ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ନିଯୁକ୍ତି ହେବେ ୨୦ ହଜାର କନିଷ୍ଠ ଶିକ୍ଷକ । କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ ହୋଇଛି । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଘର ସଜାଡ଼ିବାକୁ କଂଗ୍ରେସର ପ୍ରୟାସ ଆରମ୍ଭ
ଭୁବନେଶ୍ବର: ଘର ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । କିପରି ତୃଣମୂଳସ୍ତରରୁ ସଂଗଠନ ସଜଡ଼ାଯିବ ସେ ନେଇ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ CWC ସଦସ୍ୟ କେ. ରାଜୁ ଜିଲ୍ଲା ସଭାପତିଙ୍କ ଠାରୁ ନେଇ ରାଜ୍ୟ ମଙ୍ଗୁଆଳ ମାନଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏହାରି ଭିତରେ କେ. ରାଜୁଙ୍କ ଆଗରେ ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଦଳୀୟ ନେତା । ସମସ୍ତଙ୍କୁ ନେଇ ଦଳ ଆଗକୁ ବଢିବା କଥା କେନ୍ଦ୍ରୀୟ ନେତାଙ୍କୁ କଥାକୁ ସୁର ରାଉତରାୟ ଦୋହରାଇଥିବା ବେଳେ ସଂଗଠନ ନୂଆ ରୂପ ନେବାକୁ ଯାଉଥିବା ସଙ୍କେତ ଦେଇଛନ୍ତି ତାରା ବାହିନୀପତି । ଯାହା ଶରତଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ।
ସମସ୍ତଙ୍କୁ ନେଲେ ଦଳ ଜିତିବ, ନହେଲେ ହାରିବ । କଂଗ୍ରେସ ଏକଜୁଟ ହେବା ଆବଶ୍ୟକ । CWC ସଦସ୍ୟ କେ. ରାଜୁ ଦୁଇଦିନ ଧରି ଦଳୀୟ ନେତାଙ୍କୁ ଦେଇଥିବା ଏପରି ଏକ ମନ୍ତବ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ ଆଡକୁ ଉଠାଇଛି ଆଙ୍ଗୁଳି । କଂଗ୍ରେସ ଏବେ ବିଜେପିର ବି-ଟିମ ହୋଇ କାମ କରୁଥିବା ଅଭିଯୋଗ ହୋଇଛି । ପିସିସି ସଭାପତିଙ୍କ ଏକପାଖିଆ ନିଷ୍ପତ୍ତିକୁ ନେଇ ଦଳ ଭିତରେ ଥିବା ଅସନ୍ତୋଷ, କେନ୍ଦ୍ରୀୟ ନେତା କେଉଁଠି ନା କେଉଁଠଟି ଅନୁଭବ କରିଥିବା ସୁରଙ୍କ ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି । ଅନ୍ୟପଟେ କଂଗ୍ରେସର ଅସନ୍ତୋଷ ନେତା ମଧ୍ୟ ଗଣମାଧ୍ୟମ ଆଗରେ ଖୋଲାଖୋଲି ଭାବେ ପିପିସି ସଭାପତି ବିଜେପି କଥାରେ ପରିଚାଳିତ ବୋଲି ଅଭିଯୋଗ କରିଛନ୍ତି । ଏ ବିଷୟରେ ହାଇକମାଣ୍ଡ ଅବଗତ ଥିବାରୁ ଖୁବଶୀଘ୍ର ଓଡ଼ିଶା କଂଗ୍ରେସରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା କହିଛନ୍ତି ଅସନ୍ତୋଷ କଂଗ୍ରେସ ନେତା ।
ଅନ୍ୟପଟେ କଂଗ୍ରେସ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ସବୁ ଜିଲ୍ଲା ସଭାପତିଙ୍କୁ ନେଇ କଂଗ୍ରେସ ଭବନରେ ତାଲିମ ଦିଆଯାଉଛି। ଲକ୍ଷ୍ୟ ରହିଛି, କେମିତି ତୃଣମୂଳସ୍ତରରୁ ସଂଗଠନକୁ ସଜଡ଼ା ଯିବ । କଂଗ୍ରେସକୁ ନୂଆ ରୂପ ଦେବାକୁ ହାଇକମାଣ୍ଡ ଫୋକସ କରିଥିବା ତାରା କହିଛନ୍ତି । ସେ ପିସିସି ସଭାପତି ରେସରେ ନାହାନ୍ତି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଯାହାକୁ ଚାହିବେ ସେ ପିସିସି ସଭାପତି ହେବେ ବୋଲି ତାରା କହିଛନ୍ତି ।
