spot_img
Home Blog Page 2902

ସମ୍ମାନିତ ହେଲେ ୭୦ଜଣ ଗୁରୁ

0

ଭୁବନେଶ୍ବର: ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁଙ୍କ ଭୂମିକା ଗୁରତ୍ବପୂର୍ଣ୍ଣ । ଗୁରୁ-ଶିଷ୍ୟ ପରମ୍ପରା କାହିଁ କେଉଁ ପ୍ରାଚୀନ କାଳରୁ ରହି ଆସିଛି । ଗରୁଙ୍କ ଆଶୀର୍ବାଦ ଶିଷ୍ୟମାନଙ୍କ ପାଇଁ ସବୁଠାରୁ ବଡ ପୁଞ୍ଜି । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଶିବାଂଶୀ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ବର ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ, ବିଶିଷ୍ଟ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏବଂ ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେଇ ୭୦ ଜଣ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରିଛନ୍ତି ।

ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନାରେ ୭୦ ଶିକ୍ଷକଙ୍କୁ ସମ୍ମାନ । ଗୁରୁ ଦିବସ ଅବସରରେ ସମ୍ମାନୀତ କଲା ଶିବାଂଶୀ ଫାଉଣ୍ଡେସନ୍ । ଗୁରୁ-ଶିଷ୍ୟର ପ୍ରାଚୀନ ପରମ୍ପରାକୁ ବଜାୟ ରଖିବାରେ ଫାଉଣ୍ଡେସନର ଉଦ୍ୟମକୁ ପ୍ରଶଂସା କଲେ ବିଶିଷ୍ଟ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ଡକ୍ଟର ପଣ୍ଡା କହିଛନ୍ତି, ଛାତ୍ରଛାତ୍ରୀଙ୍କ ମାନସିକ, ବୈଦିକ ଏବଂ ଭୌତିକ ବିକାଶରେ ଗୁରୁଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗୁରୁମାନେ ସାକ୍ଷାତ ପରମବ୍ରହ୍ମ । ସେମାନେ ଶିଶୁମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି । ଭବିଷ୍ୟତ ଗଢନ୍ତି । ଭାରତ ଏକ ଯୁବ ବହୁଳ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି । ଯେଉଁମାନଙ୍କ ପାଇଁ ଗୁରଙ୍କ ପ୍ରମୁଖ ଭୁମିକା ରହିଛି । ତେଣୁ ଆମେମାନେ ଗୁରୁମାନଙ୍କୁ ଯେତିକି ସମ୍ମାନ କରିବା ତାହା ଆଗାମୀ ପିଢିଙ୍କ ପାଇଁ ଏକ ପରମ୍ପରା ସୃଷ୍ଟି କରିବ ।

ରାଜ୍ୟର କୋଣ ଅନୁକୋଣରୁ ଗୁରୁମାନଙ୍କୁ ଆଣି ଭୁବନେଶ୍ବରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ସମ୍ମାନୀତ କରିବା ଶିକ୍ଷକମାନଙ୍କୁ ବେଶ ଉତ୍ସାହିତ କରିଛି । ସାମ୍ପ୍ରକିତ ପରିସ୍ଥିତିରେ ବିପଥଗାମୀ ପିଲାମାନଙ୍କୁ ବାଟ କଢାଇବା ଏକ ବଡ ଚ୍ୟାଲେଞ୍ଜ ହୋଇଛି । ତେଣୁ ଏଭଳି ସମ୍ମାନ ଗୁରୁମାନଙ୍କୁ ମନୋବଳ ବୃଦ୍ଧି କରିବା ପାଇଁ ସହାୟକ ହେବ ବୋଲି ଶିକ୍ଷକମାନେ କହିଛନ୍ତି । ଶିବାଂଶୀ ଫାଉଣ୍ଡେସନ୍ର ଦ୍ବିତୀୟ ସଂସ୍କରଣରେ ୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି କରାଯିବ ବୋଲି ଫାଉଣ୍ଡେସନ ମୁଖ୍ୟ କହିଛନ୍ତି ।

 

