କୋରାପୁଟ: ୫ ଦିନ ପରେ କାର୍ଯ୍ୟକ୍ଷମ ହେଲା ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର । ଡ୍ୟାମ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ମଧ୍ୟ ରାତ୍ରିରୁ ୬ ଟି ଟର୍ବାଇନ କାର୍ଯ୍ୟକ୍ଷମ ହେବା ପରେ ୧୨୦ ମେଗାୱାଟ ଉତ୍ପାଦନ ଆରମ୍ଭ ହୋଇଛି । କିନ୍ତୁ ୫ ଦିନରେ ୫ କୋଟି ରାଜସ୍ବ କ୍ଷତି ସହିଛି ପ୍ରକଳ୍ପ । ଅନ୍ୟପକ୍ଷରେ ଟି.ପି.ଡ୍ୟାମର ପାଣି ଖାଲି କରିବା ପରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଡି.ଡ୍ୟାମର ଦୁଇଟି ପାୱାର ଗେଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧାରେ ଅଟକିଥିବାରୁ ଷ୍ଟୋରେଜ ପାଣିକୁ ସମ୍ପୂର୍ଣ ଖାଲି କରିବାକୁ ପଡିଥିଲା ।
ଦିନକ ପରେ ନୂଆଖାଇ, ଆଜି ମା’ ସମଲେଶ୍ବରୀଙ୍କ ସିନ୍ଦୂର ଲାଗି
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସମ୍ବଲପୁର । ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ନିକଟରେ ଶେଷ ପର୍ଯ୍ୟାୟରେ ପହଂଚିଲାଣି ପ୍ରସ୍ତୁତି । ମନ୍ଦିର ସଫେଇ ପରେ ଆଜି ୧୧୫ ପାର୍ଶ୍ବ ଦେବଦେବୀଙ୍କ ଠାରେ ସିନ୍ଦୂର ଲାଗି କରାଯାଉଛି । ମନ୍ଦିର ଚାରିପାଖରେ ଥିବା ପାର୍ଶ୍ବ ଦେବଦେବୀଙ୍କୁ ନୂଆଖାଇ ପୂର୍ବରୁ ସିନ୍ଦୂର ଲଗାଇବାର ପରମ୍ପରା ରହିଛି । ସିନ୍ଦୂର ଲାଗି ପରେ ଆଜି ମାଆ ସମଲେଶ୍ବରୀଙ୍କ ଅଳଙ୍କାର ସଫେଇ କରିବାର କାର୍ଯ୍ୟକ୍ରମ ରହିଛି ।
ସେପଟେ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆ ଖାଇବେ ଏକାଠି ହୋଇ ଜୁହାର ଭେଟ୍ ହେବେ । ସୁନ୍ଦରଗଡ଼ରେ ଥିବା ଜୟଶଙ୍କର ସେବାଶ୍ରମରେ ନୂଆଖାଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଶକ୍ତ ଝଟକା, ବିଜେଡିରେ ମିଶିଲେ ୩୦୦ କର୍ମୀ
ଭଦ୍ରକ: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଶକ୍ତ ଝଟକା । ବିଜେପି ସହ ଦୀର୍ଘ ୩୦ ବର୍ଷର ସମ୍ପର୍କକୁ ଛିନ୍ନ କରି ବିଜେଡିରେ ମିଶିଲେ ବିଜେପି ଲଙ୍କେଶ୍ବରୀ ମଣ୍ଡଳୀ ସାଧାରଣ ସଂପାଦକ ମାନସ ରଞ୍ଜନ ନାୟକ । ନିଜର ୩୦୦ ସମର୍ଥକଙ୍କ ସହିତ ମାନସ ବିଜେଡିରେ ସାମିଲ ହୋଇଛନ୍ତି ।
