spot_img
Home Blog Page 2852

କଟକର ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକରେ ଲାଗିଛି ଏକପ୍ରକାର ପ୍ରତିଯୋଗିତା । କିଏ କେତେ ଶୈଳୀରେ ସଜାଇ ମାଆଙ୍କ ପୂଜା କରିବାକୁ ଚାଲିଛି ପ୍ରସ୍ତୁତି । ଚଳିତବର୍ଷ କଟକ ସହରରେ ଚାନ୍ଦିମେଢ ସଂଖ୍ଯା ୩୦ ଟପିଛି । ବିଡାନାସୀ ପୂଜା ମଣ୍ଡପରେ ଚାନ୍ଦିମେଢ ସଫା ଓ ପଲିସ୍ କାମ ଆରମ୍ଭ ହୋଇଛି । ୧୫ ଦିନ ମଧ୍ଯରେ କାରିଗରମାନେ ସଫା କାମ ସାରିବା ପରେ ୨ କ୍ବିଣ୍ଟାଲ ୬୫ କେଜି ଚାନ୍ଦିରେ ନିର୍ମାଣ ହେବ ମାଆଙ୍କ ମେଢ ।

ଆସୁଛନ୍ତି ମହାମାୟା । ସୁନା ଚାନ୍ଦିରେ ଝଟକିବେ ମାଆ । କଟକର ସବୁ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର । କଟକ ଦୁର୍ଗାପୂଜାର ପରିଚୟକୁ ଆଗକୁ ନେଇଛି ସୁନ୍ଦର ସୁନ୍ଦର ଚାନ୍ଦି ମେଢ । ଚଳତବର୍ଷ ସହରରେ ୩ଟି ନୂଆ ଚାନ୍ଦି ମେଢ ହେଉଥିବାରୁ ଏହି ସଂଖ୍ଯା ୩୦ ଟପିଛି । ଦୁର୍ଗାପୂଜାକୁ ନଜରରେ ରଖି ମଣ୍ଡପ ଗୁଡିକ ଚାନ୍ଦି ମେଢ ଓ ଆଭୁଷଣ ସଫା ତଥା ପଲିସ୍ କାମ ଆରମ୍ଭ କରି ଦେଇଛନ୍ତି । ବିଡାନାସୀ ଦୁର୍ଗାପୂଜା କମିଟି ଜଣାଶୁଣା କାରିଗରମାନଙ୍କୁ ନେଇ ଚାନ୍ଦି ସଫେଇ କରୁଛି । ଦୁଇ କ୍ବିଣ୍ଟାଲ ୬୫ କେଜି ଚାନ୍ଦିରେ ତିଆରି ମେଢର ପଲିସ୍ କାମରେ ୬ ଜଣ କାରିଗର ୧୫ ଦିନ ଧରି ଲାଗିଛନ୍ତି ।

୧୯୯୨ରୁ ବିଡାନାସୀ ପୂଜା କମିଟି ଦୁର୍ଗାପୂଜା କରି ଆସୁଥିବା ବେଳେ 2୨୦୧୯ରେ  ପ୍ରଥମ କରି ଚାନ୍ଦିମେଢ ଉଦଘାଟିତ ହୋଇଥିଲା । ଚଳିତବର୍ଷ ଏହି ଚାନ୍ଦିମେଢ ପୂର୍ଣ୍ଣାଙ୍ଗ ହୋଇ ଶୋଭା ପାଇବ । ପ୍ରତିବର୍ଷ ପୂଜା କମିଟିର କର୍ମକର୍ତ୍ତା ନୂଆ ନୂଆ କିଛି ଚାନ୍ଦି ଆଭୁଷଣ ଗଢି ମେଢର ଶୋଭାକୁ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି ।

 

ଦଶହରାରେ ମନମୋହିବ କାଚ ମେଢ଼

କଟକ: ପାଖେଇ ଆସୁଛି ଦଶହରା । ସୁନା ଚାନ୍ଦିରେ ଝଟକିବ ସିଲଭର ସିଟି । କିଏ କେତେ ପ୍ରକାର ମେଢ କରି ମାଆଙ୍କୁ କରିବେ ଆରାଧନା । ଚଳିତ ବର୍ଷ ଶୋଭା ପାଇବ ଏକ ଭିନ୍ନ ଧରଣର ମେଢ । ସୁନା ଚାନ୍ଦିର ଚମକ ଭିତରେ ପ୍ରଥମ କରି କଟକ ରାଉସା ପାଟଣାରେ ସମସ୍ତଙ୍କ ଆକର୍ଷଣ ସାଜିବ କାଚ ମେଢ ।କଟକରେ ଏବେ ଶାରଦୀୟ ମାହୋଲ ।

