ଚେନ୍ନାଇ: ଏସିଆନ ଚାମ୍ପିଆନ୍ସ ଟ୍ରଫି ହକି 2023 । ଚତୁର୍ଥ ଥର ପାଇଁ ଭାରତ ଚାମ୍ପିଆନ । ଫାଇନାଲରେ ମାଲେସିଆକୁ 4-3 ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଜିତିଛି ଭାରତ । ହାଫ ଟାଇମ ସୁଦ୍ଧା 3-1 ଗୋଲରେ ପଛୁଆ ଥିବା ଭାରତ ଦ୍ଵିତୀୟ ହାଫରେ ଦମଦାର କମବ୍ୟାକ କରିଥିଲା । ମ୍ୟାଚର 45 ମିନିଟରେ ପେନାଲଟି ସୁଟ ଆଉଟରେ ଅଧିନାୟକ ହରମନପ୍ରୀତ ଭାରତର ଦ୍ଵିତୀୟ ଗୋଲ ସ୍କୋର କରିବା ସହ ଭାରତକୁ କମବ୍ୟାକ କରାଇଥିଲେ । ଏହା ପରେ ଗୁରଯନ୍ତ ସିଂ ଏକ ଗୋଲ ସ୍କୋର କରି ମ୍ୟାଚରେ ଭାରତକୁ ବରାବର କରାଇଥିଲେ । ମ୍ୟାଚର 56 ମିନିଟରେ ଆକାଶଦୀପ ସିଂ ଗୋଲ ସ୍କୋର କରିବା ସହ ଭାରତକୁ ବିଜୟୀ କରିଥିଲେ । ମାଲେସିଆ ପକ୍ଷରୁ ଚତୃର୍ଥ ଗୋଲ ଦେବା ପାଇଁ ବାରମ୍ବାର ଚେଷ୍ଟା କରାଯାଉଥିଲେ ମଧ୍ୟ ବିଫଳ ହୋଇଥିଲେ ।
ଏକାମ୍ର ହାଟଠାରେ ‘ବୟନିକା’ ପକ୍ଷରୁ ସ୍ୱତନ୍ତ୍ର ଫେସନ ସୋ’ ଅନୁଷ୍ଠିତ
ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଅଗଷ୍ଟ ୭ ତାରିଖ ଠାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ ନବମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହେଉଛି । ଏହି ଅବସରରେ ଆମର ବୟନ ପରଂପରା ଓ ସଂସ୍କୃତିକୁ ସମ୍ମାନ ଜଣାଇବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିଛି । ଆଉ ମଧ୍ୟ ପୁରୁଷାନୁକ୍ରମେ ସେମାନଙ୍କର ଅନନ୍ୟ ଦକ୍ଷତା ଓ ସୃଜନଶୀଳତା ପାଇଁ ବୁଣାକାରମାନଙ୍କୁ ସହାୟତା ଓ ସମର୍ଥନ ମିଳିପାରୁଛି । ଆମ ରାଜ୍ୟର ଉତ୍କୃଷ୍ଟ ହସ୍ତତନ୍ତ ପରଂପରା ଲକ୍ଷଲକ୍ଷ ବୁଣାକାରମାନଙ୍କ ଜୀବନ ଜୀବିକାରେ ସହାୟକ ହୋଇପାରିଛି ।
ଆମର ହସ୍ତତନ୍ତ ପରଂପରାର ଗୁରୁତ୍ୱ ସମ୍ପର୍କରେ ସଚେତନତା ଜାଗ୍ରତ ସହିତ ଦେଶର ସାମାଜିକ-ଅର୍ଥନୈତିକ ଉନ୍ନତିରେ ସହାୟକ ହେବା ଉଦ୍ଦେଶ୍ୟରେ ‘ବୟନିକା’ ପକ୍ଷରୁ ଯୁବବର୍ଗ ନିମନ୍ତେ ପାରଂପାରିକ ପୋଷାକ, ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଉଛି । ଆଜି ଏକାମ୍ର ହାଟଠାରେ ‘ବୟନିକା’ ପକ୍ଷରୁ ଏକ ସ୍ୱତନ୍ତ୍ର ଫେସନ ସୋ’ ଅନୁଷ୍ଠିତ ହୋଇଯାଇଛି । ଏହି ଫେସନ୍ ସୋ’ର ବିଷୟ ବସ୍ତୁ ରହିଛି ‘ଥ୍ରେଡ୍ସ ଅଫ୍ ଟ୍ରାଡିସନ୍’ ।
