ସମ୍ବଲପୁର: ସମ୍ବଲପୁର ପୋଲିସକୁ ସଫଳତା । କ୍ଷେତରାଜପୁର ଅଞ୍ଚଳରେ ଫେକ ଆକାଉଣ୍ଟ ତିଆରି କରି ଜାଲିଆତି କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଲୋକଙ୍କ ସହ ଠକୁଥିଲେ । ବିଲ୍ଡିଂ ପ୍ଲାନିଂ ଆପ୍ରୁଭାଲ ପାଇଁ କାଗଜପତ୍ର ଜାଲିଆତି କରି ଟଙ୍କା ନେଉଥିଲେ । ଏହାସହ ନକଲି ସିଲ୍ ତିଆରି କରି ବ୍ୟବହାର କରୁଥିଲେ । ୩ କୋଟି ୩୧ ଲକ୍ଷ ଜବତ କରିଛି ସମ୍ବଲପୁର ପୋଲିସ । ଏମାନେ ସମ୍ବଲପୁର ସହରର ୫୪ ଜଣଙ୍କୁ ଠକିଥିଲେ ।
କଟକ ମାଲଗୋଦାମରେ CMC ଏନଫୋର୍ସମେଣ୍ଟ ଟିମର ଚଢ଼ାଉ
କଟକ : କଟକ ମାଲଗୋଦାମରେ CMC ଏନଫୋର୍ସମେଣ୍ଟ ଟିମ କରିଛି ଚଢ଼ାଉ । ନକଲି ଓ ଅପମିଶ୍ରିତ ହଳଦୀ, ଲଙ୍କାଗୁଣ୍ଡ ମାନ ଜବତ ହୋଇଛି ।
ପ୍ରାୟ ୩ କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି । କଟକରେ ବି. ପାଣ୍ଡବ ନାମକ ବ୍ୟକ୍ତି ଜଣଙ୍କ ଏହି ନକଲି କାରବାର ଚଳାଇଥିଲେ। ନକଲି ଓ ଅପମିଶ୍ରିତ ହଳଦୀ, ଲଙ୍କାଗୁଣ୍ଡ ମାନ ଜବତ କରିବା ପରେ ଗୋଦାମକୁ ସିଲ କଲା ସିଏମସି ଏନଫୋର୍ସମେଣ୍ଟ ଟିମ୍ ।
ରାହୁଲଙ୍କ ଲଦାଖ ଟ୍ରିପ୍, ଆଜି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିବା କାର୍ଯ୍ୟକ୍ରମ
ଲଦାଖ: ଲଦାଖ ଗସ୍ତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବାଇକର୍ସଙ୍କ ସହ ରାଇଡ ପରେ ଲେହ ମେନ୍ ମାର୍କେଟରେ ବୁଲିବା ସହ ସେନାର ବହୁ ପୂର୍ବତନ ଅଧିକାରୀଙ୍କୁ ଭେଟିଛନ୍ତି ରାହୁଲ । ସ୍ଥାନୀୟ ଏକ ରେଷ୍ଟୁରାଣ୍ଟରେ ପୂର୍ବତନ ସେନା ଅଧିକାରୀଙ୍କ ସହ ରାହୁଲ ତ୍ରିରଙ୍ଗା ଉଡାଇବା ପରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଲେହ ମାର୍କେଟରେ ପୂର୍ବତନ ସେନା ଅଧକାରୀଙ୍କୁ ଭେଟିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବାର ଭିଡିଓ କଂଗ୍ରେସ ଅଫିସିଆଲ ସୋସିଆଲ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ଆଜି ରାହୁଲ ଗାନ୍ଧୀ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଗତ ଗୁରୁବାରଠାରୁ ରାହୁଲ ଲଦାଖ ଗସ୍ତରେ ଯାଇଥିବା ବେଳେ ଆସନ୍ତା ୨୫ ତାରିଖରେ ଫେରିବା କାର୍ଯ୍ୟକ୍ରମ ରହିଛି ।
ଛାତ୍ର ମୃତ୍ୟୁ ପାଇଁ ୪ ଶିକ୍ଷକ ସସପେଣ୍ଡ, ନୂଆ ଶିକ୍ଷକଙ୍କୁ ପାଠପଢ଼ା ଦାୟିତ୍ବ
ନୂଆପଡା: ନୂଆପଡ଼ା ବୋଡେନ ବୁଢାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀ ଛାତ୍ରର ନାଳରେ ବୁଡି ମୃତ୍ୟୁ ଘଟଣା । ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ । ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀଙ୍କ ସମେତ ଶିକ୍ଷକ କିଶୋର ସାହୁ ଓ ଦୁଇ ଶିକ୍ଷୟିତ୍ରୀ ହିଙ୍ଗୁଳା ମାଝୀ, ଲୋଚନେ ବେହେରାଙ୍କୁ ସସପେଣ୍ଡ କରିଛି । କାର୍ଯ୍ୟରେ ଅବହେଳା ନେଇ ନିଲମ୍ବିତ କରିଛି ଜିଲ୍ଲା ଶିକ୍ଷା ବିଭାଗ । ସ୍କୁଲରେ ଶିକ୍ଷାଦାନ ପାଇଁ ନୂଆ ୪ ଜଣ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇ କହିଛନ୍ତି । ସେହିପରି ଜିଲ୍ଲାରେ ଥିବା ସମସ୍ତ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଦାୟିତ୍ୱକୁ ଠିକ ଭାବରେ ତୁଲାଇବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ବୁଢାପଡା ଗାଁର ରୁଦ୍ର ମାଧବ ଜଗତ ଓ ସବିତା ଜଗତଙ୍କ ପୁଅ କେଶବ ଜଗତ ବିଦ୍ୟାଳୟକୁ ଯାଇଥିଲେ । ଖାଇବା ଛୁଟି ପରେ ସେ କିଛି ଛାତ୍ରଙ୍କ ସହ ନିକଟରେ ଥିବା ଏକ ନାଳକୁ ଯାଇଥିଲେ । ସେଠାରେ ନାଳ ପାଣିରେ ବୁଡିଯାଇଥିଲେ କେଶବ । ଖବର ପାଇ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ଓ ପିଲାମାନେ ନାଳକୁ ଯାଇ ଛାତ୍ରକୁ ଉଦ୍ଧାର କରିଥିଲେ । ପରିବାର ଲୋକେ ନାଳ ନିକଟକୁ ଯାଇ କେଶବଙ୍କୁ ଖଡ଼ିଆଳ ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହାପରେ ପରିବାର ଲୋକେ ଓ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସ୍କୁଲ ଘେରାଉ ସହ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ଓ ସହକର୍ମୀଙ୍କୁ ସ୍କୁଲରେ ତାଲା ପକାଇ ଦେଇଥିଲେ ଏବଂ ଖଡ଼ିଆଳ-ବୋଡେନ ରାସ୍ତା ଅବରୋଧ କରିଥିଲେ । ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କୁ ନିଲମ୍ବନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ବିଭାଗୀୟ ଅଧିକାରୀ ତଦନ୍ତ କରି ୪ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।
ପରଲୋକରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ , ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ।
ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ ଭାବରେ ସେ ସାମାଜିକ ବିକାଶରେ ମଧ୍ୟ ମହତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି। ତାଙ୍କର ତ୍ୟାଗପୂତ ସରଳ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟମର୍ଯ୍ୟାଦା ସହ ସମ୍ପର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