ସୁନା, ଚାନ୍ଦିରେ ଚମକିକବ ବାଣିଜ୍ୟ ନଗରୀ କଟକ । ସୁସଜ୍ଜିତ ମେଢ ସାଙ୍ଗକୁ ଆଲୋକମାଳାରେ ଝଟକିବ ମଣ୍ଡପ । ଏଥିପାଇଁ ସୁନା ଚାନ୍ଦି ସଫେଇ ଓ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର । ନୂଆ ନୂଆ ଡିଜାଇନ ସାଙ୍ଗକୁ ଆକର୍ଷଣିୟ ମେଢ କରି ଲୋକଙ୍କୁ ଆକର୍ଷିତ କରିବାକୁ ଲାଗିଛି ଏକପ୍ରକାର ପ୍ରତିଯୋଗିତା । ଚଳିତବର୍ଷ ରାଉସା ପାଟଣା ଦୁର୍ଗାକାଳୀ ପୂଜା କମିଟି ପକ୍ଷରୁ ପ୍ରଥମ କରି ନିର୍ମାଣ ହେବ କାଚ ମେଢ । ସମ୍ପୂର୍ଣ୍ଣ କାଚରେ ତିଆରି ଏହି ମେଢ ପାଇଁ 6 ରୁ 7 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଭସାଣି ଶୋଭାଯାତ୍ରାରେ ଏହି ମେଢ ବେଶ ଆକର୍ଷଣୀୟ ହେବ ବୋଲି କହିଛନ୍ତି ପୂଜା କମିଟି ସମ୍ପାଦକ ।

ବର୍ଷକୁ ବର୍ଷ ବଢୁଛି ଚାନ୍ଦି ମେଢ ସଂଖ୍ୟା । ସୁନା ଚାନ୍ଦିର ଚମକ ଭିତରେ ରାଉସପଟଣା କାଚମେଢ଼ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଳଟିବ । 3 ମାସ ପୂର୍ବରୁ ମେଢ କାମ ଆରମ୍ଭ ହୋଇଥିବା ବେଳେ ଏଥିରେ 3 ପ୍ରକାରର 250 ପିସ କାଚ, ରଙ୍ଗୀନ କାଚ ସହ ସୋଲ, କାଠ, ରେଡିୟମ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ବ୍ୟବହାର କରାଯାଇଛି । ମେଢ଼ର ସିଂହାସନ ସହ 70 ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ବାସକାଠି କାମ ଚାଲୁଛି । ଆସନ୍ତା 10 ଦିନ ମଧ୍ୟରେ ମେଢ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି କାରିଗର ।

 

୨୦୦ ଛୁଇଁଲା ଡାଲି ଦର

ଭୁବନେଶ୍ବର: ଡାଲି ଦର ବୃଦ୍ଧି ବଢାଇଲାଣି ଖାଉଟିଙ୍କ ଚିନ୍ତା। କିଲୋ ପିଛା ୨ଶହ ଟଙ୍କା ହେଲାଣି ଡାଲି, ଆଗକୁ ଆହୁରି ବଢିବା ଆଶଙ୍କା ରହିଛି। ସେପଟେ ଖାଇବା ତେଲ ଓଜନରେ କାରସାଦି କରି ଲୋକଙ୍କୁ ଠକୁଛନ୍ତି କମ୍ପାନୀ। ଲିଟରେ ତେଲର ଦରରେ ୮୫୦ଗ୍ରାମ ତେଲ କିଣୁଛନ୍ତି ଖାଉଟି। ଦର ନିୟନ୍ତ୍ରଣ ଓ ଠକାମି ରୋକିବାକୁ ଅଭିଯୋଗ ପରେ ବି ଆକ୍ସନ୍ ନେଉନାହାନ୍ତି କେନ୍ଦ୍ର ସରକାର। ଖାଉଟିଙ୍କ ରୋଷର ଶିକାର ହେଉଛନ୍ତି ବ୍ୟବସାୟୀ ମହାସଂଘ। ତେଣୁ ଆଗକୁ ମାଲ ଉଠାଇବେନି କି ବିକ୍ରିବଟା କରିବେନି ବୋଲି ବ୍ୟବସାୟୀ ଚେତାବନୀ ଦେଇଛନ୍ତି।

