ନୀଳଗିରି: ନୀଳଗିରି ରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ପସି ଆସିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ୨ ଜଣ ରେଳ କର୍ମଚାରୀ । ନୀଳଗିରି ରୋଡ୍ ଷ୍ଟେସନ୍ ମ୍ୟାନେଜର ସୁବାସ ସେଠୀ ଓ ପଏଣ୍ଟମ୍ୟାନ୍ ସେକ୍ ମହମ୍ମଦ ଖଲିପ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଯୋଗୁ ରେଳ ବିଭାଗ ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ନେଇ ସୂଚନା ଦେଇଛନ୍ତି ଲୋକସମ୍ପର୍କ ବିଭାଗର ବରିଷ୍ଠ ଡିଭିଜିନାଲ ମ୍ୟାନେଜର । ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍ ପଏଣ୍ଟ ନଲାଗିବା କାରଣରୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ।
ମହିଳା ପୋଷ୍ଟ ମାଷ୍ଟର ହତ୍ୟା ମାମଲାର ପର୍ଦ୍ଦାଫାସ, ପ୍ରେମ ବ୍ୟାପାରରୁ ଛୁରିରେ ଭୁସି ଜୀବନ ନେଇଥିଲା ପ୍ରେମିକ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାର ପର୍ଦ୍ଧାଫାସ୍ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପ୍ରେମିକ ନୟନ ସେଠ୍ ଛୁରିରେ ସ୍ନିଗ୍ଧାଙ୍କୁ ବାରମ୍ବାର ଭୁସି ହତ୍ୟା କରିଥିଲା । ସ୍ନିଗ୍ଧାଙ୍କ ପରିବାର ଲୋକ ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଥିବା ପ୍ରେମିକ ସନ୍ଦେହ କରୁଥିଲା । ସୋମବାର ଭେଟ ହେବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ସ୍ନିଗ୍ଧାଙ୍କୁ ହତ୍ୟା କରିଥିଲା ନୟନ ।
ସ୍ନିଗ୍ଧାଙ୍କୁ ମାରିବାକୁ ନୟନ ପୂର୍ବରୁ ଯୋଜନା କରିଥିଲା । ଜେରା ବେଳେ ପୋଲିସ ଆଗରେ ସବୁ ସତ କଥା କହିଛି ନୟନ । ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବେଲସରିଆପଡ଼ା ଜଙ୍ଗଲ ନିକଟ ବିଲରେ ସ୍ନିଗ୍ଧାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲା । ହତ୍ୟା ପରେ ସ୍ନିଗ୍ଧାଙ୍କ ମାଆଙ୍କୁ ହ୍ୱାଟ୍ସଆପରେ ମେସେଜ କରି ଲୋକେସନ ସେୟାର କରିଥିଲା ଅଭିଯୁକ୍ତ ପ୍ରେମିକ ନୟନ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ଲେଫ୍ରିପଡ଼ା ପୋଲିସ ।
ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ
ଗଜପତି: ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠର ଗୋଷାଣି ଡାଳିମ୍ବପୁର-କେରାଣ୍ଡି ରାସ୍ତାରେ ଥିବା ଏକ ବଡ଼ ନାଳ ଉପରେ ବ୍ରିଜ ନିର୍ମାଣ ଲାଗି କାମ ଆରମ୍ଭ ହୋଇଥିଲା । ଲଗାତାର ୩ ଦିନର ବର୍ଷାରେ କାମ ଆରମ୍ଭରୁ ଏକ ଡାଇଭର୍ସନ ରାସ୍ତା ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିଲା । ତାହା ବି ଧୋଇଯାଇଛି । ବ୍ରିଜ ଉପରେ ଡାଳିମ୍ବପୁର, ଅମରା ଏବଂ ରାଟିଣି ଗ୍ରାମାଞ୍ଚଳର ପ୍ରାୟ ୩ ହଜାରରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରିଥାନ୍ତି । ଏହି ବ୍ରିଜ ନିର୍ମାଣ ଲାଗି ଗତ ଫେବୃୟାରୀରେ କାମ ଲାଗି ଚୁକ୍ତିନାମା ହୋଇଥିଲା ।
ବର୍ତ୍ତମାନ ବର୍ଷା ଦିନ ପୂର୍ବରୁ ତଥା ଜୁନ୍ ମାସରେ ଖନନ କରାଯାଇଥିଲା । ତିନି ଖଣ୍ଡ ଗାଁ ଆନ୍ଧ୍ର ଦେଇ ଯାତାୟତ କରିବାକୁ ଅମଙ୍ଗ ହେଉଛନ୍ତି । ଆନ୍ଧ୍ର ଦେଇ ପାରଳା ସହରକୁ ଆସିବାକୁ ହେଲେ ୧୦ରୁ ୧୨ କିମି ରାସ୍ତା ଦୂରତା ଦେଇ ଯାତାୟତ କରିବାକୁ ପଡ଼ିବ । ଏହାସହ ଆନ୍ଧ୍ର ଦେଇ ଗମନାଗମନ କଲେ ସେଠାକାର ପୋଲିସ ପ୍ରଶାସନ ବିଭିନ୍ନ ସମୟରେ ଯାନବାହାନ ଯାଞ୍ଚ ନାମରେ ହଇରାଣ ହରକତ କରିଥିବାର ସୂଚନା ମିଳୁଛି । ଅସ୍ଥାୟୀ ରାସ୍ତା ଭାସିଯିବାରୁ ଏହି ଅଞ୍ଚଳର ଲୋକେ ପାରଳା ସହର ସହ ବିଚ୍ଛିନ୍ନ ହୋଇପଡ଼ିଛନ୍ତି ।
ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁ ବନ୍ୟାସ୍ଥିତି, ଲଗାଣ ବର୍ଷାରେ ପୋଲ ଉପରେ ପାଣି ପ୍ରବାହିତ
ମାଲକାନଗିରି: ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି । ଲଗାତାର ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବଢ଼ିବାର ଲାଗିଛି । କୋରୁକୋଣ୍ଡା ବ୍ଲକର ତର୍ଲାକୋଟା ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ବାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି କାଲିମେଳା ଓ ପଡିଆ ବ୍ଲକର କେତେକ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି । ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ, MV 96, କକରକୋଣ୍ଡା ଏବଂ କନ୍ୟାଶ୍ରମ ସହ ସମସ୍ତ ପୋଲ ଉପରେ ୨ ରୁ ୩ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ପୋଲର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି ।
ମାଲକାନଗିରି ସହିତ କାଲିମେଳା ବ୍ଲକର କାଲିମେଳା, ଏମଭି ୭୯ ଓ ମୋଟୁକୁ ଯୋଗାଯୋଗ ବନ୍ଦ ରହିଛି । ଅନ୍ୟପଟେ କାଲିମେଳା ବ୍ଲକର କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଫାର୍ମ କଲୋନୀ ଯିବା ବାଟର ପୋଲ ଉପରେ ମଧ୍ୟ ବର୍ଷା ପାଣି ଲହଡ଼ି ମାରୁଛି । ବଡିଗେଟା ଓ ତେଲେରାଇ ଗ୍ରାମ ପଞ୍ଚାୟତର କେତେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜଳସ୍ତର ବଢ଼ିଥିବା ନଦୀର ଦୁଇ ପାର୍ଶ୍ଵରେ ପୋଲିସ ମୁତୟନ ହୋଇଛନ୍ତି ।
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପାତ୍ରପୁର ବ୍ଲକ ବାବନପୁର ଗାଁ ପଥର କୁଆଁରୀ ନିକଟରେ ଯୁବକଙ୍କୁ ହତ୍ୟା ଉଦ୍ୟମ । ସୁନ୍ଦର ରାଓ ନାମକ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ପାତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ସୁନ୍ଦର ରାଓ ବିଜେଡିର ସକ୍ରିୟ କର୍ମୀ ଥିବା ବେଳେ, ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକ ଖମାରି ଗାଁ ପଂଚାୟତ ବାବନପୁର ଗ୍ରାମ ବାସିନ୍ଦା । ଗାଁକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ୬ରୁ ୭ ଜଣ ଦୁର୍ବୃତ୍ତ ହତ୍ୟା ଉଦ୍ୟମ ସହ ଖଣ୍ଡା ଓ କାତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଜରଡା ପୋଲିସ ପହଞ୍ଚି ତଦନ୍ତ କରୁଛି । ସୁନ୍ଦର ରାଓଙ୍କ ହାତ, ଗୋଡ଼ ଓ ପିଠି ସହ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଛି ।
ନାବାଳକ ଗାଡ଼ି ଚାଳକ ସାବଧାନ, ଆଜିଠୁ ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ
ଭୁବନେଶ୍ୱର: ନାବାଳକ ଗାଡ଼ି ଚାଳକ ସାବଧାନ । ଆଜିଠୁ ଆରମ୍ଭ ହେଉଛି ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ । ନାବାଳକ ଗାଡ଼ି ଚାଳକଙ୍କ ଉପରେ ରଖାଯିବ ସ୍ବତନ୍ତ୍ର ନଜର । ବିଭିନ୍ନ ସ୍ଥାନରେ ଚେକିଂ ସହିତ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସମସ୍ତ ଘରୋଇ ସ୍କୁଲରେ ବ୍ୟବହୃତ ଗାଡ଼ି ଓ ଅନ୍ୟ ବସର ମଧ୍ୟ ଯାଞ୍ଚ କରାଯିବ । ଗାଡ଼ିର ଫିଟନେସ, ଇନସୁରାନ୍ସ, ଆଦି କାଗଜପତ୍ରର ଯାଞ୍ଚ ହେବ । ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ସମସ୍ତ ବସର କାଗଜପତ୍ର ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଛି । ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲ୍ ମୋହନ ସେଠୀ ସୂଚନା ଦେଇଛନ୍ତି ।
