ବାରିପଦା: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ।ସାତ ମହଲା ବିଲ୍ଡିଂରେ ଲାଗିଛି ନିଆଁ । ମହିଳା ଓ ଶିଶୁ ବିଭାଗର ୭ ମହଲା ବିଲ୍ଡିଂର ତୃତୀୟ ମହଲାରେ ଥିବା ଓଟିରେ ଅଗ୍ନିକାଣ୍ଡ। ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।ଅଗ୍ନିଶମ ବିଭାଗ ପକ୍ଷରୁ ଉଧାର କାର୍ଯ୍ୟ ଜାରି। କାହାରି କିଛି କ୍ଷତି ହୋଇନଥିବା ସୁଚନା।
ଦୋମୁହାଁ, ଲୋଭୀ, କ୍ଷମତା ପିପାସୁ ବ୍ଲାକମେଲରଙ୍କ ନାଁ ଖୋଜିଲେ ମିଳିବ ସୌମ୍ୟଙ୍କ ଉଦାହରଣ: ଅନୁଭବ
ଭୁବନେଶ୍ବର: ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ନାଁ ନନେଇ ବର୍ଷିଲେ ଖଣ୍ଡପଡା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ସୌମ୍ୟଙ୍କ ବଦଳୁଥିବା ରୂପକୁ ନେଇ ସେ ତୀବ୍ର ସମାଲୋଚନା କରିଛନ୍ତି। ଜନ୍ମଦିନରେ ସୌମ୍ୟଙ୍କୁ ସତ କହିବାକୁ ଅନୁଭବ କହିଛନ୍ତି। ବାରମ୍ବାର ସମ୍ପାଦକୀୟ ମାଧ୍ୟମରେ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି ସୌମ୍ୟ। ୨୦୧୯ରେ ରାଜ୍ୟସଭା ସାଂସଦ ଥିବା ବେଳେ ବିଧାୟକ ଟିକେଟ ପାଇଁ ନବୀନ ନିବାସରେ ଯୋଡହସ୍ତରେ ଅନୁରୋଧ କରିଥିଲେ ସୌମ୍ୟ। ଯେଉଁ ୧୦ଜଣ ଏହାର ସାକ୍ଷୀ ଥିଲେ ତା ମଧ୍ୟରୁ ଅନୁଭବ ପଟ୍ଟନାୟକ ଜଣେ ବୋଲି କହିଛନ୍ତି ।
ଏନେଇ ଟୁଇଟ କରିଛନ୍ତି ଅନୁଭବ ପଟ୍ଟନାୟକ। ସେହିପରି ଚାଲୁଣୀ କହୁଛି ଛୁଞ୍ଚିକୁ କହି ସମାଲୋଚନା କରିଛନ୍ତି। ଯେବେ ରାଜ୍ୟ ରାଜନୀତି ଇତିହାସରେ ଦୋମୁହାଁ, ଲୋଭୀ, କ୍ଷମତା ପିପାସୁ ବ୍ଲାକମେଲରଙ୍କ ନାଁ ଖୋଜାଯିବ, ସେତେବେଳେ ସୌମ୍ୟ ଭଲ ଉଦାହରଣ ସାଜିବେ ବୋଲି ଅନୁଭବ କହିଛନ୍ତି। ଜନ୍ମଦିନରେ ସୌମ୍ୟରଂଜନ ପଟ୍ଟନାୟକ ଆତ୍ମସମୀକ୍ଷା କରି ଭଲ ମଣିଷ ହେବାକୁ କହିଛନ୍ତି ଅନୁଭବ କହିଛନ୍ତି। ପୂର୍ବରୁ ଜୁନ୍ ୨୫ରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ବି ବର୍ଷିଥିଲେ ଅନୁଭବ। ମନ୍ତ୍ରୀ ପଦ ପାଇବା ପାଇଁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଥିବା ଅନୁଭବ ପଟ୍ଟନାୟକ କହିଥିଲେ।
ସୌମ୍ୟବାବୁଙ୍କୁ ଜଣେ ସ୍ବାର୍ଥପର ବ୍ୟକ୍ତି ବୋଲି ଆକ୍ଷେପ କରିବା ସହ ଅତୀତରେ ସେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବିଜେପିରୁ କଂଗ୍ରେସ, କଂଗ୍ରେସରୁ ଏନସିପି ଏବଂ ଏନସିପିରୁ ପୁଣି କଂଗ୍ରେସକୁ ଫେରିଥିବା କହିଥିଲେ। ପରବର୍ତ୍ତୀ ସମୟରେ ନିଜେ ଗୋଟିଏ ଦଳ ଗଠନ କରିଥିଲେ ଓ ତାକୁ ଛାଡି ବିଜେଡିରେ ଯୋଗଦେଇଥିଲେ । ଏସବୁ ଅନୁଭବ ଦର୍ଶାଇଥିଲେ। ସୌମ୍ୟବାବୁ ବିଜେପିରେ ଯୋଗଦେବା ପାଇଁ ସମ୍ଭବତଃ ବ୍ୟଗ୍ର ବୋଲି ବି କହି କଟାକ୍ଷ କରିଥିଲେ ଅନୁଭବ ପଟ୍ଟନାୟକ। ଏଥିସହ ସୌମ୍ୟ ଜଣେ ଅକୃତଜ୍ଞ ନେତା ବୋଲି କହି ମଧ୍ୟ ଆକ୍ଷେପ କରିଥିଲେ।
RJD ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା
ନୂଆଦିଲ୍ଲୀ: RJD ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା । ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାରେ ତଳ କୋର୍ଟ ପ୍ରଭୁନାଥଙ୍କୁ ଖଲାସ କରିଥିଲେ । ଏହାପରେ ପାଟନା ହାଇକୋର୍ଟ ମଧ୍ୟ ପ୍ରଭୁନାଥଙ୍କୁ ନିର୍ଦ୍ଦୋଷ ଦର୍ଶାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ପ୍ରଭୁନାଥଙ୍କୁ ଦୋଷୀ ସାବ୍ୟସ୍ତ କରି ଆସନ୍ତା ସେପ୍ଟେମ୍ବର ୧ ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେପ୍ଟେମ୍ବର ୧ରେ ପ୍ରଭୁନାଥ କୋର୍ଟରେ ହାଜର ହେବା ପାଇଁ ସୁପ୍ରିମକୋର୍ଟ ବିହାର ଡିଜି ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭୁନାଥ ଏବେ ଆଉ ଏକ ହତ୍ୟା ମାମଲାରେ ହଜାରିବାଗ ଜେଲରେ ସଜା କାଟୁଛନ୍ତି ।
ବିହାରର ମହାରାଜଗଞ୍ଜ ଲୋକସଭା ଆସନରୁ ତିନି ଥର ଜେଡିୟୁ ଓ ଥରେ ଆରଜେଡି ଟିକେଟରେ ସାଂସଦ ହୋଇଛନ୍ତି ପ୍ରଭୁନାଥ । ୧୯୯୫ରେ ମସରଖର ଏକ ମତଦାନ କେନ୍ଦ୍ର ନିକଟରେ ୪୭ ବର୍ଷୀୟ ପୋଲିସ କର୍ମୀ ଓ ୧୮ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି । ପ୍ରଭୁନାଥଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଏହି ଦୁଇ ଜଣ ଭୋଟ ଦେଇନଥିବାରୁ ଦୁହିଁଙ୍କୁ ହତ୍ୟା କରାଯାଇଥିଲା ।
ସେହିପରି ମସରଖର ବିଧାୟକ ଅଶୋକ ସିଂଙ୍କୁ ୧୯୯୫ରେ ହତ୍ୟା କରାଯାଇଥିଲା । ଅଶୋକ ସିଂ ନିର୍ବାଚନରେ ପ୍ରଭୁନାଥଙ୍କୁ ହରାଇ ଥିବାରୁ ସେତେବେଳେ ସେ ଧମକ ଦେଇଥିଲେ ତିନି ମାସ ମଧ୍ୟରେ ଅଶୋକ ସିଂଙ୍କୁ ହତ୍ୟା କରାଯିବ । ଏହି ମାମଲାରେ ପ୍ରଭୁନାଥ ଏବେ ସଜା କାଟୁଛନ୍ତି ।
କୁକୁର ପାଇଁ ଦୁଇଜଣଙ୍କୁ ଗୁଳିକରି ହତ୍ୟା
ନନ୍ଦିଘୋଷ ବ୍ୟୁରୋ: କୁକୁର ପାଇଁ ଦୁଇଜଣଙ୍କୁ ଗୁଳିକରି ହତ୍ୟା । ମଧ୍ୟପ୍ରଦେଶ ଇନ୍ଦୋରରେ ଅଭାବନୀୟ ଘଟଣା । ପୋଷା କୁକୁରକୁ ନେଇ ଅଭିଯୁକ୍ତ ରାଜପାଲ ରାଜାଓ୍ବତ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରାଜପାଲ ଘରୁ ଏକ ବନ୍ଧୁକ ଆଣି ପଡ଼ୋଶୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ରାଜପାଲ ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତି । ପୋଲିସ ତାଙ୍କୁ ଗିରଫ କରିବା ସହ ଲାଇସେନ୍ସପ୍ରାପ୍ତ ବନ୍ଧୁକ ପୋଲିସ ଜବତ କରିଛି ।
ଚନ୍ଦ୍ରର ଡାର୍କ ସାଇଡର ପ୍ରଥମ ଛବି ପଠାଇଲା ଋଷ ସ୍ପେସକ୍ରାଫ୍ଟ ଲୁନା-୨୫
ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠର ପ୍ରଥମ ଛବି ପଠାଇଲା ଋଷ ସ୍ପେସକ୍ରାଫ୍ଟ ଲୁନା-୨୫ । ବିଶେଷ କରି ପୃଥିବୀକୁ ଦୃଶ୍ୟମାନ ହେଉ ନଥିବା ଅନ୍ଧାର ପାର୍ଶ୍ବ ଅର୍ଥାତ ଡାର୍କ ସାଇଡର ଫଟୋ ପଠାଇଲା ଲୁନା-୨୫ । ଏସଟିଏସ-ଏଲ ଟେଲିଭିଜନ କମ୍ପ୍ଲେକ୍ସକୁ ବ୍ୟବହାର କରାଯାଇ ଏହି ଇମେଜ କ୍ୟାପଚର କରାଯାଇଛି । ମହାକାଶ ଇତିହାସ କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ବୋଲି କୁହାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା କ୍ରେଟର ଜିମାନର ଏହି ଫଟୋ ପଠାଇଛି ଲୁନା-୨୫ । ଚନ୍ଦ୍ରର ଅନ୍ଧାର ପାର୍ଶ୍ବ କୁହାଯାଉଥିବା ଡାର୍କ ସାଇଡ ସ୍ଥାୟୀ ଭାବେ ପୃଥିବୀର ଦୃଶ୍ୟ ଗୋଚର ହୋଇନଥାଏ । ପୃଥିବୀରୁ ସାଧାରଣତଃ ଜିମାନ କ୍ରେଟର ଦୃଷ୍ଟିଗୋଚର ହୋଇ ନଥାଏ ।
ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା
ପାଟନା: ବିହାର ଅରରିଆରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ଏକ ଖବରକାଗଜ ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ୪ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ବିମଳ ନିଜ ଘରେ ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଫାୟାରିଂ କରିଥିଲେ। ବିମଳଙ୍କ ଛାତିରେ ଏକାଧିକ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସାମ୍ବାଦିକଙ୍କ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଓ ସ୍ଥାନୀୟ ସାଂସଦ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି ।
ଥମୁନି ହିଂସା, ଜଳୁଛି ମଣିପୁର
ନନ୍ଦିଘୋଷ ବ୍ୟୁରୋ: ସାଢ଼େ ତିନି ମାସ ଧରି ଜଳୁଛି ମଣିପୁର । କୁକୀ-ମିତେଇ ବିବାଦକୁ ନେଇ ଜଳୁଛି ପୂରା ରାଜ୍ୟ । ଆଜି ସକାଳୁ ଉଖରୁଲ ଜିଲ୍ଲାର କୁକୀ ଗାଁରେ ଆଖିବୁଜା ଫାୟାରିଂ ହୋଇଥିବା ବେଳେ ତିନି କୁକୀ ପ୍ରତିନିଧିଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀ ଓ ଗ୍ରାମବାସୀଙ୍କ ଦ୍ବାରା ବହୁ ଖୋଜାଖୋଜି ପରେ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ମେ ୩ ତାରିଖରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଲାଗି ରହିଥିବା ବେଳେ ଦେଢ଼ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଚି । ୩ହଜାର ଲୋକ ଆହତ, ଗୁରୁତର ହୋଇଛନ୍ତି । ପ୍ରାୟ ୬୦ ହଜାର ଲୋକଙ୍କ ଘର ଜଳାଇ ଦିଆଯାଇଥିବା ବେଳେ ସେମାନେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ସେପଟେ ହିଂସାଗ୍ରସ୍ତ ରାଜ୍ୟର ସ୍ଥିତି ସମୀକ୍ଷା ପାଇଁ ଆଜିଠୁ ତିନି ଦିନିଆ ମଣିପୁର ଗସ୍ତରେ ଯାଇଛନ୍ତି ସିପିଆଇଏମର ୪ ଜଣିଆ ସଦସ୍ୟ । ସାଧାରଣ ସମ୍ବାଦକ ସୀତାରାମ ୟେଚୁରୀରେ ନେତୃତ୍ବରେ ଚାରି ଜଣିଆ ଟିମ୍ ମଣିପୁର ଗସ୍ତ କରିଛନ୍ତି । ମଣିପୁର ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି ସିପିଆଇଏମ ନେତା ବିନୟ ବିଷ୍ଣୋଇ ।
ବନ୍ଧା ହେଲେ ନକଲି ସୂଚନା ଅଧିକାର କର୍ମୀ