୨ଶହ ଛୁଇଁଲା ଡାଲି କେଜି। ତେଲ ଓଜନରେ କମ୍ପାନୀଙ୍କ କାରସାଦିରେ ଲାଗୁନି ବ୍ରେକ୍। କେତେ କିଣିବେ କେତେ ଖାଇବେ? କେମିତି ଚଳାଇବେ ପରିବାର? ମଧ୍ୟବିତ୍ତଙ୍କ ବଜେଟ୍ ଏପଟ ସେପଟ କଲାଣି ମହଙ୍ଗା ମାଡ଼। ବ୍ୟବସାୟୀ ବି କହିଲେ, ମାଲ ବିକିବୁ କାହିଁକି? କାହିଁକି ହେବୁ ଖାଉଟିଙ୍କ ରୋଷର ଶିକାର? ନିଦାବିଷ୍ଣୁ ପାଲଟିଛନ୍ତି କେନ୍ଦ୍ର ସରକାର। ଦର ନିୟନ୍ତ୍ରଣ ନହେଲେ, ଆଉ ମାଲ୍ ଉଠାଇବୁନି କି ଲୋକଙ୍କୁ ତେଲ, ଡାଲି ବିକିବୁନି। ରାଜ୍ୟ ବ୍ୟବସାୟୀ ମହାସଂଘ ସମେତ ସର୍ବଭାରତୀୟ ବ୍ୟବସାୟୀ ସଂଘ  ଏଭଳି ଚେତାବନୀ ଦେଇଛି।

ବଜାରରେ ଡାଲି ଦର ଏବେ ୨୦୦ ଟଙ୍କା ଛୁଇଁଲା ଆଗକୁ ୨୦୦ ପାର୍ କରିବ। ସେପଟେ ଲିଟରକିଆ ଖାଇବା ତେଲର ଓଜନକୁ ନେଇ ଚଞ୍ଚକତା ଜାରି ରଖିଛନ୍ତି କେତେକ କମ୍ପାନୀ। କମ୍ ଓଜନର ତେଲ ପ୍ୟାକେଟ୍ ଓଡ଼ିଶା ବଜାରରେ ବିକି ମାଲେମାଲ୍ ହେଉଛନ୍ତି। ୯୧୦ ଗ୍ରାମ ଓଜନର ତେଲ ପ୍ୟାକେଟ୍ ବଦଳରେ ଓଡ଼ିଶା ବଜାରକୁ ଆସିଲାଣି ୮୫୦ଗ୍ରାମ ଓଜନର ପ୍ୟାକେଟ୍। କିନ୍ତୁ ଏଭଳି କର୍ପୋରେଟ୍ ସଂସ୍ଥାଙ୍କ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ରର ଜୁ ପାଉନି। ଫଳରେ ହଇରାଣ ହେଉଛନ୍ତି ସାଧାରଣ ଖାଉଟି। ଆଗକୁ ଯଦି କେନ୍ଦ୍ର ସରକାର ଏଭଳି ଠକୁଥିବା କମ୍ପାନୀଙ୍କ ବିରୋଧରେ ଆକ୍ସନ୍ ନେବା ସହ ଡାଲି ଦର ନିୟନ୍ତ୍ରଣ ନକରନ୍ତି, ତେବେ ବିକ୍ରିବଟା ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ବ୍ୟବସାୟୀ କହିଛନ୍ତି।

