂଚନାଯୋଗ୍ୟ, ଗତ ବୋର୍ଡର ଗାଭାସ୍କର ଟ୍ରଫି ସମୟରେ ଅଷ୍ଟ୍ରେଲିଆ ଟିମ ମହେଶଙ୍କ ସହ ଯୋଗାଯୋଗ କରି ତାଙ୍କୁ ନେଟ ବୋଲିର ଭାବେ ହାୟର କରିଥିଲା ।

ବାଚସ୍ପତିଙ୍କୁ ଅସମ୍ମାନ: ସାରା ରାଜ୍ୟରେ ବିଜେପି ବିଧାୟକଙ୍କୁ ବିରୋଧ

କଟକ: ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଅସମ୍ମାନ ଘଟଣାରେ ସାରା ରାଜ୍ୟରେ ବିଜେପି ବିଧାୟକଙ୍କ ବିରୋଧରେ ପ୍ରତିବାଦ । କଟକରେ ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ବିରୋଧ କରାଯାଇଛି । କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ନିକଟରୁ ଆରଡିସିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଛି ପଦଯାତ୍ରା । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।

କେବଳ କଟକ ନୁହେଁ ରାଜଧାନୀ ଭୁବନେଶ୍ବର ଓ ବ୍ରହ୍ମପୁରରେ ବଧ୍ୟ ବିଜେପି ବିଧାୟଙ୍କୁ ବିରୋଧ । ଭୁବନେଶ୍ବରରେ ଦଳିତ ମହାସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ବ୍ରହ୍ମପୁରରେ ମଧ୍ୟ ଦଳିତ ମହାସଂଘ ପକ୍ଷରୁ ବିଜେପି ବିଧାୟକଙ୍କ ବିରୋଧରେ ତୀବ୍ର ପ୍ରତିବାଦ ।

ସ୍ବାଧୀନତା ପରେ ଓଡ଼ିଶାର ପ୍ରଥମ ମହିଳା ଭାବେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ଆସନରେ ବସାଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ମହିଳା ସଶକ୍ତିକରଣକୁ ଗ୍ରହଣ କରିପାରୁନାହିଁ ବିଜେପି । ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କୁ ଅସମ୍ମାନ କରି ବିଜେପି କଳା ଅଧ୍ୟାୟ ସୃଷ୍ଟି କରିଛି । ମହିଳାମାନେ କହିଛନ୍ତି ଗୋଟିଏ ପଟେ କେନ୍ଦ୍ର ସରକାର ସଂସଦରେ ୩୩ ପ୍ରତିଶତ ଆସନ ମହିଳାଙ୍କ ସଂରକ୍ଷଣ ବିଲକୁ ପାସ କରାଇଛନ୍ତି ହେଲେ ରାଜ୍ୟରେ ବିଜେପି ବିଧାୟକ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରୁଛନ୍ତି । ଏଭଳି ଆଚରଣ ପାଇଁ ଦୁଇ ବିଜେପି ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି ।

ସେହିପରି ଗତକାଲି ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା କରି ପ୍ରତିବାଦ ଜଣାଇଥିଲା ମହିଳା ବିଜୁ ଜନତା ଦଳ ହଜାର ହଜାର ମହିଳା ମହମବତୀ ଶୋଭାଯାତ୍ରା କରି ବିଜେପି ବିଧାୟକଙ୍କ ଆଚରଣକୁ ନିନ୍ଦା କରିଥିଲେ । ଗୃହର ଗରିମା ଭାଙ୍ଗି ମହିଳା ବାଚସ୍ପତିଙ୍କୁ ଯେଭଳି ଭାବରେ ଦୁଇ ବିଜେପି ବିଧାୟକ ଅସମ୍ମାନ କଲେ ତାହାକୁ ନିନ୍ଦା କରିଛି ବିଜେଡି ହଜାର ହଜାର ମହିଳା ଏକତ୍ରିତ ହୋଇ ବିଜେପିର ଏଭଳି ଘୃଣ୍ୟ ଆଚରଣକୁ ସମାଲୋଚନା କରିଥିଲେ ।

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୨୦୯ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ଖାଉଟିଙ୍କୁ ଜୋରଦାର ଝଟକା । ବଢ଼ିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ । କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ୧୯ କେଜିର କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହେବ ଏହି ନୂଆ ଦର ।