ଭୁବନେଶ୍ବର: ରାଜଧାନୀରୁ ବନ୍ଧା ହେଲେ ନକଲି ସୂଚନା ଅଧିକାର କର୍ମୀ। ଚାକିରି ଆଶାୟୀ, କ୍ରଶର ଲାଇସେନ୍ସ,, ମଦ ଲାଇସେନ୍ସ,, ବଦଳି ଓ ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଠକେଇର ମାଷ୍ଟର ମାଇଣ୍ଡ କିଶୋର ମିଶ୍ରକୁ ଭୁବନେଶ୍ୱରରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ପରେ କୋରାପୁଟ ଏସଡିଜେଏମରେ କରାଗଲା ହାଜର । କିଶୋର ମିଶ୍ର ଗ୍ୟାଙ୍ଗରେ ରାଜ୍ୟ ତମାମ ଲୋକ ସଂପୃକ୍ତ ଥିବା ସୁରାକ ପାଇଛି ଏସଟିଏଫ୍ । କିଶୋରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ଗ୍ୟାଙ୍ଗରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ । ଗତ ୨ରୁ ୩ବର୍ଷ ମଧ୍ୟରେ ତାଙ୍କ ଆକାଉଣ୍ଟରେ ୨କୋଟିରୁ ଅଧିକ ଜମା ହୋଇଛି । ଯାହାର ଆକାଉଣ୍ଟ ଷ୍ଟେଟମେଣ୍ଟ ପାଇଛି ପୋଲିସ ।
ଡମ୍ପରକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍
ବାରିପଦା: ଡମ୍ପରକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ୧୮ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ନଣ୍ଡାଶୋଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ’ବାସୁଦେବ’ ନାମକ ଏକ ଯାତ୍ରୀବାହୀ ବସ ବାଲେଶ୍ଵରରୁ ବାରିପଦା ଆସୁଥିବା ବେଳେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ମୋକିମଙ୍କ ପାଇଁ ବଢ଼ିଲା ଅଡୁଆ
କଟକ: ବିଧାୟକ ମହମ୍ମଦ ମୋକିମଙ୍କ ଭିଜିଲାନ୍ସ କୋର୍ଟ ରାୟ ଉପରେ ହାଇକୋର୍ଟରୁ ରହିତାଦେଶ ପାଇବା ମାମଲା । ମେଟ୍ରୋ ବିଲଡର୍ସ ମାମଲାରେ ଭିଜିଲାନ୍ସ ଜେଲ ଦଣ୍ଡ ସହ ସଭ୍ୟ ପଦ୍ଦ ରଦ୍ଦ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ରଙ୍କ କୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି । ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ସହିତ ଏହାର ପରିସମାପ୍ତି ଘଟାଇଛନ୍ତି କୋର୍ଟ । ଏହିପରି ମାମଲାର ଶୁଣାଣି ପାଇଁ ଜଣିକିଆ ସ୍ୱତନ୍ତ୍ର ବେଞ୍ଚ ଗଠନ କରାଯାଇଥିବା କୋର୍ଟ ଅବଗତ କରାଇବା ସହିତ କେସର ପରିସମାପ୍ତି ଘଟାଇଛନ୍ତି । ମୁଖ୍ୟ ବିଚାରପତି ସୁଭାଶିଷ ତାଳପତ୍ରଙ୍କ କୋର୍ଟରେ ଆଜି ଏହାର ଶୁଣାଣି ହୋଇଥିଲା । ମେଟ୍ରୋ ବିଲ୍ଡର୍ସ ମାମଲାରେ ଭିଜିଲାନ୍ସ ୩ ବର୍ଷ ସଜା ଶୁଣାଇଥିଲେ ।
ଏହା ଉପରେ ମୋକିମ ରହିତାଦେଶ ଆଣିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୨୨ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ଏହା ପରବର୍ତ୍ତୀ ସମୟରେ ଆଉ ତାଲିକାଭୁକ୍ତ ହୋଇପାରିନଥିଲା । ତେବେ ମାମଲାର ତ୍ବରିତ ବିଚାରପାଇଁ ଡାକ୍ତର ରବି ରଂଜନ ସାହୁଙ୍କ ସହ ତିନି ଜଣ ବ୍ୟକ୍ତି ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଯାହାର ଆଜି ଶୁଣାଣି କରି କୋର୍ଟ ଜଣିକିଆ ସ୍ବତନ୍ତ୍ର ବେଞ୍ଚ ଗଠନ କରାଯାଇଥିବା କହି କେସର ଅନ୍ତ ଘଟାଇଛନ୍ତି । ଅନ୍ୟପଟେ ଏହି ମାମଲାର ୬ ମାସ ମଧ୍ୟରେ ଶୁଣାଣି ସରିବ ବୋଲି କୋର୍ଟ ଆଶା କରିଛନ୍ତି ।