ଆଜି ସଂଧ୍ୟାରେ ଆୟୋଜିତ ଫେସନ୍ ସୋ’କୁ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନସଚିବ ଉଷା ପାଢୀ, ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ନେସ୍ନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକ୍ନୋଲୋଜିର ନିର୍ଦ୍ଦେଶକ ରାଜେଶ କୁମାର ଝା, ବୟନିକାର ପରିଚାଳନା ନିର୍ଦ୍ଦେଶକ ତଥା ହସ୍ତତନ୍ତ ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।
୨୦୨୪ ନିର୍ବାଚନରେ ଏକାକୀ ଲଢ଼ି ବିଜେଡି ପୁଣିଥରେ ବଡ଼ ବିଜୟ ଲାଭ କରିବ: ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ଏଥର ବି ଏକାକୀ ଲଢିବ ବିଜେଡି । ୨୦୨୪ ନିର୍ବାଚନରେ ବିଜେଡି ପୁଣିଥରେ ବଡ଼ ବିଜୟ ଲାଭ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ମନସ୍ଥ କରିସାରିଛନ୍ତି । ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏକାକୀ ନିର୍ବାଚନ ଲଢିବ ଓ ଷଷ୍ଠଥର ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟରେ ମେଣ୍ଟ ରାଜନୀତି ନେଇ ହେଉଥିବା ଚର୍ଚ୍ଚାକୁ ଦୃଢ ଭାବରେ ଖଣ୍ଡନ କରିଛନ୍ତି ଅନ୍ୟ ବିଜେଡି ନେତା । ୨୦୦୯ ମସିହାରୁ ବିଜେଡି ଏକାକୀ ନିର୍ବାଚନ ଲଢି ପ୍ରତ୍ୟେକ ନିର୍ବାଚନରେ ଓଡ଼ିଶାବାସୀଙ୍କ ଆର୍ଶୀବାଦରେ ବଡ଼ ବିଜୟ ଲାଭ କରୁଛି । ଏଥର ବି ଏକାକୀ ଦଳ ନିର୍ବାଚନ ଲଢିବ ବୋଲି ଦଳୀୟ ନେତାମାନେ ସ୍ପଷ୍ଟ କରିଛନ୍ତି । ରାଜ୍ୟର ସ୍ବାର୍ଥ ପାଇଁ କେନ୍ଦ୍ରକୁ ବିଜେଡି କେତେବେଳେ ସମର୍ଥନ ଦେଇଛି ତ କେତେବେଳେ ବିରୋଧ କରୁଛି । ଯାହାକି ସଂଘୀୟ ବ୍ୟବସ୍ଥାର ଏକ ପ୍ରକ୍ରିୟା ବୋଲି ବିଜେଡି ନେତା କହିଛନ୍ତି ।
ଅନୱର-ଉଲ-ହକ ହେବେ ପାକିସ୍ତାନର ୮ମ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ
ଇସଲାମାବାଦ: ପାକିସ୍ତାନରେ ସଂସଦ ଭଙ୍ଗ ପରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି । ଏହାରି ଭିତରେ ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଘୋଷଣା ହୋଇଛନ୍ତି । ଅନଓ୍ବର ଉଲ ହକ୍ କାକରଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ବିରୋଧୀ ଦଳ ନେତା ରାଜା ରିୟାଜ ଅନଓ୍ବରଙ୍କ ନାଁରେ ମୋହର ମାରିଛନ୍ତି । ରାଷ୍ଟ୍ରପତିଙ୍କ ପାଖକୁ ତାଙ୍କ ନାଁ ସୁପାରିଶ କରାଯାଇଥିଲା । ରାଷ୍ଟ୍ରପତି ଆରିଫ ଆଲଭି ତାଙ୍କ ନାଁରେ ମୋହର ମାରିଛନ୍ତି । ବାଲୁଚିସ୍ଥାନ ଆବାମୀ ପାର୍ଟିର ସାଂସଦ ଅନଓ୍ବର ଉଲ ହକ୍ ଚଳିତ ବର୍ଷ ଶେଷରେ ହେବାକୁ ଥିବା ନିର୍ବାଚନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ । ଗତ ୯ ତାରିଖରେ ସଂସଦ ଭଙ୍ଗ କରିଥିଲେ ସେହେବାଜ ସରିଫ । ସମ୍ବିଧାନ ଅନୁସାରେ ଏଭଳି ସ୍ଥିତିରେ ୯୦ ଦିନରେ ସାଧାରଣ ନିର୍ବାଚନ ହେବ । ଆଗାମୀ ପ୍ରଧାନମନ୍ତ୍ରୀ ଅନଓ୍ବରଙ୍କ ନାଁରେ ଅନେକ ଦୁର୍ନୀତି ଅଭିଯୋଗ ରହିଛି । ଏଭଳି କ୍ଷେତ୍ରରେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବାକୁ ନେଇ ଅନେକ ବିବାଦ ଆରମ୍ଭ ହେଲାଣି ।
ଆସିଲାନି ବସ୍, ରିକ୍ସାରେ ଗଲେ ଖେଳାଳି
କୋଲକାତା: କ୍ରିକେଟ ଖେଳାଳିଙ୍କୁ ଭାରତରେ ଅନେକ ସୁବିଧା ସୁଯୋଗ ଦିଆଯାଇଥାଏ । ଏପରକି ଖେଳାଳିଙ୍କ ଗାଡ଼ି ପଡ଼ିଆକୁ ଯିବାବେଳେ ସାଧାରଣ ଲୋକଙ୍କ ଗାଡ଼ି ଚଳାଚଳ ମଧ୍ୟ କିଛି ସମୟ ଲାଗି ବନ୍ଦ ରହିଥାଏ । ମାତ୍ର ଫୁଟବଲ ଖେଳାଳି ବସ ପାଇଁ ଅପେକ୍ଷା କରିଥିଲେ । ବସ ଆସିବାରେ ବିଳମ୍ବ ହେବାରୁ ଖେଳାଳିମାନେ ରିକ୍ସାରେ ଯାଇଥିବାର ଦୃଶ୍ୟ ନଜରକୁ ଆସିଛି । କୋଲକାତାରୁ ଏଭଳି ଏକ ଖବର ସାମନାକୁ ଆସିବାପରେ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦୁରାଣ୍ଡ କପ ୨୦୨୩ ଆରମ୍ଭ ହେବାକୂ ଥିବାବେଳେ ଜଣାଶୁଣା ଫୁଟବଲ କ୍ଲବ ଇଷ୍ଟ ବେଙ୍ଗଲର ଖେଳାଳିମାନେ ରିକ୍ସା ଯାଇଥିବା ଦେଖିବାକୁ ମିଳିଛି । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଖେଳାଳିମାନେ ପଡ଼ିଆରେ ଅଭ୍ୟାସ ପାଇଁ ବାହାରିଥିଲେ ସୁଦ୍ଧା ବସ ଠିକ ସମୟରେ ଆସି ପହଞ୍ଚି ନଥିଲା । ଶେଷରେ ଖେଳାଳିମାନେ ରିକ୍ସା ଏବଂ ଓଲା ଉବେର ବୁକ କରି ପଡ଼ିଆରେ ପହଞ୍ଚଥିଲେ । କୋଚ ଏବଂ ଅନ୍ୟ ଖେଳାଳିମାନେ ଏହି ଘଟଣାକୁ ନେଇ ରାଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ସ୍କୁଲରେ ପାଠପଢ଼ା ବେଳେ ବଜ୍ରପାତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ
ପାଟକୁରା: ପାଠପଢ଼ା ଚାଲିଥିବାବେଳେ ବଜ୍ରପାତ । ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗରଦପୁର ବ୍ଲକ କୁଦାନଗରୀ ସରକାରୀ ହାଇସ୍କୁଲରେ ହୋଇଛି ବଜ୍ରପାତ । ଏହି ସ୍କୁଲରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ଆଜି ଅପରାହ୍ଣରେ ଅକସ୍ମାତ ହୋଇଥିଲା ବଜ୍ରପାତ । ବଜ୍ରପାତରେ ଆହତ ଛାତ୍ରଛାତ୍ରୀଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବଜ୍ରାଘାତରେ ସମସ୍ତ ବିଦ୍ୟୁତ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି । ଜରୁରୀକାଳୀନ ଭିତ୍ତିରେ ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।
ବିକ୍ରି ହେବାକୁ ଯାଉଛି ଗରୀବଙ୍କ ଔଷଧ କମ୍ପାନୀ ସିପଲା, ଦୌଡ଼ରେ ବିଦେଶୀ କମ୍ପାନୀ
ନୂଆଦିଲ୍ଲୀ: ବିକ୍ରି ହେବାକୁ ଯାଉଛି ଦେଶର ତୃତୀୟ ବୃହତମ ଫାର୍ମା କମ୍ପାନୀ ସିପଲା । ୧.୨ ଲକ୍ଷ କୋଟି ଟଙ୍କାର ଏହି କମ୍ପାନୀକୁ ଏକ ବିଦେଶୀ କମ୍ପାନୀମାନେ କିଣିବା ପାଇଁ ଆଗେଇ ଆସିଛନ୍ତି । ଏହି ଦୌଡ଼ର ଆଗରେ ରହିଛି ବ୍ଲାକେଷ୍ଟାନ କମ୍ପାନୀ । ମନି କେଣ୍ଟ୍ରାଲ ରିପୋର୍ଟ ଅନୁଯାୟୀ ବ୍ଲାକେଷ୍ଟାନ କମ୍ପାନୀ ଏଲ.ପି ସହ ମିଶି ସିପଲାକୁ କିଣିବାର ଯୋଜନା କରୁଛନ୍ତି । ଯଦିଓ ଏଯାବତ ସିପଲାକୁ ବିକ୍ରି ହୋଇନାହିଁ ତଥାପି ଆଗାମୀ ଦିନରେ ବିକ୍ରି ହେବାର ସମ୍ଭାବନା ରହିଛି ।
ସିପଲା ହେଉଛି ଭାରତର ପୁରାତନ ଫାର୍ମା କମ୍ପାନୀ । ଏହା ଲାଭ ଅପେକ୍ଷା ଗରୀବ ଲୋକଙ୍କ ପାଇଁ କମ ଟଙ୍କାରେ ଔଷଧ ଯୋଗାଇଥାଏ । ତେବେ ଏହି କମ୍ପାନୀରେ ଖ୍ବାଜା କମ୍ପାନୀର ୩୩.୪୭ ପ୍ରିଶତ ଭାଗ ରହିଛି । ଏବଂ ସେମାନେ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି । ୧୯୩୫ ମସିହାରୁ ଆରମ୍ଭ ହୋଇଥିଲା ସିପଲା କମ୍ପାନୀ । ସ୍ବାଧିନତା ପୂର୍ବରୁ ଆରମ୍ଭ ହୋଇଥିବା କମ୍ପାନୀ ଯଦି ବିକ୍ରି ହୁଏ ତାହେଲେ ଏହା ଭାରତୀୟଙ୍କ ହାତରୁ ବିଦେଶୀଙ୍କ ହାତକୁ ଚାଲିଯିବ । ଏହି କମ୍ପାନୀ ବିକ୍ରି ହେବାର ମୁଖ୍ୟ କାରଣ ହେଉଛି ଉତରାଧିକାରୀଙ୍କ ଅଭାବ । ଭଲ ଲାଭ କରୁଥିବା ସିପଲା ବିକ୍ରି ହେବା ଖବରକୁ ଅନେକ ବିଶ୍ବାସ କରୁନାହାନ୍ତି । ସେପଟେ ବିକ୍ରି ହେବା ଖବର ପ୍ରଚାର ହେବାପରେ କମ୍ପାନୀର ସେୟାର ବଢ଼ିବାରେ ଲାଗିଛି ।