ଡାଲି, ଖାଇବା ତେଲ, ଆଳୁ, ପିଆଜ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପରିସରଭୁକ୍ତ। ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧି ଓ ଦର ନିୟନ୍ତ୍ରଣ କରିବା କେନ୍ଦ୍ରର ଦାୟିତ୍ବ । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପ୍ରତ୍ୟେକ ଖାଉଟି ସାମଗ୍ରୀ ଦର ଅନିୟନ୍ତ୍ରିତ ଭାବେ ବଢିଚାଲିଛି, ସେଥିପ୍ରତି କେନ୍ଦ୍ର ଆଖି ବୁଜି ଦେଇଛି। ଓଡ଼ିଶା ବଜାରରେ କାହିଁକି ଏପରି କମ୍ ଓଜନର ଖାଇବା ତେଲ ମିଳୁଛି ସେ ନେଇ ଖବର ପ୍ରସାରଣ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଏବେ ସମ୍ପୃକ୍ତ କମ୍ପାନୀ ଦିନକୁ ଦିନ ଓଜନ କମ୍ କରିଚାଲିଛନ୍ତି। ଲୋକେ ଲିଟରେ ପାଇଁ ଟଙ୍କା ଦେବେ କିନ୍ତୁ ପାଇବେ ୬୦ମିଲିଗ୍ରାମ୍ କମ୍ ଓଜନର ତେଲ। ଏପରି ଅବସ୍ଥା କେବେ ପୂର୍ବରୁ ଦେଖିବାକୁ ମିଳିନଥିଲା।

ଯେକୌଣସି ସମୟରେ ନିର୍ବାଚନ ହେଲେ ଆମେ ପ୍ରସ୍ତୁତ: ନବୀନ

ଭୁବନେଶ୍ବର: ଭୁବନେଶ୍ୱରରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ’ଅ’ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉଦବୋଧନ ଦେଇଥିଲେ । ଓଡ଼ିଶା ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ତା’ର ପରିଚୟ ସୃଷ୍ଟି କରିଛି । ଓଡିଶା ତା’ର କଳା, ସଂସ୍କୃତି ଓ ପରମ୍ପରାରେ ନିଆରା । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ହୋଇଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ବହୁ ଦୁର୍ବିପାକରେ ସମ୍ମୁଖୀନ ହୋଇଆସିଛି । ତାସତ୍ବେ ରାଜ୍ୟରେ ବିକାଶ ଧାରାରେ କେବେବି ବ୍ରେକ୍ ଲାଗିନି ବୋଲି ନବୀନ କହିଥିଲେ ।

ଏହାପରେ ପ୍ରଖ୍ୟାତ ସାମ୍ବାଦିକ ପ୍ରଭୁ ଚାୱଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ନେଇଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ଅନେକ ପ୍ରଶ୍ନ ପଚାରିଥିଲେ । ପ୍ରଭୁ ଚାୱଲା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କେମିତି ଓଡ଼ିଶାରେ ଏତେ ଲୋକପ୍ରିୟ ହେଲେ । ଏହା ପଛର କାରଣ କଣ? ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଯେବେ ମୁଖ୍ୟମନ୍ତ୍ରୀ ହେଲି ସେବେ ଓଡ଼ିଶାରେ ଦାରିଦ୍ର୍ୟ ଚରମ ସୀମାରେ ଥିଲେ । ଦାରିଦ୍ର୍ୟ ଦୂରିକରଣ ମୋର ପ୍ରଥମ ସଂକଳ୍ପ ଥିଲା । ଯାହା କି ଏବେ ଅନେକ କମିଯାଇଛି । ଏହାପରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଆଦି ଦିଗରେ କାର୍ଯ୍ୟ କରିଥିଲୁ । ୧୯୯୯ ମହାବାତ୍ୟା ଆମକୁ ଏକ ବଡ଼ ଶିକ୍ଷା ଦେଇଥିଲା । ଏହାପରେ ଆମେ ପ୍ରତି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଥିଲୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ନିର୍ବାଚନ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯେ କୌଣସି ସମୟରେ ଭୋଟ୍ ପାଇଁ ଆମେ ପ୍ରସ୍ତୁତ । ୱାନ୍ ନେସନ, ୱାନ୍ ଇଲେକ୍ସନକୁ ଆମେ ସବୁବେଳେ ସ୍ୱାଗତ କରିଆସିଛୁ । ସେହିପରି ମହିଳା ସଂରକ୍ଷଣ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ । କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଣିଥିବାରୁ ତାଙ୍କୁ ଧନ୍ୟବାଦ୍ । ଓଡ଼ିଶାରୁ ହିଁ ମହିଳା ସଂରକ୍ଷଣର ସ୍ୱର ଉଠିଥିଲା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ମହିଳାଙ୍କ ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଥିଲା ।