ପିସିସି ସଭାପତିଙ୍କ ବିଜେପି ସହ ଭିତିରିଆ ସମ୍ପର୍କ ଏବଂ କଂଗ୍ରେସ ସଂଗଠନ କୋମାକୁ ଚାଲିଯାଉଥିବା ଅଭିଯୋଗ କରି ଦଳର ହେଭିଓ୍ବେଟ ଗୋଷ୍ଠୀ ଭୁବେନଶ୍ବରରୁ ଦିଲ୍ଲୀ ଯାଏ ମାନସ ମନ୍ଥନ କରୁଛନ୍ତି । ଏହାରି ଭିତର ଏଆଇସିସି ଅଧ୍ୟକ୍ଷ ଖଡ଼ଗେଙ୍କ ୩୯ ଜଣିଆ ଟିମରେ ଓଡ଼ିଶାରେ କେହିନେତା ସାମିଲ ନହେବାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଉଗ୍ରରୂପ ନେଇଛି । କେ. ରାଜୁଙ୍କ ଗସ୍ତ ରାଜ୍ୟ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନର ବାଟ ଫିଟାଉଛି ବୋଲି କଂଗ୍ରେସ ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।
ଦେବଭୂମିରେ କମୁନି ପ୍ରକୃତିର ତାଣ୍ଡବ
ନନ୍ଦିଘୋଷ ବ୍ୟୁରୋ: ଦେବଭୂମିରେ ପ୍ରକୃତିର ତାଣ୍ଡବ । ସପ୍ତାହେ ଧରି ପ୍ରଳୟଙ୍କରୀ ବନ୍ୟା, ଭୂସ୍ଖଳନ ପରେ ଆଜି ପୁଣି ଆରମ୍ଭ ହୋଇଛି ବର୍ଷା । ପ୍ରବଳ ବର୍ଷା ସହ ଭୂସ୍ଖଳନ ଯୋଗୁ ଉତ୍ତରାଖଣ୍ଡର ତେହରି ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ୪ବର୍ଷର ଶିଶୁ ରହିଛନ୍ତି । ଚାମ୍ବା ପୋଲିସ ଷ୍ଟେସନ ନିକଟର ଟାକ୍ସି ଷ୍ଟାଣ୍ଡ ପାର୍ଶ୍ବରେ ଭୟଙ୍କର ଭୂସ୍ଖଳନ ଯୋଗୁ ଆହୁରି ଏକାଧିକ ଗାଡ଼ି ମାଟି ତଳେ ଦବି ରହିଛି । ଫଳରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛଇ । ଲ୍ୟାଣ୍ଡସ୍ଲାଇଡ ଯୋଗୁ ତେହରି-ଚାମ୍ବା ରାସ୍ତାରେ ଯାତାୟାତ ବନ୍ଦ ରହିଛି । SDRF ପକ୍ଷରୁ ରାସ୍ତା ସଫେଇ କାର୍ଯ୍ୟ ଚାଲିଛି । ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଥିବା ବେଳେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରଖାଯାଇଛି । ଆଜି ସକାଳୁ ଅଧିକାଂଶ ଜିଲ୍ଲାରେ ବର୍ଷା ସହ ଭୂସ୍ଖଳନ ଜାରି ରହିଛି । ଆଜି ପାଇଁ ଡେରାଡୁନ, ପଉରୀ, ନୈନିତାଲ, ଚମ୍ବାଓ୍ବତ ଓ ବାଗେଶ୍ବର ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଋଷିକେଶ-ବଦ୍ରିନାଥ ୫୮ନମ୍ବର ଜାତୀୟ ରାଜପଥ ଚମୋଲି ନିକଟରେ ୨୫୦ ମିଟର ଧସିଯାଇଛି । ଫଳରେ ସେହି ରାସ୍ତା ଦେଇ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ହିମାଚଳ ପ୍ରଦେଶରେ ବି ଆଜି ଓ ଆସନ୍ତାକାଲି ପ୍ରବଳୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଦୁଇ ଦିନ ଧରି ସାରାରାଜ୍ୟରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ହୋଇପାରେ । ଭୂସ୍ଖଳନ ଜୋନରେ ରେସ୍କ୍ୟୁ ଟିମ୍ ଆଲର୍ଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋଲନରେ ମାଜରୀ ଗାଁ ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଥିବା ବେଳେ କଟଲ ପକୌଟି ଗାଁରେ ଅନେକ ଘର ବିପଦସଙ୍କୁଳ ଅବସ୍ଥାରେ ରହିଛି । ୧୭ ପରିବାର ବାସିହିନ ହୋଇଛନ୍ତି । ଅଗଷ୍ଟ ଶେଷ ସପ୍ତାହରେ ବି ରାଜ୍ୟରେ ବର୍ଷା ବିପତ୍ତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଚନ୍ଦ୍ରଯାନ ଲ୍ୟାଣ୍ଡିଂର କାଉଣ୍ଟଡାଉନ, ବିଶ୍ବ ଦେଖିବ ଭାରତର ଐତିହାସିକ ସଫଳତା
ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରଯାନ ଲ୍ୟାଣ୍ଡିଂର କାଉଣ୍ଟଡାଉନ । ବିଶ୍ବ ଦେଖିବ ଭାରତର ଐତିହାସିକ ସଫଳତା । ମହାକାଶ ବିଜ୍ଞାନ ଇତିହାସରେ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିବ ଇସ୍ରୋ । ଆସନ୍ତାକାଲି ଚନ୍ଦ୍ରରେ ଗୃହପ୍ରବେଶ କରିବ ଚନ୍ଦ୍ରଯାନ-୩ । ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ପ୍ରସ୍ତୁତ ରଖିଛି ଇସ୍ରୋ । ମୁନ ମିଶନର ସଫଳତା କାମନା କରି ବିଭିନ୍ନ ମନ୍ଦିରରେ ହୋମଯଜ୍ଞ ସହ ଜଳଲାଗି କରାଯାଇଛି ।
ଆସନ୍ତାକାଲି ଚନ୍ଦ୍ରରେ ଗୃହପ୍ରବେଶ କରିବ ଚନ୍ଦ୍ରୟାନ-୩ । ସଂଶୟ ସମ୍ଭାବନାର ମୁହୂର୍ତ୍ତ । ଆଉ କିଛି ଘଣ୍ଟାର ଅପେକ୍ଷା । ସଫଳତାର ଶୀର୍ଷ ଛୁଇଁବ ଇସ୍ରୋ । ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ପାର୍ଟସ ଚେକିଂ ସହ ଚାଲିଛି ସିଷ୍ଟମ ଭେରିଫେକେସନ । କଣ୍ଟ୍ରୋଲ ରୁମରେ ଅନବରତ ପ୍ରଚେଷ୍ଟା । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ପ୍ରସ୍ତୁତ ।… କାଲି ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ । ଋଷ, ଆମେରିକା, ଚୀନ ପରେ ଭାରତ ସାଜିବ ଚତୁର୍ଥ ସୁପର ପାଓ୍ବାର । ଇସ୍ରୋ ବୈଜ୍ଞାନିକଙ୍କ ଐତିହାସିକ ଓ ମହତ୍ତ୍ବାକାଂକ୍ଷୀ ମିଶନ ଉପରେ ସାରାବିଶ୍ବର ନଜର ରହିଛି । କାଲି ସନ୍ଧ୍ୟା ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ପ୍ରତିକୂଳ ପରିସ୍ଥିତିରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଘୁଞ୍ଚାଇବାକୁ ଯୋଜନା ରଖିଛି ଇସ୍ରୋ । କାଲି ଚନ୍ଦ୍ରଯାନ ଅବତରଣରେ ସମସ୍ୟା ଉପୁଜିଲେ ଆସନ୍ତା ୨୭ ତାରିଖରେ ଲ୍ୟାଣ୍ଡିଂ କରାଯିବାକୁ ଯୋଜନା କରାଯାଇଛି । ଆଜି ଚନ୍ଦ୍ରପୃଷ୍ଠରୁ କିଛି ନୂଆ ଭିଡିଓ ପଠାଇଛି ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର କ୍ୟାମେରାରେ ରେକର୍ଡ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ଇସ୍ରୋ ।