୧୯୩୫ ମସିହାରେ ଖ୍ବାଜା ଅବଦୁଲ୍ଲ ହମିଦଙ୍କ ଦ୍ବାରା ଏହି କମ୍ପାନୀ ଆରମ୍ଭ ହୋଇଛି । ୧୯୭୨ ମସିହାରେ ଖ୍ବାଜା ଅବଦୁଲ୍ଲଙ୍କ ମୃତ୍ୟୁ ପରେ ୟୁସୁଫ ହମିଦ ଦାୟିତ୍ବ ନେଇଥିଲେ । ମାତ୍ର ବୟାଧଆକ କାରଣରୁ ବୋହୂ ସମିଲା ହାମିଦଙ୍କୁ ଦାୟିତ୍ବ ଦେଇଥିଲେ । ୨୦୧୫ ମସିହାରୁ ସେ ଏହି ଦାୟିତ୍ବ ନେଇ ଚଳାଉଥିବାବେବଳ ତିନି ପିଢ଼ି ଧରି କମ୍ପାନୀ ଚଳାଉଛନ୍ତି । ସେ ଏବେ କମ୍ପାନୀର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷା ଅଛନ୍ତି । ତାଙ୍କ ପରେ ଆଉ କମ୍ପାନୀ ସମ୍ଭାଳିବାକୁ କେହି ନାହାନ୍ତି । ଏଣୁ କମ୍ପାନୀ ଏହାର ସେୟାରକୁ ବିକିବା ପାଇଁ ଚାହୁଁଛନ୍ତି ।
ଶୁଭଲକ୍ଷ୍ମୀ ସାହୁ ଡେଥ୍ ମିଷ୍ଟ୍ରି, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ
ଭୁବନେଶ୍ୱର: ଶୁଭଲକ୍ଷ୍ମୀ ସାହୁ ଡେଥ୍ ମିଷ୍ଟ୍ରି । ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ। ସିସିଟିଭି ଫୁଟେଜରେ ଶେଷଥର ପାଇଁ ଶୁଭଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିଛି । ଭିଡିଓଟି ଅଗଷ୍ଟ ୨ ତାରିଖ ଅପରାହ୍ନ ୪ଟା ୧୩ ମିନିଟର । ଭିଡିଓଟି ଦୀପାଲି ହୋଟେଲର। ହୋଟେଲକୁ ପ୍ରବେଶ କରୁଛନ୍ତି ଶୁଭଲକ୍ଷ୍ମୀ। ସାଙ୍ଗରେ ବଡ ବଡ ଦୁଇଟି ବ୍ୟାଗ୍ ଅଛି । ଏହି ବ୍ୟାଗକୁ ଦୁଇ ଜଣ ହୋଟେଲ କର୍ମଚାରୀ ବୋହି ବୋହି ନେଉଛନ୍ତି । ପାହାଚରେ ଚଢି ଯାଉଛନ୍ତି ଶୁଭଲକ୍ଷ୍ମୀ । ଆଗେ ଆଗେ ହୋଟେଲର କର୍ମଚାରୀ ଯାଉଛନ୍ତି । ଶୁଭଲକ୍ଷ୍ମୀ ଏହି ସମୟରେ କାହା ସହ ଫୋନରେ କଥା ହେଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।
ବକ୍ସ ଅଫିସରେ ରଜନୀକାନ୍ତଙ୍କ ‘ଜେଲର’ର ଜଲୱା ଜାରି, ଦୁଇ ଦିନରେ ହିଁ ୧୫୦ କୋଟି କଲେକ୍ସନ
ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପଟେ ସନୀ ଦେଓଲଙ୍କ ଗଦ୍ଦର-୨ ଓ ଅକ୍ଷୟ କୁମାରଙ୍କ OMG-2 ସିନେମାଘରରେ କମାଲ କରୁଛନ୍ତି । ସେହିପରି ଏହି ଦୁଇ ଫିଲ୍ମଠାରୁ ଗୋଟେ ଦିନ ପୂର୍ବେ ଥିଏଟର୍ସରେ ଝଡ଼ ନେଇ ଆସିଥିବା ରଜନୀକାନ୍ତଙ୍କ ଜେଲର ମଧ୍ୟ ଧମାଲ କରୁଛି । ରଜନୀକାନ୍ତ ଏହି ଫିଲ୍ମ ଜରିଆରେ ଦୁଇ ବର୍ଷ ପରେ ଥିଏଟର୍ସକୁ ଫେରିଛନ୍ତି । ଜେଲର ପୂର୍ବରୁ ତାଙ୍କର ଫିଲ୍ମ ପେଟ୍ଟା, ଦରବାର ଏବଂ ଅନ୍ନାଥେ ବକ୍ସ ଅଫିସରେ ସେତେଟା ଖାସ୍ ପ୍ରଦର୍ଶନ କରିନଥିଲେ ।