ସେ ସମୟରେ ପଞ୍ଚାୟତ ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମହିଳାଙ୍କ ପାଇଁ କରାଯାଇଥିଲା । ପରେ ମୋ ସରକାର ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ କରିଥିଲା । ସେହିପରି ୨୦୧୯ ନିର୍ବାଚନରେ ୩୩ ପ୍ରତିଶତ ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲୁ । ମୋ ସରକାର ଏବଂ ବିଜେଡି ମହିଳାଙ୍କ ବିକାଶ ପାଇଁ ପ୍ରତିବଦ୍ଧ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ମିଶନ ଶକ୍ତି’ ମୋ ସରକାରର ଅଭିନବ ପ୍ରୟାସ ।

ଏହି ମିଶନ ଶକ୍ତି ଅଧୀନରେ ୭୦ ଲକ୍ଷ ମହିଳା ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି । ବିକାଶ ହିଁ ଆମର ମୂଳ ଏଜେଣ୍ଡା ଓ ମୂଳ ଲକ୍ଷ୍ୟ । ବିକାଶକୁ ଆଧାର କରି ଆମେ ଆଗକୁ ବଢ଼ିବୁ । ଓଡ଼ିଶାରେ ବିକାଶ ପାଇଁ କେନ୍ଦ୍ର ସହ ଆମର ଭଲ ସମ୍ପର୍କ ରହିଛି । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଉଥିବାରୁ ମୁଁ ତାଙ୍କୁ ୧୦ରୁ ୮ ମାର୍କ ଦେବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦୃଷ୍ଟିବାଧିତଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

କେନ୍ଦୁଝର: ଗୋଟିଏ ଇନ୍ଦ୍ରିୟ କାର୍ଯ୍ୟ କରିବା ବନ୍ଦ କଲେ, ଶରୀରର ଅନ୍ୟ ଇନ୍ଦ୍ରିୟ ଅଧିକ ସକ୍ରିୟ ଓ  ଶକ୍ତିଶାଳୀ ହୋଇ ଉଠନ୍ତି । ଦୃଷ୍ଟିବାଧିତମାନେ ସଂଗୀତରେ ପାରଦର୍ଶିତା ହାସଲ କରିବା ସାଧାରଣତଃ ଦେଖିବାକୁ ମିଳେ । ଅନ୍ୟ କାହା ଉପରେ ବୋଝ ନହୋଇ, ନିଜ ସଂଗୀତ ଓ ବାଦ୍ୟ କଳାକୁ ପାଥେୟ କରି ଦୃଷ୍ଟିବାଧିତମାନେ ସ୍ଵାବଲମ୍ବୀ ହେବା ଆଜିର ସମାଜରେ ଉଦାହରଣ ସୃଷ୍ଟି କରିଛି ।

ଆଖିକୁ ସିନା ଦେଖାଯାଉନି, କିନ୍ତୁ ନିଜ କଣ୍ଠର ଯାଦୁରେ ସାରା ଦୁନିଆକୁ ବାନ୍ଧି ରଖିପାରିଛନ୍ତି । ନିଜେ ଗରିବ । କିନ୍ତୁ କାହା ପାଖରେ ହାତ ପତାଉନାହାଁନ୍ତି । ନିଜେ ସ୍ବାବଲମ୍ବି ହୋଇ ସୃଷ୍ଟି କରିଛନ୍ତି ଭିନ୍ନ ପରିଚୟ । କିଏ ଗୀତ ଗାଉଛି ତ ଆଉ କିଏ ବାଦ୍ୟ ଯନ୍ତ୍ର ବଜାଇ ନିଜ ପେଟ ପୋଷୁଛନ୍ତି । ଦୃଷ୍ଟିବାଧିତଙ୍କ ଏଭଳି ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ବିଭୋର ହୋଇ ଉଠିଛନ୍ତି ଦର୍ଶକ ।

ଦୃଷ୍ଟିବାଧିତ ଯୁବକ ଓ ଯୁବତୀମାନଙ୍କ ଦ୍ଵାରା ପରିବେଷିତ ଏଭଳି ଉଚ୍ଚକୋଟିର କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳର କିଛି ଯୁବ ଦୃଷ୍ଟିବାଧିତ ଉଦୀୟମାନ ପ୍ରତିଭାଙ୍କୁ ନେଇ ବ୍ରହ୍ମପୁରରେ ଗଠିତ ହୋଇଛି ଏକ ସଂସ୍ଥା । ଏହି ସଂସ୍ଥା ସଂଗୀତରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ଯୋଗାଉଛି । ଫଳରେ ସେମାନେ ନିଜ ପ୍ରତିଭାର ବିକାଶ କରିବା ସହ, ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଛନ୍ତି ।