ମୁନ ମିଶନର ସଫଳତା ପାଇଁ ହୋମଯଜ୍ଞ । ମନ୍ଦିରରେ ଜଳଲାଗି ସହ ହୋମଯଜ୍ଞ କରି ଐତିହାସିକ ମିଶନର ସଫଳତା କାମନା କରିଛନ୍ତି ଦେଶବାସୀ । ବାରାଣସୀର କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରାଯାଈ ଇସ୍ରୋ ପ୍ରୋଜେକ୍ଟର ସଫଳତା କାମନା କରାଯାଇଛି । ମୁମ୍ବାଇର ଚନ୍ଦ୍ରମୌଳେଶ୍ବର ମନ୍ଦିରରେ ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି । ପ୍ରୟାଗରାଜ ଓ ଭୋପାଳର ବୈଷ୍ଣୋଧାମ ଆଦର୍ଶ ନବଦୁର୍ଗା ମନ୍ଦିରରେ ଜଳ ଲାଗି କରି ଚନ୍ଦ୍ରଯାନ-୩ର ସଫଳତା କାମନା କରାଯାଇଛି । ସେପଟେ ଅହମ୍ମଦାବାଦରେ ଛାତ୍ରଛାତ୍ରୀମାନେ ଭାରତ ସଫଳତାର ଶୀର୍ଷରେ ପହଞ୍ଚୁ ବୋଲି ପ୍ରାର୍ଥନା କରିଛନ୍ତି । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବିଭିନ୍ନ ମସଜିଦରେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ନମାଜ ପାଠ ମଧ୍ୟ କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ । ମୃତ ବ୍ୟକ୍ତିଙ୍କ ନାଁରେ ଜାଲ ଡକ୍ୟୁମଣ୍ଟ କରି ହଡ଼ପ କରିବା ସହ ଅନ୍ୟକୁ ବିକ୍ରି କରୁଛନ୍ତି । ବ୍ରାହ୍ମଣତରଙ୍ଗ ଥାନାରେ ଏମିତି ଅଭିଯୋଗ ଆସିବା ପରେ ତତ୍ପରତା ଦେଖାଇଛି ପୋଲିସ୍ । ଲାଠିକଟା ତହସିଲ ଅନ୍ତର୍ଗତ ରୁତୁକୁପିଢି ଗ୍ରାମରେ ୫ ଏକର ୧୭ ଡିସମିଲ ଜମିକୁ ଜମି ମାଲିକଙ୍କ ଅଗୋଚରରେ ଜାଲିଆତି କରି ବିକ୍ରୀ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଜାଲିଆତି ଘଟଣାରେ ତହସିଲର କିଛି କର୍ମଚାରୀଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ଜମି ମାଲିକ ।
ମାଲିକଙ୍କ ୪୦ ବର୍ଷ ତଳେ ମୃତ୍ୟୁ ହୋଇଛି । ହେଲେ ସ୍ବର୍ଗରୁ ଆସି ଦସ୍ତଖତ କରି ଜମି ବିକ୍ରି କରୁଛନ୍ତି । ଏକଥା ଆମେ କହୁନୁ । ଖତିଆନ ନମ୍ବର ୪୩, ଲାଠିକଟା ତହସିଲ । ସର୍ବମୋଟ ୧୦ ଏକର ୬୮ ଡେସିମିଲ ଜମି । ଯାହା ସ୍ବର୍ଗତ ସନାତନ ଗୌଡଙ୍କ ନାଁରେ ରହିଛି । ହେଲେ ୪୦ ବର୍ଷ ତଳେ ତାଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ୨୦୨୨ ଏପ୍ରିଲ ୨୬ରେ ସେଥିରୁ ସେ ୫ ଏକର ୧୭ ଡେସିମିଲ ଜମି ବିକ୍ରି କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ୪୦ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ସେ ୨୦୨୨ରେ ଜମି ବିକ୍ରି କଲେ କିପରି ? ଜାଲିଆତି କରି ତାଙ୍କ ଜମିକୁ ବିକ୍ରି କରାଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଛି ।