ଜେଲରରେ ରଜନୀକାନ୍ତଙ୍କ ମାସ୍ ଅବତାର ଫାର୍ଷ୍ଟ ଲୁକରୁ ହିଁ ନଜର ଆସିବାକୁ ଲାଗିଥିଲା ଏବଂ ଫ୍ୟାନ୍ସ ଫିଲ୍ମରୁ ଧମାକାଦାର ଆକ୍ସନ ଏଣ୍ଟରଟେନମେଣ୍ଟର ଆଶା ରଖିଥିଲେ । ଏହି ଆଶା ଅନୁଯାୟୀ ରାଜନୀକାନ୍ତଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ଗଦ୍ଦର-୨ ଏବଂ OMG-୨ ଠୁ ଗୋଟେଦିନ ପୂର୍ବେ ଗୁରୁବାର ଜେଲର ଥିଏଟର୍ସରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ହିଁ ଭାରତରେ ୪୮ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଥିବା ଏହି ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର କଲେକ୍ସନ କରିଛି । ଇଣ୍ଡିଆଠୁ ନେଇ ୟୁଏସ୍ ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଜଲୱା ବକ୍ସ ଅଫିସରେ ରହିଛି ।
ଦୁଇ ଦିନରେ ହିଁ ଜେଲରର ଧୂଆଁଧାର କଲେକ୍ସନ ପ୍ରମାଣିତ କରିଦେଇଛି ଯେ ୭୨ ବର୍ଷୀୟ ରଜନୀକାନ୍ତ ଏବେବି ବକ୍ସ ଅଫିସ କିଙ୍ଗ ଅଟନ୍ତି । ପାଞ୍ଚଟି ଭାଷାରେ ରିଲିଜ ହୋଇଥିବା ଜେଲରକୁ ସବୁଠି ଭଲପାଇବା ମିଳୁଛି । ଉତ୍ତର ଭାରତରେ ଗଦ୍ଦର-୨ ଏବଂ OMG-2 ପାଇଁ ଜେଲରକୁ ଅଧିକ ଶୋ’ ମିଳିନାହିଁ । ହେଲେ ଦିଲ୍ଲୀ ଏନସିଆର ଭଳି ସ୍ଥାନରେ ଫିଲ୍ମର ଯେତିକି ବି ଶୋ ରହିଛି ସେଥିରେ ହାଉସଫୁଲ୍ ଦେଖାଯାଇଛି । ରାଜନୀକାନ୍ତଙ୍କ ଫିଲ୍ମ ଜେଲର ପ୍ରଥମ ଦିନରେ ହିଁ ୱାର୍ଲୱାଇଡ୍ ବକ୍ସ ଅଫିସରେ ୯୫.୭୮ କୋଟି ଟଙ୍କାର ଗ୍ରସ କଲେକ୍ସନ କରିଥିଲା ।
ଏବେ ରିପୋର୍ଟ କହୁଛି ଯେ ରଜନୀକାନ୍ତଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ୱାର୍ଲୱାଇଡ ୫୬ କୋଟିର କଲେକ୍ସନ କରିଛି । ଅର୍ଥାତ ଦୁଇଦିନରେ ୧୫୦ କୋଟିରୁ ଅଧିକ ଆୟ କରିଛି ଫିଲ୍ମ । ଗୁରୁବାର ଧମାକାଦାର ଓପନିଂ କରିଥିବା ଜେଲର ଶନିବାର ଏବଂ ରବିବାର ମଧ୍ୟ ଧୂଆଁଧାର କଲେକ୍ସନ କରିବ ବୋଲି ଅନୁମାନ କରାଯାଉଛି । ଭାରତରେ ଜେଲର ପ୍ରଥମ ଦିନରେ ୪୮ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୬ କୋଟି ଟଙ୍କା ଆୟ କରିଛି । ଭାରତରେ ଦୁଇଦିନରେ ମୋଟ ୭୪ କୋଟି ଟଙ୍କା କଲେକ୍ସନ ହୋଇଛି । ଶନିବାର ଅର୍ଥାତ ଆଜି ୩୦ ରୁ ୩୨ କୋଟି ଟଙ୍କା କଲେକ୍ସନ ହେବା ନେଇ ଆଶଙ୍କା କରାଯାଉଛି ।