ଦିବ୍ୟାଙ୍ଗ ହୋଇ ବି ସକ୍ଷମ ସୁଭଦ୍ରା

କଟକ: ଦିବ୍ୟାଙ୍ଗ ହେଲେ ବି ସକ୍ଷମ । ନିଜର ଶକ୍ତି ବଳରେ ଆତ୍ମନିର୍ଭରଶୀଳ । ହାତ ଗୋଡ଼ ନଥିଲେ ବି ମନରେ ରହିଛି ଅନେକ ସ୍ବପ୍ନ । ପାଠ ପଢିବେ, ନିଜ ପରିଚୟ ନିଜ ଉଦ୍ୟମରେ ସୃଷ୍ଟି କରିବେ । ଏହି ଲକ୍ଷ୍ୟ ନେଇ ଜୀବନକୁ ଏକ ନୂଆ ରାହା ଦେଇଛନ୍ତି । କଟକ ସଦର ଅଞ୍ଚଳ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବାବୁଲି ଓ ବେବିଙ୍କ ଝିଅ ସୁଭଦ୍ରା । ଜନ୍ମରୁ ଦିବ୍ୟାଙ୍ଗ । ଆସନ୍ତା ବର୍ଷ ସେ ମାଟ୍ରିକ ପରୀକ୍ଷା ଦେବେ। ହାତଗୋଡ଼ ନ ଥାଇ ମଧ୍ୟ ଲେଖିବା, ଚିତ୍ର ଆଙ୍କିବା, ନାଚିବା ସହ ଘରର ସବୁ କାର୍ଯ୍ୟ କରି ପାରନ୍ତି । ବଡ଼ ଭଉଣୀ ତାଙ୍କୁ ପ୍ରତିଦିନ ସ୍କୁଲ ନେବା ଆଣିବା କରନ୍ତି । ତେବେ ଭଉଣୀଙ୍କ ବିବାହ ହେବା ପରେ ତାଙ୍କୁ ସ୍କୁଲ ନେବାକୁ କେହି ନାହିଁ । କାରଣ ବାପା ସ୍କୁଲକୁ ନେଲେ ରୋଜଗାର କରିବ କିଏ ? ଭଲ ପାଠ ପଢି ଭଲ ସରକାରୀ ଚାକିରି କରିବାକୁ ଲକ୍ଷ୍ୟ ରଖିଛନ୍ତି ସୁଭଦ୍ରା ।

ଦିବ୍ୟାଙ୍ଗ ହେଲେ ବି ମନରେ ରହିଛି ଉଡ଼ିବାର ସ୍ବପ୍ନ । ନିଜେ ଆତ୍ମନିର୍ଭରଶିଳ ହେବା ସହ ଦିନ ମଜୁରିଆ ବାପାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି । ହେଲେ ସ୍କୁଲକୁ ଯିବା ଓ ଲେଖାଲେଖିରେ ତାଙ୍କୁ ସହାୟତା କରିବାକୁ କେହି ନାହିଁ । ତଥାପି ଆତ୍ମବଳ ଭାଙ୍ଗି ନାହାନ୍ତି ସୁଭଦ୍ରା । ସାମାନ୍ୟ ସହାୟତା ମିଳିଲେ ସେ ତାଙ୍କ ସ୍ବପ୍ନ ପୂରା କରି ପାରନ୍ତେ ବୋଲି କହିଛନ୍ତି ପରିବାର ଲୋକ ।

 