ସାବିନା ଟପୋ ନିଜ ନାମରେ ଜମି ପଟ୍ଟା କରି ନେଇଥିବା ଅଭିଯୋଗ ହେଵା ସହ ବିକ୍ରିବେଳେ ଜଵାନ୍ଦୁ ଟିଗା, ସରୋଜ କୁମର ଟପୋ, ସାକ୍ଷୀ ଭାଵେ ରହିଥିବା ଅଭିଯୋଗ ହୋଇଛି । ଏହି ଜାଲିଆତି ଘଟଣାରେ ଲାଠିକଟା ତହସିଲ କାର୍ଯ୍ୟାଳୟର ଅଧିକାରୀଙ୍କ ସହ କିଛି କର୍ମଚାରୀଙ୍କ ସମ୍ପୃକ୍ତ ଥିବା ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିବାବେଳେ ଜାଲିଆତି ଘଟଣାରେ ସଂପୃକ୍ତ ଲୋକଙ୍କ ବିରୋଧର ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଛି ।
ଖାଲି ଏହି ଗୋଟିଏ ଘଟଣା ନୁହେଁ ଜିଲ୍ଲାରେ ଜମି ମାଫିଆମାନେ ଜାଲିଆତି କରି ସାଧାରଣ ଲୋକ ଓ ସରକାରୀ ଜମି ହଡ଼ପ କରୁଛନ୍ତି । ଉପଯୁକ୍ତ ତଦନ୍ତ ହେଲେ ସବୁ ଦୁର୍ନୀତି ପଦାକୁ ଆସିପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକ ।
ଓଡ଼ିଶାର ଏହି ସ୍ଥାନରେ ରାତିରେ ଚାଲେ ପରିବା ହାଟ
ବଲାଙ୍ଗୀର: ରାତିରେ ଚାଲେ ପରିବା ହାଟ । ସକାଳ ପାଇଲେ ସବୁ ପସରା ଖାଲି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସାଧାରଣତଃ ସକାଳୁ ଲୋକେ ପରିବା କଣିବାକୁ ପାଇ ଯାଇଥାନ୍ତି । ସକାଳୁ ସକାଳୁ ସଜ ପରିବା କିଣିବା ସହ ବୁଲାବୁଲି କରି ଘରକୁ ଫେରିବାକୁ ଲୋକେ ପସନ୍ଦ କରନ୍ତି । କିନ୍ତୁ ଏମିତି ଏକ ପରିବା ହାଟ କଥା ଆମେ ଆଜି କହୁଛୁ ଯାହା ରାତିରେ ହୁଏ ବେପାର । ଆଉ ସକାଳ ହେଲେ ହାଟର ବେପାରି ଠେଲା ଉଠାଇ ଘରକୁ ଫେରନ୍ତି ।
ସବୁଠି ଅନ୍ଧାରର ରାଜୁତି । ଷ୍ଟ୍ରିଟ ଲାଇଟର କ୍ଷୀଣ ଆଲୋକ । ଆଉ ତାରି ଭିତରେ ଚାଲିଛି ପରିବା ହାଟ । ଅନ୍ଧାର ରାତିରେ ଗ୍ରାହକ ଓ ବେପାରିଙ୍କ ଚାଲେ ମୁଲଚାଲ । ଏହି ସ୍ଥାନଟି ହେଉଛି ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ଗାଁ । ଯେଉଁଠି ଦିନରେ ନୁହେଁ ରାତିରେ ଚାଲେ ପରିବା ହାଟ । ସଂଧ୍ୟା ନଇଁବା ପରେ ଗାଁ ଦାଣ୍ଡରେ ଆରମ୍ଭ ହୁଏ ଗହଳି । ଜଣକ ବରେ ଜଣେ ପରିବା ଧରି ପହଞ୍ଚି ଯାଆନ୍ତି । କିଏ ସାଇକେଲରେ ତ କିଏ ବାଇକରେ ବୋହି ଆଣିନ୍ତି ପରିବା । ଆଉ କେଇ ମିନିଟ ଭିତରେ ପରିବାରେ ଭରିଯାଏ ପୁରା ହାଟ । ଆଉ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ କିଣାବିକା ।