ପାଠ ଘର ଶୂନ, କିନ୍ତୁ ରାଜସ୍ବ ବିଭାଗ ନିଯୁକ୍ତି ପରୀକ୍ଷାରେ ଟପ୍ପର
ଭୋପାଳ: ମଧ୍ୟପ୍ରଦେଶରେ ରାଜସ୍ବ ବିଭାଗରେ ନିଯୁକ୍ତି ନେଇ ବଡ଼ ହେରଫେର । ନିଯୁକ୍ତି ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ବଡ଼ ଧରଣର ହେରଫେର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟରେ ପୂର୍ବରୁ ହୋଇଥିବା ବ୍ୟାପମ୍ ସ୍କାମ ଭଳି ଏହି ସ୍କାମ୍ ବୋଲି ଅଭିଯୋଗ ହୋଇଛି । ଗତ ଏପ୍ରିଲରେ ରାଜସ୍ବ ବିଭାଗର କିଛି ପଦବୀ ପାଇଁ ପରୀକ୍ଷା ହୋଇଥିବା ବେଳେ ମେ’ ଓ ଜୁନ୍ ମାସରେ ଫଳ ବାହାରିଥିଲା । ଗୋଟିଏ ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରେ ୭ ଜଣ ଟପ୍ପର ହୋଇଥିବା ନେଇ ଜଣାପଡ଼ିବା ପରେ ବିବାଦ ଆରମ୍ଭ ହୋଇଥିଲା । ସେମାନେ ଯେଉଁ କଲେଜରେ ପରୀକ୍ଷା ଦେଇଥିଲେ, ସେହି କଲେଜ ଜଣେ ବିଜେପି ବିଧାୟକଙ୍କର ବୋଲି ଜଣାପଡ଼ିଛି । ସେହି ୭ ଜଣ ଟପ୍ପରଙ୍କ ମଧ୍ୟରେ ପୁନମ ରାଜାଓ୍ବତ ମଧ୍ୟ ଅଛନ୍ତି । ତାଙ୍କ ରାଙ୍କ ଥିଲା ୩ । କିନ୍ତୁ ତାଙ୍କର ପାଠପଢାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ସେ କେଉଁ ବିଷୟରେ ପରୀକ୍ଷା ଦେଇଥିଲେ ପଚାରିଲେ କହିପାରୁନାହାନ୍ତି । ପରୀକ୍ଷାରେ ପଡିଥିବା କୌଣସି ପ୍ରଶ୍ନର ମଧ୍ୟ ଉତ୍ତର ଦେଇପାରୁନାହାନ୍ତି । ସେ ଯେଉଁ ୮ଟି ବିଷୟରେ ପରୀକ୍ଷା ଦେଇଥିଲେ ତାହା ମଧ୍ୟ ତାଙ୍କୁ ଜଣାନାହିଁ ବୋଲି କହିଛନ୍ତି ପୁନମ୍ ।
ପୂରା ରାଜ୍ୟରେ ପୁନମ ତିନି ନମ୍ବର ସ୍ଥାନରେ ଥିବା ବେଳେ ତାଙ୍କର ସାମାନ୍ୟ ତମ ଜ୍ଞାନ ନଥିବା ଜଣାପଡ଼ିଛି । ପରେ ପରେ ପୁନମଙ୍କ ଉତ୍ତର ଖାତା ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଅନେକ ଉତ୍ତର ଭୁଲ ଲେଖିଥିଲେ । ତା ସତ୍ବେ ସିଲେକସନ ହୋଇଥିବା ୯ ହଜାର ପିଲାଙ୍କ ମଧ୍ୟ ସେ କେମିତି ତିନି ନମ୍ବର ସ୍ଥାନରେ ରହିଲେ ତାହା ଏବେ ପ୍ରଶ୍ନବାଚୀ ପାଲଟିଛି । ଯାହାକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସରକାରଙ୍କ ଉପରେ ବର୍ଷିଥିବା ବେଳେ ବିଜେପି ଶାସିତ ରାଜ୍ୟରେ ବେଆଇନ୍ କାମ ଚାଲିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।
ପୁଣି ଆସୁଛି ବଡ଼ ବର୍ଷା, ୨୪ ଘଣ୍ଟା ଭିତରେ ଲଘୁଚାପ ରୂପନେବ ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ପୁଣି ଆସୁଛି ବଡ଼ ବର୍ଷା । ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପର ରୂପନେବ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ମାଲକାନଗିରିରେ ସୃଷ୍ଟି ହୋଇପାରେ ଆକସ୍ମିକ ବନ୍ୟା । ପାହାଡ଼ିଆ ଅଞ୍ଚଳରେ ହୋଇପାରେ ଭୂସ୍ଖଳନ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ ।
ପୁରୀ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲିଠୁ ବର୍ଷାର ପରିମାଣ ବଢିବା ସହ ବିସ୍ତୃତି ବଢିବ । ଏଥିପାଇଁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲିଠୁ ୨୨ ତାରଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଏହି ସମୟରେ ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