ମୂଲ୍ୟ ବୃଦ୍ଧି ସହ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ମୂଲ୍ୟ ୧୭୩୧ ଟଙ୍କା ୫୦ ପଇସାରେ ପହଞ୍ଚିଛି । ସେପ୍ଟେମ୍ବର ୧ ତାରିଖରେ ତୈଳ କମ୍ପାନୀ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରିଥିଲେ । ମୂଲ୍ୟ ହ୍ରାସ ପରେ ମୂଲ୍ୟ ୧,୫୨୨ ଟଙ୍କା ହୋଇଥିଲା । ଏହାପୂର୍ବରୁ ଅଗଷ୍ଟରେ ମଧ୍ୟ ତୈଳ କମ୍ପାନୀ ସିଲିଣ୍ଡର ମୂଲ୍ୟ ୯୯ ଟଙ୍କା ୭୫ ପଇସା କମାଇଥିଲେ ।

ଏମିତି ଦୁଇ ମାସରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୫୮ ଟଙ୍କା କମିଥିଲା । ଏହା ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥିଲା । ହେଲେ ସେପ୍ଟେମ୍ବର ପ୍ରଥମ ଦିନରୁ ଦର ବୃଦ୍ଧି ପୁଣି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଏହି ଦର ବୃଦ୍ଧି ବିଭିନ୍ନ ସାମଗ୍ରୀ ଦର ବଢ଼ିବାର କାରଣ ପାଲଟିବ । ଯାହା ପାର୍ବଣରେ ପକେଟ ଉପରେ ଭାରି ପଡ଼ିବ । ବିଶେଷ କରି ଖାଦ୍ୟପେୟ ଉପରେ ଏହାର ଅଧିକ ପ୍ରଭାବ ପଢ଼ିବ । ରେଣ୍ଟୁରାଣ୍ଟରେ ଖାଇବାରେ ଲୋକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

ସୁନ୍ଦରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ୍: ୨୪ ଘଣ୍ଟାରେ ଆଉ ୩ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଆଉ ୩ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ସୁନ୍ଦରଗଡରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ୨୯୫ରେ ।

ସେପଟେ ସୁନ୍ଦରଗଡ଼ରେ ପହଞ୍ଚି ସ୍କ୍ରବ ଟାଇଫସର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍ । ୬ ଜଣିଆ ଟିମରେ କେନ୍ଦ୍ରର ୪ ଜଣ ଓ ରାଜ୍ୟର ୨ ଜଣ ସଦସ୍ୟ ଅଛନ୍ତି । ଜିଲ୍ଲାରେ ସ୍କ୍ରବ ଟାଇଫସ ସ୍ଥିତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ତଦନ୍ତକାରୀ ଟିମ୍ ।

ସ୍କ୍ରବ ଟାଇଫସରେ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଆଇସିୟୁରେ ଚାଲିଛି ଜଣେ ଗୁରୁତରଙ୍କ ଚିକିତ୍ସା । ଏଭଳି ସ୍ଥିତିରେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଓ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ କୁହାଯାଇଛି ।

ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବା ବେଳେ ବିଭିନ୍ନ ଛକ ଓ ହାଟରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।

କ୍ୟାପିଟାଲ ହସ୍ପିଟାଲ ଶିଶୁ ଅଦଳବଦଳ ଘଟଣା: ଆଜି ମାଆବାପା ଓ ନବଜାତର ଡିଏନଏ ଟେଷ୍ଟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ବିବାଦ ଘଟଣା । ୫ ଦିନ ଧରି ଲାଗି ରହିଥିବା ଆରୋପ ଓ ପ୍ରତ୍ୟାରୋପର ହେବାକୁ ଯାଉଛି ଅନ୍ତ । ଆଜି ହେବ ଡିଏନ୍ଏ ଟେଷ୍ଟ । କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ କୋର୍ଟରୁ ଅନୁମତି ଲାଗି ଆବେଦନ କରାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି ।

ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳ ଓ ତାଙ୍କ ପତ୍ନୀ ଏବଂ ନବଜାତ ଶିଶୁର ସାମ୍ପୁଲ ଫରେନସିକ୍ ଲାବରେଟୋରୀ ପକ୍ଷରୁ ସଂଗ୍ରହ କରାଯିବ । ଏହି ଡିଏନ୍ଏ ସାମ୍ପୁଲକୁ ପରୀକ୍ଷା ଲାଗି ପଠାଯିବ । ରିପୋର୍ଟ ଆସିବା ପରେ ଶିଶୁକନ୍ୟା କାହାର ସ୍ପଷ୍ଟ ହୋଇଯିବ । ନବଜାତ ଶିଶୁ ଓ ମା’ ଉଭୟ ସୁସ୍ଥ ଥିବା ଡାକ୍ତରୀ ଟିମ ପକ୍ଷରୁ କୁହାଯାଇଛି । ସେପଟେ କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ତ୍ରୁଟି ଦର୍ଶାଇ ମହିଳା ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଗତ ୨୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀ ଏକ ପିଲାକୁ ଜନ୍ମ ଦେଇଥିଲେ । ପ୍ରାଣକୃଷ୍ଣଙ୍କ ଅଭିଯୋଗ ଅନୁସାରେ, ତାଙ୍କର ପୁଅ ହୋଇଥିବା ସୂଚନା ଦିଆଯାଇଥିଲା । ହେଲେ ପିଲାର ଫଟୋ ଉଠାଇବା ବେଳେ ସେ ପିଲାଟି ପୁଅ ନୁହେଁ ଝିଅ ବୋଲି ଦେଖିବାକୁ ପାଇଥିଲେ । ଏନେଇ ସେ ତା’ ପରଦିନ ଅର୍ଥାତ ୨୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାସହ ଡିଏନଏ ଟେଷ୍ଟ ପାଇଁ ଦାବି ଜଣାଇଥିଲେ ।