ସାବାଡ଼ ହେବେ ରୋଡ୍ ରୋମିଓ

ଭୁବନେଶ୍ବର: ବୁଲେଟ ରାଜାଙ୍କ ନିଦ ହଜାଇଲା ଟ୍ରାଫିକ ପୋଲିସ୍ । ରୋଡ଼ ରୋମିଓଙ୍କ ଆକ୍ସନକୁ ପୋଲିସର ରିଆକ୍ସନ । ଏଥର ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡ଼ିବ ବେଲ୍ । ରାଇଡରଙ୍କ ପରେ ମଡିଫାଇଡ଼ ଶୋରୁମର ପାଳି । ଆପଣଙ୍କ ବାଇକ ସାଇଲେନ୍ସରୁ ବିକଟାଳ ଶବ୍ଦ ବାହାରୁଛି କି ? କିମ୍ବା ବୁଲେଟ୍‌ରୁ ଫାୟାରିଂ କରି ଢୋ ଢା ଫୁଟାଉଛନ୍ତି କି ? ତେବେ ହୁସିଆର ! ଆପଣଙ୍କୁ ଯେ କୌଣସି ଛକରେ ଟ୍ରାଫିକ ପୋଲିସ ମାଡ଼ି ବସିପାରେ । ଜରିମାନା ତ ଦେବେ, ତା ସହିତ ଆପଣଙ୍କ ବୁ‌ଲେଟରୁ ସାଇଲେନ୍ସର ମଧ୍ୟ କାଢ଼ି ନେବେ । ଟ୍ରାଫିକ ପୋଲିସ ସମ୍ମୁଖରେ ନିଜ ଗାଡିରେ ନୂଆ ଓ ଠିକ ମାନ ଥିବା ସାଇଲେଇନ୍ସର ଲଗାଇବା ପରେ କୋର୍ଟ ପିଆର ବଣ୍ଡରେ ଗାଡିକୁ ଛାଡିବ । ଟ୍ରାଫିକ ଏସିପି ଭାବେ ଜୟନ୍ତ ଦୋରା କାର୍ଯ୍ୟରେ ଯୋଗଦେବା ପରେ ଟ୍ରାଫିକ ନିୟମ ଖିଲାପିଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରିବା ସହ ୬୦ ରୁ ଉର୍ଦ୍ଧ୍ବ ବାଇକ ଜବତ କରିଛନ୍ତି ।

ଆଗକୁ ପାର୍ବଣ। ରାଜଧାନୀର ୧୩ ଟି ସ୍ଥାନରେ ଅତ୍ୟାଧୁନିକ ଏଏନପିଆର ବା ଟିଭିଡିଏସ୍ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ସ୍ପିଡ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ୍ ଉପରେ କଡ଼ା ନଜର ରଖିଛି ଟ୍ରାଫିକ କଣ୍ଟ୍ରୋଲ ରୁମ । ବାଇକ ମଡିଫାଏ କରୁଥିବା ସ୍ପେୟାର ପାର୍ଟସ ଦୋକାନରେ ଖୁବଶୀଘ୍ର ଚଢ଼ାଉ ହେବ । ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସଡକ ଦୁର୍ଘଟଣା ଉପରେ ରୋକ ଲଗାଇବା ପାଇଁ ଆଗାମୀ ଦିନରେ ନିୟମ ମୁତାବକ ଫରେନ ବାଇକ ଗୁଡିକୁ ସ୍କାନରକୁ ନିଆଯିବ ବୋଲି କହିଛନ୍ତି ଏସିପି ।

 

ମିଳିତ ଶାନ୍ତି କମିଟି ବୈଠକ, ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଦୁର୍ଗାପୂଜା

କଟକ: କଟକର ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ ରବିବାର ସମସ୍ତ 170 ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ସହର ସବୁ ଦଳର ରାଜନେତା, ପୂଜା କମିଟିର ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ପୂଜା କିପରି ସମାପନ କରାଯିବ ସେ ନେଇ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦେଇଥିବାରୁ ପୋଲିସ କମିଶନର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।

ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଦୁର୍ଗାପୂଜା । କଟକ ଶାରଦୀୟ ପୂଜା ପାଇଁ ମିଳିତ ଶାନ୍ତି କମିଟି ବୈଠକ । ଚଳତବର୍ଷ ୧୭୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଜଗତ ଜନନୀ । ୨୯ ମେଢରେ ଚାନ୍ଦିରେ ଝଟକିବେ ମାଆ । ଅକ୍ଟୋବର 20 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ କଟକ ଶାରଦୀୟ ଦୁର୍ଗାପୂଜା । 25 ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସହରର 170 ରୁ ଅଧିକ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ବୈଠକରେ ବିଭିନ୍ନ ଦଳର ରାଜନେତା, ପୂଜା କମିଟିର ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଯୋଗ ଦେଇ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ଶାନ୍ତି କମିଟି ଓ ପୂଜା କମିଟି ପକ୍ଷରୁ ଏଥର ପୂଜାକୁ ଶାନ୍ତିଶୃଙ୍ଖଳାର ସହ କରିବା ସହ ନିଶାମୁକ୍ତ ତଥା ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।