ସବୁଠି ଦିନରେ ପରିବା ବଜାର ବସୁଥିବାବେଳେ ଚନ୍ଦନଭାଟିର ଏହି ପରିବା ହାଟ କିନ୍ତୁ ରାତିରେ ବସେ । ପ୍ରତିଦିନ ପ୍ରାୟ ୨ ହଜାର ଲୋକ ଏହି ପରିବା ହାଟ ଉପରେ ନିର୍ଭର କରନ୍ତି । ଆଖପାଖ ୨୫ଟି ଗାଁରୁ ଚାଷୀ ନିଜ ଜମିରୁ ପରିବା ଆଣି ସିଧାସଳଖ ବଜାରରେ ବିକ୍ରି କରନ୍ତି । ଆଉ ତଟକା ପରିବା ପାଇବାକୁ ଗ୍ରାହକମାନେ ମଧ୍ୟ ଚାହିଁ ବସିଥାନ୍ତି । ବିଶେଷ କରି ଦେଶୀ ପୋଟଳ, ଜହ୍ନି, ବାଇଗଣ, କୁନ୍ଦୁରି, କୋବି ଓ ଟମାଟୋର ଏହି ବଜାରରେ ଚାହିଦା ଅଧିକ । ଲୋକାଲ ଚାଷୀ ସିଧାସଳଖ ନିଜ ବାଡି ପରିବା ବିକ୍ରି କରୁଥିବାରୁ ଦର ବି ସାଧାରଣ ବଜାରଠାରୁ ଟିକିଏ କମ ରହିଥାଏ । ଆଉ ସିଧାସଳଖ ନିଜ ପରିବା ବିକି ଚାଷୀ ବି ଦିନକୁ ୧୫ ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଆନ୍ତି ।
ହାଟକୁ ଆସିବା ପୂର୍ବରୁ ଦିନରେ ପରିବା ତୋଳି ପ୍ୟାକିଂ କରନ୍ତି ଚାଷୀ । ସଂଧ୍ୟା ସୁଦ୍ଧା ପରିବା ସଂଗ୍ରର ସରିବା ପରେ ରାତିରେ ହୁଏ ବିକ୍ରି । ପରିବା ଚାଷ ଯୋଗୁଁ ଆତ୍ମନିର୍ଭରଶୀଳ ବଲାଙ୍ଗୀର ଚନ୍ଦଭାଟିର ଶହଶହ ଚାଷୀ ପରିବାର । ଆଉ ଏମାନଙ୍କ ପାଇଁ ନୂଆ ସମ୍ଭବାନା ସୃଷ୍ଟି କରିଛି ଲୋୟର ସୁକତେଲ ପ୍ରକଳ୍ପ । ଲୋୟର ସୁକତେଲର କ୍ୟାନାଲ ପାଣି ପ୍ରଥମେ ଏହି ଅଞ୍ଚଳକୁ ଜଳସେଚିତ କରିବ । ଯାହାକୁ ନେଇ ଖୁସି ହେଇପଡ଼ିଛନ୍ତି ଏହି ଅଞ୍ଚଳର ଚାଷୀ ।
୫ ଠକଙ୍କୁ ବାନ୍ଧିଲା ପୁଲିସ
ସମ୍ବଲପୁର: ସମ୍ବଲପୁର ପୋଲିସକୁ ସଫଳତା । କ୍ଷେତରାଜପୁର ଅଞ୍ଚଳରେ ଫେକ ଡକ୍ୟୁମେଣ୍ଟ ତିଆରି କରି ଜାଲିଆତି କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବିଲ୍ଡିଂ ପ୍ଲାନିଂ ଆପ୍ରୁଭାଲ ପାଇଁ କାଗଜପତ୍ର ଜାଲିଆତି କରି ଟଙ୍କା ନେଉଥିଲେ । ଏହାସହ ନକଲି ସିଲ୍ ତିଆରି କରି ବ୍ୟବହାର କରୁଥିଲେ । ୩ କୋଟି ୩୧ ଲକ୍ଷ ଜବତ କରିଛି ସମ୍ବଲପୁର ପୋଲିସ । ଏମାନେ ସମ୍ବଲପୁର ସହରର ୫୪ ଜଣଙ୍କୁ ଠକିଥିବା କହିଛି ପୋଲିସ୍ । ବିଲ୍ଡିଂ ପ୍ଲାନ ଅନୁମତି ପାଇଁ ଏସଡିଏରେ ଚାଲୁଥିଲା ସିଣ୍ଡିକେଟ ।ମିଛ ଦସ୍ତାବିଜ ତିଆରି କରି ଦେଉଥିଲେ ମିଛ ବିଲ୍ଡିଂ ପ୍ଲାନ ଅନୁମତି । ନକଲି ରବର ଷ୍ଟାମ୍ପ, ନକଲି ଦସ୍ତାବିଜ, ନକଲି ଦସ୍ତଖତ କରି ଦେଉଥିଲେ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ । ମୁଖ୍ଯ ଅଭିଯୁକ୍ତ ଏସଡିଏର ଡିଲିଂ ଆସିଷ୍ଟାଣ୍ଟ ଲକ୍ଷ୍ମୀ ନାରାୟଣ ସାମଲ ଓ ବୁଲୁଙ୍କ ସମେତ ୫ଜଣଙ୍କୁ ଗିରଫ କରିବା ସହ ମିଛ ଡକ୍ଯୁମେଣ୍ଟ ଜବତ କରିଛି ପୋଲିସ ।ଅଭିଯୁକ୍ତଙ୍କ ଆକାଉଣ୍ଟରୁ ୩ କୋଟି ୩୧ ଲକ୍ଷ ୯୬ ହଜାର ୨୨୭ ଟଙ୍କା ସିଜ୍ କରିଛି ପୋଲିସ । ୩ଟି ଆକାଉଣ୍ଟରରେ ଏହି ଟଙ୍କା ଥିବାବେଳେ ୨ଟି କାର୍, ଗୋଟିଏ ମଟର ସାଇକେଲ, କମ୍ପ୍ଯୁଟର, ଖତିଆନ, ଘର, ପ୍ଲଟ, ଡୁପ୍ଲିକେଟ ରବର ଷ୍ଟାମ୍ପ ଜବତ କରିଛି ପୋଲିସ । ଘଟଣାରେ ଏସଡିଏର ପୂଜକଙ୍କ ଆକାଉଣ୍ଟରେ ପଇସା ନେଣଦେଣ ହେଉଥିବାବେଳେ ବୁଲୁ ସାମଲ ସାଜିଥିଲା ମାଷ୍ଟର ମାଇଣ୍ଡ ।….
ମୁଷନଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଯୋଜନା
ଯାଜପୁର: ଗରିବ ଲୋକଙ୍କ ଲାଗି ଜନ୍ମରୁ ମୃତ୍ୟୁ ଯାଏ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ହେଲେ ଏବେବି କିଛି ଲୋକଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଯୋଜନା । ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ଏମାନଙ୍କ ନିକଟରେ ପହଞ୍ଚି ପାରୁନି ସରକାରୀ ସହାୟତା । ଯାଜପୁର ବିଝାଂରପୁର ଘଂଟିଆଳି ଲେଙ୍କା ସାହିର ମୁଷନ ଜେନାଙ୍କ ପରିବାର । ଦୁଃଖ କଷ୍ଟରେ ଚଳି ଆସୁଥିଲେ ସୁଦ୍ଧା ତାଙ୍କ ଉପରେ ପଡ଼ୁନି କାହାରି ନଜର । ଅନେକ ଦିନରୁ ଘରର ଚାଳ ଛାଉଣି କି ମରାମତି ହୋଇନି। ଭଙ୍ଗା ଦଦରା କାନ୍ଥ କେତେ ବେଳେ ଯେ ଗଳିପଡିବ ତାହାବି କହିବା ମୁସକିଲ। ସେପଟେ ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତି ବି ଅଣ୍ଟା ଭାଙ୍ଗିଯାଇଥିବାରୁ ଶଯ୍ୟାଶାୟୀ । ଭେଣ୍ଡିଆ ପୁଅବି ମାନସିକ ରୋଗରେ ପୀଡିତ । ଦୁଃଖ କଷ୍ଟରେ ଏଭଳି ଜୀବନ ବିତାଉଛନ୍ତି ଯାଜପୁର ଜିଲ୍ଲା ଘଂଟିଆଳି ଲେଙ୍କା ସାହିର ମୁଷନ ଯେନାଙ୍କ ପରିବାର । ମୁଷନ ଏବଂ ସ୍ବାମୀ ଡାଙ୍ଗଧର ପାଉଥିବା ଭତ୍ତା ଟଙ୍କା ବି ଏବେ ବନ୍ଦ ରହିଛି । ଅନଲାଇନ ସିଷ୍ଟମରେ ଉଭୟଙ୍କ ନାଁ ପଞ୍ଜିକରଣ ହୋଇପାରିନଥିବାରୁ ଭତ୍ତା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି ମୁଷନ। ଫଳରେ ଏବେ ପରିବାର ଚଳିବା ଆହୁରି କଷ୍ଟକର ହୋଇପଡିଥିବା କହିଛନ୍ତି ମୁଷନ ।
ଦୁଃଖ ଏତିକିରେ ସରିନି । ଅର୍ଥ ଅଭାବରୁ ପୁଅ ଓ ସ୍ତ୍ରୀଙ୍କ ଚିକିତ୍ସା ହୋଇପାରୁନି । ସରକାରୀ ସ୍ତରରେ ଘର ବି ମିଳିନାହିଁ । ଘରକୁ ବିଜୁଳିତ ଦୂରର କଥା ପାଣି ପାଇପ ସଂଯୋଗ ନଥିବାରୁ ସପ୍ତାହକ ପାଇଁ ପାଣି ବୋଟଲରେ ସଂଗ୍ରହ କରି ମାଟିତଳେ ପୋତି ରଖିଛନ୍ତି ମୁଷନ। ପରିବାର ବିଷୟରେ ଅବଗତ ହେବାପରେ ବିଞ୍ଝାରପୁର ବ୍ଲକ ପ୍ରଶାସନକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଅକ୍ଟୋବର ଶେଷ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା କାମ
ପୁରୀ: ପୁରୀରେ ଅବଢ଼ା ଯୋଜନାରେ ଅନେକଗୁଡ଼ିଏ ପ୍ରକଳ୍ପ କାମ ଚାଲିଥିବା ବେଳେ ସେହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ କେଉଁଭଳି ସ୍ଥିତିରେ ରହିଛି ସେ ନେଇ ସମୀକ୍ଷା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ, ରଘୁନନ୍ଦନ ଲାଇବ୍ରେରୀ, ଶ୍ରୀମନ୍ଦିର ପ୍ରଶାସନିକ କୋଠା, ତୀର୍ଥ ପୁଷ୍କରିଣୀ ସମେତ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ଓବିସିସିର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ପାଇଁ ରହିବ ୯ ଟି ପ୍ରବେଶ ପଥ । ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ବରେ ଓ ଏମାର ମଠ ନିକଟରେ ହେବ ନିର୍ମାଣ । ରଘୁନନ୍ଦନ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ । ଗୋପାଳତୀର୍ଥ ମଠ ଓ ନାରାୟଣୀ ମନ୍ଦିରର କରାଯିବ ପୁନରୁଦ୍ଧାର । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଅବଢ଼ା ଯୋଜନା ସମୀକ୍ଷା ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରି ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରାଯିବା ସହ ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ଶ୍ରୀମନ୍ଦିର ଭିତରେ ଓ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ଏଜେନ୍ସି ସହ ଆଲୋଚନା କରାଯାଇଛି ।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି । ଯାତ୍ରୀ ପରିକ୍ରମା ପ୍ରକଳ୍ପ ଦ୍ବାରା ପ୍ରଭାବିତ ହୋଇଥିବା ୧୮ଟି ମଠ ଓ ଦୁଇଟି ମନ୍ଦିରର ମଧ୍ୟ ବିକାଶ କରାଯିବ । ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆବାସ ଯୋଜନା, ଜେଟିପି ପୋଲିସଙ୍କ ପାଇଁ ବ୍ୟାରାକ୍, ଦିବ୍ୟାଙ୍କ ଭକ୍ତଙ୍କ ନିମନ୍ତେ ପୂର୍ବପରି ରାମ୍ପ ଓ ପୀଠୁ କିମ୍ବା ଅନ୍ୟ କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ତର୍ଜମା ହୋଇଥିଲା । ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ଏହି ସବୁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି ।
ଖୁଲମ ଖୁଲା ବିକ୍ରି ହେଉଛି ନିଶା କରୁଥିବା ଔଷଧ
ଢ଼େଙ୍କାନାଳ: ସଞ୍ଜୀବନୀ ସାଜୁଛି ଜହର । ଔଷଧ ଦୋକାନରେ ଖୁଲମ ଖୁଲା ମିଳୁଛି ନିଶା କରୁଥିବା ଔଷଧ । ଆବଶ୍ୟକ ପଡୁନି ପ୍ରେସକ୍ରିପସନ। ଢେଙ୍କାନାଳର ଅନେକ ଔଷଧ ଦୋକାନରେ ମିଳୁଛି ନିଶା ମେଣ୍ଟାଉଥିବା ଔଷଧ । ଖୁବ୍ କମ୍ ପଇସାରେ ନିଶାର ମଜା ଉଠାଉଛନ୍ତି ନିଶାଡି ଓ ନାବାଳକ ।
ଦକ୍ଷିଣ କାଳି ରୋଡରେ ଥିବା ଏକ ଔଷଧ ଦେକାନରେ ବିନା ପ୍ରେସକ୍ରିପ୍ସନରେ ମିଳୁଛି ଲୋରାଜେପାମ, ଟେଲମା ୪୦ , କ୍ଲୋନାଜ୍ ଭଳି ଔଷଧ । ବିନା ଡାକ୍ତରୀ ପରାମର୍ଶରେ ଏହାକୁ ଖାଇବା ବିପଦ। ଏହାକୁ ବିନା ପ୍ରେସକ୍ରିପ୍ସନରେ ବିକ୍ରି କରିବା ବି ବେଆଇନ। କେବଳ ଏହି ଗୋଟିଏ ଦୋକାନ ନୁହଁ ଏଭଳି ଅନେକ ମେଡିସିନ୍ ଦେକାନରେ ଚାଲିଛି ନିଶା ପାଇଁ ଔଷଧ ତସ୍କରି। ଏନେଇ ପ୍ରଶ୍ନ କରିବାକୁ ମେଡିସିନ୍ ଦୋକାନୀ ପାଲଟା ପ୍ରଶ୍ନ କରୁଛନ୍ତି ।
ନିଶାଡି ଏଭଳି ଅନେକ ଔଷଧ ଓ ଇଞ୍ଜେକସନ୍ ସହଜରେ ପାଇଯାଇ ନିଶା ଭାବେ ବ୍ୟବହାର କରୁଛନ୍ତି । ଅପରେସନ ଥିଏଟର ଭିତରେ ରୋଗୀଙ୍କୁ ନିଶା ଭାବେ ଦିଆ ଯାଉଥିବା ଇଞ୍ଜେକସନକୁ ମଧ୍ୟ ନିଶାଡିଙ୍କୁ ବିକ୍ରି କରିବା ପାଇଁ ପଛାଉ ନାହାନ୍ତି ଲାଭଖୋର୍ ଦୋକାନୀ । ନିଛାଟିଆ ସ୍ଥାନରେ ଓ ସହରର ବିଭିନ୍ନ ଭଙ୍ଗା ଘର ଏବେ ନିଶାଡିଙ୍କ ଆଡ୍ଡା ପାଲଟିଛି ।
କେନ୍ଦ୍ର ସରକାରଙ୍କ ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ 1942 ଅନୁଯାୟୀ, ଯେ କୌଣସି ନିଶାଯୁକ୍ତ ଔଷଧ ବିନା ପ୍ରେସକ୍ରିପସନରେ ବିକିବା ଅପରାଧ । ହେଲେ ଏହି ନିୟମକୁ ଦଳିମକଚି ଜଳାଞ୍ଜଳି ଦେଇଛନ୍ତି ଢେଙ୍କାନାଳର ଅନେକ ଔଷଧ ବ୍ୟବସାୟୀ ।