ବାନ୍ଧବୀର ଭାବି ସ୍ବାମୀଙ୍କ ପାଖକୁ ଯୁବତୀ ପଠାଇଲେ ଅଶ୍ଳିଳ ଫଟୋ, ତା’ପରେ…

କାନପୁର: କଥାରେ ଅଛି ଶହେ ଶତ୍ରୁଙ୍କଠାରୁ ଜଣେ ବିଶ୍ବାସଘାତକ ସାଙ୍ଗ ଭୟଙ୍କର । ଏହି କଥା କାନପୁରରେ ହୋଇଛି ସତ । ଜଣେ ଯୁବତୀଙ୍କ ବିବାହ ଠିକ ହୋଇ ସାରିଥିବା ବେଳେ ଭାବି ସ୍ବାମୀଙ୍କ ପାଖକୁ ଯୁବତୀଙ୍କ ବାନ୍ଧବୀ ଅଶ୍ଳିଳ ଫଟୋ ପଠାଇ ବାହାଘର ଭାଙ୍ଗିବାକୁ କରିଥିଲେ ଚେଷ୍ଟା । ହେଲେ ଯୁବକ ଜଣଙ୍କ ଉକ୍ତ ଫଟୋକୁ ବିଶ୍ବାସ ନକରି ଭାବି ପତ୍ନୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଏହାସହ ପୋଲିସରେ ଏତଲା ଦେଇଥିଲେ । ଘଟଣା କାନପୁରର ବାଦଶାହୀ ନାକା ଅଞ୍ଚଳର ।

ସୂଚନା ଅନୁସାରେ ଦୁଇ ଯୁବତୀ ଡିଗ୍ରୀ କଲେଜରେ ଏକାଠି ପଢ଼ନ୍ତି । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଥିଲା । ଦେଢ଼ ମାସ ପୂର୍ବରୁ ଜଣଙ୍କର ବିବାହ ଠିକ ହୋଇଥିଲା । ମଙ୍ଗନ କାର୍ଯ୍ୟକ୍ରମରେ ମଧ୍ୟ ଯୁବତୀ ଜଣଙ୍କ ସାମିଲ ହୋଇଥିଲେ । ମଙ୍ଗନ ଉତ୍ସବରେ ଭରପୂର ମଜା ଉଠାଇବା ସହ ସାଙ୍ଗର ବହୁତ ଫଟୋ ଉଠାଇଥିଲେ । ହେଲେ ସେ ଏହି ଫଟୋ କ’ଣ କରିବ ତାହା ତାଙ୍କ ବାନ୍ଧବୀଙ୍କୁ ଜଣା ନଥିଲା ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ସତ ପଦାକୁ ଆସିଥିଲା । ଘଟଣା ଜଣାପଡ଼ିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ହେଲେ ଅଭିଯୋଗ କରିଥିବା ଭାବି ଦମ୍ପତି ଯୁବତୀଙ୍କୁ କ୍ଷମା କରିଦେଇଥିଲେ ।

ଆଗାମୀ ଦୁଇ ଦିନ ସାରା ଓଡ଼ିଶାରେ ପ୍ରବଳ ବର୍ଷା, ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ । ଆଜି ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ଦୁଇଦିନ ଯାଏଁ ସାରା ଓଡିଶାରେ ପ୍ରବଳ ବର୍ଷା । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ।

ଏହାସହ ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଦେବଗଡ, ଢେଙ୍କାନାଳ ଓ ମୟୁରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ସେହିଭଳି ପ୍ରବଳ ବର୍ଷା ନେଇ ଉତ୍ତର-ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ୪ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଓଡିଶାରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ବାର୍ଥ ସାର୍ଟିଫିକେଟ ହେବ ଏକକ ଦସ୍ତାବିଜ: ଏସବୁ କ୍ଷେତ୍ରରେ ହେବ ପ୍ରମାଣପତ୍ର