 

ଚିକିତ୍ସା କ୍ଷେତ୍ରରେ ଦୂର ହେବ ସମସ୍ୟା, ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା

ରାଉରକେଲା: ଚିକିତ୍ସା କ୍ଷେତ୍ରରେ ଦୂର ହେବ ସମସ୍ୟା । ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା । ଅଭିଜ୍ଞ ଡାକ୍ତରଙ୍କୁ ନେଇ ଆଲୋଚନା । ଇଣ୍ଡିଆନ ଆସୋସିଏସନ୍ ଅଫ ପ୍ୟାଥୋଲୋଜିଷ୍ଟ ଆଣ୍ଡ ମାଇକ୍ରୋବାୟୋଲୋଜିଷ୍ଟ ଓଡିଶା ଅଧ୍ୟାୟର ୫୧ ତମ ବାର୍ଷିକ ରାଜ୍ୟ ସମ୍ମିଳନୀରେ ମାନସମନ୍ଥନ । ରାଉରକେଲା ଜୟ ପ୍ରକାଶ ହସ୍ପିଟାଲରେ ଆୟୋଜିତ ଦୁଇଦିନିଆ ସମ୍ମିଳନୀରେ ବହୁ ରାଜ୍ୟ ଓ ରାଜ୍ୟ ବାହାରର ବହୁ ବିଶେଷଜ୍ଞ ଡାକ୍ତର, ପ୍ରଫେସର ଓ ପିଜି ଷ୍ଟୁଡେଣ୍ଟ ଯୋଗ ଦେଇଥିଲେ ।

ସମ୍ମିଳନୀର ୧୧ ଟି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ହୋଇଛି ଆଲୋଚନା । ରାଜ୍ୟର ବିଭିନ୍ନ ହସ୍ପିଟାଲର ଉନ୍ନତି ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ । ୟୁରୋପ୍ୟାଥୋଲୋଜି, ହେମାଟୋପ୍ୟାଥଲୋଜୀ, ଏ-ଓ୍ବାନ ଓ ଡିଜିଟାଲ ପ୍ୟାଥଲୋଜୀ, ବେଷ୍ଟ ଅଫ ସ୍ଲାଇଡ, ପେପର ଏବଂ ପୋଷ୍ଟର ଲ୍ୟାଵରେ ଗୁଣବତ୍ତା ଓ ନିରାପତ୍ତା, ପ୍ୟାଥୋପ୍ରେନର ସମସ୍ୟା ଗୁଡିକର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହି ରାଜ୍ୟ ସମ୍ମିଳନୀ ଅବସରରେ ପ୍ୟାଥୋଲୋଜି କ୍ଷେତ୍ରରେ ଯୁଵ ଡାକ୍ତରଙ୍କୁ ଶିକ୍ଷା ପ୍ରଦାନ କରିଵା ସହ ରୋଗୀମାନଙ୍କୁ ଜରୁରୀକାଳୀନ ଯତ୍ନ, ପ୍ରତିଶୋଧକ ଔଷଧ, ଡାଇଗ୍ଲୋଷ୍ଟିକ ପଦ୍ଧତି, ଅସ୍ତ୍ରୋପଚାର, ଓ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ପ୍ରଦାନ କରିଵା ସମ୍ପର୍କରେ ଟିପ୍ସ ଦେଇଥିଲେ ବିଶେଷଜ୍ଞ । ବୈଜ୍ଞାନିକ ଏକାଡେମୀ ଅଧିବେଶନ ପାଥୋଲୋଜି କ୍ଷେତ୍ରରେ ଯୁଵ ଡାକ୍ତରମାନଙ୍କୁ ଅଧିକ ଲାଭ ଦେବ ବୋଲି କହିଛନ୍ତି ଡାକ୍ତର ।

 

ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ । ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍କୁ ଅଧାରୁ ସ୍ଥଗିତ ରଖାଯାଇଛି । ଏବେ ବି ପ୍ରବଳ ବର୍ଷା ଜାରି ରହିଛି । ଅଚାନକ ପବନ ସହ ବର୍ଷା ମାଡ଼ି ଆସିଥିଲା । ବର୍ଷା ଯୋଗୁ ଆଉଟ ଫିଲ୍ଡ ପ୍ରଭାବିତ ହୋଇଛି । ଆଉଟ ଫିଲ୍ଡ ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଛି । କାରଣ ଠିକଣା ସମୟରେ ଏହାକୁ ଘୋଡ଼ାଇବା ସମ୍ଭବ ହୋଇନାହିଁ । ତେଣୁ ବର୍ଷା ଛାଡ଼ିବା ପରେ ମଧ୍ୟ ମ୍ୟାଚ୍ କେତେବେଳେ ଆରମ୍ଭ ହେବ, ତା’ହା ସବୁଠାରୁ ବଡ଼ ପ୍ରଶ୍ନ ।

ଯଦି ରବିବାର ମ୍ୟାଚ୍ର ରେଜଲ୍ଟ ନ ବାହାରିଲା, ତା’ହେଲେ ସୋମବାର ସଂରକ୍ଷିତ ଦିବସରେ ଏହା ଅନୁଷ୍ଠିତ ହେବ। ରବିବାର ଯେଉଁଠି ମ୍ୟାଚ୍ ବନ୍ଦ ହୋଇଥିବ, ସେହିଠାରୁ ହିଁ ସୋମବାର ଆରମ୍ଭ ହେବ । ତଥାପି ଅମ୍ପାୟାର ରବିବାର ମ୍ୟାଚ୍ ଯେକୌଣସି ପରିସ୍ଥିତିରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବର୍ଷା ଯୋଗୁ ମ୍ୟାଚ୍ ସ୍ଥଗିତ ରହିବା ବେଳକୁ ୨୪.୧ ଓଭରରେ ଭାରତ ୨ ୱିକେଟ ହରାଇ ୧୪୭ ରନ କରିଥିଲା । କେଏଲ ରାହୁଲ ୨୮ ବଲରେ ୧୭ ଓ ବିରାଟ କୋହଲି ୧୬ ବଲରେ ୮ ରନ କରି ଅପରାଜିତ ରହିଛନ୍ତି। ରୋହିତ ଶର୍ମା ଓ ଶୁବମନ ଗିଲ୍ ବିସ୍ଫୋରକ ଆରମ୍ଭ କରି ପ୍ୟାଭିଲିୟନ ଫେରିଛନ୍ତି। ରୋହିତ ୫୬ ଓ ଗିଲ୍ ୫୮ ରନ କରି ଆଉଟ ହୋଇଛନ୍ତି।

ପୋଲିସ ଚାକିରି ଛାଡ଼ି ଛତୁ ଚାଷ

ଗୁଣୁପୁର: ଚାଷ ପାଇଁ ଅହେତୁକ ଦୁର୍ବଳତା ଜଣେ ପୋଲିସ୍ କର୍ମଚାରୀଙ୍କୁ ନିଜ ଭିଟାମାଟିକୁ ଟାଣିଆଣିଲା । ପୋଲିସ୍ ଚାକିରି ଛାଡି ନିଜ ଗାଁରେ ଛତୁ ଚାଷ କରି ବେଶ୍ ଦୁଇପଇସା ରୋଜଗାର କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି ଗୁଣପୁର ବ୍ଲକ ଭୁଲସୁଣ୍ଡା ଗ୍ରାମର ଦୁର୍ଯ୍ୟଧନ ଶବର । ଛତୁଚାଷ କରି ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ନିଯୁକ୍ତି ଯୋଗାଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ  । ହେଲେ ଚାଷ ପ୍ରତି ଥିବା ତାଙ୍କ ଆଗ୍ରହ ଚାକିରି ଛାଡିବାକୁ ବାଧ୍ୟ କରିଛି  । ସେ ଏବେ ନିଜ ଗାଁରେ ଥିବା ଚାଷ ଜମିରେ ଛତୁ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି  ।

