ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ମାଷ୍ଟରପଡ଼ାରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ବାମୀଙ୍କ ବିୟୋଗ ପରେ ସ୍ତ୍ରୀ ଓ ଦୁଇ ପିଲା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷ ପିଇ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ଲୋକ ଚିତ୍କାର ଶୁଣି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମାଆଝିଅ ସୁସ୍ଥ ଥିବାବେଳେ ପୁଅ ଗୁରୁତର ଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ ୪ଦିନ ତଳେ ଅର୍ଜୁନ ସାହୁଙ୍କର ଅକାଳ ମୃତ୍ୟୁ ହୋଇଥିଲା । ପରେ ପୁଅ ଓ ଝିଅଙ୍କ ସହିତ ମାଆ ମାନସିକ ଅବସାଦରେ ରହୁଥିଲେ । ମାନସିକ ଅବସାଦରୁ ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ବର୍ଷକର ପିଲା ବାରମ୍ବାର କାନ୍ଦିବାରୁ ଗଳା ଚିପି ମାରି ଦେଲା ଦାଦା
ସୋନିପତ: ହରିୟାଣା ସୋନିପତ ଜିଲ୍ଲା ବାରୋତ ଗାଁରୁ ଆସିଛି ଏକ ଦୁଃଖଦ ଖବର । ବର୍ଷର ଶିଶୁ ବାରମ୍ବାର କାନ୍ଦିବାରୁ ତା’ର ଗଳା ଚିପି ହତ୍ୟା କରିଛି ନିଜ ଦାଦା । ହତ୍ୟା କରିବା ପରେ ଶବକୁ ପାଖରେ ଥିବା ଏକ କ୍ଷେତରେ ପକାଇ ଦେଇଥିଲା । ପିଲାକୁ ଘରେ ନପାଇ ତା’ ମାଆ ସପନାଙ୍କ ସନ୍ଦେହ ହୋଇଥିଲା । ଏହାପରେ ସେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଅଭିଯୁକ୍ତ ଦାଦା ପବନକୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପୋଲିସ ସୂଚନା ଅନୁସାରେ ବିହାର ମୋତିହାରୀ ବାସିନ୍ଦା ସପନା ପିଲା ଦିନରୁ ଅନାଥ ଥିଲେ ଓ ମାମୁଙ୍କ ପାଖରେ ରହୁଥିଲେ । ମାମୁ ଉତ୍ତର ପ୍ରଦେଶର ରାହୁଲଙ୍କ ସହ ତାଙ୍କ ବିବାହ କରାଇ ଦେଇଥିଲେ । ସେମାନଙ୍କର ୪ଟି ପିଲା ଥିଲେ । ରାହୁଲ ସବୁବେଳେ ତାଙ୍କୁ ମାଡ଼ ମାରୁଥିଲେ । ରାହୁଲ ଦିନ ମଜୁରିଆ କାମ କରୁଥିବା ବେଳେ ଲୁଧିଆନାରେ ରହୁଥିଲେ । ୬ ମାସ ପୂର୍ବରୁ ସପନା ପିଲାଙ୍କୁ ଧରି ତାଙ୍କ ପାଖକୁ ରହିବାକୁ ଆସିଥିଲେ । ହେଲେ ରାହୁଲ ତାଙ୍କୁ ଓ ପିଲାଙ୍କୁ ଛାଡ଼ି ନିଜ ଭାଉଜଙ୍କ ପାଖରେ ରହିବାକୁ ଲାଗିଥିଲା । କିଛିଦିନ ପିଲାଙ୍କୁ ଧରି ଭଡ଼ା ଘରେ ରହୁଥିଲେ । ଏହାପରେ ଲୁଧିଆନା ରେଲଓ୍ବେ ଷ୍ଟେସନରେ ଭିକ୍ଷାବୃତ୍ତି କରି ପିଲାଙ୍କୁ ପାଳୁଥିଲେ ।
ପ୍ରାୟ ଦୁଇ ମାସ ପୂର୍ବରୁ ଭିକ ମାଗିବା ବେଳେ ଜଣେ ମହିଳାଙ୍କ ସହ ତାଙ୍କ ଭେଟ ହୋଇଥିଲା । ସେ ତାଙ୍କ ଭଣଜା ବିକି ସହ ବାହାଘର କରାଇ ଦେବାକୁ କହିଥିଲେ । ଏହାପରେ ସପନା ୪ ପିଲାଙ୍କୁ ଧରି ବାରୋତ ଚାଲି ଯାଇଥିଲେ ଓ ବିକିଙ୍କୁ ବିବାହ କରିଥିଲେ । କିଛିଦିନ ମଧ୍ୟରେ ବିକିଙ୍କ ଅବିବାହିତ ଭାଇ ପବନ ସହ ତାଙ୍କର ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା ।
ସପନା ପୋଲିସକୁ କହିଛନ୍ତି, ତାଙ୍କ ବର୍ଷକର ପୁଅ ଯେତେବେଳେ କାନ୍ଦୁଥିଲା ପବନ ରାଗି ଯାଉଥିଲା ଓ ମାରି ଦେବାକୁ ଧମକ ଦେଉଥିଲା । ସେପ୍ଟେମ୍ବର ୯ରେ ପୁଅକୁ ଶାଶୁଙ୍କ ରୁମରେ ଶୁଆଇ ଦେଇଥିଲି । କିଛି ସମୟ ପରେ ଦେଖିଲି ପୁଅ ସେଠାରେ ନଥିଲା । ମୋର ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦେଇଥିଲି ।
ଜି-୨୦ ସମ୍ମିଳନୀ: ଦୁନିଆ ଜାଣିଲା କୋଣାର୍କ ଚକ୍ରର କାହାଣୀ
ନୂଆନିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଏକାଠି ହୋଇଛନ୍ତି ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରନେତା । ଦିଲ୍ଲୀରେ ହେଉଥିବା ଏହି ସମ୍ମିଳନୀ ଉପରେ ରହିଛି ସାରା ବିଶ୍ବର ନଜର । ଜି-୨୦ ମାଧ୍ୟମରେ ସାରା ଦୁନିଆ ଜାଣୁଛି ଶତାବ୍ଦୀ ଶତାବ୍ଦୀ ପୁରୁଣା ଭାରତୀୟ ସଂସ୍କୃତି, ଜ୍ଞାନ, ବୁଦ୍ଧିମତା ଓ ପ୍ରାଚୀନ ଭାରତର ଯୋଗଦାନ ସମ୍ପର୍କରେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବ ନେତାଙ୍କୁ ଆଧୁନିକ ଓ ପ୍ରାଚୀନ ଭାରତ ସମ୍ପର୍କରେ କରିଛନ୍ତି ଅବଗତ । ଏହି କ୍ରମରେ ଓଡ଼ିଶାର କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ଚକ୍ର ସମ୍ପର୍କରେ ଜାଣିବାକୁ ବିଶ୍ବ ନେତାଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା । ଏହାସହ ପ୍ରାଚୀନ ନାଳନ୍ଦା ବିଶ୍ବ ବିଦ୍ୟାଳୟ ଏବଂ ସାବରମତୀ ଆଶ୍ରମ ସମ୍ପର୍କରେ ମଧ୍ୟ ଅବଗତ ହୋଇଛନ୍ତି ।
କୋଣାର୍କ ଚକ୍ରର ମହତ୍ବ ଜାଣି ଆଶ୍ଚର୍ଯ୍ୟ ହେଲେ ବିଶ୍ବନେତା
ବିଶ୍ବ ନେତା ଜାଣିଥିଲେ କୋଣାର୍କ ଚକ୍ରର ମହତ୍ବ । ଏହା କେମିତି ସମୟକୁ ଦର୍ଶାଇଥାଏ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ବାଇଡେନଙ୍କଠାରୁ ଆରମ୍ଭ କରି ଋଷି ସୁନକ ଓ ଅନ୍ୟ ନେତା । କୋଣାର୍କ ଚକ୍ରକୁ ଜୀବନର ଗାଡ଼ି ବୋଲି କୁହାଯାଇଥାଏ । ଏହାର ସମୟର ଗତି ସହ କାଳଚକ୍ର ଓ ପ୍ରଗତୀ ଏବଂ ନିରନ୍ତର ପରିବର୍ତ୍ତନର ପ୍ରତୀକ ବୋଲି ଜାଣିବାକୁ ପାଇଥିଲେ ବିଶ୍ବନେତା ।
ବୁଲିଲା କଟୁରୀ ଓ ଭୁଜାଲି: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଦୁର୍ବୃତ୍ତ
ସୋର: ଦିନ ଦ୍ବିପ୍ରହରରେ ସୋର ବରଫ ଛକରେ ବୁଲିଲା କଟୁରୀ ଓ ଭୁଜାଲି । ଲହୁ ଲୁହାଣ ହେଲେ ଯୁବକ । ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଭିଯୋଗ ଅନୁସାରେ, ସୋର ବରଫ ଛକରେ ଖଣ୍ଡାସାହିର ଗଣେଶ ସିଂଙ୍କୁ ପୁରୁଣା ବାଲେଶ୍ବରର ଦୁଇ ଜଣ ଯୁବକ କଟୁରୀ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ଗଣେଶ ଚିତ୍କାର କରିବା ସହ ଦୌଡୁ ଥିବା ବେଳେ ଯୁବକ ଦ୍ବୟ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଦେଶୀମଦ କିଣା ବିକାକୁ ନେଇ ଝଗଡ଼ା ହୋଇଥିବା ଜଣାପଡ଼ିଛି । ଆକ୍ରମଣ ପରେ ଅଭିଯୁକ୍ତ ଦ୍ବୟ ଫେରାର ହୋଇଯାଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବିଜେଡିରେ ରହି ସୌମ୍ୟ ବିଜେଡିକୁ ବଦନାମ କରିବା ଗ୍ରହଣୀୟ ନୁହେଁ: ଅମର
ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମାଲୋଚନା । ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ, ତାହା ସମସ୍ତେ ଜାଣିଛନ୍ତି ବୋଲି କହି ଆକ୍ଷେପ କରିଛନ୍ତି ଅମର । ସେ କହିଛନ୍ତି, ‘ସୌମ୍ୟଙ୍କ ଆଭିମୁଖ୍ୟ କ’ଣ ସମସ୍ତେ ଜାଣନ୍ତି ? ଦଳ ବିରୋଧରେ ସୌମ୍ୟ ବାରମ୍ବାର କ’ଣ ପାଇଁ ମନ୍ତବ୍ୟ ଦେଉଛନ୍ତି ? ବିଜେଡିରେ ରହି ବିଜେଡିକୁ ବଦନାମ କରିବା ପାଇଁ ସୌମ୍ୟ ଅପଚେଷ୍ଟା କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ, ଓଡ଼ିଶାବାସୀ କେବେ ବି ସୌମ୍ୟଙ୍କୁ ବରଦାସ୍ତ କରିବେ ନାହିଁ ।’