ନୂଆଦିଲ୍ଲୀ: ଆଜିଠୁ ଜନ୍ମଗତ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ । ଶିକ୍ଷାନୁଷ୍ଠାନରେ ଆଡମିସନ, ବିବାହ ପଞ୍ଜିକରଣ, ଡ୍ରାଇଭର ଲାଇସେନ୍ସ, ସରକାରୀ ଚାକିରି ଆଦି କ୍ଷେତ୍ରରେ ଆବଶ୍ୟକ ହେବ ଜନ୍ମଗତ ପ୍ରମାଣପତ୍ର । ଆଜିଠାରୁ ଲାଗୁ ହେବ ଏହି ନିୟମ ।

କେନ୍ଦ୍ରୀୟ ଯୋଜନା ଓ ସେବା କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଏହା ଆବଶ୍ୟକ ବୋଲି କୁହାଯାଇଛି । ସେପ୍ଟେମ୍ବର ୩୦ରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ଆଇନ ୨୦୨୩ କାର୍ଯ୍ୟକାରୀ ହେବା ପରେ ଏନେଇ ଘୋଷଣା କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ଏହି ଆଇନ କାର୍ଯ୍ୟକାରୀ ହେବା ପଛରେ ରହିଛି କେତେକ କାରଣ । ଏହାଦ୍ବାରା ଦେଶର ଜନସଂଖ୍ୟାଜନିତ ସର୍ଭେ କ୍ଷେତ୍ରରେ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ସହାୟକ ହେବ । ପଞ୍ଜିକୃତ ଜନ୍ମ-ମୃତ୍ୟୁ ନେଇ ଏକ ଜାତୀୟ ଡାଟାବେସ ପ୍ରସ୍ତୁତିରେ ବି ଏହା ସହାୟକ ହେବ । ରାଜ୍ୟ ଦ୍ବାରା ନିଯୁକ୍ତ ଚିଫ ରେଜିଷ୍ଟ୍ରାର ଓ ରାଜ୍ୟ ଦ୍ବାରା ନିଯୁକ୍ତ ଆଞ୍ଚଳିକ ରେଜିଷ୍ଟ୍ରାରଙ୍କ ନିକଟରେ ବି ତଥ୍ୟ ରହିବ । ରାଜ୍ୟସ୍ତରରେ ବି ଏକ ଡାଟାବେସ ରହିବ । ଏହି ଡାଟାବେସରେ ଅଣପ୍ରତିଷ୍ଠାନ ଭିତ୍ତିକ ପୋଷ୍ୟ ସନ୍ତାନ ଗ୍ରହଣ, ସରୋଗାସୀ, ଅବିବାହିତା ମାତାଠାରୁ ଜାତ ସନ୍ତାନ ଆଦିଙ୍କ ତଥ୍ୟ ରହିବ । ଜାତୀୟ ସ୍ତରରେ ଜନସଂଖ୍ୟା ରେଜିଷ୍ଟର, ଭୋଟର ତାଲିକା, ରାସନ କାର୍ଡ ଆଦି କ୍ଷେତ୍ରରେ ଏହି ଜାତୀୟ ଡାଟାବେସ ବି ପ୍ରସ୍ତୁତ ହେବ ।

ଆଜିଠୁ ଅନଲାଇନ ଗେମ୍ ହେବ ମହଙ୍ଗା

ନୂଆଦିଲ୍ଲୀ: ଅନଲାଇନ ଗେମ୍ ଉପରେ ଲାଗୁଛି ହେଉଛି ୨୮ ପ୍ରତିଶତ ଜିଏସଟି । ଆଜିଠୁ ମହଙ୍ଗା ହେବ ଅନଲାଇନ୍ ଗେମ୍ । ଏହାସହ କାଜିନୋ ଓ ହର୍ସ ରେସିଙ୍ଗ ଉପରେ ନୂତନ ଜିଏସଟି ହାର ଲାଗୁ ହେଉଛି । ଗତ ଜୁଲାଇ ଏବଂ ଅଗଷ୍ଟରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଅନଲାଇନ୍ ଗେମିଂ, କାଜିନୋ ଓ ହର୍ସ ରେସିଙ୍ଗ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ପରିପ୍ରେକ୍ଷୀରେ ସଂଶୋଧନ ମଧ୍ୟ ଗତ ମାସରେ ସଂସଦ ଦ୍ବାରା ପାରିତ ହୋଇଛି । ଏହା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅନଲାଇନ୍ ଗେମିଂ, କାଜିନୋ ଓ ହର୍ସ ରେସିଙ୍ଗ ଉପରେ ଜିଏସଟି ହାରର ସମୀକ୍ଷା ଛଅ ମାସ ପରେ କରାଯିବ  । ତେବେ ଜିଏସଟି ଲାଗୁ ବ୍ୟବସାୟ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଗେମିଂ କମ୍ପାନୀ କହିଛନ୍ତି ।