ଚାକିରି ପଛରେ ନଗୋଡାଇ ମଧ୍ୟ ଭଲ ରୋଜଗାର ହୋଇପାରେ  । ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଦୁର୍ଯ୍ୟୋଧନ  । କେବଳ ଛତୁ ଚାଷ ନୁହଁ ଇଚ୍ଛା ଥିଲେ ମରୁଭୂମି ବି ଶସ୍ୟଶ୍ୟାମଳା ହୋଇପାରିବ  । ବର୍ତମାତ ଯୁବପିଢିଙ୍କ ପାଇଁ ଦୁର୍ଯ୍ୟୋଧନ ପ୍ରେରଣାର ଉତ୍ସ ପାଲଟିଛନ୍ତି  । ଦୁର୍ଯ୍ୟୋଧନଙ୍କ ଛତୁର ବଜାରରେ ବେସ ଚାହିଦା ରହିଥିବା କହିଛନ୍ତି ଗ୍ରାହକ  ।

 

ବିକାଶର ଶୀର୍ଷ ଛୁଇଁଛି ଆର-ଉଦୟଗିରି

ଆର-ଉଦୟଗିରି: ପାହାଡ ଜଙ୍ଗଲ ମଧ୍ୟରେ ବିକଶିତ ସହରର ଚିତ୍ର ।  ପ୍ରତି ପାଦେ ପାଦେ ବିକାଶର ଛାପ । ସଫଳ ରୂପାୟନ ହୋଇଛି ସରକାରଙ୍କ ସମସ୍ତ ଯୋଜନା । ଲୋକଙ୍କୁ ହାତ ପାହାନ୍ତାରେ ସରକାରୀ ସେବା ଯୋଗାଇବା ପାଇଁ ରହିଛି ସମସ୍ତ ବିଭାଗୀୟ କାର୍ଯ୍ୟାଳୟ । ଏଠି ସମସ୍ତ ଭିତ୍ତିଭୂମି ରହିଛି । କହିବାକୁ ଗଲେ ସବୁ କ୍ଷେତ୍ରରେ, ବିକାଶର ଶୀର୍ଷରେ ରହିଛି ଏହି ସହର ।

ବିକାଶର ଶୀର୍ଷ ଛୁଇଁଛି ଗଜପତି ଜିଲ୍ଲାର ଆର-ଉଦୟଗିରି ।  ଉପାନ୍ତରେ ଗଢି ଉଠିଥିବା ସହରର ହୋଇଛି ସମ୍ପୂର୍ଣ୍ଣ ବିକାଶ । ଆଦିବାସୀଙ୍କ ଉନ୍ନତିକୁ ପ୍ରଧାନ୍ୟ ଦେଇଛନ୍ତି ରାଜ୍ୟସରକାର । ଜିଲ୍ଲାର ସଦରମହକୁମା ଭଳି ଏଠାରେ ମଧ୍ୟ ଅଛି ସମସ୍ତ ସରକାରୀ କାର୍ଯ୍ୟାଳୟ । ଗ୍ରାମାଞ୍ଚଳବାସୀଙ୍କ ହାତପାଆନ୍ତାରେ ସରକାରୀ ସେବା ଯୋଗଇଦେବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର । ବ୍ଲକ କାର୍ଯ୍ୟାଳୟ, ତହସିଲ, ସବ-ଟ୍ରେଜେରୀ, ପୋଲିସ ଉପଖଣ୍ଡ ଭଳି ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଏଠାରେ ରହିଛି । ଏନେଇ ସହରକୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।

ଜିଲ୍ଲା ସଦରମହକୁମା ଠାରୁ ୬୫ କିଲୋମିଟର ଦୂରରେ ରହିଛି ଏହି ସବୁଜିମା ଭରା ସହର । ଆର-ଉଦୟଗିରିର ଚତୁଃସୀମାକୁ ଲାଗି ରହିଛି ତିନୋଟି ବ୍ଲକ । ମୋହନା ବ୍ଲକ ଏଠାରୁ ୪୦ କିଲୋମିଟର, ନୂଆଗଡ ୨୦ କିଲୋମିଟର ଏବଂ ରାୟଗଡ ବ୍ଲକ ୨୫ କିଲୋମିଟର । ପାରଳାଖେମୁଣ୍ଡି-ବ୍ରହ୍ମପୁର ଜାତୀୟ ରାଜପଥ ଏହି ସବୁ ବ୍ଲକକୁ ସଂଯୋଗ ହୋଇଥିବାରୁ ଏଠାରେ ଗମନାଗମନ ସୁଗମ ହୋଇଛି । ସହରର ବିକାଶ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସହରବାସୀ ।

