ଭୁବନେଶ୍ୱର: ବ୍ଲାକମେଲର ନେତାଙ୍କ ସପକ୍ଷରେ ଜନବିରୋଧୀ ନେତା । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବୟାନକୁ କଟାକ୍ଷ କରିଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ଅନୁଭବ କହିଛନ୍ତି, ଲଗାତାର ଭାବେ ବ୍ଲାକମେଲ୍ କରି ଆସୁଥିବା ଜଣେ ନେତାଙ୍କ ସମର୍ଥନରେ ଆଉ ଜଣେ ଜନବିରୋଧୀ ନେତା ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ପ୍ରଦୀପ ପାଣିଗ୍ରାହୀ ଚାକିରି ଦେବାକୁ କହି ଗରିବ ବେକାର ଯୁବକଙ୍କଠାରୁ ଟଙ୍କା ଠକିଥିଲେ । ଆଉ ସୌମ୍ୟରଞ୍ଜନ ନିଜ କର୍ମଚାରୀଙ୍କୁ ଧମକ୍, ନାଲିଆଖି ଦେଖାଇ ସେମାନଙ୍କ ନାଁରେ ଋଣ ଉଠାଇ ନିଜର ସାମ୍ରାଜ୍ୟ ବିସ୍ତାର କରୁଥିଲେ । ଉଭୟ ଜନବିରୋଧୀ ନେତା ନିଜ ସ୍ବାର୍ଥ ପାଇଁ ଏକାଠି ହେବାରେ କିଛି ନୂତନତ୍ବ ନାହିଁ । ଏହା ଅତ୍ୟନ୍ତ ସ୍ବାଭାବିକ କଥା ବୋଲି ଅନୁଭବ କହିଛନ୍ତି ।
ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ । ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଏହି ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ଆସନ୍ତା ୧୯ ତାରିଖରୁ ପୁରୁଣା ସଂସଦ ଭବନ ବଦଳରେ ନୂଆ ସଂସଦ ଭବନର ଚାଲିବ ଅଧିବେଶନ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର ୨୪ଟି ଦଳ । ସେହିପରି ଜାତି ଗଣନା, ମଣିପୁର ହିଂସା, ସାମ୍ପ୍ରଦାୟିକ ହିଂସା, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସଂସଦର ସ୍ବତନ୍ତ୍ର ଅଧିବେଶନର କାରଣ ସ୍ପଷ୍ଟ କରିବା ଲାଗି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ ।
ସାଧାରଣତଃ ସଂସଦର ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ବସୁଥିବାବେଳେ କାହିଁକି ସ୍ବତନ୍ତ୍ର ଅଧିବେଶନର ଆବଶ୍ଯକତା ପଡିଲା ତାହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଅଦିନିଆ ଅଧିବେଶନକୁ ନେଇ ସରକାରଙ୍କୁ ବିରୋଧୀ ଦଳ ଘେରିଥିବାବେଳେ ଏହି ଅଧିବେଶନର କାର୍ଯ୍ୟକ୍ରମ ନେଇ ପୂର୍ବରୁ ସ୍ପଷ୍ଟ କରିଥିଲେ ସରକାର । ଶେଷ ଥର ଲାଗି ଗତ 2017 ଜୁନ 30ରେ ଏକ ସ୍ବତନ୍ତ୍ର ଅଧିବେଶନରେ ଲାଗୁ କରାଯାଇଥିଲା ଜିଏସଟି ।
ବହୁ ଚର୍ଚ୍ଚିତ ସେବାୟତ କାଳିଆ ପଢ଼ିଆରୀ ହତ୍ୟା ମାମଲାରେ ଅଭିଯୁକ୍ତ ଜଗନ ଖଟେଇ ଗିରଫ
ପୁରୀ: ପୁରୀ ପୋଲିସକୁ ବଡ଼ ସଫଳତା । ବହୁ ଚର୍ଚ୍ଚିତ ସେବାୟତ କାଳିଆ ପଢ଼ିଆରୀ ହତ୍ୟା ମାମଲାରେ ଅଭିଯୁକ୍ତ ଜଗନ ଖଟେଇ ଗିରଫ । ଜଗନ ଘରୁ ଦୁଇଟି ବନ୍ଧୁକ ଗୋଟେ ଜୀବନ୍ତ ଗୁଳି ସହ ମୋବାଇଲ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି । ପୋଲିସ ସ୍କାନରରେ ଥିଲା ଜଗନ । ଗତକାଲି ସନ୍ଧ୍ୟାରେ ଜଗନ ହଳଦିଆ ଛକଠାରେ ବନ୍ଧୁକ ବ୍ୟବସାୟ କରିବାକୁ କିଛି ଅପରାଧୀଙ୍କୁ ଅପେକ୍ଷା କରିଥିଲା । ପୋଲିସ ପାଟ୍ରୋଲିଂ ଟିମ୍ ଜଗନକୁ ଅଟକ ରଖି ପଚରାଉଚରା କରିବା ବେଳେ ସେ ସେବାୟତ କାଳିଆ ପଢ଼ିଆରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣା ପଡିଥିଲା । ପରେ ଜଗନ ଘରେ ପୋଲିସ ଚଢ଼ାଉ କରି ତଦନ୍ତ କରିଥିଲା । ଜଗନ ଘରୁ ଦୁଇଟି ବନ୍ଧୁକ ସହ ଗୋଟିଏ ଜୀବନ୍ତ ଗୁଳି ଓ ମୋବାଇଲ ଫୋନ ଜବତ ହୋଇଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