ପୀରହାଟ ବଜାରରେ ଆୟୋଜିତ ମିଶ୍ରଣ ପର୍ବରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ନୂତନ କର୍ମୀଙ୍କୁ ଦଳକୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ବିଧାୟକ । ମାନସଙ୍କ ଯୋଗଦାନ ଫଳରେ ୯ ନମ୍ବର ଜୋନରେ ପୂର୍ବାପେକ୍ଷା ଆହୁରି ସଶକ୍ତ ହୋଇଛି ବିଜେଡି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ତଥା ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା ମାନସ କହିଛନ୍ତି । ମିଶ୍ରଣ ପର୍ବରେ ତିହିଡି ବ୍ଳକ ଅଧ୍ଯକ୍ଷା ଅବନ୍ତୀ ଦାସ, ଜିଲ୍ଲା ପରିଷଦ ଅମୂଲ୍ୟ ମାଝୀ, ପ୍ରିନ୍ସ ରାକେଶ ନାୟକ , ନରେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏବେ ବି ଅନନ୍ତନାଗରେ ଚାଲିଛି ଗୁଳି ବିନିମୟ, ଆତଙ୍କୀ ଲୁଚିଥିବା ନେଇ ସନ୍ଦେହ
ଅନନ୍ତନାଗ: ଷଷ୍ଠ ଦିନରେ ଜମ୍ମୁ ଓ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର । ଜଣେ ଆତଙ୍କବାଦୀର ଅର୍ଦ୍ଧଦଗ୍ଧ ମୃତଦେହ ଠାବ କରାଯାଇଥିବାବେଳେ କମ୍ବିଂ ଅପରେସନ ଜାରି ରହିଛି । ଗତ ବୁଧବାର ଠାରୁ ଅପରେସନ ଜାରି ରହିଥିଲେ ବି ତଥାପି କିଛି ଆତଙ୍କୀ ଲୁଚି ରହିଥିବା ଆଶଙ୍କା ଥିବାରୁ ସେଠାରେ ଅପରେସନ ଜାରି ରହିଛି ।
ଅପରେସନ ବେଳେ ଜଣେ ଯବାନଙ୍କ ମୃତଦେହ ଠାବ କରିବା ଲାଗି ବି ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ଏନକାଉଣ୍ଟରର ପଞ୍ଚମ ଦିନରେ ନିରାପତ୍ତାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ୩ ଜଣ ନିରାପତ୍ତା ଅଧିକାରୀ ଶହୀଦ ହୋଇଥିବାବେଳେ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ଖୋଲୁଛି ଇରାନୀର ଗୋଟିଏ ପରେ ଗୋଟିଏ ବ୍ଲାକମେଲ ପେଡ଼ି, ସିଡିଆର ଆନାଲିସିସ ପାଇଁ ଖୋଳତାଡ଼
ଭୁବନେଶ୍ବର: ଖୋଲୁଛି ହନିଟ୍ରାପ କୁଇନ ଇରାନୀ ପାତ୍ରର ଗୋଟିଏ ପରେ ଗୋଟିଏ ବ୍ଲାକମେଲ୍ ପେଡ଼ି । ମୁହଁରେ ମାସ୍କ ପିନ୍ଧି ନ୍ୟୁଡ୍ କଲ କରୁଥିଲା ଇରାନୀ । ଡେଟିଂ ସାଇଟର ଥିଲା ଆକ୍ଟିଭ ମେମ୍ବର । ଫୁଙ୍ଗୁଳା ଦେହରେ ବଡ଼ବଡ଼ିଆଙ୍କୁ କରୁଥିଲା ଭିଡିଓ କଲ୍ । ନ୍ୟୁଡ୍ ଭିଡିଓ କଲ୍ ସମୟରେ ସ୍କ୍ରିନ ରେକର୍ଡ କରି ଚଳାଇଥିଲା ବ୍ଲାକମେଲ ସାମ୍ରାଜ୍ୟ । ଏହି ସମୟରେ ସ୍କ୍ରିନ ଆଗରେ ମଦ ପିଉଥିଲା ଇରାନୀ ।
ଅନ୍ୟ ସହିତ କଥାହେବା ବେଳେ ନିଜକୁ ଟେଲି ଅଭିନେତ୍ରୀ ବୋଲି ପରିଚୟ ଦେଉଥିଲା ଇରାନୀ । ହନିଟ୍ରାପ କୁଇନ ବ୍ୟବହାର କରୁଥିଲା ଦେଢ଼ ଲକ୍ଷ ଟଙ୍କାର ମୋବାଇଲ । ଇରାନୀ ରାକେଟର ପର୍ଦ୍ଦାଫାସ କରିବାକୁ ତନାଘନା ଚଳାଇଛି ପୋଲିସ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ ଥିବା ଡିଭାଇସକୁ ଖୋଜାଚାଲିଛି । ୫ ଅଭିଯୁକ୍ତଙ୍କ ସିଡିଆର ଆନାଲିସିସ ପାଇଁ ଚାଲିଛି ଖୋଳତାଡ଼ ।
ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ବ୍ୟାଙ୍କକୁ ଚିଠି ଲେଖାଯାଇଛି । ଜଣେ ଡାକ୍ତରଙ୍କୁ ଟ୍ରାପ କରି ୨୫ ଲକ୍ଷ ଦାବି କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ପୋଲିସ । ରିମାଣ୍ଡରେ ଆସିବା ପରେ ଠକେଇ ସାମ୍ରାଜ୍ୟର ସମ୍ପୂର୍ଣ୍ଣ ଗୁମର ଖୋଲିବ ବୋଲି ଆଶା କରାଯାଉଛି । ଇରାନୀର ସ୍ବାମୀ ନିଶିକାନ୍ତ ପାତ୍ରକୁ ୫ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ତମାଣ୍ଡୋ ପୋଲିସ ।
ମେରାଇନ ଡ୍ରାଇଭରେ ମୁହାଁମୁହିଁ ମୋ ବସ ଓ କାର, ଜଣେ ମୃତ
ପୁରୀ: ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଦୁର୍ଘଟଣା । ମୁହାଁମୁହିଁ ହେଲେ ମୋ ବସ୍ ଓ କାର୍ । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅବସ୍ଥାରେ କଟକ ଏସସିବି ସ୍ଥାନାନ୍ତର ହୋଇଛନ୍ତି ।
ମୃତକ ହେଲେ ପୁରୀ ଗୁଡ଼ିଆପୋଖରୀର ସତ୍ୟ ଦାସ । ୧୦ରୁ ଅଧିକ ଆହତ ପୁରୀ ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁରୀରୁ କାକଟପୁର ଅଭିମୁଖେ ମୋ ବସଟି ଯାଉଥିବାବେଳେ କୋଣାର୍କଆଡ଼ୁ ଆସୁଥିବା ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ମୋ ବସ ଡ୍ରାଇଭର ବସ ଭିତରେ ଫସି ରହିଥିଲେ । କୋଣାର୍କ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।
ଭଡାଘରୁ ମିଳିଲା ଶିକ୍ଷୟତ୍ରୀ ଓ ଦୁଇ ପୁଅଙ୍କ ମୃତଦେହ
ବ୍ରହ୍ମପୁର: ଗଞ୍ଜାମରେ ଚାଞ୍ଚଲ୍ୟ । ଶେରଗଡ଼ରେ ଶିକ୍ଷୟତ୍ରୀ ଓ ଦୁଇ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ଯାଳୟର ଶିକ୍ଷୟତ୍ରୀ ସାବିତ୍ରୀ ସାହୁ ଓ ତାଙ୍କର ଦୁଇ ପୁଅ । ମୃତ ଶିକ୍ଷୟତ୍ରୀ ଜଣକ ବାଇପାସ ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ । ସକାଳୁ ସାବିତ୍ରୀ ଓ ତାଙ୍କର ଦୁଇ ପୁଅଙ୍କୁ ଅଚେତ ଅବସ୍ଥାରେ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ତିନିଜଣଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି । କେମିତି ମୃତ୍ୟୁ ହେଲା ସେନେଇ ସସପେନ୍ସ ଜାରି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