 

ଚାଷୀଙ୍କ ମୁହଁରେ ହସ

0

ଟାଙ୍ଗୀ: ଚାଷୀର ଦୂର ହୋଇଛି ଦୁଃଖ । ବର୍ଷା ଛୁଆଁରେ ହସୁଛି  ଉଜୁଡା କ୍ଷେତ । ଦୀର୍ଘ ଦିନ ପରେ ପୁଣି ଆରମ୍ଭ ହୋଇଛି ରୂଆ ବେଉସା । ଲଘୁଚାପ ବର୍ଷା  ହେବା ଫଳରେ  ଗଜା ମରୁଡି ହେବାକୁ ବସିଥିବା ଜମିରେ  ହସୁଛି ଧାନ ତଳି । ଟାଙ୍ଗି ବ୍ଲକରେ ମରୁଡ଼ି ଭଳି ପରିସ୍ଥିତିକୁ ଲଘୁଚାପ ବର୍ଷା ଏଡାଇ ଦେଇଛି  । ଫଳରେ  ଆଗେଇଇଛି ଚାଷ କାମ  । ବିଳମ୍ବ ହେଲେ ବି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଆରମ୍ଭ ହୋଇଛି ଚାଷ କାର୍ଯ୍ୟ  । ଏହି ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତିକୁ ଲଘୁଚାପ ବର୍ଷା ଏଡାଇ ଦେଇଛି । ପଛକୁ ପଛକୁ ଲଘୁଚାପ ଆସୁଥିବାରୁ ଚଳିତବର୍ଷ ଭଲ ଫସଲ  ହେବ ବୋଲି ଆଶା ରଖିଛି ଚାଷୀ  ।

ଲଘୁଚାପ ବର୍ଷା ଯୋଗୁ ଜମିରେ ଭରି ରହିଛି ପାଣି  । ଫଳରେ ରୁଆ ବେଉସା ସାଙ୍ଗକୁ ବଛା ବଛିରେ ଲାଗି ପଡିଛି ଚାଷୀ । ଚଳିତ ବର୍ଷ  ଟାଙ୍ଗି ବ୍ଲକର 26 ପଂଚାୟତରେ 23 ହଜାର 722 ଏକର ଚାଷ ଜମିରେ ଧାନ ରୁଆ କାମ ଶେଷ ହୋଇଛି । ଧାନ ରୁଆ ଶେଷ ପରେ ନାନୋ ୟୁରିଆ ଵ୍ୟଵହାର କରିବାକୁ ପରାମର୍ଶ ଦେଇଛି କୃଷି ବିଭାଗ । ଏହା ସହ ଧାନ ଚାଷ ହୋଇଥିବା ଜମି ହୁଡ଼ାରେ ବିରି ବିହନ ବୁଣି ରୋଜଗାର ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ଟାଙ୍ଗି କୃଷି ଜିଲା ଅଧିକାରୀ ।

 

କଟକରେ ଛୁରାମାଡ଼

କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ବିପ୍ରହରରେ ମହିଳାଙ୍କୁ ଛୁରା ମାଡ଼ । ଦୋଳମୁଣ୍ଡେଇ ଅଞ୍ଚଳରେ ଘଟିଛି ଘଟଣା । ଏକ ପାର୍ଲର ରେ କାମ କରନ୍ତି ମହିଳା । ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବାବେଳେ ଆହତ ଅବସ୍ଥାରେ ମହିଳାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁରୀଘାଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଖପାଖ ଅଂଚଳର ସିସି ଟିଭି ଯାଞ୍ଚ କରୁଛି ପୋଲିସ । ମହିଳା ଜଣଜ ତେଲେଙ୍ଗା ବଜାର ଅଂଚଳର ସୁଚିତ୍ରା ଖଟୁଆ । ଛିରାମାଡ଼ କରିଥିବା ଯୁବକ ଜଣକ ମୁହଁରେ ମାସ୍କ ପିନ୍ଧିଥିବାରୁ ଚିହ୍ନି ପାରି ନଥିଲେ ମହିଳା । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଛୁରାମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ୍ ।