ଅମୃତ ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ଦିଗପହଣ୍ଡି: କେନ୍ଦ୍ରର ଅମୃତ ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ । ଗଞ୍ଜାମ ଜିଲ୍ଲା ପାତ୍ରପୁର ଚାଷୀ ଏହି ଅଭିଯୋଗ ଆଣିଛନ୍ତି । ବ୍ଳକ୍‌ ଅଫିସଠାରୁ ୧ କିଲୋମିଟର ମଧ୍ୟରେ କୁମ୍ଭାରଶାଳା ଅମୃତ ସରୋବରକୁ ଶ୍ରମିକ ବଦଳରେ ଜେସିବି ମେସିନ ଦ୍ବାରା ଖୋଳି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଅମୃତ ସରୋବର ଯୋଜନାରେ ଜମିକୁ କେନାଲ ପାଣି ଆସିପାରୁନାହିଁ । ଚାଷୀମାନେ ଏନେଇ ବିଡିଓଙ୍କୁ ଅଭିଯୋଗ କରିଛନ୍ତି । ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

ପୋଖରୀ ଭିତରେ ଆଉ ଏକ ପୋଖରୀ ଖନନ । କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନା ନାଁରେ ଟଙ୍କା ହରିଲୁଟ୍‌ ଅଭିଯୋଗ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍‌ ଅଫିସଠାରୁ ଏକ କିଲୋମିଟର ଦୂରରେ ଥିବା କୁମ୍ଭାରଶାଳା ବନ୍ଧ ମଧ୍ୟରେ ଅମୃତ ସରୋବର ଖନନ ହୋଇଛି। ୧୯ ଲକ୍ଷ ଟଙ୍କା ଶ୍ରମିକଙ୍କୁ ମଜୁରୀ ପ୍ରଦାନ ଓ ଏକ ଲକ୍ଷ ଟଙ୍କା ବିଭିନ୍ନ ସାମଗ୍ରୀ କିଣିବାକୁ ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଉଲ୍ଲେଖ ରହିଛି । କିନ୍ତୁ ଜେସିବି ମେସିନ ଦ୍ବାରା ଅମୃତ ସରୋବର ଖନନ କରାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି । ପୂର୍ବରୁ ପୋଖରା ନିକଟସ୍ଥ କେନାଲ ପାଣି ପାଇପ ଯୋଗେ ଚାଷଜମିକୁ ଯାଉଥିଲା । କିନ୍ତୁ ଅମୃତ ସରୋବର ଖନନ ପରେ ପାଣି ଚାଷଜମିକୁ ଯାଇପାରୁନାହିଁ ।

ଅମୃତ ସରୋବର ଖନନରେ ଦୁର୍ନୀତି ଅଭିଯୋଗ ସହିତ  ଜମିକୁ ପାଣି ଯାଇ ନପାରିବା ସମସ୍ୟା ନେଇ ପାତ୍ରପୁର ବିଡିଓଙ୍କୁ ଚାଷୀମାନେ ଜଣାଇଥିଲେ । ଏହାର ତଦନ୍ତ କରି ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଥିଲା । ବିଡିଓ କହିଛନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଷ୍ଟ୍ରେଲିଆ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ। ଦ୍ବିତୀୟ ଦିନିକିଆରେ ବିଶାଳ ସ୍କୋର କରିଛି ଭାରତ। ନିର୍ଦ୍ଧାରିତ ଓଭର ମଧ୍ୟରେ ଭାରତ ୫ ଓ୍ବିକେଟ ହରାଇ ୩୯୯ ରନ ସଂଗ୍ରହ କରିପାରିଛି । ଶ୍ରେୟସ ଆୟାର ଏବଂ ଗିଲଙ୍କ ଦମଦାର ଶତକ ବଳରେ ଦଳ ଏକ ବିଶାଳ ସ୍କୋର କରିପାରିଛି । ସେପଟେ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ କରିଥିବାବେଳେ ଏବେ ବୋଲରଙ୍କ ଉପରେ ରହିଛି ନଜର ।

ବିପଦରେ ଶାଗୁଆନ ଜଙ୍ଗଲ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ମାତିଛନ୍ତି ଅଜଣା ପୋକ। ଶାଗୁଆନ ପତ୍ରକୁ ଖାଇ ଗଛ ଥୁଣ୍ଟା କରିଦେଉଛନ୍ତି । ଗୋଟେ କି ଦିଟା ନୁହଁ ପୁରା ଜଙ୍ଗଲକୁ ସଫା କରି ଦେଉଛନ୍ତି ଅଜଣା ପୋକ। ବିପଦରେ ଶାଗୁଆନ ଜଙ୍ଗଲ । କରଞ୍ଜିଆ ଉପଖଣ୍ଡରେ ମାତିଛନ୍ତି ଅଜଣା ପୋକ । ସଫା କରିଦେଲେଣି ଶାଗୁଆନ ଗଛ । ସବୁ ଗଛ ଥୁଣ୍ଟା  ।  ଅନ୍ୟ ଗଛକୁ କିଛି କ୍ଷତି କରୁନାହାନ୍ତି ପୋକ । ତିନି ଚାରି ଦିନ ଭିତରେ ପୁରା ଜଙ୍ଗଲ ଥୁଣ୍ଟା କରିଦେଉଛନ୍ତି ପୋକ । ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବା ଭଳି ଭ୍ରମ ସୃଷ୍ଟି ହେଉଛି ।

ଏତେ ପରିମାଣର ପୋକ ହୋଟାତ କୋଉଁଠୁ ଅସିଲେ ?  କେବଳ ଶାଗୁଆନ ପତ୍ରକୁ ହିଁ କାହିଁକି ଖାଉଛନ୍ତି ? କୋଉ ପ୍ରଜାତିର ଏହି ପୋକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ଷା ଦିନରେ ସାଧାରଣତ ଶାଗୁଆନ୍ ଗଛର ପତ୍ର ହଳଦୀଆ ହୋଇ ନଥାଏ । କି ପତ୍ର ଝଡ଼ା ଦେଈ ନଥାଏ । ସବୁଜ ସୁନ୍ଦର ହୋଇଥାଏ ଗଛ। କିନ୍ତୁ ଏ ପୋକ ଏମିତି ଭାବରେ ପତ୍ରକୁ ଖାଉଛନ୍ତି ଯେ ଜଙ୍ଗଲ ପୂରା ଲଣ୍ଡା ହୋଇଯାଉଛି  । ଘର ପାଖରେ ଥିବା ଶାଗୁଆନ ଗଛରୁ ଘରକୁ ପୋକ ସବୁ ଚାଲିଆସୁଛନ୍ତି ।

ଗିଲ୍ ଓ ଶ୍ରେୟସଙ୍କ ଶତକୀୟ ପାଳି, ବିଶାଳ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ଶତକୀୟ ପାଳି । ଶ୍ରେୟସ ଆୟର ୧୦୫ ରନ କରି ଆଉଟ ହୋଇଥିବାବେଳେ ଗିଲ ୧୦୪ ରନ କରିଛନ୍ତି । ଭାରତ ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ମାତ୍ର ୮ ରନରେ ଆଉଟ ହୋଇଥିବାବେଳେ ଗିଲ ଏବଂ ଶ୍ରେୟସ ଆୟରଙ୍କ ଯୋଡ଼ି ଭାରତ ପାଇଁ ବଡ଼ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଛି । ବିଶ୍ବକପ ପୂର୍ବରୁ ଏଭଳି ପ୍ରଦର୍ଶନ ଦଳର ଦମ୍ଭ ବଢ଼ାଇଛି । ଦଳର ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ଉତ୍ସାହିତ କରିଛି ।

ପ୍ରଥମ ଦିନିକିଆରେ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଥିବାବେଳେ ଏହି ମ୍ୟାଚରେ ମଧ୍ୟ ଭଲ ବ୍ୟାଟିଂ କରିବେ ବୋଲି ଆଶା ରଖାଯାଇଛି । ଭାରତର ବ୍ୟାଟିଂ ଲାଇନଅଫ ଭଲ ରହିଛି । ସାର୍ଦ୍ଧୁଲ ଠାକୁରଙ୍କ ପର୍ଯ୍ୟନ୍ତ ଦଳରେ ସମସ୍ତେ ବ୍ୟାଟିଂ କରିପାରିବେ । ଏଣୁ ଏକ ବିଶାଳ ସ୍କୋର କରିବା ବୋଲି ଆଶା ରଖାଯାଇଛି । ୪୦୦ ରନର ପାହାଡ଼ ସ୍କୋର କରିବ ବୋଲି ଆଶା ରଖାଯାଇଛି । ଶେଷ ଖବର ସୁଦ୍ଧା ଇଶାନ କିଶାନ ଏବଂ ରାହୁଲ ପଡ଼ିଆରେ ମହଜୁଦ ଥିବା ସହ ବ୍ୟାଟିଂ ଜାରି ରଖିଛନ୍ତି ।

କାହା ପରାମର୍ଶରେ ଉଦୟପୁରରେ ବିବାହ ପାଇଁ ସ୍ଥାନ ବାଛିଲେ ରାଘବ-ପରିଣୀତି

ଜୟପୁର: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦୁଇ ପ୍ରେମ ପକ୍ଷୀ । ରାଜନେତା ରାଘବ ଚଢ଼ା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିବାହ ମହାଆଡ଼ମ୍ବରରେ ରାଜସ୍ଥାନର ଉଦୟପୁର ପ୍ୟାଲେସରେ ଅନୁଷ୍ଠିତ ହେଉଛି । ରବିବାର ହାତ ଗଣ୍ଠି ପଡ଼ିବାକୁ ଥିବାବେଳେ ଅତିଥୀମାନେ ଯୋଗ ଦେଇଛନ୍ତି । ବୈଦିକ ରୀତି ନୀତିରେ ବିବାହ ହେବାକୁ ଥିବାବେଳେ ଉଦୟପୁର ପ୍ୟାଲେସ ଝଲସୁଛି । ତେବେ ଏଠାରେ ବିବାହ ପାଇଁ କାହିଁକି ବାଛିଲେ ? କାହା ପରାମର୍ଶରେ ସେମାନ ଉଦୟପୁରକୁ ବାଛିଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପ୍ରକୃତ ସତ ଜଣାପଡ଼ିଛି ।

ପରିଣୀତି ଏବଂ ରାଘବଙ୍କ ନିର୍ବନ୍ଧ ସରିବା ପରେ ବିବାହ କେବେ ହେବ ଏବଂ କେଉଁଠି ହେବ ତାକୁ ନେଇ ଚର୍ଚ୍ଚା ହେଉଥିଲା । ଉଛଭୟ ବିବାହ ସ୍ଥାନ ବାଛିବା ପାଇଁ ନିଜର ପରିଜନଙ୍କ ପରାମର୍ଶ ଲୋଢ଼ିଥିବା କୁହାଯାଉଛି । କେଉଁ ସ୍ଥାନରେ ବିବାହ ହେବ ତାକଚୁ ନେଇ ଅନେକଙ୍କୁ ପଚାରିଥିବାବେଳେ ଆପ ନେତା ବିକ୍ରମି ସିଂ ସାହନି ଉଦୟପୁର ପାଇଁ କହିଥିଲେ। ଆଉ ତାଙ୍କ କଥାରେ ମଧ୍ୟ ଉଭୟ ରାଜି ହୋଇଥିଲେ । ଏହାପରେ ସେମାନେ ଉଦୟପୁରକୁ ବାଛିଥିଲେ । ବିକ୍ରମ ସିଂ କହିଛନ୍ତି କି, ସେ ନିଜର ହନିମୁନ ସମୟରେ ଲେକସିଟି ଉଦୟପୁରକୁ ଆସିଥିଲେ । ଏହା ସ୍ବାମୀ ସ୍ତ୍ରୀ ସମୟ ବିତାଇବା ପାଇଁ ଏକ ଭଲ ସ୍ଥାନ । ଯାହାକି ତାଙ୍କ ବେଶ ଭଲ ଲାଗିଥିଲା । ଏଣୁ ସେ ଏହି ସ୍ଥାନରେ ବିବାହ ପାଇଁ ରାଘବଙ୍କୁ କହିଥିଲେ ।